Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ସପ୍ତଦଶ ପର୍ବ)

ଚିତ୍ତରଞ୍ଜନ ଦାସ

 

ବିଦ୍ୟା ଓ ଅଚ୍ୟୁତ ମୋ’ର କାଶୀପୁରର ସାଥୀ । ସେଠି ଆମେ ଅନେକଙ୍କର ସାଥୀ । ଭୁବନେଶ୍ୱରରୁ ଅନାଇଲେ କାଶୀପୁର ଯେମିତି କେମିତି କେମିତି ଦିଶେ, କାଶୀପୁରରୁ ଅନାଇଲେ ଭୁବନେଶ୍ୱର ବି ସେହିପରି ଭାରି କେମିତି କେମିତି ଦେଖାଯାଏ । କାଶୀପୁରରୁ ଭୁବନେଶ୍ଵରକୁ ଦେଖିବାର ସୁଯୋଗଟି ମୁଁ ଅଚ୍ୟୁତ ଓ ବିଦ୍ୟାଙ୍କଠାରୁ ପାଇଛି ।

 

‘ରୋହିତର ଡାଏରୀ’ର ଏହି ସପ୍ତଦଶ ଖଣ୍ଡକୁ ମୁଁ ଶ୍ରୀ ଅଚ୍ୟୁତ ଦାସ ଏବଂ ଶ୍ରୀମତୀ ବିଦ୍ୟା ଦାସଙ୍କ ହାତରେ ଅର୍ପଣ କରୁଛି ।

 

୧୬ । ୬ । ୮୩

 

ମଣିଷ ଜୀବନଯାକ ଜୀବନଟାକୁ ମୋଟେ ବଞ୍ଚେନାହିଁ, ଖାଲି ଦେଖାଇ ହୁଏ, ଖାଲି ଆସନରେ ବସେ, ପଦାଧିକାରୀ ହୁଏ, ବଡ଼ ହୁଏ, ଫମ୍ପା ହୁଏ । ଯେତିକି ଦିଏ, ତା’ର ହଜାରଗୁଣ ଶୋଷି ନିଏ । ହୁଏତ ଆଦୌ କିଛି ଦେଇ ନଥାଏ, ମାତ୍ର ସବୁଯାକ ଆତ୍ମସାତ୍ କରି ନେବାଲାଗି ଏକ ଆଦର୍ଶର ଚିଠା କରି ସେହି ଅନୁସାରେ ସବୁ କରୁଥାଏ । ତାହାକୁ ହିଁ ବୟସର ଓ ବୁଦ୍ଧିର ବାହାଦୂରୀ ବୋଲି ମଣିଥାଏ । ବିଚରା ସେଇ ଗଣ୍ଠି ପଡ଼ି ପଡ଼ି ଯାଉଥାଏ । ବୁଢ଼ା ହେଲାବେଳକୁ ସିଏ ମୁଁ ଏଇଟା କରିଛି, ମୁଁ ସେଇଟା କରିଛି ବୋଲି ବାହୁନି ହେଉଥାଏ, ହୁଏତ ଆପଣା ଭିତରେ ‘ମୁଁ କିଛି କରି ପାରିଲିନାହିଁ’ ବୋଲି କହି ଧିକ୍‌କାରି ହେଉଥାଏ । ଭିତରେ ଭୋଗୁଥିବା ଦାରିଦ୍ର୍ୟଟାକୁ ବାହାରର ଯାବତ ବାହାଦୂରୀରେ ଏକ କ୍ଷତିପୂରଣ ଦେବାକୁ ଇଚ୍ଛା କରୁଥାଏ ।

 

ଯଥାର୍ଥରେ ସିଏ କିଛି କରିନଥାଏ । ଏବଂ ସେଇଥିଲାଗି ନିଜର ଅସଲ ଜାଗାରେ ନିଜକୁ ମୋଟେ ସ୍ଵୀକୃତି ଦେଇ ପାରୁନଥାଏ । ସେହି ଅସ୍ଵୀକୃତିକୁ ଆପଣା ତରଫରୁ ବଡ଼ ବଡ଼ କଥାର ସ୍ଵୀକୃତିରେ ଘୋଡ଼ାଇବାକୁ ଇଚ୍ଛା କରୁଥାଏ । ଭାରି ଧରା ପଡ଼ିଯାଏ । ଭାରି ଅସୁନ୍ଦର ଦେଖାଯାଏ । ଆମ ସମାଜରେ ଗତ ଗୋଟାଏ ପୁରୁଷ ହେଲା ଯେଉଁମାନେ ଉଚ୍ଚ ଥାନମାନଙ୍କରେ ଯାଇ ବସିଛନ୍ତି, ସେମାନେ ସମ୍ଭବତଃ ଏହିପରି ଭାବରେ ଆପଣାକୁ ପରିପୂର୍ଣ୍ଣ କରି ଦେଇ ପାରିଲାଭଳି କିଛି କରିନାହାନ୍ତି । ଖାଲି ଆତ୍ମସାତ୍ କରିଛନ୍ତି । ପଦରେ ବସିଛନ୍ତି ଏବଂ ବୃଦ୍ଧ କାଳରେ ଯୁବକର ଉତ୍ସାହରେ “ମୁଁ ଅମୁକ କଲି” ଇତ୍ୟାଦି କହି ଆପଣାକୁ ବୋଧ ଦେବାରେ ଲାଗିଛନ୍ତି । ଏମାନେ ପ୍ରକୃତରେ ଭାରି ଧରା ପଡ଼ିଯାଉଛନ୍ତି । ଆଗାମୀ ପୁରୁଷ ଏମାନଙ୍କୁ ଅତିକ୍ରମ କରିଯିବ,–ଆଗାମୀ ପୁରୁଷ ଆଦୌ ଧରା ପଡ଼ିବନାହିଁ,–ସିଏ ନିଜର ଯଥାର୍ଥ ପରିଚୟ ଦେବ ।

 

୧୭ । ୬ । ୮୩

 

ଭିତରେ ମୂର୍ତ୍ତିଟି ଜାଗରୂକ ରହିଥିବ । ବାହାରେ ଚେତନା ଦ୍ଵାରା ପରିଚୟ ମିଳୁଥିବ । ଚେତନା ଦ୍ଵାରା ସଂଯୋଗ ସ୍ଥାପନ ହୋଇ ପାରୁଥିବ । ଚେତନା ମୂର୍ତ୍ତିର ସଂଜ୍ଞା ହୋଇ ରହିଥିବ ଓ ମୂର୍ତ୍ତି ଚେତନାର ସନ୍ତକ ହୋଇ ରହିଥିବ । ଆବଶ୍ୟକ ପଡ଼ିଲେ ମୂର୍ତ୍ତିର ପରିଭାଷାରେ ଚେତନାର କଥା କୁହାଯାଇ ପାରୁଥିବ ସତ, ମାତ୍ର ମୂର୍ତ୍ତିକୁ କଦାପି ଚେତନାର ବିକଳ୍ପରୂପେ ଗ୍ରହଣ କରାଯାଉନଥିବ ।

 

ଆପଣାର ପରିବେଶଟି ମଧ୍ୟରେ ଏହି କଥାଟିକୁ ସମ୍ଭବ କରି ପାରିବା ସକାଶେ ଆମକୁ ଆପଣା ଭିତରେ ନିଜ ମୂର୍ତ୍ତିଟି ସହିତ ଲାଗିଥିବା ଡୋରଟିର ସଂପ୍ରସାରଣ ଘଟାଇ ଯାବତୀୟ ମୂର୍ତ୍ତିରେ ମଧ୍ୟ ଆପଣାର ମୂର୍ତ୍ତିଟିକୁ ଅନୁଭବ କରି ପାରୁଥିବା ଉଚିତ । ଏହି ଡୋରଟି ଚେତନାର ଡୋର ହୋଇ ପାରିଲେ ଯାଇ ତାହା ସମ୍ଭବ ହେବ । ଆମ ମୂର୍ତ୍ତିଗୁଡ଼ିକର ଛାଞ୍ଚରେ ଆମର ବାଟଗୁଡ଼ିକ ତିଆରି ହୋଇଥିବ ପଛକେ, ମାତ୍ର ଆମର ଯାବତୀୟ ବାଟ ଚାଲିବା ବ୍ୟବହାରତଃ ଚେତନାରେ ଚାଲିବାରେ ପରିଣତ ହୋଇ ରହିଥିବା ଉଚିତ । ତେବେ ଯାଇ ଚେତନାର ମହତ ରହିବ, ଓ ତେଣୁ ଆମ ନିଜର ମଧ୍ୟ ମହତ ରହିବ । ଚେତନା ଦେଇ ଜଗତକୁ ଛୁଇଁ ପାରିଲେ ଆମେ ଭିତରେ ଗୋଟିଏ ମୂର୍ତ୍ତିର ଥାପନା କରିଥିଲେ ମଧ୍ୟ ସାରା ଜଗତ ସହିତ ଖିଅ ଲଗାଇ ରଖିପାରିବା । ମାତ୍ର, ମୂର୍ତ୍ତି ଦେଇ ଜଗତକୁ ଚିହ୍ନି ବାହାରିବାର ଅଭିମାନ କରୁଥିବା ପର୍ଯ୍ୟନ୍ତ ସଂସାରରେ ମୂର୍ତ୍ତି ମୂର୍ତ୍ତି ଭିତରେ ଲଢ଼େଇ ଚାଲିଥିବ ସିନା, ମାତ୍ର ଆମେ ଆମ ମୂର୍ତ୍ତିଟିର ବି ଅମଲ ଭେଦଗୁଡ଼ିକୁ ଅର୍ଥାତ୍ ଅସଲ ସତ୍ୟକୁ ଆଦୌ ପାଇପାରିବା ନାହିଁ । ଚେତନାର ବୃହତ୍ତର ମଣ୍ଡଳଟି ମଧ୍ୟରେ ହିଁ ଯାବତୀୟ ମୂର୍ତ୍ତିର ଐଶ୍ଵର୍ଯ୍ୟକୁ ଅନୁଭବ କରାଯାଇ ପାରିବ ।

 

୧୯ । ୬ । ୮୩

 

ସାହିତ୍ୟ କରି କରି ଯିଏ ଶେଷକୁ ନିରାଶ ହୁଏ, ସିଏ ପ୍ରକୃତରେ ସାହିତ୍ୟ କରୁଥାଏ ନା ଆଉ କ’ଣ କରୁଥାଏ ? ପିଲାଙ୍କୁ ପାଠ ପଢ଼ାଇ ଯେଉଁ ନିରାଶାବାଦୀ ମଣିଷ କେବଳ ଜୀବନଗୁଡ଼ାକୁ ଆଦରି ନେଇଯିବା ବ୍ୟତୀତ ଆଉ କିଛି ହେଲେ ସମ୍ଭବ ନୁହେଁ ବୋଲି ଦିବାସ୍ଵପ୍ନ ଦେଖିଥାଏ, ସିଏ ପିଲାମାନଙ୍କୁ କାହିଁକି ପାଠ ପଢ଼ାଇବାକୁ ମନ କରେ କେଜାଣି ?

 

ସୃଜନର ଅର୍ଥ ହେଉଛି ସୃଷ୍ଟି କରିବା । ଆପଣାକୁ ଯଥାସମ୍ଭବ କାଢ଼ି ନେଇ ଅନ୍ତରାଳରେ ରଖିବା, ଏବଂ ବସ୍ତୁଗୁଡ଼ିକର ଯଥାସମ୍ଭବ ଅଧିକ ଗଭୀରକୁ ଯାଇ ଯେଉଁ ଅନୁଭବ ଏବଂ ଏକାତ୍ମତା ଲାଭ କରାଯାଇଥାଏ, ତାହାରି ପରିପ୍ରେଷୀ ଉପରେ ନିଜକୁ ଦେଖିବା, ନିଜର ଚତୁଃପାର୍ଶ୍ୱକୁ ଦେଖିବା,–ଜୀବନର ବିସ୍ତାରକୁ ଦେଖିପାରିବା, ଜୀବନର ହୃଦୟକୁ ଦେଖିପାରିବା । ଗୋଟିଏ କଥାରେ କହିଲେ, ମୁଁ ଯାହା ଦେଖିପାରୁଛି, ତାହାର ଭିତରେ ଭବିଷ୍ୟତର ସ୍ମରଣ କରି ପାରିବା । ଯୋଉ ମଣିଷକୁ ଏହିପରି ଅନୁଭବଟିଏ ମିଳି ପାରୁଛି, ସିଏ ଏକ ସମଗ୍ର ବ୍ୟଞ୍ଜନାର ବୃହତ୍ତର ପରିଧି ମଧ୍ୟରେ ଜୀବନକୁ ଘ୍ରାଣ କରିପାରୁଛି ଓ ଜୀବନକୁ ଚିହ୍ନିଛି, ସିଏ ନିରାଶାବାଦୀ ହେବ କେତେବେଳେ, ଆପଣା ଭିତରେ ସତେଅବା ବିଭକ୍ତ ହୋଇ ଗୋଟିଏ ପାଖରେ ବର୍ତ୍ତମାନକୁ କୁଆଡ଼ୁ ଆସି ଅନୁପ୍ରବେଶ କରିଥିବା ବିଟପୁରୁଷ ପରି ଭୋଗ କରି ସିଏ ଭବିଷ୍ୟଟାକୁ ଖାଲି ପୋଡ଼ା ପାହାଡ଼ ଗୁଡ଼ାକର ସମାହାରରେ ଲଙ୍ଗଳା ହୋଇ ଦିଶୁଥିବା ଏକ “କିଛି ନୁହେଁ” ବୋଲି କହିପାରିବ କିପରି ? ଏହା ଆଧୁନିକ ସାହିତ୍ୟର ସମସ୍ୟା ଯେତେ ନୁହେଁ, ତା’ଠାରୁ ଅନେକ ଅଧିକ ପରିମାଣରେ ଆଧୁନିକ ସାହିତ୍ୟକର ଏକ ସମସ୍ୟା ।

 

୨୧ । ୬ । ୮୩

 

ବାହାରୁ ଆଖି ବନ୍ଦ କରିଆଣିବା ମାତ୍ରକେ ଯେତେବେଳ ପର୍ଯ୍ୟନ୍ତ ଭିତର ଆଡ଼କୁ ଆଖି ଖୋଲି ଯାଉଥିବ, ସେତେବେଳେ ଯାଏ ଆପଣା ଭିତରେ ଅବିଶ୍ଵାସ କରିବାର ଓ ଏକୁଟିଆ ପରି ଅନୁଭବ କରିବାରେ ଆଦୌ କୌଣସି ଆଶଙ୍କା ନଥିବ । ଏହିଭଳି ବାଟ ଚାଲୁ ଚାଲୁ ଏପରି ଏକ ସ୍ଥିତି ଆସି ପହଞ୍ଚିବ, ଯେତେବେଳେ କି ବାହାର ଅଥବା ଭିତର ଯେଉଁଟାକୁ ଅନାଇଲେ ମଧ୍ୟ ବାହାର ଏବଂ ଭିତର ଦୁଇଟାଯାକ ଦିଶିବ, ଦୁଇଟାଯାକ ଅନୁଭବ ହେବ । ସେତିକିବେଳେ ହିଁ ସମଗ୍ରତାର ଅନୁଭୂତି ମିଳିବ । ଏବଂ, ବିରାଗୀ ହେବାର ସମସ୍ତ ଦୁର୍ଗତି ଦୂର ହେବ ।

 

ଯେଉଁମାନେ ଖାଲି ବାହାରେ ସ୍ୱୀକୃତି ପାଇବେ ବୋଲି ଭିତରେ ଅଥୟ ହେବାର ଲାଗିଥାନ୍ତି, ସେମାନେ ଯେତେ ସାବଧାନ ରହିଲେ ମଧ୍ୟ ଆପଣାକୁ ଭାରି ଧରା ପକାଇ ଦେଉଥାନ୍ତି-। ସେଇମାନଙ୍କର ଗହଣରେ ବସିଥିବା ବେଳେ ହିଁ ଭାରି ଏକୁଟିଆ ମନେହୁଏ । ସେମାନେ ବାହାରକୁ କେଡ଼େ ଉତ୍ତେଜିତ ଭାବରେ କଥା କହି ଭିତରେ ପୋଡ଼ାଇ ରଖିଥିବା ଆପଣାର ଚରମ ନିଃସ୍ଵତାକୁ ଧରା ପକାଇ ଦେଉଥାନ୍ତି । ଏମାନଙ୍କର ଦୃପ୍ତ ଅଭିଯୋଗବାଣୀ ଗୁଡ଼ିକୁ ଶୁଣୁଥିବା ସମୟରେ ଆପଣା ଭିତରେ ସତେଅବା କେହି ଅତି ଅନ୍ତରଙ୍ଗ ବନ୍ଧୁ ନିଜକୁ କେବଳ ବଞ୍ଚାଇ ରଖିବାଲାଗି ପ୍ରୟାସ କରିବାରେ ଲାଗିଥାଏ । ଏହିସବୁ ଜାଗାରୁ ସିଏ ସତେଅବା ମୋଟେ କିଛି ପାଏନାହିଁ । ବାହାରକୁ ଯେଡ଼େ ଶାନ୍ତ ହୋଇ ଦିଶୁଥିଲେ ମଧ୍ୟ ଏମାନେ ନିଜ ଭିତରେ ବଡ଼ ଦୁର୍ଦ୍ଦାନ୍ତ ହୋଇ ରହିଥାନ୍ତି । ନିଜ ତାପରେ ନିଜେ ଦହି ହେଉଥାଆନ୍ତି; ନିଜ ତାପରେ ନିଜ ଭିତରର ବନ୍ଧୁଟିକୁ ଭାରି ଅପଚରା ଓ ଅନ୍ତରାଳ କରି ରଖିଥାନ୍ତି !

 

୨୨ । ୬ । ୮୩

 

ବାହାରୁ ବେଳେବେଳେ ସୂତ୍ର ଛିଣ୍ଡି ଯାଏ, ମାତ୍ର ପୁଣିଥରେ ବାନ୍ଧିହୋଇ ଯିବାକୁ ହିଁ ସେପରି ହୋଇଥାଏ । ପୁଣି ବାନ୍ଧିହୋଇ ଯିବାକୁ ହିଁ ମଝିରେ ମଝିରେ ସୂତ୍ର ଛିଣ୍ଡିଯାଏ । ନୂଆ ରୀତିରେ ବାନ୍ଧିହୋଇ ଯିବାକୁ ପୁରୁଣା ରୀତିର ସୂତ୍ରଗୁଡ଼ାକ ଛିଣ୍ଡିଯିବା ଆବଶ୍ୟକ ହେଉଥିବାରୁ ହିଁ ସମ୍ଭବତଃ ପୁରୁଣା ରୀତି ଭାଙ୍ଗିଯାଏ, ପୁରୁଣା ସୂତ୍ରଗୁଡ଼ାକ ଛିଣ୍ଡିଯାଏ । ହୁଏତ ପୁରୁଣା ଦର୍ପଣଗୁଡ଼ାକ ଆଉ ମୋଟେ ଚଳେନାହିଁ । ଆଉ କେଉଁ ଆବଶ୍ୟକତାରୁ ତାହା ଛିଡ଼ି ଛିଡ଼ି ଯାଉଥିବାର ପ୍ରତ୍ୟକ୍ଷ ହୁଏ ।

 

ଏମିତି କେତେଥର ପୁଣି ବାନ୍ଧି ହେବାଲାଗି କେତେ ଥର ସୂତ୍ର ଛିଡ଼ୁଥିବ । ମୋ’ର ପରୀକ୍ଷା ହୋଇ ଯାଉଥିବ । ମୋ’ ବିଶ୍ଵାସର ପରୀକ୍ଷା ହେଉଥିବ; ଯାହାଲାଗି ମୁଁ କେଡ଼େ ବ୍ୟାକୁଳ ହୋଇ ରହିଛି, ମୋ’ ଲାଗି ତାହାର ଅସଲ କେନ୍ଦ୍ରଟି ଯେ ମୋ’ ନିଜ ଭିତରେ ରହିଛି, ମୋତେ ଏକାବେଳେକେ ଲାଗି କରି ରହିଛି,–ମୋ’ ଭିତରେ ସେହି ବିଶ୍ଵାସର ପରୀକ୍ଷା ହୋଇ ଯାଉଥିବ, ଏବଂ, ଏହି ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହେବାରେ ଲାଗିଥିବି । ମୋ’ ଭିତରେ ରହିଥିବା ସେହି ଅନନ୍ତ କରୁଣାର ହିଁ ବିଜୟ ଘୋଷିତ ହେଉଥିବ । ମୋତେ ଆଗକୁ ଆଗକୁ ଗୋଟିଏ ପାଦ ଆଗେଇ ନେଉଥିବ । ତେଣୁ, ଏହି ବ୍ୟାକୁଳତା ଭିତରେ ଯେପରି ଆଦୌ କୌଣସି ଅବିଶ୍ଵାସ ଆସି ପଶି ନଯାଏ । ମୋ’ କେନ୍ଦ୍ରଟି ପରି ମୋ’ର ପରିଧିଗୁଡ଼ିକ ମଧ୍ୟ ସେହିପରି ସଂପୂର୍ଣ୍ଣ ଭାବରେ ପ୍ରତ୍ୟୟଯୁକ୍ତ ହୋଇ ରହିଥାନ୍ତୁ, ମୋତେ ସତତ ସୁରକ୍ଷା ପ୍ରଦାନ କରନ୍ତୁ । ମୁଁ ବାରବାର ଭାଙ୍ଗି ବାରବାର ଯୋଡ଼ି ହୋଇ ଯାଉଥାଏ,–ନୂତନ ଭାବରେ ଯୋଡ଼ି ହୋଇ ଯିବାରେ ଲାଗିଥାଏ । ତାହାହିଁ ପ୍ରାର୍ଥନା, ଭିତରର ଅନ୍ତରଙ୍ଗତମ ପ୍ରାର୍ଥନା, ବାହାରେ ଏହି ଆକାଶ ପାଖରେ ପ୍ରାର୍ଥନା ।

 

୨୩ । ୬ । ୮୩

 

ଏହି ସଂସାରରେ କେହି କାହାର ନୁହନ୍ତି,–ଅର୍ଥାତ୍ ଏଠି ପ୍ରତ୍ୟେକେ ପଥଟିକୁ ସ୍ଵୟଂ ଖୋଜିବେ, ସ୍ଵୟଂ ଠାବ କରିବେ ଓ ତାହାକୁ ସ୍ଵୟଂ ଚାଲିବେ । ଆପଣାର କେନ୍ଦ୍ରଟିକୁ ସ୍ଵୟଂ ଠାବ କରିବେ ଏବଂ ସ୍ୱୀକୃତି ଦେବେ । ତଥାପି, ଏହି ସଂସାରରେ କେହି କାହାଠାରୁ ଅଲଗା ମଧ୍ୟ ନୁହନ୍ତି;–କାରଣ, ଭିତରେ କେନ୍ଦ୍ରରୂପେ ଅବସ୍ଥିତ ରହି ଓ ବାହାରେ ଆକାଶରୂପେ ଆକର୍ଷଣ କରି ଯିଏ ଆମକୁ ଗତିସଞ୍ଚାରିତ ଓ ବିଶ୍ଵାସଯୁକ୍ତ କରି ରଖିଥାଏ, ସିଏ ପ୍ରତ୍ୟେକ ମଣିଷଙ୍କ ଜୀବନର ସେଇ ଗୋଟିଏ ସୂତ୍ର, ସେହି ସୂତ୍ରରେ କୌଣସି ଭେଦ ନାହିଁ । ଯାବତୀୟ ଶୈଳୀଗତ ଭେଦ ସତ୍ତ୍ୱେ ଆଖିମାନେ ଯେତେବେଳେ ସେହି ଅନ୍ତର୍ଗତ ସୂତ୍ରରେ ଠାବ କରିପାରନ୍ତି, ସେତେବେଳେ ଅନେକ ଅନେକ ସୂତ୍ର କେବଳ ସେହି ଗୋଟିଏ ଅସଲ ସୂତ୍ରରୂପେ ହିଁ ଆବିଷ୍କୃତ ହୋଇଥାନ୍ତି ।

 

ତେଣୁ,ଏକୁଟିଆ ବାଟ ଚାଲୁଥିବା ବାଟୋଇ ପ୍ରକୃତରେ ଏକୁଟିଆ ନୁହେଁ, ଏକୁଟିଆ ଚରଣସ୍ପର୍ଶ କରୁଥିବା ଭକ୍ତ ତଥାପି ମୋଟେ ଏକୁଟିଆ ନୁହେଁ । ଆପଣାକୁ ଏକୁଟିଆ ଓ ଅସହାୟ ବୋଲି କହିବା ହୁଏତ ମୂଳତଃ ଗୋଟିଏ ପ୍ରକାରର କାବ୍ୟିକତା,–ସମ୍ଭବତଃ, ଆହୁରି ଅଧିକ ନିକଟବର୍ତ୍ତୀ ହୋଇଆସି ଆହୁରି ଆହୁରି ଅଧିକକୁ ସ୍ପର୍ଶ କରି ରହିବାର ବ୍ୟାକୁଳତା ହିଁ ଏହିପରି ପ୍ରାୟ ଏକ କାବ୍ୟିକ ଢଙ୍ଗରେ ଆପଣାକୁ ବ୍ୟକ୍ତ କରି ପକାଇଥାଏ । ତେଣୁ, ପରିଚୟ ହେଲେ ମଣିଷ ସୂତ୍ରକୁ ଛାଡ଼ି ଚାଲି ଯାଏନାହିଁ । ସୂତ୍ରଟିକୁ ଅଧିକ ପ୍ରତ୍ୟକ୍ଷ ଭାବରେ ଚିହ୍ନେ । ସିଏ ସଚେତନ ଭାବରେ ବାନ୍ଧି ହୋଇଥାଏ । ଅଧିକ ପ୍ରତ୍ୟକ୍ଷ ଭାବରେ ବାନ୍ଧି ହୋଇଯାଏ । ସକଳ ପରୋକ୍ଷ ଓ ସକଳ ବ୍ୟକ୍ତିଗତକୁ ଏକ ବିଶ୍ଵ–ସତ ରୂପେ ଅନୁଭବ କରେ, ଅଙ୍ଗେ ନିଭାଏ । ଅର୍ଥାତ୍, ବାନ୍ଧିହୋଇ ରହିଥାଏ ।

 

୨୪ । ୬ । ୮୩

 

ଜୀବନର ସାଧୁତା କହିଲେ ଗୋଟିଏ କଥାକୁ ବୁଝାଉଥିବ ଓ ସାହିତ୍ୟରେ ସାଧୁତା କହିଲେ ଆଉଗୋଟାଏ କଥାକୁ ବୁଝାଉଥିବ, ଏପରି ଆଦୌ ହେବନାହିଁ । ଜୀବନରେ ବାସ୍ତବ କହିଲେ ଗୋଟିଏ କଥାକୁ ବୁଝାଉଥିବ ଏବଂ ସାହିତ୍ୟରେ ବାସ୍ତବ କହିଲେ ଆଉଗୋଟିଏ କଥାକୁ ବୁଝାଉଥିବ ଏପରି ମଧ୍ୟ ଆଦୌ ହେବନାହିଁ । ଏବଂ ସର୍ବୋପରି, ଏପରି ମଧ୍ୟ କୁହାଯିବ ଯେ ଜୀବନରେ ଆଦର୍ଶ କହିଲେ ଗୋଟିଏ କଥାକୁ ବୁଝାଉଥିବ ଏବଂ ସାହିତ୍ୟରେ ଆଦର୍ଶ କହିଲେ ଆଉଗୋଟାଏ କଥାକୁ ବୁଝାଇବ, ଏପରି ମୋଟେ ହେବନାହିଁ । ସମ୍ଭବତଃ ଏହି ଦ୍ଵୈଧତା ଅଥବା ବିଚ୍ଛିନ୍ନତା ମଧ୍ୟରୁ ହିଁ ଯାବତୀୟ ଅବସନ୍ନତାର ସୃଷ୍ଟି ହେ ।

 

ଗୋଟିଏ ସାଧୁତା, ଗୋଟିଏ ବାସ୍ତବ ଓ ଗୋଟିଏ ଆଦର୍ଶ । ଯେଉଁ ମଣିଷ ଆପଣାର ସାହିତ୍ୟ ଓ ଆପଣାର ଜୀବନକୁ ନେଇ ଏହିଗୁଡ଼ିକର କ୍ଷେତ୍ରରେ ଦୁଇଭାଗ ହୋଇ ରହିଥାଏ, ସିଏ ଭାରି ମର୍ମନ୍ତୁଦ ଭାବରେ ଆପଣା ଭିତରେ ଦରିଦ୍ର ହୋଇ ରହିଥାଏ । ଅନେକ ସମୟରେ ନିଜ ଜୀବନର ତୁଚ୍ଛା ଅସାଧୁତା ଗୁଡ଼ାକୁ ବିସ୍ମରି ରହିବାଲାଗି ହିଁ ସିଏ ସାହିତ୍ୟ କରେ, ଗୋଟିଏ ପାଖରେ ଅବସାଦ ଓ ଅତୃପ୍ତିକୁ ସିଏ ଆଉଗୋଟାକର ଆଡ଼ମ୍ବର ମଧ୍ୟଦେଇ ମେଣ୍ଟାଇ ଦେବାର ଚେଷ୍ଟା କରୁଥାଏ । ତା’ର ସାହିତ୍ୟର ଆକାଶରେ କେତେ କେତେ ଛବିଳ ଠାଣିରେ ପାଂନୁଷ ଉଡ଼ୁଥାଏ ସତ, ମାତ୍ର ମଣିଷ ଭାରି ସାନ ହୋଇ ରହିଥାଏ । ଗୋଟାଏ ଦୃଷ୍ଟିରୁ ଦେଖିଲେ, ସିଏ ଜୀବନ ଏବଂ ସାହିତ୍ୟ ତା’ର ଦୁଇଟିଯାକ କ୍ଷେତ୍ରରେ ହିଁ ଅସାଧୁ ହୋଇ ରହିଥାଏ ।

 

୨୫ । ୬ । ୮୩

 

ମାଷ୍ଟରମାନେ ଭଲ କରି ଖାତା ଦେଖିଲେ ନାହିଁ । କର୍ତ୍ତାମାନେ ଯଥାଶୀଘ୍ର ଫଳ ବାହାର କରି ରେକର୍ଡ଼୍ ସୃଷ୍ଟି କରିବାକୁ ଚାହୁଁଥିଲେ, ତେଣୁ ଯେମିତି ମନ ସେମିତି ଖାତା ଦେଖା ହିସାବଗୁଡ଼ାକୁ ଦୋରସ୍ତ କରିଦେବା ଲାଗି ମାଷ୍ଟରମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ସେମାନଙ୍କୁ ଗୋଟିଏ ଜାଗାରେ ବସାଇ କାମ ହେଲା । ଇଏ ନମିଳିଲେ ତାକୁ ଧରି ଅଣାଗଲା ଓ ସିଏ ନମିଳିଲେ ୟାକୁ ଆଣି ବସାଇ ଦିଆଗଲା । ଏହି ସବୁ କିଛି ଆଡ଼ମ୍ବର ସରିବା ବେଳକୁ ଆମ ବିଶ୍ଵବିଦ୍ୟାଳୟରେ ଶହେରେ ମୋଟେ ପ୍ରାୟ ପଚିଶି ଜଣ ପାସ୍ କଲେ । ଏମାନେ, ଅର୍ଥାତ୍ କର୍ତ୍ତାମାନଙ୍କ ଠାରୁ ଆରମ୍ଭ କରି ମାଷ୍ଟରମାନଙ୍କ ପର୍ଯ୍ୟନ୍ତ କେହି ଯେ ପାସ୍ କରିବାର ଯୋଗ୍ୟ ନୁହନ୍ତି, ଆମ ପିଲାଏ ସେହିକଥା ପ୍ରମାଣ କରିଦେଲେ । ସେମାନେ ବର୍ତ୍ତମାନ ନିଜ ଭାଗ୍ୟ ଅର୍ଥାତ୍ ଭବିଷ୍ୟତକୁ ନେଇ କୁଆଡ଼େ ଯିବେ କେଜାଣି ?

 

ଏହି ବ୍ୟବସ୍ଥା ହେଉଛି ଆମ ଦେଶରେ ଶିକ୍ଷା–ବ୍ୟବସ୍ଥା । ଏଥିରେ ଆମେ ସମସ୍ତେ ସୁଖୀ, ସମସ୍ତେ ଖୁସୀ । କାରଣ, ଆମେ ଖୁସୀ ହେଉ ନ ଥିଲେ ଏହି ବ୍ୟବସ୍ଥା ଚାଲିପାରନ୍ତା ବି କିପରି ? ବର୍ତ୍ତମାନ ଯେଉଁମାନେ ପିଲା ହୋଇ ଏହି ବ୍ୟବସ୍ଥା ଦ୍ଵାରା ମଣ ହେଉଛନ୍ତି ଓ ମାଡ଼ ଖାଉଛନ୍ତି, ସେମାନେ ବି ଆପଣାର ଗଡ଼ ଜୟ କରିବାକୁ ବଡ଼ ହୋଇ ଠିକ୍ ଆମରି ପରି ହେବେ । ଆମରି ପରି ଠକିବେ ଏବଂ ଖୁସୀ ହୋଇ ରହିବେ । ସକଳ ବନ୍ଧନ ଓ ପ୍ରଲୋଭନ ସତ୍ତ୍ୱେ ଯେଉଁମାନେ ଏଗୁଡ଼ାକ ଭିତରୁ ବାହାରି ଆସି ପାରିବେ ଏବଂ ଅନ୍ୟପ୍ରକାରେ ମନ କରିବେ; ଏହି ଅସଭ୍ୟ ବ୍ୟବସ୍ଥା ଯେ ଦିନେ ନା ଦିନେ ଅବଶ୍ୟ ବଦଳି ଯିବ, ସେମାନେ ତାହାର ଆଶାତ୍ମକ ପ୍ରତୀକ ହୋଇ ରହିବେ ।

 

୨୬ । ୬ । ୮୩

 

ମୁଁ ଆପଣା ଭିତରେ ଓଡ଼ିଆ ବୋଲି ପ୍ରକୃତରେ ଯଦି ଗୌରବ ଅନୁଭବ କରୁନଥିବି, ତେବେ ଅଣଓଡ଼ିଆ ମାନଙ୍କ ଆଗରେ ଆପଣାକୁ ବଡ଼ ବୋଲି ଦେଖାଇ ହେଉଥିବି ଅଥବା ସେମାନଙ୍କୁ ମୋ’ଠାରୁ ନ୍ୟୂନ ବୋଲି ଅନୁଭବ କରୁଥିବି । ଜଣେ ନାରୀ ଯଦି ଜଣେ ନାରୀ ହିସାବରେ ହିଁ ଆପଣାକୁ ଗୌରବାନ୍ୱିତ ମନେ କରୁନଥିବ, ତେବେ ସିଏ ପୁରୁଷମାନଙ୍କ ଆଗରେ ଆପଣାକୁ କେଡ଼େ ସମ୍ମାନର ଯୋଗ୍ୟ ବୋଲି ଦେଖାଇ ହେଉଥିବ, ଜଣେ ନାରୀ ହିସାବରେ ପୁରୁଷ ପାଖରେ ସ୍ଵତନ୍ତ୍ର ସମ୍ମାନ ଦାବୀ କରୁଥିବ ଏବଂ ତେଣେ ନିଜେ ଜଣେ ନାରୀ ହୋଇ ଜନ୍ମ ହୋଇଛି ବୋଲି ନିଜ ମନେ ମନେ ନ୍ୟୂନ ହୋଇ ରହିଥିବ । ଜଣେ ଅଧ୍ୟାପକ ବି ଯଦି ଜଣେ ଅଧ୍ୟାପକ ହିସାବରେ ନିଜ ଭିତରେ ଏକ ଗୌରବ ଅନୁଭବ କରୁନଥିବ, ତେବେ ଅଣଅଧ୍ୟାପକ ମାନଙ୍କୁ ଜୀବନ ଓ ଜିବୀକାର ଭିନ୍ନ ଭିନ୍ନ ବୃତ୍ତରେ ଦେଖି ଭାରି ଈର୍ଷାନ୍ୱିତ ହେଉଥିବ, ଆପଣା ଭିତରେ ଭାରି ଦୁଃଖୀ ହୋଇ ପଡ଼ୁଥିବ ଏବଂ ମାତ୍ର ଅଧ୍ୟାପକଟିଏ ହୋଇ ରହିଛି ବୋଲି ନିଜକୁ ନିଜ ପାଖରେ ନ୍ୟୂନ କରି ରଖିଥିବ ।

 

ଏହିପରି ଭାବରେ ଯେଉଁମାନେ ଆପଣା ପାଖରେ ନ୍ୟୂନ ହୋଇ ରହିଥାନ୍ତି; ସେମାନେ ପ୍ରକୃତରେ ଭାରି ଯନ୍ତ୍ରଣା ପାଆନ୍ତି ଓ ତାହାର ସତେଅବା ଏକ କ୍ଷତିପୂରଣ ରୂପେ ସେମାନେ ବାହାରେ ଉଗ୍ର ହୁଅନ୍ତି, ହିଂସୁକ ହୁଅନ୍ତି,–ନିନ୍ଦା କରି ସଂସାରଟାକୁ ଖତମ କରିଦେବେ ବୋଲି ମନେ କରନ୍ତି । ଏହିମାନେ ହିଁ ଅନେକ ସମୟରେ ଏକ କ୍ଷତିପୂରଣ ରୂପେ କ୍ଷମତାକୁ ବି ଲୋଡ଼ିଥାନ୍ତି ।

 

୨୭ । ୬ । ୮୩

 

ଆଗକୁ କେବଳ ଭଲ ହିଁ ଆସୁଛି, ସେକଥା ଅନୁଭବ କରି ପାରିବାକୁ ହେଲେ ଆପଣାର ହୁଦୟରୂପୀ ଆୟତନରେ ଭଲ ପାଇଁ ଅନେକ ସମ୍ମତି ରହିଥିବା ଦରକାର । ଏବେ ତ ଅଧିକାଂଶ ମଣିଷ କହୁଛନ୍ତି ଯେ ଏହି ସଂସାର ରହିବ ବୋଲି ଆଉ ମୋଟେ କୌଣସି ଆଶା ଦେଖା ଯାଉନାହିଁ । କୁଆଡ଼େ ସବୁ କିଛି ଧ୍ଵଂସ ହୋଇଯିବ, ମଣିଷ ବର୍ବର ହେବ,–ବର୍ବରତାର ହିଁ ଜୟ ହେବ, ଇତ୍ୟାଦି, ଇତ୍ୟାଦି । ଏହି ଲୋକମାନେ ଖୁବ୍ ସମ୍ଭବ ନିଜ ଭିତରେ ଜୀବନ ଲାଗି, ସମ୍ଭବ ହେବାଲାଗି ଅପେକ୍ଷା କରି ରହିଥିବା ସତ୍ୟଟି ଲାଗି ପୂର୍ଣ୍ଣ ପ୍ରତ୍ୟୟର ସହିତ କୌଣସି ସମ୍ମତି ଦେଇ ପାରୁନାହାନ୍ତି ବୋଲି ସେମାନେ ବାହାରେ କେବଳ ବର୍ବରଗୁଡ଼ାଙ୍କୁ ଦେଖୁଛନ୍ତି । ନିଜ ଭିତରେ ବର୍ବରଟାକୁ ମୋଟେ ମଙ୍ଗାଇ ପାରୁନାହାନ୍ତି ବୋଲି ଦୁନିଆଯାକ ବର୍ବରତା ହିଁ ଦେଖୁଛନ୍ତି । ତେଣୁ, ପ୍ରାୟ ଏକ ସ୍ଵୀକୃତି ସହିତ ବର୍ବରତା ହାତରେ ଦଉଡ଼ିଗୁଡ଼ାକୁ ନେଇ ଧରାଇ ଦେଉଛନ୍ତି ।

 

ସଂସାରରେ ବର୍ବର ଅବଶ୍ୟ ଅଛନ୍ତି । ହୁଏତ ଯେତିକି ସଂଖ୍ୟାରେ ଥିଲେ ଚଳୁଥାନ୍ତା, ତା’ଠାରୁ ଅନେକ ଅଧିକ ସଂଖ୍ୟାରେ ଅଛନ୍ତି । ମାତ୍ର, ଏହି ସଂସାରରେ ମୁଁ ବି ତ ରହିଛି । ଏବଂ, ମୁଁ ରହିଥିବା ତକ ସତ୍ୟ ରହିଛି, ସହଯୋଗ ରହିଛି, ସମର୍ପଣ ମଧ୍ୟ ରହିଛି । ମୁଁ ରହିଥିବା ପର୍ଯ୍ୟନ୍ତ ଦଉଡ଼ିଗୁଡ଼ାକ ବି ମୋ’ ହାତରେ ରହିଛି । ଏହାକୁ କେଉଁ ଦୃଷ୍ଟିରୁ ଏକ ଭଗବଦ୍ ବିଶ୍ଵାସ ବୋଲି କୁହା ନ ଯାଇ ପାରିବ, ବିଜ୍ଞ ବ୍ୟକ୍ତିମାନେ ସେକଥା ଚିନ୍ତା କରି କୁହନ୍ତୁ । ମୋ’ ଭିତରର ବର୍ବରକୁ ମୁଁ ଭଲ କରି ଚିହ୍ନିଛି । ମାତ୍ର, ତାହାରି ହାତରେ ହିଁ ମୁଁ କଦାପି ମୋ’ର ସବୁ ଦଉଡ଼ି ଗୁଡ଼ିକୁ ଛାଡ଼ି ଦେଇନାହିଁ । ମୋ’ ବିଶ୍ଵାସକୁ ମୁଁ ତା’ ପାଖରେ ମୋଟେ ବିକି ଦେଇନାହିଁ ।

 

୨୮ । ୬ । ୮୩

 

ଏହି ପୃଥିବୀ ଯେତିକି ବିପୁଳ, ଏହି ପୃଥିବୀର ଆୟୁ ମଧ୍ୟ ସେହିପରି ବିପୁଳ ! ଆୟୁର ଗଣନାକୁ ଯେଉଁମାନେ କେବଳ ବର୍ଷ ଓ ମାସ ଦେଇ ହିସାବ କରନ୍ତି, ସେମାନେ ସାଧାରଣତଃ ତାହାକୁ ଅଳପ ବୋଲି ଅନୁଭବ କରିଥାନ୍ତି । ତେଣୁ, ଜୀବନକାଳକୁ ନଶ୍ଵର ବୋଲି ପ୍ରମାଣ କରିଦେଇ ପାରନ୍ତି ଓ ଜୀବନକୁ ନଶ୍ଵର ବୋଲି ଗ୍ରହଣ କରି ନିଅନ୍ତି । ମଣିଷ, ଜଣେ ପୂର୍ଣ୍ଣ ସମର୍ପିତ ମଣିଷ ତା’ ଜୀବନରେ ଗୋଟିଏ ବର୍ଷରେ କ’ଣ କରିପାରିବ, ତାହାର ସୀମାକୁ କେହି କଦାପି ଧାର୍ଯ୍ୟ କରିଦେଇ ପାରିବ ନାହିଁ । ସିଏ ଆପଣା ଭିତରେ ତଥା ଆପଣା ବାହାରେ ଆପଣା ଅଙ୍ଗୀକାରର ଭୂମିଗୁଡ଼ିକ ଉପରେ ପ୍ରକୃତରେ କେତେ ଗଭୀରକୁ ଏବଂ କେତେ ଊର୍ଦ୍ଧ୍ୱକୁ ଯାଇପାରିବ, ବର୍ଷ ଓ ମାସର ମାପକ ଦେଇ ତାହାର ଆଦୌ କୌଣସି ସୁମାରି କରି ହେବନାହିଁ । ଆପଣା ଭିତରର ଯାତ୍ରା ଗୁଡ଼ିକୁ ଯିଏ ଯେତିକି ବିପୁଳ କରି ପାରିବ, ଆପଣାର ଅନୁରାଗ ସୂତ୍ର ଗୁଡ଼ିକୁ ଯିଏ ଯେତିକି ସମଗ୍ର ଭାବରେ ସଂପ୍ରସାରିତ କରିଦେଇ ପାରିବ, ଆପଣାର ଜୀବନକୁ ସିଏ ସେତିକି ବିପୁଳ ବୋଲି ଅନୁଭବ କରିପାରିବ, ନିଜର ଜୀବନକୁ ସିଏ ସେତିକି ବିପୁଳ ଭାବରେ ବଞ୍ଚିପାରିବ ।

 

ଏହି ବିପୁଳତା ଯେତେବେଳେ ନିଜ ଜୀବନର ଏକ dimensionରେ ପରିଣତ ହୁଏ, ସେତେବେଳେ ମନୁଷ୍ୟ ଏହି ବିପୁଳ ପୃଥିବୀ ସହିତ ଏପରି ଏକ ଅନ୍ତରଙ୍ଗତା ଓ ଏକାତ୍ମକତା ଅର୍ଜନ କରେ, ଯାହାକି ତାକୁ ଅମର କରିଦିଏ । ତା’ର ଜୀବନରେ ଜୁଗୁପ୍‌ସା ବୋଲି ଆଉ କିଛି ହେଲେ ନଥାଏ, ତେଣୁ ମୃତ୍ୟୁ ବୋଲି ବି କିଛି ନଥାଏ । ତା’ର କ୍ଷଣଗୁଡ଼ିକ ମଧ୍ୟ ବିପୁଳ ହୋଇ ପାରନ୍ତି;–ସେତେବେଳେ ତା’ ଜୀବନର ଯାବତୀୟ ସୂତ୍ରକୁ ଏକାଠି କରି ଧରିଥିବା ସୂତ୍ରଟି ହିଁ ତାକୁ ସବୁଠାରୁ ଅଧିକ ନିର୍ଭୟ ଦେଇ ରଖିଥାଏ । ନଶ୍ଵରତା ଭିତରେ ଥାଇ ମଧ୍ୟ ସେ ନଶ୍ଵରତାକୁ ଅତିକ୍ରମ କରିଯାଏ ।

 

୨୯ । ୬ । ୮୩

 

ଆୟୁ ବଢ଼ିବା ସଙ୍ଗେ ସଙ୍ଗେ ଅଭିଜ୍ଞତା ମଧ୍ୟ ବଢ଼େ । ତେଣୁ, ଆୟୁକୁ ଯଦି ଅଭିଜ୍ଞତା ଅନୁସାରେ କଳନା କରାଯାଏ, ତେବେ, ଅସଲ ମଣିଷର ଆୟୁ କଦାପି କ୍ଷୟ ହୋଇ ଯାଏନାହିଁ, ବଢ଼ିବାରେ ହିଁ ଲାଗିଥାଏ । ଏ ପାହାଚର ଅଭିଜ୍ଞତାଟି ପରବର୍ତ୍ତୀ ସେହି ପାହାଚକୁ ମଜୁରା ହୋଇଯାଏ । ଏ ପାହାଚର ଆୟୁ ସେ ପାହାଚକୁ ଗୋଟିଏ ସୂତ୍ରରେ ପ୍ରଲମ୍ବିତ ହୋଇ ରହିଥାଏ ।

 

ମୁଁ ଭାବେ, ଯେଉଁମାନେ ବିପୁଳ ଅଭିଜ୍ଞତାର ଖଣିସ୍ଵରୂପ ଏହି ପୃଥିବୀ ଭିତରେ, ଆପଣାକୁ ଅନ୍ତଃପୃଥିବୀ ଓ ବହିଃପୃଥିବୀ ଦୁଇଟିଯାକ ଭିତରେ ରହି ମଧ୍ୟ ତଥାପି ମୃତ୍ୟୁର କଥା ଚିନ୍ତା କରୁଥାନ୍ତି, ଆୟୁ କହିଲେ ହିଁ ମୃତ୍ୟୁକୁ ବୁଝୁଥାନ୍ତି, ସେମାନେ ହୁଏତ ଆୟୁ କହିଲେ ଆଦୌ କୌଣସି ସୂତ୍ରକୁ ମୋଟେ ବୁଝନ୍ତିନାହିଁ । ଜୀବନ କହିଲେ ସେମାନେ ହୁଏତ ଆଦୌ କୌଣସି ସୂତ୍ରକୁ ମଧ୍ୟ ବୁଝନ୍ତି ନାହିଁ । ଆଦୌ କୌଣସି ସଖ୍ୟକୁ କିମ୍ବା କୌଣସି ପରିଚୟକୁ ବୁଝନ୍ତି ନାହିଁ । ସମ୍ଭବତଃ ପ୍ରଧାନତଃ ଏକ ସତର୍କତାକୁ ହିଁ ବୁଝନ୍ତି; ତେଣୁ ଜଗତ କହିଲେ କେବଳ ଆପଣାକୁ ବୁଝନ୍ତି-। ଏବଂ, ଜଗତକୁ ଦେଖିବାବେଳେ ଯିଏ କେବଳ ଆପଣାକୁ ହିଁ ଦେଖେ, ସୂତ୍ରଗୁଡ଼ାକୁ ଛିଣ୍ଡାଇ ଆପଣାକୁ ହିଁ ଦେଖେ, ସିଏ ମୃତ୍ୟୁ ବ୍ୟତୀତ ହୁଏତ ଆଉ କୌଣସି କଥାକୁ ଜୀବନରେ ଅନୁଭବ କରି ପାରେ ନାହିଁ । ଭୟ ହିଁ ତା’ ଆଖିରେ ପ୍ରଧାନ ସନ୍ତକ ହୋଇ ରହିଥାଏ । ଭୟ ସୂତ୍ରଗୁଡ଼ାକୁ ଛିଡ଼ାଇଦିଏ, ମଣିଷକୁ ଯାବତୀୟ ବିଶ୍ଵାସ ଅର୍ଥାତ୍ ଯାବତୀୟ ସଂପ୍ରସାରଣ ଲାଗି ବଡ଼ ଅଯୋଗ୍ୟ କରି ରଖିଥାଏ । ଅସଲ କଥା ହେଉଛି, ଆୟୁ କମେନାହିଁ, ଆୟୁ ବଢ଼ି ବଢ଼ି ଯାଏ, ଡୋରଗୁଡ଼ାକ ଲାଗି ଲାଗି ଯାଉଥାଏ, ମଣିଷ ଅମର ହେବାରେ ଲାଗିଥାଏ ।

 

୩୦ । ୬ । ୮୩

 

ବାପମାଆ ପିଲାଙ୍କୁ ଆଗ ନିଜ ଉପରେ ନିର୍ଭର କରି ଶିଖାଇବେ । ଯେଉଁ ବାପମାଆମାନେ ପିଲାମାନଙ୍କୁ ବାପମାଆଙ୍କ ଉପରେ ନିର୍ଭର କରି ଶିଖାନ୍ତି, ସେମାନେ ପିଲାମାନଙ୍କ ଉପରେ ହୁଏତ ମୋଟେ ବିଶ୍ଵାସ କରି ପାରନ୍ତିନାହିଁ । ପିଲାମାନଙ୍କୁ ହୁଏତ ଭଗବାନଙ୍କ ଉପରେ ବି ନିର୍ଭର କରି ଶିଖାଇହେବ । ଭଗବାନ୍, ଅର୍ଥାତ୍ ନିଜ ଭିତରେ ରହିଥିବା ନିଜର ଅସଲ କେନ୍ଦ୍ର–ଶକ୍ତିର କେନ୍ଦ୍ର ଓ ସଂସାରଯାକ ଖୁସୀର କେନ୍ଦ୍ର;–ଗୋଟିଏ କଥାରେ କହିଲେ ଅଭୟର କେନ୍ଦ୍ର-! ସେହି କେନ୍ଦ୍ରଟି ଉପରେ ନିର୍ଭର କରି ଶିଖିଲେ ପିଲାମାନେ ତାହାର ମାଧ୍ୟମରେ ନିଜ ଉପରେ ନିର୍ଭର କରି ଶିଖନ୍ତି । ରକ୍ଷା କଲାବାଲା, ଆଗକୁ ବାଟ କଢ଼ାଇ ନେଲାବାଲା ଓ ହିମ୍ମତ ଦେବାବାଲା ଜଣେ କେହି ସଂସାର ଭିତରେ ପୂରି ରହିଛନ୍ତି, ସିଏ ମୋ’ ଭିତରେ ଥିବା କେନ୍ଦ୍ରରେ ମଧ୍ୟ ରହିଛନ୍ତି,–ଏହିପରି ଅନୁଭବ କରି ଶିଖିଲେ ପିଲାମାନେ ମୋଟେ ଅସ୍ଵାଭାବିକ ଭାବରେ ନିର୍ଭରଶୀଳ ହୋଇ ପଡ଼ନ୍ତିନାହିଁ ।

 

ଯେଉଁ ବାପମାଅ ପିଲାଙ୍କୁ ଭଗବାନଙ୍କ ଉପରେ ନିର୍ଭର କରିବାକୁ ଶିଖାନ୍ତିନାହିଁ, ସେମାନେ ହୁଏତ ନିଜେ ଭଗବାନଙ୍କ ଉପରେ ବିଶ୍ଵାସ କରୁନଥାନ୍ତି । ଭଗବାନଙ୍କୁ ଆଶ୍ରା କରିଥାନ୍ତି, ଡରୁଥାନ୍ତି; ମାତ୍ର, ଭଗବାନଙ୍କ ଠାରୁ ବଳି ଏପରି ଆଉଗୋଟାଏ କୌଣସି ଅପଶକ୍ତି ଅଛି ବୋଲି ସେମାନେ ହୁଏତ ତାହାଠାରୁ ଅଧିକ ପରିମାଣରେ ବିଶ୍ଵାସ କରୁଥାନ୍ତି, ଯାହା ହାତରୁ ରକ୍ଷା ପାଇବାଲାଗି ସେମାନେ ହୁଏତ ଭଗବାନଙ୍କର ସାହାଯ୍ୟ ଲୋଡ଼ନ୍ତି । ସେଥିଲାଗି ଭଗବାନଙ୍କୁ ସନ୍ତୁଷ୍ଟ କରି ରଖନ୍ତି । ମାତ୍ର, ଯେଉଁ ବିଶ୍ଵାସ ଦ୍ଵାରା ତାଙ୍କୁ ନିଜ ଭିତରେ ଅନୁଭବ କରିହୁଏ, ନିଜର ଶକ୍ତିରୂପେ ଅନୁଭବ କରିହୁଏ, ସେମାନେ ସେହି ଭଗବାନଙ୍କର ବାରତା ମୋଟେ ପାଇନଥାନ୍ତି । ତେଣୁ ନିଜ ପିଲାମାନଙ୍କୁ ମଧ୍ୟ ସେହି ବିଷୟରେ କୌଣସି ପ୍ରେରଣା ଦେଇ ପାରନ୍ତିନାହିଁ ।

 

୧ । ୭ । ୮୩

 

ଏହି ସଂସାରକୁ କେବଳ ଏକ ପାହାଚ ବୋଲି ଅନୁଭବ କରିବା ମାତ୍ରକେ ସଂସାରକୁ ନେଇ ମୋ’ଉପରେ ପଡ଼ି ରହିଥିବା କେତେ କେତେ ଗଣ୍ଠି ସତେଅବା ନିମିଷକ ମଧ୍ୟରେ ଫିଟିଯିବା ପରି ମନେ ହୁଏ । ଏହି ଦୁଃଖକୁ କେବଳ ଏକ ପାହାଚ ବୋଲି ଅନୁଭବ କରିବା ମାତ୍ରକେ ଦୁଃଖ ଆଉ ବାଡ଼ ପରି, ବାଧା ପରି, ଗାତ ପରି ମୋଟେ କାମ କରେ ନାହିଁ, ତାହା ସତେଅବା କେତେ କେତେ ଖିଅ ଲଗାଇ ଦେବାରେ ସାହାଯ୍ୟ କରେ,–ସମଦୁଃଖୀ କରେ, ସହାନୁଭବ ଏବଂ ସହାନୁଭବର ପ୍ରେରଣା ଆଣିଦିଏ, ଅନୁରାଗୀ କରେ ।

 

ସଂସାର ଭିତରୁ ପଳାଇଗଲେ ସଂସାର ଭିତରୁ ମୋଟେ ମୁକ୍ତି ମିଳେ ନାହିଁ । ଏହି ବୃତ୍ତଟିକୁ ଅନେକ ବୃତ୍ତର ଏକ ଅନୁପୂରକ ରୂପେ ଦେଖିଲେ ଯାଇ ଏହି ବୃତ୍ତର ବେଢ଼ଟି ଆଉ ମୋଟେ କଷ୍ଟ ଦିଏନାହିଁ । ଆପଣା ଭିତରେ ପାହାଚଗୁଡ଼ିକୁ ଅନୁଭବ କରିବା ମାତ୍ରକେ ପାହାଚଗୁଡ଼ିକ ଯେଉଁ ଦିଗ୍‌ବଳୟ ଭିତରେ ଯାଇ ମିଳାଇ ଯାଇଛି, ସେହି ଦିଗ୍‌ବଳୟ ଗୁଡ଼ିକ ହିଁ ଦେଖାଯାଏ,–ଏବଂ ପାହାଚ ଗୁଡ଼ିକୁ ସେହି ଦିଗ୍‌ବଳୟଗୁଡ଼ିକ ସହିତ ଏକାଠି ମିଳାଇ ଦେଖିହୁଏ । ତେଣୁ ସନ୍ତାପରୁ ମୁକ୍ତି ମିଳେ । ସଂସାର ବାଟଟିଏ ପରି ଲାଗେ । ଆପଣାକୁ କେବଳ ଅନୁରାଗୀ ବାଟୋଇଟିଏ ପରି ମନେ ହୁଏ । ତା’ପରେ ଏଠି ସବୁକିଛି ଭଲ ଲାଗେ । ଦିନଗୁଡ଼ିକୁ ନେଇ ମାସ ଭଲ ଲାଗେ, ମାସଗୁଡ଼ିକୁ ନେଇ ବରଷଟି ଭଲ ଲାଗେ ଏବଂ ବରଷ ବରଷକୁ ଗୋଟିଏ ଅବିଚ୍ଛିନ୍ନତା ମଧ୍ୟରେ ଧରି ରହିଥିବା ଏହି ଜୀବନ ମଧ୍ୟ କେଡ଼େ ଭଲ ଲାଗେ । ନିଜକୁ ସତେଅବା ଏକ ପାତ୍ରଟିଏ ପରି ମନେହୁଏ । ସେହି ପାତ୍ର ଯାହା ଉଦ୍ଦେଶ୍ୟରେ ସଜ ହେବାରେ ଲାଗିଛି, ସକଳ ସମର୍ପଣ ଓ ସକଳ ସଂପ୍ରେରଣର ଅଧୀଶ୍ଵର ସେହି ପରମାସ୍ପଦଙ୍କର ଅନୁଭବ ହୁଏ । ଏବଂ ପାତ୍ରଟି ଧନ୍ୟ ହୋଇଯାଏ ।

 

୨ । ୭ । ୮୩

 

ପ୍ରତ୍ୟେକ ଦିନ ପରସ୍ତ ଫିଟିଗଲା ପରି ମନେ ହୁଏ,, ପ୍ରତ୍ୟେକ ଦିନ ଆହୁରି ପାଖକୁ ଆସି ବସିଗଲା ପରି ମନେହୁଏ । ମୁଁ ଗୃହୀତ ହେବି କି ନହେବି, ସେକଥା କୁଆଡ଼େ ପାସୋର ହୋଇ ରହିଥାଏ । ପ୍ରତ୍ୟେକ ଦିନର ଆରମ୍ଭରେ ମୋ’ ଭିତରେ ଓ ମୋ’ ବାହାରେ ଏପରି ଗୋଟିଏ ବେଳାର ଅନୁଭବ ହେଉଥାଏ । ଯେତେବେଳେ କି ଅଗୃହୀତ ହୋଇ କିଛିହେଲେ ନାହିଁ,–ଅଶୁଦ୍ଧ ବୋଲି କିଛିହେଲେ ନାହିଁ । ସେତେବେଳେ ଏହି ଦେହଟା ମଧ୍ୟ ଖାଲି ଫୁଟି ଫୁଟି ଯାଉଥିବା ପରି ଅନୁଭବ ହୁଏ । ଫୁଟି ଉଠିବା ହିଁ ଜୀବନର ଏକମାତ୍ର ସଂଜ୍ଞା ବୋଲି ଅନୁଭବ ହୁଏ । ଏହି ସଂସାରର ତୁମେ କିଏ କାହିଁକି ନିଜକୁ ଏତେ ଘୋଡ଼ାଇ ରଖିବାକୁ ମନ କରୁଛ ?

 

ଯୋଉ ସାହିତ୍ୟ ମଣିଷକୁ ଏହିପରି ଘୋଡ଼ାଇ ହୋଇ ରହିବାରେ ସାହାଯ୍ୟ କରେ, ସେହି ସାହିତ୍ୟ ମୋର ସାହିତ୍ୟ ନୁହେଁ; କବାଟ କିଳି ନଦେଲେ ଯେଉଁ ପୂଜା ହୋଇ ପାରେନାହିଁ, ସେହି ପୂଜା ମୋ’ର ପୂଜାନୁହେଁ । ଯେଉଁ ଠାକୁରଙ୍କୁ ଏକାବେଳକେ ଆତ୍ମସାତ୍ କରି ମୋ’ର ବୋଲି ନକହିଲେ ସିଏ ଠାକୁର ପରି ଦିଶନ୍ତିନାହିଁ, ସେହି ଠାକୁର ମୋଟେ ମୋ’ର ନୁହନ୍ତି । ମୋ’ ଧ୍ୟାନରେ ମୁଁ କେବେହେଲେ ନିବୁଜ ହୋଇ ବସିବାକୁ ଚେଷ୍ଟା କରିନାହିଁ । ଆତ୍ମସ୍ଥ ହେବା ମାତ୍ରକେ ମୁଁ କେବଳ ବିଶ୍ଵସ୍ତ ହୋଇଯାଇଛି । ଆତ୍ମସ୍ଥ ହେବା ଓ ବିଶ୍ଵସ୍ତ ହେବା ମଧ୍ୟରେ ମୋ’ ଜୀବନରେ ମୁ କୌଣସି ବ୍ୟବଧାନ ରଖି ନାହିଁ । ଯେଉଁମାନେ ବିଶ୍ଵ ପାଖରୁ ବିରକ୍ତ ଅଥବା ଆହତ ହୋଇ ନିଜ ଭିତରେ ଲୁଚି ରହିବାକୁ ଆସନ୍ତି ଅଥବା ବିଶ୍ଵ ଭିତରେ ବିଚ୍ଛୁରିତ ହୋଇ ରହି ଆପଣାଠାରୁ ରକ୍ଷା ପାଇବାର ଚେଷ୍ଟା କରୁଥାନ୍ତି, ମୁଁ ସେମାନଙ୍କ ଭିତରେ ମୋଟେ ନୁହେଁ । ଏଗୁଡ଼ାକ ଫୁଟିବାର ରୀତି ନୁହେଁ । ସକାଳ ମୋ’ ଲାଗି ଏହି ଫୁଟିବାର ପ୍ରତୀକ, ସେଇଥିଲାଗି ମୋ’ ଲାଗି ଏଡ଼େ ପବିତ୍ର ।

 

୩ । ୭ । ୮୩

 

ଏହା ପରେ କ’ଣ ଅଛି, ମୁଁ ସେ କଥା କିଛିହେଲେ ଜାଣିନାହିଁ । ତଥାପି, ଏହା ପରର କଥା ମନେ ପଡ଼ିଗଲା ବେଳକୁ ଫୁଲମାନେ ମନେ ପଡ଼ନ୍ତି, ଖୁସୀ ହୋଇ ଗାଉଥିବା ଚଢ଼େଇମାନେ ମନେ ପଡ଼ନ୍ତି, ରଙ୍ଗ ରଙ୍ଗ ଡେଣା ଥିବା ମାଛମାନେ ମନେ ପଡ଼ନ୍ତି । ପରସ୍ପରକୁ ପ୍ରେରଣା ଓ ଉତ୍ସାହ ଦେଉଥିବା ମଣିଷସେବା ଆଗ ମନେ ପଡ଼ି ଯାଆନ୍ତି । ସେଠି ବାଟ ଅଛି, ତେଣୁ ବାଟ ଚାଲିବା ବି ରହିଛି । ସେଠି ବି ତପସ୍ୟା ଅଛି, ଅଭୀପ୍‌ସା ଅଛି, ଅଭିକ୍ରମ ଅଛି । ତେଣୁ ଯାହା ଏହା ପରେ ଅଛି, ତାହା ମୋଟେ ଏହାଠାରୁ ବିଚ୍ଛିନ୍ନ ନୁହେଁ, ତାହା ଏହାକୁ ଲାଗିକରି ରହିଛି ।

 

ମୁଁ ଯାହା ଅଛି ଏବଂ ଯାହା ହେବି,–ମୋ’ର ପ୍ରତ୍ୟେକ ଦିନର ଅନୁରାଗ ଓ ତପସ୍ୟା ଦେଇ ଯେପରି ତାହା ପରସ୍ପରକୁ ଲାଗିକରି ରହିଛି, ମୋଟେ ଭିନ୍ନ କିମ୍ବା ବିଚ୍ଛିନ୍ନ ହୋଇ ରହିନାହିଁ, ଠିକ୍ ସେହିପରି ମୋ’ର ଆଜିଗୁଡ଼ାକ କାଲି ସହିତ ଲାଗି କରି ରହିଛି, ମୋ’ ଧରଣୀଗୁଡ଼ାକ ମୋ’ ଆକାଶକୁ ଲାଗିକରି ରହିଛନ୍ତି, ଭୂମିମାନେ ଉଚ୍ଚତାମାନଙ୍କୁ ଲାଗି କରି ରହିଛନ୍ତି । କେହି କାହାରିକୁ ଭୟ କରୁନାହାନ୍ତି । ମୋ’ର ଭିତରଗୁଡ଼ାକ ବାହାରକୁ ଆଦୌ ଭୟ କରୁନାହିଁ, ବାହାରଗୁଡ଼ାକ ମଧ୍ୟ ଭିତରକୁ ଆଦୌ ଭୟ କରୁନାହିଁ । ମୋ’ର ସଞ୍ଚୟଗୁଡ଼ାକ ମୋ’ର ବିତରଣ ଡରୁନାହିଁ, ସଂଗ୍ରହମାନେ ସମର୍ପଣକୁ ଡରୁନାହାନ୍ତି । ଜୀବନ କହିଲେ ପରସ୍ପର ସହିତ ଏହିପରି ଲାଗି ରହିଥିବା ଏକ ସମଗ୍ର ବ୍ୟାକୁଳତାକୁ ବୁଝାଉଛି । ତେଣୁ, ଏହା ପରେ କ’ଣ ହେବ, ଯାହା ଅଛି, ତାହା ଭିତରକୁ ଯଥାର୍ଥ ଅନୁରାଗର ସହିତ ଅନାଇବା ବେଳକୁ ସତେଅବା ଜଳଜଳ ହୋଇ ଦିଶିଯାଉଛି । କୋଉଠି କିଛି ଅଲଗା ହୋଇ ରହିଥିବା ପରି ମୋଟେ ମନେ ହେଉନାହିଁ । ଏ ଡେଣାଗୁଡ଼ାକ ମୋଟେ କାହାରିକୁ ବି ଅବିଶ୍ୱାସ କରୁନାହାନ୍ତି ।

 

୪ । ୭ । ୮୩

 

ଆକାଶ ଧରଣୀକୁ ସମର୍ଥନ ଜଣାଏ । ମୁଁ ଭାବେ, ତାହା ହିଁ ବର୍ଷା ହୋଇ ଏହି ଭୂବନମଣ୍ଡଳକୁ ଖସିପଡ଼େ । ମୋ’ ଭିତରେ ରହିଥିବା ସମ୍ଭାବନାଗୁଡ଼ିକ ମୋ’ ବାହାରର ଯାବତୀୟ ପ୍ରୟାସ ତଥା ତପସ୍ୟାକୁ ସମର୍ଥନ ଜଣାଇ, ଓ ତାହାହିଁ ଲୁହ ହୋଇ ମୋ’ ଭିତରୁ ବାହାରକୁ ବାହାରି ଆସେ । ଅଶ୍ରୁ ଯେ ସମର୍ଥନର ଅଶ୍ରୁ ହୋଇପାରେ ଏବଂ, ସମର୍ଥନର ଅଶ୍ରୁ ହୋଇପାରିଲେ ତାହା ଯେ ପ୍ରକୃତରେ ନାନା ଉନ୍ମୋଚନର କାରଣ ହୋଇପାରେ, ସକାଳୁ ବରଷାର ଧାରାକୁ ଗଗନମଣ୍ଡଳ ଭିତରୁ ଏହି ଭୂଇଁ ଉପରକୁ ଛୁଟି ଆସୁଥିବାର ଦେଖିଲେ ମୋ’ର ସବା ଆଗ ସେହି କଥା ମନେ ପଡ଼ିଯାଏ । ମୁଁ ଏହି ବରଷାକୁ ପ୍ରଣାମ ଜଣାଏ,–ଜୀବନରେ ଏହି ସମର୍ଥନର ଜୟ ଘୋଷଣା କରେ-

 

ଅଶ୍ରୁକୁ ଅନେକ ଅଭିଯୋଗର ଅଶ୍ରୁ ପରି ଅନୁଭବ କରନ୍ତି । ସେମାନେ କେତେ କ’ଣ ଦାବୀ କରନ୍ତି–ସିଦ୍ଧି ଦାବୀ କରନ୍ତି, ପଦ ଦାବୀ କରନ୍ତି, ସ୍ୱର୍ଗ ବାଞ୍ଛା କରନ୍ତି, ସୁଖ ବାଞ୍ଛା କରନ୍ତି । ମୁଁ ସେଗୁଡ଼ାକ କିଛି ଦାବୀ କରେନାହିଁ କି ବାଞ୍ଛା କରି ପାରେନାହିଁ । ତେଣୁ ଅଭିଯୋଗ ବି କରି ପାରେନାହିଁ । ଅଭିଯୋଗ ନକରିବା ଉଚିତ ବୋଲି ଏକ ନୀତିର ପାଳନ କରୁଥିବା ପରି ତାହା କରା ଯାଇପାରେ । ଅଭିଯୋଗ ଏକ ସ୍ୱଭାବରେ ପରିଣତ ହେବ,–ଘୋଷି ଘୋଷି ମଡ଼ାଇ ମଡ଼ାଇ ନୁହେ, ମାତ୍ର ଅତ୍ୟନ୍ତ ସ୍ୱାଭାବିକ ଭାବରେ, ଅର୍ଥାତ୍ ଭିତରର ପୂର୍ଣ୍ଣ ସମର୍ଥନ ପାଇ ତାହା ଏକ ସ୍ୱଭାବରେ ପରିଣତ ହେବ, ତାହା ଏକ ଅନ୍ୟ ସ୍ତରର ସମର୍ଥନ । ଦାବୀର ସ୍ତରରୁ ସମର୍ଥନର ସ୍ତରକୁ ପାହାଚ ଉଠି ଉପରକୁ ଯିବା,–ଇଏ ଏକ ତପସ୍ୟା, ଆପଣାର ଭିତର ଓ ବାହାରକୁ ଗୋଟିଏ ଅନୁରାଗର ସୂତ୍ରରେ ବାନ୍ଧି ପାରିଲେ ଯାଇ ଏହା ସମ୍ଭବ ହୁଏ । ଏହି ସବୁକିଛିର ସହିତ ଡୋର ଲଗାଇ ପାରିଲେ ଯାଇ ସମର୍ଥନର ଭାଜନ ହେବା ସମ୍ଭବ ହୁଏ ।

 

୫ । ୭ । ୮୩

 

ଜାତି ଜାତି ମଧ୍ୟରେ ନାନା କ୍ଷେତ୍ରରେ ଗୋଟାଏ ଜାତି ଆଉ ଗୋଟାକ ଠାରୁ ଅଧିକ ଦିଶିବାର ଏକ ପ୍ରତିଯୋଗିତା ଏବଂ ସେହି ପ୍ରତିଯୋଗିତାରେ କେବଳ ଆର୍ଥିକ ସମ୍ପଦ ଓ ସାମରିକ ବଳ ନୁହେଁ, ମାତ୍ର ସାହିତ୍ୟ, ସଂସ୍କୃତି ଓ ଧର୍ମର କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା, ପ୍ରତିଯୋଗିତାରୁ ପରସ୍ପର ପ୍ରତି ଇର୍ଷା ଓ ଇର୍ଷାଜନିତ ଭୟ, ଭୟରୁ ଉଗ୍ରତା,–ବର୍ତ୍ତମାନ ଆଦର୍ଶବାଦ ବଦଳରେ ଏହା ହିଁ ଆନ୍ତର୍ଜାତିକ ରାଜନୀତିର ପ୍ରଧାନତମ ଖୋରାକ ଏବଂ ପ୍ରଧାନତମ ପୁଞ୍ଜିରେ ପରିଣତ ହୋଇଛି-। ଏବଂ, ସେହି ଭୟ ଓ ଉଗ୍ରତାର ପ୍ରତିନିଧିତ୍ୱ କରୁଥିବା ରାଜନୀତିକ ନେତାମାନେ ବିଶ୍ୱରେ ଶାନ୍ତିପ୍ରତିଷ୍ଠା କରିବାର କେବଳ ଗୋଟିଏ ବାଟ ହିଁ ଜାଣିଛନ୍ତି । ସେଇଟି ହେଉଛି, ସେମାନଙ୍କ ଭାଷାରେ ସାମରିକ ଭାରସାମ୍ୟ । ଏହି ଭାରସାମ୍ୟର ଅର୍ଥ ହେଉଛି, ସାମରିକ ଶକ୍ତି ପରିମାଣରେ ଉତ୍ତରୋତ୍ତର ବୃଦ୍ଧି । ଭାରସାମ୍ୟର ଯେଉଁ ଭିନ୍ନ ଅର୍ଥ ହୋଇପାରନ୍ତା, ସେ ବିଷୟରେ ଏହି କ୍ଷେତ୍ରରେ ଆଦୌ କୌଣସି ଚର୍ଚ୍ଚା ହେଉନାହିଁ ଭାରସାମ୍ୟ–ରକ୍ଷାକୁ ଆପଣାର ବଳବୃଦ୍ଧି କରିବାର ଏକ ଆଳ ପରି ବ୍ୟବହାର କରାଯାଇଛି । ଭାରସାମ୍ୟ ଲକ୍ଷ୍ୟ ହୋଇ ରହୁନାହିଁ । ଆପଣାର ଶକ୍ତିବୃଦ୍ଧି ହିଁ ପ୍ରିୟତର ଲକ୍ଷ ହୋଇ ରହିଛି ।

 

ଏହି ଶକ୍ତି ଧ୍ୱଂସର ଶକ୍ତି । ଆପଣାର ଜାତୀୟତା, ଅର୍ଥାତ୍ ସ୍ଥାନୀୟ ଏକ ଭୌଗଳିକ ସୀମା ଭିତରେ ଆପଣାକୁ ଅଧିକରୁ ଅଧିକ ଶକ୍ତିସମ୍ପନ୍ନ କରି ଦେଖାଇବା,–ଏଥିରେ ପୃଥିବୀରେ ଯେ କେବେ ଶାନ୍ତିର ପ୍ରତିଷ୍ଠା ହୋଇ ପାରିବନାହିଁ, ତାହା କ’ଣ ଆମର ଗୃହପାଳମାନେ ବୁଝି ପାରୁନାହାନ୍ତି ? ଜଣେ ଜଣେ ମଣିଷ ହିସାବରେ ଅବଶ୍ୟ ବୁଝିଥିବେ । ମାତ୍ର, ଆପଣାକୁ ଏକ ନିର୍ଦ୍ଦିଷ୍ଟ କ୍ଷମତାଶିବିରର ମାଲିକ ବୋଲି ମନେ କରୁଥିବା ଏବଂ ସେହିପରି ମନେ କରିବା ପାଇଁ ଆରମ୍ଭରୁ ହିଁ ଅଫିମ ଖାଇ ଆସିଥିବାରୁ ହିଁ ଆପଣାର ପ୍ରତିନିଧି ଭୂମିକାରେ ସେମାନେ ସମ୍ପୂର୍ଣ୍ଣ ଅନ୍ୟପ୍ରକାରେ ହୋଇ ଯାଉଛନ୍ତି ।

 

୬ । ୭ । ୮୩

 

ଦେହରେ କୋଉଠି କ’ଣ ଅସୁଖ ରହିଥାଏ,–ନିତାନ୍ତ କୁନି ଅସୁଖଟିଏ ପ୍ରାୟ ନିତାନ୍ତ ସ୍ଥାନୀୟ ହୋଇ ରହିଥାଏ, ମାତ୍ର ତଥାପି ସତେଅବା ଏଡ଼େବଡ଼ ହାକିମଟାଏ ପରି ମନେ ହେଉଥାଏ,–ଏବଂ, ସେଇଟା ଯେତେବେଳେ ଚାଲିଯାଏ, ସେତେବେଳେ ତାହାପ୍ରତି କୃତଜ୍ଞତା ଜଣାଇବାକୁ ମନହୁଏ । ତାକୁ ମୋଟେ ଝୁରିବାକୁ ପଡ଼େନାହିଁ ସତ, ମାତ୍ର ତଥାପି କୃତଜ୍ଞ ରହିବାକୁ ହୁଏ ।

 

ସେତେବେଳେ ଯାଇ ଜାଣିହୁଏ ଯେ, ତା’ର ମଧ୍ୟ ଗୋଟିଏ ପ୍ରୟୋଜନ ରହିଥିଲା । ଥିଲାବେଳେ ସିଏ କେତେ କଷ୍ଟ ଦେଉଥିଲା, ଦେହର ପୂର୍ଣ୍ଣାନୁଭୂତିଟିକୁ ସିଏ ସତେଅବା କେଡ଼େ ଖଣ୍ଡିଆ କରି ରଖିଥିଲା,–ମୋ’ର ସକଳ ଧ୍ୟାନ ଓ ସକଳ ବ୍ୟସ୍ତତାକୁ ସତେଅବା କେବଳ ତାହାରି ଆଡ଼କୁ ଆକର୍ଷିତ କରି ନେଲାପରି କେତେ କ’ଣ ହୋଇ ଦିଶୁଥିଲା । ମୋ’ର ସମ୍ପୂର୍ଣ୍ଣ ଜୀବନବିଚରଣଟି ମଧ୍ୟରେ ତାହାର ଯେ ଗୋଟିଏ ପ୍ରୟୋଜନ ରହିଛି, ସେତେବେଳେ ସେକଥା ଭାବିବା ମଧ୍ୟ ସମ୍ଭବ ନଥିଲା । ଅସୁଖଟି ଚାଲିଯିବା ପରେ ଯାଇ ସ୍ପଷ୍ଟ ହୋଇ ଦେଖାଯାଏ ଯେ ତାହାର ପ୍ରକୃତରେ ଏକ ପ୍ରୟୋଜନ ଥିଲା । କାରଣ, ଅସୁଖଟି ଆସିବା ପୂର୍ବରୁ ମୁଁ ଯେଉଁଠାରେ ଥିଲି, ଅସୁଖ ଛାଡ଼ିଯିବା ପରେ ମୁଁ ସେହି ସ୍ଥାନରେ ମୋଟେ ନଥାଏ । ଆଗକୁ ସତେଅବା କେତେ ବାଟ ପହଁରି ଆସିଥିବା ପରି ମନେ ହେଉଥାଏ । ତଦ୍ଦ୍ୱାରା ମୋଟେ ଅଧିକ କ୍ଳାନ୍ତ ଲାଗେନାହିଁ, ଶକ୍ତି ବଢ଼ିଥିଲା ପରି ହିଁ ଅନୁଭବ ହେଉଥାଏ । ତେଣୁ, ସେହି ଅସୁଖଟି ପାଖରେ କୃତଜ୍ଞତା ହିଁ ଜଣାଇବାକୁ ହୁଏ । ସେଇଟି ରହିଥିବା ବେଳେ ତାକୁ ନେଇ ମୁଁ କାହିଁକି ଏତେ ବ୍ୟାକୁଳ ହୋଇ ପଡ଼ୁଥିଲି ଓ ଆପଣାକୁ ମିଛଟାରେ ଖଣ୍ଡିଆ ପରି ଅନୁଭବ କରୁଥିଲି, ମୁଁ ଆଶ୍ଚର୍ଯ୍ୟ ହୋଇ ସେହିକଥା ଭାବେ ।

 

୭ । ୭ । ୮୩

 

ବର୍ଷାଦିନେ ଶାନ୍ତିନିକେତନ ମନେ ପଡ଼େ । ବର୍ଷାଦିନେ ମୋ’ ନିଜ ଗାଆଁ ବାଗଲପୁର ମନେପଡ଼େ । ବର୍ଷାଦିନେ ରାମଗିରିର ମାଳ ପାହାଡ଼ ମନେ ପଡ଼େ । ସହରରେ ବର୍ଷାକୁ ଅନୁଭବ କରିବା ସମୟରେ ସହର କୁଆଡ଼େ ଭୁଲି ହୋଇଯାଏ । ଝରକା ଓ କବାଟ ଦ୍ୱାରା ସୁରଖିତ ହୋଇ ରହିଥିବା ବେଳେ ମନର ଝରକାଗୁଡ଼ାକ କୁଆଡ଼େ କେତେ ଆଡ଼େ କେତେଦୂରକୁ ଖୋଲିଯାଏ । ଶାନ୍ତିନିକେତନର ବର୍ଷାକୁ ହୃଦୟ ପୂରାଇ ଆଘ୍ରାଣ କରି ପାରିବି ବୋଲି ମୁଁ ବର୍ଷାରେ କେତେ ତିନ୍ତି ତିନ୍ତି ବୁଲିଛି, ଏକୁଟିଆ ବୁଲିଛି, ସାଙ୍ଗ ମେଳରେ ବି ବୁଲିଛି । ଗାଆଁରେ ରାତିଯାକ ବିଛଣା ଉପରେ ଶୋଇଥିଲା ବେଳେ ପିଢ଼ା କଖାରୁ ଗଛର ପତର ଉପରେ ବର୍ଷା ବିନ୍ଦୁର ଆଘାତଛନ୍ଦକୁ ମୁଁ କେଡ଼େ ନିବିଡ଼ ଭାବରେ ଶୁଣିଛି, ଆପଣାକୁ ଏକାବେଳେକେ ସେହି ଛାତଉପରେ ଥିବା କଖାରୁ–ଗଛର ପତରଟିଏ ପରି ମନେ ହୋଇଛି । ରାମଗିରିରେ ବର୍ଷାର କୋଳାହଳମୟ ଆୟୋଜନ ଓ ଆଡ଼ମ୍ବରକୁ ମୁଁ ସତେଅବା କେଡ଼େ ନିଜର ଲୋକ ପରି ଶୁଣିଛି । ଉଚ୍ଚ ପାହାଡ଼ ଆଉ ଅରଣ୍ୟର ପୃଷ୍ଠଭୂମି ଉପରେ ବରଷା କିପରି ରାଜାର ସାଜ ପିନ୍ଧି ମାଡ଼ି ଆସିଛି,–ସତେଅବା ଗୋଟିଏ ପଟୁଆରରେ ଆସି ସମସ୍ତଙ୍କୁ କୁଆଡ଼େ କେତେ ଆଡେ ପ୍ଲାବିତ କରିନେଇଛି । ହୃଦୟର କେତେ ଗଭୀରକୁ ଓଦା କରିଦେଇ ଯାଇଛି ।

 

ଏସବୁ ମୋ’ ନିଜ ଜୀବନକୁ ଗଢ଼ିବାରେ ଭାରି ସାହାଯ୍ୟ କରିଛନ୍ତି । ମୋତେ ଅନେକ ନମନୀୟ କରି ରଖିଛନ୍ତି, ମୋତେ ଅନେକ ଶୁଷ୍କତା ଏବଂ ଅନେକ ବୈରାଗ୍ୟରୁ ବଞ୍ଚାଇ ରଖିଛନ୍ତି । ଅନେକ କୃତିକୁ ଆଖିରେ ଏକ ସମ୍ପତ୍ତି ବୋଲି ଗ୍ରହଣ କରନ୍ତି । ପ୍ରକୃତି ହୃଦୟର ମଧ୍ୟ ବନ୍ଧୁ ହୋଇପାରେ, ହୃଦୟକୁ ମଧ୍ୟ ସ୍ପର୍ଶ କରିପାରେ । ଯାହା ହୃଦୟକୁ ସ୍ପର୍ଶ କରେ, ତାହା ପ୍ରକୃତରେ କେତେ କ’ଣ ନକରେ !

 

୮ । ୭ । ୮୩

 

ଅନେକ ସମୟରେ ରାତିଗୁଡ଼ାକ ଦିନର ସଙ୍କେତ ଦିଏ । ଅନେକ ସମୟରେ ଦିନଗୁଡ଼ାକ ଯେମିତି ରାତିର ସଙ୍କେତ ଦେଇଥାଏ, ଠିକ୍ ସେହିପରି । ଆମେ ବୋଧହୁଏ ରାତିର ଜୀବନକୁ ଦିନଠାରୁ ଓ ଦିନର ଜୀବନକୁ ରାତିଠାରୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥାଉ ବୋଲି କି କ’ଣ କେଜାଣି, ଆମେ ରାତିକୁ ଦିନ ପାଖରେ ଧରା ପକାଇ ଦେବାପାଇଁ ସମ୍ଭବତଃ ସେହିପରି ଏକ ଭିଆଣ ହୋଇଥାଏ । ଏହି ପ୍ରୟାସଟି ଅତିଶୟ ହୋଇ କ୍ରମଶଃ ଆମେ ସତେଅବା ଦିନ ଓ ରାତି ଏହିପରି ଦୁଇପାଖରେ ପରିଣତ ହୋଇଯାଉ । ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟିଏ ରାତି ପାଖ ରହିଥାଏ ଓ ଗୋଟିଏ ଦିନ ପାଖ ରହିଥାଏ । ଅନେକ ମଣିଷ, ଏପରିକି ଆପଣା ପାଖରେ ବି ଦିନ ପାଖଟିକୁ ଅଧିକରୁ ଅଧିକ ପରିମାଣରେ ଦେଖାଇ ହୋଇ ରାତି ପାଖଟିକୁ ଅଧିକରୁ ଅଧିକ ପରିମାଣରେ ଲୁଚାଇ ରଖିବାକୁ ଚେଷ୍ଟା କରୁଥାନ୍ତି ।

 

ମୋ’ ରାତିଗୁଡ଼ାକ ମୋ’ ଦିନକୁ ଗ୍ରାସ କରିବାକୁ କୌଣସି ଚେଷ୍ଟା ନକରୁ । ମୋ’ର ଦିନଗୁଡ଼ାକ ମଧ୍ୟ ମୋ’ ରାତିକୁ ଆଦୌ କୌଣସି ପ୍ରକାରେ ଭୟ ନକରନ୍ତୁ । ମୋ’ ଦିନ ମୋ’ ରାତିର ଅଧିକରୁ ଅଧିକ ଗଭୀରକୁ ଯାଇ ତାହାରି ଭିତରେ ମୋ’ ଜୀବନର ଅସଲ ନିର୍ଦ୍ଦେଶଗୁଡ଼ିକୁ ଆବିଷ୍କାର କରିବାକୁ ସମର୍ଥ ହେଉ । ଏବଂ, ମୋ’ର ରାତି ନିଜକୁ ମୋ’ ଦିନ ଭିତରେ ଅଧିକରୁ ଅଧିକ ଆଲୋକିତ ଆଲୋକିତ କରି ରଖିବାକୁ ଚେଷ୍ଟା କରୁଥାଉ । ତେବେ, ମୁଁ ଆଉ ଦିନ କି ରାତି ମୋଟେ କାହାରିକୁ ଭୟ କରିବିନାହିଁ । ଆପଣା ଭିତରେ ଦୁଇଖଣ୍ଡ ହୋଇ ରହିବାର କୌଣସି ଆବଶ୍ୟକତା ମଧ୍ୟ ନଥିବ ।

 

୯ । ୭ । ୮୩

 

ଜୀବନ ଯେତେବେଳେ ବୋଝ ବୋଲି ନଲାଗେ, ସେତିକିବେଳେ ଜୀବନ ସହଜ ହୋଇଯାଏ । କାର୍ଯ୍ୟମାନେ ଯେତେବେଳେ କର୍ତ୍ତବ୍ୟ ବୋଲି ମୋଟେ ଲାଗନ୍ତିନାହିଁ, ସେଗୁଡ଼ିକ ସେତିକିବେଳେ ସହଜ ହୋଇ ଯାଆନ୍ତି । ଯେତେବେଳେ ନିଜେ କୌଣସି କାମ କରୁଥିବା ପରି ମୋଟେ ଲାଗୁ ନଥାଏ, ଯେତେବେଳେ ସତେଅବା ଆଉକିଏ ଭିତରେ ରହି ସବୁ କାମ କରାଇ ନେଉଥାନ୍ତି,–ଆଉକିଏ କାମ କରାଇ ନେଉଛନ୍ତି ବୋଲି ବି ଭାବିବା ଲାଗି ସମୟ ନଥାଏ, ସେତେବେଳେ କାମ ସବୁଠାରୁ ସହଜ ହୋଇଯାଏ ।

 

ଅର୍ଥାତ୍, ସେତେବେଳେ ଆଦୌ କ୍ଳାନ୍ତ ଲାଗେନାହିଁ । ଆଖି ଅତ୍ୟନ୍ତ ସହଜରେ ଦେଖିପାରେ, ଅଥଚ କ୍ଳାନ୍ତ ହୁଏନାହିଁ । ନିଜ ଭିତରେ ଏପରି ଏକ ପ୍ରସନ୍ନତା ରହିଥାଏ, ଯାହାକି ବାହାରକୁ ଖୁସୀ ହୋଇ ରହିଥିବାର ମୋଟେ କୌଣସି ପ୍ରଦର୍ଶନ କରେନାହିଁ, ଯେତେବେଳେ ଖୁସୀ ଅଛି ବୋଲି ଆଦୌ ଦେଖାଇବାକୁ ପଡ଼େନାହିଁ । ଅଥଚ, ଯାବତୀୟ କାର୍ଯ୍ୟରେ ଏବଂ ଯାବତୀୟ ଅନୁଧାବନରେ ଖୁସୀ ହିଁ ସର୍ବମୂଳ ଓ ସର୍ବମୀମାଂସକ ମୂଦ୍ରା ହୋଇ ରହିଥାଏ । ସେତେବେଳେ ସଂସାରଟା ଭାରି ସୁନ୍ଦର ଦେଖାଯାଏ, ଭାରି ଭଲ ଲାଗେ । ମଣିଷ କେହି ଦିଶନ୍ତି ନାହିଁ, ଖାଲି ବନ୍ଧୁମାନେ ଦିଶନ୍ତି । ଭିତର ଆଉ ବାହାର ମଝିରେ ସେତେବେଳେ ଆଦୌ କୌଣସି ବାଡ଼ ବସାଇ ହୁଏନାହିଁ,–ଭିତରୁ ଥାଇ ବାହାରକୁ ଅନାଇବାକୁ ପଡ଼େନାହିଁ କିମ୍ବା ବାହାରେ ଧକ୍‌କା ଖାଇ ଭିତରକୁ ପଳାଇ ଆସିବାକୁ ବି ହୁଏନାହିଁ । ଅନାଇଦେବା ମାତ୍ରକେ ଯାହାକିଛି ଦେଖାଯାଏ, ତା ଭିତରେ ବାହାର ସବୁ ଥାଏ, ଅଥଚ ଅଲଗା ଅଲଗା ହୋଇ କିଛି ନଥାଏ । ଅଲଗା ହୋଇ ଦେଖୁଥିବା ଯାଏ ସିନା କ୍ଳାନ୍ତ ଲାଗେ, ଭୟ ଲାଗେ । ତେଣୁ କ୍ଳାନ୍ତି ନଥାଏ, ଭୟ ବି ନଥାଏ । ଖାଲି ଦୁଆରଟି ଖୋଲା ରହିଥିବା ପରି ଲାଗୁଥାଏ, ସତେଅବା କେହି ଆଖିଗୁଡ଼ାକୁ ବାଟ ଦେଖାଇ ନେଇ ଯାଉଥିବା ପରି ଲାଗୁଥାଏ ।

 

୧୨ । ୭ । ୮୩

 

ସୂତ୍ର ଲମ୍ବି ଲମ୍ବି ଯାଏ, ଗଣ୍ଠି ପଡ଼ି ପଡ଼ି ଯାଏ,–ସୂତ୍ର ଛିଡ଼େନାହିଁ । ସାନ ସମ୍ବନ୍ଧଗୁଡ଼ିକର ବୃତ୍ତ ବଡ଼ ହେବାରେ ଲାଗିଥାଏ,–ଏହାକୁ ହିଁ ମଣିଷର ବଡ଼ ହେବା ବୋଲି କୁହାଯାଏ ।

 

ମଣିଷର ଗୋଡ଼ଗୁଡ଼ିକ ଯୋଉଠି ଥିଲା, ଠିକ୍ ସେଇଠାରେ ଥାଏ । ହୁଏତ ଏପରି ମଧ୍ୟ କୁହାଯାଇ ପାରିବ ଯେ, ତା’ର ଗୋଡ଼ଗୁଡ଼ିକ କେବଳ ତା’ ଭୂଇଁତଳେ ରହିଥିବା ମାଟିକୁ ହିଁ ସ୍ପର୍ଶ କରେନାହିଁ । ତା’ ତଳେ ଯେତିକି ଭୂଇଁ ଥାଏ, ତାହା ସମଗ୍ର ପୃଥିବୀର ମାଟିକୁ ସ୍ପର୍ଶ କରି ରହିଥାଏ । ତେଣୁ, ସେହି ସ୍ପର୍ଶ କରିବାରେ ମଧ୍ୟ ଏକ ସଂପ୍ରସାରଣ ଘଟେ । ଯେଉଁମାନେ ବାହାରେ ଥାଆନ୍ତି, କ୍ରମେ ସେମାନେ ମଧ୍ୟ ଭିତରକୁ ଆସନ୍ତି । ଯାହା କେବଳ ନିଜର ବୋଲି ମନେ ହେଉଥିଲା, ତାହା ସମସ୍ତଙ୍କର ବୋଲି ଅନୁଭୂତ ହୁଏ । ଏବଂ, ଏହିପରି ଭାବରେ କ୍ରମସଂପ୍ରସାରିତ ହୋଇ ଭିତର ଆଉ ବାହାର ସବୁକିଛି ଭଗବାନଙ୍କର ବୋଲି ମନେହୁଏ । ଅସଲ ଆତ୍ମୀୟତା ସେହିଠାରୁ ହିଁ ଆରମ୍ଭ ହୁଏ । ମୁଁ କେବଳ ମୋ’ର ନୁହେଁ; ମୋ’ର ଯାବତୀୟ ଅର୍ଜନ, ସଂଗ୍ରହ ଓ ସଞ୍ଚୟ–ଏଗୁଡ଼ାକ କେବଳ ମୋ’ର ନୁହେଁ । ଏହାର ଅସଲ ପରିଚୟ ହେଉଛି ଏହାକୁ ସବୁଟି ସହିତ ଯୋଡ଼ିକରି ରଖିଥିବା ସୂତ୍ରଟି,–ଏହିପରି ଅନୁଭୂତ ହୁଏ । ମୁକ୍ତି କହିଲେ ତାହାକୁହିଁ ବୁଝାଏ । ଅର୍ଥାତ୍, ଜଳାଶ୍ରୟ ଗୁଡ଼ାକର ବନ୍ଧ ଭାଙ୍ଗିଯାଏ । ଦୂରଗୁଡ଼ାକ ସହିତ ସୂତ୍ର ଲାଗେ । ତା’ପରେ ଜୀବନଟା ଯାକ ଖାଲି ଖୁସୀରେ ଭର୍ତ୍ତୀ ହୋଇ ରହିଥିବା ପରି ମନେହୁଏ । ନିଜର ସବୁକିଛିକୁ ସମର୍ପିତ କରି ରଖିବା ଲାଗି ସେତେବେଳେ ଆଉ ମୋଟେ ପରିଶ୍ରମ କରିବାକୁ ପଡ଼େନାହିଁ ।

 

୧୪ । ୭ । ୮୩

 

ଅସଲ ଜାଗାଗୁଡ଼ିକରେ ଆସି ପହଞ୍ଚିଲେ ଭିତରଟା ଆପେ ଆପେ ଚୁପ୍ ହୋଇଯାଏ । କୁମ୍ଭଟି ସମ୍ପୂର୍ଣ୍ଣ ଭାବରେ ପୂରି ରହିଥିଲା ପରି ଲାଗେ । ଅସଲ ଘରେ ଆସି ପହଞ୍ଚିଗଲେ ଯେପରି ହୁଏ, ଠିକ୍ ସେହିପରି ।

 

କିଛି ଅଭିଯୋଗ ନଥାଏ, ମାଗିବାକୁ ବି କିଛି ନଥାଏ । ଖାଲି ବାଟଟିଏ ଦିଶିଯାଏ, ଖାଲି ସାଙ୍ଗମାନେ ଦିଶନ୍ତି,–ଏବଂ ଯେଉଁଆଡ଼କୁ ଅନାଇଲେ ବି ଗଦା ଗଦା ଫୁଲ ବ୍ୟତୀତ ଆଉ କିଛିହେଲେ ଦେଖା ଯାଏନାହିଁ । ତା’ପରେ ପାଦ ଦୁଇଟି ଦିଶିଯାଏ ଏବଂ ତାହାକୁ ପରମପାଦ ବୋଲି କହିବାକୁ ମନ ହୁଏ । ସେହି ପାଦ ଦୁଇଟି ସତେଅବା ପ୍ରେରଣା ହୋଇ ମୋତେ ସ୍ପର୍ଶ କରନ୍ତି-। ସେହି ପ୍ରେରଣା ସାଙ୍ଗ ହୋଇ ମୋ’ ସହିତ ଚାଲିବାକୁ ଆରମ୍ଭ କରେ । ତେଣୁ, ମୋ’ ପାଦଦୁଇଟା ମଧ୍ୟ ଆଉ ମୋଟେ ଥକି ଯାଆନ୍ତିନାହିଁ । ସାଙ୍ଗ ପାଇଲେ କିଏ କାହିଁକି ଥକିଯିବ ? ଯେଉଁଠାରେ ଏହି ସବୁକିଛି ଘଟେ, ତାହାକୁ ମୁଁ ତୀର୍ଥ ବୋଲି କହିବି । ସେହି ତୀର୍ଥ ଭିତରେ ଥାଏ, ବାହାରେ ବି ଥାଏ । ବାହାର ତୀର୍ଥକୁ ଭିତରର ତୀର୍ଥ ଖୋଜି ବୁଲୁଥାଏ, ଭିତରର ତୀର୍ଥଗୁଡ଼ିକ ସତେଅବା ଗୋଟିଏ ଗୋଟିଏ ବିଶେଷ ସ୍ପର୍ଶ ପାଇବା ଲାଗି ଅପେକ୍ଷା କରି ରହିଥାନ୍ତି । ଅନେକ ବିଶ୍ୱାସର ସହିତ ଅପେକ୍ଷା କରି ରହିଥାନ୍ତି । ସେହି ବିଶ୍ୱାସ ସାଙ୍ଗ ପାଇଯାଏ । ତା’ପରେ, ଆଉ କିଛିହେଲେ ଅଲୋଡ଼ା ପରି ଲାଗେନାହିଁ । ଏହି ସବୁକିଛିକୁ ନେଇ ମୋ’ ଘର ପୂରି ଉଠିଥିଲା ପରି ଦିଶେ । ଏବଂ ତା’ପରେ ସଂସାରଟା ଯାକ ତୀର୍ଥ ପରି ମନେହୁଏ ।

 

୧୫ । ୭ । ୮୩

 

ଦିଲ୍ଲୀ ଆସିବ, ଦିଲ୍ଲୀ ଦେଖିବ, ମାତ୍ର ମନ ଗାଆଁରେ ଥିବ, ମନ ଓଡ଼ିଶାରେ ଥିବ । ଯୋଉଠି ଚେରଗୁଡ଼ାକ ରହିଛନ୍ତି ଓ ଚେରଗୁଡ଼ାକ ଯେଉଁଠାରୁ ଆଖି ହୋଇ ସମଗ୍ର ସଂସାରକୁ ଦେଖୁଛନ୍ତି, ମନ ଯାଇ ସେହିଠାରେ ରହିଥିବ । ଦିଲ୍ଲୀରେ ବଜାର ଦେଖିବ, ବଜାରର ବାଦଶାହମାନଙ୍କୁ ଦେଖିବ, ମାତ୍ର ଜୀବନର ଅସଲ ଆକାଶଟିକୁ ଯଥାର୍ଥ ଥାନରେ ଠାବ କରି ରଖିଥିବ ।

 

ଦିଲ୍ଲୀ ମୋଗଲମାନଙ୍କର । ମୋଗଲମାନେ ଦେଶର ଶାସନ କରନ୍ତି; ଦିଲ୍ଲୀରେ ଥାଇ ସେମାନେ ଦେଶଟାଯାକକୁ କଳନ୍ତି, ଦେଶଟାଯାକକୁ ଜୁର କରିବାରେ ଲାଗିଥାନ୍ତି । ଯେଉଁମାନେ ସ୍ୱଭାବତଃ ଜୁର କରିବାର ମଣିଷ, ସେମାନେ ସୁରାଖ ଖୋଜି ଦିଲ୍ଲୀକୁ ମୋହି ଆସନ୍ତି; ଅଥବା ଯେଉଁଠାରେ ଥାଆନ୍ତୁ ପଛକେ, ସେମାନେ ନିଜ ଚାରିପାଖରେ ଗୋଟାଏ ଗୋଟାଏ ଖଣ୍ଡିଆ ଦିଲ୍ଲୀ ଗଢ଼ିବାରେ ଲାଗିଥାନ୍ତି ଓ ତାହାରି ଭିତରେ ମୋଗଲ ହୋଇ ରହିଥାନ୍ତି, ବଜାରର ବାଦଶାହା ହୋଇ ରହିଥାଆନ୍ତି । ବାଦଶାହାମାନେ ହୁଏତ ସବୁକିଛିକୁ ମନ କରନ୍ତି, ମାତ୍ର ମଣିଷକୁ ଆଦୌ ମନ କରି ପାରନ୍ତିନାହିଁ । ନିଜ ଭିତରର ମଣିଷଟିକୁ ସେମାନେ କେତେ ଚକଚକ ନକଲି ମାଳି ଦେଇ ଲୁଚାଇ ରଖିଥାନ୍ତି, କୋଉ ଗହୀରରେ ନେଇ ପୋତି ପକାଇଥାନ୍ତି । ତେଣୁ, ଅନ୍ୟମାନଙ୍କର ବାହାରଟାକୁ ସବାଆଗ ଚିହ୍ନନ୍ତି, ବାହାରଟାକୁ ହିଁ ବେଶୀ ଚିହ୍ନନ୍ତି । ଆପଣାଠାରୁ ଯେଉଁମାନଙ୍କର ଅପେକ୍ଷାକୃତ କମ୍ ସାଜ ରହିଥାଏ, ଏମାନେ ସେମାନଙ୍କୁ ଅବଜ୍ଞା କରି ଶିଖନ୍ତି; ଯେଉଁମାନଙ୍କର ଅଧିକ ଥାଏ, ସେମାନଙ୍କୁ ଈର୍ଷା କରୁଥାନ୍ତି । ଏହିପରି ଭାବରେ ନାନା ବାହାରୀ ଦରବାର ଭିତରେ କିଳି ହୋଇ ରହିଥାନ୍ତି । ନିଜ ଭିତରର ଅସଲ ସାଥୀଟିକୁ ମୋଟେ ଅନୁଭବ କରି ପାରନ୍ତିନାହିଁ । ତେଣୁ, ଆଉମାନଙ୍କ ଭିତରେ ମଧ୍ୟ କୌଣସି ସାଥୀର ଉଦ୍‌ଘାଟନ କରି ପାରନ୍ତିନାହିଁ ।

 

୧୬ । ୭ । ୮୩

 

ଆଶାବାଦୀ ଆଉ ନିରାଶାବାଦୀ,–ଏହି ଦୁଇଟିଯାକ କୌଣସି ବାଦର ପ୍ରସଙ୍ଗ ଆଦୌ ନୁହେଁ । କାରଣ, କେହି କଦାପି ଭାବି ଚିନ୍ତି ଅଥବା ଯୁକ୍ତିଦ୍ୱାରା ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ଆଶାବାଦୀ ଅଥବା ନିରାଶାବାଦୀ ହୁଅନ୍ତିନାହିଁ । ତେଣୁ, ଏଇଟା ଠିକ୍ ବା ସେଇଟା ଠିକ୍ ବୋଲି କଦାପି ଯୁକ୍ତି କରି ପ୍ରମାଣ କରି ହେବନାହିଁ । ଆମେ ପ୍ରତ୍ୟେକ ସତେଅବା ଏକ ଅନ୍ତଃନିଷ୍ପତ୍ତି ଦ୍ୱାରା ଆଶାବାଦ ଅଥବା ନିରାଶାବାଦକୁ ଆପଣାର ଏକ ସମଗ୍ର ଜୀବନଦୃଷ୍ଟି ରୂପେ ଅନୁସରଣ କରିଥାଉ-। ଆପଣା ଭିତରେ ଆମେ ଆପଣାକୁ ସମଗ୍ରତଃ ଯେପରି ଏକ ସମଗ୍ର ଦିଗ୍‌ନିର୍ଦ୍ଦେଶ ଦ୍ୱାରା ଲାଳନ କରୁଥାଉ, ଅଗ୍ରସର କରାଉଥାଉ ଅଥବା ଗତୀଶୀଳ କରି ରଖିଥାଉ, ସେହି ଅନୁସାରେ ଆମେ ଆଶାବାଦୀ ଅଥବା ନିରାଶାବାଦୀ ହେଉ । ଆମ ଆଶାବାଦ ଅଥବା ନିରାଶାବାଦରୁ ଆମ ନିଜର ଏକ ପ୍ରମାଣ ମିଳିଯାଏ, ଆମର ରୀତିଟି ବେଶ୍ ଧରା ପଡ଼ିଯାଏ ।

 

ଭିତରକୁ ଅନାଇଲେ ଯିଏ ସୁନିଶ୍ଚିତ ଭାବରେ ଏକ କେନ୍ଦ୍ରର ଅନୁଭବ କରେ ଏବଂ ସେହି କେନ୍ଦ୍ରରୁ ହିଁ ଆପଣାର ବାଟଟିକୁ ଚାଲିବାର ଓ ଗାରଗୁଡ଼ାକୁ ଡେଇଁବାର ଏକ ପ୍ରତିଷ୍ଠା ପାଇଯାଏ, ଆମ ଭିତରୁ ସମ୍ଭବତଃ ସେଇ ଆଶାବାଦୀ ହୁଏ । ତାକୁ ଆଗରେ ଥାଇ କେହି ଡାକି ନେଉଥାଏ, ବନ୍ଧୁ ପରି ଡାକି ନେଉଥାଏ; ଜୀବନର ଦିଗ୍‌ବଳୟ ଉପରେ ସଂସାରରେ ତାହାକୁ ହିଁ ଆଶା ବୋଲି କୁହାଯାଏ । ଆପଣା ଭିତରେ କେବେ କିଛି ହେଲେ ଖୋଜି ବାହାରି ଯିଏ ବନସ୍ତଯାକ ବୁଲି ସତେଅବା ତଥାପି ଖାଲି ହାତରେ ବାହୁଡ଼ି ଆସେ, ଓ ତେଣୁ ବାହାରେ ମଧ୍ୟ ଆପଣାକୁ ମୂଳତଃ ରିକ୍ତହସ୍ତ ବୋଲି ଅନୁଭବ କରୁଥାଏ, ହୁଏତ ସେଇ ନିରାଶାବାଦୀ ହୁଏ । ଏବଂ, ତା’ ପରେ ସିଏ ତାହାକୁ ହିଁ ଉଚିତ ବୋଲି ଅନ୍ତତଃ ନିଜପାଖରେ ନିଜକୁ ବୋଧ ଦେଇ ରଖିବାପାଇଁ ଅନୁକୂଳ ଯୁକ୍ତିଗୁଡ଼ିକୁ ମଧ୍ୟ ସଂଗ୍ରହ କରି ରଖିଥାଏ ।

 

୧୭ । ୭ । ୮୩

 

ଦିଲ୍ଲୀରେ ଯେଉଁମାନେ ସେବା ଉପରକୁ ସବୁଠାରୁ ଅଧିକ ବଳୀୟାର ହୋଇ ଦେଖା ଯାଆନ୍ତି, ସେମାନେ ଏଠି ମୋଟେ ଭୂଇଁରେ ନଥାନ୍ତି । ସେମାନେ କୁଆଡ଼େ ମନ କୁଆଡ଼େ ଉଡ଼ୁଥାଆନ୍ତି ଏବଂ ମଝିରେ ମଝିରେ ଆଉଗୋଟାଏ କଅଣକୁ ଭୂଇଁ ବୋଲି ମନେ କରି ତାହାରି ଉପରେ ଆସି କଚାଡ଼ି ହୋଇ ପଡ଼ୁଥାନ୍ତି ଏବଂ ଏହି ଦେଶଟାକୁ ମଧ୍ୟ ଆପଣା ସହିତ ସେହିପରି ଉଠାଇବାରେ ଓ ପକାଇବାରେ ଲାଗିଥାନ୍ତି ।

 

ଦିଲ୍ଲୀ କ’ଣ ଖାଲି ଏଇଠି ଦିଲ୍ଲୀରେ ଅଛି ? ଭାରତର ସବୁ ରାଜ୍ୟରେ ଏହି ବଳୀୟାର ଲୋକମାନଙ୍କର ଜୀବନବିହରଣ ନିମନ୍ତେ ସ୍ଥାନୀୟ ଦିଲ୍ଲୀମାନ ସବୁଠାରେ ରହିଛି । ଗରିବ ଓଡ଼ିଶାରେ ମଧ୍ୟ ରହିଛି । ଓଡ଼ିଶାରେ ଯେଉଁ ବଳୀୟାର ମଣିଷମାନେ ରହିଛନ୍ତି; ସେମାନେ ସେଠି ଭୂଇଁ ଉପରେ ମୋଟେ ନାହାନ୍ତି; ସେମାନେ ଆହୁରି କେତେ କ’ଣକୁ ଭୂଇଁ ବୋଲି ମନେ କରୁଛନ୍ତି, ଓ ତାହାରି ଉପରେ ଆସି କଚାଡ଼ି ହୋଇ ପଡ଼ିବାରେ ଲାଗିଛନ୍ତି । ଏହି ଲୋକମାନେ ଯେ ଖାଲି ଶାସନରେ ଅଛନ୍ତି, ସେକଥା ମୋଟେ ନୁହେଁ । ଏମାନେ ସର୍ବତ୍ର ଆସ୍ଥାନ ମାଡ଼ି ବସିଛନ୍ତି, ସର୍ବତ୍ର ଆସ୍ଥାନ ଜମାଇ ରହିଛନ୍ତି । ସଂସ୍କୃତି କହିଲେ ଅନେକ ସମୟରେ ଏହିମାନଙ୍କ ଦ୍ୱାରା ପାଳିତ ଏବଂ ପୋଷିତ ହୋଇ ରହିଥିବା ଏକ ପ୍ରଦର୍ଶନୀକୁ ବୁଝାଉଛି । ଯେଉଁ କୃତ୍ରିମତାଗୁଡ଼ାକୁ ସେମାନେ ପ୍ରାୟ ଏକ ସ୍ୱାଭାବିକ ଆବଶ୍ୟକତା ବୋଲି ମାନି ନେଇଛନ୍ତି, ସେହିସବୁ କୃତ୍ରିମତାଗୁଡ଼ାକୁ ବୁଝାଉଛି । ତାହାରି ଭିତରେ ଧର୍ମ, ସାହିତ୍ୟ, ଭଦ୍ରତା ଓ ଭବ୍ୟତା ସବୁକିଛି ଭାରି ବିକୃତ ହୋଇ ରହିଛି, ଅତ୍ୟନ୍ତ ପରିମାଣରେ ମନୁଷ୍ୟ ବିମୁଖ ହୋଇ ରହିଛି । ଏହି ଦେଶରେ ଯେତେ ଯେତେ ମଣିଷ, ଏମାନଙ୍କର ବିହରଣଗୁଡ଼ାକର ପାଞ୍ଜିରୁ ସେମାନେ ବହିଷ୍କୃତ ହୋଇ ରହିଛନ୍ତି, ଏମାନଙ୍କର ଦିଲ୍ଲୀ ମଧ୍ୟ ସେହି ପାଞ୍ଚିରୁ ବହିଷ୍କୃତ ହୋଇ ରହିଛି ।

 

୧୮ । ୭ । ୮୩

 

କେହି ଜ୍ଞାନର ପରିଚୟ ଦେବାକୁ କୌଣସି ଚେଷ୍ଟା କରୁନଥାନ୍ତେ, ମାତ୍ର ଜ୍ଞାନର ଆହରଣ ସକାଶେ ହିଁ ପରସ୍ପରର ସମ୍ମୁଖୀନ ହେଉଥାନ୍ତେ; କେହି କାହାରି କଥାକୁ ଆଦୌ ମାନି ନେଉନଥାନ୍ତେ, ମାତ୍ର ପରସ୍ପରର କଥାକୁ ଗ୍ରହଣ କରି ପାରୁଥାନ୍ତେ । ପରସ୍ପର ପାଖରେ ବସି ପରସ୍ପରକୁ ଗ୍ରହଣ କଲାବେଳେ ସତେଅବା ଆପଣାର ସବୁଯାକ ଦୁଆର ଖୋଲା ହୋଇ ରହିଥିବା ପରି ଅନୁଭବ କରୁଥାନ୍ତେ,–ସେମାନଙ୍କ ଭିତରେ କେହି କେଉଁଠିହେଲେ କୌଣସି ପ୍ରକାରେ ସତର୍କ ରହି କିଛିର ପ୍ରତିରୋଧ କରିବାକୁ ମୋଟେ ଚେଷ୍ଟା କରୁନଥାନ୍ତା । ସ୍ୱାଭାବିକ ଭାବରେ ନେଇ ହେଉଥାନ୍ତା, ଅର୍ଥାତ୍ ସ୍ୱାଭାବିକ ଭାବରେ ଦେଇ ହେଉଥାନ୍ତା । କୌଣସି ପ୍ରକାରର ମିଛ ନମ୍ରତା ନଥାନ୍ତା, ମିଛ ଉଗ୍ରତା ମଧ୍ୟ ନଥାନ୍ତା କେହି କାହାରି ଉପରେ ମୋଟେ ମାଡ଼ି ହୋଇ ପଡ଼ୁନଥାନ୍ତେ,–ଗ୍ରହଣ ଓ ବିତରଣର ସମ୍ବନ୍ଧ ମଧ୍ୟରେ ଆଦୌ କୌଣସି ପ୍ରକାରର ଦାସତା ରହି ନଥାନ୍ତା–ତେବେଯାଇ ହୁଅନ୍ତା । ତାହାକୁ ହିଁ ଅସଲ dialogue ବୋଲି କୁହାଯାଇ ପାରୁଥାନ୍ତା;–ମଣିଷର ଅସଲ ସମ୍ମାନ ସେତିକିବେଳେ ରହନ୍ତା । କେଉଁଠି ଔପଚାରିକ ଭାବରେ କିଛି କହିବାକୁ ଗଲାବେଳେ ମୁଁ ଏହିସବୁ କଥା ଭାବୁଥାଏ ।

 

ଖାଲି ଔପଚାରିକ ବକ୍ତୃତାବେଳେ ନୁହେଁ, ଆମର ସାନବଡ଼ ପ୍ରତ୍ୟେକ ପାରସ୍ପରିକତାରେ ସେହିପରି ହେଉଥାନ୍ତା, ତେବେ ପରିଚୟ ଗୁଡ଼ାକ ବଳେ ବଳେ ହୋଇଯାଆନ୍ତା,–ପରିଚୟ ଦେବାକୁ ମୋଟେ ପଡ଼ନ୍ତାନାହିଁ । ଦେଖାଇ ହେବାକୁ ପଡ଼ନ୍ତାନାହିଁ । ଦେଖିବା ବଳେବଳେ ସମ୍ଭବ ହୁଅନ୍ତା । ଜ୍ଞାନ ଆମ ମର୍ମପ୍ରବେଶର ଏକ ସାଧନ ହୋଇ ରହି ପାରନ୍ତା ।

 

୧୯ । ୭ । ୮୩

 

ଲେଖିବାଟା ବରାଦ ଦେଇ ହୁଏନାହିଁ । ଏପରିକି ଆପେ ଆପେ ଇଚ୍ଛା କଲେ ମଧ୍ୟ ଆପଣାକୁ ମୂଲିଆ ପରି ବ୍ୟବହାର କରି ହୁଏନାହିଁ । ଯେତେପ୍ରକାର ଓ ଉପଚାର ଓ ବିଧିଅର୍ଚ୍ଚନାକୁ ଖଞ୍ଜି ଥୋଇଦେଲେ ମଧ୍ୟ ତଥାପି ନିଜକୁ ମୂଲିଆ ପରି ବ୍ୟବହାର କରି ହୁଏନାହିଁ । ଆପଣାକୁ ଦେବା ପାଇଁ ଇଚ୍ଛା ହେଲେ ଯାଇ ଲେଖିବାକୁ ମନ ହୁଏ । ଶିଳ୍ପୀ ଯେତେବେଳେ ଆପଣାକୁ ଦେବା ପାଇଁ ମନ କରୁଥିବ, ସେତିକିବେଳେ ଯାଇ ସିଏ ନୂଆ ଛବିଟିଏ ଆଙ୍କିବାକୁ ମନ କରି ପାରୁଥିବ । ସଂଗୀତକାର ଆପଣାକୁ ଦେବାପାଇଁ ମନ କଲେ ଯାଇ ତା’ ଭିତରେ କୌଣସି ନୂତନ ସୁର ଗୁଞ୍ଜରି ଉଠୁଥିବ । ସେହି ଗୁଞ୍ଜରଣ ଭିତରେ ସିଏ ଥିବ ଏବଂ, ସିଏ ଯାହାପାଖରେ ଆପଣାକୁ ଦେବାଲାଗି ମନ କରୁଥିବ, ସିଏ ବି ଥିବ । ତେଣୁ, ଯାବତୀୟ ସମର୍ପଣ ସମ୍ଭବତଃ ଏହିପରି ଏକ ସଂଯୋଜନର ଅବସରଟିଏ ସୃଷ୍ଟି କରିଥାଏ । ଖିଅ ଲାଗିବା,–ସମ୍ଭବତଃ ତାହା ହିଁ ତାଙ୍କର ଅନୁଗ୍ରହ ପ୍ରାପ୍ତ ହେବାର ଅନ୍ୟନାମ ।

 

ତେଣୁ, ମୋ’ର ଲେଖିବା,–ତାହା କେବଳ ଏକପାଖିଆ ଭାବରେ ମୋ’ର କାମ ନୁହେଁ । ଏହା ଦୁଇପାଖର କାମ । ଖିଅ ଲାଗିଥିବା ବେଳର ଏକ କାମ, ଆଗ ସିଏ ନା ଆଗ ମୁଁ,–ଏଥିରେ ସେକଥା ଆଦୌ ସ୍ଥିର କରାଯାଇ ପାରେନାହିଁ, ସିଏ ଆଉ ମୁଁ,–ଦୁହେଁ ମିଶି ଗୋଟିଏ ସଂବେଦନ, ସଂଗ୍ରହଣ ଏବଂ ସମର୍ପଣରେ ପରିଣତ ହୋଇ ପାରିଲେ ଯାଇ ଏସବୁ ସମ୍ଭବ ହୁଏ । ଠିକ୍ ଭଲ ପାଇବାପରି ଏକ ଅବସର । ଭଲ ପାଇବାରେ ଦୁଇ ପକ୍ଷ କୁଆଡ଼େ ମିଶି–ଯାଆନ୍ତି, ଉଭେଇ ଯାଆନ୍ତି । ଦୁଇ ପକ୍ଷ ନିଜକୁ ପରସ୍ପର ପାଖରେ ସମର୍ପଣ କରି ଦେଇଥାନ୍ତି । ତେଣୁ ପରସ୍ପରକୁ ପାଆନ୍ତି । ନିଜକୁ ପାଆନ୍ତି, ସେଇ ଆରଜଣଟିକୁ ମଧ୍ୟ ପାଇ ପାରନ୍ତି ।

 

୨୦ । ୭ । ୮୩

 

ହିମାଳୟର ଆକର୍ଷଣ ଅନ୍ତର ଭିତରକୁ, ହିମାଳୟର ଆକର୍ଷଣ ବାହାରକୁ, ସଂସାରକୁ, ସକଳ ଜୀବନକୁ । ହିମାଳୟ ପାଖରେ ଠିଆ ହୋଇଥିବା ବେଳେ ଠିକ୍ ଆପଣା ପାଖରେ ହିଁ ଠିଆ ହୋଇଥିବା ପରି ଲାଗେ । ଆପଣାର କେନ୍ଦ୍ରଟିକୁ ସମକ୍ଷ କରି, ସ୍ପର୍ଶ କରି ଠିଆ ହୋଇଥିବା ପରି ମନେହୁଏ । ହିମାଳୟ କେବଳ ଏହି ନୈନିତାଲରେ ଦିଶେନାହିଁ, ଦିଲ୍ଲୀରେ ମଧ୍ୟ ଦିଶେ । କେବଳ କୌଣସି ନିକାଞ୍ଚନରେ ମୋଟେ ଦିଶେନାହିଁ, ସବୁରି ପାଖରେ ଠିଆ ହୋଇଥିବା ସମୟରେ ମଧ୍ୟ ଦିଶେ । କେନ୍ଦ୍ର ସହିତ କେନ୍ଦ୍ର ଗୁଡ଼ିକର ପରିଚୟ ହୋଇ ଯାଉଥାଏ, କେନ୍ଦ୍ର କେନ୍ଦ୍ରକୁ ଗଅଁଠାଇ ରଖିଥିବା ସୂତ୍ରଟି ସବୁଠାରୁ ଅଧିକ ଆତ୍ମୀୟ ଭାବରେ ଅନୁଭୂତ ହୁଏ ।

 

ଏବଂ, ସେଇଥିଲାଗି ହିଁ ସବୁକିଛି ସୁନ୍ଦର ଦିଶେ । ଆପଣାର ଭିତରକୁ ଚାହିଁଦେବା ମାତ୍ରକେ ବନ୍ଧୁ ଦର୍ଶନର ଅନୁଭବ ମିଳେ, ଚତୁର୍ଦ୍ଦିଗକୁ ସମସ୍ତଙ୍କ ଭିତରକୁ ଚାହିଁଦେଲା ମାତ୍ରକେ ଏହି ସବୁକିଛି ମିଶି ଗୋଟିଏ ଘର ପରି ଅନୁଭବ ହୁଏ, ଯେଉଁଠାରେ ଅନ୍ୟମାନେ ନଶ୍ୱରତା ହିଁ ଦେଖନ୍ତି, ସେଠାରେ ତଥାପି ଆତ୍ମୀୟତାର ଅନୁଭବ କରିବା,–ଏତିକି ସମ୍ଭବ ହେଲେ ଚତୁର୍ଦ୍ଦିଗ କେବଳ ଘର ବୋଲି ହିଁ ଲାଗେ । ଏବଂ, ଏହି ଘର ହିଁ ଶାନ୍ତି ଦିଏ, ଘର ହିଁ ଶରଣ ଦିଏ, ଯେଉଁମାନେ ଶାନ୍ତି ପାଇବେ ବୋଲି ଘର ଛାଡ଼ି ହିମାଳୟକୁ ଆସନ୍ତି ସେମାନେ ହିମାଳୟକୁ କଦାପି ଘର ବୋଲି ଗ୍ରହଣ କରି ପାରନ୍ତିନାହିଁ । ସେମାନେ ବୈରାଗ୍ୟ ଭିତରେ ଥାଆନ୍ତି,–ତେଣୁ ଘର ଛାଡ଼ି ଆସିଥିବାର ନାନା ଦାରିଦ୍ର୍ୟ ଓ ତଜ୍ଜନିତ ଅହଙ୍କାର ସେମାନଙ୍କୁ ଭାରି ଆକୁଳ କରି ରଖିଥାଏ । ସେମାନଙ୍କର ମନ କିଛି ସମୟ ଲାଗି ଏକ ଆଶ୍ରୟ ପାଇଥାଏ ସତ, ମାତ୍ର ନିର୍ଭର ପାଇ ପାରେନାହିଁ । ହିମାଳୟକୁ ନିଜ ଭିତରେ ଅନୁଭବ ପ୍ରତ୍ୟକ୍ଷ କରି ପାରିଲେ ଯାଇ ସେହି ନିର୍ଭର ସମ୍ଭବ ହୁଏ ।

 

୨୧ । ୭ । ୮୩

 

ସମସ୍ତେ କହୁଛନ୍ତି, ମଣିଷ, ମଣିଷ ନାହାନ୍ତି । ମଣିଷ ମୋ’ ନିଜ ଭିତରେ ରହିଛି, ଅର୍ଥାତ୍, ମୁଁ ଯେତିକି ବ୍ୟାକୁଳତା ଦେଇ ଆପଣାକୁ ଖୋଜୁଛି, ମୋ’ ନିଜ ସହିତ ମୋ’ର ସେତିକି ପରିଚୟ ହେଉଛି । ଏବଂ, ନିଜ ସହିତ ମୋ’ର ଯେତିକି ପରିଚୟ ହୋଇପାରୁଛି, ଅନ୍ୟମାନଙ୍କ ପାଖରେ ମଧ୍ୟ ମୁଁ ଆପଣାକୁ ସେତିକି ପରିମାଣରେ ଉଦ୍‌ଘାଟିତ କରିପାରୁଛି ଓ ମୁଁ ସେତିକି ପରିମାଣରେ ଅନ୍ୟମାନଙ୍କର ପରିଚୟ ପାଇପାରୁଛି ।

 

ପାହାଡ଼ଗୁଡ଼ାକ ଯେତେଦିନ ଯାଏ ମୋ’ ଚାରିପାଖରେ ପାଚେରୀ ହୋଇ ଘେରି ରହିଥିବେ, ସେତେଦିନ ଯାଏ ମୁଁ ଆପଣାକୁ ମଧ୍ୟ ସଳଖ ହୋଇ ଦେଖି ପାରିବି ନାହିଁ । କେବଳ ପାଚେରୀଗୁଡ଼ାକୁ ଦେଖୁଥିବି, ପାଚେରୀଗୁଡ଼ିକର ପରିପ୍ରେକ୍ଷୀ ଉପରେ ଆକାଶକୁ ଦେଖୁଥିବି, ଆକାଶକୁ ସୁନ୍ଦର ବୋଲି କହୁଥିବି । ଆପଣାର ଇଷ୍ଟଦେବତା ରୂପେ ପୂଜା କରୁଥିବା ମୂର୍ତ୍ତିଟି ଉପରେ ଅନେକ ଲୋକ ଯେପରି ସତ୍ୟକୁ ଦେଖନ୍ତି, ପରମ ଆତ୍ମୀୟତାକୁ ଦେଖନ୍ତି ଓ ତାହାରି ଉପରେ ଅନୁରକ୍ତିର ସୁନ୍ଦର ଗାରଟିଏ ଟାଣି ଦେଇ ତାହାକୁ ହିଁ ଚେତନା ବୋଲି କହନ୍ତି, ଏକଥା ପ୍ରାୟ ଠିକ୍ ସେହିପରି । ଏହି ପାହାଡ଼ଗୁଡ଼ାକୁ ଦେଖୁ ଦେଖୁ ମୁଁ ଏଗୁଡ଼ିକୁ ଆରୋହଣ କରିଯାଇ ପାରୁଥିବି । ମୋ’ ନିଜ ଭିତରେ ମୋତେ ପାଚେରୀ ପରି ଆବୋରି ରହିଥିବା ଓ ମୋତେ ସବା ମଝିରେ ଥିବା ଉପଭୋକ୍ତା ରୂପେ ଦେଖାଇ ଦେଉଥିବା ସୁନ୍ଦର ପାହାଡ଼ଗୁଡ଼ିକୁ ଲଂଘିଯାଇ ମୁଁ ଅନନ୍ତ–ସନ୍ନିଧାନ ଏବଂ ଅନନ୍ତ–ସମ୍ମିଳନର ଆକାଶବିସ୍ତାରଟିକୁ ଯେପରି ଅନୁଭବ କରିବି, ମୋତେ ସେହି ପ୍ରେରଣା ଦେବାକୁ ମୁଁ ଉଠିବା ବେଳକୁ ମୋ’ ଦ୍ୱାର ପାଖରେ ଏହି ସକାଳ ଆସି ହାଜର ହୋଇ ଯାଇଥାଏ । ଏହି ସନ୍ଧ୍ୟା ମୋତେ ମୋ’ର ନିଜ ଭିତରେ କେତେ ନା କେତେ ଗଭୀରକୁ ନେଇଯାଏ । ସେଠାରେ ମୁଁ ସମସ୍ତଙ୍କୁ ପାଏ ଓ ସମସ୍ତଙ୍କୁ ଏକାଠି ଯୋଡ଼ି ରଖିଥିବା ସୂତ୍ରଟିର ପରିପ୍ରେକ୍ଷୀରେ ନିଜକୁ ମଧ୍ୟ ପାଏ ।

 

୨୫ । ୭ । ୮୩

 

ବିଶ୍ୱାସ ରଖିବାଲାଗି ଆଉ ଚତୁର୍ଦ୍ଦିଗରେ ଗୋଟିଏ ହେଲେ ପ୍ରମାଣ ଦେଖିବାକୁ ମିଳୁନାହିଁ ବୋଲି ଯିଏ କେଡ଼େ ଖେଦ କରି କହୁଛି, ମୁଁ ତାକୁ କହିବି ଯେ, ସିଏ ଆଗ ବିଶ୍ୱାସ ରଖୁ ଓ ବିଶ୍ୱାସ କରୁ । ତେବେ ତାକୁ କ୍ରମେ ସେଥିଲାଗି ଯାବତୀୟ ପ୍ରମାଣ ମିଳିବାକୁ ଆରମ୍ଭ କରିବ, ଆପଣା ଉପରେ ବିଶ୍ୱାସ କଲେ ସିଏ କ୍ରମଶଃ ତା’ର ସେହି ବିଶ୍ୱାସର ସମର୍ଥନରେ ଯାବତୀୟ ପ୍ରମାଣ ପାଇବାକୁ ଆରମ୍ଭ କରିବ । ଆପଣା ଭିତରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଯେ ଏକ କେନ୍ଦ୍ର ରହିଛି ଓ ସେହି କେନ୍ଦ୍ରଯାଏ ପଡ଼ିଥିବା ପଥଟିକୁ ଉନ୍ମୋଚିତ କରି ରଖିପାରିଲେ ଜୀବନର ଯାବତୀୟ ନିର୍ଦ୍ଦେଶନା ଯେ ସେହି କେନ୍ଦ୍ରରୁ ହିଁ ମିଳି ପାରିବ, ଏହି ବିଶ୍ୱାସଟିକୁ ରଖିପାରିଲେ, ସେହି କେନ୍ଦ୍ରଟି ଯେ ଅଛି, ତାହାର କେତେ ନା କେତେ ପ୍ରମାଣ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଉପଲବ୍‌ଧ ହୋଇପାରିବ । ଏହି ଆକାଶ ଉପରେ ବିଶ୍ୱାସ ରଖି ପାରିଲେ ଆକାଶ ଦୃଢ଼ ନିର୍ଭରର କେତେ ନା କେତେ ବାହୁ ପ୍ରସାରିତ କରି ଆଣି ତା’ର ଅସ୍ତିତ୍ୱର ପ୍ରମାଣ ଦେଇଯିବ ।

 

ଅର୍ଥାତ୍, ଆଗେ ବିଶ୍ୱାସ କରିବାକୁ ହୁଏ, ତା’ପରେ ସେହି ବିଶ୍ୱାସ ଲାଗି ଯାବତୀୟ ପ୍ରମାଣ ବଳେ ବଳେ ମିଳିଯାଏ । ତା’ପରେ ସେହି ବିଶ୍ୱାସକୁ ଅଙ୍ଗେ ନିଭାଇବା ସମ୍ଭବ ହୋଇଯାଏ-। ଯିଏ ଆଗ ପ୍ରମାଣ ଖୋଜେ, ସିଏ ନିଜେ ନାନା ସଂଶୟର ଅଳନ୍ଧୁ ଭିତରେ ଏପରି ପୋତି ହେଲାପରି ହୋଇ ରହିଥାଏ ଯେ, ସିଏ ଏହି ଆକାଶଟାକୁ ମୋଟେ ଦେଖି ପାରେନାହିଁ, ଆକାଶ ତା’ର ଚତୁର୍ଦ୍ଦିଗରେ ବାହୁ ବିସ୍ତାର କରି ଅପେକ୍ଷା କରି ରହିଥିଲେ ମଧ୍ୟ ସିଏ ଆକାଶକୁ ଦେଖି ପାରେନାହିଁ । ଆପଣାର କେନ୍ଦ୍ରଟିକୁ ସିଏ ମୋଟେ ଅନୁଭବ କରି ପାରେନାହିଁ । ପାଚେରୀଗୁଡ଼ାକୁ ପ୍ରମାଣ ମାଗିବାରେ ଲାଗିଥାଏ । ମାତ୍ର, ପାଚେରୀଗୁଡ଼ାକ କିପରି ତାକୁ କେନ୍ଦ୍ରର ପ୍ରମାଣ ଆଣି ଦେଇପାରିବେ ?

 

୨୬ । ୭ । ୮୩

 

ଗୋଟାଏ ବାଜା ଭିତରୁ ଇଚ୍ଛାମତେ କୋଡ଼ିଏ ପ୍ରକାରର ବାଜା ଶୁଣିବାର ଆନନ୍ଦ ମିଳି ପାରୁଛି । ଯନ୍ତ୍ରୀ ସେହି ଯନ୍ତ୍ରଟିକୁ ଏପରି କୁଶଳତା ସହିତ ତିଆରି କରି ରଖିଛି ଯେ, ବୋତାମ ଟିପିଦେଲା ମାତ୍ରକେ ସେଥିରୁ ଭଳି ଭଳି ବାଦ୍ୟ ଓ ସ୍ୱର ଶୁଣିବାକୁ ମିଳୁଛି । ବୋତାମ ଟିପିଦେଲେ ପିଆନୋ ଶୁଣି ହେଉଛି, ବୋତାମ ଟିପିଦେଲେ ଜଳତରଙ୍ଗ ଶୁଣି ହେଉଛି, ବୋତାମ ଟିପିଦେଲେ ପଞ୍ଚମ ଶୁଣି ହେଉଛି ଓ ପୁନର୍ବାର ବୋତାମ ଟିପିଦେଲେ ଧୈବତ ବି ଶୁଣି ହେଉଛି । ଶୁଣୁ ଶୁଣୁ ନିଜକୁ ମଧ୍ୟ ସାକ୍ଷାତ ଗୋଟିଏ ଯନ୍ତ୍ର ପରି ମନେ ହେଉଛି । ଯନ୍ତ୍ରଟିର ଅତୁଳ କ୍ଷମତାକୁ ଅବାକ୍ ହୋଇ କଳନା କଲାବେଳକୁ ଆପଣାର ଭିତରଟା ମଧ୍ୟ ସତେଅବା ମନ୍ତ୍ରର ସ୍ମୃତିରେ ମୁଖରିତ ହୋଇ ଉଠୁଛି ।

 

ଯିଏ ଖାଲି ବଂଇଶୀ ଶୁଣିବାକୁ ଇଚ୍ଛା କରୁଛି, ବଂଇଶୀ ବଜାଇବାକୁ ଇଚ୍ଛା କରୁନାହିଁ, ସିଏ ଯନ୍ତ୍ର ହୋଇ ଯନ୍ତ୍ରଭିତରୁ ହିଁ ବଂଇଶୀ ଶୁଣୁଥାଉ ପଛକେ, ମୁଁ ବଂଇଶୀ ବଜାଇବି,–ବଜାଉ ବଜାଉ କେତେବେଳେ ନିଜେ ଯେ ଗୋଟିଏ ବଂଇଶୀରେ ପରିଣତ ହୋଇ ସ୍ୱୟଂ ବାଜିବାକୁ ଆରମ୍ଭ କରିବି, ସେକଥା ମୁଁ ମୋଟେ ଜାଣି ପାରୁନଥିବି । ତାହାକୁ ହୁଏତ ଆଉଗୋଟିଏ ପ୍ରକାରର ଯନ୍ତ୍ର ହେବା ବୋଲି କୁହାଯାଇ ପାରିବ । ତେଣୁ, ଖାଲି ବଇଁଶୀ ଶୁଣିବାକୁ ମୁଁ କଦାପି ଗୋଟାଏ ଯନ୍ତ୍ର ହୋଇ ବସିବାକୁ ଯିବିନାହିଁ, ସେଥିଲାଗି କଦାପି ମୁଣ୍ଡ ବିକି ଦେବିନାହିଁ । ମୁଁ ନିଜେ ବଜାଇବି, ନିଜେ ବାଜିବି,–ଏବଂ ଶେଷରେ ନିଜେ ସେହି ଯନ୍ତ୍ରଟିରେ ପରିଣତ ହୋଇଯିବି । ସେହି କ୍ଷେତ୍ରରେ ମୁଣ୍ଡ ଆଦୌ କୌଣସି କରାମତି ବାହାର କରିବାକୁ ଇଚ୍ଛା କରୁନଥିବ । ମୁଣ୍ଡ ବି ସମ୍ମତ ହୋଇ ସହଯୋଗ କରୁଥିବ, ଆପଣାକୁ ସେହି ଅସଲ ଆଡ଼କୁ ମୁହାଇ କରି ରଖିଥିବ, ବ୍ୟବହୃତ ହେବାଲାଗି ଅପେକ୍ଷା କରି ରହିଥିବ । ତେବେ ଯାଇ ସିଏ ବାଡ଼ଗୁଡ଼ାକୁ ଡେଇଁ ବାଟଟାଯାକ ସାଙ୍ଗରେ ରହି ପାରିବ ।

 

୨୭ । ୭ । ୮୩

 

ଏଇଟା ବି ଦରକାର, ସେଇଟା ବି ଦରକାର । ସେଥିଲାଗି ଚାରିପାଖରେ ଗୋଟିଏ ବଜାର ରହିଥିବା ଦରକାର ଏବଂ ଖାଲି ବଜାରରେ ନଅଣ୍ଟିଲେ ଗୋଟାଏ ସୁପରବଜାର ମଧ୍ୟ ଦରକାର । ମାତ୍ର, ସବାଆଗ ଯାହା ଦରକାର, ସେଇଟା ସର୍ବଦା ହିଁ ପାଖରେ ରହିଥିବା ଦରକାର । ସବାଆଗ ଦୁଇଟା କଥା ଦରକାର,–ପ୍ରଥମତଃ ନିଜ ଭିତରେ ଆପଣାର ଗୋଟିଏ କେନ୍ଦ୍ର ରହିଥିବା ଦରକାର ଏବଂ ମୋ’ ଚାରିପାଖରେ ଯଥାର୍ଥ ନାନା ସମ୍ବନ୍ଧରେ ଏପରି ଏକ ସମଗ୍ର ଗଠନ ରହିଥିବା ଦରକାର, ଯାହାକି ସେହି କେନ୍ଦ୍ରକୁ ଉଷ୍ମତା ଆଣିଦେଇ ପାରୁଥିବ, ଖିଅ ଯୋଗାଇଦେଇ ପାରୁଥିବ ଓ ବିସ୍ତାର ଆଣିଦେଇ ପାରୁଥିବ ।

 

ଏହି ବଜାର ଭିତରକୁ ଆସିଥିବା ବେଳେ ମନେହୁଏ, ସତେ ଯେପରି ଅଧିକରୁ ଅଧିକ ମଣିଷ ଏଠାରେ କେବଳ ପରିଧିଗୁଡ଼ାକୁ ବଢ଼ାଇବାରେ ଲାଗିଛନ୍ତି ଏବଂ ସେହି ନିଶାରେ ଆପଣାର କେନ୍ଦ୍ରଟିକୁ ଓ ଆପଣାର ଖିଅଗୁଡ଼ିକୁ କୁଆଡ଼େ ହରାଇଦେଇ ସାରିଲେଣି । ଆପଣାର ପରିଧିଗୁଡ଼ିକୁ ପ୍ରାୟ ବ୍ୟଭିଚାରୀ ଭାବରେ ବଢ଼ାଇ ସେମାନେ ପ୍ରାୟ ଏକ ଅନିଷ୍ଟକାରୀ ହୃଷ୍ଟତା ସହିତ ଅନ୍ୟ କେତେ କେତେ ମଣିଷଙ୍କର ପରିଧିକୁ ଗ୍ରାସ କରିବାରେ ଲାଗିଛନ୍ତି । ପରିଧିଗୁଡ଼ାକ ଓ ନାହୁଡ଼ଗୁଡ଼ାକ ବଢ଼ାଇବାରେ ହୁଏତ ଆପଣାର ଆଦୌ କୌଣସି କେନ୍ଦ୍ର ନଥିବାର ଏକ କ୍ଷତିପୂରଣ ସମ୍ଭବ ହୋଇଯିବ ବୋଲି ସେମାନେ ବିଚାର ମଧ୍ୟ କରି ବସିଛନ୍ତି । ସେଇଥିଲାଗି ଏଠି କୌଣସିଠାରେ କୌଣସି ଭୂଇଁ ରହିଥିବା ପରି ମୋଟେ ମନେ ହେଉନାହିଁ । ପ୍ରତ୍ୟେକେ ଆପଣା ଆପଣାର ଭୂମି ବିସ୍ତାର ଲାଗି ଏତେ ଅଧିକ ପରିମାଣରେ ବ୍ୟାକୁଳ ଓ ଆତୁର ହୋଇ ଧାଇଁଛନ୍ତି ଯେ, ଅସଲ ଭୂମିଟିରୁ ହୁଡ଼ିକରି ହିଁ ରହି ଯାଇଛନ୍ତି । ଏହି ଭିଡ଼ ଭିତରେ ଏମାନେ ଭାରି ଏକୁଟିଆ ହୋଇ ରହିଛନ୍ତି, ଭାରି ଦରିଦ୍ର ହୋଇ ରହିଛନ୍ତି ।

 

୩୦ । ୭ । ୮୩

 

ଦୂରତା କଷ୍ଟ ଦିଏ । ଦୂରତା ଅନେକ ସମୟରେ ଡୋର ଛିଣ୍ଡାଇ ପକାଇଲା ପରି ମନେହୁଏ । ଏଠାରେ ମୁଁ ବାହାର ଦୂରତାର କଥା ଆଦୌ କହୁନାହିଁ । ବାହାର ଦୂରତାକୁ ଅତିକ୍ରମ କରିବାକୁ ହେଲେ ଚାହିଁଲାମାତ୍ରକେ ତ ପାଖରେ ଯାଇ ପହୁଁଚି ଯାଇହୁଏ । ମାତ୍ର, ବାହାର ଦୂରତା ସକାଶେ ହଠାତ୍ ନିଜ ଭିତରେ ମଧ୍ୟ ଯେଉଁ ଦୂରତାବୋଧ ଅନ୍ତତଃ ସାମୟିକ ଭାବେ ହୋଇଥାଏ, ଏଠି ମୁଁ ସେହି ଦୂରତା କଥା କହୁଛି ।

 

ଏହି ଦୂରତାକୁ ଜୟ କରିବାକୁ ହେଲେ ଅନେକ ବିଶ୍ୱାସ ଦରକାର ହୋଇଥାଏ । ଏହି ବିଶ୍ୱାସ ବାହାରୁ ମିଳେନାହିଁ, ନିଜ ଭିତରୁ ହିଁ ମିଳେ । ସଂସାରଟାଯାକ କେବଳ ମୋ’ରି ବରାଦରେ ଚଳୁନାହିଁ, ଏହି ସବୁକିଛିକୁ ଏକତ୍ର ସମ୍ଭାରି ଧରି ଆଉକିଛି ଏକ ସୂତ୍ରରୂପେ ଅବସ୍ଥିତ ରହିଛି, ଯାହାକି ଏହି ସବୁକିଛିକୁ ସମ୍ଭାରି ରଖିଛି, ସବୁକିଛିକୁ ଧରିରଖିଛି ଓ ସବୁକିଛିର ହେପାଜତ କରୁଛି, ଆପଣା ଭିତରୁ ଏହିପରି ଗୋଟିଏ ବିଶ୍ୱାସକୁ ଖୋଜି ପାଇବାକୁ ହୋଇଥାଏ । ତେବେ ଯାଇ, ବାହାରର ଅଥବା ଭାବନାର ଏହି ଯାବତୀୟ ଦୂରତା ସତ୍ତ୍ୱେ ଯେଉଁ ସୂତ୍ରଟି ସବୁକିଛିକୁ ଏକତ୍ର ଗଅଁଠାଇ ରଖିଛି, ଯାହା ମୋ ଭିତରେ ରହିଛି ଓ ମୁଁ ଯାହାକୁ ଦୂର ବୋଲି ଭାବୁଛି ତା’ ଭିତରେ ମଧ୍ୟ ରହିଛି, ସେହି ସୂତ୍ରଟିକୁ ମୁଁ ଅତ୍ୟନ୍ତ ପ୍ରତ୍ୟେକ୍ଷ ଭାବରେ ଅନୁଭବ କରିବାକୁ ସମର୍ଥ ହୁଏ । ସେତେବେଳେ ଏହି ତଥାକଥିତ ଦୂରତାଗୁଡ଼ାକ ମଧ୍ୟ ସତେଅବା କେବଳ ଏକ ସଂଯୋଜନକାରୀ ସୂତ୍ରରେ ରୂପାନ୍ତରିତ ହୋଇଯାଏ । ଶୂନ୍ୟଗୁଡ଼ାକ ପୂରି ଉଠେ, କ୍ଷତଗୁଡ଼ାକ ପୂରିଉଠେ, ଏଠୁ ଥାଇ ମଧ୍ୟ ଦେଖିହୁଏ, ପାଖରେ ରହି ହୁଏ । ଏବଂ, ଏହି ସୂତ୍ରଟିକୁ ଅନୁଭବ କରିବା ଦ୍ୱାରା ଏଠି ସେଠି ସବୁକିଛି ଶୁଭରେ ହିଁ ପରିଣତ ହୋଇଯାଏ । ଦୂରତାବୋଧ –ଜନିତ ଯାବତୀୟ ଅଶୁଭ କୁଆଡ଼େ ମିଳାଇଯାଏ । ସବୁ ପାଖରେ ଥିଲା ପରି ମନେହୁଏ, ଛୁଇଁକରି ରହିଥିବା ପରି ମନେହୁଏ ।

 

୩୧ । ୭ । ୮୩

 

ଅନାବନା ଶାଗ ଦେଖିଲେ ସବାଆଗ ବୋଉର କଥା ମନେ ପଡ଼ିଯାଏ । ବୋଉ ହିଁ ମୋତେ ଅନାବନା ଶାଗର ସୁଆଦ ଚାଖି ଶିଖାଇଥିଲା । ମୁଁ ଘରକୁ ଗଲେ ସିଏ ବାରିକୁ ଯାଇ ପଚିଶି ପ୍ରକାରର ପତର ଆଣି ମୋ ପାଇଁ ଶାଗ ଭାଜି ଦେଉଥିଲା ।

 

ହୁଏତ ସେଇଥିପାଇଁ ମୋତେ ଏବେ ମଧ୍ୟ ଅନାବନାକୁ କୌଣସି ଡର ମାଡ଼େ ନାହିଁ । ଅନାବନା ଭିତରକୁ ଯିବାଲାଗି ମଧ୍ୟ କେବେହେଲେ ଡର ମାଡ଼େ ନାହିଁ । ବେଳେବେଳେ ଜୀବନଟା ବି ଅନାବନା ହୋଇ ପଡ଼ିଥିବା ସମୟରେ ଥିର ହୋଇ ଏକାବେଳେକେ ଆପଣାର ପରି ତାହା ଆଡ଼କୁ ଅନାଇ ରହିବାକୁ ଇଚ୍ଛା ହୁଏ । ଶ୍ରଦ୍ଧାର ସହିତ ତା’ର ଏକାବେଳେକେ ପାଖରେ ଠିଆହୋଇ ଆଘ୍ରାଣ କରିବାକୁ ମନ ହୁଏ । ଆମ କୃତ୍ରିମ ରୁଚିଗୁଡ଼ାକର ସଂସାରରେ ଯାହାକୁ ପ୍ରାୟ ଏକ ଶାସ୍ତ୍ରୀୟ ସମର୍ଥନ ସହିତ ଅଲିଅଳମାନେ sophisti–cation ବୋଲି କହିଥାନ୍ତି, ତାହାଠାରୁ ଅନାବନା ଭିତରେ ଆଦୌ ଅଧିକ ବିପଜ୍ଜନକତା କେବେ ନଥାଏ । ନିଜପାଇଁ ମୁଁ ଅନାବନା ଅପେକ୍ଷା ସେହି ନାକଟେକା holier than thou ଦ୍ୱାରା ଦୂଷିତ sophistication ଗୁଡ଼ାକୁ ଅଧିକ ପରିମାଣରେ ଭୟ କରିଥାଏ । ଯେଉଁମାନେ ନିଜ ବଗିଚାରେ ଆପଣାର ସକଳ ଅହଂକାରୀ କର୍ତ୍ତୃତ୍ୱକୁ ଖଟାଇ ଆପଣାର ମନୋମତ ଗଛ ଗୁଡ଼ାକୁ ହିଁ ସିଧା ଧାଡ଼ୀରେ ଲଗାନ୍ତି ଓ ବାଟରେ ଆଉ ଯାହାକିଛି ପାଆନ୍ତି, ବଗିଚାକୁ ନିର୍ମଳ ରଖିବେ ବୋଲି ତାକୁ ଅତ୍ୟନ୍ତ ନିର୍ମମ ଭାବରେ ଚାଞ୍ଛି ସଫା କରି ଦିଅନ୍ତି, ସେମାନଙ୍କ ଭିତରକୁ ଅନାଇଦେଇ ମୁଁ ସତେଅବା କେଉଁ ମର୍ମର ପଥର ଉପରେ ଝୁଣ୍ଟି ପଡ଼ିଗଲା ପରି ଅନୁଭବ କରିଥାଏ । ସେମାନଙ୍କର ସାଙ୍ଗ ହେବାକୁ ମୋଟେ ମନ ହୁଏନାହିଁ । ସେମାନଙ୍କର ଏକସିଙ୍ଗିଆ ବହିଗୁଡ଼ାକ ଠାରୁ ଯଥାସମ୍ଭବ ଅଧିକ ଦୂରରେ ରହିବାକୁ ମନ ହୁଏ ।

 

୧ । ୮ । ୮୩

 

ଅନାବନା ଶାଗ ଖାଇବା ଦିନ ନିଶି ବାଇଆଣୀ କଥା ମନେ ପଡ଼ିଯାଏ । ନିଶି ବାଇଆଣୀର ଝିଅ ଥିଲା, ଜୁଆଁଇ ଥିଲା,–ତଥାପି ତାକୁ ଲୋକ ବାଇଆଣୀ ବୋଲି କହୁଥିଲେ । ସିଏ ଯୋଉଦିନ ଯାହାଘରେ କାମ କରୁଥିଲା, ତା’ରି ଘରେ ଖାଉଥିଲା । ପଖାଳ କଂସାଏ ପାଇଲେ ତାକୁ ଅବଢ଼ା କିମ୍ବା ଅମାଲୁ ପରି ଲାଗୁଥିଲା । କିଏ କେବେ ଦୟା କରି ଛିଣ୍ଡା ଲୁଗାଟିଏ ଦେଲେ ସେଇଥିରେ ତା’ର ଛଅମାସ କଟି ଯାଉଥିଲା । କାହା ଘରେ ବାରିପିଣ୍ଡାରେ କିମ୍ବା ଢିଙ୍କିଚାଳୀରେ ରାତିକ ଶୋଇବାକୁ ପାଇଲେ ସିଏ ସୁଖନିଦ ଶୋଇ ପାରୁଥିଲା । ତଥାପି ଲୋକେ ତାକୁ ବାଇଆଣୀ ବୋଲି କହୁଥିଲେ । ପିଲାଏ ବାଇଆଣୀ ବୋଲି କହି ତା’ ପଛରେ ଗୋଡ଼ାଉ ଥିଲେ ।

 

କିନ୍ତୁ ଗୋଟିଏ କଥା ମୋ’ର ଭାରି ମନେ ଅଛି, ମୋତେ ନିଶି ବାଇଆଣୀ ଚିନ୍ତ ବୋଲି ଡାକୁଥିଲା, ମୁଁ ଶାଗ ଖାଇବାକୁ ଭଲ ପାଏ ବୋଲି ସିଏ ଜାଣିଥିଲା, ସବୁବେଳେ ମନେ ରଖିଥିଲା । ମୁଁ ଘରକୁ ଆସିଛି ବୋଲି ଜାଣିଲେ ସିଏ କୋଉଠୁ କ’ଣ ସବୁ ଶାଗପତର ଛିଣ୍ଡାଇ ବୋଉ ପାଖରେ ଆଣି ଦେଇ ଯାଉଥିଲା । ମୁଁ ଗାଆଁରେ ଥିବାତକ ଏହିପରି କରୁଥିଲା । କେଉଁଦିନ ପୁଳାଏ ସୁନୁସୁନିଆ ଛିଣ୍ଡାଇ ନେଇ ଆସୁଥିଲା ତ ଆଉ କେଉଁଦିନ ଚୁଆରୁ କଳମଶାଗ କିଛି । ବୋଉ ମୋତେ ଖାଇବାକୁ ଦେଲାବେଳେ କହୁଥିଲା, ନିଶି ବାଇଆଣୀ ତୋ’ ପାଇଁ ଦେଇଯାଇଛି । ଅନାବନା ମଣିଷଙ୍କ ଭିତରେ ଏତେ ଯେ ସ୍ନେହ ଭର୍ତ୍ତି ହୋଇ ରହିଥାଏ, ସେହି କଥା ମୋତେ ନିଶି ବାଇଆଣୀ ଶିଖାଇଥିଲା । କୌଣସି ଏକ ସ୍ନେହରୁ ବଞ୍ଚିତ ହୋଇ ଦୁର୍ଭାଗ୍ୟ ଭୋଗି ନିଶିର ସଂସାର ଉଜୁଡ଼ି ଯାଇଥିଲା ଓ ସିଏ ବାଇଆଣୀ ହୋଇ ବୁଲୁଥିଲା ସତ, ମାତ୍ର ତଥାପି ତା’ ଭିତରର ସ୍ନେହ ସଜୀବ ହୋଇ ରହିଥିଲା । ପ୍ରକ୍ଷେପିତ ହୋଇ ତାହା ମୋ’ରିପରି କେତେଟା ମଣିଷଙ୍କର ପାଖରେ ଆପଣାକୁ ଅଭିବ୍ୟକ୍ତ କରିବାକୁ ମନ କରୁଥିଲା ।

 

୨ । ୮ । ୮୩

 

ବାହାରେ ଯୋଉଠି ସେଠି ଥିଲେ ଅନାବନା, ସଜାଇକରି ନିଜର କରି ରଖିଲେ ତାହା ନିଜର, ବାଗର ଏବଂ ସୁନ୍ଦର । ସଂସାରରେ ଥିଲେ ଅନାବନା ଓ ନିଜର ହେଲେ ତାହା ଭଲ,–ଏହି ଯୁକ୍ତି ଓ ଏହି ଦୃଷ୍ଟିକୁ ମୁଁ କେବେହେଲେ ହଜମ କରି ପାରିନାହିଁ ।

 

ଯେତିକି ସ୍ୱୀକୃତ, ସେତିକି ଭଲ,–ଆଉସବୁ ଅନାବନା, ଅନେକ ସମୟରେ ଏହି ଦୃଷ୍ଟିଟା ମୋତେ ଗୋଟାଏ ଜଙ୍ଗଲୀ ଦୃଷ୍ଟି ପରି ମନେହୁଏ । ମୋ’ ନିଜ ଧର୍ମଟି ମୋ’ ଦ୍ୱାରା ସ୍ୱୀକୃତ, ଅର୍ଥାତ୍ ମୋ’ର ନିଜ ଧର୍ମଟି ଭିତରେ ମୁଁ ସ୍ୱୀକୃତ,–ତେଣୁ, ମୋ’ର ଆଖିରେ ଆଉ ସବୁଯାକ ଧର୍ମ ଅନାବନା ପରି ଦେଖା ଯାଉଥିବେ । ମୋ’ର ନିଜ ପରିବାରଟି ମୋ’ର, ମୁଁ ତାକୁ କେଡ଼େ ବାଗରେ ନିଜର କରି ରଖିଛି,–ଏଥିରେ ଥିବା ପିଲାମାନେ ମୋ’ ନିଜର ପିଲା,–ଏଣୁ ଏଇଟି ମୋ’ ପାଇଁ ସବାଆଗ; ଏବଂ, ଏହା ବାହାରେ ଆଉ ଯେତେ ପରିବାର ରହିଛନ୍ତି ଓ ଯେତେ ପିଲା ରହିଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ଅନାବନା । ମୁଁ ଏଭଳି ଦୃଷ୍ଟିଗୁଡ଼ାକୁ ବର୍ବର ବୋଲି ଭାବେ । ସେହିପରି ଅନେକ ଲୋକ ନିଜର ଭାଷାକୁ, ନିଜର ଅଭ୍ୟାସ ଓ ସଂସ୍କାରଗୁଡ଼ାକୁ ଠିକ୍ ବୋଲି କହି ଆଉ ବାହାରର ସବୁକିଛିକୁ ଅନାବନା ବୋଲି ମଣିଥାନ୍ତି । ସେମାନେ ଆପଣା ଅନ୍ଧପୋଟଳିରେ ବାନ୍ଧିହୋଇ ରହିଥାନ୍ତି । ବାହାରକୁ ଦେଖି ପାରନ୍ତିନାହିଁ, ବାଡ଼ ସେପାଖକୁ ଦେଖି ପାରନ୍ତିନାହିଁ, ଏବଂ ତେଣୁ ନିଜଟାକୁ ମଧ୍ୟ ଯଥାର୍ଥ ଭାବରେ ଅନୁଭବ କରି ପାରନ୍ତିନାହିଁ । ଏଭଳି ମଣିଷଙ୍କ ପାଖକୁ ଆସିଲେ ଭାରି ନିରାଶ ହେବାକୁ ପଡ଼ିଥାଏ । ଏମାନଙ୍କ ପାଖକୁ ଆସିବାଲାଗି ଯେତେ ଚେଷ୍ଟ କଲେ ମଧ୍ୟ ତଥାପି ପାଖକୁ ଆସି ହୁଏନାହିଁ ।

 

୩ । ୮ । ୮୩

 

କାମ ଅଧିକ ହେଲେ ମୋଟେ ବୋଧେ ନାହିଁ, ମାତ୍ର କାମ ଅଟକିଗଲେ ଭାରି ଖରାପ ଲାଗେ । ସକାଳୁ ଆପଣାକୁ ପୂର୍ଣ୍ଣ ପ୍ରସ୍ତୁତ କରି ଯାହା ପାଖରେ ବସିବା କଥା କାହାରି ପାଖରେ ଆସି ବସିବାକୁ ବାହାରିବା ମାତ୍ରକେ ଯଦି ବାହାରୁ ଆଉକିଏ ଆସି କବାଟ ଖଡ଼ଖଡ଼ କରେ ଏବଂ ଯଦି ସକାଳ ଗୋଟାକ ତାହାରି ସହିତ ଯାଏ, ତେବେ ଦିନ ସରିବା ବେଳକୁ ଆପଣାର ସତେଅବା ଭାରି ଉତ୍‌ଚ୍ଛିନ୍ନ ପରି ମନେହୁଏ । ସକାଳୁ ମଣିଷ ଯୋଉ ଡାଳରୁ ବାହାରି ସଂସାର ଭିତରେ ବିଚରଣ କରୁଥାଏ, ସନ୍ଧ୍ୟାକୁ ପୁନର୍ବାର ସେହି ଡାଳକୁ ଫେରିଆସିଲେ ଯାଇ ସମସ୍ତ ଦିନଟି ସମୁଚିତ ଭାବରେ ବଞ୍ଚିପାରିବା ସମ୍ଭବ ହେଲାପରି ବୋଧ ହୁଏ । ମାତ୍ର, ଯଦି ଦିନମାନ ବୃଥା କଟିଯାଏ, ଯଦି ଆପେ ବରି ନେଇଥିବା କାମଗୁଡ଼ିକ ନିଜର ସବୁ ଇଚ୍ଛା ସତ୍ତ୍ୱେ ତଥାପି କରି ହୋଇ ପାରି ନଥାଏ, ତେବେ ଦିନ ଶେଷରେ ଡାଳଟି ପାଖକୁ ମୋଟେ ଫେରି ଆସିଲା ପରି ଲାଗେନାହିଁ । ନିଜ ଘରଗୁଡ଼ାକ ଆଖି ଆଗରେ ଦେଖା ଯାଉଥିଲେ ମଧ୍ୟ ତଥାପି ନିଜ ଘରଭିତରେ ରହିଥିବା ପରି ଅନୁଭବ ହୁଏନାହିଁ ।

 

ମୋତେ କାମଗୁଡ଼ାକ ଭଲ ଲାଗେ, କାରଣ ମୋ’ କାମଗୁଡ଼ାକ ମୋ’ ଉପରେ ଆଦୌ ଲଦା ହୋଇ ନଥାଏ । ମୋ’ର କାମଗୁଡ଼ିକୁ ମୁଁ ନିଜେ ଆଦରି ନେଇଥାଏ । ସେଇଥିଲାଗି କାମ କରୁଥିବା ପର୍ଯ୍ୟନ୍ତ ମୁଁ ଆପଣା ପାଖରେ ରହିଥାଏ, ଆପଣ ସହିତ ଖିଅ ଲଗାଇ ରହିଥାଏ, ସଂସାର ସହିତ ଖିଅ ଲଗାଇ ରହିଥାଏ । ଯେଉଁମାନେ ବାଧ୍ୟ ହୋଇ କାମ କରନ୍ତି, ସେମାନେ କାମଗୁଡ଼ାକୁ ବୋଝ ପରି ମନେ କରନ୍ତି ଓ ସେହି ବୋଝଗୁଡ଼ାକୁ ଫୋପାଡ଼ି ଦେଇ ଆଉ କୁଆଡ଼େ ପାରିଧି କରିଯିବାକୁ ହିଁ ଜୀବନର ଅସଲ ସ୍ୱାଦ ବୋଲି ମାନି ନେଇଥାନ୍ତି । ମୁଁ ସେମାନଙ୍କର ଦଳରେ ମୋଟେ ମିଶି ପାରେନାହିଁ ।

 

୪ । ୮ । ୮୩

 

ଆଗ କୌଣସି କଥା ଭୁଲିଗଲେ ସେହି ଭୁଲିଯିବା ଜନିତ ଗ୍ଳାନିରୁ ହିଁ ମନଟା ବିକ୍ଷୁବ୍‌ଧ ଓ ଉତ୍ତେଜିତ ହୋଇଉଠେ ଅଥବା କୌଣସି କାରଣରୁ ମନଟା ବିକ୍ଷୁବ୍‌ଧ ଓ ଉତ୍ତେଜିତ ହୋଇପଡ଼ିଲେ ସେହି ଉତ୍ତେଜନାରେ ହିଁ ଅନେକ ମନେ ରଖିବାର କଥା ଭୁଲି ହୋଇଯାଏ,–ସେକଥା ମୁଁ ସହଜରେ ଠିକ୍ କରି ପାରୁନାହିଁ ।

 

ମାତ୍ର, ଗୋଟିଏ କଥା ନିଶ୍ଚୟ ଠିକ୍ ହୋଇଥିବ ବୋଲି ମୁଁ ଅନୁମାନ କରି ପାରୁଛି । ଭୁଲିବାଟା ଏକ କାରଣ ଅଥବା ପରିଣାମ ଯାହା ହୋଇଥାଉ ପଛକେ, ସେତେବେଳେ ତଥାପି ଏକାବେଳେକେ ସ୍ଥିର ହୋଇଯିବାକୁ ହୁଏ । ମୁଁ ଯେ କୌଣସି କଥା ଭୁଲି ଯାଇଛି, ସେହି କଥାଟିକୁ ଭୁଲିଯିବାକୁ ହୋଇଥାଏ । ତେବେ, କାଳକ୍ରମେ ଅସଲ କଥାଟି ପୁଣି ମନେ ପଡ଼ିଯାଏ, ଖାଲି ମନେ ପଡ଼ିଯାଏ ବୋଲି କହିଲେ ସମ୍ପୂର୍ଣ୍ଣ କଥା କୁହା ଯିବନାହିଁ । ଅସଲ କଥାଟି ମନ ଭିତରେ ହଠାତ୍ ଆସି ଦିଶିଗଲା ପରି ଲାଗେ । ଏବଂ ତା’ ପରେ ହଜିଥିବା କଥାଟି ବଳେ ବଳେ ଆସି ମିଳିଯାଏ । ହଜି ଯାଇଥିବା ଜିନିଷଟି ବିଷୟରେ ବ୍ୟାକୁଳ ଏବଂ ଆହୁରି ବ୍ୟାକୁଳ ହେବାରେ ଲାଗିଥିବା ଯାଏ ହଜିବା ଜିନିଷଟି ସତେଯେପରି ଲୁଚକାଳି ଖେଳିବାରେ ଲାଗିଥାଏ, ମୋଟେ ଧରା ଦିଏନାହିଁ । ଥିର ହେବା, ଅର୍ଥାତ୍ ବିଶ୍ୱାସ ରଖିବା । କୌଣସି ଏକ ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ବିଶ୍ୱାସ ରଖିବା ହୁଏତ ମୋଟେ ନୁହେଁ, ମାତ୍ର ବିଶ୍ୱାସକୁ ହିଁ ନିଜ ଜୀବନର ପ୍ରାୟ ଏକ ସ୍ୱାଭାବିକ ଦୃଷ୍ଟିଭଙ୍ଗୀରେ ପରିଣତ କରିପାରିବା । ତେବେ ଯାଇ ଭିତରେ ସବୁକିଛି ହାଲୁକା ହୋଇଯାଏ । ହାଲୁକା ହେଲେ ସଚେତନତା ବଢ଼େ, ଓ ଯୁଗପତ୍ ଭାବରେ ସ୍ଥିରତା ମଧ୍ୟ ବଢ଼େ । ସେତେବେଳେ କେବଳ ନିଜଟା ଅପେକ୍ଷା ଆହୁରି ଅନେକ ଅଧିକକୁ ଦେଖିହୁଏ, ଅନେକ ଅଧିକକୁ ଠାବ କରି ହୋଇଯାଏ ।

 

୫ । ୮ । ୮୩

 

ଅନେକ miracleକୁ ନେଇ ଜୀବନ ବଞ୍ଚନ୍ତି, ମୁଁ ଏହି ସାକ୍ଷାତ ଜୀବନକୁ ହିଁ ଏକ miracle ବୋଲି ଅନୁଭବ କରେ ଓ ତେଣୁ ଖାସ୍ miracleର ପ୍ରମାଣ ପାଇବାକୁ ଆଉ ଆଦୌ କେଉଁଠାକୁ ଖୋଜିବାକୁ ଯାଏ ନାହିଁ । ଯେଉଁମାନେ ଜୀବନଠାରୁ ଅଲଗା କରି miracle ବୋଲି କେତେ କ’ଣ ଦେଖାନ୍ତି ଓ ସମସ୍ତଙ୍କୁ ଆଚମ୍ବିତ ବି କରନ୍ତି, ସେମାନଙ୍କୁ ଅଲୌକିକ ସାଧନକାରୀ ବୋଲି କୁହାଯାଏ । ଆମର ଏହି ପ୍ରାତ୍ୟହିକ ଜୀବନର ଖୋଜିବା ଓ ଲୋଡ଼ିବାରେ ଯାହାସବୁ ଘଟେ, ଅସଲ ଆଖିଟି ଦେଇ ଦେଖିଲେ ଏବଂ ଅସଲ ଗଭୀରକୁ ଯାଇ ତାହାକୁ ଛୁଇଁ ପାରିଲେ, ତାହାହିଁ ପ୍ରକୃତରେ ଯେ କୌଣସି miracle ପରି ଅନୁଭୂତ ହୋଇଥାଏ ।

 

ଏହିପରି ଭାବରେ ମୁଁ ନିଜକୁ ନେଇ କେତେ ଚମତ୍କୃତ ହୋଇଛି; ଅସଲ ଜାଦୁକର ଯେ ଏଇଠି ଭିତରେ ରହିଛି, ମୁଁ ଅତ୍ୟନ୍ତ ଅନୌପଚାରିକ ଭାବରେ ଆପଣାର ଆଖି ସାମନାରେ ତାହାର କେତେ ନା କେତେ ନିର୍ଦଶନ ପାଇଛି । ଯେଉଁ ମହାପୁରୁଷମାନେ ଅଲୌକିକତା ପ୍ରଦର୍ଶନ କରି ମଣିଷକୁ ତା’ ଭିତରୁ ବାହାରକୁ ହୁଡ଼ାଇ ନିଅନ୍ତି, ସେମାନେ ମଣିଷକୁ ତା’ ଭିତରର ଅସଲ ପଥରଟି ସହିତ, ସେହି ସ୍ପର୍ଶ ପଥରଟି ସହିତ ପରିଚିତ କରାଇ ଦେଇ ପାରୁଥାନ୍ତେ କି ! ଜୀବନ ସହିତ ଉଚିତ ଭାବରେ ଯୁକ୍ତ ହୋଇ ରହିଥିଲେ, ଅର୍ଥାତ୍, ପୂର୍ଣ୍ଣ ସମ୍ମତିକୁ ହିଁ ଜୀବନର ସର୍ବପ୍ରଧାନ ପ୍ରସ୍ଥରେ ପରିଣତ କରି ପାରିଥିଲେ ମଣିଷ ଯେ ତା’ର ସାନ ବଡ଼ ସକଳ ବିଚରଣରେ ଏବଂ ସୂତ୍ର ସ୍ଥାପନରେ ଆପଣା ଭିତରେ ସତତ ଏକ ଚମତ୍କାର ପ୍ରତ୍ୟକ୍ଷ କରୁଥିବାର ଅନୁଭୂତି ଲାଭ କରି ପାରିବ, ସେକଥା ମହାପୁରୁଷମାନେ କହିଲେ ନୁହେଁ, ନିଜେ ଇଚ୍ଛା କଲେ ଯାଇ ସମ୍ଭବ ହୋଇ ପାରିବ ।

 

୬ । ୮ । ୮୩

 

ଭଗବାନଙ୍କୁ ଦେଖିଲେ ଆଖି ଖୋଲିଯାଏ । ଭଗବାନଙ୍କ ଦ୍ୱାରା ଖଞ୍ଜା ହୋଇ ରହିଥିବା ଏହି ପ୍ରକୃତିକୁ ପ୍ରକୃତରେ ଛୁଇଁଲା ପରି ଦେଖିଲେ ହୃଦୟ ଖୋଲିଯାଏ । ଏହି ସଂସାରରେ ସବୁ ଦୂରତା, ସବୁ ଅସୂୟା କୁଆଡ଼େ ଦୂର ହୋଇଯାଏ, ସେତେବେଳେ ଏହି ସଂସାରକୁ ପୂର୍ଣ୍ଣ କରି ଗୋଟାଏ ଡୋର ସମସ୍ତଙ୍କୁ ଏକତ୍ର ଗୋଟିଏ ଆତ୍ମୀୟତାରେ ବାନ୍ଧି ରଖିଛି ବୋଲି ହୃଦୟଙ୍ଗମ କରିହୁଏ ।

 

ଏହିପରି ଏକ ବର୍ଷାମୁଖର ସକାଳେ ସେହି ଡୋରଟିକୁ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଅନୁଭବ କରୁ କରୁ ମୁଁ ଯେ ଆହୁରି କେତେ କାଳକୁ ଓ କେତେ ଲୋକକୁ ବିସ୍ତାରିତ ହୋଇଯାଏ, ସେକଥା ମୁଁ ନିଜେ ଜାଣି ପାରେନାହିଁ । ଏହି କିଛିହେଲେ ମୋ’ଠାରୁ ମୋଟେ ଅଲଗା ଅଲଗା ନୁହନ୍ତି ବୋଲି ବରଷାର ଏହି ଚିହ୍ନା ଶବ୍ଦଟି କାନ ପାଖରେ ଆସି କହି ଯାଉଥିବା ପରି ମନେହୁଏ । ଏହି ସବୁକିଛି ଏକାଠି ହୋଇ କେବଳ ଗୋଟିଏ ମାତ୍ର ପ୍ରବାହ, କେବଳ ଗୋଟିଏ ଅନ୍ତରଙ୍ଗତା । ଏହି ଅନ୍ତରଙ୍ଗତାକୁ ଜାଣିଲେ ସବୁ ଜାଣିହୁଏ; ଏହି ଅନ୍ତରଙ୍ଗତାକୁ ଅନୁଭବ କଲେ ସୃଷ୍ଟିର ସବୁକିଛି ମୋତେ ଏକାବେଳେକେ ଲାଗିକରି ରହିଥିବା ପରି ଅନୁଭବ ହୁଏ ଓ ତା’ପରେ ସବୁକିଛି ହାଲୁକା ଲାଗେ, ଅର୍ଥାତ୍ ସବୁକିଛିକୁ ବୁଝିହୁଏ । ତା’ପରେ ଆପଣାକୁ ନେଇ କୌଣସି କୃଚ୍ଛ୍ର କରିବାକୁ ପଡ଼େ ନାହିଁ, ଅଥବା ଆପଣା ଭିତରେ ଥିବା ତଥାକଥିତ କୌଣସି ମନ୍ଦକୁ ଆଦୌ ମୁଖା ପିନ୍ଧିବାକୁ ପଡ଼େନାହିଁ । ଆଖି ଉପରୁ ଯାବତୀୟ କୃପଣତା ଏକାବେଳେକେ ଧୋଇ ହୋଇଯାଏ । ତାହା ହିଁ ମୁକ୍ତି । ତାହା ହିଁ ଆପଣା ଭିତରେ ସତ୍ୟର ଉଦ୍‌ଘାଟନ, ଆପଣା ଭିତରେ ସତ୍ୟର ଅନୁଭବ ।

 

୭ । ୮ । ୮୩

 

ବୋମା ଯେ ଆମ ପୃଥିବୀକୁ ଧ୍ୱଂସ କରିଦେବ, ମଣିଷର ଏହି ବିଶ୍ୱାସ ଦୃଢ଼ତର ହେବାରେ ଲାଗିଛି, ବିଭିନ୍ନ ଦେଶର ସରକାରମାନେ ମଧ୍ୟ ହିସାବ ସାହାଯ୍ୟରେ ଏହି କଥାଟିକୁ ଭଲରୂପେ ଜାଣି ସାରିଲେଣି, ତଥାପି ବୋମା ଉପରେ ନିର୍ଭରଶୀଳତା ଦୂର ହୋଇନାହିଁ, ବୋମାଗୁଡ଼ିକ ବିଜ୍ଞାନବୁଦ୍ଧିର କବଳରେ ପଡ଼ି ଯେତିକି ଅଧିକ ଭୟଙ୍କର ଓ ଘାତକ ହେବାରେ ଲାଗିଛନ୍ତି, ପୃଥିବୀର ବିଭିନ୍ନ ସରକାର ସେତିକି ଅଧିକ ସତର୍କତା ଅବଲମ୍ବନ କରି ବୋମାମାନଙ୍କୁ ସାଇତି ରଖିବାରେ ଲାଗିଛନ୍ତି । ଏହାକୁ ଆମ ଏ ସମୟରେ ଏକ ମର୍ମନ୍ତୁଦ ବିରୋଧ ବୋଲି କୁହାଯାଇ ପାରିବ । ମଣିଷର ବୁଦ୍ଧି ଯେ ପ୍ରକୃତରେ କେତେ ଅଳପ ଦେଖେ, ଏଥିରୁ ମଧ୍ୟ ତାହାର ପ୍ରମାଣ ମିଳିଯାଉଛି ।

 

ବୋମାର ଏକ ହୃଦ୍‌ବୋଧଯୋଗ୍ୟ ବିକଳ୍ପ ସରକାରମାନଙ୍କ ହାତରେ ନାହିଁ ଓ ଟିକିଏ ଚାଲାଖ ହେଲା ମାତ୍ରକେ ବୋମାଗୁଡ଼ିକ ସାହାଯ୍ୟସୂତ୍ରରେ ମିଳିଯାଉଛି ବୋଲି ସରକାରମାନେ ବୋମାର ପକ୍ଷକୁ ଢଳି ପଡ଼ୁଛନ୍ତି । ସରକାରଗୁଡ଼ାକ, ଅର୍ଥାତ୍ ପ୍ରତିଷ୍ଠିତ ରାଜନୀତିକ କ୍ଷମତା ପୃଥିବୀର ଭଲ ମନ୍ଦ, ବର୍ତ୍ତମାନ ଓ ଭବିଷ୍ୟତର ବିଚାର କରୁଥିବା ପର୍ଯ୍ୟନ୍ତ କ୍ଷମତାସୀନ ମାନଙ୍କ ଆଖିକୁ ଏହି ବୋମାଟା ହିଁ ଆପାତତଃ ପରିତ୍ରାଣକାରୀ ରୂପେ ଦେଖାଯିବାରେ ଲାଗିଥିବା କ୍ଷମତା ଲୋକମାନଙ୍କ ସ୍ତରକୁ ଆସିଲେ ଶକ୍ତିରେ ରୂପାନ୍ତରିତ ହୋଇଯାଏ । ଲୋକମାନଙ୍କ ହାତରେ ଅସଲ ରଜ୍ଜୁ ରହିବ, ରାଜନୀତି ଓ ପ୍ରଶାସନଗତ କ୍ଷମତା ସବାଶେଷରେ ଏହି ଲୋକଶକ୍ତି ଦ୍ୱାରା ନିରୂପିତ ଓ ନିୟନ୍ତ୍ରିତ ହେଉଥିବ, ତେବେ ଯାଇ ପୃଥିବୀକୁ ବୋମା ସ୍ଥାନରେ ଏକ ବିକଳ୍ପ ମିଳିପାରିବ । ତା’ ପରେ ଯାଇ ଭୟ କମିବ । ମଣିଷ ଆଉ ଅନ୍ୟକିଛି ଉପରେ ନିର୍ଭର କରି ଶିଖିବ । ଏହାହିଁ ବର୍ତ୍ତମାନର ବିପ୍ଲବଟି ଲାଗି ସମୁଖସ୍ଥ ତାରା ପରି ହୋଇ ରହିଛି ।

 

୮ । ୮ । ୮୩

 

ସାନ ସାନ ଗୋଷ୍ଠୀ, ଏକ ଅନ୍ୟ ଜୀବନଦୃଷ୍ଟି ନେଇ ସେମାନେ ଏକତ୍ର ବସିବେ, ଏକତ୍ର ଆଲୋଚନା କରିବେ, ଏକତ୍ର ଜୀବନ ବଞ୍ଚିବେ । ସେହି ଗୋଷ୍ଠୀଗୁଡ଼ିକ ମଧ୍ୟରେ ରହିଥିବା ସଦସ୍ୟମାନେ ପରସ୍ପର ସହିତ ଖୁସୀରେ ଆସି ଏକତ୍ର ହୋଇଥିବେ । କୌଣସି କର୍ତ୍ତୃତ୍ଵ କିମ୍ବା ଉଗ୍ର ଆଦର୍ଶବାଦ ସେମାନଙ୍କୁ ଏକତ୍ର କରାଇ ନଥିବ । ହୁଏତ ସେହିମାନେ ବର୍ତ୍ତମାନର ସକଳ ଅନିଶ୍ଚୟତା ଓ ନକାରାତ୍ମକତା ସତ୍ତ୍ୱେ ଏକ ବିକଳ୍ପ ରହିଛି ବୋଲି ଆବଶ୍ୟକ ବିଶ୍ଵାସଟିକୁ ସୃଷ୍ଟି କରିପାରିବେ ।

 

ଏମାନେ ଆଗ ଲଢ଼ିବେ ନାହିଁ, ଆଗ ବୁଝିବେ । ଆଗ ଯୁକ୍ତି ଦେଇ ଯୁକ୍ତିକୁ କାଟିବେନାହିଁ, ଆଗ ମର୍ମପ୍ରବେଶ କରିବେ । ସେମାନଙ୍କ ଆଖିକୁ ଭଲ ଗୁଡ଼ାକ ଖରାପଠାରୁ ଏଡେ ସ୍ପଷ୍ଟ ଭାବରେ ଆଦୌ ବାରିହୋଇ ପଡ଼ୁ ନଥିବ । ତେଣୁ, ସେମାନେ କୌଣସି ଭଲ ପାଇଁ partisan ହୋଇ ବାହାରି କୌଣସି ଖରାପ ବିରୁଦ୍ଧରେ ଯୁଦ୍ଧ ମଧ୍ୟ ଘୋଷଣା କରିବେ ନାହିଁ । ସେମାନେ ବୁଝିବେ, ଭୟଶୂନ୍ୟ ଭାବରେ ବୁଝିବାକୁ ଚେଷ୍ଟା କରିବେ । ଆପଣାକୁ ସାମିଲ କରି ସବୁକଥା ବୁଝିବେ । ତେଣୁ, ବୁଦ୍ଧି ସହିତ ହୃଦୟକୁ ମିଶାଇ ସେମାନେ ସବୁକଥା ବୁଝିବେ । ଆଗରୁ କୌଣସି ବାଟ ତିଆରି ହୋଇ ରହିନାହିଁ, ପ୍ରଧାନତଃ ପ୍ରେରଣାମାନ ରହିଛି । ବାଛି ନେବାଲାଗି ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଏକ ସ୍ଵାଧୀନତା ରହିଛି । ସେହି ପ୍ରେରଣାକୁ ସ୍ପର୍ଶ କରି ଓ ନିଜ ସ୍ଵାଧୀନତାକୁ ଏକ ମଜଭୂତ ସକାରାତ୍ମକ ଆଗ୍ରହରେ ପରିଣତ କରି ଆମେ ନିଜେ ଚାଲିବା ସକାଶେ ବାଟଟିଏ ବାଛିବା, ଆପଣାକୁ ଅନ୍ୟ ସମସ୍ତଙ୍କ ସହିତ ସମ୍ବନ୍ଧିତ କରି ରଖିବାଲାଗି ବାଟଟିଏ ଅର୍ଥାତ୍ ଜୀବନଧାରାଟିଏ ବାଛିବା, ତଥାପି ସେହି ବାଟ ଭିତରେ କିଳି ହୋଇ ରହି ଯିବାନାହିଁ । ବାଟ ଖୋଜୁଥିବା, ଏବଂ ବାଟ ଚାଲୁଥିବା । ଏହିଭଳି ଏକ ଦୃଷ୍ଟିକୋଣ ରହିଥିବା ମଣିଷମାନେ ଏକାଠି ହେଲେ ଓ ବାଟ ଚାଲିବା ଲାଗି ପ୍ରେରଣା ଦେଇ ପାରିଲେ ଆମ ଜଗତ ସମ୍ଭବତଃ ଅନେକ ପରିମାଣରେ ଯଥାର୍ଥରେ ଗତିଶୀଳ ହୋଇ ପାରିବ ।

 

୯ । ୮ । ୮୩

 

ଅଗଷ୍ଟ ନଅର ସମସ୍ତ ଆନୁଷ୍ଠାନିକ ଐତିହ୍ୟଟି କ୍ରମଶଃ କ୍ଷମତାସୀନମାନଙ୍କ ହାତରେ ପଡ଼ିଗଲା । ଯେଉଁମାନେ କ୍ଷମତାରେ ରହିଲେ, ସେମାନେ ଅଗଷ୍ଟ ନଅର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ହୃଦୟଙ୍ଗମ କଲେ ଓ ତାହାର ଏକ ବିକଳ୍ପ ରୂପେ ଅଗଷ୍ଟ ପନ୍ଦରର ଭିଆଣ କଲେ । ଅଗଷ୍ଟ ପନ୍ଦର ଦିନ କ୍ଷମତା ହସ୍ତାନ୍ତରର ସ୍ମାରକୀ ପାଳିତ ହେଲା । ସରକାର ତାକୁ ସ୍ଵାଧୀନତା ଦିବସ ବୋଲି କହିଲେ । ଆଉ ସଂଗ୍ରାମର ଆବଶ୍ୟକତା ନାହିଁ ବୋଲି ଦେଶବାସୀଙ୍କୁ ବୁଝାଇ ଦେବାକୁ ଚେଷ୍ଟା କଲେ । ଏବଂ, ଯେଉଁମାନେ କ୍ଷମତା ବାହାରେ ରହିଲେ, ସେମାନେ ଅଗଷ୍ଟ ନଅକୁ ରାଜନୀତିକ ଆୟୁଧଚାଳନାର ଦିବସ ରୂପେ ବ୍ୟବହାର କରିବାକୁ ଅଧିକରୁ ଅଧିକ ପରିମାଣରେ ଅଧିକ ବିଜ୍ଞତାପୂର୍ଣ୍ଣ ବୋଲି ମନେ କଲେ । ସେମାନେ ଏହି ଦିନଟିକୁ ଆପଣାର କୌଶଳ ପ୍ରୟୋଗ ଲାଗି ଏକ ସନ୍ତକରୂପେ ବ୍ୟବହାର କଲେ । ଦିନଟିର ଅସଲ ତାତ୍ପର୍ଯ୍ୟଟିକୁ ଗୋଳିଆମିଶା କରି ପକାଇଲେ । ଭାରତବର୍ଷର ଦ୍ଵିତୀୟ ବିପ୍ଲବ ନୁହେଁ, ନିଜ ନିଜ ଦଳର କ୍ଷମତାପ୍ରାପ୍ତି ହିଁ ସେମାନଙ୍କ ଲାଗି ଏହି ଦିନଟିର ସର୍ବପ୍ରଧାନ ତାତ୍ପର୍ଯ୍ୟ ହୋଇ ରହିଲା । ଅର୍ଥାତ୍, ଦୁହେଁ କ୍ଷମତାକୁ ହିଁ ସର୍ବପ୍ରଧାନ ଅବଲମ୍ବନ ବୋଲି ମଣି ସଂଗ୍ରାମର ଦିନଟିକୁ ଅନ୍ୟପ୍ରକାର କରିଦେଲେ ।

 

ଏହି ଅନ୍ୟ ପକ୍ଷ କ୍ଷମତାକୁ ଆସିଲେ ବର୍ତ୍ତମାନ କ୍ଷମତାସୀନ ହୋଇ ରହିଥିବା ପକ୍ଷଟି ପରି ଯେ କେଡ଼େ ଅଯୋଗ୍ୟ ହୋଇ ପାରନ୍ତି, ତାହା ସେମାନେ ଥରେ ପ୍ରମାଣ କରି ସାରିଛନ୍ତି । ତେଣୁ, ଅଗଷ୍ଟ ନଅ ସମ୍ଭବତଃ ଏକ ନୂତନ ନେତୃତ୍ଵ ଲାଗି ଅପେକ୍ଷା କରି ରହିଛି । ସେହି ନେତୃତ୍ଵ ସଂଗ୍ରାମର ନେତୃତ୍ଵ । ରାଜନୀତିର କ୍ଷମତାକାମୀ ଅନାଚାର ବିରୁଦ୍ଧରେ ମଣିଷର ସଂଗ୍ରାମ ଲାଗି ଭାରତ ଅପେକ୍ଷା କରି ରହିଛି ।

 

୧୦ । ୮ । ୮୩

 

ମଣିଷ ଭିତରେ ତା’ର ଅସଲ ରହସ୍ୟ ରହିଛି । ଅର୍ଥାତ୍, ତା’ ନିଜ ଭିତରେ ହିଁ ତା’ ଦେଖିବାର ଅସଲ ଆଖିଟି ରହିଛି, ସେହି ଆଖିଟିକୁ ସିଏ ଯେତିକି ଯୋଗ୍ୟ କରିପାରିବ, ଅର୍ଥାତ୍, ଯେତିକି ଅଧିକ ପରିମାଣରେ ଗ୍ରହଣଶୀଳ ସଂପ୍ରସାରଣଶୀଳ ଏବଂ ସଂବେଦନଶୀଳ କରିପାରିବ, ସିଏ ସେତିକି ଅଧିକ ପରିମାଣରେ ଆପଣା ଜୀବନର ସତ୍ୟଗୁଡ଼ିକୁ ଛୁଇଁପାରିବ, ସିଏ ସେତିକି ଅଧିକ ଗଭୀର ଭାବରେ ବଞ୍ଚିପାରିବ ।

 

ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ଭିତରଯାଏ ଯିବାକୁ ମୋଟେ ମନ କରନ୍ତିନାହିଁ-। ଭିତରକୁ ଯିବେନାହିଁ ବୋଲି କି କ’ଣ କେଜାଣି, ସେମାନେ ଏହି ଉପର ପରସ୍ତଟାରେ ହିଁ କେତେ କେତେ ରହସ୍ୟର ଗୋଟାଏ ପାଚେରୀ ତିଆରିକରି ରଖନ୍ତି, ଯାହାକୁ କି ସେମାନେ ନିଜେ ମଧ୍ୟ ଭେଦ କରି ପାରନ୍ତିନାହିଁ । ବାହାରର କେହି ଯେପରି ସେମାନଙ୍କ ଭିତରର ମୋଟେ କୌଣସି ଟେର ନପାଇବ, ପ୍ରଧାନତଃ ସେଇଥିଲାଗି ସେମାନେ ଉପରିଭାଗରେ ଗୋଟାଏ ରହସ୍ୟାବରଣ ତିଆରି କରି ରଖିଥାନ୍ତି । ମାତ୍ର କାଳକ୍ରମେ ସେମାନେ ନିଜେ ମଧ୍ୟ ସେହି ପାଚେରୀଟିର ଏପାଖରେ ରହିଯାଆନ୍ତି । ଏହି ପାଖରେ ହିଁ ଉତ୍ତେଜିତ ହୁଅନ୍ତି, ହୁଙ୍କାର ଦିଅନ୍ତି, ବେଳେ ବେଳେ ଆର୍ତ୍ତନାଦ ମଧ୍ୟ କରନ୍ତି; ମୁଖା ପିନ୍ଧନ୍ତି, ଅଭିନୟ କରନ୍ତି, ଜୀବନରେ ସଫଳ ହେଲେ ବୋଲି ବିଶ୍ଵାସ କରୁଥାନ୍ତି-। ମାତ୍ର ସତେଅବା ନିଜେ ମଧ୍ୟ ଆଖି ବୁଜି ରହିଥାନ୍ତି ଓ ସେହି ପାଚେରୀଗୁଡ଼ାକ ଦ୍ଵାରା ହିଁ ଅମୁହାଁ ହୋଇ ରହି ଯାଇଥାନ୍ତି । ସେମାନେ ନିଜକୁ କେତେ ରୋମାଞ୍ଚକର ଉପନ୍ୟାସର ରହସ୍ୟବୃତ ନାୟକ ପରି କରି ରଖିଥାନ୍ତି ଓ ହୁଏତ ଗୋପନରେ ରମଣ ବି କରୁଥାନ୍ତି ସତ, ମାତ୍ର ଆପଣାର ପାଚେରୀଟିକୁ ମୋଟେ ଭେଦ କରି ପାରନ୍ତିନାହିଁ । ନିଜକୁ ଭାରି ବଞ୍ଚିତ କରି ରଖିଥାନ୍ତି-

 

୧୧ । ୮ । ୮୩

 

ପୁଅ କ’ଣ କରୁଛି, ଅର୍ଥାତ୍ କେଉଁଠି ଅଛି, କେତେ ଟଙ୍କା ଦରମା ପାଉଛି, ସେକଥାକୁ ବାପାମାଆମାନେ ସବୁବେଳେ କେଡ଼େ ସରାଗରେ କହିଥାନ୍ତି । ମାତ୍ର, ପୁଅ କ’ଣ ହେଲା, ସେହି ବିଷୟରେ କିଛି କହିନଥାନ୍ତି । ପୁଅ ଗଧ ହେଲା କି ଘୁଷୁରି ହେଲା, କୋଢ଼ି ହେଲା କି ଠକ ହେଲା, ଚୋର ହେଲା କି ପାଜି ହେଲା, ସେକଥା କେହି କହନ୍ତିନାହିଁ । ପୁଅ ଯଦି ଏତେ ମୁଠା ଟଙ୍କା ରୋଜଗାର କରିପାରିଲା ଓ ଏଡେ ବଡ଼ ବାବୁପରି ଦିଶିଲା, ତେବେ ସେ ଯାହା ହେଉ ପଛକେ, ବାପାମାଆ ସେହି ବିଷୟରେ ମୋଟେ କୌଣସି ଖବର ରଖନ୍ତିନାହିଁ, କିମ୍ବା ସେହି ବିଷୟରେ ଆଦୌ କୌଣସି ଉଦ୍‌ବେଗ ପ୍ରକାଶ କରନ୍ତିନାହିଁ । ପୁଅ କ’ଣ ହେଲା, ସେହି ବିଷୟରେ ସତେ ଯେପରି ବାପା ମାଆଙ୍କର ଆଦୌ କୌଣସି ଦାୟିତ୍ଵ ତାହିଁ, ବାପାମାଆ ସେହିପରି ଏକ ଦୃଷ୍ଟିକୋଣ ପ୍ରକାଶ କରୁଥିବା ପରି ମନେ ହୋଇଥାଏ । ପୁଅର କ’ଣ ହେବା କିମ୍ବା ନହେବା ସଂପୂର୍ଣ୍ଣ ଭାବରେ ଭଗବାନଙ୍କର ଦାୟିତ୍ଵ ବୋଲି ସେମାନେ ଏକ ଅନ୍ୟ ସଂସ୍କାରର ବଶବର୍ତ୍ତୀ ହୋଇ ଧରି ନେଇଥାନ୍ତି-

 

ମାତ୍ର, ସମାଜର ହାନିଲାଭ ଦୃଷ୍ଟିରୁ ବିଚାର କଲେ, କିଏ କ’ଣ ହେଲା ବା କେତେ ଅଧିକ ପଇସା ରୋଜଗାର କଲା, ତାହା ଅପେକ୍ଷା କିଏ ପ୍ରକୃତରେ କ’ଣ ହେଲା, ତାହା ଅନେକ ଅଧିକ ମହତ୍ତ୍ଵପୂର୍ଣ୍ଣ । ଯଦି ଆମେ ଏହି ମନୁଷ୍ୟ ସୃଷ୍ଟିକୁ ଏକ ଅଭିପ୍ରେତ ସୃଷ୍ଟି ବୋଲି ବିଶ୍ଵାସ କରୁଥିବା, ତେବେ ସେହି ଦୃଷ୍ଟିରୁ ମଧ୍ୟ, ଆମ ପ୍ରତ୍ୟେକେ କ’ଣ ହେଲୁ ବା ନହେଲୁ, ତାହା ଅନେକ ଅଧିକ ମହତ୍ତ୍ଵପୂର୍ଣ୍ଣ । ସମାଜର ଜୀବ ହିସାବରେ ବାପାମାଆ ମାନଙ୍କର ଏହି ଦିଗରେ ସଂଶ୍ଳିଷ୍ଟ କରି ରଖିବାଲାଗି ନିଶ୍ଚୟ ଅନେକ କର୍ତ୍ତବ୍ୟ ରହିଛି ।

 

୧୨ । ୮ । ୮୩

 

ବେଳେ ବେଳେ ଆପଣାର ସବୁଯାକ ଦଉଡ଼ି ଆପଣା ଭିତରେ ରହିଥାଏ, ଆପଣାର ଭିତରେ ହିଁ ରହିଥାଏ । ଅର୍ଥାତ୍ ଭିତରେ ଯେଉଁଠି ଅସଲ କେନ୍ଦ୍ରଟି ଅବସ୍ଥିତ ରହିଛି, ତାହା ସହିତ ଖିଅ ଲାଗି ରହିଥାଏ । ସେତେବେଳେ ଆପଣାକୁ କୌଣସି ପ୍ରକାରେ ବାଧ୍ୟ କରିବାକୁ ପଡ଼େନାହିଁ । କୌଣସି ପ୍ରକାର ଅବିଶ୍ଵାସର ପ୍ରମାଦରେ ପଡ଼ିବାକୁ ହୁଏନାହିଁ । ଆପଣା ପାଖରେ ମୁଁ ବଳେ ବଳେ ଆସି ଧରା ଦିଏ । ଆପଣାଠାରୁ ଅନୁମତି ପାଇ କେତେ କୁଆଡ଼େ ଛୁଟିବାରେ ଲାଗିଥାଏ; ଆପଣା ପାଖରେ ଅବାଧ୍ୟ ହେବାର କୌଣସି ଅବକାଶ ହିଁ ନଥାଏ ।

 

ଆଉ ବେଳେ ବେଳେ ସତେଅବା ପଘା ଛିଣ୍ଡାଇ ପଳାଇଥାଏ, ଏବଂ ଲୁଚି ଲୁଚି ବୁଲୁଥାଏ । ଘରକୁ ଫେରି ଆସିବାକୁ ମନ ହେଉଥିଲେ ମଧ୍ୟ ତଥାପି, କୋଉ ଲାଜରେ କେଜାଣି, ମୋଟେ ଫେରି ଆସି ପାରୁ ନଥାଏ । ବାହାରେ ବୁଲୁଥାଏ ସତ, ମାତ୍ର ଭାରି କ୍ଳାନ୍ତ ଲାଗେ, ଉତ୍ତେଜିତ ହୋଇ ପଡ଼ିବାଲାଗି ସବୁପ୍ରକାର ଖୋରାକ ଆସି ଜୁଟି ଯାଉଥାଏ । ସେତିକିବେଳେ ଭାରି ନୀରବ ହୋଇଯିବାକୁ ହୁଏ, ଅତ୍ୟନ୍ତ ଥିର ହୋଇ ଖିଅଟି ମିଳିଯିବା ଲାଗି ଅପେକ୍ଷା କରିବାକୁ ହୁଏ, ଖିଅଗୁଡ଼ିକ ମିଳିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୁଏ । ନିଜ ବିଷୟରେ ଯାବତୀୟ ଗ୍ଳାନି ଆସି ଘୋଟି ଯିବାପାଇଁ ଭାରି ଚେଷ୍ଟା କରୁଥିଲେ ମଧ୍ୟ ତଥାପି ଭାରି ସାବଧାନ ହୋଇ ନିଜକୁ ସହଜ କରି ରଖିବାକୁ ହୁଏ, ହାଲୁକା କରି ରଖିବାକୁ ହୁଏ । ତା’ ପରେ ବେଳେ ଜାଣି ପୁଣି କବାଟ ଖୋଲିଯାଏ । ମୁଁ ଯାହା ସହିତ ପୁଣି ଗଅଁଠାଇ ହୋଇ ଯିବାପାଇଁ ଏଡେ ବିକଳରେ ଖିଅଟିଏ ଖୋଜୁଥିଲି, ସିଏ କେଡ଼େ ଧୈର୍ଯ୍ୟ ସହକାରେ ଓ କେଡ଼େ ସ୍ନେହରେ ମୋ’ ଲାଗି ଅପେକ୍ଷା କରି ରହିଥିବାର ଆଉ ଏକ ପ୍ରମାଣ ମିଳିଯାଏ । ଜୀବନରେ ଏଇଟି ହେଉଛି ମୋ’ର ଏକ ବଡ଼ ଅନୁଭୂତି-

 

୧୩ । ୮ । ୮୩

 

ଔଷଧ ମୋତେ କଦାପି ରୋଗମୁକ୍ତ କରାଇବ ନାହିଁ, ତାହା ମୋ’ର ରୋଗମୁକ୍ତିରେ ସାହାଯ୍ୟ କରିବ, ମୋ’ ରୋଗମୁକ୍ତିର ପ୍ରକ୍ରିୟାରେ ସହଯୋଗ କରିବ । ଅର୍ଥାତ୍, ମୁଁ ରୋଗମୁକ୍ତ ହୋଇ ରହିବାଲାଗି ଆଗ ଏକ ସଂକଳ୍ପ ନେବି । ଆହୁରି ଅଧିକ ନିର୍ଭୁଲ ଭାବରେ କହିଲେ, କୌଣସି ଏକ ବୃହତ୍ତର କାର୍ଯ୍ୟରେ ଲାଗିପାରିବା ସକାଶେ ମୁଁ ଏକ ସୁସ୍ଥ ଦେହର କାମନା କରିବି, ଅର୍ଥାତ୍ ଏକ ସୁସ୍ଥ ଦେହଲାଗି ଶ୍ରଦ୍ଧା ରଖିବି । ମୁଁ ସୁସ୍ଥ ହେବି, ଅର୍ଥାତ୍ ସ୍ୱାସ୍ଥ୍ୟକୁ ଲୋଡ଼ିବି । ମୋ’ର ସୁସ୍ଥ ରହିବା ମୂଳତଃ ମୋ’ ନିଜର ଦାୟିତ୍ଵ ହୋଇ ରହିଥିବ । ତା’ପରେ ଯାଇ ଔଷଧ ମୋତେ ତାତ୍କାଳିକ ଭାବରେ କୌଣସି ଏକ ବିଶେଷ ଅସୁସ୍ଥତାରୁ ମୁକ୍ତ ହୋଇ ଆସିବାରେ କିଛି ସାହାଯ୍ୟ କରି ପାରିବ-। ମାତ୍ର, ମୁଁ ଔଷଧ ଉପରେ ନିର୍ଭରଶୀଳ ହୋଇ ରହିବିନାହିଁ ଏବଂ ଔଷଧକୁ ଭଗବାନ୍ ମୋ’ ଦେହ ଉପରେ ଆଣି ବିଞ୍ଚି ଦେଉଥିବା ପାଦୁକପାଣି ବୋଲି ମୁଁ କଦାପି ଭ୍ରମ କରିବିନାହିଁ ।

 

ଯେକୌଣସି ନିର୍ଭରଶୀଳତା ହେଉଛି ଏକ ରୋଗ । ଆଗ ସେଥିରୁ ମୁକ୍ତ ହେବାକୁ ପଡ଼େ । ତା’ ପରେ ଯାଇ ଭିତରୁ ଜୀବନପ୍ରତି ଅସଲ ଶ୍ରଦ୍ଧାଟି ଉତ୍ପନ୍ନ ହୁଏ ଓ ତାହାହିଁ ମଣିଷକୁ ଶକ୍ତି ଦିଏ, ନାନା କାର୍ଯ୍ୟଲାଗି ସମର୍ଥ କରେ । ଔଷଧ ଉପରେ ନିର୍ଭରଶୀଳ ହୋଇ ରହୁ ରହୁ ଅନେକ ମଣିଷ ଔଷଧର ପ୍ରେମରେ ପଡ଼ି ସ୍ୱାସ୍ଥ୍ୟକୁ ପ୍ରାୟ ପାସୋରି ପକାଇଥାନ୍ତି, ଏଇଟି ପ୍ରାୟ ସେହିପରି ଗୋଟିଏ କଥା । ଖାଲି ଅନ୍ୟମାନଙ୍କଠାରୁ ଚାହିବା,–ତାହା ହିଁ ନିର୍ଭରଶୀଳତା । ନିଜକୁ ଅଧିକରୁ ଅଧିକ ସମ୍ମତ କରି ଅନ୍ୟମାନଙ୍କ ଲାଗି, ଏକ ବୃହତ୍ତର କିଛି ଲାଗି ନିଜକୁ ଦେଇପାରିବା, ତାହାହିଁ ସ୍ୱାସ୍ଥ୍ୟ ।

Unknown

 

୧୪ । ୮ । ୮୩

 

ଭୂଇଁ ପଡ଼ିଛି, ଦେଶଟିଏ ଭଳି ଗୋଟିଏ ଦେଶ ଗଢ଼ାହେବା ପର୍ଯ୍ୟନ୍ତ ବାକୀ ରହିଛି । ମୁଁ ସେହି ଭୂମିକୁ ପ୍ରଣାମ କରୁଛି ।

 

ଆମେ ସମସ୍ତେ ଅର୍ଥାତ୍ ମଣିଷମାତ୍ରକେ ସମସ୍ତେ କୌଣସି ନା କୌଣସି ଭୂମିରେ ଜନ୍ମ ହୋଇଥାଉ । ସେହି ଭୂମିକୁ ଆପଣାର ଜନ୍ମଭୂମି ବୋଲି କହୁ । ଏବେ ତାହାକୁ ଦେଶ ବୋଲି କୁହାଯାଉଛି । ଅନେକ ଭାବୁକତା ଏବଂ ରାଜନୀତିକ ବିହ୍ଵଳତା ପଶି ସେହି ଦେଶକୁ କ୍ଷମତାସୀନମାନେ ସାଧାରଣଙ୍କ ଆଗରେ ଏକ ଅନ୍ୟପ୍ରକାରେ ଚିତ୍ରିତ କରିବାକୁ ଯେତେ ଚେଷ୍ଟା କରି ଆସିଥିଲେ ମଧ୍ୟ ତଥାପି ଭୂମି ଭୂମି ହୋଇ ରହିଛି । ଏହି ଭୂମିକୁ ନିଜର ବୋଲି ପାଇବାର ଅର୍ଥ ହେଉଛି ଏହା ଉପରେ ମଣିଷର ଯୋଗ୍ୟ କରି, ମଣିଷଲାଗି ସୁନ୍ଦର କରି କିଛି ଗଢ଼ିବାର ସ୍ଵପ୍ନ ଦେଖିବା, କିଛି ଗଢ଼ିବାର ଉଦ୍ୟମ କରିବା ଏବଂ ସେହି ଉଦ୍ୟମରେ ଅଧିକରୁ ଅଧିକ ଯୋଗ୍ୟ ଭାବରେ ଯୁକ୍ତ ହୋଇ ରହିପାରିବା ସକାଶେ ଆପଣାର ହୃଦୟ ଏବଂ ଆପଣାର ଅନୁରକ୍ତିଗୁଡ଼ିକୁ ଅଧିକରୁ ଅଧିକ ପରିମାଣରେ ପ୍ରସ୍ତୁତ କରିବାରେ ଲାଗିଥିବା । ଭାରତବାସୀଙ୍କ ପାଇଁ ଭାରତବର୍ଷ ମଧ୍ୟ ସେହିପରି ଏକ ଭୂମି । ଏହା ଏକ ଅଧିକୃତ ସମ୍ପତ୍ତିର ସନ୍ତକ ନୁହେଁ, ଏହା ହେଉଛି ଦାୟିତ୍ଵର ସନ୍ତକ, ଏକ ଆହ୍ଵାନର ସନ୍ତକ । ବିଶେଷତଃ, ଭାରତବର୍ଷରେ ଆମେ ଯେଉଁ ଅଳ୍ପ କେତେଭାଗ ମଣିଷ ଏଠାରେ ଅଧିକ ଜାଣିବାର, ଅଧିକ ଭୋଗିବାର ତଥା ଅଧିକ ଉପକୃତ ହେବାର ସୁଯୋଗ ପାଇଛୁ, ଏହି ଭୂମିପ୍ରତି ଆମର ଏକ ବିଶେଷ କର୍ତ୍ତବ୍ୟ ରହିଛି । ବର୍ତ୍ତମାନ କେବଳ ଆମେ କେତେଜଣ ଯାହାକୁ ଭୋଗ କରୁଛୁ, ତାହାକୁ ଏଠାରେ ସର୍ବଜନର କରି ପାରିବାଲାଗି, ଅର୍ଥାତ୍ ଅଧିକରୁ ଅଧିକ ମଣିଷ ଏଠାରେ ଯେପରି ଏହି ଭୂମିକୁ ଆପଣାର ବୋଲି ଅନୁଭବ କରିବେ, ସେଥିଲାଗି ଏକ ଉପଯୁକ୍ତ ବାହ୍ୟ ଏବଂ ଅନ୍ତଃପରବେଶ ସୃଷ୍ଟି କରିବାର ଦାୟିତ୍ଵ ଆମର ରହିଛି ।

 

୧୫ । ୮ । ୮୩

 

ପାହାଡ଼, ଝରଣା, ଆକାଶ,–ଏସବୁ ଅନ୍ୟ ଯେକୌଣସି ଦେଶ ପରି ମୋ’ର ନିଜ ଦେଶରେ ମଧ୍ୟ ସୁନ୍ଦର । ଏସବୁକୁ ଦେଖି କବିମାନେ ପ୍ରେରଣା ଲାଭ କରନ୍ତି ବୋଲି ଯୁଗଯୁଗରୁ ଏକ ଅପବାଦ ରହିଛି । କିନ୍ତୁ ମଣିଷମାନେ,–ସାଧାରଣ, କର୍ମରତ, ଖୁସୀ ମଣିଷମାନେ–ଏଗୁଡ଼ିକର ସାନ୍ନିଧ୍ୟକୁ ଅନୁଭବ କରି ଏଗୁଡ଼ିକରୁ ନିଜ ଜୀବନ ଲାଗି ପ୍ରେରଣା ପାଇବେ ପୁଣି କେଉଁଦିନ ? ମଣିଷ ପରସ୍ପରକୁ ଲୋଡ଼ି ନପାରେ ବୋଲି ଅନେକ ସମୟରେ କବି ହୋଇ ତଥାକଥିତ ସୌନ୍ଦର୍ଯ୍ୟ ଭିତରକୁ ପଳାଏ, ତଥାକଥିତ ନିକାଞ୍ଚନ ଭିତରକୁ ପଳାଏ । ତାକୁ ନିକାଞ୍ଚନ ଆଶ୍ରା ଦିଏ ବୋଲି ସିଏ ସେଠାରେ ସୌନ୍ଦର୍ଯ୍ୟକୁ ଅନୁଭବ କରେ ବା ସିଏ ପ୍ରକୃତରେ ସୌନ୍ଦର୍ଯ୍ୟକୁ ଭଲ ପାଏ ବୋଲି ନିକାଞ୍ଚନଗୁଡ଼ାକ–ତା’ ନିଜ ଭିତରର ଏବଂ ତା’ ବାହାରର ନିକାଞ୍ଚନଗୁଡ଼ାକ ତାକୁ ଏଡ଼େ ପୂର୍ଣ୍ଣ ହୋଇ ରହିଥିବା ପରି ମନେହୁଏ, ସେକଥାକୁ ମୀମାଂସା କରି ଆଦୌ ସହଜରେ କୁହାଯାଇ ପାରିବନାହିଁ ।

 

ମୁଁ ଅନୁଭବ କରେ, ପ୍ରତ୍ୟେକ ମଣିଷ ଭିତରେ ଗୋଟିଏ ଗୋଟିଏ କବି ରହିଛି । କବି ଅପେକ୍ଷା କରି ରହିଛି । ଆଖିର ଅସଲ ପେଟ ଭିତରେ ସେହି କବି ହିଁ ଆଖିଗୁଡ଼ାକର ଏହି ଯାବତୀୟ ଦେଖାକୁ ଅଧିକ ନିବିଡ଼ କରି ଦେଖିବ ବୋଲି ଅପେକ୍ଷା କରି ରହିଛି । ମାତ୍ର, ଆମ ସମ୍ବନ୍ଧର ସଂସାରଗୁଡ଼ାକ ଏତେବେଶୀ ପରିମାଣରେ କାଳ କାଳ ଧରି ଅମଣିଷ ଅର୍ଥାତ୍ ଅରସିକ ବା ଅନ୍ୟରସିକ ମାନଙ୍କର ବରାଦରେ ଚାଲିଛି ଯେ ଅନେକ ମଣିଷ ତଦ୍ଦ୍ଵାରା ପଶୁ ହୋଇ, ଦୀନ ହୋଇ, ଅକିଞ୍ଚନ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି । ସବୁ ମଣିଷ ଏହି ଜୀବନର ମୂଳଦୁଆ ଉପରେ କବିପରି ହିଁ ପ୍ରେରଣା ପାଇବେ, କବି ପରି ଜୀବନକୁ ଗଢ଼ିବେ, ବହିଃପ୍ରକୃତି ସହିତ ଅନ୍ତଃପ୍ରକୃତିର ଖିଅକୁ ଲଗାଇ ରଖିପାରିବେ,–ସଂସାରର ଯାବତୀୟ ସଂଗ୍ରାମ ମୂଳତଃ ସେଇଥିଲାଗି ହେବା ଉଚିତ । ତେଣୁ, ଆମଲାଗି ସଂସାରର ପ୍ରତ୍ୟେକ ଦିବସ ହିଁ ସ୍ଵାଧୀନତା–ଆକାଙ୍‌କ୍ଷାର ଏକ ପ୍ରେରଣାମୟ ଦିବସ ହୋଇ ରହିପାରିବା ଉଚିତ ।

 

୧୬ । ୮ । ୮୩

 

Surrender is not renunciation, surrender is consent,–ଆମେ ଜୀବନର କଥା ପକେଇବା ମାତ୍ରକେ କାହା ଜୀବନରେ କିଏ କେତେ ତ୍ୟାଗ କରିଛି, ମୁଖ୍ୟତଃ ତାହାରି କଥା ପକାଇଥାଉ । ସତେଯେପରି କୌଣସି ବ୍ୟକ୍ତି ତା’ ଜୀବନରେ କେତେ କ’ଣ ଭୋଗ କରି ପାରିଥାନ୍ତା ଏବଂ ସେଗୁଡ଼ାକୁ ସିଏ ତ୍ୟାଗ କରିବା ଲାଗି ହିଁ ତ୍ୟାଗ କରି ଆସିଛି, ଆମେ କଥାଟିକୁ ପ୍ରାୟ ସେହିପରି ଭାବରେ ବୁଝିବାକୁ ଏବଂ ବୁଝାଇବାକୁ ଚେଷ୍ଟା କରିଥାଉ । ଅଧିକରୁ ଅଧିକ ତ୍ୟାଗ ଦ୍ଵାରା ଏହିସବୁ କଷ୍ଟସାଧ୍ୟ ସମର୍ପଣ ସମ୍ଭବ ହୁଏ ବୋଲି ଆମର ହିସାବଗୁଡ଼ାକ ଅନୁସାରେ ବୁଝିବାକୁ ମନ ବଳାଇଥାଉ ।

 

ସବାଆଗ ସମ୍ମତି,–ଏବଂ ଏହି ସମ୍ମତି ହିଁ ସମର୍ପଣ । ମଣିଷ ପ୍ରକୃତରେ ଯେତିକି ପରିମାଣରେ ସମ୍ମତ ହୋଇଥାଏ, ତା’ ଜୀବନରେ ସେତିକି ପରିମାଣରେ ହିଁ ସମର୍ପଣ ସମ୍ଭବ ହୁଏ-। ଯେଉଁମାନେ ସମ୍ମତ ହୋଇ ପାରିବାଲାଗି ଆଗ ତ୍ୟାଗରୁ ଆରମ୍ଭ କରନ୍ତି, ସେମାନେ ହୁଏତ ଅନେକ ସମୟରେ ସମ୍ମତି ବି ହୋଇ ନଥାନ୍ତି । ପ୍ରଚଳିତ ଭାଷାରେ ସେମାନେ ହୁଏତ କେତେ ନା କେତେ ତ୍ୟାଗସ୍ଵୀକାର କରୁଥାନ୍ତି । ହୁଏତ ପ୍ରୟୋଜନରେ ପଡ଼ି ଏକ ଶ୍ରମ କରୁଥାନ୍ତି, ଅଥବା ଆଉ କ’ଣ ଗୋଟାଏ ପାଇବେ ବୋଲି ଗୋଟାଏ ପ୍ରକାର ଲୋଭଦ୍ୱାରା ତାଡ଼ିତ ହୋଇ ଆପଣାର ଭୋଗଘରୁ କିଛି ଅଂଶ କାଟିଦେବାକୁ ଆବଶ୍ୟକ ମନେ କରିଥାନ୍ତି । ଏମାନେ ଭାରି କଷ୍ଟ ପାଆନ୍ତି-। ଏମାନଙ୍କର ତଥାକଥିତ ସମର୍ପଣ ଏମାନଙ୍କୁ ଆଦୌ କୌଣସି ଔଜ୍ଜ୍ଵଲ୍ୟ ଆଣି ଦେଇ ପାରେନାହିଁ । ସେମାନେ ବାହାରେ ବାହାରେ ରହିଯାଆନ୍ତି । ନିଜ ପାଖରେ ମଧ୍ୟ ଯଥାର୍ଥରେ ମଣ ହୋଇ ନଥାନ୍ତି-। ଅସଲ ଗୃହଟିରେ ମୋଟେ ପ୍ରବେଶ କରିନଥାନ୍ତି ।

 

୧୮ । ୮ । ୮୩

 

ଗୁଣକୀର୍ତ୍ତନ କେବଳ ଭଗବାନଙ୍କର ହୁଅନ୍ତା । ମଣିଷ ଭଗବାନଙ୍କର ଗୁଣ କୀର୍ତ୍ତନ କରନ୍ତା ଓ ତାହାରିଦ୍ଵାରା ଆହୁରି ଆଗକୁ ଯିବାଲାଗି ପ୍ରକୃତରେ ପ୍ରେରଣା ପାଆନ୍ତା । ଯେଉଁମାନେ ମଣିଷର ଗୁଣ କୀର୍ତ୍ତନ କରନ୍ତି, ସେମାନେ କେତେବେଳେ ଯେ ଏକପ୍ରକାର ଅଭିନୟ କରିବାରେ ଲାଗିଯାଆନ୍ତି, ସେମାନେ ସେକଥା ହୁଏତ ନିଜେ ମଧ୍ୟ ଠଉରାଇ ପାରନ୍ତି ନାହିଁ ।

 

ଏବଂ, ଅନେକ ସମୟରେ ଅଗୁଣୀମାନେ ହିଁ ଅନ୍ୟ ମଣିଷମାନଙ୍କର ଗୁଣ କୀର୍ତ୍ତନ କରୁଥିବାର ଉତ୍ସାହରେ ଆପଣାକୁ ସତେଅବା ଗୁଣେ ବୋଲି ଅନୁଭବ କରିବାର ଚେଷ୍ଟା କରୁଥାନ୍ତି । ଜଣେ କିଏ ଥିଲେ, ସିଏ ଏଭଳି ଥିଲେ, ଏଡେ ବଡ଼ ଥିଲେ, ଆଉ କେହି ତାଙ୍କପରି ମୋଟେ ହୋଇନାହାନ୍ତି ଏବଂ ସିଏ ଯିବାଦ୍ଵାରା ଆମ ସମସ୍ତଙ୍କର ଯେଉଁ କ୍ଷତି ହେଲା, ତାହାର ପୂରଣ ହେବା ଆଦୌ ସମ୍ଭବ ନୁହେଁ, ସେମାନେ ଏହିପରି କେତେ କ’ଣ କହି ଚାଲିଥାନ୍ତି । କହିବାଦ୍ଵାରା ନିଜେ ମୁଗ୍‌ଧ ହୁଅନ୍ତି, ଅନ୍ୟମାନଙ୍କୁ ମଧ୍ୟ ମୁଗ୍‌ଧ କରିଦେବେ ବୋଲି ବିଚାର କରିଥାନ୍ତି । ସେମାନେ ଆପଣାକୁ ଢାଙ୍କୁଣି ଦେଇ ଘୋଡ଼ାଇ ରଖିଥାଆନ୍ତି । ଗୁଣଗୁଡ଼ିକୁ ଅର୍ଜନ କରାଯାଏ, ସେହି ଅର୍ଜନର ଯୋଗ୍ୟ ହେବାକୁ ହୁଏ, ଯୋଗ୍ୟ ହୋଇ ବାଟ ଚାଲିବାକୁ ହୁଏ,–ଆମେ ସବୁ ଯେତେ ଅଧିକ ନିବିଡ଼ ଭାବରେ ସେହି କଥାଟିକୁ ହୃଦୟଙ୍ଗମ କରି ପାରିବା, ଆମେ ସଂସାରର ଯଥାର୍ଥ ଗୁଣୀମାନଙ୍କ ପ୍ରତି ମଧ୍ୟ ସେତିକି ଯଥାର୍ଥ ଭାବରେ ଆମର କର୍ତ୍ତବ୍ୟଗୁଡ଼ିକୁ କରି ପାରିବା । ଏହି ଯାବତୀୟ ଗୁଣର ଉତ୍ସରୂପେ ଓ ଶିଖରରୂପେ ଯିଏ ଅବସ୍ଥିତ ରହିଛନ୍ତି, ତାଙ୍କରି ଗୁଣକୀର୍ତ୍ତନ ଆମକୁ ଏହି କର୍ତ୍ତବ୍ୟଟିକୁ କରିବାରେ ଅଧିକ ପ୍ରେରଣା ଓ ଅଧିକ ସଂକଳ୍ପ ଯୋଗାଇଦେଇ ଯାଉଥାନ୍ତା ।

 

୨୦ । ୮ । ୮୩

 

ଅନେକ ମଣିଷ ଅଛି ସକାରାତ୍ମକର ସନ୍ଧାନ କରିବାକୁ ଇଚ୍ଛା କରି ବହୁ ନକାରାତ୍ମକର ଫାନ୍ଦ ଭିତରେ ଯାଇ ପଡ଼ିଥାନ୍ତି । ଭାବର ସନ୍ଧାନ କରିବାକୁ ମନେ କରି ଅଭାବ ସହିତ ଯୁଦ୍ଧ କରନ୍ତି ଓ ଜୀବନସାରା କ୍ଷତବିକ୍ଷତ ହେବାରେ ଲାଗିଥାନ୍ତି । ସେମାନେ ‘ହଁ’ ଗୁଡ଼ାକୁ ସତେଅବା ତୁଚ୍ଛା ‘ନାହିଁ’ ଗୁଡ଼ାକର ସମାହାରରୂପେ ଦେଖନ୍ତି । କ’ଣ ଗୋଟାଏ ପାଇବେ ବୋଲି ‘ଏଇଟା ଛାଡ଼ିବି’, ‘ସେଇଟା ଛାଡ଼ିବି’ର ନାଟକ କରିବାରେ ଲାଗିଥାନ୍ତି । ଏହି ନାଟକକୁ ସେମାନେ ‘ନେତି ନେତି’ ନାମକ ଏକ ଦର୍ଶନର ବର୍ଣ୍ଣାଢ଼୍ୟତା ଭିତରେ ଜୁଆଇ ରଖିଥାଆନ୍ତି । ଏମାନେ ଯୋଦ୍ଧା ହୁଅନ୍ତି, ହୁଏତ ଜ୍ଞାନୀ ବି ହୁଅନ୍ତି, ସଂସାରକୁ ଉପଦେଶ ଦେଉଥାନ୍ତି,–ମାତ୍ର ଅଧିକାଂଶ ସମୟରେ ନିଜର ଗଭୀରତମ ବୃତ୍ତିଗୁଡ଼ିକର କ୍ଷେତ୍ରରେ ପ୍ରଧାନତଃ ଜଣେ ଜଣେ ଘୃଣାର ମଣିଷ ହୋଇ ରହିଥାନ୍ତି ।

 

ଆପଣାର ଏହି ଅଭାବ ସଚେତନତାକୁ ସେମାନେ ଅନ୍ୟମାନଙ୍କ ସହିତ ରହିଥିବା ଆପଣାର ସମ୍ବନ୍ଧଗୁଡ଼ିକ ଭିତରକୁ ମଧ୍ୟ ସଂକ୍ରାମିତ କରି ଆଣନ୍ତି । ଏମାନେ ସଂସାରଯାକ ଆଗ ଗାତ ଦେଖନ୍ତି, ସବାଆଗ ଖୁଣଗୁଡ଼ାକୁ ଦେଖନ୍ତି । ଗୁଣଗୁଡ଼ାକୁ ହୁଏତ ଖୁଣଗୁଡ଼ାକର ଅଭାବ ବୋଲି ଅନୁଭବ କରନ୍ତି । ଅର୍ଥାତ୍, ଅନ୍ୟମାନଙ୍କ ଉପରେ ଯେତେ ଲଦିହୋଇ ପଡ଼ିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତଥାପି ଅନ୍ୟମାନଙ୍କ ଠାରୁ ଦୂରଛଡ଼ା ହୋଇ ରହିଥାନ୍ତି । ଏମାନେ ହୁଏତ ସବୁ ହୋଇପାରନ୍ତି, ମାତ୍ର ନମନୀୟ ହୋଇ ପାରନ୍ତିନାହିଁ । ନିଜ ପାଖରେ ବି ନମନୀୟ ହୋଇ ପାରନ୍ତିନାହିଁ । ନିଜ ପାଖରେ ବି ଭାରି ଛୁଆଁ ବାରନ୍ତି, ତେଣୁ ଆପଣାର ଅନେକ ଦ୍ୟୋତକ ଓ ଅନେକ ଆହ୍ଵାନକୁ ଆଦୌ ଶୁଣି ପାରନ୍ତିନାହିଁ ।

 

୨୨ । ୮ । ୮୩

 

କେବେ କ୍ଳାନ୍ତ ଲାଗିଲାବେଳେ ମନେହୁଏ, ଏଥର ଆଉ ଗୋଟିଏ ପାହାଚ ଉପରକୁ ଯିବାକୁ ପଡ଼ିବ । ମୁଁ ବର୍ତ୍ତମାନ ଯେଉଁ ସୋପାନରେ ରହିଛି, ସେହି ସୋପାନର କୌଣସି ମାୟା ମୋତେ ସତେଅବା ସେହି ସୋପାନରେ ହିଁ ସ୍ଥାୟୀ ହୋଇ ରହିଯିବାକୁ ପ୍ରରୋଚନା ଦେଉଥିବା ବେଳେ ହିଁ ପ୍ରକୃତରେ କ୍ଳାନ୍ତ ଲାଗେ ।

 

ତେଣୁ, ଏହି କ୍ଳାନ୍ତି ମୋ’ର ସ୍ଵାଗତଯୋଗ୍ୟ, ମୋ’ ଜୀବନରେ ଏହା ପ୍ରାୟ ଏକ ସଙ୍କେତକ ପରି କାର୍ଯ୍ୟ କରି ଆସିଛି । ମୋତେ ଆପଣାର ଭିତରଟାକୁ ଯେ ଏକ ନୂତନ ପରିପ୍ରେକ୍ଷୀରେ ସଜାଡ଼ି, ଆଣିବାକୁ ହେବ ଓ ସେହି ଅନୁସାରେ ଆପଣାର ଅନୁରାଗଗୁଡ଼ିକୁ ଏକ ନୂତନ ଅଭୀପ୍‌ସାରେ ପ୍ରକ୍ଷେପିତ କରି ରଖିବାକୁ ହେବ, ସେଇଥିଲାଗି ଏକ ସଙ୍କେତକ ରୂପେ କାର୍ଯ୍ୟ କରିଛି । ଭଲ ନଲାଗିବା, ତାହାହିଁ ଏକ କ୍ଳାନ୍ତିର ସବାବଡ଼ ଲକ୍ଷଣ । ଭଲ ନଲାଗିଲେ ଅନେକ ମଣିଷ ଭାରି ଅସ୍ଥିର ହୋଇ ପଡ଼ନ୍ତି, କ’ଣ କଲେ ଭଲ ଲାଗିବ, ତାହାର ଗବେଷଣା କରି ସେମାନେ ତା’ ପରେ ସେହିଗୁଡ଼ାକୁ ଖୋଜି ଆଣନ୍ତି ଓ ତାହାରି ମଧ୍ୟରେ ଗୁରାଇ ତୁରାଇ ହୋଇ ଭଲ ଲଗାଇବାକୁ ଚେଷ୍ଟା କରୁଥାନ୍ତି । ଅନେକ ସମୟରେ ବି, ଭଲ ନଲାଗିବା ବିଷୟରେ ଦର୍ଶନ କରି ଓ ଏକ ସାହିତ୍ୟକ ପୁଟ ଲଗାଇ ସେଇଟାକୁ ଆରେଇ ନେବାର ଫାନ୍ଦ ବି ପକାଇବାରେ ଲାଗିଥାନ୍ତି । ଏହିସବୁ ପରିସ୍ଥିତିରେ ମୁଁ ଅଲଗା ପ୍ରକାରେ ଆଚରଣ କରିଥାଏ । ମୁଁ ଗୋଟିଏ ପାହାଚ ଉପରକୁ ଉଠିଯାଏ, ସେଇଠୁ ଥାଇ ନିଜକୁ ଦେଖେ, ଅର୍ଥାତ୍ ତଳ ପାହାଚଟିକୁ ଦେଖେ, ଉପରଟିର ଖିଅ ଲଗାଇ ତଳଟିକୁ ଅଧିକ ସମଗ୍ର ଭାବରେ ଦେଖେ, ଅଧିକ ନିବିଡ଼ ଭାବରେ ଦେଖେ । ତା’ ପରେ ଅସଲ ସୂତ୍ରଟି ମିଳିଯାଏ । ତା’ ପରେ ଭଲ ଲାଗେ । ଯୁକ୍ତ ହୋଇ ରହିଥିବା ପରି ଲାଗେ । ଏହି ଯୁକ୍ତ ହୋଇ ରହିବା ହିଁ ତ ହେଉଛି ଅସଲ ଭଲ ଲାଗିବା ।

 

୨୩ । ୮ । ୮୩

 

ଗୋଟାଏ ପ୍ରକାରର ରାଗ ଅଛି, ଯେଉଁଥିରେ କି ରାଗ ହିଁ ରାଗେ । ଅର୍ଥାତ୍, ରାଗ ରଜା ହୋଇ ବସିଥାଏ । ରାଗିଥିବା ମଣିଷ ଭୟରେ କେତେ ଅନ୍ତରାଳରେ ଯାଇ ଲୁଚି ରହିଥାଏ ଅଥବା କାକୁସ୍ଥ କରକୁ ଯୋଡ଼ି ଅତ୍ୟନ୍ତ ଅସହାୟ ଭାବରେ ଠିଆ ହୋଇ ରହିଥାଏ । ଆଦୌ କିଛି କରି ପାରେନାହିଁ । ଲଗାମ ଗୁଡ଼ାକୁ ସିଏ ଧରି ରଖିବାକୁ ଯେତେ ଇଚ୍ଛା କରୁଥିଲେ ମଧ୍ୟ ତଥାପି ଲଗାମମାନେ ତା’ ହାତରୁ ଏପରି ଭାବରେ ଖସି ଚାଲି ଯାଇଥାନ୍ତି ଯେ, ସେମାନଙ୍କୁ ସେ ମୋଟେ ଧରି ପାରୁ ନଥାଏ । ତେଣୁ, ଅବଶ ଭାବରେ ଚାହିଁ ରହିଥାଏ ଓ ରାଗରୂପୀ ଲୀଳାରାକ୍ଷସକୁ ତା’ ଉପରେ ନର୍ତ୍ତନ କରିବାକୁ ଛାଡ଼ି ଦେଇଥାଏ । ଏହି ପ୍ରକାରର ରାଗ ଅବଶ କରିପକାଏ, ଅସଲ କଳାଗୁଡ଼ିକୁ କାଢ଼ି ନେଇଯାଏ, ଅନେକ କ୍ଷୟର କାରଣ ହୁଏ ।

 

ତଥାପି, ନରାଗିବାଟା ହୁଏତ ଦେବତାଙ୍କର ଲକ୍ଷଣ ହୋଇପାରେ; ମାତ୍ର, ଯୋଉ ମଣିଷ ପ୍ରାୟ ଏକ ନୀତିବାଦୀ ଆଗ୍ରହ ସହିତ ନରାଗିବାକୁ ହିଁ ଜୀବନର ସବାବଡ଼ କରଣି ଓ କର୍ତ୍ତବ୍ୟ ବୋଲି ଗ୍ରହଣ କରିଥାଏ, ସେହି ମଣିଷକୁ ମଧ୍ୟ ଅନେକ କିଛି ହରାଇବାକୁ ପଡ଼େ । ଏମିତି ମଧ୍ୟ ରାଗି ହୁଏ, ଯେତେବେଳେ କି ତଥାପି ମଣିଷ ନିଜେ ରାଜା ହୋଇ ବସିଥାଏ, ଥିର ରହିଥାଏ,–ତଥାପି ଆପଣାର ପ୍ରତିବାଦ ଜଣାଏ, ଆପଣାର ପ୍ରତିରୋଧକୁ ବ୍ୟକ୍ତ କରେ । ସେତେବେଳେ କୌଣସି ପ୍ରକାର ଅହଂଗତ ତାଡ଼ନା ତାକୁ ଗୋଡ଼ ଖସାଇ ମୋଟେ ଆଉ କୁଆଡ଼େ ଉଡ଼ାଇ ନେଇଯାଇ ନଥାଏ । ତେଣୁ, ସେହି ରାଗଦ୍ଵାରା ମୋଟେ ଅବଶ ହେବାକୁ ପଡ଼େନାହିଁ । ଦଉଡ଼ିଗୁଡ଼ାକ ସମ୍ପୂର୍ଣ୍ଣ ଭାବରେ ହାତରେ ରହିଥାଏ ।

 

୨୫ । ୮ । ୮୩

 

ଯାହାର ଏହି ବୟସରେ ମୋଟେ ମରିବାର ନଥିଲା, ତା’ର ମୃତ୍ୟୁ ଖବର ପାଇଲେ ସତେଅବା ସ୍ଵୟଂ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିଥିଲା ପରି ମନେହୁଏ । ଅନେକ ବିଶ୍ଵାସ କରନ୍ତି, ଯେଉଁମାନେ ଭଗବାନଙ୍କର ଅଧିକ ପ୍ରିୟ, ଭଗବାନ ସେମାନଙ୍କୁ କୁଆଡ଼େ, ସେତିକି ଶୀଘ୍ର ଏହି ପୃଥିବୀରୁ ପାଖକୁ ଡାକି ନେଇଥାନ୍ତି ।

 

ମୁଁ ଠିକ୍ ଓଲଟା ଭାବେ । ଯେଉଁମାନେ ଭଗବାନଙ୍କର ଅଧିକ ପ୍ରିୟ, ଅର୍ଥାତ୍ ଯେଉଁମାନେ ତାଙ୍କର କାମକୁ ଅଧିକ ବଳିଷ୍ଠତା ସହିତ କରିବେ ବୋଲି ତାଙ୍କର ଆସ୍ଥା ରହିଛି, ଭଗବାନ ସେମାନଙ୍କୁ ବିଶେଷ ଆଗ୍ରହର ସହିତ ଏହି ସଂସାରକୁ ପଠାଉଥିବେ ଓ ସେହିମାନଙ୍କ ଦ୍ଵାରା ଅଧିକ କାମ କରାଉଥିବେ ବୋଲି ମୁଁ ମନେ କରୁଛି । ଭଗବାନ ଏହିମାନଙ୍କର ପାଖେ ପାଖେ ରହି ଏମାନଙ୍କର ରକ୍ଷା କରୁଥିବେ । ସେମାନଙ୍କୁ ପ୍ରତ୍ୟହ ନୂତନ ପ୍ରେରଣା ଦେଉଥିବେ, ଅର୍ଥାତ୍ ନୂତନ ଆଖି ଏବଂ ନୂତନ ସାହସ ଦେଉଥିବେ । ଯେଉଁମାନେ ତାଙ୍କର ଅଧିକ ପ୍ରିୟ ଓ ତେଣୁ ଅଧିକ ଯୋଗ୍ୟ, ଭଗବାନ ସେମାନଙ୍କୁ କଦାପି ନିଜ ପାଖରେ ନିକିମା କରି ରଖୁ ନଥିବେ । ଯେଉଁମାନେ ପୃଥିବୀରେ ନାନା କାରଣରୁ ଅଯୋଗ୍ୟତାର ପ୍ରମାଣ ଦେଉଛନ୍ତି, ସିଏ ହୁଏତ ସେହିମାନଙ୍କୁ ହିଁ ପୁନର୍ବାର ପାଖକୁ ଡାକି ନେଉଥିବେ । ପାଖକୁ ଡାକିନେଇ ସେମାନଙ୍କୁ ଅଧିକ ପ୍ରସ୍ତୁତ କରାଉଥିବେ, ଅଧିକ ଯୋଗ୍ୟ କରି ଗଢ଼ୁଥିବେ,–ସେମାନଙ୍କୁ ମଧ୍ୟ ଏହି ସଂସାରକୁ ଆସିବାଲାଗି ଅଧିକ ଉପଯୁକ୍ତ ଭାବରେ ତିଆରି କରୁଥିବେ । ତେବେ, ଯେଉଁମାନେ ଏଠି କେତେ ଯୋଗ୍ୟତାର ପରିଚୟ ଦେଉଥାନ୍ତି, ସତେଅବା ତାଙ୍କରିଠାରୁ ନିର୍ଦ୍ଦେଶ ପାଇ ଏଠାରେ କାର୍ଯ୍ୟ କରୁଥିବାର ପ୍ରମାଣ ଦେଉଥାନ୍ତି, ସେମାନେ ବେଳେ ବେଳେ ହଠାତ୍ କାହିଁକି ଏଠାରୁ ହଜି ଯାଆନ୍ତି-? ସେମାନେ କାହିଁକି ବିମୁଖ ହୁଅନ୍ତି ? ଆମ ସମସ୍ତଙ୍କୁ ଦୁର୍ଘଟଣାଗ୍ରସ୍ତ କରି ଚାଲିଯାଆନ୍ତି-?

 

୨୬ । ୮ । ୮୩

 

ସିଦ୍ଧି ଜୀବନର ସର୍ବୋତ୍ତମ ଘଟଣା ଆଦୌ ନୁହେଁ, ସର୍ବୋତ୍ତମ ପ୍ରାପ୍ତି ମଧ୍ୟ ନୁହେଁ । ଅନେକ ମଣିଷ ଅଛନ୍ତି, ଯେଉଁମାନେ ସିଦ୍ଧିଲାଭ ଲାଗି ହିଁ ଯାବତୀୟ ସାଧନାର ଚିନ୍ତା କରନ୍ତି । ସେମାନେ ଅଧିକରୁ ଅଧିକ ସିଦ୍ଧିକୁ ଆପଣା ଆଡ଼କୁ ଆକର୍ଷିତ କରି ଆଣିବାକୁ ଚେଷ୍ଟା କରୁଥାନ୍ତି ଏବଂ ତଦ୍ଦ୍ଵାରା ଆପଣାକୁ ମୋଟା କରିବାର ଅଭିଳାଷ ବି ରଖିଥାନ୍ତି । ସେମାନଙ୍କର କଳ୍ପିତ ଭଗବାନଙ୍କଠାରୁ ସମ୍ପତ୍ତିଗୁଡ଼ାକ ମାରି ଆଣି ସେମାନେ ସତେଅବା ଏଠି ସ୍ଵୟଂ ମାଲିକ ହୋଇ ବସିବାକୁ ଇଚ୍ଛା କରୁଥାନ୍ତି । ପ୍ରଚଣ୍ଡରୁ ଅଧିକ ପ୍ରଚଣ୍ଡ ହୁଅନ୍ତି । ଜଟିଳରୁ ଅଧିକ ଜଟିଳ ହୁଅନ୍ତି । ସ୍ଵୟଂ ସମସ୍ୟାରେ ପରିଣତ ହୁଅନ୍ତି । ସମ୍ପ୍ରଦାୟ ଗଢ଼ନ୍ତି, ଦରବାର ମଣ୍ଡାନ୍ତି ଏବଂ ଶିଷ୍ୟଗହଣରେ ସଂସାର ଉପରେ ରାଜତ୍ଵ କରନ୍ତି ।

 

ଏପରି ଏକ ସାଧନା ହୋଇପାରିବା ଦରକାର, ଯେଉଁଥିରେ କି ସିଦ୍ଧିଲାଭ–ଇଚ୍ଛାର ଆଦୌ କୌଣସି ଗନ୍ଧ ନଥିବ । ଏହି ସାଧନା ଯାହା ହାସଲ କରିବ, ତାହାକୁ ଆପଣା ପାଇଁ ମୋଟେ ଜମା କରି ରଖିବାକୁ ମନ କରିବନାହିଁ,–ଯାହାକୁ ସିଏ ଆପଣା ସାଧନାରେ ଧ୍ୟେୟ କରି ଗ୍ରହଣ କରିଛି, ଆପଣାର ଯାବତୀୟ ଅର୍ଜନକୁ ସିଏ ତାହାରି ଲାଗି ସମର୍ପିତ କରିଦେଇ ପାରୁଥିବ । ଅଧିକରୁ ଅଧିକ ସମର୍ପଣର ଯୋଗ୍ୟତା, ତାହାହିଁ ସାଧନାର ସର୍ବୋତ୍ତମ ପ୍ରାପ୍ତି । ଖାଲି ତଥାକଥିତ ଅଧ୍ୟାତ୍ମ–ସାଧନାରେ ନୁହେଁ, ଆମ ସାହିତ୍ୟ, ସଙ୍ଗୀତ, କଳା, ଶିକ୍ଷା, ସେବା ଓ ରାଜନୀତି ସବୁଟିରେ ଏହି ଦୃଷ୍ଟିକୋଣଟିକୁ କେନ୍ଦ୍ର କରି ଅଗ୍ରସର ହୋଇପାରିବା ସମ୍ଭବ ହେବା ଉଚିତ । ଦେବାକୁ ହିଁ ସଂଗ୍ରହ କରିବାଠାରୁ ଅଧିକ କାମ୍ୟ ବୋଲି ଅନୁଭବ କରି ପାରୁଥିବା ଉଚିତ । ତେବେ ଯାଇ ମଣିଷ ସହଜ ହେବ, ସମ୍ବନ୍ଧଗୁଡ଼ାକ ପ୍ରକୃତରେ ଉନ୍ମୋଚକ ପରି କାର୍ଯ୍ୟ କରିବ ଏବଂ ଆମ ସଂସାରର ଭାରା ମଧ୍ୟ ଅନେକ ପରିମାଣରେ ଉଶ୍ଵାସ ହୋଇଯିବ ।

 

୨୭ । ୮ । ୮୩

 

ତାରୁଣ୍ୟକୁ ସ୍ଵୀକୃତି ଦେଇ ପାରୁଥିବା ପର୍ଯ୍ୟନ୍ତ ନିଜ ଭିତରେ ମଧ୍ୟ ତରୁଣଟିକୁ ବଞ୍ଚାଇ ରଖିବା ଆଦୌ କଷ୍ଟକର ହୁଏନାହିଁ । ଅନେକ ବୃଦ୍ଧ ଯେତେବେଳେ ତରୁଣମାନଙ୍କୁ ଈର୍ଷା କରନ୍ତି ଓ ଗୁଳାରେ ପଡ଼ି ଅତିଶୀଘ୍ର ବୃଦ୍ଧଧର୍ମ ଅବଲମ୍ବନ କରିବା ସକାଶେ ସେମାନଙ୍କୁ ଉପଦେଶ ଦେବାକୁ ଉତ୍ସାହ ପ୍ରକାଶ କରନ୍ତି, ସେତେବେଳେ ବୁଝିବାକୁ ପଡ଼ିବ ଯେ, ସେହି ବୃଦ୍ଧମାନଙ୍କର ନିଜ ଭିତରୁ ତରୁଣଟି କେଉଁଦିନୁଁ ବିଦାୟ ନେଇ ସାରିଲାଣି । ଅର୍ଥାତ୍, ସେମାନେ ନିଜ ଭିତରେ ରହିଥିବା ତରୁଣଟିକୁ ଭୟ କରୁଛନ୍ତି । ସେମାନେ ଯେଉଁଠି ଅଛନ୍ତି, ସେହିଠାରେ ହିଁ ପକ୍‌କା ହୋଇ ରହିବାଲାଗି ପଣ କରିଛନ୍ତି ଓ ଆଉ କେହି ଅଧିକ ଆଗକୁ ଯାଉ ବୋଲି ମୋଟେ ଇଚ୍ଛା କରୁନାହାନ୍ତି-

 

ଏହି ଦୁର୍ଦ୍ଦଶା ଯେ କେବଳ ରାଜନୀତିର କ୍ଷେତ୍ରରେ ଦୃଷ୍ଟିଗୋଚର ହେଉଛି ତା’ ନୁହେଁ, ଆମର ଶିକ୍ଷା ଓ ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ମଧ୍ୟ ସେହି ଦୁର୍ଲକ୍ଷଣଗୁଡ଼ାକ ଅତ୍ୟନ୍ତ ଅଶୋଭନୀୟ ଭାବରେ ମନୁଷ୍ୟଭାଗ୍ୟ ତଥା ମନୁଷ୍ୟଅତିକ୍ରମର ବାଟଗୁଡ଼ାକୁ ବନ୍ଦ କରି ରଖିଛି । ଶିକ୍ଷା ମଣିଷର ଆଖି ଖୋଲି ଦେଉଥାନ୍ତା,–ମାତ୍ର ତାରୁଣ୍ୟହୀନତାର ଚକ୍ରାନ୍ତ ଫଳରେ ବର୍ଦ୍ଧିଷ୍ଣୁ ମନୁଷ୍ୟ ଅନୁରାଗର ପାଦରେ ନାନାପ୍ରକାରେ ଝୁଣ୍ଟିଆ ବାନ୍ଧିଦେଇ ତାକୁ ସେହି ପୁରାତନର ତଥାକଥିତ ସୁରକ୍ଷା ଭିତରେ ବଶ କରି ରଖି ଦିଆଯିବାର ଚେଷ୍ଟା କରାଯାଉଛି । ସାହିତ୍ୟରେ ବୃଦ୍ଧମାନେ ଅତ୍ୟନ୍ତ ଭାବବିହ୍ଵଳ ଭାବରେ ପଛଆଡ଼କୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ସେହି ପଛଆଡ଼େ ଅର୍ଥାତ୍ ପୁରାତନ କାଳରେ ସବୁଯାକ ସୁନା ଆଗରୁ ହିଁ ଫଳି ସାରିଛି ବୋଲି ସେମାନେ ଉଦ୍‌ବୋଧନ ଦେବାରେ ଲାଗିଛନ୍ତି । ଯାହା ଏବେ ମଧ୍ୟ ଆସିବାକୁ ଅପେକ୍ଷା କରି ରହିଛି, ପଛଟାର ତରାଜୁ ଉପରେ ସେଇଟାର ମୂଲ୍ୟାଙ୍କନ କରିବାଲାଗି ନୂଆମାନଙ୍କୁ କେଡ଼େ ବିଧିବଦ୍ଧ ଭାବରେ ପ୍ରରୋଚନା ଦିଆଯାଉଛି ।

 

୫ । ୯ । ୮୩

 

ମଣିଷ ପାଖରୁ ଦୌରାତ୍ମ୍ୟ ସହୁଥିବା ସମୟରେ ମୁଁ ତଥାପି ତାକୁ ଗୋଟାସୁଦ୍ଧା ଦୁରାତ୍ମ ବୋଲି ନଭାବିବାକୁ ଚେଷ୍ଟା କରୁଥାଏ । ମୋ’ ଭିତରେ ଯାହା ଏକାନ୍ତ ଅନ୍ତରଙ୍ଗ ଭାବରେ ସ୍ନେହଶୀଳ, ତାହାରି ସହିତ ଯେକୌଣସି ପ୍ରକାରେ ଖିଅ ଲଗାଇ ରଖିବାକୁ ମୁଁ ଚେଷ୍ଟା କରେ । ବେଳେ ବେଳେ ପାରେ, ବେଳେ ବେଳେ ପାରେନାହିଁ ।

 

ଯିଏ ଦୌରାତ୍ମ୍ୟ କରେ, ଆଖି ବୁଜି ଖାଲି ଗିଳି ପକାଇବାକୁ ହିଁ ମାଡ଼ି ଆସୁଥାଏ, ମୁଁ ତାହାକୁ ମୂଳତଃ ଦୁଃଖୀ ମଣିଷଟିଏ ବୋଲି ଗ୍ରହଣ କରିଥାଏ । ସିଏ ଆପଣା ପାଖରେ ସତେଅବା ଆପେ କେଉଁଠି କିଳିହୋଇ ରହିଥାଏ କେଜାଣି, ତାହାରି ପ୍ରକୋପରେ ସିଏ ବାହାର ସଂସାରଟାଯାକକୁ ଆକ୍ରମଣ କରିବାକୁ ବାହାରିଥାଏ । ନିଜ ସହିତ ସତେଅବା କେଉଁଠି ତା’ର ମୋଟେ ପଟେନାହିଁ ବୋଲି ସେ ବାହାରେ ଅନ୍ୟମାନଙ୍କ ପାଖରେ ତାହାରି ପ୍ରତିବାଦ କରୁଥାଏ । ଆପଣା ଭିତରେ ଆପଣା ଦୁଃଖର ସମ୍ମୁଖୀନ ହୋଇ ନପାରି ବାହାରେ କାହା ମନ କାହା ପାଖରେ ତାହାର ପ୍ରତିଶୋଧ ନେବାରେ ଲାଗିଥାଏ । ଅନ୍ୟ ଅଧିକ ଉପଯୁକ୍ତ ଏକ ଶବ୍ଦର ଅଭାବରୁ ସାଧାରଣ ସଂସାରରେ ସେହି ଆଚରଣଟିକୁ ଆମେ ଦୌରାତ୍ମ୍ୟ ବୋଲି କହିଥାଉ । ଦୌରାତ୍ମ୍ୟର ଜବାବ ଦୌରାତ୍ମ୍ୟ ଦ୍ଵାରା ମୋଟେ ଦେଇ ହୁଏନାହିଁ । ଦୌରାତ୍ମ୍ୟ ଆଗରେ ଯିଏ ଓଲଟ ଶିଙ୍ଗ ଦେଖାଇ ଆପଣାର ଅପମାନକୁ ରୋକିବାକୁ ବାହାରେ, ସିଏ ନିଜର କୌଣସି ଭଲ କରେନାହିଁ । ଦୌରାତ୍ମ୍ୟ ଦେଖାଇବାକୁ ଆସିଥିବା ବ୍ୟକ୍ତିଟିର ମଧ୍ୟ ସେ କୌଣସି ଭଲ କରି ପାରେନାହିଁ । ତେଣୁ, ମଝିରେ ସେହି ଦୌରାତ୍ମ୍ୟଟାର ହିଁ ଜୟଲାଭ ହୁଏ । ମଣିଷ ଅସହାୟ ହୋଇ ଦୌରାତ୍ମ୍ୟର ଯନ୍ତ୍ର ହେବାରେ ଲାଗିଥାଏ ।

 

୬ । ୯ । ୮୩

 

ଗୁରୁଦିବସ ଏକ ଦିବସ ନୁହେଁ, ଏହା ଏକ ଏକ ପ୍ରେରଣା । ଶିକ୍ଷକମାନଙ୍କ ପାଇଁ ଏକ ପ୍ରେରଣା, ଛାତ୍ରମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣା । ଏହା ପ୍ରତ୍ୟେକ ଦିବସର ପ୍ରେରଣା, ବରଷଯାକର ପ୍ରେରଣା । ରାଜନୀତି ଭିତରେ ରହିଥିବା ଲୋକମାନେ, ଯେଉଁମାନେ ପ୍ରାୟ ଏକ ପ୍ରୟୋଜନଗତ ଅନୁରୋଧ ଦ୍ଵାରା ପ୍ରେରିତ ହୋଇ ପ୍ରତୀକଗୁଡ଼ାକୁ ପିତୁଳାରେ ପରିଣତ କରନ୍ତି ଓ ତାହାରି ଦ୍ଵାରା ମଣିଷମାନଙ୍କୁ ଅଳପ ଭିତରେ ମଜ୍ଜାଇ କରି ରଖିଦିଅନ୍ତି, ସେହିମାନେ ହିଁ କ୍ରମଶଃ ଏହି ଗୋଟିଏ ଦିବସକୁ ଏକ ଉତ୍ସବପାଳନର ଦିବସରୂପେ ପରିଣତ କରି ଦେଇଛନ୍ତି । ଭାରତବର୍ଷର ସାଂସ୍କୃତିକ ଜଳବାୟୁରେ ପୌତ୍ତଳିକତା ହିଁ ଅଧିକତର ପ୍ରଶୟ ପାଇ ଆସିଥିବାରୁ ଗୁରୁଦିବସର ପ୍ରେରଣାଟା ମଧ୍ୟ ପ୍ରାୟ ଏକ ପୌତ୍ତଳିକତାରେ ପରିଣତ ହେବାରେ ଲାଗିଛି ।

 

ଗୁରୁଦିବସରେ ଗୁରୁ ବା ଶିକ୍ଷକ ଅଧିକ ଭଲ ଶିକ୍ଷକ ହେବାର ସଂକଳ୍ପ ଗ୍ରହଣ କରୁଥାନ୍ତେ, ଛାତ୍ରମାନେ ମଧ୍ୟ ଅଧିକ ଭଲ ଛାତ୍ର ହେବାର ସଂକଳ୍ପ ଗ୍ରହଣ କରି ପାରୁଥାନ୍ତେ । ସେମାନେ ଉଭୟେ ଗୋଟିଏ ବିଶେଷ ଦିନର ସଂକଳ୍ପକୁ ସବୁଦିନର ଆଚରଣରେ ପରିଣତ କରିବାଲାଗି ପରସ୍ପର ପାଖରୁ ଦଳ ମାଗୁଥାନ୍ତେ । ତେବେଯାଇ ହେଉଥାନ୍ତା । ଅଣଛାତ୍ର ଗୁଡ଼ାକ ତୁଚ୍ଛା ଅଣଶିକ୍ଷକ ମାନଙ୍କୁ କେତେଟା ଔପଚାରିକତାର ଅନୁସରଣ କରି କେତେଟା କଥା କହିବାକୁ ହିଁ ଗୋଟିଏ ଦିନର ସମୁଦାୟ କର୍ତ୍ତବ୍ୟରେ ପରିଣତ କରି ରଖିଥିବାରୁ ପ୍ରେରଣାଟି ଭାରି ସହଜରେ ପିତୁଳାରେ ପରିଣତ ହୋଇ ଯାଉଛି । ପର୍ବ ସରିଗଲେ ପିତୁଳା ଗୁଡ଼ାକୁ ମନେ ରଖିବାର ଆଉ ପ୍ରାୟ କୌଣସି ପ୍ରୟୋଜନ ନଥାଏ । ତେଣୁ, ବରଷଯାକ ଗୁରୁମାନେ ଛାତ୍ରମାନଙ୍କୁ ହୁଡ଼ି କରି ରହୁଛନ୍ତି ଓ ଛାତ୍ରମାନେ ମଧ୍ୟ ଗୁରୁମାନଙ୍କୁ ବେଶ୍ ହୁଡ଼ିକରି ରହୁଛନ୍ତି । କେହି କାହାରିକୁ ଲୋଡ଼ିବାର କୌଣସି ଆବଶ୍ୟକତା ଅନୁଭବ କରୁନାହିଁ । ବାଟ ଚାଲିବା taboo ହୋଇ ରହିଛି ।

 

୭ । ୯ । ୮୩

 

ଧ୍ୟାନସ୍ଥ ହୋଇ ଭିତରକୁ ଅନାଇଥିବା ସମୟରେ ମୁଁ ଏକ ପଦ୍ମପୋଖରୀ ଦେଖିବାକୁ ପାଏ । ଅନେକ ମଣିଷ ଧ୍ୟାନସ୍ଥ ହୋଇ ରହିବାଲାଗି ଇଷ୍ଟଦେବତାଙ୍କର ସ୍ମରଣ କରନ୍ତି । କେହି ଆଉ କୌଣସି ମୂର୍ତ୍ତି ବାଟେ ଧ୍ୟାନକୁ ଆସେ । ଆଉ କେହି ମନ୍ତ୍ର ଉଚ୍ଚାରଣ କରି ଧ୍ୟାନର ଖିଅରେ ଗୁରାଇ ତୁରାଇ ହୋଇ ରହିପାରିବ ବୋଲି ମନ କରିଥାଏ । କେହି କେହି ଜପର ଆଶ୍ରୟ ନିଅନ୍ତି । ସେମାନେ ଏହିସବୁ ପନ୍ଥାକୁ ଜପଯୋଗ ବୋଲି କହନ୍ତି, ମନ୍ତ୍ରଯୋଗ ବୋଲି କହନ୍ତି । ଆପଣା ଭିତରେ ଯାହା ମୋ’ର ସବୁଠାରୁ ଆପଣାର ହୋଇ ରହିଛି, ଯାହା ମୋ’ ଭିତରେ ଗଭୀରତମ ହୋଇ ରହିଛି, ସତେଅବା ବନ୍ଧୁ ପରି ବିଦ୍ୟମାନ ରହି ମତେ ବାଟ ଦେଖାଇ ନେଉଛି, ତାକୁ ମାଧ୍ୟମ ରୂପେ ବ୍ୟବହାର କରି ମୁଁ ଆଦୌ କୌଣସି ଧ୍ୟାନ କରି ପାରେନାହିଁ । ତାକୁ ଗୋଟାସୁଦ୍ଧା ଅନାଇ ରହି ପାରିଲେ, ଅର୍ଥାତ୍ ଗୋଟାସୁଦ୍ଧା ନୀରବ ହୋଇଯାଇ ପାରିଲେ ମୁଁ ଯେଉଁ ଅବସ୍ଥାଟି ଭିତରେ ପ୍ରବିଷ୍ଟ ହୁଏ, ଅନ୍ୟ କୌଣସି ଶବ୍ଦର ଅଭାବରୁ ମୁଁ ତାହାକୁ ହିଁ ଧ୍ୟାନସ୍ଥ ହୋଇ ରହିବାର ଅବସ୍ଥା ବୋଲି କହିଥାଏ । ସେତିକିବେଳେ ପଦ୍ମପୋଖରୀ ଦେଖିବାକୁ ପାଏ । ଯାହାକିଛି ଦେଖେ, ତାହାକୁ ଫେରିକରି, ଉଜ୍ଜ୍ଵଳ କରି ରହିଥିବା ଏକ ପଦ୍ମପୋଖରୀ ଦେଖିବାକୁ ପାଏ ।

 

ମୋ’ ପଦ୍ମପୋଖରୀ ମୋ’ର ପଙ୍କଗୁଡ଼ାକୁ ଧନ୍ୟ କରେ । ପଙ୍କଗୁଡ଼ାକୁ ଧନ୍ୟ କରିବାର ସେହି ପ୍ରସନ୍ନ ସାଧନା, ତାହା ହିଁ ମୋ’ ଜୀବନର ଅସଲ ସାଧନା,–ପୂର୍ଣ୍ଣପ୍ରସନ୍ନ ଓ ପୂର୍ଣ୍ଣସମ୍ମତ ହୋଇ ବାଟ ଚାଲିବାର ସାଧନା । ଏହା ବ୍ୟତୀତ ମୁଁ ଆଉ ଅନ୍ୟ କୌଣସି ଇଷ୍ଟଦେବତାଙ୍କୁ ମୋଟେ ଚିହ୍ନି ପାରିଲିନାହିଁ । ଏହି ଘରଟିକୁ ହିଁ ଚିହ୍ନିଲି । ଘରଟିକୁ ହିଁ ଆପଣାର ବୋଲି ଜାଣିଲି ।

 

୮ । ୯ । ୮୩

 

ଖିଅ ଛିଡ଼ିଗଲେ ହିଁ ଦରିଦ୍ର ଲାଗେ । ଖିଅ ଛିଡ଼ିଯିବା ଦ୍ଵାରା କେତେ ଲାଭ ହୁଏ ବା କେତେ କ୍ଷତି ହୁଏ, ସେକଥା ବିଚାର କରିବାର ବେଳ ହୁଏତ ପରେ ଆସେ, ମାତ୍ର ଖିଅଗୁଡ଼ାକ ଲାଗି ରହିଥିବା ପର୍ଯ୍ୟନ୍ତ ତଥାପି ସବୁ ରହିଥିଲା ପରି ଅନୁଭବ ହେଉଥାଏ ।

 

ମୁଁ ଜଣେ ମଣିଷ ସହିତ କାହିଁକି ଖିଅ ଯୋଡ଼ିବି, ସେକଥା ହିସାବ କରି କୌଣସି ଯୁକ୍ତିଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ହିଁ ଜଣେ ଜଣେ ମଣିଷଙ୍କ ସମ୍ପର୍କରେ ଆସିବା ମାତ୍ରକେ ଖିଅ ଯୋଡ଼ି ହୋଇଯାଏ, ଦୁଆରମାନେ ଆପେ ଆପେ ଖୋଲିଯାନ୍ତି ଏବଂ ନିଜର ସବୁକିଛି ଦେଇଦେବାକୁ ମନ ହୁଏ । ଜଣଜଣକ ପାଖରେ ଅନ୍ତରଙ୍ଗ ହୋଇ ବସିଥିଲା ବେଳେ ଏହିପରି ସବୁକିଛି ଦେଇ ଦେବାପାଇଁ ଭାରି ସ୍ଵାଭାବିକ ଭାବରେ ଭିତରୁ ଏକ ସମ୍ମତି ମିଳିଯାଏ । ଯେଉଁ ସଙ୍ଗ ଏହିପରି ଭାବରେ ଭିତରେ ଆଦୌ କୌଣସି ଦ୍ଵନ୍ଦ ଜାତ କରାଏନାହିଁ ଓ ଆପଣାକୁ ଖିଅ ଲଗାଇବାର ଉଦ୍‌ବୋଧନ ଦେଇ ଯାଉଥାଏ, ସେହି ସଙ୍ଗଗୁଡ଼ିକ ଏହି ସଂସାରରେ ମୋ’ର ସବୁଠାରୁ ବଡ଼ ସମ୍ପଦ । ଏହି ସଙ୍ଗଗୁଡ଼ିକ ସକାଶେ ହିଁ ସଂସାର ସତେଅବା ଆପଣାର ଘରପରି ଲାଗେ । ଏହାରି ଫଳରେ ନିଜ ଭିତରେ ଅନେକ ଅହଙ୍କାରରୁ ମୁକ୍ତି ମିଳେ,–ଆପଣାକୁ ଅଲଗା କରି ରଖିବାର ଅନେକ ଆତ୍ମଘାତୀ ମତଲବର କବଳରୁ ରକ୍ଷା ମିଳେ । ଖିଅଟିଏ ଲାଗିଲେ କିଏ କାହାକୁ କେତେଦେଲା ବା କାହାଠାରୁ କେତେ ନେଲା, ସେକଥାର ହିସାବ କରିବାକୁ ମଧ୍ୟ ବେଳ ନଥାଏ । ଖିଅଟିଏ ଯେ ଲାଗିଲା, ତାହା ହିଁ ସବୁଠାରୁ ବଡ଼ ଘଟଣା ବୋଲି ଅନୁଭୂତ ହୁଏ । ଦାରିଦ୍ର୍ୟ ଦୂର ହୁଏ, ଅର୍ଥାତ୍ ବାଡ଼ଗୁଡ଼ାକ ଉଠି ଯାଆନ୍ତି, ମନକୁ ମନ ଉଠି ବି ଯାଆନ୍ତି । ନିଜ ଭିତରେ ଏକ ଅପୂର୍ବ ନିର୍ଭୟ ଅର୍ଥାତ୍ ସ୍ଵାଭାବିକତାର ଅନୁଭୂତି ମିଳେ ।

 

୯ । ୯ । ୮୩

 

ବନ୍ଧୁ ହେବି, ତେବେ ଯାଇ ବନ୍ଧୁ ପାଇବି । ଦୟା ଦେଖାଇବି ନାହିଁ,–ଦୟା ଦେଖାଉଥିବା ପର୍ଯ୍ୟନ୍ତ ଦୂରଛଡ଼ା ହୋଇ ରହିଥିବି, ସ୍ଥୂଳ ଏବଂ ସୂକ୍ଷ୍ମ ସ୍ତରର ନାନା ଅହଙ୍କାର ମୋତେ ଏହି ଜୀବନ ଭିତରୁ ବାସନ୍ଦ କରି ରଖିଥିବ । ମୋତେ ଦରିଦ୍ର କରି ରଖିଥିବ । ଆପଣାକୁ ଅନ୍ୟ ସହିତ ଖିଅ ଯୋଡ଼ି ପାରିବାଲାଗି ଯଥେଷ୍ଟ ପରିମାଣରେ ନମନୀୟ କରିଆଣି ପାରିଲେ ଯାଇ ମୁଁ ସେହି ଦାରିଦ୍ର୍ୟକୁ ଅତିକ୍ରମ କରିଯାଇ ପାରିବି ।

 

ମୋ’ ଚାରିପାଖରେ ଗଢ଼ି ଉଠିଥିବା ଅଧିକାଂଶ ବନ୍ଧୁତା, ସେଗୁଡ଼ାକ ଭାରି ଅସମାନ ବନ୍ଧୁତା । ସେଗୁଡ଼ାକ ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ଏକ ପ୍ରତିଯୋଗିତା ମଧ୍ୟ ରହିଛି । ଦେଖାଇବାର ବା ଦେଖାଇ ହେବାର ଏକ ପ୍ରତିଯୋଗିତା ରହିଛି । ବନ୍ଧୁତା,–ପ୍ରଦର୍ଶନରେ, ଏପରିକି ବିନୟ–ପ୍ରଦର୍ଶନରେ ମଧ୍ୟ ଅପର ପକ୍ଷକୁ ଟପିଯିବାର ଏକ ପ୍ରତିଯୋଗିତା ରହିଛି । ଆପଣାକୁ ଅଧିକ ବୋଲି ପ୍ରମାଣ କରିବାଲାଗି ବନ୍ଧୁ ଖୋଜିବା,–ଏଇଟା ବନ୍ଧୁ ନହୋଇ ପାରିବାର ଲକ୍ଷଣ । ତେଣୁ, ଏକ ଦୁଷ୍ଟତାର ଲକ୍ଷଣ, ଦୈନ୍ୟର ଲକ୍ଷଣ । ଏହି ଦୈନ୍ୟ ହିଁ ମଣିଷକୁ ଉଗ୍ର କରାଏ, ଆପଣାକୁ ଅଧିକ ସମର୍ଥ ବୋଲି ପ୍ରମାଣ କରିବାକୁ ନାନା ପାଞ୍ଚ କରିଥାଏ, ତେଣୁ ନାନାଭାବେ ଉତ୍ତେଜିତ ବି ହୋଇ ରହିଥାଏ । ମୁଁ ପ୍ରତିଯୋଗିତା ଚାହେ ନାହିଁ । ମୁଁ ବାଟ ଚାଲିବାକୁ ଚାହେ । ତେଣୁ, ବାଟରେ ଚାଲୁଥିବା ଅନ୍ୟମାନେ ମୋତେ ବନ୍ଧୁପରି ଦିଶନ୍ତି । ବାଟ ଚାଲିବାରେ ମଧ୍ୟ ମୁଁ ସେମାନଙ୍କୁ ଈର୍ଷା କରେନାହିଁ । କାହା ବାଟ କାହା ଉପରକୁ ମାଡ଼ିଯିବାର କୌଣସି ଭୟ ଯଥାର୍ଥ ବାଟ ଚାଲିବା ଭିତରେ ମୋଟେ ନଥାଏ । ଦେବାର ସମ୍ମତି, ଅନ୍ୟର ବାଟ ଚାଲିବାରେ ସ୍ଵାଭାବିକ ଭାବରେ ଏକ ଖୁସୀ ହିଁ ପ୍ରକାଶ କରିବାର ପ୍ରବୃତ୍ତି, ତାହା ହିଁ ସଂସାରରେ ବନ୍ଧୁ ହୋଇ ପାରିବାର ସର୍ବପ୍ରଧାନ ଯୋଗ୍ୟତା । ଏବଂ, ନିଜେ ବନ୍ଧୁ ହୋଇ ପାରିଲେ ମଣିଷ ଯୁଆଡ଼େ ଅନାଇବ, କେବଳ ବନ୍ଧୁମାନଙ୍କୁ ହିଁ ଦେଖିବ ।

 

୧୦ । ୯ । ୮୩

 

ଲକ୍ଷ୍ମୀ ଆମ ଘରେ କାମ କରିବାକୁ ଆସେ । ସିଏ କାମ କରିବାକୁ ଆସିଲା କି ନାହିଁ, ବେଳେ ବେଳେ ତା’ର ସ୍ଵାମୀ ସେ କଥା ତଦାରଖ କରିବାକୁ ଆସନ୍ତି । କାଲି ବି ସେହିପରି ଆସିଥିଲେ । ମୁଁ ବାହାରକୁ ଯିବା ମାତ୍ରକେ ମୋତେ ପଚାରିଲେ, “ମୋ’ ସ୍ତ୍ରୀ ଏଠାକୁ କାମ କରିବାକୁ ଆସିଛି ?” “ମୋ” ଶବ୍ଦଟା ଉପରେ ସିଏ ଭାରି ସ୍ପଷ୍ଟ ଭାବରେ ଅତ୍ୟଧିକ ଜୋର ଦେଇ କହୁଥିଲେ-। ତାଙ୍କର ସ୍ତ୍ରୀ ବ୍ୟତୀତ ଲକ୍ଷ୍ମୀର ଯେପରି ଅନ୍ୟ କୌଣସି ପରିଚୟ ନାହିଁ, ଏବଂ ତାଙ୍କର ଯାବତୀୟ ସମ୍ପତ୍ତି ମଧ୍ୟରେ ଲକ୍ଷ୍ମୀ ମଧ୍ୟ ହୁଏତ ଟିକିଏ ଉଲ୍ଲେଖଯୋଗ୍ୟ ଭାବରେ ଏକ ସମ୍ପତ୍ତି, ସିଏ ହୁଏତ ଏହି ଦୁଇଟାଯାକ କଥାକୁ ଅତ୍ୟନ୍ତ ସ୍ପଷ୍ଟ କରିଦେବାକୁ ଇଚ୍ଛା କରୁଥିଲେ ।

 

ମୋ’ ସ୍ତ୍ରୀ’କୁ ମୁଁ ସବାଆଗ ଆଦୌ “ମୋ” ସ୍ତ୍ରୀ ବୋଲି ଦେଖେନାହିଁ । କେବଳ ଜଣେ ସ୍ତ୍ରୀ ବୋଲି ଦେଖିବା ତ ଆହୁରି ଦୂରର କଥା । ମୁଁ ତାକୁ ସବାଆଗ ମଣିଷ ବୋଲି ଦେଖେ । ଅର୍ଥାତ୍, ମୁଁ ଯେ ସବାଆଗ ଜଣେ ପୁରୁଷ, ତା’ ଆଗରେ ସେପରି କୌଣସି ଦୁରାଗ୍ରହ ଦେଖାଇବାକୁ ଚେଷ୍ଟା କରେନାହିଁ । ମଣିଷ ମଣିଷ ପରସ୍ପରର ଆପଣାର ହୋଇ ପାଖକୁ ଆସିଲେ ସେମାନଙ୍କ ଭିତରେ ସବାଆଗ ଯେ ଏକ ସମ୍ପତ୍ତିର ସମ୍ବନ୍ଧ ସବାବଡ଼ ସମ୍ବନ୍ଧ ହୋଇ ରହିବ, ମୁଁ ସେକଥାରେ ଏଡେ ଟିକିଏ ବି ବିଶ୍ଵାସ କରେନାହିଁ । ମଣିଷ ମଣିଷ ଲାଗି ସାଥୀ ହୋଇ ରହିବ । ଦୁହେଁ ବାଟ ଚାଲିବେ, ଆପଣାକୁ ନାନାଭାବେ ନା ସ୍ଵତନ୍ତ୍ର ଗୁଣ ପରିଚୟରେ ଅଭିବ୍ୟକ୍ତ କରିବାରେ ପରସ୍ପର ସହିତ ସହଯୋଗ କରୁଥିବେ, ତାହାହିଁ ସାଥିତ୍ୱ । ଆମେ ସମସ୍ତେ ଯେ ଗୋଟିଏ ନିୟତିଦ୍ଵାରା ପ୍ରେରିତ ହୋଇ ଏଠି ବାଟ ଚାଲିବାକୁ ଆସିଛୁ, ପରସ୍ପର ବିଷୟରେ ସେମାନେ ତାହା ସବୁବେଳେ ସ୍ଵୀକାର କରି ପାରୁଥିବେ ।

 

୧୧ । ୯ । ୮୩

 

ଋଣ ଏହି ସଂସାରରେ କରାଯାଏ, ମାତ୍ର ଭଗବାନଙ୍କ ପାଖରେ ଶୁଝାଯାଏ । ମଣିଷ ପାଖରୁ ଋଣ କରାଯାଇଛି ବୋଲି ମୁଁ ଯଦି ସେହି ମଣିଷଙ୍କ ପାଖରେ ହିଁ ସେହି ଋଣକୁ ଶୁଝିବାଲାଗି ବାହାରିବି, ତେବେ ତାହା ଅନେକ ସମୟରେ ମୋ’ର ଅହଙ୍କାର ଗୁଡ଼ାକୁ ଏକ ଔଚିତ୍ୟର ଆବରଣ ଦେଇ ରଖିଥିବ ସିନା, ମୋତେ ହୁଏତ ଋଣମୁକ୍ତ ହେବାରେ ଆଦୌ କୌଣସି ସାହାଯ୍ୟ କରି ପାରିବନାହିଁ ।

 

ଋଣରୁ ମୁକ୍ତ ହେବାର ଆକାଙ୍‌କ୍ଷା, ହୁଏତ ସେଇଟା ମଧ୍ୟ ଗୋଟାଏ ପ୍ରକାରର ଅହଙ୍କାରୀ ଆକାଙ୍‍କ୍ଷା । ମୁଁ ସମସ୍ତଙ୍କ ପାଖରେ ସବୁଯାକ ଋଣ ଶୁଝିବି, ତା’ ପରେ କାହାଠାରେ କୌଣସି ପ୍ରକାରେ ଧାରୁଆ ହୋଇ ରହିନାହିଁ ବୋଲି ମନେ ମନେ ହୃଷ୍ଟ ହୋଇ ରହିଥିବି, ଏଇଟା ମୋଟେ ଅସଲ ଦୃଷ୍ଟିକୋଣ ନୁହେଁ । ଅସଲ ଦୃଷ୍ଟିକୋଣ ହେଉଛି କୃତଜ୍ଞତାର ଦୃଷ୍ଟିକୋଣ । ମୁଁ କୃତଜ୍ଞ ହୋଇ ରହିଥିବି । ନାନା ଭାବରେ ନେଉଥିବି, ଧନୀ ହେଉଥିବି ଏବଂ ସେଥିଲାଗି ଏକ ସମଗ୍ର ଦୃଷ୍ଟିକୋଣ ହିସାବରେ କୃତଜ୍ଞ ହୋଇ ରହିଥିବି । ମୋ’ର ଜୀବନରେ ମୁଁ ଯେତେବେଳେ ଯାହାକିଛି କରିବି, ସେତେବେଳେ ତାହା ମୋ’ର ସେହି ମୂଳଭୂତ କୃତଜ୍ଞତାର ଦୃଷ୍ଟିକୋଣଟିକୁ ବ୍ୟକ୍ତ କରିଆଣି ପାରୁଥିବା ଦରକାର । ତେଣୁ, ମୋ’ର ସଂଗ୍ରହରେ ଯେପରି ଅନ୍ତ ରହିବ ନାହିଁ; ମୋ’ର ଦେବାରେ ମଧ୍ୟ ସେହିପରି ଅନ୍ତ ରହିବନାହିଁ । ସଙ୍କୋଚହୀନ ଭାବରେ ମୁଁ ଗ୍ରହଣ କରି ପାରୁଥିବି ଓ ସଙ୍କୋଚହୀନ ଭାବରେ ଦେଇ ପାରୁଥିବି । ନିଜର ସର୍ବଶ୍ରେଷ୍ଠ ଅର୍ଜନଗୁଡ଼ିକରୁ ଉପଲବ୍‌ଧ ଦେଉଥିବା ମୋ’ର ସର୍ବୋତ୍ତମ ଅନୁରାଗଗୁଡ଼ିକୁ ମୁଁ ଏହି ସବୁଟି ଲାଗି ଦେଇ ପାରୁଥିବି, ଠିକ୍ ତାଙ୍କରି ଚରଣତଳେ ନେଇ ନିବେଦନ କରିଦେଇ ପାରୁଥିବି । ଏବଂ, ସେହି ଦେବା ଭିତରେ ‘ମୁଁ’ ବୋଲି ଆଦୌ କେଉଁଠିହେଲେ କିଛି ନଥିବ । ତେବେଯାଇ ତାହା ଯଥାର୍ଥ କୃତଜ୍ଞ ହୋଇ ରହିବାର ଭାଜନ କରି ରଖିବ ।

 

୧୨ । ୯ । ୮୩

 

ଭଲ ପାଇବ, ଆସକ୍ତ ହୋଇ ପଡ଼ିବନାହିଁ; ଲୋଡ଼ିବ, କିନ୍ତୁ ଯାବୁଡ଼ି ଧରିବାକୁ ମନ କରିବନାହିଁ । ଲୋଡ଼ିବା ଜୀବନର ଧର୍ମ ବୋଲି ଲୋଡ଼ିବ, ତୁମ ଭିତରେ କୌଣସି ଜ୍ଵର ତୁମକୁ ଉତ୍ତେଜିତ କରି ରଖିଛି ଅଥବା କୌଣସି କ୍ଷତ ବା କ୍ଷତିକୁ ପୂରଣ କରିବାର ଆବଶ୍ୟକତା ରହିଛି ବୋଲି କଦାପି ଲୋଡ଼ିବନାହିଁ । ଏକାବେଳେକେ ପାଖରେ ଯାଇ ବସିବ, ମାତ୍ର କଦାପି ଗିଳି ପକାଇବ ନାହିଁ । ତୁମେ ଦେବ, ଅଧିକରୁ ଅଧିକ ଦେବ,–କିଛି ନେବନାହିଁ, ଦେବାର ଆନନ୍ଦକୁ ହିଁ ତୁମର ଏକମାତ୍ର ପ୍ରାପ୍ୟ ବୋଲି ଗ୍ରହଣ କରିବ । ତେବେଯାଇ ତୁମର ଭଲ ପାଇବା ତୁମ ନିଜର ଉନ୍ମୋଚନରେ ସାହାଯ୍ୟ କରିବ, ତୁମର ଜୀବନରେ ପ୍ରସାରଣ ଘଟାଇବ । ସଂସାରର ଉନ୍ମୋଚନରେ ମଧ୍ୟ ତାହା ଅନେକ ସହଯୋଗ କରିପାରିବ ।

 

ଅନେକ ସମୟରେ ମୋହ ଘାରିପକାଏ, ଅହଙ୍କାର କାମୁଡ଼ି ଧରିଥାଏ,–ତେଣୁ ଭଲ ପାଇବାର ଧନ୍ଦା ସତେଅବା ଗୋଟାଏ ରାଜ୍ୟ ଆତ୍ମସାତ୍ କରିବାର ଧନ୍ଦାରେ ପରିଣତ ହୋଇଯାଏ-। ଦରିଦ୍ରମାନେ ଆପଣାର ଦାରିଦ୍ର୍ୟକୁ ନିଜଠାରୁ ଲୁଚାଇ ରଖିବା ସକାଶେ ବାହାରେ ରାଜ୍ୟାଧିକାରୀ ହେବାର ଢମ ଦେଖାଇ ବାହାରନ୍ତି । ତା’ ପରେ ଆଉ କୌଣସି ଭଲ ପାଇବା ସମ୍ଭବ ହୋଇ ପାରେନାହିଁ,–ନିଜେ ଗ୍ରସ୍ତ ହୋଇ ରହିଥିବା ଦୈନ୍ୟକୁ ଭୁଲି ରହିବାପାଇଁ ଗ୍ରାସ କରିବା ହିଁ ପ୍ରାୟ ଏକମାତ୍ର ଧର୍ମ ହୋଇ ରହିଥାଏ । ତଦ୍ଦ୍ଵାରା ସଂସାରଟାକୁ ଉତ୍ତେଜିତ ଓ ବ୍ୟାକୁଳ କରି ପକାଇବା ହିଁ ସାର ହୁଏ । ଭଲ ପାଇବା ପ୍ରାୟ ଏକ ମୃଗୟାରେ ପରିଣତ ହୁଏ । ତେଣୁ, ଗଣ୍ଠିଗୁଡ଼ାକ ମୋଟେ ଖୋଲି ପାରେନାହିଁ । ଦୁଆରଗୁଡ଼ାକ ବନ୍ଦ ହୋଇ ରହିଥାଏ । ଭଲ ପାଇବା ସତେଅବା ଏକ ଅନ୍ତର୍ଗତ ଘୃଣା ଦ୍ଵାରା ପରିଚାଳିତ ହେବାରେ ଲାଗିଥାଏ ।

 

୧୩ । ୯ । ୮୩

 

ଏଡେ ବଡ଼ ହାକିମଙ୍କର ଏଡ଼ିକି ଟିକିଏ ମୁଣ୍ଡ ହୁଏତ ଆହୁରି ଅଧିକ ସାନ ହୃଦୟଟିଏ ତା’ ତଳକୁ କେଉଁଠି ଅନ୍ତରାଳ ହୋଇ ରହିଛି । ଆଗରେ ଏତେବଡ଼ ଟେବୁଲ ପଡ଼ିଛି । ତା’ରି ଭିତରେ ବସି ସିଏ ଦେଶର ଶିକ୍ଷା କଥା ଚିନ୍ତା କରୁଛନ୍ତି । ଶିକ୍ଷାରେ ଏବେ ଘଟୁଥିବା ବିଭ୍ରାନ୍ତଗୁଡ଼ାକୁ ସଜାଡ଼ିବେ ବୋଲି ସେ ସରକାରଙ୍କ ଦ୍ଵାରା ବରାଦ ହୋଇ ଆସିଛନ୍ତି ।

 

ବଡ଼ ହାକିମମାନେ ପ୍ରକୃତରେ ଶିକ୍ଷା ଲାଗି ଅନୁରାଗୀ ହୋଇ ଯେ ଶିକ୍ଷାବିଭାଗ ଭିତରକୁ ଆସନ୍ତି, ସେକଥା ଆଦୌ ନୁହେଁ । ସରକାର ସେମାନଙ୍କୁ ଯେତେବେଳେ ଯେଉଁ ବିଭାଗକୁ ପ୍ରେରଣା କରନ୍ତି, ସେତେବେଳେ ସେମାନେ ସେହି ବିଭାଗକୁ ଯାଆନ୍ତି । କେଉଁ ବିଭାଗ ପ୍ରତି ଅନୁରାଗ ରଖିବନାହିଁ, ଅଥଚ ବାହାରେ ଥାଇ ଶାସନଦକ୍ଷତା ଦେଖାଇ ଅସଜଡ଼ାଗୁଡ଼ାକୁ ସଜାଡ଼ିବ, ସଜାଡ଼ୁ ସଜାଡ଼ୁ ଯୋଗାଡ଼ କରି ଆଉକୌଣସି ବିଭାଗକୁ ପଳାୟନ କରିବ,–ଏଇଟା ହେଉଛି ଉଚ୍ଚ ପ୍ରଶାସନିକ ସ୍ତରର ନୀତିବାଦ । ତେଣୁ, ଉଚ୍ଚ ହାକିମମାନେ ନିଜ ହାକିମୀଗୁଡ଼ାକର ସ୍ତରୋନ୍ନତି ନିମନ୍ତେ ହିଁ ବିଭାଗରୁ ବିଭାଗ ହେବାରେ ଲାଗିଥାନ୍ତି । ସେମାନେ ଉଠି ଉଠି ଯାଉଥାନ୍ତି, ମାତ୍ର ବିଭାଗମାନେ ଯେଉଁଠି ସେଇଠି ପଡ଼ି ରହିଥାନ୍ତି । ଅବସ୍ଥାଗୁଡ଼ାକ ଦୁରବସ୍ଥାରେ ପରିଣତ ହୋଇ ରହିଥାଏ । ଦେଶ ଯେଉଁଠି ଅଛି ସେଇଠି ଥାଏ, ଏମାନେ ଶୂନ୍ୟେ ଶୂନ୍ୟେ ଉପରକୁ ଉଠି ଯାଉଥାନ୍ତି, ନିଜର ଗୌରବ ବଡ଼ାଉଥାନ୍ତି, ନିଜର ଚେକାଟାକୁ ବଢ଼ାଇବାରେ ଲାଗିଥାନ୍ତି । ଏବଂ, ଏହି ପ୍ରକ୍ରିୟାରେ ସେମାନଙ୍କର ହୃଦୟଟା କ୍ରମଶଃ ଅଧିକରୁ ଅଧିକ ଛୋଟ ହୋଇ ଯିବାରେ ଲାଗିଥାଏ । କେବଳ ନିଜକୁ ଛାଡ଼ି ଆଉ ସବୁକିଛି ପାଇଁ ସେମାନେ ଏହି ସଂସାରରେ ବାବାଜୀ ହୋଇ ବାହାରିଥାନ୍ତି ।

 

୧୪ । ୯ । ୮୩

 

ଆମେ ଯେଡ଼ିକି ଛୋଟ ସେଡ଼ିକି ଛୋଟ ହୋଇ ରହିଥିବା ଓ ତେଣେ ବଡ଼ ବଡ଼ କାମକୁ ଆଦରିଛୁ ବୋଲି କଥାରେ କହୁଥିବା, ଏହାଦ୍ଵାରା ଆମହାତରେ ପଡ଼ି ବଡ଼ କାମଗୁଡ଼ାକ ମଧ୍ୟ ଛୋଟ କାମରେ ପରିଣତ ହୋଇଯିବ । ବଡ଼ କାମ ସକାଶେ ସର୍ବୋପରି ଏବ ବଡ଼ ହୃଦୟ ଦରକାର । ହୃଦୟ ବଡ଼ ହେଲେ କାମରେ ଲାଗୁଥିବା ଆମର ବୁଦ୍ଧି ମଧ୍ୟ ଯଥାନୁରୂପ ଭାବରେ ବଡ଼ ଓ ଯୋଗ୍ୟ ହୋଇପାରିବ । ଆମର ପ୍ରୟାସ ମଧ୍ୟ ବଡ଼ ହୋଇ ପାରିବ । ମାତ୍ର, ହୃଦୟଗୁଡ଼ାକ ଛୋଟ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ କୋଉ ବଡ଼ କାର୍ଯ୍ୟ ଲାଗି ଯୋଗ୍ୟ ହୋଇ ପାରିବା କିପରି ?

 

ଏବଂ, ହୃଦୟକୁ ବଡ଼ ଅର୍ଥାତ୍ ପ୍ରସାରିତ କରିବାକୁ ଭୟ କରୁଥିବା ପର୍ଯ୍ୟନ୍ତ ଆମ ଭିତରେ କେବଳ ଅହଙ୍କାରଟା ହିଁ ଅଧିକରୁ ଅଧିକ ବଡ଼ ହେବାରେ ଲାଗିଥିବ । ଆମ ଅହଙ୍କାରର ପ୍ରାଦୁର୍ଭାବରେ ପଡ଼ି ଆମର ଆଦର୍ଶମାନେ ମଧ୍ୟ ଭାରି ହତଶ୍ରୀ ହୋଇ ରହିଥିବେ । ଆଦର୍ଶ ଭିତରେ ଉଗ୍ରତା ପଶିଥିବ, ଆଦର୍ଶଟିଏ ଥିବାର ଅସଲ ଅନୁରାଗ ଗୁଡ଼ିକ ସତେଅବା କେଉଁ ଅନ୍ତରାଳରେ ଯାଇ ଲୁଚିଥିବେ ଆମ ଅହଙ୍କାର ଗୁଡ଼ାକର ଭୟରେ ଆଦୌ ବାହାରକୁ ଆସୁ ନଥିବେ । ବାହାରକୁ ଭାରି ବିକୃତ ହୋଇ ରହିଥିବେ । ଅନେକ ସମୟରେ ବୁଦ୍ଧି ବଢ଼େ, ବୟସ ବଢ଼େ, ଜୀବନରେ ଜଣେ ଅନୁରାଗପ୍ରଧାନ ମଣିଷ ପରି ବଞ୍ଚିବାଲାଗି ନାନା ସୁଯୋଗ ଓ ଆହ୍ଵାନ ଆସୁଥାଏ ଓ ଚାଲି ଯାଉଥାଏ,–ତଥାପି ହୃଦୟଟାକୁ ଆମେ କୋଉ ଖୋଲ ଭିତରେ ନେଇ ଲୁଚାଇ ରଖିଥାଉ କେଜାଣି, ଜୀବନରେ ଏହି ଅହଂଟା ଅର୍ଥାତ୍ ଅହଙ୍କାରଟା ହିଁ ଆମ ଉପରେ ଜବରଦସ୍ତ ସବାର ହୋଇ ରହିଥାଏ, ଆମଠାରୁ ଆମରି ସକଳ ପ୍ରତ୍ୟୟକୁ ଦାବୀ କରିବାରେ ଲାଗିଥାଏ ।

 

୧୫ । ୯ । ୮୩

 

ବେଳେ ବେଳେ ଶରୀର ଭିତରେ କେଉଁଠି ଟିକିଏ କ’ଣ ନା କ’ଣ ଅସୁସ୍ଥତା ପଶି ଗଲାପରି ମନେ ହେଉଛି, ତଥାପି ସେଇଟି ସହିତ ସେହି ଶରୀର ଭିତରୁ ହିଁ କେହି ଅତ୍ୟନ୍ତ ନିର୍ଭର ଦେଇ କହୁଥିଲା ପରି ମନେହେଉଛି ଯେ, ମୁଁ ଏହି ଅସୁସ୍ଥତାକୁ ଅବଶ୍ୟ ଅତିକ୍ରମ କରିଯିବି । ଜୀବନରେ ଏପରି ଅନେକ ଥର ଘଟିଛି ।

 

ଅସୁସ୍ଥତାଟିଏ ଆସିଲେ ମୁଁ ତା’ର କୌଣସି ପ୍ରତିରୋଧ କରେନାହିଁ,–ଅତ୍ୟନ୍ତ କୋଳାହଳଶୂନ୍ୟ ଭାବରେ ମୁଁ ତାହାକୁ ସ୍ଵୀକାର କରିନିଏ । ତା’ ବିରୁଦ୍ଧରେ କୌଣସି ଅଭିଯୋଗ କରେନାହିଁ । ଦେହଠାରୁ ଆହୁରି ଅଧିକ ବଡ଼ କର୍ତ୍ତାର କୌଣସି କଚେରୀ ପାଖରେ ମୁଁ ଆଦୌ କୌଣସି ନାଲିଶ୍ ଜଣାଇବାକୁ ମଧ୍ୟ ମୋଟେ ମନ କରେନାହିଁ । ମୁଁ ଅସୁସ୍ଥତାଟିକୁ ସତେଅବା ମୋ’ର ସାଙ୍ଗ ହୋଇ ମୋ’ ସହିତ କେତେଦିନ ଲାଗି ରହିବାକୁ ଆସିଥିବା ଏକ ଆଗନ୍ତୁକ ପରି ଗ୍ରହଣ କରିନିଏ । ତା’ ଆଗରେ ମୁଁ ଆଦୌ କିଛିହେଲେ ଲୁଚାଏ ନାହିଁ । ସତେଅବା ମୋ’ର ସବୁଯାକ ଦୁଆରକୁ ଖୋଲି ଦେଇଥାଏ । ଏବଂ, ଅସୁସ୍ଥତା କିଛିଦିନ ରହେ, ତା’ ପରେ ବଳେ ବଳେ ଚାଲିଯାଏ । ତା’ ପାଖରେ ପ୍ରାୟ ସବୁଥର ମୋତେ ଏହି କଥାଟି ସକାଶେ କୃତଜ୍ଞ ହୋଇ ରହିବାକୁ ପଡ଼େ ଯେ, ସିଏ ସାଙ୍ଗରେ ରହିଥିବା ବେଳେ ମୋ’ର ଦୈନନ୍ଦିନ କାର୍ଯ୍ୟରେ କୌଣସି ବାଧା ଉପୁଜେନାହିଁ, କର୍ମାଗ୍ରହରେ ମଧ୍ୟ ଆଦୌ କୌଣସି ବିଚ୍ୟୁତ ଆସି ପହଞ୍ଚେନାହିଁ । ମୁଁ ସେଇଥିପାଇଁ ଅତ୍ୟନ୍ତ କୃତଜ୍ଞ ହୋଇ ରହେ । ଏବଂ, ସମ୍ଭବତଃ ସେହି କୃତଜ୍ଞତା ହିଁ ମୋତେ ଅନେକ ପ୍ରକାରେ ସଙ୍କୁଚିତ ହୋଇ ପଡ଼ିବାରୁ ରକ୍ଷାକରେ । ସୁସ୍ଥତା, ଏକ ମୂଳଭୂତ ସୁସ୍ଥତା ଯେତେବେଳେ ମଝିରେ ବେଳେ ବେଳେ ପ୍ରାୟ ଏକ ଆବଶ୍ୟକତା ପରି କିଞ୍ଚିତ୍ ଅସୁସ୍ଥତାକୁ ସ୍ଵୀକାର କରି ନେଇଥାଏ, ସେତେବେଳେ ନିଜକୁ ଆଦୌ ଅସୁସ୍ଥ ଲାଗେନାହିଁ । ଅସୁସ୍ଥତା ଥାଏ, ତଥାପି ମୋଟେ ଅସୁସ୍ଥ ଲାଗେନାହିଁ ।

 

୧୬ । ୯ । ୮୩

 

ଅସଲ କଥାଗୁଡ଼ିକ ପ୍ରକୃତରେ ଭାରି ସହଜ କଥା । ଆମେ ସହଜ ବାଟରେ ଗଲେ ସେଗୁଡ଼ିକୁ ମଧ୍ୟ ଅତ୍ୟନ୍ତ ସହଜ ଭାବରେ ଆସି ଧରାଦିଅନ୍ତି । ଆମେ ସହଜ ହେଲେ ଆମପାଇଁ ବି ସେଗୁଡ଼ିକୁ ଭାରି ସହଜ ହୋଇଯାଆନ୍ତି । ଆମେ ନିଜେ ଆମ ତରଫରୁ ନାନାପ୍ରକାରେ ବଙ୍କା ହୋଇ ରହିବାକୁ ମନ କରୁଥିବା ପର୍ଯ୍ୟନ୍ତ ଆମକୁ ସେହି ଅସଲ ଜିନିଷଗୁଡ଼ିକ ଭାରି ବଙ୍କା ହୋଇ ଦିଶନ୍ତି ।

 

ଆମେ ସ୍ଵବୁଦ୍ଧିବଳରେ ଅନେକ ସମୟରେ ସହଜ ଜିନିଷଗୁଡ଼ିକୁ ଠିକ୍ ଏହିପରି ଭାବରେ ଅସାଧ୍ୟ କରି ପକାଉଥାଉ । ଆପଣାର ମାର୍ଗରେ ସବୁକିଛିକୁ ସାଧ୍ୟ କରି ପାରିବ ବୋଲି ପରାକ୍ରମ ପ୍ରକାଶ କରି ଆମର ବୁଦ୍ଧି ସବୁକିଛିକୁ ଅସାଧ୍ୟ ଓ ଅପହଞ୍ଚ କରି ରଖିଥାଏ । ଯେତିକିକୁ ସାଧ୍ୟ କରିପାରିଲା ବୋଲି ଭାବୁଥାଏ, ସେଗୁଡ଼ାକୁ ମଧ୍ୟ ଅତ୍ୟନ୍ତ ବିକୃତ କରି ପକାଇଥାଏ । ବୁଦ୍ଧିର ଏତେଦୂର ବଳ କଦାପି ହେଉନଥାନ୍ତା, ଯଦି ତାହା ପଛରେ ଅହଂ ବୋଲି ଏକ ଅନ୍ୟ ଉପାଦାନ ଆପଣାକୁ ଏଡେ ବଡ଼ ଗଣ୍ଠି ପକାଇ ଥାନ ମାଡ଼ି ପ୍ରତିଷ୍ଠିତ କରି ରଖିନଥାନ୍ତା । ଅହଂଭାବନା ଅର୍ଥାତ୍ ଭୟଭାବନା । ସବାମୂଳରେ ଏହିପରି ଏକ ଭୟର ଭାବନା ରହିଥାଏ ବୋଲି ଅହଂ ଉଗ୍ର ହୁଏ; ଅସଲ ଯେଉଁ ଖିଅଗୁଡ଼ିକୁ ଲଗାଇ ପାରିଲେ ତାହା କ୍ରମଶଃ ଉନ୍ମୋଚିତ ହୋଇ ଯାଉଥାନ୍ତା ଓ ଆପଣାକୁ ଅନେକ କାର୍ଯ୍ୟରେ ଲଗାଇ ପାରୁଥାନ୍ତା, ତାହାର ସେହି ଖିଅଗୁଡ଼ିକୁ ଲଗାଇବା ମୋଟେ ସମ୍ଭବ ହୁଏନାହିଁ । ତେଣୁ, ଆପଣାକୁ ଉଗ୍ର କରି ରଖିବାଦ୍ଵାରା ଜୀବନର ଅସଲ ଅନୁଧାବନ ଗୁଡ଼ିକର କ୍ଷେତ୍ରରେ ତାହା ଅତ୍ୟନ୍ତ ପରିମାଣରେ ପ୍ରତିହତ ହୋଇ ରହିଥାଏ । ତଦ୍ଦ୍ଵାରା ବୁଦ୍ଧି ମଧ୍ୟ ବିକୃତ ହୁଏ । ବୁଦ୍ଧି ଭୟାଳୁ ହୁଏ, ସହଜ କଥାଗୁଡ଼ିକୁ ଜଟିଳ କରେ । ଅତି ସହଜରେ ମିଳି ପାରୁଥିବା ସମ୍ପଦଗୁଡ଼ିକୁ କାହିଁ କେତେ ଦୂରର କରି ରଖିଥାଏ ।

 

୧୭ । ୯ । ୮୩

 

ଡୋର କେତେବେଳେ ହେଲେ ଛାଡ଼ି ଯାଇନଥାଏ । ମାତ୍ର ସେହି ଡୋରଟିକୁ ଆମେ ବେଳେ ବେଳେ ଅନୁଭବ କରୁ, ପୁଣି ବେଳେ ବେଳେ ମୋଟେ ଅନୁଭବ କରି ନପାରୁଥିବା ସମୟରେ ଡୋରଟି ନାହିଁ ବୋଲି କହୁ, ଅନେକ ସମୟରେ ଏଡେ ବଡ଼ ପାଟି କରି ପୃଥିବୀ କମ୍ପାଇ ମଧ୍ୟ କହିଥାଉ । ଆପଣାର ବ୍ୟଥା ଦ୍ଵାରା ପୃଥିବୀକୁ କମ୍ପାଇବାକୁ ମନ କରୁଥିବା କବିମାନେ କେଡ଼େ କେଡ଼େ ଅନୁରାଗରେ ଏହାକୁ ବିରହ ବୋଲି କହନ୍ତି । ପୃଥିବୀର କାବ୍ୟ–ଇତିହାସରେ ସମ୍ଭବତଃ ମିଳନ ଅପେକ୍ଷା ବିରହ ଉପରେ ହିଁ ଅଧିକ କାବ୍ୟ ଲେଖାଯାଇଛି । ମିଳନରେ ତ ପାତ୍ର ପୂରିଗଲା ପରି ଲାଗେ ଓ ତେଣୁ ଅଭିଯୋଗ ବନ୍ଦ ହୋଇଯାଏ, ଭିତରେ ଓ ବାହାରେ ସବୁକିଛି ନୀରବ ହୋଇ ଆସେ । ସମ୍ଭବତଃ ସେହି କାରଣରୁ କବିମାନେ ବିରହ ଉପରେ ହିଁ ଅଧିକ କବିତା ଲେଖିଛନ୍ତି ।

 

ତଥାକଥିତ ବିରହ ସମୟରେ ସେହି ଯଥାର୍ଥ ନୀରବତାଟିକୁ ରଖିପାରିଲେ ଛାଡ଼ିଗଲା ପରି ମନେ ହେଉଥିବା ଡୋରଟି ତଥାପି ପୁଣି ହାତରେ ଆସି ବାଜିଯାଏ । କୋଳାହଳ କଲେ ମଣିଷ ଅଧିକ ହରାଏ ଏବଂ ନୀରବ ରହିଲେ ପାଏ । ସମଗ୍ରଟିକୁ ଦେଖିହୁଏ, ସମଗ୍ରଟିକୁ ଅନୁଭବ କରି ହୁଏ । ଏବଂ, ସମଗ୍ରଟି ମଧ୍ୟରେ ସବୁକିଛିକୁ ଦେଖିହୁଏ । ମାତ୍ର, ଆପଣାର ଅହଂଟାକୁ ହିଁ ଅସଲ କେନ୍ଦ୍ର ବୋଲି ମାନୁଥିବା ପର୍ଯ୍ୟନ୍ତ ମଣିଷ ମୋଟେ ସମଗ୍ରଟିକୁ ଦେଖି ପାରେନାହିଁ । ଅସଲ କେନ୍ଦ୍ର ଅହଂ ନୁହେଁ, ଅସଲ କେନ୍ଦ୍ରଟି ହେଉଛି ଏକ ଅନୁରାଗ, ଯାହାକି ଏକ ସଂଯୋଗକାରୀ ଓ ଉନ୍ମୋଚନକାରୀ ବ୍ୟାକୁଳତାରେ ନିଜକୁ ପ୍ରକାଶ କରିଥାଏ । ନିଜ ବିଚରଣରେ ଅସଲ ଆବେଦନଗୁଡ଼ିକୁ ସେହିଠାରେ ଅନୁଭବ କରି ପାରିଲେ ନିଜକୁ ଆଦୌ ହରାଇବାକୁ ପଡ଼େନାହିଁ ସତ, ମାତ୍ର ସେହି ଅହଂକାରର କବଳରୁ ମୁକ୍ତି ମିଳିଯାଏ ।

 

୨୦ । ୯ । ୮୩

 

ମୁଁ ସଂସାରର ସବୁଯାକ କାର୍ଯ୍ୟକୁ କଦାପି କରି ପାରିବିନାହିଁ ସତ, ମାତ୍ର ନିଜେ ଯେତିକି କରିପାରୁଛି, ଅଧିକ ଅନୁରାଗ ଦ୍ଵାରା ମୁଁ ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ନିଶ୍ଚୟ କରିପାରିବି । ଯେତିକି ଉତ୍ସାହର ସହିତ କରୁଛି, ତା’ ଠାରୁ ଦଶଗୁଣ ଅଧିକ ଉତ୍ସାହରେ କରି ପାରିବି ।

 

ମଣିଷ ଗେହ୍ଲା ହେଲେ ଗୋଟାସୁଦ୍ଧା ବିଗିଡ଼ିଯାଏ । ତା’ର ଯେଉଁ ଦ୍ଵାର ଗୁଡ଼ିକ ସବାଆଗ ଖୋଲା ରହିବା କଥା, ଅର୍ଥାତ୍, ତା’ ଭିତରେ ଯେଉଁସବୁ ଆଗ୍ରହ ଏବଂ ଉପାଦାନ ପ୍ରାୟ ସ୍ଵତଃପ୍ରେରିତ ଭାବରେ ସମ୍ମତ ହୋଇ ରହିବା କଥା, ଗେହ୍ଲା ହେବାକୁ ମନ କଲେ ତା’ର ସେହି ଦ୍ଵାରଗୁଡ଼ିକ ବନ୍ଦ ହୋଇଯାଏ ଏବଂ ସେହି ଆଗ୍ରହ ଓ ଉପାଦାନଗୁଡ଼ିକ ଭିତରେ କିଳି ହୋଇ ରହିଥାନ୍ତି । ଗେହ୍ଲା ହେଲେ ମଣିଷ କେତେ ପ୍ରକାରେ କିଛି ନକରୁଥିବାର ଏକ କ୍ଷତିପୂରଣ ଖୋଜି ବାହାର କରିବାରେ ଲାଗିଥାଏ । ସିଏ କାରଣରେ ଅକାରଣରେ ସଂସାରଟାଯାକକୁ ଦୋଷ ଦେବାରେ ଲାଗିଥାଏ, ନିଜର ଅଭାବଗୁଡ଼ିକ ଲାଗି ପବନକୁ ଭର୍ତ୍ସନା କରୁଥାଏ । ଏଡେ ବଡ଼ ପାଟିରେ ସେ ସବୁରି ବିରୁଦ୍ଧରେ ଅଭିଯୋଗ କରି ବାହାରିଥାଏ । ଆମ ନିଜ ଭିତରେ ଆମର ଅସଲ ସହଯୋଗୀଟି ଯେ ଆମର ସମ୍ମତି ଲାଗି ଅପେକ୍ଷା କରି ରହିଛି, ଆମେ ଦଶଗୁଣ ହେବାକୁ ଓ ଦଶଗୁଣ କରିବାକୁ ମନ କଲେ ସିଏ ଯେ ଆମଲାଗି ଦଶଗୁଣ ବଳ ଓ ଉତ୍ସାହ ଯୋଗାଇଦେବା ଲାଗି ଅପେକ୍ଷା କରି ରହିଛି, ସେହି କଥାଟିର ସୁରାଖ ପାଇଯିବା ମାତ୍ରକେ ତା’ ପରେ ଆଉ ଗେହ୍ଲା ହେବାକୁ ମୋଟେ ମନ ହୁଏନାହିଁ । ଗେହ୍ଲା ହେବାର ଯାବତୀୟ ଯୁକ୍ତି ଚୁଲୀକୁ ଯାଏ । ତା’ ପରେ ଖାଲି ସମ୍ମତି ବ୍ୟତୀତ ଆଉ କିଛି ଦେଖା ଯାଏନାହିଁ ।

 

୨୪ । ୯ । ୮୩

 

କାର୍ଯ୍ୟଟିଏ ଆରମ୍ଭ କରିବା ଆଗରୁ ମନ ଭିତରେ ହୁଏତ କେତେ କ’ଣ କୁଣ୍ଠା ଓ ସଙ୍କୋଚ ରହିଥାଏ । ମାତ୍ର, କାମଟିକୁ ଆରମ୍ଭ କରିଦେବା ମାତ୍ରକେ ସେହିସବୁ କୁଣ୍ଠା ଓ ସଙ୍କୋଚ କୁଆଡ଼େ ଅନ୍ତର୍ହିତ ହୋଇଯାଏ । ଏହି କାମଟି ଲାଗି ସତେଯେପରି ଅତ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ମୁଇଁ ଅଭିପ୍ରେରିତ ହୋଇ ରହିଥିଲି, ସେହିପରି ଏକ ଅନୁଭବ ହୋଇଯାଏ । ମୋ’ କାମ ଆଉ ମୋ’ କାମ ହୋଇ ରହେନାହିଁ । କାମଟିକୁ ଆରମ୍ଭ ନକରିଥିବା ପର୍ଯ୍ୟନ୍ତ ତାହା ମୋ’ କାମ ବୋଲି ଲାଗୁଥାଏ, ମୁଁ ନହେଲେ କାମଟା ସତେଅବା ମୋଟେ ହୋଇ ପାରିବନାହିଁ ବୋଲି ମନେ ହେଉଥାଏ, ହୁଏତ ସେଇଥିଲାଗି ଯାବତୀୟ ଗୋଡ଼ ଲମ୍ବାଇବା ଦରକାର ପଡ଼େ । ମାତ୍ର, କାମଟିକୁ ଆରମ୍ଭ କରିଦେବା ପରେ କାମଟି ଆଉ ମୋ’ର ହୋଇ ରହେନାହିଁ । ଗୋଡ଼ଗୁଡ଼ାକ, ହାତଗୁଡ଼ାକ, ବୁଦ୍ଧି ଗୁଡ଼ାକ,–ସେତେବେଳେ ସମସ୍ତେ ହୃଦୟର କଥା ମାନନ୍ତି । ହୃଦୟ ଯାହା କଥା ମାନେ, ସତେଅବା ତାହାରି କାମ କରୁଥିବା ପରି ଅନୁଭବ କରେ । ତେଣୁ, ସବୁ ସମାଧାନ ହୋଇଯାଏ । ଅଡ଼ୁଆ କିଛି ରହେନାହିଁ ।

 

ଏବଂ, କାମଟି ସରିଯିବା ପରେ କେବଳ କୃତଜ୍ଞତା ହିଁ ବାକୀ ରହିଥାଏ । ମୁଁ କାମଟିକୁ କରିପାରିଲି ବୋଲି କୃତଜ୍ଞତା ନୁହେଁ, ମାତ୍ର ଏହି କାମଟି ଲାଗି ମୁଁ ନିମିତ୍ତ ରୂପେ ବ୍ୟବହୃତ ହୋଇପାରିଲି ବୋଲି ମୁଁ କୃତଜ୍ଞତା ଜଣାଏ । ମୋ’ର ଯାବତୀୟ ଶକ୍ତି ସେତେବେଳେ କାହାରି ସ୍ପର୍ଶରେ ସତେଅବା ଅମିତ ଗୁଣରେ କେଡ଼େ ହାଲୁକା ହୋଇଯାଏ । ଏହି ହାଲୁକା ହୋଇପାରିବା,–ଭିତରେ ଯେ ସବୁକିଛି ସମ୍ମତ ଓ ପ୍ରସ୍ତୁତ ହୋଇ ରହିଛି, ଏହାହିଁ ତାହାରି ଲକ୍ଷଣ । ଏବଂ, ସମ୍ମତ ମଣିଷର ଆଉ ଚିନ୍ତା କରିବାର କ’ଣ ଅଛି ?

 

୨୫ । ୯ । ୮୩

 

ବନ୍ଧୁ ଅନ୍ତର ଭିତରେ ରହିଛି,–ବନ୍ଧୁ ମୋ’ର ଆଖି ଭିତର ଦେଇ ଆପଣାକୁ ଅଭିବ୍ୟକ୍ତ କରିବାରେ ଲାଗିଛି, ଏବଂ ସେଇଥିପାଇଁ ହିଁ ଏହି ସଂସାର ଏଡ଼େ ସୁନ୍ଦର ଲାଗୁଛି ଓ ସୁନ୍ଦର ଦେଖାଯାଇଛି । ସଂସାରପଥରେ ବାଟ ଚାଲିବାରେ ଯେତେ ଆଘାତ ଓ ଯେତେ ଖଣ୍ଡିଆଖାବରା, ସବୁକିଛି ସେହି ବନ୍ଧୁର ହାତବାଜି ଏପରି ଏକ ଉପାଦାନ ଓ ଅନୁଭବରେ ପରିଣତ ହୋଇଯାଉଛି, ଯାହାକି ସତତ କେବଳ ଏକ ଫୁଲ ବଗିଚାର କଥା ହିଁ ମନେ ପକାଇ ଦେଉଛି ।

 

ବାହାରକୁ ଭଲ ପାଇଲେ ବାହାରଟା ଅନ୍ତରଭିତରେ ଦେଖା ଯିବାକୁ ଆରମ୍ଭ କରେ । ଅନ୍ତର ଭିତରେ ଯିଏ ଅସଲ ପ୍ରେରକ ହୋଇ ରହିଛି, ତାହାରି ଆଖିରୁ କାଣିଚାଏ ବି ଲାଭ କରି ଯୁଆଡ଼କୁ ଅନାଇଲେ ବି ସବୁକିଛି ଖାଲି ଆପଣାର ଘର ପରି ଦେଖାଯାଏ, ସମସ୍ତେ ଆତ୍ମୀୟ ପରି ଦିଶନ୍ତି । ମୁଁ ଗୋଟାସୁଦ୍ଧା ଏହି ସଂସାର ଲାଗି ତିଆରି ହୋଇଛି, ଏହି ଅନୁଭୂତିଟି ଯଥାର୍ଥରେ ଅନ୍ତର ଭିତରେ ହିଁ ମିଳେ । ଆପଣାକୁ ଏହି ସବୁଟି ମଧ୍ୟରେ ପ୍ରେରିତ କରି ରଖିବାର ଅନୁରାଗ, ସେଥିଲାଗି ଆବଶ୍ୟକ ଯଥାର୍ଥ ଉଦ୍‌ବୋଧନଟି ସେହି ଅନ୍ତର ଭିତରୁ ହିଁ ଉପଲବ୍‌ଧ ହୁଏ । ସବୁ ଯଥାର୍ଥ ନିଷ୍ପତ୍ତି ସେହିଠାରୁ ହିଁ ଜନ୍ମ ହୁଏ । ଯେଉଁ ନିଷ୍ପତ୍ତିଗୁଡ଼ାକର ନାଡ଼ ମୋଟେ ଅନ୍ତର ଭିତରକୁ ଲାଗି ନଥାଏ, ମଣିଷ ସେଗୁଡ଼ାକ ପାଇଁ ବାହାରେ ଯେତେ ବେଠି ଖଟୁଥିଲେ ମଧ୍ୟ ଭିତରେ ତାହାପ୍ରତି ଆଦୌ କୌଣସି ସ୍ଵୀକୃତି ନଥାଏ, ତେଣୁ, ଅନେକ ସମୟରେ ଅଭିନୟଗୁଡ଼ାକୁ ହିଁ ଜୀବନ ବୋଲି ଚଳାଇ ନେବାକୁ ପଡ଼େ । ତା’ ପରେ ବାହାରେ ସବୁ ସମ୍ପଦ ଓ ସବୁ ଚତୁରତା ଭରି ରହିଥିଲେ ମଧ୍ୟ ଭିତରେ ତଥାପି ସବୁ ଖାଇ ଖାଇ ଯାଉଥାଏ । ନିଜକୁ ଲୁଚାଇ ରଖି ହିଁ ଜୀବନ ବଞ୍ଚିବାକୁ ପଡ଼ୁଥାଏ-

 

୨୬ । ୯ । ୮୩

 

ଅନ୍ତର ଭିତରେ ଖୋଜିବା ଯେ ବନ୍ଦ ହୋଇଯାଏ, ସେକଥା ମୋଟେ ନୁହେଁ । ତାହାକୁ ଅନ୍ତର ଭିତରେ ଅନୁଭବ କରିବାକୁ ଆରମ୍ଭ କରିବା ପରେ ଯାଇ ଜୀବନର ଯଥାର୍ଥ ଖୋଜିବାମାନ ଆରମ୍ଭ ହୁଏ । ସଂଶୟମୁକ୍ତ ହୋଇ ଖୋଜିବା, ସଂଶୟମୁକ୍ତ ଭାବରେ ଆପଣାକୁ ଦେବା,–ଏହି ସବୁକିଛି ତା’ ପରେ ଯାଇ ଆରମ୍ଭ ହୁଏ ।

 

ଅନ୍ତର ଭିତରେ ନପାଇଥିବା ପର୍ଯ୍ୟନ୍ତ ପ୍ରାୟ ଯାବତୀୟ ଖୋଜିବାରେ ଜ୍ଵର ଭର୍ତ୍ତି ହୋଇ ରହିଥାଏ । ମଣିଷ ଯେପରି କେତେ ଜାଗାରେ ପ୍ରବେଶ କରି କେତେ କ’ଣ ଦୂର କରିଦେବ ବୋଲି ବାହାରିଥାଏ । ସେହି ଜୂର କରିଦେବାର ଦ୍ଵାରକୁ ହିଁ ସେ ଅନେକ ସମୟରେ ଜ୍ଞାନବୋଲି କହେ, ଭକ୍ତି ବୋଲି କହେ ଓ ପ୍ରେମ ବୋଲି କହେ । ଜ୍ଞାନଦ୍ଵାରା ଗ୍ରାସ କରି ପକାଏ, ଭକ୍ତିଦ୍ଵାରା ଗ୍ରାସ କରି ପକାଏ ଓ ପ୍ରେମଦ୍ଵାରା ମଧ୍ୟ ଗ୍ରାସ କରି ପକାଏ । ସେତେବେଳେ ମନ୍ଦିର ଗୁଡ଼ାକରେ ଢାଉଁ ଢାଉଁ ହୋଇ ଘଣ୍ଟା ନ ବାଜିଲେ ମୋଟେ କିଛିହେଲେ ସୁଖ ଲାଗେନାହିଁ, ପ୍ରକୃତରେ କିଛି ହେଉଛି ବୋଲି ଆଦୌ ମନ ବୋଧ ହୁଏନାହିଁ । ପୂଜା ନାଆଁରେ କେତେ କାନଅତଡ଼ା ପଡ଼େ, ଆଡ଼ମ୍ବରଗୁଡ଼ାକୁ ବଢ଼ାଇବା ସକାଶେ ଆପଣାକୁ କେତେ ମତ କେତେ ପରିଚ୍ଛଦ ଦ୍ଵାରା ଅଧିକ ଓ ଆହୁରି ଅଧିକ ଦ୍ଵାରା ଦେଖାଇବାର ଚେଷ୍ଟା କରା ଯାଉଥାଏ । ସେହି ଖୋଜିବାର ଅର୍ଥ ହେଉଛି ନିଜକୁ ସତେଅବା ଏଡ଼େ ମୋଟା ଖୋଳପାଟାଏ କରି ତାହାରିଦ୍ଵାରା ଖୋଜୁଥିବାର ଅସଲ ଆତ୍ମାଟିକୁ ଢାଙ୍କି ରଖିବା ଓ ତା’ ପରେ ପ୍ରାୟ ସକଳ ଖୋଜିବାକୁ ବନ୍ଦ କରିଦେବା । ଏହିସବୁ ଖୋଜିବାର ଯାବତୀୟ କୋଳାହଳ ବନ୍ଦ ହେଲେ ଯାଇ ଭିତରୁ ଅସଲ ବନ୍ଧୁଟି କବାଟ ଠକ୍‍ ଠକ୍‍ କରେ । ଏବଂ ସେତିକିବେଳେ କବାଟଟିକୁ ଖୋଲିଦେଇ ପାରିଲେ ବନ୍ଧୁର ଦର୍ଶନ ମିଳେ ।

 

୨୭ । ୯ । ୮୩

 

ସମସ୍ତଙ୍କ ସହିତ ଏକତ୍ର ସମବେତ ହୋଇ ଜାତୀୟ ସଙ୍ଗୀତ ଗାନ କରୁଥିବା ସମୟରେ ମୁଁ ସମଗ୍ର ଭାରତବର୍ଷକୁ ଦେଖେ । ଏବଂ, ସେହି ସମଗ୍ର ଭାରତବର୍ଷ ଆଗରେ ମୁଁ ନିଜେ ଠିଆ ହୋଇ ମୁଁ ପ୍ରସ୍ତୁତ ହୋଇ ଆସିଛି ବୋଲି କହୁଥିବାର ଅନୁଭବ କରିଥାଏ । ମୁଁ ଯାହା କରିବି, ଯାହା ହେବି, ସବୁକିଛି ଏହି ଭୂମିଉପରେ ହିଁ କରିବି, ଏହି କଥାଟି ହିଁ ମୋତେ ଏକ ଅପୂର୍ବ ଆତ୍ମୀୟତା ସହିତ ଏହି ଦେଶ ସହିତ ବାନ୍ଧି ରଖିଥାଏ । ଏହି ଆତ୍ମୀୟତା ସକାଶେ ଏହି ଦେଶକୁ ମୁଁ ନିଜର ଦେଶ ବୋଲି କହେ । ନିଜର ଦେଶ ବୋଲି କହୁଥିବାରୁ ତାହାରି ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିଥାଏ ।

 

ଏହି ଭାରତବର୍ଷକୁ ଆବୋରି ଧରି ଯେଉଁ ବୃହତ୍ତର ପୃଥିବୀ ରହିଛି, ମୋ’ ଜାତୀୟ ସଙ୍ଗୀତକୁ ଗାନ କରୁଥିବା ବେଳେ ମୁଁ ସେହି ବୃହତ୍ତର ପୃଥିବୀଟିକୁ ମଧ୍ୟ ଦେଖେ, ତାହାକୁ ମୁଁ ଉଭୟ ଭୂମିରୂପେ ଏବଂ ଆକାଶରୂପେ ଅନୁଭବ କରିଥାଏ । ମୋ’ ଅନୁରକ୍ତିର ଆଖି ଯେତିକିଯାଏ ଲମ୍ବି ପାରୁଛି, ଭୂମି ଆଦୌ ସେତିକି ନୁହେଁ, ଭୂମି ତା’ ଠାରୁ ଅନେକ ବଡ଼ । ଏହି ଆକାଶ ଯେତିକି ବଡ଼, ଏହି ଭୂମି ମଧ୍ୟ ସେତିକି ବଡ଼, ସେତିକି ବ୍ୟାପ୍ତ । ମୋ’ ଜାତୀୟ ସଙ୍ଗୀତର ଆବେଦନ ମୋ’ର ଅନ୍ତର ଭିତରେ ବୃହତ୍ତର ପୃଥିବୀଟିକୁ ସ୍ପର୍ଶ କରି ପାରୁଥିଲେ ଯାଇ ଆପଣାର ଏହି ଦେଶରୂପୀ ଭୂମିଟିକୁ ମଧ୍ୟ ମୁଁ ଯଥାର୍ଥ ଅନୁରାଗ ଦେଇ ଚିହ୍ନି ପାରିବି । ମୋ’ ଅନୁରାଗ ଯେପରି ଏକ ନିର୍ଦ୍ଦିଷ୍ଟ ଭୂମିକୁ ନିଜର ବୋଲି ଚିହ୍ନିବାରେ ଅତ୍ୟୁତ୍ସାହରେ ଏହି ଗୋଟିଏ ଦେଶ ଭିତରେ ସୀମାବଦ୍ଧ ହୋଇ ନରହେ, ସେଥିଲାଗି ମୁଁ ଏହି ଦେଶଟି ସହିତ ଲାଗି ରହିଥିବା ମୋ’ର ଅସଲ ଚେରଗୁଡ଼ିକ ପାଖରେ ସର୍ବଦା ପ୍ରାର୍ଥନା କରୁଥିବି ।

 

୨୮ । ୯ । ୮୩

 

ଆପଣା ଭିତରର କାନ୍ଥଗୁଡ଼ାକୁ ଦୋଷ ଦେବି ସିନା, ମାତ୍ର ଆକାଶକୁ ଦୋଷ ଦେବି କାହିଁକି ? ଏ କାନ୍ଥଗୁଡ଼ାକ ଯଦି ମୋତେ ପ୍ରକୃତରେ ଭଲ ଲାଗୁନଥାନ୍ତା, ଯଦି ମୁଁ ଏଗୁଡ଼ାକୁ ଉଠାଇ ଦେବାକୁ ଇଚ୍ଛା କରନ୍ତି, ତେବେ ଆକାଶ ମୋତେ ଆସି ଛୁଇଁବାଲାଗି ଆଦୌ କୌଣସି କୁଣ୍ଠା ପ୍ରକାଶ କରନ୍ତାନାହିଁ ।

 

ତେଣୁ, ଆକାଶକୁ ଛୁଇଁ ନପାରୁ ଥିବାର ଯେଉଁ କ୍ଷୋଭ ଓ ତଜ୍ଜନିତ ଯେଉଁ ବିରକ୍ତି, ତାହା ଏହି କାନ୍ଥଗୁଡ଼ାକୁ ଭଲ ପାଉଥିବା ହେତୁ ହିଁ ହୋଇଥାଏ । କାନ୍ଥ ପୁଣି କେତେ ପ୍ରକାରର । ଆପଣାକୁ ସୁରକ୍ଷିତ କରି ରଖି ପାରିବ ବୋଲି ଅଧିକାଂଶ ସମୟରେ ଏକ ସଦିଚ୍ଛା ଦ୍ଵାରା ପ୍ରେରିତ ହୋଇ ମଣିଷ କେଡ଼େ ନିଷ୍ଠା ସହିତ ଏହି କାନ୍ଥଗୁଡ଼ାକୁ ତିଆରି କରି ରଖିଥାଏ । ଏହି କାନ୍ଥଗୁଡ଼ାକୁ କିଏ ଜ୍ଞାନ ବୋଲି କହେ, କିଏ ସାଧନା ବୋଲି କହେ, କେହି କେହି ଆହୁରି ବିହ୍ଵଳ ଭାବରେ ମାର୍ଗ ବୋଲି କହନ୍ତି । କାନ୍ଥଗୁଡ଼ିକୁ ମଜବୁତ କରି ରଖିବ ବୋଲି ମଣିଷ ଭେକ ପିନ୍ଧେ, ସ୍ଵତନ୍ତ୍ର ଦୀକ୍ଷାମାନ ଗ୍ରହଣ କରି ସମ୍ପ୍ରଦାୟଭୁକ୍ତ ହୁଏ । ଏବଂ ତା’ ପରେ କାନ୍ଥଗୁଡ଼ାକ ଭିତରେ କିଳିହୋଇ ରହିଯାଏ । ଆପଣାର ସୁରକ୍ଷା ଗୁଡ଼ାକ ଭିତରେ ପ୍ରାୟ ଅଣଃନିଶ୍ଵାସୀ ହୋଇଯାଏ । ସେତେବେଳେ ଆକାଶକୁ ଝୁରିଲେ ଆକାଶ କ’ଣ କରି ପାରିବ ? ତେଣୁ, ଯଥାର୍ଥ ଅନୁରାଗଟି ଆକାଶ ଲାଗି ଉଦ୍ଦିଷ୍ଟ କରି ରଖିବାକୁ ଇଚ୍ଛା ଥିଲେ ଆଗ ଏହି କାନ୍ଥଗୁଡ଼ାକର ମାୟା ଛାଡ଼ିଯିବା ଉଚିତ । ଏବଂ, ଆପଣାକୁ ବିଶ୍ଵାସର ସହିତ ଆଉ କାହାଲାଗି ଦେଇ ପାରିଲେ ଯାଇ କାନ୍ଥଗୁଡ଼ାକର ମୋହରୁ ମଣିଷକୁ ପରିତ୍ରାଣ ମିଳିପାରିବ ।

 

୨ । ୧୦ । ୮୩

 

ଖାଇବା ଜିନିଷ ଦେଖିଲେ ମୋତେ ଭୋକ ଲାଗେ । ଭୋକ ହେଉଛି ସମ୍ଭବତଃ ଏପରି ଏକ ଖୁସୀ, ସେତେବେଳେ କି ମଣିଷ ସକଳ ପ୍ରକାରର ସଙ୍କୋଚ ତ୍ୟାଗ କରି ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଯାଏ । ଭିତରଟା ପ୍ରସ୍ତୁତ ହୋଇଯାଏ, ତେଣୁ ବାହାରଟା ମଧ୍ୟ ପ୍ରସ୍ତୁତ ହୋଇ ରହିଥିବା ପରି ମନେହୁଏ ।

 

ଆମ ଘରେ ଯେଉଁମାନେ ଘରର ବ୍ୟବସ୍ଥାଟିକୁ ବୁଝନ୍ତି, ସେମାନେ କେଡ଼େ ସୂତରରେ ମୋ’ର ଏହି ଭୋକର ନିଦାନଗୁଡ଼ିକୁ ମଧ୍ୟ ବୁଝି ଥାଆନ୍ତି । ମୋ’ର ଆଖି ଓ ହାତ ପାଇବାର ନିର୍ଦ୍ଦିଷ୍ଟ ଥାନମାନଙ୍କରେ ଖାଇବା ଦରବସବୁ ରଖି ଦେଇଥାନ୍ତି । ସେଗୁଡ଼ିକୁ ଅତ୍ୟନ୍ତ ସ୍ପଷ୍ଟଭାବରେ ଦୃଶ୍ୟମାନ୍ କରି ରଖିଥାନ୍ତି । ଯେପରିକି ଆଖି ଅଥବା ହାତକୁ ବୁଲାଇଦେଲା ମାତ୍ରକେ ହିଁ ସେଗୁଡ଼ିକ ଆଖିରେ ଅଥବା ହାତରେ ଆସି ବାଜିଯିବ । ମୋ’ ଭିତରେ କେଉଁ ଟକଳା ଗେହ୍ଲାପୁଅଟା ନିରନ୍ତର ମୋ’ ଅନ୍ତରବିଚରଣର କେତେଗୁଡ଼ାଏ ଥାନ ଅଧିକାର କରି ବସିଛି, ମଝିରେ ମଝିରେ ସତେଅବା ଖିଆଲ ହେଲା ମାତ୍ରକେ ସିଏ ଘର ଭିତରେ ପଶିବା ମାତ୍ରକେ ଏପରି ଭାବରେ ଆଖି ଓ ହାତଗୁଡ଼ିକୁ ବୁଲାଇଆଣେ; ଯେପରିକି ତା’ ଆଖି ଓ ହାତ ସିଧା ଯାଇ ଖାଇବା ପଦାର୍ଥ ରଖା ହୋଇଥିବା ଜାଗାଗୁଡ଼ିକରେ ବାଜିଯାଏ । ଭୋକଗୁଡ଼ାକରେ ଡେଣା ଲାଗିଯାଆନ୍ତି, ସତେଅବା କଳ୍ପନୀୟ ସବୁ କର୍ତ୍ତାଙ୍କର ଅନୁମତି ପ୍ରାପ୍ତ ହୋଇଯାଏ । ଭୋକମାନେ ଶତବାହୁ ହୋଇ ଲମ୍ବିଯାଆନ୍ତି । ସର୍ବୋପରି ଖୁସୀଗୁଡ଼ାକୁ ଭୋଜନ କରନ୍ତି । କାରଣ, ଖାଇବାପଦାର୍ଥ ଗୁଡ଼ାକ ସତେଅବା ଭାରି ଖୁସୀ ହୋଇ ଅନାଇ ରହିଥାନ୍ତି ବୋଲି ସେମାନଙ୍କୁ ଖାଇବାଲାଗି ଇଚ୍ଛା ହୁଏ । ସତେଅବା ସେହିମାନେ ହିଁ ମୋତେ ନିଜପାଖରୁ ଡାକି ନେଇଯାନ୍ତି ।

 

୬ । ୧୦ । ୮୩

 

ଯେଉଁ ବୈଜ୍ଞାନିକମାନେ ସେମାନଙ୍କର ନିର୍ଦ୍ଦେଶରେ ବୋମା ତିଆରି କରୁଛନ୍ତି, ସେହିମାନେ ହିଁ ବୋମାର ଭୟାବହତା ବିଷୟରେ ପୃଥିବୀବାସୀଙ୍କୁ ସତର୍କ କରିଦେବାରେ ଲାଗିଛନ୍ତି-। ବୋମା ବିଷୟରେ ସାବଧାନ ନହେଲେ ମଣିଷର ଏହି ପୃଥିବୀ ଏକାବେଳେକେ ନଷ୍ଟ ହୋଇଯିବ ବୋଲି ସେମାନେ ତଥ୍ୟପ୍ରମାଣ ଯୋଗାଇ କହୁଛନ୍ତି । ମୁଁ ଭାବୁଛି, ଏହି ପୃଥିବୀ ଆଉ କାହାର ଚକ୍ରାନ୍ତରେ ଏକାବେଳେକେ ନଷ୍ଟ ହୋଇଯିବାକୁ ଯାଉଥିଲେ ମଧ୍ୟ, ମୁଁ ଆଜି ମୋ’ର ଜୀବନଟିକୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚିବି । ଅର୍ଥାତ୍, ମୋର ଚତୁର୍ଦ୍ଦିଗରୁ ମୋତେ ସ୍ପର୍ଶ କରି ରହିଥିବା ଆହ୍ଵାନଗୁଡ଼ିକୁ ମୁଁ ଶୁଣିବାକୁ ସମର୍ଥ ହେଉଥିବି,–ସେହି ଅନୁସାରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଦେଇ ପାରିବାଲାଗି ପ୍ରସ୍ତୁତ ରହିଥିବି । ସମ୍ପୂର୍ଣ୍ଣ ଭାବରେ ଭଲ ପାଇ ପାରୁଥିବି । ସମ୍ପୂର୍ଣ୍ଣ ଭାବରେ ନିକଟବର୍ତ୍ତୀ ହୋଇ ପାରୁଥିବି । ମୋ’ର ଏହି ବର୍ତ୍ତମାନର ତଥାକଥିତ ବ୍ୟକ୍ତିଗତ ମୁହୂର୍ତ୍ତଟି ମଧ୍ୟରେ ସକଳ କାଳର ସକଳ ବିଶ୍ଵ ଏବଂ ତାହାର ଅଭିପ୍ରେତ ସ୍ଵପ୍ନଗୁଡ଼ିକୁ ଆଣି ଉକୁଟାଇ ପାରୁଥିବି–ମୋ’ର ମୂହୁର୍ତ୍ତ ଓ ମୋ’ର ଅନୁରାଗଗୁଡ଼ିକ ସେହିସବୁ ଯାବତୀୟ ସମ୍ଭାବନା ଓ ପ୍ରତିଶ୍ରୁତିର ଏକ ଭ୍ରୁଣ ହୋଇ ତିଆରି ହେଉଥିବ । ତାହା ହିଁ ଜୀବନ,–ସେହି ଜୀବନ ହିଁ ସତ୍ୟକୁ ରଖିବ ।

 

ଏ ପୃଥିବୀ ଧ୍ଵଂସ ହୋଇ ଯାଇପାରେ, ମାତ୍ର ଏହି ସଂକଳ୍ପ କଦାପି ଧ୍ଵଂସ ହେବନାହିଁ । ସାହସ ବଢ଼ିବାରେ ଲାଗିଥିବ । ଭୀରୁତା ଗୁଡ଼ାକ ବିରୁଦ୍ଧରେ ମଣିଷ ପ୍ରତିଚକ୍ରାନ୍ତ ମଧ୍ୟ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିବ । ଚାଲାଖ ମଣିଷମାନେ ଆପଣାକୃତ ଦୁର୍ବିପାକଟି ଦ୍ଵାରା ନଷ୍ଟ ହୋଇ ଯିବାକୁ ବସିଥିବା ବେଳେ ତାହା ହିଁ କାମ ଦେବ,–ଆଗକୁ ବିହନ ପରି କାମ ଦେବ, ପାତ୍ରଟିଏ ଯୋଗାଇଦେବ, ଭବିଷ୍ୟତରେ ବିଧାତାକୁ ପାଦ ରଖିବାଲାଗି ଆସ୍ଥାନଟିଏ ଯୋଗାଇଦେଇ ପାରିବ-

 

୭ । ୧୦ । ୮୩

 

ମୁଁ ସଂସାରକୁ ଚିହ୍ନି ପାରିଲିନାହିଁ ବୋଲି ଯେଉଁମାନେ ମୋତେ କହନ୍ତି, ଏକଥା ସମ୍ପୂର୍ଣ୍ଣ ସତ ଯେ, ମୁଁ ସେମାନଙ୍କର ସଂସାରଟିକୁ ଆଦୌ ଚିହ୍ନି ପାରିଲିନାହିଁ । ନିଜର ସଂସାରଟିରେ ସେମାନେ ଚତୁର ହେଲେ, କୃତ୍ରିମ ହେବାକୁ ହିଁ ଚତୁରତା ବୋଲି ଜାଣିଲେ, ନିଜ ପାଖରେ ପର ହୋଇ ରହିଲେ । ସେମାନେ ପର ବଗିଚାରେ ପଶିଲେ ଫୁଲଗୁଡ଼ାକୁ ଛିଣ୍ଡାଇ ପକାଇବାରେ ହିଁ କେଡ଼େ ଉଶ୍ଵାସ ଅନୁଭବ କଲେ । ମୁଁ ବଗିଚାଟିଏ ହେଲି । ଆପଣାକୁ ବଗିଚାଟିଏ କରି ତିଆରି କରିବାର ଧର୍ମକୁ ହିଁ ଅସଲ ଜୀବନଧର୍ମ ରୂପେ ସ୍ଵୀକାର କରିନେଲି ।

 

ଏବଂ, ଦୁଇ ପକ୍ଷ ମଧ୍ୟରୁ କିଏ ହାରିଲା କିଏ ଜିତିଲା, ସେକଥା କିଛି କହି ହେବନାହିଁ । ମାତ୍ର ଏତିକି ଅବଶ୍ୟ ସତ ଯେ, ସେମାନଙ୍କର ସଂସାରରେ ମୁଁ ହାରିଗଲି; ଅର୍ଥାତ୍ ସେହି ସଂସାରରେ ମୁଁ ମୋଟେ ପଶି ପାରିଲିନାହିଁ । ସେହି ସଂସାରକୁ ସଂସାର ବୋଲି ସ୍ଵୀକାର କରି ପାରିନାହିଁ । ମୁଁ ଚତୁର ହୋଇ ପାରିଲିନାହିଁ । ବିଶ୍ଵାସକୁ ହିଁ ଜୀବନର ଅସଲ ଗୋଡ଼ ଓ ଅସଲ ହାତ ବୋଲି ଗ୍ରହଣ କଲି । ଜୀବନ–ଅବିଶ୍ଵାସୀମାନଙ୍କ ପାଖରେ ଭାରି ଅସ୍ଵାଭାବିକ ହୋଇ ରହିଲି । ସଂଶୟୀମାନଙ୍କର ଚଉକୀଗୁଡ଼ାକ ମୋତେ ମୋଟେ ବୁଝି ପାରିଲେନାହିଁ । ମୁଁ ସଫଳ ହେଲି ସତ, ମାତ୍ର ସେମାନଙ୍କର ବଜାରରେ ସଫଳତାର ଯେଉଁସବୁ ମାପକାଠି ରହିଛି, ସେଗୁଡ଼ାକ ଭିତରେ ମୋଟେ ଖାପ ଖାଇ ପାରିଲିନାହିଁ । ମୁଁ ଶ୍ରଦ୍ଧା ଭିତରେ ହିଁ ଉଶ୍ଵାସ ହୋଇ ରହିଲି । ରୋଦନ କରି ଭିତରେ ପ୍ରାୟ ଏକ ରତିର ସ୍ଵାଦ ଅନୁଭବ କରିବାକୁ ସେମାନେ ମହାନ୍ ହୋଇ ବଞ୍ଚିବାର ଅସଲ strategy ରୂପେ ଗ୍ରହଣ କଲେ । ସେହି ଲୋକମାନଙ୍କୁ ମୁଁ କେବେ ଈର୍ଷା କରିନାହିଁ, କାରଣ ମୁଁ ସେମାନଙ୍କ ଭଳି ହେବାଲାଗି ଇଚ୍ଛା ପ୍ରକାଶ କରିନାହିଁ ।

 

୧୨ । ୧୦ । ୮୩

 

ଖିଅ ଛାଡ଼ିଦେଇ ବାହାରେ ବେଶୀ ସମୟ ମୋଟେ ରହି ହୁଏନାହିଁ । ଭିତରେ ଯେଉଁଠି ସବୁଯାକ ଏକାଠି ହୋଇ ସତେଅବା ଏକ କେନ୍ଦ୍ର ପରି ଅନୁଭୂତ ହୋଇଥାନ୍ତି, ସେଠାରେ ପରମସଖା ପରି ନିତ୍ୟ ଅଧିଷ୍ଠିତ ହୋଇ ରହିଥିବା ମୋ’ର ଅସଲ ଘରଟି ମୋତେ ପୁଣି ଘରକୁ ଡାକିଆଣେ, ଖିଅଗୁଡ଼ିକୁ ସିଏ କେଡ଼େ ଯତ୍ନ ସହକାରେ ସଜାଡ଼ି ଦିଏ, ଅନେକ ସମୟରେ ସତେଅବା ନିଜ ହାତରେ ଖିଅଟିକୁ ଆଣି ଧରାଇ ଦେଇଯାଏ । ତା’ ପରେ ଯାଇ ଉତ୍ତାପଗୁଡ଼ାକୁ ଅତିକ୍ରମ କରିହୁଏ, ରାଜ୍ୟମାନ ଜୟ କରି ବାନାଗୁଡ଼ାକୁ ଉଡ଼ାଇବାର ଯାବତୀୟ ଇର୍ଷାନ୍ଵିତତାକୁ ଅତିକ୍ରମ କରିହୁଏ । ଆପଣାର ଗଭୀରତମ ପହୁଞ୍ଚଯାଏ ନିର୍ଭରଗୁଡ଼ିକ ଅତ୍ୟନ୍ତ ସ୍ପଷ୍ଟ ହୋଇ ଦିଶିଯାଏ । ଅସଲ ଠାବଟି ମିଳି ଗଲାପରେ ଆଉ କାହାରିକୁ ଈର୍ଷା କରିବାକୁ ଆଦୌ ଇଚ୍ଛା ହୁଏନାହିଁ । ସମସ୍ତଙ୍କୁ ମିଶାଇ ନିଜକୁ ସ୍ପଷ୍ଟଭାବରେ ଦେଖିହୁଏ ।

 

ଯାବତୀୟ ପ୍ରତ୍ୟାହାରର ଏହିପରି ଏକ ସକାରାତ୍ମକ ଭୂମିକା ମଧ୍ୟ ରହିଛି । ଖିଅ ଛିଣ୍ଡାଇନେଲେ ଯେଉଁ ପ୍ରତ୍ୟାହାର ସମ୍ଭବ ହୁଏ ବୋଲି ସଂଯମୀମାନେ କହିଥାନ୍ତି, ସେହି ପ୍ରତ୍ୟାହାର ମୋତେ କେବେହେଲେ ଆକୃଷ୍ଟ କରି ପାରିନାହିଁ । ଭାବାତ୍ମକ ପ୍ରତ୍ୟାହାର ଅଧିକ ଯଥାର୍ଥ ଭାବରେ ଯୁକ୍ତ କରିଆଣେ । ତାହା ନିଜସହିତ ମଧ୍ୟ ନିବିଡ଼ ଭାବରେ ଯୁକ୍ତ ହୋଇ ରହିବାଲାଗି ଏକ ଉପଯୁକ୍ତ ପ୍ରତ୍ୟୟ ଆଣି ଦେଇଯାଏ । ତେଣୁ, ଦୂରକୁ ଚାଲିଯିବା, ତାହା ଆଦୌ ପ୍ରତ୍ୟାହାର ନୁହେଁ;–ଆହୁରି ଅଧିକ ପାଖକୁ ପାଖକୁ ଲାଗି ଆସିବା, ଆହୁରି ଅଧିକ ନିବିଡ଼ ଭାବରେ ଅନୁଭବ କରିବା,–ଏଥିଲାଗି ମଧ୍ୟ ଏକ ପ୍ରତ୍ୟାହାର ଅର୍ଜନ କରିବାକୁ ହୁଏ । ଏଇଟି ସମ୍ଭବ ହେଲେ ନିଜକୁ ଦର୍ପଣ କରି ଅତ୍ୟନ୍ତ ଅପ୍ରମତ୍ତ ଭାବରେ ତାହାରି ଉପରେ ସମ୍ପୂର୍ଣ୍ଣ ସବୁକିଛିକୁ ଅନୁଭବ କରିହୁଏ । ତାହାହିଁ ମୋ’ର ମଧ୍ୟ ପ୍ରତ୍ୟାହାର ।

 

୧୩ । ୧୦ । ୮୩

 

ସଫଳତା ହାସଲ କରିବା ଲାଗି କାର୍ଯ୍ୟ କରୁଥିବା ଅନେକ ମଣିଷ ସେହି ପ୍ରକ୍ରିୟାରେ ଯାହାକିଛି ପାଆନ୍ତି, ହୁଏତ ତାହାକୁ ହିଁ ସଫଳତା ବୋଲି ଧରିନିଅନ୍ତି । ସେମାନେ ପ୍ରକୃତରେ ଯାହା ଚାହୁଥାନ୍ତି, ସେଇଟା ମଧ୍ୟ କେତେପ୍ରକାରେ ବିରୂପ ଓ ବିକୃତ ହୋଇଥାଏ, ଅସଲ ବାଟଗୁଡ଼ାକ କେତେପ୍ରକାରେ ଅଙ୍କାବଙ୍କା ହୋଇଯାଏ ।

 

ଗୋଟିଏ ସଫଳତା ସତେଅବା ଗୋଟିଏ ପାହାଚ ପରି ପରବର୍ତ୍ତୀ ସଫଳତା ଲାଗି ବାଟ ଫିଟାଇ ନେଉଥିବ, ନିଜ ଭିତରେ ସତେଅବା ଗୋଟିଏ ପରେ ଆଉଗୋଟିଏ ଦ୍ଵାରକୁ ଉନ୍ମୋଚିତ କରିଦେଇ ପାରୁଥିବ । ଅସଲ ସଫଳତା ବସ୍ତୁତଃ ଆଦୌ କିଛି ହାସଲ କରିବାର ସଫଳତା ନୁହେଁ, ମୁଁ ଆପଣାକୁ ଦେବାଲାଗି ଅଧିକରୁ ଅଧିକ ଯୋଗ୍ୟ ଅର୍ଥାତ୍ ସମ୍ମତ ହେବାରେ ଲାଗିଥିବ, ସେହି ସିଡ଼ିରେ ପାହାଚକୁ ପାହାଚ ଅତିକ୍ରମ କରି ଯାଉଥିବି, ଅର୍ଥାତ୍ ଆପଣା ଭିତରେ ମୋତେ ଅସଲ ପ୍ରେରଣା ଗୁଡ଼ିକର ଭାଜନ କରି ଉଦ୍ୟତ କରାଇ ନେଉଥିବ । ମୁଁ ମୋ’ ଶୁଭତମର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ପାରୁଥିବି, ତାହାହିଁ ଅସଲ ସଫଳତା; ତାହା ଏକ ଉନ୍ମୋଚନକାରୀ ସଫଳତା । ତାହାହିଁ ଯଥାର୍ଥ ଆନନ୍ଦର ଭାଜନ କରାଇ ପାରିବ । ବାହାରକୁ କେଡ଼େ ବଡ଼ ଦୁର୍ଗଜୟ ପରି ଦିଶୁଥିବା ଅନ୍ୟ ସଫଳତାଗୁଡ଼ିକ ହୁଏତ ଯାବତୀୟ ଗତି ବନ୍ଦ ହୋଇଯିବାରେ କେତେଭଳି ପ୍ରରୋଚନା ଦେଉଥିବ, ଅସମ୍ମତି ଗୁଡ଼ାକୁ ସମ୍ମତ ବୋଲି ଦେଖାଇବାର କେତେ ଚକ୍ରାନ୍ତ ବି କରୁଥିବ-। ଏହି ସଫଳତା ଯେପରି କେବେହେଲେ ଘାରି ନରଖେ, ସେଥିଲାଗି ନିଜ ଭିତରର ଖିଅଟିକୁ ସର୍ବଦା ଅନୁଭବ କରି ପାରୁଥିବା ଆବଶ୍ୟକ । ସେହି ଖିଅଟି ଅନୁଭୂତ ହୋଇ ପାରୁଥିବା ପର୍ଯ୍ୟନ୍ତ ତଥାକଥିତ ବିଫଳତାଗୁଡ଼ାକ ମଧ୍ୟ ଆମର ଦ୍ଵାରୋନ୍ମୋଚନରେ ପ୍ରେରକ ହୋଇ କାର୍ଯ୍ୟ କରୁଥିବ-

 

୧୪ । ୧୦ । ୮୩

 

ଡାଏରି ହେଉଛି ଧର୍ମତଃ ଏକ dialogue,–ନିଜ ସହିତ ଏକ dialogue,–ନିଜକୁ ଦର୍ପଣ କରି ସଂସାର ସହିତ dialogue;–ବନ୍ଧୁ ହିସାବରେ ଆପଣାର ସମ୍ମୁଖୀନ ହେବାକୁ ହିଁ ଅସଲ ପ୍ରାସଙ୍ଗିକତା ସହିତ ଏକ dialogue ବୋଲି କୁହାଯିବ । ଏବଂ, ନିଜର ସମ୍ମୁଖୀନ ହୋଇ ପାରିଲେ ଯାଇ ମଣିଷ ସୁଯୋଗ୍ୟ ଭାବରେ ସଂସାରର ବି ସମ୍ମୁଖୀନ ହୋଇ ପାରିବ । ନିଜର ସମ୍ମୁଖୀନ ହୋଇ ପାରୁଥିଲେ ଉପରର ଏହି ସବୁକିଛି ପରସ୍ତକୁ ଭେଦି ନିଜ ଭିତରକୁ ଯାଇହୁଏ । ଭିତରେ ବନ୍ଧୁଟିଏ ହିଁ ଅପେକ୍ଷା କରି ରହିଥାଏ । ସେହି ବନ୍ଧୁର ହାତ ଧରି ସଂସାର ଭିତରକୁ ଯିବାକୁ ହୁଏ । ତେବେ ଜୀବନ ଏକ ସ୍ପର୍ଷଧନ୍ୟ ସତ୍ୟୋଦ୍‌ଘାଟନରେ ପରିଣତ ହୁଏ । ଜୀବନର ଯାବତୀୟ ଦର୍ଶନ ଯଥାର୍ଥ ପରିଣତ ହୁଏ ।

 

ଅନେକ ମଣିଷ ଥାଆନ୍ତି, ଯେଉଁମାନେ କି ନିଜପାଖରେ ଗୋଟାଏ ପ୍ରକାରର ଅବଧାନୀ କରନ୍ତି । ନିଜକୁ ଚାଟ କରି ଅବଧାନୀ କରନ୍ତି । ନିଜକୁ ଶାସ୍ତି ଦିଅନ୍ତି । ଶାସ୍ତି ଦେବାକୁ ହିଁ ଶୁଦ୍ଧ ହେବାର ପରମପଥ ବୋଲି ମନେ କରନ୍ତି । ଆହୁରି ଅନେକ ମଣିଷ ମୁଖା ପିନ୍ଧନ୍ତି । ନିଜକୁ ସଂସାର ପାଖରୁ ଲୁଚାଇ ରଖିଥାନ୍ତି । ନିଜ ପାଖରୁ ବି ଲୁଚାଇ ରଖିଥାନ୍ତି । କାରଣ, ନିଜକୁ ଆଦୌ ସ୍ଵୀକାର କରିନେଇ ପାରନ୍ତିନାହିଁ । ତେଣୁ, ଗୋଟାଏ ଅଂଶକୁ ଲୁଚାଇ ରଖି ଆଉଗୋଟାଏ ଅଂଶର ଅତିପ୍ରଦର୍ଶନ କରିବାରେ ଲାଗିଥାନ୍ତି । ସେହି ଅତିପ୍ରଦର୍ଶନ ସମ୍ଭବତଃ ଥୋପ ପକାଇ ସଂସାରରୁ କ’ଣ କେତେ ଧରିଆଣିବ ବୋଲି ଧୃଷ୍ଟତା କରିବାରେ ଲାଗିଥାଏ । ଏସବୁ ଲୋକେ କୌଣସି ପ୍ରକାରର dialogue ଲାଗି ମଧ୍ୟ ଅସମର୍ଥ ହୋଇ ରହିଥାନ୍ତି । ନିଜପାଖରେ ମିତ୍ର ହୋଇ ରହି ପାରନ୍ତିନାହିଁ; ସତେଅବା ନାନା ଭେଶ ଧାରଣ କରୁଥିବା ଗୋଟାଏ କଣ୍ଢେଇ ହୋଇ ରହିଯାଆନ୍ତି । ସେମାନଙ୍କର ଯାବତୀୟ ଅନୁଧାବନ ସେମାନଙ୍କୁ ଅଧିକରୁ ଅଧିକ ଲୁଚାଇ ରଖିବାରେ ହିଁ ସାହାଯ୍ୟ କରୁଥାଏ ।

 

୧୫ । ୧୦ । ୮୩

 

ଭଲ ନଲାଗିଲେ ଛାଡ଼ି ପଳାଇବାକୁ ମୋଟେ ଇଚ୍ଛା ହୁଏନାହିଁ । ସେତେବେଳେ ନିଜକୁ ଅଧିକ ସଂପ୍ରସାରିତ କରିବାକୁ ହୁଏ । ଅର୍ଥାତ୍, ଯେତିକି ଦେଖା ଯାଉଥାଏ, ତାହାଠାରୁ ଅଧିକ ଦେଖି ପାରିବାକୁ ହୁଏ; ଯେତିକି ଅନୁଭବ କରି ହେଉଥାଏ, ତା’ ଠାରୁ ଅଧିକ ଅନୁଭବ କରି ପାରିବାକୁ ଆପଣାକୁ ମଙ୍ଗାଇ ନେବାକୁ ବି ହୁଏ । ତେବେଯାଇ କୂଳ ମିଳେ, ନିଜ ଘରେ ରହିଥିବା ପରି ମନେହୁଏ, ହାତରୁ ଛାଡ଼ି ଯାଇଥିବା ସୂତାଗୁଡ଼ିକ ପୁନର୍ବାର ହାତକୁ ଫେରି ଆସନ୍ତି ।

 

କୌଣସି କାରଣରୁ ନିଜକୁ ଯଥେଷ୍ଟ ପରିମାଣରେ ସଂପ୍ରସାରିତ କରି ନପାରିବା,–ତାହାହିଁ କ’ଣ ଭଲ ନଲାଗିବାର ଏକ ଅନ୍ୟ ନାମ ? ଏହି ଭଲ ନଲାଗିବାକୁ ହୁଏତ ମୋଟେ ଗୋଟାଏ ପ୍ରକାରର ଉଦାସୀନତା ବୋଲି କୁହା ଯିବନାହିଁ । ଭଲ ନଲାଗିବାର ଅଙ୍ଗେ ନିଭାଇଥିବା ଅସଲ ଅର୍ଥଟି ହେଉଛି, ପାଖରୁ ଅର୍ଥାତ୍ ଆହୁରି ଅଧିକ ପାଖକୁ ଆସିବାଲାଗି ନିଶ୍ଚିତ ଭାବରେ କେଉଁ ଗଭୀର ସ୍ତରରେ ଏକ ବ୍ୟାକୁଳତା ରହିଥିବ, ତଥାପି କୌଣସି ନା କୌଣସି କାରଣରୁ ପାଖକୁ ଆସି ହେଉନଥିବ । ସେହି କାରଣଟି ଯେତେବେଳେ ବାହାରେ ନଥାଇ ନିଜ ଭିତରେ ହିଁ କେଉଁଠି ଅବସ୍ଥିତ ରହିଥିବ, ସେତେବେଳେ ଏହି ଭଲ ନଲାଗିବା ଅଧିକ ଉତ୍କଟ ଭାବରେ ଅନୁଭୂତ ହେଉଥାଏ । ଅର୍ଥାତ୍, ନିଜ ଭିତରେ ଦୁଇଆଡ଼କୁ ଟାଣିହୋଇ ରହିଥିବା ବେଳେ, ମୁଁ ଯେଉଁ ପଟରେ ରହିବାକୁ ଚାହୁଛି, ତାହା ଉପରେ ଗୋଟାସୁଦ୍ଧା ରାଜା ହୋଇ ଅଧିକ ପ୍ରତାପଶାଳୀ ଅନ୍ୟ ପାଖଟି ମୋତେ ଅନ୍ୟଆଡ଼କୁ ଟାଣିନେଇ ବାରବାର ପ୍ରାୟ ଅସମର୍ଥ କରି ରଖିବାକୁ ଚେଷ୍ଟା କରୁଥିବା ବେଳେ ହିଁ ଭଲ ନଲାଗିବାର ଦୁର୍ଗତିଟିକୁ ସଭ୍ୟ କରିବାକୁ ପଡ଼ିଥାଏ । ସେତେବେଳେ କାନ୍ଦିଲେ ହୁଏନାହିଁ, ପ୍ରତିବାଦ କରି ଗୋଡ଼ କଚାଡ଼ିଲେ ବି ହୁଏନାହିଁ । ସେତେବେଳେ ନିଜକୁ ଆହୁରି ଅଧିକ ସମ୍ମତ ଓ ପ୍ରସନ୍ନ ଭାବରେ ସଂପ୍ରସାରିତ କରିଦେବାକୁ ହୁଏ । ଆହୁରି ଅଧିକ ପାଖକୁ ନେଇ ଆସିବାକୁ ପଡ଼େ ।

 

୧୮ । ୧୦ । ୮୩

 

ଅନେକ ମଣିଷ ଅଛନ୍ତି, ଯେଉଁମାନଙ୍କର ଦେହ ବାହାରକୁ ଲହୁଣୀ ପରି ଚକଚକ କରୁଥାଏ । ଅନେକ ପଣ୍ଡିତ ଅଛନ୍ତି, ଯେଉଁମାନଙ୍କର ଉପାର୍ଜିତ ପାଣ୍ଡିତ୍ୟ ସତେଅବା ଏକ କେଡ଼େ ବଡ଼ ଗଛ ଉପରେ ଗୋଟାଏ ମହୁଫେଣା ପରି ଟହ ଟହ ହୋଇ ଦିଶୁଥାଏ । ହାତ ବଢ଼ାଇଲେ ସତେଅବା ମୋଟେ ନପାଉଥିଲା ପରି ଲାଗୁଥାଏ । ଅନେକ ମଣିଷଙ୍କର ବୈରାଗ୍ୟ, ତ୍ୟାଗ, ସାଧନା ଓ ଆରାଧନା ସତେ ଯେପରି ସେଇମାନଙ୍କର ଗଛ ଉପରେ ଏକକ ଫଳଟିଏ ହୋଇ ଝୁଲିକରି ରହିଥାଏ ଓ ଖରା ପଡ଼ି କେଡ଼େ ଚକଚକ ଆଉ ଟହଟହ ଦେଖା ଯାଉଥାଏ । ମୁଁ ଏମାନଙ୍କୁ ମଧ୍ୟ ଭୋଗୀ ବୋଲି କହେ । କାରଣ, ଏମାନଙ୍କର ଯାବତୀୟ ଅନୁରାଗ ଓ ଯାବତୀୟ କସରତ କେବଳ ନିଜ ସକାଶେ ହିଁ କରା ଯାଉଥାଏ । ଏମାନେ ସଂସାରଟାଯାକକୁ ଘୋରି ପିଇ ଆପଣାର ଅସ୍ତିତ୍ଵରୂପକ ବପୁଟିକୁ ବଢ଼ାଇ ଆସିଥାନ୍ତି,–ଯାବତୀୟ ଚେତନାକୁ ସତେଅବା ଗୋଟିଏ ବାନାରେ ପରିଣତ କରି ନିଜର ଭାଡ଼ିଟି ଉପରେ କେଡ଼େ ବଡ଼ ଗୋଟାଏ ହାଣ୍ଡି ଭିତରେ ଲଟକାଇ ରଖିଥାନ୍ତି; ମୁଗ୍‌ଧ କରୁଥାନ୍ତି ସତ, ମାତ୍ର ମୋଟେ ପାଖ ମାଡ଼ନ୍ତି ନାହିଁ ।

 

ଭୋଗସ୍ତରର ସଂଗ୍ରହଗୁଡ଼ାକ ଅନୁରାଗ ଅର୍ଥାତ୍ ଭଲ ପାଇବାର ସ୍ତରକୁ ପ୍ରସାରିତ ହୋଇଯାଇ ପାରିଲେ ମଣିଷ ଯୋଗୀ ହୁଏ; ଅର୍ଥାତ୍ ସେ ସଂସାର ଲାଗି ବଞ୍ଚିବାର ଯୋଗ୍ୟ ହୁଏ, ନିଜର ଯାବତୀୟ ଅର୍ଜନକୁ ସେ ସହଜବିତରଣ ଲାଗି ସମର୍ଥ କରାଏ । ଯୋଗୀର ଶରୀର, ଯୋଗୀର ଜ୍ଞାନ, ଯୋଗୀର ସାଧନା ଓ ଯୋଗୀର ଚେତନା,–ଏସବୁ ଭଲ ପାଇବା ନାମକ ଏକ ସମଗ୍ର ବହିର କଥାରେ ପରିଣତ ହୋଇଯାଏ । ଦେଖାଇ ହେବାକୁ ତା’ର ମୋଟେ କୌଣସି ଶ୍ରଦ୍ଧା ନଥାଏ । ସିଏ ଦେଖିବାକୁ ଇଚ୍ଛା କରିଥାଏ, ଅର୍ଥାତ୍ ସମସ୍ତ ସଂସାରକୁ ନିଜ ପରି ଦେଖିବାରୁ ହିଁ ବାଟ ଚାଲୁଥାଏ, କର୍ମ କରୁଥାଏ ।

 

୧୯ । ୧୦ । ୮୩

 

ଉପରେ ରହିଥିବା ମଣିଷମାନେ ଆପଣାକୁ ହିଁ ଗୋଟାସୁଦ୍ଧା ଭଗବାନ ବୋଲି ବିଶ୍ଵାସ କରୁଥାନ୍ତି କି କ’ଣ କେଜାଣି, ସେମାନେ କଥାରେ ଅକଥାରେ ଭଗବାନଙ୍କର ହିଁ ନାମ ନିଅନ୍ତି । ଆପଣାର ଯାବତୀୟ ଅସମର୍ଥତାକୁ ସେମାନେ ଭଗବାନଙ୍କ ନାମ ନେଇ କ୍ଷମା କରି ଦେଇଥାନ୍ତି । ସମ୍ଭବତଃ ଗୁଡ଼ାଏ ଉପେକ୍ଷାକୁ ହିଁ ଆଦରି ରହିଥାନ୍ତି ଓ ଆପେ ତଳି ଛାଡ଼ି ଯାଇଥିବା ଦୁଃଖର ମେଣ୍ଟାଣ କରିବାକୁ ଚେଷ୍ଟା କରୁଥାନ୍ତି । ଏମାନଙ୍କର କଥା ଶୁଣିବାକୁ ଭାରି ଭଲ ଲାଗେ, ମାତ୍ର ଏମାନଙ୍କର ସାଙ୍ଗରେ ଯିବାକୁ ମୋଟେ ଇଚ୍ଛା ହୁଏନାହିଁ ।

 

ଭଗବାନ ଏହି ତଳେ ମଧ୍ୟ ଅଛନ୍ତି । ଆମେ ଅନେକ ଏଠାରେ ତାଙ୍କୁ ଉପେକ୍ଷା କରି ରହିଥିଲେ ମଧ୍ୟ ସିଏ ଏଠାରେ ଅଛନ୍ତି । ବୈରାଗୀମାନେ ଯେଉଁ ଅନ୍ୟମାନଙ୍କୁ ସାମାନ୍ୟ ମଣିଷ ପରି ହୀନ ଚକ୍ଷୁରେ ଦେଖନ୍ତି, ସେମାନଙ୍କଠାରେ ମଧ୍ୟ ଭଗବାନ ଅଛନ୍ତି । କେବଳ ଅତ୍ୟନ୍ତ ଚତୁରତାର ସହିତ ଏକ କର୍ମବାଦରେ ବିଶ୍ଵାସ କରୁଥିଲେ ଯାଇ ଆମେ ମଣିଷକୁ ଉପେକ୍ଷା କରି ଅଲଗା ଆଉ କେଉଁଠାରେ ଯାଇ ଭଗବାନଙ୍କୁ ଠାବ କରିବାକୁ ମନ କରୁଥିବା । ଭାରତବର୍ଷରେ ଏହି ଜୀବନବିରୋଧୀ କର୍ମବାଦର ସୂତ୍ରଗୁଡ଼ାକ ଯେପରି ଅନେକ ମଣିଷଙ୍କୁ ଉପେକ୍ଷାପ୍ରେମୀ ବୈରାଗୀ କରି ରଖିଛି, ପ୍ରାୟ ସେହିପରି । ଜୀବନର ଅଭୀପ୍‌ସା ଆମକୁ କଦାପି ଏହି ତଳୁ ଖିଅଛିଣ୍ଡା କରି ଉପରକୁ ନେଇ ପଳାଇ ଯିବନାହିଁ । ଏହା ଆମକୁ ତଳଠାରୁ ଉପର ପର୍ଯ୍ୟନ୍ତ ଏକ ଦ୍ଵାରୋଦ୍‌ଘାଟନ ଅର୍ଥାତ୍ ସୂତ୍ରସ୍ଥାପନର ଯୋଗ୍ୟ କରାଇଦେଇ ପାରୁଥିବ । ତଳୁ ଉପର ପର୍ଯ୍ୟନ୍ତ,–ଏହି ସବୁଟିକୁ ଏକ ସମଗ୍ରାନୁଭୂତିର ଆଖିରେ ଦେଖିପାରିବା;–ତାହାହିଁ ଯୋଗ୍ୟ । ତାହାକୁ ନିଜ ଭିତରେ ତଥା ନିଜ ବାହାରେ ଦେଖିପାରିବା, ଅର୍ଥାତ୍ ଭିତର ବାହାର ସମାନ କରି ଅଭିନ୍ନ କରି ଦେଖିବା ଓ ସେହିପରି ହେବା, ତାହାହିଁ ଯୋଗ ।

 

୨୦ । ୧୦ । ୮୩

 

ମଣିଷ ଭିତରେ ମଣିଷ ଲାଗି ରହିଥିବା ଅସଲ ଉଷ୍ମତାଟି କୌଣସି କାରଣରୁ ଆପଣାକୁ ବ୍ୟକ୍ତ କରିପାରିବାକୁ ବାଟ ନପାଇବାରୁ ମଣିଷ ଶିକ୍ଷାରେ ଏହି method ଓ ଟେକ୍‌ନିକ୍‍ଗୁଡ଼ାକୁ ଏଡ଼େ ପ୍ରେମର ସହିତ ଖୋଜିବାକୁ ଆରମ୍ଭ କଲା ଅଥବା ଏହି method ଓ ଟେକ୍‌ନିକ୍‌ଗୁଡ଼ାକୁ ହିଁ ଅତ୍ୟଗ୍ରସ୍ଥାନ ଦେଇ ଫୁଲେଇ ହେବାକୁ ଅତିରିକ୍ତ ଆଗ୍ରହ କରିବାରୁ ମଣିଷ ତା’ ନିଜ ଭିତରେ ମଣିଷ ପ୍ରତି ରହିଥିବା ଉଷ୍ମତାକୁ କ୍ରମଶଃ ହରାଇ ବସିଲା, ସେକଥା ସହଜରେ ଆଗ ପଛ କରି ଆଦୌ କହି ହେବନାହିଁ । ମାତ୍ର, ଏତିକି ଅତ୍ୟନ୍ତ ସ୍ପଷ୍ଟ ହୋଇଯାଉଛି ଯେ, ଏବେ ଏହି ଟେକ୍‌ନିକ୍‌ ଓ method ଉପରେ ଆମେ ଯେତିକି ଜୋର ଦେଉଛୁ, ଅର୍ଥାତ୍ ବ୍ୟକ୍ତିଗତ ପ୍ରତ୍ୟକ୍ଷ ସମ୍ପର୍କ ଏବଂ ପ୍ରତ୍ୟକ୍ଷ ପ୍ରଭାବଗୁଡ଼ାକୁ ଆନୁଷ୍ଠାନିକ ସାଧାରଣ ସୂତ୍ରଗୁଡ଼ିକ ସାହାଯ୍ୟରେ ଆମେ ଯେତିକି ଅଧିକ ପରିମାଣରେ ବୁଝିବାକୁ ଚେଷ୍ଟା କରୁଛୁ, ଏଣେ ସେତିକି ପରିମାଣରେ ଯାବତୀୟ ଆତ୍ମୀୟତା ଉପରେ ରହିଥିବା ଆମର ପ୍ରତ୍ୟୟଗୁଡ଼ିକୁ ସତେଅବା ହଜାଇଦେବାରେ ଲାଗିଛୁ ।

 

ଆତ୍ମୀୟତା ମଜବୁତ ହୋଇ ରହିଥାନ୍ତା, ଉଷ୍ମତା ହିଁ ଯାବତୀୟ ସମ୍ପର୍କସ୍ଥାପନର ସର୍ବପ୍ରଥମ ସୂତ୍ର ହୋଇ ରହିଥାନ୍ତା ଏବଂ ଆପଣାର ସତେଅବା ଗୋଟିଏ ଗୋଟିଏ ସାଧନ ଏବଂ ଉପକରଣ ରୂପେ ତାହା method ଓ ଟେକ୍‌ନିକ୍ ଖୋଜି ବାହାର କରନ୍ତା,–ଆତ୍ମୀୟତାକୁ ଭିତ୍ତି କରି ଆପଣାର ଟେକ୍‌ନିକ୍‌ଗୁଡ଼ିକୁ ସ୍ଥିର କରନ୍ତା, ତେବେଯାଇ ବର୍ତ୍ତମାନର ପ୍ରାଣହୀନ ଶିକ୍ଷା ଭିତରେ ଅତ୍ୟନ୍ତ ନିଦାରୁଣ ଭାବରେ ପଶି ଯାଇଥିବା ଯାନ୍ତ୍ରିକତାଗୁଡ଼ାକୁ ଜୟ କରି ହୁଅନ୍ତା । ଆଗ ସୂତ୍ର ଲାଗି ପାରୁଥାନ୍ତା, ତା’ ପରେ method କଥା ବିଚାର କରା ଯାଆନ୍ତା । ତେବେ ଆମର ଶିକ୍ଷା ଏକ ଅନ୍ୟ ଚେତନା ଓ ଅନ୍ୟ ସମ୍ପର୍କର ଭୂମିକୁ ଉତ୍ତୀର୍ଣ୍ଣ ହୋଇଯାଇ ପାରନ୍ତା ।

 

୨୧ । ୧୦ । ୮୩

 

ଏହି ଅଧ୍ୟାତ୍ମିକତା ଉପରକୁ ନେଇ ପଳାଇ ଯାଏନାହିଁ । ଅଧ୍ୟାତ୍ମିକତା ଗଭୀରକୁ ଗଭୀରତର କରେ, ଅଧିକ ପ୍ରସାର ଦିଏ, ଅଧିକ ଯୁକ୍ତ କରି ରଖେ । ତପସ୍ୟାଗୁଡ଼ାକର କଠୋରତା କମି କମି ଯେତେବେଳେ ତାହା ପ୍ରାୟ ଏକ ଆତ୍ମୀୟତାରେ ପରିଣତ ହୁଏ, ନିଜ ଭିତରେ ରହିଥିବା ବ୍ୟାକୁଳତାଗୁଡ଼ିକ ଯେତେବେଳେ ପ୍ରାୟ ଏକ ସମଗ୍ର ସମତାରେ ପରିଣତ ହୁଏ, ସେତିକିବେଳେ ନିଜ ଭିତରେ ବାଟ ଚାଲୁଥିବା ଆଖିଟି ଆଗରେ ସତେଅବା ଏକ ଗିରିଶୃଙ୍ଗର ଦର୍ଶନ ମିଳେ । ତାହାହିଁ ଉଚ୍ଚତା । ଏହି ଉଚ୍ଚତାକୁ ଅନୁଭବ କରି ପାରିଲେ ଯାବତୀୟ ଦୂରତାବୋଧ ଅପସରି ଯାଏ-। ଯିଏ ଉର୍ଦ୍ଧ୍ଵରେ କୋଉଠି ଯାଇ ରହିଥିଲା ପରି ମନେ ହେଉଥିଲା, ତାହା ଏଇଠି ଏହି ଭୂଇଁ ଉପରେ ମୋତେ ସ୍ପର୍ଶ କରି ରହିଥିବା ପରି ଅନୁଭବ ହୁଏ ।

 

ପାଖକୁ ଲାଗି ଲାଗି ଆସିଲେ ମାୟା ଭିତରେ କେବଳ ହୃଦୟ ଦେଖାଯାଏ, ମାୟା ବୋଲି ଗୋଟାଏ ସ୍ଵତନ୍ତ୍ର ବସ୍ତୁ ମୋଟେ ଦେଖା ଯାଏନାହିଁ । ତ୍ରାସ, ସଙ୍କୋଚ, କୁଣ୍ଠା, ଗ୍ଳାନି,–ଏହିମାନେ ହେଉଛନ୍ତି ମାୟା ଭିତରେ ପ୍ରାୟ ଏକ ମୋହର ସହିତ ବାନ୍ଧିକରି ରଖୁଥିବା ଗୋଟିଏ ଗୋଟିଏ ରଜ୍ଜୁ । ଏକ ଅନ୍ୟ ବାସନା;–ଛୁଇଁ କରି ରହିବାର, ଛୁଇଁ କରି ବାଟ ଚାଲିବାର ଓ ଛୁଇଁ କରି ବଞ୍ଚିବାର ବାସନାକୁ ବାଟ ଛାଡ଼ି ଦିଆଗଲେ ସେହି ରଜ୍ଜୁଗୁଡ଼ିକ ସତେଅବା ଗୋଟିଏ ତୋରଣରେ ପରିଣତ ହୋଇଯାଆନ୍ତି । ସେହି ତୋରଣଟି ଅତି ସହଜରେ ଫିଟିଯାଏ ଏବଂ ଏହି ସବୁକିଛି ସତେଅବା ଆଉଗୋଟିଏ ପ୍ରକାରର ରଜ୍ଜୁରେ ବାନ୍ଧି ହୋଇ, ମହିମାମୟ ହୋଇ ରହିଥିବା ପରି ବୋଧ ହୁଏ । ସେହି ବୋଧ ବିମୋଚିତ କରିଦିଏ । ଏକାବେଳେକେ ଉଚ୍ଚତା ଓ ଗଭୀରତାର ପରିଚୟ ଆଣି ଦିଏ । ସେହି ଏକାବେଳେକେ ହେଉଥିବାର ଯେଉଁ ବୋଧ, ତାହାହିଁ ଆଧ୍ୟାତ୍ମିୟତା ।

 

୨୨ । ୧୦ । ୮୩

 

ଲେଖି ଲେଖି ଖାତା ପରେ ଖାତା ସରିଯାଉଛି, ତେବେ ସୁଦ୍ଧା ଲେଖିବାର ନିଶା ମୋଟେ ସରି ଯାଉନାହିଁ । ଦେଖି ଦେଖି ଆଖି ମୋଟେ ଘୋଳି ହୋଇ ଯାଉନାହିଁ । ବୟସ ସରିଗଲେ ମଧ୍ୟ ବିପଣି ମୋଟେ ସରୁନାହିଁ, ଅନୁରାଗ ବଢ଼ି ବଢ଼ି ଯାଉଛି ।

 

ଶାସ୍ତ୍ରରେ ଯାହାକୁ ମାୟା ବୋଲି କୁହାଯାଇଛି, ଏଇଟା ମୋଟେ ସେହି ମାୟା ନୁହେଁ । ଯେଉଁ ମମତା ବଢ଼ିଲେ ମାୟା କଟି କଟି ଯାଉଥାଏ, ବାହାରୁ ଅନିତ୍ୟ ପରି ଅନୁଭୂତ ହେଉଥିବା ଏହିସବୁ ବସ୍ତୁର ହୃଦୟ ସହିତ ଏକ ଡୋର ଲାଗିଯାଏ, ଇଏ ହେଉଛି ସେହି ମମତା । ମୋ’ର ଯାବତୀୟ ସଂଗ୍ରହ ଓ ଅର୍ଜନ ଏହିପରି ସ୍ଵାଭାବିକ ଭାବରେ ହିଁ ମମତାରେ ରୂପାନ୍ତରିତ ହୋଇ ଯାଉଥାଉ । ଜ୍ଞାନ ବଢ଼ିଲେ ମାୟା ଛାଡ଼େ କି ନାହିଁ, ମୁଁ ସେକଥା କହି ପାରିବି ନାହିଁ । ମାତ୍ର, ମୋ’ର ଉପାର୍ଜିତ ଯାବତୀୟ ଜ୍ଞାନ ମୋ’ର ମମତାକୁ ବଢ଼ାଇବାରେ ହିଁ ସବୁଠାରୁ ଅଧିକ ସାହାଯ୍ୟ କରିଛି । ମୋ’ର ସକଳ ଜ୍ଞାନ ମୋତେ ମୋ’ ଭିତରେ ସଙ୍ଗ ଲୋଡ଼ୁଥିବା ଯଥାର୍ଥ ଖିଅଟି ପାଖରେ ନେଇ ପହଞ୍ଚାଇ ଦେଇଛି ଏବଂ ବାହାରେ ମୋ’ର ସଙ୍ଗଲାଗି ଅପେକ୍ଷା କରି ରହିଥିବା ଯାବତୀୟ ଖିଅ ଲାଗି ସେହି ଖିଅଟି ଭିତରେ ଏକ ବ୍ୟାକୁଳତାର ସୃଷ୍ଟି କରିଛି । ଏବଂ, ଯିଏ ଏହି ଖିଅଟିକୁ ନେଇ ସେହି ଖିଅଗୁଡ଼ିକ ସହିତ ଏକାଠି ଯୋଡ଼ି ଦେଇଛି, ତାକୁ ମୁଁ କେବଳ ଯେ ତଥାକଥିତ ଜ୍ଞାନର ଆଖିଗୁଡ଼ାକରେ ଦେଖିଛି, ସେକଥା ମୋଟେ ନୁହେଁ । ତାହାକୁ ମୁଁ ମୋ’ର ଶରୀର ଭିତରେ ବି ଅନୁଭବ କରିଛି । ସେହି ଅନୁଭୂତି ହିଁ ମୋ’ ଲାଗି ନିତ୍ୟାନନ୍ଦର ଅନୁଭୂତି ହୋଇ ରହିଛି । ସଂସାରରେ କୌଣସି ଗୋଟିଏ ବସ୍ତୁକୁ ମଧ୍ୟ ଯେ ଆଦୌ ଅନିତ୍ୟ ବୋଲି କୁହାଯାଇ ପାରିବନାହିଁ, ସବୁଟିକୁ ଯେ ଏକାଠି ଗୋଟିଏ ଆଖିରେ ଗୋଟିଏ ସମଗ୍ର ପ୍ରାଣାନନ୍ଦର ଧାରା ଭିତରେ ଦେଖିହେବ, ସେହି ପ୍ରତ୍ୟୟଟି ମୋ’ ଭିତରେ କ୍ରମଶଃ ଦୃଢ଼ତର ହେବାରେ ଲାଗିଛି ।

 

୨୪ । ୧୦ । ୮୩

 

ମୋ’ର ବିବାଦ ମଣିଷ ସହିତ ନୁହେଁ, ମୋ’ର ବିବାଦ କପଟୀ ମଣିଷର କପଟ ସହିତ । ଯେଉଁ କପଟଗୁଡ଼ାକୁ ଅନେକ ମଣିଷ ସତେଅବା କେତେ ପ୍ରୟୋଜନରେ ପଡ଼ି କେଡ଼େ ଆଦରରେ ଆପଣାର ସହୋଦର କରି ରଖିଥାନ୍ତି, ମୋ’ର ବିବାଦ ସେହି କପଟ ସହିତ । ମଣିଷର ଭିତରକୁ ବାଟ ଦିଶିଲେ ତା’ର କପଟଗୁଡ଼ାକ ବଳେ ବଳେ ଅଲଗା ହୋଇ ଧରା ପଡ଼ିଯାଆନ୍ତି । ନିଜ ଭିତରକୁ ବାଟ ଦିଶିଗଲେ ନିଜଭିତରେ ରହିଥିବା ଯାବତୀୟ କପଟ ଅର୍ଥାତ୍ ଯାବତୀୟ ଜୁଗୁପ୍‌ସା ଯେପରି ଅଲଗା ହୋଇ ଭାରି ଧରା ପଡ଼ିଯାଆନ୍ତି, ଏହା ପ୍ରାୟ ସେହିପରି ଗୋଟିଏ କଥା ।

 

କେତେ ମଣିଷ ଅଛନ୍ତି, ଯେଉଁମାନେ କି ଅନ୍ୟମାନଙ୍କ ପାଖରେ ଅପଡ଼ କିମ୍ବା ଅପ୍ରିୟ ହେବେନାହିଁ ବୋଲି ସେମାନଙ୍କର କପଟଗୁଡ଼ାକୁ ମାନି ନିଅନ୍ତି । ଅର୍ଥାତ୍, କପଟଗୁଡ଼ାକୁ କପଟ ବୋଲି ଜାଣନ୍ତି, ତଥାପି ସେଗୁଡ଼ିକ ବିଷୟରେ ନୀରବ ରହି ଯାଆନ୍ତି । ତେଣୁ, ଅଭିନୟ ଦେଖୁଥାନ୍ତି ଓ ଅଭିନୟ କରୁଥାନ୍ତି । ମୁଁ ସେକଥା କରି ପାରେନାହିଁ । ଆପଣା ପାଖରେ ଅଭିନୟ କରି ପାରୁଥିଲେ ମୁଁ ଅନ୍ୟମାନଙ୍କ ପାଖରେ ମଧ୍ୟ ହୁଏତ ଅଭିନୟ କରି ପାରୁଥାନ୍ତି । ଆପଣା ସହିତ ସକ୍ଷର ଥାପନା ହୋଇଗଲା ପରେ ଆପଣା ପାଖରେ ମୋଟେ ଅଭିନୟ କରି ହୁଏନାହିଁ । ଏହି ସଂସାରକୁ ଆପଣାର କରି ଗ୍ରହଣ କରିନେବା ପରେ, ଅର୍ଥାତ୍ ତାହାକୁ ନିଜର ଘର ବୋଲି ଗ୍ରହଣ କରି ନେବାପରେ ଆଉ ସଂସାର ପାଖରେ ମଧ୍ୟ ଅଭିନୟ କରି ହୁଏନାହିଁ । ସେତେବେଳେ ସଂସାରରେ ସମସ୍ତେ ସାଙ୍ଗରେ ଯାଉଥିବା ସାଥୀ ବାଟୋଇ ପରି ମନେ ହୁଅନ୍ତି । ସେମାନଙ୍କ ସହିତ କୌଣସି ପ୍ରତିଯୋଗିତା କରିବାର ଅଥବା ସେମାନଙ୍କଠାରୁ କୌଣସି ପ୍ରକାରେ ଅଧିକ ହୋଇ ଦିଶିବାର ମଧ୍ୟ କୌଣସି କାରଣ ନଥାଏ । ତେଣୁ ଅଭିନୟ କରି ହୁଏନାହିଁ । କେବଳ, ଖୋଳଗୁଡ଼ାକୁ ଭେଦି ଅଧିକରୁ ଅଧିକ ପାଖକୁ ଯିବାକୁ ମନ ହୁଏ ।

 

୨୭ । ୧୦ । ୮୩

 

ମୋ’ ଭିତରେ ଦୃଢ଼ ବିଶ୍ଵାସ ରହିଛି ଯେ, ଏସବୁ ଦିନେ ନା ଦିନେ ବଦଳିବ । ଭିତରେ ଇପ୍‌ସିତ ଯାବତୀୟ ପରିବର୍ତ୍ତନ ଲାଗି ମୁଁ ମୋ’ର ତଥାକଥିତ ବ୍ୟକ୍ତିଗତ ପଥଟି ଉପରେ ସମ୍ମତ ହୋଇ ରହିଥିବା ପର୍ଯ୍ୟନ୍ତ ଏହି ବିଶ୍ଵାସ ମଧ୍ୟ ଦୃଢ଼ ହୋଇ ରହିଥିବ ।

 

ମୁଁ ପରିବର୍ତ୍ତନକୁ ହିଁ ସ୍ଵାଭାବିକ ଧାରା ବୋଲି ବିଶ୍ଵାସ କରେ । ସେଥିଲାଗି critically ଦେଖିବାକୁ ମୋଟେ ଭୟ ଲାଗେନାହିଁ । ଯେଉଁମାନେ ପରିବର୍ତ୍ତନ ଲାଗି ଅସମ୍ମତ ହୋଇ ରହିଥାନ୍ତି, ସେମାନେ ଆପଣା ସମୀକ୍ଷଣ ଓ ବିଚାରଣାର ଏକ ନିର୍ଦ୍ଦିଷ୍ଟ ନିରାପଦ ପରିଧି ଟାଣି ଦେଇଥାନ୍ତି । ସେମାନେ ପ୍ରାୟ ଏକ ଧର୍ମକୁ ମାନି ରହିଥିଲା ପରି ସେହି ପରିଧି ଭିତରେ ରହିଥାନ୍ତି । ମୋଟେ ଗାର ଡିଅନ୍ତିନାହିଁ, ଗାର ଡେଇଁବାକୁ ବିଶୃଙ୍ଖଳା ବୋଲି କହନ୍ତି, ଅନେକ ସମୟରେ ଏକ ଅଶାଳୀନତା ବା ଅଭବ୍ୟତା ବୋଲି ମନେ କରିଥାନ୍ତି । ସେମାନେ ସ୍ଵନିର୍ବାଚିତ ବୃତ୍ତଟି ଭିତରେ ବିଚରଣ କରିବାକୁ ହିଁ ପ୍ରାୟ ଏକ ସୁରୁଚି ବୋଲି ମନେକରିଥାନ୍ତି । ସାହିତ୍ୟ ଭିତରେ ମଧ୍ୟ ଏହିପରି ସୁରୁଚିବାଦୀ ହୋଇ ଯେଉଁମାନେ ରହିଥାନ୍ତି, ସେମାନେ ସାହିତ୍ୟକୁ ପ୍ରଧାନତଃ ଏକ କୋମଳ ରସର ହୃଦୟହୀନ କୁଣ୍ଡ ବୋଲି ବିଶ୍ଵାସ କରିଥାନ୍ତି । ଏମାନେ ସାହିତ୍ୟ ଭିତରେ ଅନ୍ତର୍ନିହିତ ଥିବା ଶକ୍ତିଗୁଡ଼ିକୁ କୌଣସି ପ୍ରକାରେ ବି ଉଖାରିବାକୁ ଆଦୌ ମନ କରନ୍ତିନାହିଁ । ସାହିତ୍ୟ ବାହାରେ ହୁଏତ ନାନା ଅପଶକ୍ତି ଓ ଔଦ୍ଧତ୍ୟର କ୍ଷେତ୍ରରେ ଗୋଟାସୁଦ୍ଧା ଜୁଡ଼ୁବୁଡ଼ୁ ହୋଇ ରହିଥାନ୍ତି;–ମାତ୍ର ସାହିତ୍ୟକୁ ସତେଅବା ଭୁଲି ରହିବାର ଅଥବା ଆତ୍ମବିନୋଦନର ଏକ ସ୍ଵତନ୍ତ୍ର କ୍ଷେତ୍ର ବୋଲି ଗ୍ରହଣ କରି ନେଇଥାନ୍ତି । ସେହିମାନେ ହିଁ ତଥାକଥିତ ଶୁଦ୍ଧ ସାହିତ୍ୟର ନାଦ ଦିଅନ୍ତି । ଜୀବନରେ ନାନା ଅଶୁଦ୍ଧତା ଏବଂ ଅଶାଳୀନତାର କାରଣ ହୋଇ ସତେଅବା ତାହାର ଏକ କ୍ଷତିପୂରଣ ରୂପେ ସେମାନେ ସାହିତ୍ୟ ଭିତରେ ଶୁଦ୍ଧତା ଖୋଜୁଥାନ୍ତି ।

 

୩୦ । ୧୦ । ୮୩

 

କ୍ଳାନ୍ତି ହେଉଛି ଅଯଥେଷ୍ଟତାର ଏକ ସଙ୍କେତ । ମୋ’ର ଯାହା ବା ଯେତିକି କରିବା କଥା, ମୁଁ ସେତିକି କରି ପାରିବାଲାଗି କୌଣସି କାରଣରୁ ଅସମର୍ଥ ହୋଇ ରହିଥିଲେ ଭିତରେ ଆପଣାକୁ ମାପିବାରେ ଲାଗିଥିବା ମନଟା ଗୋଟାଏ ପ୍ରକାରର ଅସନ୍ତୋଷ ଅନୁଭବ କରେ ଓ ତାହା ଦେହର ସ୍ତରରେ କ୍ଳାନ୍ତିରୂପେ ଅନୁଭୂତ ହେଉଥାଏ । କେବଳ ନିଜର ଅନୁଭୂତି ବ୍ୟତୀତ ଏଥିଲାଗି ମୋ’ ପାଖରେ ଆଦୌ ଅନ୍ୟ କୌଣସି ପ୍ରମାଣନାହିଁ ।

 

ଭିତରେ କେଉଁଠି ନା କେଉଁଠି ଏକ ଅନିଚ୍ଛା ହିଁ ବାହାରେ କ୍ଳାନ୍ତିରୂପେ ଆପଣାକୁ ବ୍ୟକ୍ତକରି ରଖିଥାଏ । ସେହି ଅନିଚ୍ଛା ଆପଣାକୁ କୌଣସି ପ୍ରକାରେ ବି ଧରା ପକାଇ ଦେବାକୁ ଇଚ୍ଛା କରେନାହିଁ । ଭାରି ଲୁଚି ଲୁଚି ରହିଥାଏ । ସେହି ଅନିଚ୍ଛାରୁ ଅଯଥେଷ୍ଟତାର ଅନୁଭୂତି ହୁଏ; ଏବଂ ସେହି ଅଯଥେଷ୍ଟତାରୁ କ୍ଳାନ୍ତି ଆସେ । ଅର୍ଥାତ୍, ଶରୀର ଯେ ପ୍ରକୃତରେ କ୍ଳାନ୍ତ ହୋଇ ପଡ଼ିଥାଏ ବୋଲି କ୍ଳାନ୍ତି ଅନୁଭୂତ ହୁଏ, ସେକଥା ନୁହେଁ । ଶରୀର ସର୍ବଦା ପ୍ରସ୍ତୁତ ହୋଇ ରହିଥାଏ । ଆମେ ସହଯୋଗ ଦେଲେ ଶରୀର କେବେହେଲେ ଅମଙ୍ଗ ହୁଏନାହିଁ କିମ୍ବା ଫାଙ୍କି ଦିଏନାହିଁ । ତେଣୁ, ଅସଲ କଥା ହେଉଛି, ଭିତରେ ରହିଥିବା ସେହି ଅନିଚ୍ଛାକୁ ଇଚ୍ଛାରେ ପରିଣତ କରିବା । ଅର୍ଥାତ୍, ସେହି ଅନିଚ୍ଛାଟାକୁ ଠାବ କରିବା, ତାହା ପ୍ରକୃତରେ ରହିଛି ବୋଲି ସ୍ଵୀକାର କରିବା,–ଏବଂ ଆପଣାକୁ ଯଥାର୍ଥ ଭାବରେ ସଂଗୃହୀତ କରିଆଣି ତାହାକୁ ଏକ ଇଚ୍ଛାରେ ପରିଣତ କରିପାରିବ । ଫାଙ୍କିଦେଇ ଆପଣା ପାଖରୁ ଲୁଚି ବୁଲୁଥିଲେ ଏହିସବୁ କଥା ମୋଟେ କରି ହୁଏନାହିଁ । ଆପଣା ପାଖରେ ଧରାଦେଲେ ଯାଇ ହୁଏ । ଅର୍ଥାତ୍, ଆପଣାକୁ ସାଙ୍ଗରେ ଧରିଥିଲେ ଯାଇ ହୁଏ । ନିଜକୁ ଲୁଚାଇ ବାହାରକୁ ସତେଅବା ଛାଟ ଧରି ବସିଥିବା ପର୍ଯ୍ୟନ୍ତ କେବଳ କ୍ଳାନ୍ତ ହୋଇ ହିଁ ରହିବାକୁ ପଡ଼େ । ଅସଲ ସାମର୍ଥ୍ୟଗୁଡ଼ିକୁ ଆବିଷ୍କାର କରି ହୁଏନାହିଁ ।

 

୩୧ । ୧୦ । ୮୩

 

ସ୍ମୃତିଗୁଡ଼ାକ ମୋଟେ ବାନ୍ଧି ରଖନ୍ତିନାହିଁ । ସ୍ମୃତିଗୁଡ଼ିକ ଆମ ଚେତନାକୁ ଅନେକ ଅଧିକ ବ୍ୟାପ୍ତ ଓ ପ୍ରସାରିତ ହେବାରେ ପଥ ଯୋଗାଇ ଦିଅନ୍ତି । ଏହି ଚେତନା ଯେତେବେଳେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ ବାନ୍ଧି ହୋଇ ରହି ନଥାଏ, ସେତେବେଳେ ତାହା ଆଦୌ ପଛକୁ ଯିବାଲାଗି ଅଥବା ଆପଣାକୁ ପ୍ରକ୍ଷେପିତ କରି ରଖିବାଲାଗି ଭୟ କରେନାହିଁ । ଭୟ ଆସେ ଏହି ଆବଦ୍ଧ କରି ବାନ୍ଧି ରଖିବାରୁ । ଅନେକ ମଣିଷ ଅତୀତ ସହିତ ଯେପରି ବାନ୍ଧିହୋଇ ରହିଥାନ୍ତି, ଆହୁରି ଅନେକ ମଣିଷ ବର୍ତ୍ତମାନ ସହିତ ମଧ୍ୟ ଠିକ୍ ସେହିପରି ବାନ୍ଧିହୋଇ ଗଣ୍ଠି ପକାଇ ରହିଥାନ୍ତି-। ଅସଲ ଅନୁରାଗଟି ନଥିଲେ ହିଁ ହୁଏତ ଏହିପରି କେଉଁଠି ନା କେଉଁଠି ରହିଯିବାକୁ ଭାରି ଭଲ ଲାଗେ । ସେତେବେଳେ ଅନୁରାଗ ଦ୍ଵାରା କୌଣସି ଦ୍ଵାରର ଉନ୍ମୋଚନ ଘଟେନାହିଁ । ସେତେବେଳେ ତାହା ଭାରି ଉତ୍ତେଜିତ ଭାବରେ କିଳି ରଖିଥାଏ ।

 

ଅତୀତରେ ଆପଣାର ଦଉଡ଼ିଗୁଡ଼ାକୁ ଲମ୍ବାଇ ଦେଇ ମୁଁ ଯେଉଁମାନଙ୍କୁ ସ୍ପର୍ଶ କରି ପାରିଥିଲି, ସେମାନଙ୍କୁ ମୁଁ ତଥାପି ସାଙ୍ଗ କରି ରଖିଛି । ସେମାନେ ମୋ’ର ସ୍ମୃତିରେ ରହି ମୋ’ର ବର୍ତ୍ତମାନଗୁଡ଼ିକୁ ସତତ ଉଜ୍ଜ୍ଵଳକରି ରଖିଛନ୍ତି । ଗୋଟିଏ ଦୃଷ୍ଟିରେ ଦେଖିଲେ ସେମାନେ ମୋ’ ଠାରୁ ଦୂରରେ ରହିଛନ୍ତି ସତ, ତଥାପି ମୋ’ ସାଙ୍ଗରେ ରହିଛନ୍ତି । ଜୀବନରେ ମୁଁ ଯାହାକିଛି ହୋଇପାରିଛି ଅଥବା ଅନୁଭବ କରିପାରିଛି, ତାହା ହେଉଛି ମୁଖ୍ୟତଃ ଏହି ସାଙ୍ଗ କରି ପାଇ ପାରିବାର ସାମର୍ଥ୍ୟ, ଅର୍ଥାତ୍ ଆଗ୍ରହ ହେତୁ । ସେହି ଆଗ୍ରହର ଶକ୍ତି ଏବେ ମଧ୍ୟ କ୍ଷୀଣ ହୋଇନାହିଁ । ନିଜର ଦୁଆରଟି ଖୋଲା ରହିଥିଲେ ଏବଂ ନିଜର ବାଟଟି ଆଖି ଆଗକୁ ସ୍ପଷ୍ଟ ହୋଇ ଦିଶି ପାରୁଥିଲେ ଦଣ୍ଡେ ଅଟକିଯାଇ ସାଙ୍ଗ କରିବାରେ ଆଦୌ କୌଣସି ଭୟ ଲାଗେନାହିଁ । ସେହି ନିର୍ଭୟତା ହିଁ ସକଳ ସ୍ମୃତିକୁ ଏପରି ଭାବରେ ବିମୋଚନର ଉତ୍‌ପ୍ରେରକ କରି ରଖିଥାଏ ।

 

୩ । ୧୧ । ୮୩

 

ଜନ୍ମଦିନ ଭଲ ଲାଗେ । କାରଣ ଜନ୍ମ ହେବାର ପ୍ରକ୍ରିୟାଟି ହିଁ ଭଲ ଲାଗେ । ଜନ୍ମଦିନ ଦିନ ଆପଣାକୁ ସତେଅବା ପିଲାଟିଏ ପରି ମନେହୁଏ । ଆପଣା ଭିତରେ ରହିଥିବା ପିଲାଟି ସହିତ ସେହିଦିନ ସତେଅବା ସିଧା ଭେଟ ହୋଇଗଲା ପରି ମନେ ହେଉଥାଏ । ପିଲାର ମନ ଅର୍ଥାତ୍ ଆଦୌ କୌଣସି ପାଚେରୀ ଦିଆହୋଇ ନଥିବା ମନ, ପିଲାର ମନ ଅର୍ଥାତ୍ ସମ୍ମତ ହୋଇ ରହିଥିବା ମନ, ପିଲାର ମନ ଅର୍ଥାତ୍ ଏଠାରେ ସବୁକିଛି ଆପଣାର ଘର ବୋଲି ମନେ ହେଉଥିବାର ମନ ।

 

ପିଲା ପରିପକ୍ଵ ହେଲେ କଦାପି ବୁଢ଼ା ହୋଇ ଯାଏନାହିଁ । ପିଲା ଯଥାର୍ଥରେ ଏକ ପରିପକ୍ଵ ମଣିଷରେ ପରିଣତ ହେଲେ ଅଧିକରୁ ଅଧିକ ହାଲୁକା ହୁଏ, ଅଧିକରୁ ଅଧିକ ବିଶ୍ଵାସ ଏବଂ ସାହସର ଯୋଗ୍ୟ ବି ହୁଏ । ଅନେକ ମଣିଷ ପରିପକ୍ଵ ଦିଶିବାର ମୋହରେ ପଡ଼ି ନିଜ ଭିତରର ପିଲାଟାକୁ କେଡ଼େ ବାଗରେ ନିଜଠାରୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥାନ୍ତି । ମୁଁ ସେପରି ଚେଷ୍ଟା କେବେହେଲେ କରିନାହିଁ । ମୁଁ କେବେହେଲେ ପରିପକ୍ଵ ହେବାର ବାସନାରେ ପଡ଼ି କୃତ୍ରିମ ହୋଇନାହିଁ । ଆପଣା ଭିତରେ ଆପଣାର ସାଙ୍ଗ ହୋଇ ରହିଛି । ହୁଏତ ସେହି କାରଣରୁ ହିଁ ମୁଁ ଜଗତକୁ ଏକ ଅନ୍ୟ ଆଖିରେ ଦେଖିଛି । ମୋ’ ଜନ୍ମଦିନ ମୋତେ ସେହି ଅନ୍ୟ ଆଖିଟି ଲାଗି ସବୁଦିନ ଯୋଗ୍ୟ କରି ରଖିଥାଉ । ମୋ’ ଜୀବନର ଯାବତୀୟ ବାଟ ମୋତେ ମୋ’ ଜୀବନାନୁରାଗର ଅସଲ ମୂଳଗୁଡ଼ିକ ସହିତ ଯୁକ୍ତ କରି ରଖିଥାଉ । ଏହି ଅସଲ ମୂଳଗୁଡ଼ିକୁ ଏକାଠି ଗୋଟିଏ ଶବ୍ଦରେ ବ୍ୟକ୍ତ କରିବାକୁ ଯାଇ ତାହାକୁ ‘ପିଲା’ ବୋଲି କୁହା ଯାଇପାରେ, ମୋ’ ଜୀବନରେ ସବୁଦିନ ଏହି ପିଲାର ହିଁ ଜନ୍ମୋତ୍ସବ ପାଳନ କରା ଯାଉଥାଉ ।

 

୫ । ୧୧ । ୮୩

 

କେତେବେଳେ ମୁହଁ ଦିଶିଯାଏ, କେତେବେଳେ ପାଦ ଯୋଡ଼ିକ ବି ଦିଶିଯାଏ । ମୁହଁ ଆଉ ପାଦ ଭିତରେ ମୁଁ କୌଣସି ପାତର ଅନ୍ତର କରିପାରେନାହିଁ । ପାଦଯୋଡ଼ିକ ଦିଶିଆସିବା ମାତ୍ରକେ ମୁଁ ସତେଅବା ଗୋଟିଏ ପାବଚ୍ଛଶ୍ରେଣୀରେ ପରିଣତ ହୋଇଯାଏ ଓ ତା’ ପରେ ଏକ ଅତିପ୍ରିୟଜନର ଚାଲି ଯାଉଥିବା ଶବ୍ଦ ବ୍ୟତୀତ ମୁଁ ଆଉ କିଛିହେଲେ ଶୁଣିବାକୁ ପାଏନାହିଁ । ମୁହଁଟି ଦିଶିଆସିବା ମାତ୍ରକେ ମୁଁ ସତେଅବା ଗୋଟାସୁଦ୍ଧା ଦୁଇଟା ଆଖିରେ ପରିଣତ ହୋଇଯାଏ ଏବଂ ଗୋଟାସୁଦ୍ଧା ଦେଖିବାରେ ଲାଗିଯାଏ । ଆଖି ଦୁଇଟାର ଯେ ପ୍ରକୃତରେ ଏକାବେଳେକେ ଯାଇ ସ୍ପର୍ଶ କରିବାର ଏକ ସାମର୍ଥ୍ୟ ରହିଛି, ମୁଁ ସେତିକିବେଳେ ତାହାର ପ୍ରମାଣ ପାଏ । ଅନୁଭବ ହୁଏ, ଆଖିଗୁଡ଼ିକ ସତେଯେପରି କେବଳ ଏହି ସ୍ପର୍ଶ କରିବାଲାଗି ହିଁ ଅନୁରୂପ ଭାବରେ ତିଆରି ହୋଇ ରହିଛନ୍ତି । ଦେଖିବା ଆଉ ସ୍ପର୍ଶ କରିବା ଭିତରେ ସେତେବେଳେ ଆଉ ଆଦୌ କୌଣସି ଅନ୍ତର ରହେନାହିଁ । ଦେଖିବା ଆଉ ସ୍ପର୍ଶ କରିବା ଏହିପରି ପରସ୍ପର ସହିତ ଜଡ଼ିତ ହୋଇ ରହିଥିଲେ ଅନୁଭବୀମାନଙ୍କର ଭାଷାରେ ତାହାକୁ ସାକ୍ଷାତ୍‌କାର ବୋଲି କୁହାଯାଏ ।

 

ମୋ’ ଭିତରେ ସେହି ପାଦଦୁଇଟି ଲାଗି ଯଥେଷ୍ଟ ସ୍ଥାନ ରହିଛି, ମୋ’ ଆଖିଦୁଇଟି ମଧ୍ୟରେ ସେହି ମୁହଁଟି ଲାଗି ମଧ୍ୟ ଯଥେଷ୍ଟ ସ୍ଥାନ ରହିଛି । ଅନୁଭବଶାସ୍ତ୍ରରେ ସ୍ଥାନ କହିଲେ ଏକ ସମ୍ମତିକୁ ବୁଝାଏ । ମୁଁ କୋଉଦିନୁଁ ସମ୍ମତ ହୋଇ ରହିଛି । ସମ୍ମତି ହିଁ ମୋ’ ଜୀବନର ସର୍ବପ୍ରଧାନ ଅନୁରାଗ ରୂପେ ମୋତେ ପରିଚାଳିତ କରି ନେଉଛି,–ଅର୍ଥାତ୍, ମୋତେ ପ୍ରସ୍ତୁତ କରି ନେଉଛି, ପରିଚୟ ପରେ ପରିଚୟର ଯୋଗ୍ୟ କରାଇ ନେଉଛି । ମୋ’ରି ଭିତରେ ତାହାର ଉପସ୍ଥିତିକୁ ଏକ ପରମ ସ୍ଵୀକାରରେ ପରିଣତ କରାଇ ନେବାରେ ଲାଗିଛି ।

 

୬ । ୧୧ । ୮୩

 

ସଂସାରଟାଯାକ ମୋ’ ଅଭିଳଷିତ ଭାଗ୍ୟଗୁଡ଼ାକର ଅଧୀନ ହୋଇ ରହିବ, ଅର୍ଥାତ୍ ମୁଇଁ ସଂସାରର ଯାବତୀୟ ଘଟଣାରେ ଓ କ୍ଷେତ୍ରରେ ଆପଣାକୁ ହିଁ କେନ୍ଦ୍ର କରି ଦେଖୁଥିବି, ତେବେଯାଇ ନିଜକୁ ଭାଗ୍ୟବନ୍ତ ବୋଲି ଅନୁଭବ କରିବି ଓ ନଚେତ୍ ଭାଗ୍ୟକୁ ନିନ୍ଦିବାରେ ଲାଗିଥିବି, ଏପରି ହେଲେ ଏହି ସଂସାରରେ ପ୍ରକୃତରେ ଭାରି ଦୁଃଖ ପାଇବାକୁ ହୁଏ ।

 

ମୁଁ ସଂସାର ପାଖରେ କେବେ ଏଭଳି ଗେଲବସର ହେବାକୁ ମନ କରିନାହିଁ । ଅର୍ଥାତ୍ ସଂସାର ପାଖରୁ କଦାପି ଏଭଳି ଦାବୀମାନ କରିନାହିଁ । ଏପରି କରୁଥିଲେ ସଂସାରଟା ହୁଏତ ଗୋଟାସୁଦ୍ଧା ଏକ ମୃଗୟାସ୍ଥଳୀ ପରି ଲାଗୁଥାନ୍ତା, ମୁଁ ଦୁଃଖଗୁଡ଼ାକୁ ହିଁ ସବୁଠାରେ ଅତ୍ୟନ୍ତ ସ୍ପୀତ ହୋଇ ରହିଥିବା ପରି ଦେଖୁଥାନ୍ତି, ଅଭିଯୋଗ କରୁଥାନ୍ତି, ଇତ୍ୟାଦି, ଇତ୍ୟାଦି । ତେବେ, ନୀରବ ହୋଇ ପାରୁଥାନ୍ତି ଆଉ କେତେବେଳେ, ଏଠି ଆକାଶକୁ ଚାହିଁ ମୁଗ୍‌ଧ ହୋଇ ପାରୁଥାନ୍ତି କେତେବେଳେ ? ସୂତ୍ରଗୁଡ଼ାକୁ ମୁଁ ହୁଏତ ଖାଲି ଜାଲଗୁଡ଼ାଏ ପରି ଅନୁଭବ କରୁଥାନ୍ତି ଓ ଜାଲମାନେ ମୋତେ ନାନା ଭାବରେ ଛନ୍ଦିକରି ରଖିଥାନ୍ତେ, ଭାରି ଉତ୍ତେଜିତ କରି ରଖୁଥାନ୍ତେ । ଏହି ସଂସାର ଭିତରେ ମୁଁ ପ୍ରକୃତରେ କେଡ଼େ ଭାଗ୍ୟବାନ,–କାରଣ ଏଠି ମୋତେ ଘେରି ରହିଥିବା ଏହି ବୃହତ୍ ଆକାଶକୁ ମୁଁ ସକଳ କେନ୍ଦ୍ରର ଅସଲ ପ୍ରାଣକେନ୍ଦ୍ର ବୋଲି ଅନୁଭବ କରିପାରୁଛି । ମୋ’ର ଯାବତୀୟ ଅନୁଭବକୁ ମୁଁ ସତେଅବା ଗୋଟିଏ ଗୋଟିଏ ସ୍ପର୍ଶ ପରି ଅନୁଭବ କରୁଛି । ଏହି ସ୍ପର୍ଶ ହିଁ ମୋତେ ଯାବତୀୟ କାତରତାରୁ ମୁକ୍ତ କରି ରଖିଛି । ଆତ୍ମୀୟତା ଦ୍ଵାରା ହିଁ ମୋତେ ଏହି ସବୁକିଛିକୁ ଅତି ନିକଟ ବୋଲି ଅନୁଭବ କରିବାଲାଗି ବାଟ ଦେଖାଇ ଦେଉଛି । ମୋ’ ଭିତରେ ଦେଖାଇ ଦେଉଛି, ବାହାରେ ବି ଦେଖାଇ ଦେଉଛି ।

 

୮ । ୧୨ । ୮୩

 

ବାହାରେ ଅତ୍ୟନ୍ତ ବ୍ୟସ୍ତତା,–ଭିତରେ କୌଣସି ବ୍ୟସ୍ତତା ନାହିଁ; ଭିତରେ କେବଳ ପ୍ରତିଶ୍ରୁତି, କେବଳ ସମ୍ମତି ।

 

ଏହି ପ୍ରତିଶ୍ରୁତି ପଛରେ ଆଦୌ କୌଣସି ସର୍ତ୍ତ ନାହିଁ । ଯେଉଁ ପରିଚୟଟି ଘଟି ପାରିଲେ ଜୀବନର ଯାବତୀୟ ଔଚିତ୍ୟ ମୂଳତଃ ଏକ ପ୍ରତିଶ୍ରୁତିରେ ହିଁ ପରିଣତ ହୋଇଯାଏ, ସେହି ପରିଚୟକୁ ମୁଁ ଅନେକ ସମୟରେ ଏକ ସଂଯୋଜନକାରୀ ସୂତ୍ରରୂପେ ଅନୁଭବ କରିଯାଏ । ଏହି ସୂତ୍ର ଲାଗିବାର ଇତିହାସ ହେଉଛି ମୋ’ ଜୀବନରେ ଏତେ ବାଟ ଚାଲି ଆସିଥିବାର ଇତିହାସ । ଏହି ପରିଚୟ ଘଟିଲେ ଦୂରତା ଯାଏ, ବାହାରଟା ଭିତରେ ଅନୁଭୂତ ହୁଏ ଓ ଭିତରଟା ବାହାରେ ଅନୁଭୂତ ହୋଇଥାଏ; ଯାବତୀୟ ସମ୍ପ୍ରସାରଣ ସତେଅବା ସଂକେନ୍ଦ୍ରଣର ଏକ ପ୍ରକ୍ରିୟାରୂପେ ଅନୁଭୂତ ହୁଏ ଏବଂ ଯାବତୀୟ ସଂକେନ୍ଦ୍ରଣ ସମ୍ପ୍ରସାରଣ ପରି ଅନୁଭୂତ ହୁଏ । ସେତେବେଳେ ଯେଉଁସବୁ ନିୟମ ଦ୍ଵାରା ଜୀବନ ପରିଚାଳିତ ହେଉଥାଏ, ତାହାକୁ ସାଧାରଣ ଅର୍ଥରେ ଆଦୌ ନୈତିକତା ବୋଲି କୁହାଯାଇ ପାରିବନାହିଁ । ନୀତି ଥାଏ; ନୀତିବାଦିତା ନଥାଏ; ଆଜ୍ଞାବହତା ଥାଏ, ମାତ୍ର ଭିତରେ ବା ବାହାରେ ଆଦୌ କୌଣସି ପ୍ରକାରେ ବାଧ୍ୟ ହେଲାପରି ମନେ ହୁଏନାହିଁ । ଏହି ସାବଲୀଳତା ରହିଥାଏ, ଯାହାକୁ ବଞ୍ଚିହୁଏ, ମାତ୍ର ବର୍ଣ୍ଣନା କରି ହୁଏନାହିଁ, ବ୍ୟାଖ୍ୟା କରି ହୁଏନାହିଁ । ଅସଲ ସାବଲୀଳତା ହେଉଛି ମୂଳତଃ ଏକ ନୀରବତା, ଅସଲ ନୀରବତା ମୂଳତଃ ଏକ ସମ୍ମତି । ଜୀବନର ସମ୍ମତିଶାସ୍ତ୍ରରେ ମୋତେ ଅନେକ କିଛିକୁ ପଛରେ ଛାଡ଼ି ଆସିବାକୁ ପଡ଼ିଛି; ମାତ୍ର, ତାହାର ବଦଳରେ ମୁଁ ଯେପରି ଇପ୍‌ସିତ ସବୁକିଛିକୁ ପାଇ ଯାଇଛି । ଜୀବନର ଯେଉଁ ଆକାଙ୍‌କ୍ଷାଗୁଡ଼ିକ ଜୀବନକୁ ସଦାପ୍ରେରିତ କରି ରଖିଥାନ୍ତି, ମୁଁ ସେଗୁଡ଼ିକୁ ଲାଭ କରିଛି । ମୋ’ ଭିତରେ ଅନେକ ଦାରିଦ୍ର୍ୟକୁ ମୁଁ ଅତିକ୍ରମ କରିଯାଇଛି ।

 

୨୩ । ୧୨ । ୮୩

 

ସବାପ୍ରଥମେ ବ୍ୟାକୁଳ ମଣିଷ ହିଁ ଜୀବନର ଜିଜ୍ଞାସା କରି ବାହାରିଥିଲା । ସିଏ ଜୀବନକୁ ଖାଲି ବଞ୍ଚିଲାନାହିଁ, ଖାଲି ଉପଭୋଗ କଲାନାହିଁ,–ଜୀବନର ଜିଜ୍ଞାସା କଲା । ଜୀବନ ବୋଇଲେ ତାକୁ କେବଳ ଯେତିକି ମିଳୁଛି, ସେ ସେତିକିରେ ମୋଟେ ସନ୍ତୁଷ୍ଟ ହୋଇ ରହି ପାରିଲାନାହିଁ । ତେଣୁ, ଅଧିକ ଲାଗି ବ୍ୟାକୁଳ ହେଲା । ଏହି ଜିଜ୍ଞାସାର ଅନେକ ସ୍ତର;–ଏହାର ଏକ ଉଚ୍ଚତାପ୍ରସ୍ଥ ରହିଛି, ଏକ ଗଭୀରତା–ପ୍ରସ୍ଥ ବି ରହିଛି । ଏହାର ନାନା କ୍ଷେତ୍ର ରହିଛି । ସାହିତ୍ୟ ସେହିଭଳି ଏକ କ୍ଷେତ୍ର । ମାତ୍ର, ସତ କଥା ହେଉଛି, ଆମେ ଇଚ୍ଛା କଲେ ଯାଇ ଆମର ସାହିତ୍ୟ ଆମଲାଗି କେବଳ ଏକ ଉପଭୋଗ ଅଥବା ବିସ୍ମରଣର କ୍ଷେତ୍ର ନୁହେଁ, ଏକ ଜିଜ୍ଞାସାର କ୍ଷେତ୍ରରୂପେ ମଧ୍ୟ ବ୍ୟବହୃତ ହୋଇପାରିବ ।

 

ସାହିତ୍ୟ କ୍ଷେତ୍ରରେ ଜିଜ୍ଞାସା ଅଧିକ ଗଭୀର ହେଲେ ତାହା ଶ୍ରଦ୍ଧାକୁ ରୂପାନ୍ତରିତ ହୋଇଯାଏ । ସେହି ଶ୍ରଦ୍ଧା ଜୀବନଶ୍ରଦ୍ଧାର ସମଗ୍ର ପରିମଣ୍ଡଳ ଭିତରେ ଗୋଟିଏ ସଜାତୀୟ ଅନୁମଣ୍ଡଳ ହୋଇ ରହିଥାଏ । ସେହି ଶ୍ରଦ୍ଧାଦ୍ଵାରା ଅନୁପ୍ରାଣିତ ହୋଇ ହୁଏତ ମଣିଷ ଦିନେ କବିତାଲାଗି ଛନ୍ଦ ଖୋଜିଲା, ସଙ୍ଗୀତରେ ତାଳ ଖୋଜିଲା । ଏପରିକି, ଯଥାର୍ଥ ଅଭିବ୍ୟକ୍ତ ଲାଗି ଯଥାର୍ଥ ଭାଷାଟିଏ ଖୋଜିଲା । ଯଥାର୍ଥ କରି ଖୋଜିବାରୁ ଶୈଳୀ ବୋଲି ଗୋଟିଏ ଚର୍ଚ୍ଚା ପରିସରର ଉଦ୍ଭବ ହୋଇ ଆସିଲା । ଏଥିରେ ଏକ ଅତିରିକ୍ତତା ଆଣି ଅନେକ ମଣିଷ ଶୈଳୀବିଜ୍ଞାନ ନାମରେ ଏବେ ଏକ ସ୍ଵତନ୍ତ୍ର ବିଜ୍ଞାନ ବାହାର କରନ୍ତୁ, ସେଥିରେ ଆଦୌ କୌଣସି କ୍ଷତି ନାହିଁ; ମାତ୍ର ତାହାର ଚେର ସାହିତ୍ୟରେ ରହିଥାଉ, ଅସଲ ଜିଜ୍ଞାସା ଏବଂ ଅସଲ ବ୍ୟାକୁଳତା ମଧ୍ୟରେ ହିଁ ତାହା ନିଜର ଅସଲ ଔଚିତ୍ୟଟିକୁ ଅନୁଭବ କରୁଥାଉ । କେବଳ ଏକ ଡୋରଛିଣ୍ଡା ଟେକ୍‌ନିକ୍‌କୁ କଦାପି ବିଜ୍ଞାନ ବୋଲି କୁହା ନଯାଉ ।

 

୨୨ । ୧୨ । ୮୩

 

ଅକଳ ଦେହଟାକୁ ପୁନର୍ବାର ସାଙ୍ଗକୁ ଆଣିବାକୁ ପଡ଼େ, ତେବେ ଯାଇ ତାହା କଳ ହୋଇଯାଏ । ଦେହ ସର୍ବଦା ଆମର ପାଖେ ପାଖେ ରହିଥାଏ । ଆମର ସବୁ କାମ କରୁଥାଏ, ସବୁ ବୋଲ ମାନୁଥାଏ । ଏତେ ସ୍ଵାଭାବିକ ଭାବରେ ଏସବୁ ହେଉଥାଏ ଯେ, ଦେହ ପ୍ରକୃତରେ ସାଙ୍ଗରେ ଅଛି ବୋଲି ମୋଟେ ଜଣା ପଡ଼େନାହିଁ । ତାହା ହେଉଛି ସ୍ୱାସ୍ଥ୍ୟର ଅବସ୍ଥା, ଅକ୍ଷତ ସମ୍ପର୍କ ଏବଂ ଅକ୍ଷତ ସହଯୋଗର ଅବସ୍ଥା । ମାତ୍ର, କୌଣସି କାରଣରୁ ଦେହ ଅସୁସ୍ଥ ହୋଇପଡ଼ି ଯେତେବେଳେ ଆଉ ସାଙ୍ଗରେ ନାହିଁ ବୋଲି ଜଣା ପଡ଼ିଯାଏ, ସେତେବେଳେ ଅନେକ ମଣିଷ ଦେହ ଉପରେ ବଡ଼ ବିରକ୍ତ ହୋଇ ପଡ଼ନ୍ତି, ଏହି ଦେହଟା ସକାଶେ ବାଧ୍ୟ ହୋଇ ପଛରେ ପଡ଼ିବାକୁ ହେଉଛି ବୋଲି ଅପବାଦ ଦିଅନ୍ତି, ଅଭିଯୋଗ କରନ୍ତି ।

 

ଏହି ଅଭିଯୋଗର କ୍ରମଶଃ ସ୍ତରୋନ୍ନିତହୋଇ ଦେହ ନିନ୍ଦାକାରୀ ଶାସ୍ତ୍ରମାନ ଲେଖାଯାଏ, ଦେହ ଥିବାଯାଏ ତାକୁ ଯେକୌଣସି ମତେ ସହ୍ୟ କରିବାଲାଗି କେତେ ସାଧୂପଦେଶ ଦିଆଯାଏ । କହିବ ବାହୁଲ୍ୟ, ଏସବୁ ମଣିଷର ମନଟା ହିଁ କରେ,–ଦେହଗତ, ମନ ହିଁ କରେ । ଦେହ ଭିତରେ ସିଏ କୋଉଠି ବାନ୍ଧିହୋଇ ରହିଛି ବୋଲି ଯେପରି କୌଣସି ପ୍ରକାରେ ଧରା ନପଡ଼ିବ, ମନ ସେଇଥିଲାଗି ଏହିପରି ଏକ ଆଚାର ଭିତରେ ପଶିଥାଏ ।

 

କୌଣସି କାରଣରୁ ଦେହକୁ ସାଙ୍ଗଭିତରୁ ବାହାର କରିଦେବା, ସମ୍ଭବତଃ ତାହାରି ନାମ ହିଁ ଅସୁସ୍ଥତା । ଗୋଟିଏ ଲୟର ବୃତ୍ତ ଭିତରେ ଜୀବନର ସମସ୍ତେ ସହଯୋଗୀ ହୋଇ ରହିଥିଲେ ହୁଏତ ଆମ ଅସ୍ତିତ୍ଵର ଭୂମିରେ କୌଣସି ଅସୁସ୍ଥତା ପ୍ରବେଶ କରେନାହିଁ । ଅଲଗା ହୋଇଗଲେ ଅର୍ଥାତ୍ ଅଲଗା ଅଲଗା କରିଦେଲେ ହିଁ ବିପର୍ଯ୍ୟୟ ଘୋଟିଆସେ । ଦେହ ହିଁ ହୁଏତ ସବାଆଗ ସେହି ବିପର୍ଯ୍ୟୟକୁ ନିଜ ଉପରକୁ ଆଦରିନିଏ, ଦାଉଟିକୁ ସହ୍ୟ କରିନିଏ ।

Image

 

Unknown

୧୯୪୮

୫ । ୧ । ୮୪

 

ପ୍ରେମସମ୍ପର୍କକୁ ଦେଇ ଯୌନସମ୍ପର୍କକୁ ବୁଝିବା,–ସେକଥା ବୁଝିହୁଏ; ମାତ୍ର ଯେଉଁମାନେ ଯୌନସମ୍ପର୍କକୁ ଦେଇ ପ୍ରେମସମ୍ପର୍କକୁ ବୁଝିବାକୁ ବାହାରନ୍ତି ଏବଂ ଚଟ୍‌କରି ସବୁକିଛି ବୁଝିଗଲେ ବୋଲି ଏଡେ ପାଟିରେ ଘୋଷଣା କରନ୍ତି, ମୁଁ ସେମାନଙ୍କୁ ଆଦୌ ବୁଝି ପାରେନାହିଁ ।

 

ଆହୁରି କେତେକ ମଣିଷ ଅଛନ୍ତି, ଯେଉଁମାନେ କି ତୁଚ୍ଛା ଯୌନସମ୍ପର୍କକୁ ହିଁ ପ୍ରେମସମ୍ପର୍କ ଅର୍ଥାତ୍ ପ୍ରେମ ବୋଲି ଧରି ନିଅନ୍ତି । ସେମାନେ ଯୌନସମ୍ପର୍କ ଲୋଡ଼ନ୍ତି । ସେତିକି ହୋଇଗଲେ ପ୍ରେମ ହୋଇଗଲା ବୋଲି ଭାବନ୍ତି । ବନସ୍ତ ଭିତରେ ମୃଗୟା କରିବାରେ ଲାଗିଥାନ୍ତି । ଯାହାକୁ ହାବୁଡ଼ରେ ପାଆନ୍ତି, ତାହାକୁ ଅଧିକାର କରନ୍ତି, ଗୋଟାସୁଦ୍ଧା ଗିଳି ପକାଇବାକୁ ଇଚ୍ଛା କରୁଥାନ୍ତି । ପ୍ରେମ ଗିଳିବା ନୁହେଁ, ପ୍ରେମ ହେଉଛି ଏକ ଯାତ୍ରା । ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ପାରିବାଲାଗି ଏକ ବ୍ୟାକୁଳତା । ମୃଗୟା କରୁଥିବା ମଣିଷ ସେହି ବ୍ୟାକୁଳତାକୁ ମୋଟେ ବୁଝି ପାରେନାହିଁ । ଆପଣାକୁ କେବଳ ପୁରୁଷମାନଙ୍କ ଭିତରେ ପୁଙ୍ଗବ ବୋଲି ବିଚାରୁଥିବା ମଣିଷ ସେହି ବ୍ୟାକୁଳତାର ଯୋଗ୍ୟ ହୋଇ ପାରେନାହିଁ । ଆପଣାକୁ ଦେଲାବେଳେ ପୁରୁଷପଣ ନଥାଏ କି ସ୍ତ୍ରୀପଣ ବି ନଥାଏ; କେବଳ ପ୍ରେମପଣ ହିଁ ବାଟ କଢ଼ାଇ ନେଉଥାଏ । ଆଉ ଗୋଟାଏ ବଡ଼ ତଫାତ୍ ହେଉଛି ଯେ, ଯୌନସମ୍ପର୍କ ନୈତିକତାକୁ ଡରେ, ପ୍ରେମସମ୍ପର୍କ ନୈତିକତାକୁ ଡରେନାହିଁ । ଆପଣାଲାଗି ତାହା ଏକ ନିଜସ୍ୱ ନୀତି ଏବଂ ନିଜସ୍ୱ ରୀତିର ଆବିଷ୍କାର କରେ । ସେହି ଆବିଷ୍କାରକୁ ଏକ ଉପଲବ୍‌ଧି ବୋଲି କହେ ।

 

୮ । ୧ । ୮୪

 

ଭାଷାକୁ ଶାଳୀନ ରଖିବାକୁ ଯାଇ ଅନେକ ମଣିଷ କଥାକୁ କମ୍ କର୍କଶ କରି କହିଥାନ୍ତି । ଆଚରଣଗୁଡ଼ିକୁ ତଥାକଥିତ ଶାଳୀନ କରି ଦେଖାଇବେ ବୋଲି ସେମାନେ ଜୀବନଟାକୁ ବେଶ୍ ଅସୁନ୍ଦର କରି ରଖିଥାନ୍ତି । ବାହାର ଆଖିରେ ସବୁକିଛିକୁ ସୁନ୍ଦର କରି ଦେଖାଇବେ ବୋଲି ଭିତରର ଆଖିଟାକୁ ପ୍ରାୟ ବନ୍ଦ ରଖିଥାନ୍ତି । ଆମ ସାହିତ୍ୟରେ ଏହି ଶାଳୀନତାର ଆବଶ୍ୟକତାକୁ କେତେ ବାଗରେ କେତେ ମହତ୍ତ୍ୱପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି । ଏକ ଅନ୍ୟପ୍ରକାର ଉତ୍ସାହରେ ଅଧିକ ଶାଳୀନ କରି କହିବା ବା ଲେଖିବା ଉଦ୍ଦେଶ୍ୟରେ ସାହିତ୍ୟରେ ଅଳଙ୍କାରର କଥା କୁହାଯାଇଛି । ଆଳଙ୍କାରିକତା ଦ୍ଵାରା ସାହିତ୍ୟକୁ ପ୍ରାୟ ପୋତି ପକାଯାଇଛି । ବହୁ ଆଚରଣର ନାନା ମୁଖା ଭରଣ ଦ୍ଵାରା ଜୀବନର ଅତ୍ୟାବଶ୍ୟକ ଅନ୍ତରଙ୍ଗତା ଗୁଡ଼ିକୁ ଯେପରି ଭାବରେ ପୋତି ଦିଆଯାଇଥାଏ, ପ୍ରାୟ ସେହିପରି । ଏହା ଫଳରେ; ଜୀବନର ଗଣ୍ଠିଗୁଡ଼ିକ ଦେଇ, ଅର୍ଥାତ୍ ଯଥାର୍ଥ ସମ୍ବନ୍ଧ ଗୁଡ଼ିକ ଦେଇ ପରସ୍ପର ସହିତ ବନ୍ଧାହୋଇ ରହିବା ପରିବର୍ତ୍ତେ ମଣିଷ ଏବେ ପ୍ରଧାନତଃ କେତେଟା ରଜ୍ଜୁଶାଳୀନତା ଓ ଆଚରଣକୁଳୀନତାର ଦଉଡ଼ିଦ୍ଵାରା ବାନ୍ଧିହୋଇ ରହିବାକୁ ଆରମ୍ଭ କଲାଣି ।

 

ମୁଁ ଏଗୁଡ଼ାକ ଭିତରେ ମୋଟେ ନାହିଁ । ପିଲାବେଳର ସଂସ୍କାର–ବଶତଃ ଅଜାଣତରେ ଯେତିକି ଥିଲି, ମୋ’ର ହେତୁ ହେବା ସଙ୍ଗେ ସଙ୍ଗେ ମୁଁ କ୍ରମେ ସେଗୁଡ଼ାକ ଭିତରୁ ବାହାରି ଆସୁଛି । ଏହା ଫଳରେ ମୋ’ର ହୁଏତ ବାହାର ଶାଳୀନତା କମିଛି ସତ, ମାତ୍ର ଭିତରେ ଓ ବାହାରେ ଅନ୍ତରଙ୍ଗତା ବଢ଼ିଛି, ଜୀବନର ଦୃଷ୍ଟିରେ ଯଥାର୍ଥ କୋମଳତା ଏବଂ ସହାନୁଭୂତି ଅଧିକ ହୋଇଛି । ଶାଳୀନତା ଦେଖାଇ ମଣିଷଠାରୁ ଭଦ୍ର ଦୂରତା ରକ୍ଷା କରିବା ଅପେକ୍ଷା ଉନ୍ମୋଚିତ ହୋଇ, ଏବଂ ଉନ୍ମୋଚିତ ହୋଇ ମଣିଷର ଅଧିକ ନିକଟବର୍ତ୍ତୀ ହୋଇ ଆସିବାରେ ଅଧିକ ଜୀବନ ରହିଛି ବୋଲି ମୁଁ ଆବିଷ୍କାର କରିପାରିଛି ।

 

୧୪ । ୧ । ୮୪

 

ବେଳେ ବେଳେ ରୋହିତ ମୋ’ ସାଙ୍ଗରେ ଏକାଠି ବାଟ ଚାଲୁଥିବା ପରି ମନେହୁଏ । ଆଉ ବେଳେ ବେଳେ ମୁଁ ରୋହିତ ସହିତ ଯାଉଥିବା ପରି ମନେ ହୋଇଥାଏ । ବେଳେ ବେଳେ ସେ ଦିଗ୍‌ବଳୟ ହୁଏ, ମୁଁ ବାଟୋଇ ହୁଏ, ଆଉ ବେଳେ ବେଳେ ମୁଁ ଦିଗ୍‌ବଳୟ ହୁଏ । ମୋ’ ଭିତରେ ସେଇ ବାଟୋଇ ହୋଇ ବାଟ ଚାଲୁଥାଏ ।

 

ସେତେବେଳେ ଆଖିଗୁଡ଼ିକ ଆଉ ମୋଟେ ଏଠି ନଥାନ୍ତି । ମୋ’ ଆଗେ ଆଗେ ରହି ମୋତେ ଆକର୍ଷଣ କରୁଥାନ୍ତି । ମୁଁ ବାଟ ଚାଲିଥାଏ । ବାଟ ଯେତିକି ସରୁଥାଏ, ଆଗକୁ ସେତିକି ସେତିକି ବାଟ ଖୋଲି ଯାଉଥିବା ପରି ମନେ ହେଉଥାଏ । ବିଶ୍ଵାସ ସେତିକି ସେତିକି ବଢ଼ିବାରେ ହୃଦୟରେ ପାଦ ଲାଗିଯାଏ । ଏହି ଚାଲିବାଦ୍ଵାରା ହିଁ ମୁଁ ଜୀବନରେ ଅନେକ ଅବିଶ୍ଵାସକୁ କାଟି ବାହାରିଆସି ପାରିଛି, ଅନେକ ଭୀରୁତା ଅର୍ଥାତ୍ ଅସମ୍ମତିକୁ ବି କାଟି ବାହାରି ଆସି ପାରିଛି । ନିଜେ ବାଟ ନଚାଲୁଥିଲେ ଶାସ୍ତ୍ରଗୁଡ଼ାକ ଯେ ଅଧିକାଂଶ ସମୟରେ କେବଳ ସଂଶୟ ବଢ଼ାନ୍ତି, ମୁଁ ସେକଥା ନିଜ ଜୀବନରେ ଅଙ୍ଗେ ନିଭାଇ ଉପଲବ୍‌ଧ କରିଛି । ବେଳେ ବେଳେ ମନ ହୁଏ, ଏହି ସଂଶୟ ଓ ତଜ୍ଜନିତ ଅନିଚ୍ଛା ହିଁ କ୍ରମେ ଗଣ୍ଠିକୁ ଗଣ୍ଠି ବାନ୍ଧିହୋଇ ଅହଂର ରୂପ ଧାରଣ କରନ୍ତି । ଜୀବନରେ କର୍କଶତା ବଢ଼ାନ୍ତି । ଜ୍ଞାନଗୁଡ଼ାକ ତେଣିକି ପଥର ପରି ସତେଅବା ଉପରେ ଲଦିହୋଇ ରହିଥାଏ । ସଂସାରରେ ବାଟ ନଚାଲିଲେ ବାଟଗୁଡ଼ାକ ମୋଟେ ଦିଶେନାହିଁ । ବାଟମାନେ ଭୟ ଦେଖନ୍ତି । ଆପଣାଭିତରେ ମିତ୍ରଟି ସତେଅବା ଭାରି ଅପଚରା ହୋଇ ରହିଯାଏ । ରୋହିତ ଅଚିହ୍ନା ପରି ମନେହୁଏ । ଭିତରକୁ ଅନାଇଲେ ଖାଲି ଦ୍ଵନ୍ଦଗୁଡ଼ାକ ଦେଖାଯାଏ । ଅସଲ ପାଦଦୁଇଟି ଆଦୌ ଦେଖା ଯାଏନାହିଁ ।

 

୨୯ । ୨ । ୮୪

 

ଘରେ ବାହାଘର ହେଲାବେଳେ ଆମେ ସମସ୍ତେ ଏକାଠି ହେଉ । ଏହି କେତେଟା ଦିନ କେଡ଼େ ଭଲ ଲାଗେ;–ସୂତ୍ରଗୁଡ଼ିକୁ ଜଳଜଳ କରି ଅନୁଭବ କରିହୁଏ । ଗୋଟିଏ ଘରେ ଜନ୍ମ ହୋଇଥିବାର ନୈକଟ୍ୟସୂତ୍ରଟି ସତେଅବା ଅବ୍ୟାହତ ଅବିଚ୍ଛିନ୍ନ ଭାବରେ ଏବେସୁଦ୍ଧା ଲାଗି ରହିଥିବା ପରି ମନେହୁଏ । ଆପଣାକୁ ପିଲାଟିଏ ପରି ମନେହୁଏ । ହଁ, ଏକାବେଳେକେ ଗୋଟିଏ କୃତଜ୍ଞ ପିଲା ପରି ମନେ ହେଉଥାଏ ।

 

ଗୋଟିଏ ଘରର ଆମେ ଏତୋଟି ଭାଇ ବା ଏତୋଟି ଭଉଣୀ । ବଡ଼ ହୋଇ ଆମେ କେତେ କ’ଣ ହେଲୁ, କେତେ କୁଆଡ଼କୁ ଗଲୁ,–ପରସ୍ପରଠାରୁ ସତେଅବା କେତେ ଦୂରକୁ ଚାଲିଗଲୁ-। ବିଶେଷ କରି ମୁଁ ତ ସତେଅବା ଆଦୌ ଧରା ନଦେବା ପରି ଆପଣାର ସୂତାକୁ ଲମ୍ବାଇ କେତେ କୁଆଡ଼େ ଲମ୍ବିଗଲି, କେତେ ଅନ୍ୟ କଥାରେ ମନ ଦେଲି । ସଳଖ ବାହ୍ୟ ଦୃଷ୍ଟିରେ ଦେଖିଲେ ସଂସାରରେ ତାହା ଆପାତତଃ ମୋଟେ ଘରପରି ମନେ ହୁଏନାହିଁ, ମୁଁ ସେହିଗୁଡ଼ାକୁ ଘର ପରି ଆଦରି ନେଲି, ନୂଆ ମାୟା ଭିଆଇଲି,–ନାନା ନୂଆ ଆତ୍ମୀୟତା ଭିତରେ ପୁରୁଣା ଆତ୍ମୀୟତାଟିକୁ ବହୁବିଚିତ୍ର, ଏବଂ ବହୁବ୍ୟାପକ କରି ଅନୁଭବ କରିବାଲାଗି ମୁଁ କେତେ ଆକୁଳ ହୋଇ ପଡ଼ିଲି-। ଏସବୁ ଦ୍ଵାରା ମୁଁ ଯେ ମୋ’ର ଏହି ବାହ୍ୟ ସଂସାରର ସର୍ବମୂଳ ଜନ୍ମଘରଟିକୁ ହରାଇ ବସିଲି, ସେ କଥା ଆଦୌ ନୁହେଁ । ଯେଉଁ ଉଦାସୀନତା କୌଣସି ବୃହତ୍ତରକୁ ଗ୍ରହଣ କରି ପାରିବ ବୋଲି ସ୍ଥାନୀୟ ଓ ସାନ ମୂଳଟିକୁ ଛାଡ଼ି ଯିବାପାଇଁ ଆବଶ୍ୟକ ମନେ କରେ, ସେହି ଉଦାସୀନତା ମୋତେ ଏବେ ମଧ୍ୟ ଗ୍ରାସ କରିନାହିଁ । ମୋ’ ଘର ପ୍ରତି ମୋ’ର ବନ୍ଧନ ତୁଚ୍ଛା ମମତାର ବନ୍ଧନ ନୁହେଁ, ଏହା କୃତଜ୍ଞତାର ଏକ ବନ୍ଧନ । ଯେଉଁ ଘର ମୋତେ ସବୁ ଘରକୁ ଘର ବୋଲି ଆଦରି ନେବାର ଉପାୟଟିକୁ ଦିନେ ଶିଖାଇ ଦେଇଛି, ମୁଁ ତାହା ପ୍ରତି କେବଳ କୃତଜ୍ଞ ହିଁ ରହିବି, ଇଚ୍ଛା କରିଥିଲେ ସେହି ଘର ମୋତେ ଗାତରେ ପୂରାଇ ରଖିବାର ଚକ୍ରାନ୍ତ ମଧ୍ୟ କରି ପାରିଥାନ୍ତା ।

 

୩ । ୩ । ୮୪

 

ଜଣେ ମଣିଷର ନିନ୍ଦା ଶୁଣିବା ସମୟରେ ମୁଁ ଭାବେ, ସେହି ମଣିଷ ଭିତରେ ଅସଲ ଦୁଃଖୀଟି ଯେଉଁଠାରେ ଯାଇ ଲୁଚି ରହିଥିବ, ମୁଁ ତା’ ଭିତରେ ସେଯାଏ ପ୍ରବେଶ କରି ପାରନ୍ତି କି ।

 

ଆମେ ଅଧିକାଂଶ ମଣିଷ ବାହାରେ ହିଁ ପରସ୍ପର ସହିତ ଧକ୍‌କା ବାଜିବାରେ ଲାଗିଥାଉ-। ଭିତରକୁ ଯିବା ସକାଶେ ଆମ ଅଧିକାଂଶଙ୍କର ପ୍ରାୟ କୌଣସି ଧୈର୍ଯ୍ୟ ନଥାଏ । ଧୈର୍ଯ୍ୟ ରହିଥିଲେ ହିଁ ସହାନୁଭୂତି ସମ୍ଭବ ହୁଏ । ଆପଣା ଭିତରକୁ ପ୍ରବେଶ କରିବା ବିଷୟରେ ଆମ ନିଜର କୌଣସି ଗ୍ଳାନିବୋଧ ରହିଥିଲେ ହୁଏତ ଆମେ ଅନ୍ୟ ଭିତରକୁ ପ୍ରବେଶ କରିବାର ସହାନୁଭୂତିଟିକୁ ରଖି ପାରୁନାହିଁ । ନିଜ ଭିତରକୁ ପଶି ନିଜକୁ ସତକୁ ସତ ଅର୍ଥାତ୍ ସମଗ୍ର ଭାବରେ ଛୁଇଁ ପାରିବାଲାଗି ଯେଉଁ ସାହସ ଏବଂ ସହାନୁଭୂତି ଦରକାର, ଅଧିକାଂଶ ସମୟରେ ତାହା ଆମ ଅନେକଙ୍କ ଭିତରେ ନଥାଏ । ତେଣୁ, ଆମେ ନିଜକୁ ମଧ୍ୟ ଅଧିକାଂଶତଃ ଖାଲି ସେହି ବାହାରୁ ବାହାରୁ ଦେଖୁଥାଉ । ଅଥବା, ଏକ ସହଜ ଖଳତାର ବଶବର୍ତ୍ତୀ ହୋଇ ଆମେ ଆପଣା ଭିତରେ ଖାଲି ବାହାରେ ଘୋଡ଼ାଇ ହୋଇ ରହିଥିବା ଚକଚକ ଆଚ୍ଛାଦନଗୁଡ଼ାକୁ ଦେଖୁ ଓ ଅନ୍ୟର ଗାତଗୁଡ଼ାକୁ ଦେଖିବାରେ ଭାରି ଉତ୍ସାହ ଦେଖାଇଥାଉ । ଏହାଦ୍ଵାରା ସଂସାରର ସାଂସାରିକତା ଭାରି ଜମେ ସତ, ମାତ୍ର ସଂସାରରେ ଆମେ କେହି କାହାର ପ୍ରକୃତ ନିକଟବର୍ତ୍ତୀ ହୋଇ ଆସି ପାରୁନାହିଁ । ଆମର ପାରସ୍ପରିକ ସମ୍ବନ୍ଧଗୁଡ଼ାକ ମଧ୍ୟରେ ସେଥିଲାଗି ଦୟା ସମ୍ଭବ ହୁଏ ସତ, ମାତ୍ର, ଯଥାର୍ଥ ସହାନୁଭୂତି ଓ ଯଥାର୍ଥ ସ୍ପର୍ଶ ଖୁବ୍‌ବେଶୀ ସମ୍ଭବ ହୋଇ ପାରେନାହିଁ ।

 

୧୦ । ୫ । ୮୪

 

ଭକ୍ତର ପାଦ ପଡ଼ିଲେ ଅତୀର୍ଥଗୁଡ଼ାକ ତୀର୍ଥରେ ପରିଣତ ହୋଇଯାଏ । ନିର୍ମଳ ହୃଦୟଟିଏ ଖୁସୀ ହୋଇ ଦେଖିଲେ ତଥାକଥିତ ଅପବିତ୍ରଗୁଡ଼ାକ ମଧ୍ୟ ପବିତ୍ର ହୋଇଯାଏ । ଆମେ ଯେଉଁମାନେ ବାଛି ବାଛି ତୀର୍ଥସ୍ଥାନଗୁଡ଼ିକୁ ଯାଉ, ତୀର୍ଥବାସୀ ହେବାକୁ ହିଁ ସାନ୍ନିଧ୍ୟଲାଭ କରିବାର ଉପାୟ ବୋଲି କେତେ କେତେ ଆଡ଼ମ୍ବର ଏବଂ ଉତ୍ସାହରେ କହିବାରେ ଲାଗିଥାଉ, ଆମ ଯାବତୀୟ ଉତ୍ସାହର ମୂଳରେ ପ୍ରକୃତରେ କେଉଁ ଉତ୍ସାହଟିକୁ ଆବିଷ୍କାର କରିବାକୁ ପଡ଼ିବ ? ଯେଉଁ ଜାଗାଗୁଡ଼ିକ କିମ୍ବଦନ୍ତୀ ଅନୁସାରେ ପବିତ୍ର ବୋଲି ଘୋଷିତ ହୋଇଛି, ଅନେକ ମଣିଷ ବାଛି ବାଛି ସେହିସବୁ ଜାଗାକୁ ଯାଆନ୍ତି;–ସେଠାରେ ଘଡ଼ିଏ ରହିବାକୁ କେତେ ପୂଣ୍ୟର ବ୍ୟାପାର ବୋଲି ମନେ କରୁଥାନ୍ତି । ସେମାନେ ତୀର୍ଥବାସ ଓ ପବିତ୍ର–ସ୍ପର୍ଶ ଲାଗି ଯେତିକି ଲୋଭବଶ ଭାବରେ ଦଉଡ଼ନ୍ତି, ହୁଏତ ଆମର ଏହି ସଂସାରଟିକୁ ଅଧିକ ଅପବିତ୍ର କରି ରଖିବାରେ ହିଁ ତଦ୍ଦ୍ଵାରା ସାହାଯ୍ୟ ହିଁ କରୁଥାନ୍ତି ।

 

ଯଦି ଆମେ ସବାଆଗ ଭକ୍ତଟିଏ ହୋଇ ବିଭିନ୍ନ ସ୍ଥାନକୁ ଯାଉ ଥାଆନ୍ତୁ, ତେବେ ଆମେ ଯେଉଁଠାକୁ ଯାଆନ୍ତୁ, ସେହି ସ୍ଥାନଟିକୁ ଆମେ ତୀର୍ଥଜ୍ଞାନରେ ଦେଖି ପାରନ୍ତୁ, ତୀର୍ଥ ପରି ଅନୁଭବ କରି ପାରନ୍ତୁ । ଆମ ଭିତରର ଯଥାର୍ଥ ଆକୁଳତାଗୁଡ଼ିକ ଯଥାର୍ଥରେ ସ୍ପର୍ଶକ୍ଷମ ହୋଇ ପାରିଥିଲେ ଆମେ ଯାହାର ସ୍ପର୍ଶରେ ଆସନ୍ତୁ, ଆମକୁ ତାହା ପବିତ୍ର ବୋଲି ମନେ ହୁଅନ୍ତା । ସମସ୍ତ ସଂସାର ତୀର୍ଥ ପରି ଲାଗନ୍ତା, ସମସ୍ତ ଜୀବନ ତୀର୍ଥ ପରି ବଞ୍ଚି ହୁଅନ୍ତା । ଆମର ସହୃଦୟତା ହିଁ ଆମର ଯାବତୀୟ ସମ୍ବନ୍ଧକୁ ପବିତ୍ର କରି ରଖନ୍ତା । ଆମେ ଆଉ ସଂସାରରେ ତୀର୍ଥ ବାଛି ବୁଲନ୍ତେ ନାହିଁ । ସବୁଠାରେ ପ୍ରବେଶ କରି ପାରନ୍ତେ ।

 

୧୧ । ୫ । ୮୪

 

ସବୁ ମନେ ରହେନାହିଁ, ଅର୍ଥାତ୍ ଚାହିଁଲା ମାତ୍ରକେ ଭିତରୁ ମିଳି ଯାଏନାହିଁ ସତ, ମାତ୍ର ତଥାପି ସେହି ମନ ଭିତରେ ଥାଏ । ସବୁ, ସ୍ମୃତି ଓ ବିସ୍ମୃତି ସମସ୍ତେ ମିଶି ମନଟାକୁ ଠିକ୍ ଆପଣାର ମନ ପରି ଗଢ଼ିବାରେ ଲାଗିଥାନ୍ତି । ଶିଳ୍ପୀର ଷ୍ଟୁଡ଼ିଓ ଭିତରେ କେତେ କ’ଣ ଜିନିଷ ଜମା ହୋଇ ରହିଥାଏ । ସେଗୁଡ଼ିକ ମଧ୍ୟରୁ ସବୁକିଛି ମୋଟେ ସର୍ବଦା କାମରେ ଲାଗେନାହିଁ । ଅନାଇଦେଲା ବେଳକୁ ହୁଏତ ଗୁଡ଼ାଏ ଜିନିଷ ଅଦରକାରୀ ବୋଲି ବି ଲାଗେ । ତଥାପି ଥାଏ । ଏବଂ, ସମସ୍ତେ ମିଶି ଏକ ସମ୍ପୂର୍ଣ୍ଣତା ଆଣି ଦେବାରେ ଭାରି ସାହାଯ୍ୟ କରୁଥାନ୍ତି । ମୋ’ ମନକୁ ଯେତେବେଳେ ଯାହା ଆସେ, ମୁଁ ସେଗୁଡ଼ିକୁ ଗନ୍ତାଘର ଭିତରେ ନେଇ ରଖି ଦେଇଥାଏ । ଅନେକ ସମୟରେ ପାଏନାହିଁ । ତେଣୁ ଅକାରଣ ହୋଇଗଲା ପରି ଲାଗୁଥାଏ । ମାତ୍ର ତଥାପି କାରଣ ରହିଥାଏ । ଜୀବନରେ ଦୃଶ୍ୟ ଅଦୃଶ୍ୟ ଯାହାକିଛି ମୁଁ ଭେଟିଛି, ସେଥିରୁ କୌଣସିଟି ପ୍ରକୃତରେ ଅକାରଣ ହୋଇ ଯାଇଛନ୍ତି ବୋଲି ମୋ’ର ମୋଟେ ମନ ହେଉନାହିଁ ।

 

କେବଳ ମୋ’ରି ନୀତିରେ ମୁଁ ଗଢ଼ା ହୋଇନାହିଁ । ସତେଅବା ଭିତରେ ରହି ବାଟ ଦେଖାଉଥିବା ଆଉ କାହାରି ନୀତିରେ ସହଯୋଗ କରିବା, ସମ୍ମତି ଦେବା,–ତାହାହିଁ ଜୀବନ । ସମ୍ମତି ଦେଇ ପାରୁଥିଲେ ସିଏ ଭାରି ମୂର୍ତ୍ତ ଭାବରେ ଅନୁଭୂତ ହୋଇପାରେ । ମାତ୍ର, ସମ୍ମତି ନଥିଲେ, ସହଯୋଗ ନଥିଲେ, ଦର୍ଶନର ଯୁକ୍ତି ଦେଇ ତାହାକୁ ବାରବାର ଆବିଷ୍କାର କରିବାକୁ ପଡ଼େ-। ହୁଏତ ସିଏ ତଥାପି ଧରା ଦିଏନାହିଁ । ମୁଁ ସମ୍ମତି ଦେଇଛି-। ବିଶ୍ଵାସ ସହିତ ସମ୍ମତି ଦେଇଛି-। ପଣ୍ଡିତମାନେ ଏହାକୁ ହୁଏତ ଏକ ଅନ୍ଧବିଶ୍ଵାସ ବୋଲି କହିବେ । ମାତ୍ର, ଏହାରି ସକାଶେ ତ ମୁଁ ଏତେ ବାଟ ଆସିଲିଣି । ପଣ୍ଡିତମାନଙ୍କୁ କୋଉ ପଛରେ ଛାଡ଼ିଦେଇ ଆସିଲିଣି ।

 

୧୨ । ୫ । ୮୪

 

ବଞ୍ଚିବାକୁ ମନ କଲେ ଜୀବନ କେଡ଼େ ସହଜ, ମାତ୍ର ଫାଙ୍କି ଦେବାକୁ ମନ କଲେ କେତେ କଷ୍ଟ । ଜୀବନରେ ଧରା ଦେବାକୁ ଇଚ୍ଛା କଲେ ସବୁକିଛି କେଡ଼େ ସହଜ ହୋଇଯାଏ, ମାତ୍ର ଖସି ପଳାଇବାକୁ ମନ କରୁଥିଲେ କେଡ଼େ କଷ୍ଟ ହୋଇ ରହିଥାଏ । ବାରବାର ଧରା ଦେବାର ଅସଲ ପୁରସ୍କାର ସ୍ୱରୂପ ମଣିଷ ଯେ ନିଜ ଜୀବନରେ ପାହାଚକୁ ପାହାଚ ଉଠି ଚାଲି ଯାଉଥାଏ, ଅର୍ଥାତ୍ ନିଜ ଭିତରେ ପାହାଚକୁ ପାହାଚ ଆପଣା ପାଖକୁ ଲାଗି ଆସୁଥାଏ, ସେହି କଥାଟିକୁ ଅଙ୍ଗେ ନ ନିଭାଇ ଥିବା ପର୍ଯ୍ୟନ୍ତ ଆମେ ସମ୍ଭବତଃ ଫାଙ୍କି ଦେବାକୁ ମନ କରୁଥାଉ, ଖସି ପଳାଇ ଯିବାକୁ ମନ କରୁଥାଉ । ତେଣୁ, ଗଣ୍ଠିଗୁଡ଼ାକ ପକାଇ ଆପଣାର ଗୋଡ଼ଟାକୁ ବାନ୍ଧି ରଖିବାରେ ଲାଗିଥାଉ ।

 

ବଞ୍ଚିବାକୁ ମନ କରିବାର ଗୂଢ଼ତମ ଅର୍ଥ ହେଉଛି ଆପଣା ପାଖରେ ଗୋଟାସୁଦ୍ଧା ଧରା ପଡ଼ି ଗଡ଼ି ଯାଉଥିବା । ଯେତେବେଳେ ଆପଣା ଜୀବନରେ ଭିତର ଆଉ ବାହାର ମଧ୍ୟରେ ଅନ୍ତତଃ ନିଜ ପାଖରେ କୌଣସି ତଫାତ୍ ରହେନାହିଁ, ମଣିଷ ସେତିକିବେଳେ ସମ୍ପୂର୍ଣ୍ଣ ଭାବରେ ବଞ୍ଚିପାରେ, ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ସମ୍ମିଳିତ ହୋଇପାରେ । ସେତେବେଳେ ଆଉ ମୁଖାମାନେ ମୋଟେ ଭଲ ଲାଗନ୍ତିନାହିଁ । ମୁଖା ଭଲ ନଲାଗିଲେ ଆପଣାର ଜୀବନବଣିଜରେ ଆଉ ଯାହାକିଛି ଭଲ ଲାଗେ, ସେଗୁଡ଼ିକ ଗଣ୍ଠି ଫିଟାଇ ଦେବାରେ ସହାୟକ ହୁଅନ୍ତି;–ମୂଳତଃ ଏକ ଆତ୍ମୀୟତା ଓ ଏକ ଅନ୍ତର୍ଗତ ସ୍ଵୀକୃତି ଦ୍ଵାରା ଆପଣାକୁ ଆପଣା ପାଖରେ ଚିହ୍ନାଇ ଶିଖନ୍ତି । ତା’ ପରେ ବାହାରେ ମଧ୍ୟ ସବୁକିଛି ଭାରି ଆପଣାର ହୋଇ ଧରା ଦିଅନ୍ତି । ଖିଅମାନେ ଲାଗି ରହିଥାନ୍ତି । ଖିଅ ଲାଗିଥିବାରୁ ସବୁକିଛି ସହଜ ହୋଇ ରହିଥାଏ ।

 

୧୩ । ୫ । ୮୪

 

ବାହାର ଜୀବନଗୁଡ଼ାକର ଯେଉଁ ତୁଠରେ ମୁଁ ମୋଟେ ନାହିଁ, ସେହି ତୁଠଗୁଡ଼ିକର ନ୍ୟାୟବାଡ଼ି ଗୁଡ଼ିକ ଦ୍ଵାରା ମୋତେ କେହି ମାପିବାପାଇଁ ଚେଷ୍ଟା କଲେ ମୁଁ ତାହାକୁ ସତେଅବା ନିଜ ଭିତରେ ଏକ ଦାରୁଣ ବ୍ୟଥାରୂପେ ଅନୁଭବ କରେ । ମୋ’ର ବନ୍ଧୁମାନେ ମଧ୍ୟ ଯେତେବେଳେ ଦାଣ୍ଡବିବେକ ଦ୍ଵାରା ପରିଚାଳିତ ହୋଇ କେଡ଼େ ସହାନୁଭୂତି ସହିତ ସେହିକଥା କରୁଥାନ୍ତି, ସେତେବେଳେ ମୁଁ ଭାବେ, ସେମାନେ ବନ୍ଧୁଭାବରେ ମତେ କେଡ଼େ ଖଣ୍ଡିଆ କରି ନଚିହ୍ନିଲେ । ମୋ’ ଭିତରେ କେତେବେଳେ କ’ଣ ଗୋଟାଏ ସେମାନଙ୍କୁ ଭଲ ଲାଗିଥିଲା ବୋଲି ସେମାନେ ପାଖକୁ ଆସିଲେ; ମାତ୍ର, ମୁଁ ପ୍ରକୃତରେ ଯାହା, ମୁଁ ଯେଉଁ ବାଟରେ ଚାଲୁଛି, ପୃଥିବୀର ଅସଲ ଆକୁଳତାଟି ସହିତ ମୁଁ ମୋ’ ଜୀବନୋପଲବ୍‌ଧି ଗୁଡ଼ିକର ଯେଉଁ ଆକୁଳତାକୁ ମିଶାଇ ପାରିବି ବୋଲି ଅନବରତ ଚେଷ୍ଟା କରି ଆସୁଛି, ସେହି ଆକୁଳତାକୁ ସେମାନେ କମ୍ ଚିହ୍ନିଲେ ।

 

ଏହା ଅଭିଯୋଗ ନୁହେଁ । ସବୁ ମଣିଷ ସଖ୍ୟ ଚାହାନ୍ତି, ମୁଁ ମଧ୍ୟ ମୂଳତଃ ସେହି ସଖ୍ୟଟି ପାଇବାଲାଗି ମୋ’ର ବିଭିନ୍ନ ସମ୍ବନ୍ଧର ଜୀବନଟିକୁ ନାନାଭାବେ ପ୍ରସ୍ତୁତ କରୁଥାଏ । ମାତ୍ର, ଏହି ସଖ୍ୟରେ ମଧ୍ୟ ସ୍ତରଭେଦ ରହିଛି; ହୁଏତ କୁହାଯାଇ ପାରିବ ଯେ, ସେହି ସ୍ତରଭେଦ ପଛରେ ଏକ ହୃଦୟଭେଦ ମଧ୍ୟ ରହିଛି । ସବୁପ୍ରକାରର ସଖ୍ୟ ସବୁ ହୃଦୟକୁ ଆଦୌ ବିସ୍ତାର ଦେଇ ପାରେନାହିଁ । ତେଣୁ, ଦୁଃଖୀ ହୋଇ ରହିବା ହିଁ ସାର ହୁଏ । ଦୁଃଖୀ ହୋଇ ରହିବାର ଅର୍ଥ ମାନ କରିବା ଆଦୌ ନୁହେଁ । ଆପଣାକୁ ଆହୁରି ଅଧିକ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତ କରିବା, ଆହୁରି ଅଧିକ ସମ୍ପୂର୍ଣ୍ଣ ଭାବରେ ଖିଅ ଲଗାଇବାକୁ ସମର୍ଥ ହେବା, ଗୋଟିଏ କଥାରେ କହିଲେ, ଆପଣାକୁ ଅଧିକ ସମଗ୍ର ଭାବରେ ଦେବାଲାଗି ଯୋଗ୍ୟ ହେବା, ମୋ’ ଦୁଃଖ ମୋତେ ଏହିସବୁ କଥାଲାଗି ଆହୁରି ଅଧିକ ଅନ୍ତରଙ୍ଗ ଭାବରେ ଗୃହମୁଖୀ କରି ଆଣିବାରେ ସାହାଯ୍ୟ କରେ ।

 

୧୪ । ୫ । ୮୪

 

ମୁଁ ଯେତିକି ଦେଖିଛି, ସେତିକି କହିବି । ଯେତିକି ବାଟ ମୁଁ ଚାଲୁଛି, କେବଳ ସେତିକି ବାଟର ବେଭାର ବିଷୟରେ ଯାହାକିଛି କହିବି । ମୁଁ ଯେପରି ଅଧିକ ଦେଖିବାର ଯୋଗ୍ୟ ହୋଇ ପାରିବି ଓ ଅଧିକ ବାଟର ସମର୍ଥତା ଅର୍ଜନ କରି ପାରିବି, ସେଥିଲାଗି ଅଧିକ ବିଶ୍ଵାସ ଓ ଅଧିକ ଉତ୍ସର୍ଗପ୍ରସ୍ତୁତି ସହିତ ଜୀବନର ପରମବିଧାତାଙ୍କ ପାଖରେ ପ୍ରାର୍ଥନା କରୁଥିବି ସିନା, ମାତ୍ର ପରମବିଧାତାଙ୍କର ଦ୍ଵାହି ଦେଇ ମୁଁ ଏତେ ଅବଶ୍ୟ ଦେଖିବି କିମ୍ବା ଏତେ ବାଟ ଚାଲି ପାରିବି ବୋଲି କଦାପି ଦମ୍ଭ କରି କହିବିନାହିଁ ।

 

ଦମ୍ଭ କରୁଥିବା ପର୍ଯ୍ୟନ୍ତ ମୋ’ର ଅସଲ ପ୍ରେରଣାଗୁଡ଼ିକୁ ମୁଁ ନିଜ ଲାଗି ହିଁ ବ୍ୟବହାର କରିବାରେ ଲାଗିଥିବି । ଅସଲ ପ୍ରେରଣା ମୋ’ ନିଜ ଗଣ୍ଠିଗୁଡ଼ାକୁ ଆହୁରି ମୋଟା କରିବା ଉଦ୍ଦେଶ୍ୟରେ କଦାପି ମୋ’ ଭିତରକୁ ଆସି ନଥାଏ । ମୋତେ ତା’ କାମରେ ଲଗାଇବାକୁ ହିଁ ତାହା ମୋତେ ନିର୍ବାଚିତ କରି ମୋ’ ପାଖକୁ ଆସିଥାଏ । ମୁଁ କାମରେ ଲାଗୁଛି ବୋଲି କେତେ ଭ୍ରମ କରୁଥାଏ, ମାତ୍ର ପ୍ରକୃତରେ ଆପଣାର କାମଗୁଡ଼ାକୁ ହିଁ ଅସଲ ବୋଝ ଓ ଅସଲ ଅଭିପ୍ରାୟ ରୂପେ ମୁଣ୍ଡାଇ ଧରିଥାଏ । ମୁଁ ଆପଣାକୁ ବଡ଼ ଭକ୍ତ ବୋଲି ଦେଖାଇ ହୁଏ, ବଡ଼ କର୍ମୀ ବୋଲି ଦେଖାଇ ହୁଏ,–ଆପଣାକୁ ଯଶସ୍ଵୀ ବୋଲି ଅନୁଭବ କରେ । ଏହି ରୀତିଟି ପୁରାତନ ରୀତି । ଏହି ରୀତିକୁ ଛାଡ଼ିଲେ ଯାଇ ଆମେ ହୁଏତ ନୂତନର ସଂସ୍ଥାପନାରେ ଯଥାର୍ଥରେ କୌଣସି ସାହାଯ୍ୟ କରିବାଲାଗି ସମର୍ଥ ହୋଇଥାଉ । ତା’ ନହେଲେ କଥାର କୁଢ଼ ଭିତରେ ସଂସାରଟାକୁ ପୋତି ପକାଇବାର ଉତ୍ସାହରେ କେବଳ ନିଜକୁ ହିଁ ପୋତିକରି ରଖିଥାଉ । ନିଜର ଗୋଡ଼ରେ ପଥର ବାନ୍ଧି ରଖିଥାଉ ।

 

୧୫ । ୫ । ୮୪

 

ଜଣେ ଜଣେ ମଣିଷ ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ଵାସ କରନ୍ତି ଯେ, ସେଇମାନେ ଅଛନ୍ତି ବୋଲି ଅମୁକ ବା ସମୁକ କାମଟା ହେଉଛି । ସତେଯେପରି ସେହି କାମଗୁଡ଼ିକ ସମ୍ପାଦିତ ହୋଇପାରିବ ବୋଲି ସ୍ଵୟଂ ଭଗବାନ ସେମାନଙ୍କ ଲାଗି ଅପେକ୍ଷା ରଖିଛନ୍ତି, ସେହିମାନଙ୍କ ଉପରେ ଭରସା ରଖିଛନ୍ତି ।

 

ଭଗବାନଙ୍କ ଉପରେ ବିଶ୍ଵାସ ନ କରୁଥିବାରୁ ଯେ ଏହି ଲୋକମାନେ ଏଭଳି ଘୋଷଣା କରିଥାନ୍ତି ଓ ଆପଣାକୁ ପ୍ରକୃତରେ ଅପରିହାର୍ଯ୍ୟ ବୋଲି ପ୍ରଦର୍ଶିତ କରିଥାନ୍ତି, ସେକଥା ଆଦୌ ନୁହେଁ । ଏମାନେ ଭଗବାନଙ୍କୁ ବିଶ୍ଵାସ କରନ୍ତି ସତ, ମାତ୍ର ସିଏ ଯେ ସେହିମାନଙ୍କୁ ନିମିତ୍ତରୂପେ ବ୍ୟବହାର କରି ଓ ସେହିମାନଙ୍କର ଭିତରେ ରହି ସବୁକିଛି କରାଉଛନ୍ତି, ସେମାନେ ସେହି କଥାଟିକୁ ହୁଏତ ଅନୁଭବ କରି ପାରନ୍ତିନାହିଁ । ନିଜ ଭିତରେ ରହି ଯିଏ ସବୁ କରାଉଛି, ତାହାକୁ ଅନୁଭବ କରି ପାରିଲେ ମଣିଷ ଶକ୍ତିମାନ ହୁଏ, ମାତ୍ର ଅହଙ୍କାରୀ କଦାପି ହୁଏନାହିଁ । ଅହଙ୍କାରୀ ହେଲେ ଅପଶକ୍ତିଗୁଡ଼ାକ ବଢ଼େ, ଅସଲ ଶକ୍ତି ହ୍ରାସ ହୋଇ ଯାଉଥାଏ । ଏକ ଯଥାର୍ଥ ନିମିତ୍ତ ହୋଇ ବ୍ୟବହୃତ ହେବାର ଆନନ୍ଦ ମଧ୍ୟ ହାତଛଡ଼ା ହୋଇଯାଏ । ଏହି ଉଗ୍ର ମଣିଷମାନେ ଭଗବାନଙ୍କୁ ଡାକିଲାବେଳେ ସେମାନଙ୍କୁ ସତେଅବା ଅଲଗା କରି କିଛି ଶକ୍ତି ଦେବାଲାଗି ପ୍ରାର୍ଥନା କରିଥାନ୍ତି । ଯାହା ଅନ୍ୟମାନେ ହୋଇନାହାନ୍ତି, ସେହିପରି କିଛି ହେବାଲାଗି ଅତ୍ୟନ୍ତ ଦୀନତାର ସହିତ ଦଇନି କରିବାରେ ଲାଗିଥାନ୍ତି । ସେମାନେ ଅଧିକ ଦର୍ପର ପ୍ରଦର୍ଶନ କରନ୍ତି ଓ ଜକଜକ ଦିଶୁଛନ୍ତି ସତ, ମାତ୍ର ଅସଲ ଗୌରବର ଅଧିକାରୀ ହୋଇ ପାରନ୍ତିନାହିଁ । ଅସଲ ଉତ୍ତରାଧିକାରୀର ଭାଜନ ହୁଅନ୍ତିନାହିଁ ।

 

୧୬ । ୫ । ୮୪

 

ମୂର୍ତ୍ତି ଗୁଡ଼ାକ ପୁରୁଣା ହୋଇଯାଏ । ତଥାପି ମର୍ମଟି ମନେ ରହିଥାଏ । ଅଙ୍ଗେ ନିଭାଇଥିବା ରତ୍ନଟିଏ ପରି ଅନ୍ତର ଭିତରେ ସାଇତା ହୋଇ ରହିଥାଏ । ପ୍ରତୀକଗୁଡ଼ାକ ବି ପୁରୁଣା ହୋଇଯାଏ । ତଥାପି ପ୍ରେରଣା ରହିଥାଏ । ଅସଲ ପ୍ରେରଣା କେବେହେଲେ ବୃଦ୍ଧ ହୋଇ ଯାଏନାହିଁ । ଏବଂ, ନାନା ପ୍ରତୀକ ଓ ନାନା ମୂର୍ତ୍ତିକୁ ଛାଡ଼ି ଆସିବାର ଏବଂ ଗ୍ରହଣ କରିବାର ଏହି ପ୍ରକ୍ରିୟାଟି ମଧ୍ୟରେ ଜୀବନର ବୃତ୍ତଟି ସଂପ୍ରସାରିତ ହେବାରେ ଲାଗିଥାଏ, ତେଣୁ କାହାକୁ ଛାଡ଼ି ଆସିଲି ବୋଲି ମୋଟେ ମନେ ହୁଏନାହିଁ । ସେଥିଲାଗି ଦୁଃଖ ହେବା ତ ଆହୁରି ଦୂରର କଥା ।

 

ମେ’ ମାସର ଷୋଳ ତାରିଖ ମୋ’ ଜୀବନରେ ଏହିପରି ଗୋଟିଏ ଦିନ । ଗୋଟିଏ ପ୍ରତୀକାତ୍ମକ ଦିନ । ଆପଣାକୁ ଯଥାର୍ଥ ଭାବରେ ଭେଟିଥିବାର ଓ ଯଥାର୍ଥ ଭାବରେ ଦେଇ ପାରିଥିବାର ଗୋଟିଏ ଦିନ । କେବଳ ପଛକୁ ଅନାଇଲେ ଯେ ୪୨ ବର୍ଷ ପୂର୍ବର ସେହି ଦିନଟି ଦେଖାଯାଏ, ସେକଥା ଆଦୌ ନୁହେଁ । ଆଗକୁ ଅନାଇଲେ ମଧ୍ୟ ମୁଁ ସେହି ଦିନଟିକୁ ସ୍ପଷ୍ଟ ଭାବରେ ଦେଖିବାକୁ ପାଏ । ମୋ’ର ନିଜ ଅନ୍ତର ଭିତରେ ଦେଖିବାକୁ ପାଏ । ଆପଣାର ବୃତ୍ତଟିକୁ ସତତ ବଢ଼ାଇବାରେ ଲାଗିଥିଲେ ଯେ ମଣିଷ ସତକୁ ସତ ବଞ୍ଚିପାରେ ଓ ସତତ ପରିପୂର୍ଣ୍ଣ ହେଉଥିବା ପରି ଅନୁଭବ କରିପାରେ, ଜୀବନରେ ଏହି ମୂଳଭୂତ ଉପଲବ୍‌ଧିଟି ଲାଗି ଏହି ଦିନଟିର ଏକ ମହନୀୟ, ଅତିବ୍ୟକ୍ତିଗତ ଏବଂ ଅନ୍ତରଙ୍ଗ ଅବଦାନ ରହିଛି । ସେହି ଦିନଟି ପ୍ରତି ମୁଁ ଜୀବନଯାକ କୃତଜ୍ଞ ରହିଛି-। ଯାହାକୁ ମୂର୍ତ୍ତିରୂପେ ଥାପି ମୁଁ ଏହି ଦିନଟିକୁ ଗମି ପାରିଥିଲି, ତାହା ପାଖରେ ମଧ୍ୟ ସର୍ବଦା କୃତଜ୍ଞ ରହିଥିବି ।

 

୧୭ । ୫ । ୮୪

 

ବାହାରଗୁଡ଼ାକୁ ବଦଳାଇବାର ଧୂମ୍‌ରେ ମଣିଷମାନେ ଯେତେବେଳେ ନିଜ ଭିତରେ ଅଟକି ଯାଇଥାନ୍ତି, ସେତିକିବେଳେ ମଣିଷର ଅସଲ ପ୍ରତିଷ୍ଠାର କ୍ଷେତ୍ରରେ ଯାବତୀୟ ହାନିର ସମ୍ମୁଖୀନ ହେବାକୁ ପଡ଼େ । ଆମ ଦେଉଳ ଓ ଦେଉଳଗୁଡ଼ାକୁ ନେଇ ଲାଗିଥିବା ଆଡ଼ମ୍ବରଗୁଡ଼ାକୁ ଅନାଇ ଦେଖିଲେ ଏହି ହାନିଟା ହିଁ ପ୍ରଧାନତମ ହୋଇ ଦୃଷ୍ଟିଗୋଚର ହୋଇଥାଏ ।

 

ଭିତରେ ବାଟ ଚାଲୁଥିବା ମଣିଷ ବାହାରଟାକୁ ହୁଏତ ସହିଯାଏ ସତ, ମାତ୍ର ସେଗୁଡ଼ାକ ଉପରେ କଦାପି ନିର୍ଭର କରି ରହିବାକୁ ମନ କରେନାହିଁ । ସିଏ ଆପଣାର ବାଟ ଚାଲିବାଲାଗି ସେହି ବାଟ ଚାଲିବା ଉପରେ ହିଁ ନିର୍ଭର କରେ । ସକଳ ବାଟ ଚାଲିବା ପଛରେ ଯେଉଁ ମୂଳଭୂତ ସମ୍ମତି ରହିଛି, ସିଏ ତାହାରି ଉପରେ ନିର୍ଭର କରେ । ସେହି ସମ୍ମତିକୁ ହିଁ ସେତୁ ବୋଲି ଜାଣେ । ନିଜ ଭିତରେ ସିଏ ଏହି ସମ୍ମତିର ସୋପାନଗୁଡ଼ିକୁ ଅତିକ୍ରମ କରିବାରେ ଲାଗିଥାଏ ଏବଂ ନିକଟବର୍ତ୍ତୀ ହେଉଥାଏ । ବାହାର ଉପରେ ଅତିରିକ୍ତ ନିର୍ଭର କରୁଥିବା ମଣିଷ ଗୁଡ଼ାଏ କହେ, ଗୁଡ଼ାଏ କାବ୍ୟିକତାର ଅବତାରଣା କରେ,–ବାହ୍ୟ ନାନାବିଧ ଅବତାରଣାକୁ ସିଏ ଭାରି ବାଗରେ ନିଜର ସଂସ୍କୃତି ବୋଲି କହେ ଏବଂ ସେହି ସଂସ୍କୃତିକୁ ତା’ର ପରମ ସମ୍ପଦ ବୋଲି ଘୋଷଣା କରେ ସତ, ମାତ୍ର, ତଥାପି ତା’ର ଯାବତୀୟ ହେବା ଓ ଯାବତୀୟ ଦେବାର ପରମା ସମ୍ପଦଟି ଭାରି ଅବର୍ଜିଆ ଭାବରେ ଉପେକ୍ଷିତ ହୋଇ ରହିଥାଏ । ଏହି ଉପେକ୍ଷା ତାକୁ ଭିତରେ ଯେତିକି ଦୁଃଖୀ କରି ରଖିଥାଏ, ବାହାରେ ଠିକ୍ ସେତିକି ଉଗ୍ର ହେବାରେ ସାହାଯ୍ୟ ମଧ୍ୟ କରୁଥାଏ ।

 

୧୮ । ୫ । ୮୪

 

ଦେହଟା ନିଜର ହୋଇଥିଲେ ମଧ୍ୟ ବେଳେବେଳେ ତାହା ଏପରି ରୁଷି ବସିଥାଏ ଯେ, ତା’ ଭିତରକୁ ଆଦୌ ପଶି ବି ହୁଏନାହିଁ । ସେଇଟା ନିଜର ଦେହ ହୋଇଥିଲେ ମଧ୍ୟ ତାହା ଅତ୍ୟନ୍ତ ଭାରି ଭାରି ଲାଗେ, ମୋଟେ ସାଙ୍ଗରେ ନଥାଏ । ସତେଅବା ପ୍ରତିବାଦ କରୁଥିବା ପରି ସାଙ୍ଗରେ ନଥାଏ । ସ୍ଵାଭାବିକ ଜୀବନଗତିରେ ଦେହ ସବୁବେଳେ ସାଙ୍ଗରେ ରହିଥିବା କଥା । ମାତ୍ର, ଅନେକ ସମୟରେ ଆମେ ତାହା କରି ପାରୁନାହିଁ । ଦେହର ସମ୍ମତି ଅର୍ଥାତ୍ ଅନୁମତି ନନେଇ ଆମେ ତାକୁ ନାନାଭଳି କାର୍ଯ୍ୟରେ ବ୍ୟବହାର କରୁ । ଦେହ ସହିତ ରହିଥିବା ଆମର ସମଗ୍ର ସମ୍ବନ୍ଧଟିର କ୍ଷେତ୍ରରେ କେତେ ନା କେତେ ଉପଦ୍ରବ କରୁ, ଦେହ ମଝିରେ ମଝିରେ ତାହାରି ବିରୁଦ୍ଧରେ ପ୍ରତିବାଦ କରେ ଏବଂ ସାଙ୍ଗରେ ନଥିବା ପରି ପ୍ରତ୍ୟୟ ଦିଏ । ଅର୍ଥାତ୍ ଆମେ ଲୋଡ଼ିଥିଲେ ଯେ ସିଏ ପ୍ରକୃତରେ ସାଙ୍ଗରେ ଥାଆନ୍ତା ।, ହାଲୁକା ହୋଇ ଥାଆନ୍ତା, ସହଚାରୀ ପରି ରହିଥାନ୍ତା, ଆମକୁ ସିଏ ସେହି କଥାଟିକୁ ଭାରି ମନେ ପକାଇଦିଏ । ପୁନର୍ବାର ତା’ରି ପାଖକୁ ଫେରାଇ ଆଣେ ।

 

ଅର୍ଥାତ୍, ପୁନର୍ବାର ତାହାରି ପାଖକୁ ଫେରିଯିବାକୁ ହୁଏ । ଆମର ଏହି ସମଗ୍ର ବିଚରଣ ଏବଂ ସମଗ୍ର ଆକାଂକ୍ଷାଜଗତ ମଧ୍ୟରେ ତାକୁ ପୂର୍ଣ୍ଣ ସ୍ଵୀକୃତି ଦେବାକୁ ହୁଏ । ଦେହକୁ ସାଙ୍ଗ କରି ନେଇଥିଲେ ଦେହ ସବୁଠାରୁ ଅଧିକ କାମ ଦିଏ । ଫୁଲଟିଏ ପରି ଲାଗେ,–କୋଉଥିରେ ବି ଅମଙ୍ଗ ହୁଏନାହିଁ । ଆମର ସମଗ୍ର ଅସ୍ତିତ୍ଵଟି କୃତଜ୍ଞତାର ହିଁ ଏକ ସତତ ଏହି ଆକାଂକ୍ଷାରେ ପରିଣତ ହୋଇ ରହିଥିବାର ଆନନ୍ଦ ମଧ୍ୟରେ ଦେହ ମଧ୍ୟ ଅତ୍ୟନ୍ତ ସମ୍ମତ ଅଥଚ ଅତ୍ୟନ୍ତ ସଚେତ ଭାବରେ ଆମର ସାଙ୍ଗେ ସାଙ୍ଗେ ରହିଥାଏ ।

 

୧୯ । ୫ । ୮୪

 

ଲକ୍ଷ୍ୟସ୍ଥଳ ମୋଟେ ଚୂଡ଼ାନ୍ତ ହୋଇ ଦେଖା ଯାଉନାହିଁ । ମାତ୍ର ପଥ ଅତ୍ୟନ୍ତ ସ୍ପଷ୍ଟ ହୋଇ ଦିଶିଯାଉଛି । ପଥ ଚାଲିବାକୁ ଚାହିଁବା ମାତ୍ରକେ ପଥ ଦିଶିଯାଉଛି । ବାଟ ଚାଲୁଥିବା ସମୟରେ ଆଗକୁ ଆକର୍ଷଣ କରି ନେଉଥିବା ଯେଉଁ ଲକ୍ଷ୍ୟଟି ଅନୁଭୂତ ହେଉଛି, ତାହା ସତତ ସମ୍ପ୍ରସାରିତ ହେବାରେ ଲାଗିଛି । ବ୍ୟାକୁଳତାର ବୃତ୍ତଗୁଡ଼ିକ ସମ୍ପ୍ରସାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଲକ୍ଷ୍ୟର ବୃତ୍ତଟି ମଧ୍ୟ ସମ୍ପ୍ରସାରିତ ହୋଇଯାଉଛି । ଏବଂ, ସବୁଠାରୁ ମଜାର କଥା ହେଉଛି, ଲକ୍ଷ୍ୟ ସମ୍ପ୍ରସାରିତ ହେଉଥିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ଅନୁଭବ ହେଉଛି । ଅସଲ କଥା ହେଉଛି, ଲକ୍ଷ୍ୟ ଘୁଞ୍ଚି ଘୁଞ୍ଚି ଯାଉନାହିଁ; ଲକ୍ଷ୍ୟ ସମ୍ପ୍ରସାରିତ ହୋଇଯାଉଛି । ନିକଟବର୍ତ୍ତୀ ହେବାକୁ କ’ଣ ମୂଳତଃ ଏହି ସଂପ୍ରସାରିତ ହେବ ବୋଲି କୁହାଯାଇ ପାରିବ କି ?

 

ନିକଟବର୍ତ୍ତୀ ହେଉଥିଲେ ମଧ୍ୟ ବାଟ ସରି ଯାଏନାହିଁ । ନିକଟବର୍ତ୍ତୀ ହେବାର ଅର୍ଥ ହେଉଛି; ଆପଣାର ଏହି ବାଟଟିକୁ ଆହୁରି ଅଧିକ ନିବିଡ଼ ଭାବରେ ଚାଲିବା; ବାଟ ଯେ କେବେ ସରି ଯିବନାହିଁ, ଏହି ବ୍ୟାକୁଳତା ଯେ କେବେ ସରି ଯିବନାହିଁ, ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ ସେହି ଅନୁଭବଟି ମଧ୍ୟ ଅଧିକ ଅନ୍ତରଙ୍ଗ ହେବାରେ ଲାଗିଛି । ଆଉ କିଛିହେଲେ ମାଗିବାକୁ ମନ ହେଉନାହିଁ । ଚୂଡ଼ାନ୍ତ ଭାବରେ କୋଉଠି ପହଞ୍ଚିଯାଇ ଅଟକି ଯିବାକୁ ବି ମନ ହେଉନାହିଁ । ସତତ ପହଞ୍ଚୁଥିବାର ଅନୁଭବ ହେଉଥିଲେ ଯାହା ହୁଏ, ଇଏ ଠିକ୍ ସେହିପରି କଥା ।

 

୩ । ୬ । ୮୪

 

ଭିତରେ ବେଳେବେଳେ ଛପି ରହିଥିବା ବାଦୁଆ ବୁଢ଼ାଟି ସତେଅବା ଭାରି କଟାଳ କରି ବାହାରକୁ ବାହାରି ଆସୁଛି ଏବଂ ତାହାକୁ ହିଁ ସବୁଠାରେ ସର୍ବପ୍ରଥମ ସ୍ଵୀକୃତି ଅବଶ୍ୟ ମିଳୁ ବୋଲି ଦାବୀ କରୁଛି; ମୁଁ ସେତିକିବେଳେ ନିଜ ଭିତରର ପିଲାଟିକୁ ତଥାପି ପୁରୋଭାଗରେ ରଖିବାକୁ ହିଁ ଏହାର ଏକମାତ୍ର ପ୍ରତିକାରରୂପେ ଗ୍ରହଣ କରି ନେଉଛି ।

 

ଅନ୍ୟମାନଙ୍କ ଭିତରେ ମଧ୍ୟ କେତେ ବୁଢ଼ା ଓ କେତେ ବାଦୁଆ ଲୁଚି ରହିଥାନ୍ତି ଏବଂ କେତେ ଆନନ୍ଦରେ ବାହାରକୁ ଆସିବାଲାଗି ଚେଷ୍ଟା କରୁଥାନ୍ତି । ସେମାନେ କେତେ ଉପଦ୍ରବ କରନ୍ତି । ପରିଚୟଗୁଡ଼ାକୁ ଭାରି ବିକୃତ କରି ରଖିବା ସକାଶେ ନାନା ଚକ୍ରାନ୍ତ କରନ୍ତି,–ମଣିଷ ମଣିଷ ଭିତରେ ଥିବା ଅସଲ ସମ୍ପର୍କ ଗୁଡ଼ାକୁ ସତେଅବା ଏକାବେଳେକେ ଭୁରୁଡ଼ାଇ ରଖିବାକୁ ହୋଇ ଇଚ୍ଛା କରୁଥାନ୍ତି । ମୁଁ ସେତେବେଳେ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ରହିଥିବା ପିଲାଟିକୁ ଛୁଇଁ ପାରିବାଲାଗି ଯାବତୀୟ ପ୍ରକାରେ ଉଦ୍ୟମ କରୁଥାଏ । ଅନେକ ପ୍ରକାରେ ବୁଢ଼ା ହେବାରୁ ଏବଂ ବୁଢ଼ା ଦେଖିବାରୁ ନିଜକୁ ବଞ୍ଚାଇ ରଖେ । ଆପଣାକୁ କେତେ କେତେ ଗ୍ରାସରୁ ବଞ୍ଚାଇ ରଖେ । ସବୁଆଡ଼େ ବାଦୁଆ ବୁଢ଼ାମାନେ ସଂସାରଟାକୁ ମନ୍ଦ ବୋଲି ପ୍ରମାଣ କରି ଦେବାପାଇଁ ପ୍ରାୟ ଏକ ଶାସ୍ତ୍ରୀୟ ଚକ୍ରନ୍ୟାୟରେ ଭାରି ସକ୍ରିୟ ହୋଇ ରହି ଥିବାବେଳେ ତଥାପି ପୂରା ଆଖିରେ ଦେଖିବାକୁ ଓ ପୂରା ଆଖିରେ ସ୍ଵୀକାର କରିନେବାକୁ ନିଜ ଭିତରର ତଥା ଅନ୍ୟମାନଙ୍କ ଭିତରର ପିଲାଟି ଉପରେ ନିର୍ଭର କରିବା ବ୍ୟତୀତ ସମ୍ଭବତଃ ଅନ୍ୟ କୌଣସି ଉପାୟ ନାହିଁ ।

 

୪ । ୬ । ୮୪

 

ପ୍ରକୃତିଠାରୁ ନେବାକୁ ହୁଏ, ପ୍ରକୃତି ପାଖରେ ଦେବାକୁ ବି ହୁଏ । ଦେବା ଓ ନେବାର ଏହି ପ୍ରକ୍ରିୟାଟି ଅତ୍ୟନ୍ତ ସ୍ଵାଭାବିକ ଭାବରେ ଚାଲିଥାଏ–ସମ୍ବନ୍ଧର କ୍ଷେତ୍ରରେ ପ୍ରାୟ ଏକ ଧର୍ମ ହୋଇ ରହିଥାଏ । ଫୁଲର ମହକ, ପବନର ମୃଦୁ ଆତ୍ମୀୟତା, ବହି ଯାଉଥିବା ନଦୀର ପୁଲକଦାୟକ ବେଗ,–ଏଗୁଡ଼ିକ ନିଜଭିତରେ କେତେ ଶକ୍ତି ଭରିଦେଇ ଯାଉଥାଏ; ଅର୍ଥାତ୍, ଏସବୁ ଯେ ମୋତେ ଘେରି କରି ରହିଛନ୍ତି, ମୋ’ରି ସହିତ ଅଛନ୍ତି, ସେଥିରୁ ନିଜକୁ କେତେ ଭରସା ମିଳେ–ସେହି ଭରସା ଭିତରୁ କେତେ ବେଗ ଓ ଆନନ୍ଦ ମଧ୍ୟ ମିଳେ । ବେଳେ ବେଳେ ଭୋକମାନେ ଥଳ ପାଇଯାଆନ୍ତି,–ଭୋକିଲା ପେଟଗୁଡ଼ାକ ଭରି ଯାଉଥିବା ପରି ବୋଧ ହେଉଥାନ୍ତି । ଭିତରେ ସତେଅବା ସରି ଆସୁଥିବା ଅନେକ କୋଷ ପୁନର୍ବାର ଭରି ଆସୁଥିବା ପରି ମନେ ହୁଅନ୍ତି । ମୁଁ ଆଉ ଏହି ପ୍ରକୃତି, ଆମେ ଯେ ଗୋଟିଏ ଉପାଦାନରେ ଗଢ଼ା, ଓ ତେଣୁ ପରସ୍ପରକୁ ଅନ୍ତରଙ୍ଗ ଭାବେ ଅନୁଭବ କରିବା ଦ୍ଵାରା ହିଁ ଯେ ପରସ୍ପରକୁ ଚିହ୍ନିବାଲାଗି ଏଠାରେ ପରସ୍ପରର ଏତେ ପାଖାପାଖି ହୋଇ ରହିଛୁ, ଏହି ବୋଧ ଜୀବନକୁ ପୁଷ୍ଟ ଓ ବଳିଷ୍ଠ କରିବାରେ ଲାଗିଥାଏ ।

 

ତେଣୁ, ଦେବାକୁ ବି ହୁଏ । ଦେଇପାରିଲେ ନେଇ ପାରୁଥିବା ପରି ଲାଗେ । ଦେବାର ଯୋଗ୍ୟ ହୋଇପାରିଲେ ନେବାର ଅଧିକାର ଭାରି ସ୍ଵାଭାବିକ ହୋଇଯାଏ । ତେଣୁ ଆଦୌ କୌଣସି କୃଚ୍ଛ ତପସ୍ୟା କରିବାକୁ ପଡ଼େନାହିଁ ! ସମ୍ଭବତଃ, ସଙ୍ଗଲାଭର ଯାବତୀୟ ତପସ୍ୟା ସର୍ବଦା ପ୍ରାୟ ଏହିପରି । ନିଜକୁ ସହଜରେ ଦେଇହୁଏ, ତେଣୁ ନିଜ ପାଇଁ ଭାରି ସହଜରେ ନେଇହୁଏ । ସେଇଥିରୁ ପୋଷଣ ମିଳେ । କ୍ଳାନ୍ତି ଲାଗି କୌଣସି ଅବକାଶ ନଥାଏ ।

 

୨୫ । ୬ । ୮୪

 

ଦିଲ୍ଲୀ ଆସିଲେ ମୋ’ର ଚେତନା ମାନ୍ଦ୍ରାଜ ଓ ତିରୁଅନନ୍ତପୁରମ୍ ପର୍ଯ୍ୟନ୍ତ ଲମ୍ବିଯାଏ । କନ୍ୟାକୁମାରୀଠାରେ ହିମାଳୟ ଦୃଷ୍ଟିଗୋଚର ହୁଏ । ଇଏ କ’ଣ ଏପରି ଏକ ଦେଶ, ଯାହାକି ଏହିପରି ଭାବରେ ଦୁଇ ସମୁଦ୍ର, ଦକ୍ଷିଣର ଅନ୍ତରୀପ ଓ ଉତ୍ତରର ପର୍ବତଶ୍ରେଣୀ ଦ୍ଵାରା ଆୟତନନିର୍ଦ୍ଦିଷ୍ଟ ହୋଇ ରହିଛି ? ଅଧିକ ଅନ୍ତରଙ୍ଗ ହୋଇ ଏହି ଭୂମିଟି ଆଡ଼କୁ ଅଥଚ ଏହି ଭୂମିଟି ଉପରେ ଛିଡ଼ାହୋଇ ଦୃଷ୍ଟିପାତ କଲାବେଳେ ଏହି ପାହାଡ଼, ସମୁଦ୍ର ଓ ସୀମାଗୁଡ଼ାକର ବାଡ଼ ସତେଅବା କୁଆଡ଼େ ଭାଙ୍ଗି ଭାଙ୍ଗି ଯାଏ । ଅଧିକାର କରି ରହିଥିବା କିମ୍ବା ଅଧିକୃତ ହୋଇ ରହିବାର ସକଳ ଧନ୍ଦା ଅଳୀକ କରି ଅନୁଭୂତ ହୁଏ । ସେତେବେଳେ ନିଜର ଅନ୍ତର ଭିତରେ ମଧ୍ୟ ଭୂମିଟିକୁ ଅନୁଭବ କରିହୁଏ, ଅର୍ଥାତ୍ ଭୂମିଟିକୁ ଛୁଇଁ ହୁଏ ।

 

ଅନ୍ତର ଭିତରେ ଛୁଇଁ ପାରିଲେ ଯାଇ ବାଡ଼ଗୁଡ଼ାକୁ ନେଇ କରା ଯାଇଥିବା ଯାବତୀୟ ଭାବନାକୁ ଅତିକ୍ରମ କରିହୁଏ, ଅଧିକାର କରି ରହିଥିବାର ଯାବତୀୟ ସମ୍ପତ୍ତିଭାବନାରୁ ମୁକ୍ତି ମିଳେ । ମୁଁ ଯେଉଁ ଭୂମିଟି ଉପରେ ଛିଡ଼ା ହୋଇଛି, ଯାହାକୁ ନିଜର ଦେଶ ବୋଲି ମୁଁ କହୁଛି, ସେଇଟିକୁ ଆଦୌ ଛାଡ଼ି ଆଉ କୁଆଡ଼େ ବାହାରି ଯିବାକୁ ପଡ଼େନାହିଁ, ମାତ୍ର ଏହି ଭୂମିର ଅନ୍ତରଙ୍ଗ ଗଭୀର ମଧ୍ୟରେ ସତେଅବା ସକଳ ଭୂମିର ପରିଚୟ ମିଳେ, ସମଗ୍ର ଭୂମିଟି ମଧ୍ୟରେ ଆପଣାର ଏହି ଭୂମିଟିକୁ ଚାହିଁ ଦେଖୁଥିବା ସମୟରେ ଏହି ଭୂମିଟି ବିଷୟରେ ରହିଥିବା ମୋର ଗୌରବାନୁଭୂତି ସତେଅବା ମୋ’ର ଗଭୀରତମ ନାଡ଼ଗୁଡ଼ାକ ଭିତରୁ ମୋତେ ମୋ’ ମୁଣ୍ଡ ଉପରେ ଆକାଶ ପର୍ଯ୍ୟନ୍ତ ପ୍ରସାରିତ କରି ରଖିଥାଏ । ଏବଂ, କୃତଜ୍ଞତା ପ୍ରକାଶ କରିବା ବ୍ୟତୀତ ସେତେବେଳେ ଭୂମିଟି ପ୍ରତି ସତେଅବା ଆଉକୌଣସି କର୍ତ୍ତବ୍ୟ ହିଁ ନଥାଏ ।

 

୨୬ । ୬ । ୮୪

 

ଯିଏ ମୋତେ ଅଧିକାର ଦେଇଛି, ସେଇ ମୋତେ ଯୋଗ୍ୟ କରି ନେଉଛି । କୌଣସି ଯୋଗ୍ୟତା ହାସଲ କରିନେବା ପରେ ମୁଁ ଆପଣାକୁ ଅଧିକାରୀ ବୋଲି ଅନୁଭବ କରେ ବା ଅଧିକାରୀ ହୋଇ ପାରିବାରୁ ହିଁ ଯୋଗ୍ୟତା ହାସଲ କରିବାର ବି ଯୋଗ୍ୟ ହୁଏ, ମୁଁ ସେକଥା ପରଖି କରି ମୋଟେ କହି ପାରିବିନାହିଁ । ଅଧିକରୁ ଅଧିକ ଅଧିକାରୀ ହୋଇପାରିବାର ଅର୍ଥ ହେଉଛି ଅଧିକରୁ ଅଧିକ ନିକଟକୁ ଆସିବାର ଯୋଗ୍ୟ ହେବା । ନିଜକୁ ଅଧିକରୁ ଅଧିକ ଯୋଗ୍ୟ ଭାବରେ ନିୟୋଜିତ କରି ପାରିବାରୁ ହିଁ ଭିତରେ ଯୋଗ୍ୟତା ହାସଲ କରିଥିବାର ଯଥାର୍ଥ ଅନୁଭୂତିଟି ମିଳିଯାଏ । ନିୟୋଜିତ ହେଲାବେଳେ ଆଦୌ କୌଣସି ବୁଦ୍ଧିଗତ ଔଚିତ୍ୟଭାବନା ନଥାଏ । ଆପଣାକୁ ଗୋଟାସୁଦ୍ଧା ଖୁସୀ ହୋଇ ନିୟୋଜିତ କରିହୁଏ । ଏପରିକି, କାହାରି ଆଦେଶ ମାନି ମୁଁ ଆପଣାକୁ ନିୟୋଜିତ କରୁଛି ବୋଲି ଏତେ ଟିକିଏ ଭାବନା ମଧ୍ୟ ନଥାଏ । କାହାରି ପାଇଁ ଅଥବା କୌଣସି ଅଲବ୍‌ଧ ଫଳକୁ ଲାଭ କରିବାର ମଧ୍ୟ ଆଦୌ କୌଣସି ଭାବନା ନଥାଏ ।

 

ଏହିପରି ମୁଁ ପ୍ରତ୍ୟେକ ଦିନ ପାଖକୁ ପାଖକୁ ଆସୁଥାଏ, ନିଃଶଙ୍କ ଭାବରେ ପାଖରେ ଆସି ବସି ପାରୁଥାଏ,–ଜୀବନରେ ଏହାହିଁ ସର୍ବପ୍ରଥମ ପ୍ରାର୍ଥନା । ଏହା ହେଉଛି ସକଳ ପ୍ରାର୍ଥନାର ଅନ୍ତର ସଦୃଶ ହୋଇ ରହିଥିବା ପ୍ରାର୍ଥନା । ମୁଁ ସେହି ପ୍ରାର୍ଥନାର ଯୋଗ୍ୟ ହୋଇ ପାରିଛି, ତାହା ହିଁ ମୋ’ର ସର୍ବଶ୍ରେଷ୍ଠ ଗୌରବ, ମୋ’ର ସର୍ବଶ୍ରେଷ୍ଠ ପ୍ରେରଣା । ଏହି ପ୍ରେରଣା ହିଁ ମୋ’ ଭିତରେ ମୋତେ ପରିଚାଳିତ କରୁଥାଉ । ମୋତେ ଯୋଗ୍ୟତାରୁ ଯୁଗ୍ୟତାକୁ ପରିଚାଳିତ କରୁଥାଉ । ନିକଟରୁ ଆହୁରି ଅଧିକ ନିକଟକୁ ପରିଚାଳିତ କରି ନେଉଥାଉ ।

 

୨୭ । ୬ । ୮୪

 

ଆକାଶ ଆମ ଉପରେ, ଭୂଇଁ ହେଉଛି ଆମ ପାଦତଳେ । ପରମପୁରୁଷଙ୍କର ମସ୍ତକ କୁଆଡ଼େ ଆକାଶକୁ ସ୍ପର୍ଶ କରିଛି ଏବଂ ପାଦଯୋଡ଼ିକ ଭୂଇଁକୁ ସ୍ପର୍ଶ କରି ରହିଛି ବୋଲି ଆମ ଶାସ୍ତ୍ରରେ ଲେଖାହୋଇ ରହିଛି । ମୁଁ ଅନୁଭବ କରେ ଯେ, ତଥାକଥିତ ଉପରର ଏହି ଆକାଶ ଏବଂ ତଥାକଥିତ ତଳର ଏହି ଭୂଇଁକୁ ଏକାଠି ଯୋଡ଼ି ଗୋଟିଏ ଜୀବନର ପ୍ରତୀକରୂପେ ଆମେ ପ୍ରତ୍ୟେକ ମଝିରେ ସେତୁ ପରି ହୋଇ ରହିଛୁ ।

 

କେବଳ ଉପରକୁ ଅନାଇଲେ ଯେ, ଆକାଶ ଦେଖାଯାଏ ଏବଂ ତଳକୁ ଅନାଇଲେ ଭୂମି ଦେଖାଯାଏ, ସେକଥା ଆଦୌ ନୁହେଁ । ଭିତରକୁ ଅନାଇଲେ ମଧ୍ୟ ଆକାଶକୁ ଦେଖିହୁଏ,–ମୋ’ ଭିତରେ ରହିଥିବା କୌଣସି ଜନନୀ ଆପଣାର ଗର୍ଭରେ ଏହି ଆକାଶକୁ ଧରି ରଖିଥିବା ପରି ଅନୁଭବ ହୁଏ । ଏବଂ, ମୋ’ର ଆଗକୁ ମୋ’ ଲାଗି ଯେଉଁସବୁ ଭୂମି ଅପେକ୍ଷା କରି ରହିଛି,–ଯେଉଁସବୁ ସମ୍ଭାବନାଭୂମିକୁ ମୁଁ ଆପଣାର ପରବର୍ତ୍ତୀ ଭୂମିଗୁଡ଼ିକ ରୂପେ ଅନୁଭବ କରି ପାରୁଛି, ଅନେକ ସମୟରେ ଆକାଶକୁ ଅନାଇ ମୁଁ ସେଗୁଡ଼ିକ ଆଭାସ ଓ ଆହ୍ଵାନକୁ ଲାଭ କରିଥାଏ । ଏହି ଆକାଶ ସେତେବେଳେ ମୋ’ର ସମ୍ଭାବ୍ୟ ଭୂମିଗୁଡ଼ିକର ଦର୍ପଣ ପରି ହିଁ କାର୍ଯ୍ୟ କରିଥାଏ । ଦୁଇ ଖଣ୍ଡ ବା ଦୁଇ ଭାଗ କରି ଦେଖୁଥିବା ପର୍ଯ୍ୟନ୍ତ ଆକାଶ ଉପରେ ଦେଖା ଯାଉଥାଏ ଓ ଭୂମି ତଳେ ଦେଖା ଯାଉଥାଏ । ନିଜକୁ ଏକ ସେତୁରୂପେ ଦେଖିପାରିବା ମାତ୍ରକେ ଉପର ଓ ତଳର ଭ୍ରମ ଦୂରୀଭୂତ ହୋଇଯାଏ । ମୁଁ ଯେତେବେଳ ଯାଏ ଦୁଇଟି ସହିତ ଲାଗି କରି ରହିଛି ଓ ଦୁଇଟିଯାକ ବିଚାରଣ କରୁଛି, ସେତେବେଳ ଯାଏ ଉପର କିଏ, ପୁଣି ତଳ ବା କିଏ ?

 

୨୮ । ୬ । ୮୪

 

ଯିଏ ମୋ'ର ଅତ୍ୟନ୍ତ ଆପଣାର, ଜୀବନପ୍ରସାରଣର ଦର୍ପଣ ଉପରେ ଯିଏ ମୋ'ରି ସର୍ବୋତ୍ତମ ପରିଚୟଟିକୁ ଫୁଟାଇଚାଲିଛି; ମୁଁ ତାକୁ ମୋ'ରି ଭିତରେ ହିଁ ଆବିଷ୍କାର କରିଛି । ସିଏ ଗୋଟାସୁଦ୍ଧା ମୋ'ରି ଭିତରେ ଥିଲା ଅଥବା ବାହାରୁ ଆସି ମୋ' ଭିତରେ ମୂର୍ତ୍ତି ପାଇଲା, ମୁଁ ସେହି କଥାକୁ ମୋଟେ ଠାବ କରି କହି ପାରିବିନାହିଁ । ମାତ୍ର, ସେହି ପରମସୋଦରଟିର ଅନୁଭୂତି ମୁଁ ସବୁବେଳେ ସେହି ଭିତରୁ ହିଁ ପାଇଛି । ତାହାର ଦର୍ପଣ ଉପରେ ଏହି ସମଗ୍ର ବାହାରଟିକୁ ଦେଖି ଶିଖିଛି ବୋଲି ବାହାରର ଗଭୀର ପ୍ରସ୍ଥଟା ପ୍ରକୃତରେ ଏତେ ଚିହ୍ନା ଚିହ୍ନା ଓ ସଜାତୀୟ ମନେ ହୋଇଛି । ଭିତରୁ ଅସଲ ସୂତାଗୁଡ଼ିକ ଆଣି ମୁଁ ବାହାର ସହିତ ଆତ୍ମୀୟତା କରିପାରିଚି ।

 

ଅବିକଳ ଆପଣାର ମାଆକୁ ଲୋଡ଼ୁଥିବା ଏକ ସନ୍ତାନ କରି ଭିତରର ସେହି ସର୍ବୋତ୍ତମଟି ପାଖକୁ ଆସିବାକୁ ହୁଏ । ତୋଡ଼ ଦେଖାଇଲେ, ବାଣ ବିନ୍ଧିଲେ ମୋଟେ ପାରି ହୁଏନାହିଁ । ବାହାରଟାକୁ ଆଣି ଭିତର ଉପରେ ଲଦି ଦେଉଥିବା ପର୍ଯ୍ୟନ୍ତ ବି ଆଦୌ କାମ ଚଳେନାହିଁ । ତେଣୁ, ଯେଉଁମାନେ ବାହାରର ଏକ ମୁଖା ଅଥବା ଅନେକ ମୁଖା ପିନ୍ଧି କୌଣସି ଶାସ୍ତ୍ର ଅଥବା ସମୂହର ତଥାକଥିତ ବୋଲଗୁଡ଼ାକୁ ଦେଇ ଭିତରଟାକୁ ଏକାବେଳକେ ଚାପି ଦେବାକୁ ହିଁ ନିରାପଦ ଜୀବନ ବୋଲି ମନେ କରୁଥାନ୍ତି, ସେହି ମଣିଷମାନେ ଆପଣା ଭିତରେ ରହିଥିବା ସେହି ଜନନୀ ରୂପଟିକୁ ମୋଟେ ସ୍ପର୍ଶ କରି ପାରନ୍ତି ନାହିଁ । ଭିତରଟିର ଏତେ ପାଖରେ ରହିଥିଲେ ମଧ୍ୟ ତା'ଠାରୁ ସତେଅବା ଦୂରରେ ରହିଥାନ୍ତି । ତା' ପାଖରୁ ଚିତା କାଟି କୁଆଡ଼େ ମନ କୁଆଡ଼େ ବୁଲୁଥାନ୍ତି । ହନ୍ତସନ୍ତ ଅଭିନୟକୁ ହିଁ ଜୀବନ ବୋଲି ଗ୍ରହଣ କରିଥାନ୍ତି ।

 

୨୯ । ୬ । ୮୪

 

ସହର ଭିତରକୁ ଆସିଲେ ଜୀବନଟା ପୁନରାବୃତ୍ତି ପରି ମନେ ହୁଏ । ଏଠାରେ ସମସ୍ତେ ସତେଅବା ସେଇ ଗୋଟିଏ ଧାରାର ଜୀବନକୁ ଦିନପରେ ଦିନ ବଞ୍ଚିବାରେ ଲାଗିଥାନ୍ତି । ଆଦୌ କୌଣସି ପାହାଚ ଉଠନ୍ତି ନାହିଁ, ଆଦୌ କୌଣସି ଦିଗ୍‍ବଳୟକୁ ଡେଇଁବା ଲାଗି ମନ କରନ୍ତି ନାହିଁ ।

 

ଏଠାରେ ଯାବତୀୟ ବେଗ ହେଉଛି ସେହି ଗୋଟିଏ ସମତଳ ଉପରେ ମଣିଷକୁ ପ୍ରାୟ କ୍ଷତବିକ୍ଷତ କରି ଘୋଷାରି ଘୋଷାରି ନେଇ ଯାଉଥିବା ବେଗ । ମଣିଷ ଭିତରେ ଆଉଗୋଟିଏ ଜୀବନାବେଗ ରହିଥାଏ, ଯାହାକି ମଣିଷକୁ ଏକାବେଳକେ ବହୁ ସମତଳରେ ବିଚରଣ କରିବା ଲାଗି ପ୍ରସ୍ତୁତ କରି ରଖିବାରେ ଲାଗିଥାଏ । ଏଠି ସହର ଭିତରକୁ ଆସିଲେ ସେହି ବେଗଟି ସହିତ ସତେଅବା ସବୁଯାକ ଖିଅ ଛିଣ୍ଡି ଯାଏ । ମଣିଷ ବାଧ୍ୟ ସୁନାପୁଅଟି ପରି ନିୟମ ମାନେ, ଗୋଟିଏ ଧାରାକୁ ହିଁ ଏକମାତ୍ର ଧାରା ବୋଲି ବିଶ୍ୱାସ କରିବାକୁ ଆରମ୍ଭ କରେ; ଗୋଟିଏ ଦାଣ୍ଡରେ ହିଁ ଫୁଲାଇ ହୋଇ ବାହାରି ପରସ୍ପର ସହିତ ପ୍ରତିଯୋଗିତା କରିବାକୁ ସତେଅବା ଜୀବନର adventure ବୋଲି ଗ୍ରହଣ କରି ନେଇଥାଏ । ଜୀବନ ବଞ୍ଚିବାର, ଅର୍ଥାତ୍ ଜୀବନର ଦାଣ୍ଡରେ ଆପଣାକୁ ଦେବାର ଆଉ ଗୋଟିଏ ଧାରା ବି ରହିଛି, ଯେଉଁଥିରେ କି adventure ହିଁ ନିତ୍ୟଧର୍ମ ହୋଇ ରହିଥାଏ, ମାତ୍ର ଯେଉଁଠାରେ ଆଦୌ କୌଣସି ପ୍ରତିଯୋଗିତା କରିବାକୁ ପଡ଼େନାହିଁ । ସେହି ଅସଲ ସାହସିକତାର ଯୋଗ୍ୟ ହେଲେ ସହର ମୋଟେ ଭଲ ଲାଗେନାହିଁ । ପରିଚିତମାନଙ୍କ ଭିତରେ ମଧ୍ୟ ଅପରିଚିତ ଭଳି ଅନୁଭବ ହେଉଥାଏ । ଗୋଟିଏ ସମତଳରେ ଘୋଷାଡ଼ି ହୋଇ ଗୋଡ଼ ଘୋଳି ହୋଇଯାଏ ।

 

୩୦ । ୬ । ୮୪

 

ଆମର ବାପି–ଓଡ଼ିଶାର ନବକୃଷ୍ଣ ଚୌଧୁରୀ–ସିଏ ଚାଲିଗଲେ । ଆପଣାର ଶେଷ ଜୀବନରେ ସେ ପ୍ରାୟ ସବୁକିଛିରୁ ବିଦାୟ ନେଇ ସାରିଥିଲେ । ଯେଉଁ ଆବାସଟିକୁ ସିଏ ସଂପୂର୍ଣ୍ଣ ସଂସାରମୁହାଁ କରି ଗଢ଼ି ଆସିଥିଲେ ଓ ତାହାକୁ ହିଁ ସଂସାର ସହିତ ଯୁକ୍ତ ହୋଇ ରହିବାର ଦ୍ଵାର ପରି ବ୍ୟବହାର କରିବେ ବୋଲି ଚିନ୍ତା କରିଥିଲେ, ଜୀବନର ଶେଷ ପାଦଗୁଡ଼ିକରେ ସେ ତାହାକୁ ସତେଅବା ନିଜଲାଗି ଏକ retreat ପରି ବ୍ୟବହାର କରୁଥିଲେ । ସଂସାରକୁ ଚିଡ଼ୁଥିଲେ,–ରାଜନୀତିକୁ ଚିଡ଼ୁଥିଲେ; ରାଜନୀତିକ ଜୀବନରେ ଯେଉଁମାନଙ୍କର କାନ୍ଧ ଉପରେ ହାତ ପକାଇ ଆପଣାକୁ କେତେପ୍ରକାରେ ସକ୍ରିୟ କରି ରଖିଥିଲେ, ସେମାନଙ୍କ କଥା ପଡ଼ିବା ମାତ୍ରକେ ସତେଅବା ଭାରି ଅପ୍ରସନ୍ନ ହୋଇ ଉଠୁଥିଲେ । ନିଜ ଜୀବନରେ ସେ ଯାହାକିଛି କରି ଆସିଥିଲେ, ଜୀବନର ଶେଷଭାଗରେ ସତେଅବା ସେହିଗୁଡ଼ାକ ଉପରେ ବିରକ୍ତି ପ୍ରକାଶ କରୁଥିଲେ ।

 

ସମ୍ଭବତଃ, ଯାହା ତାଙ୍କର ସ୍ଵଧର୍ମର ବିରୋଧୀ, ଅବସ୍ଥାର ପ୍ରଲୋଭନରେ ପଡ଼ି ସେ ବାରବାର ସେଇଗୁଡ଼ାକୁ କରି ଆସିଥିଲେ ବୋଲି ସେ ଶେଷ ଚରଣକୁ ଏପରି ବିରକ୍ତି ହୋଇ ରହିଲେ, ବିରକ୍ତି ହେତୁ ଚୁପ୍‚ ହୋଇଗଲେ, ଆପଣାକୁ ପ୍ରତ୍ୟାହୃତ କରି ରଖିଲେ । ଇଏ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅବସ୍ଥା । ଜୀବନଯାକ ନିଜକୁ ଖାଲି ନିଜକୁ ଧାବମାନ କରି ରଖିଥିଲେ ମଧ୍ୟ ମଣିଷ ତଥାପି ନିଜ ଉପରେ ବିରକ୍ତ ହୋଇ ରହିଥାଏ; କାରଣ, ସିଏ ଯାହାକିଛି କରୁଛି, ସେଥିରେ ନିଜକୁ ସଂପୂର୍ଣ୍ଣ ଓ ସମୁଚିତ ଭାବରେ ଦେଇ ପାରୁନାହିଁ ବୋଲି ଅନୁଭବ କରୁଥାଏ । ବାପିଙ୍କ ନିକଟକୁ ଆସି ମୁଁ ସେହିପରି ଏକ ଅପ୍ରସନ୍ନତା ଓ ତଜ୍ଜନିତ ଆତ୍ମ–ଉଦାସୀନତା ତାଙ୍କୁ ସର୍ବଦା ଭାରି ଆନମନା କରି ରଖିବାର ଅନୁଭବ କରୁଥିଲି ।

 

୪ । ୭ । ୮୪

 

ଅହିଂସା ହିଂସାକୁ ଚିରଦିନ ସହି ଆସିଛି । ମାତ୍ର, ହିଂସା ପ୍ରାୟ କେବେହେଲେ ଅହିଂସାକୁ ସହି ପାରିନାହିଁ । ହିଂସାର ପଥ ଗ୍ରହଣ କର ପଛକେ, ମାତ୍ର କଦାପି ଭୀରୁ ହୁଅନାହିଁ,–ଏକଥା ଅହିଂସା କହିଛି । ମାତ୍ର, ଅହିଂସା ରହି ପଛକେ, କିନ୍ତୁ କଦାପି ଭୀରୁ ହୋଇ ରହି ଯାଅନାହିଁ,–ହିଂସା ସେ କଥା କେବେହେଲେ କହିନାହିଁ । ହିଂସା ସହିତ ଭୀରୁତାର ଯେ ଏକ ଅଚେତନ ସମ୍ପର୍କ କୌଣସି ସ୍ଥାନରେ ରହିଛି, ଏଇଥିରୁ ତାହାର ଏକ ପରୋକ୍ଷ ସଙ୍କେତ ମିଳି ଯାଉଥିଲା ପରି ମନେ ହୋଇଥାଏ ।

 

ଅହିଂସା ହିଂସାକୁ ଅନୁମୋଦନ ନକରୁଥିଲେ ମଧ୍ୟ ହିଂସାକୁ ତଥାପି ଏକ ବାଟ ବୋଲି ସ୍ଵୀକାର କରି ଆସିଛି । ମାତ୍ର ଏକ ଯେ ହିଂସା ଅହିଂସାକୁ ଏକ ବାଟ ବୋଲି କେବେହେଲେ ସ୍ଵୀକାର କରିନାହିଁ । ସ୍ଵଭାବତଃ ହିଂସା ସହିତ ହିଂସାର ହିଁ ପ୍ରତିଦ୍ଵନ୍ଦିତା ହୁଅନ୍ତା, ହିଂସାର ନ୍ୟାୟ ଦୁଇଟି ହିଂସା ପରସ୍ପରର ସମ୍ମୁଖୀନ ହେବାଦ୍ଵାରା ହିଁ ନିଷ୍ପତ୍ତି ହୋଇ ପାରୁଥାନ୍ତା । ଏହି ପୃଥିବୀରେ ସଚରାଚର ତାହା ହିଁ ହୋଇ ଆସିଛି । ମାତ୍ର, ଦୁଇ ପ୍ରତିଦ୍ଵନ୍ଦୀ ହିଂସାର ସମ୍ଭବତଃ ଏକ ବିକଳ୍ପ ରୂପେ ଯେତେବେଳେ ଅହିଂସା ଆପଣାର କିଛି ପ୍ରମାଣ ଦେବାକୁ ବାହାରିଛି, ସେତେବେଳେ ହିଂସା ହିଁ ତାହାପ୍ରତି ଅସହିଷ୍ଣୁତା ପ୍ରକଟ କରିଛି । ହିଂସା ହିଂସାକୁ ବୁଝିଛି, ତେଣୁ ଗୋଟିଏ ହିଂସା ଆଉ ଗୋଟିଏ ହିଂସାର ମୁକାବିଲା କରିପାରିବି ବୋଲି କେଡ଼େ ଚମତ୍କାର ଭାବରେ ତିଆରି ହୋଇଛି,–ହୁଏତ ଶାସ୍ତ୍ରରେ ଗୋଟିଏ ହିଂସା ଆଉ ଗୋଟିଏ ହିଂସା ପଛରେ ରହିଥିବା ଏକ ସଂଗତି ଖୋଜି ପାଇଛି । ମାତ୍ର, ଅହିଂସା ପଛରେ ଯେ କୌଣସି ସଂଗତି ରହିଥିବ, ହିଂସା ସେକଥା ସ୍ଵୀକାର କରିନାହିଁ । ଅହିଂସାକୁ ପ୍ରାଣେ ଭୟ ରହିଥିବାରୁ ଆଉ ହିଂସା ଏପରି କରିଛି କି ? ଏଇଥିରୁ ହୁଏତ ସୂଚନା ମିଳିଯାଉଛି ଯେ, ଅହିଂସା ଭିତରେ ଏପରି ଏକ ଶକ୍ତି ରହିଛି, ଯାହାକି ହିଂସା ଭିତରେ ମୋଟେ ନାହିଁ ।

 

୫ । ୭ । ୮୪

 

ଘର ବୋଲି ଭାବିବା ବେଳକୁ ମୁଁ ସଂସାରରେ ଯେତେ ଯେତେ ଥାନରେ ସବାଆଗ ଯାଇ ବୁଲିଆସେ, ଶାନ୍ତିନିକେତନ ତାହାରି ଭିତରୁ ଗୋଟିଏ । ଶାନ୍ତିନିକେତନ ମୋ' ଜୀବନର ଅସଲ ଚେରଗୁଡ଼ିକୁ ଆବିଷ୍କାର କରିବାରେ ମୋତେ ଯେ ଖାଲି ବନ୍ଧୁପରି ସାହାଯ୍ୟ କରିଛି ତା' ନୁହେଁ, ସିଧା ହୋଇ ଅନାଇ ପାରିବା ଭଳି ଏକ ଆଖି ମଧ୍ୟ ଯୋଗାଇ ଦେଇଛି । ବନ୍ଧୁ ଓ ଜନନୀ ମଧ୍ୟରେ ମୂଳତଃ ବେଶୀ କିଛି ପ୍ରଭେଦ ଯେ ନାହିଁ, ସେହି ଶାନ୍ତିନିକେତନରେ ମୁଁ ସେହି କଥାଟିକୁ ବୁଝିଛି ।

 

ମୋ'ର ଚିହ୍ନା ଆକାଶଟି ଶାନ୍ତିନିକେତନରେ ଏବେ ମଧ୍ୟ ଅତୁଟ ହୋଇ ରହିଛି, ମୋଟେ ତୁଟି ଯାଇନାହିଁ । ସେଥିଲାଗି ସେଠି ବାହାରର କୌଣସି କୋଠାମାଳ ମୋତେ କୌଣସି ପ୍ରକାରେ ବିବ୍ରତ କରି ଦେଇନାହିଁ । ମୋ' ହୃଦୟ ଭିତରେ ସତତ ଅନୁଭବ କରି ପାରିବାଭଳି ଏପରି ଏକ ଖିଅ ମୁଁ ସେଠାରୁ ପାଇଛି, ଯାହାକୁ କି ମୁଁ ଯେଉଁଆଡ଼େ ଗଲେ ମଧ୍ୟ ଅନୁଭବ କରି ପାରୁଛି । ସାଧାରଣ ଭାଷାରେ ଯାହାକୁ ପ୍ରଭାବ ବୋଲି କୁହାଯାଏ, ଇଏ ତା’ଠାରୁ ଅନେକ ବେଶୀ । ଜୀବନରେ ଯିଏ ସବୁଠାରୁ ଅଧିକ ଟାଣେ, ସିଏ ବାଧ୍ୟ କରେନାହିଁ, ଅଭିଯୋଗ କରେନାହିଁ,–ସିଏ ବିଶ୍ଵାସ ରଖିଥାଏ, ତେଣୁ ବଦଳାଇ ଦେଇପାରେ । ଶାନ୍ତିନିକେତନର ପାଞ୍ଚୋଟି ବର୍ଷ ମୋତେ ଏବେ ମଧ୍ୟ ଟାଣିବାରେ ଲାଗିଛି । ଅଧିକ ଜୀବନ ଆଡ଼କୁ, ଅଧିକ ଆତ୍ମୀୟତା ଆଡ଼କୁ ଏବଂ ଅଧିକ ସହଜତା ଆଡ଼କୁ ମୋତେ ଏବେ ମଧ୍ୟ ଟାଣି ହୋଇ ଯିବାରେ ସାହାଯ୍ୟ କରୁଛି । ଅତି ସହଜରେ ଆପଣା ଭିତର ତଥା ବାହାରର ଗଭୀରଟି ସହିତ ସଂଯୁକ୍ତ ହୋଇ ପାରିବା,–ଏହି କଥାଟି ମୁଁ ଶାନ୍ତିନିକେତନରୁ ଶିଖିଛି ।

 

୭ । ୭ । ୮୪

 

ମନ୍ତ୍ରଟିଏ ଉଚ୍ଚାରଣ କରୁ କରୁ ମୁଁ କେତେବେଳେ ଯେ ସେହି ମନ୍ତ୍ରର ହିଁ ହୋଇଯାଏ, ତା'ର କୌଣସି ହିସାବ ରଖି ପାରେନାହିଁ । ମୁଇଁ ମନ୍ତ୍ରକୁ ବାଛେ, ମନ୍ତ୍ରର ଆବାହନ କରେ,–ମନ୍ତ୍ରଟି ଆସିଗଲା ପରେ ଏକାବେଳେକେ ଭିତରୁ ହିଁ ତା'ର ଉଚ୍ଚାରଣ ହେବାକୁ ଆରମ୍ଭ କରେ । ସତେ ଯେମିତି, ମୁଁ ଯାହାକୁ ବାହାରୁ ଆବାହନ କରି ଆଣିବି ବୋଲି କେତେ କ'ଣ ଆୟୋଜନ କରି ବାହାରିଥିଲି, ସିଏ ପ୍ରକୃତରେ ମୋ' ଭିତରେ ହିଁ ରହିଥିଲା ଏବଂ ଭିତର ଓ ବାହାରକୁ ଗୋଟିଏ ଖିଅରେ ଯୋଡ଼ିଦେଇ ମୋ' ଭିତରୁ ବାହାରି ଆସିଲା, ମୋତେ ତା' ନିଜର କରିନେଲା । କୌଣସି ମନ୍ତ୍ରର ସାଧନ କରେ ମନ୍ତ୍ର ଆଉ ମୋ'ର ହୋଇ ରହେନାହିଁ; ମୁଁ ନିଜେ ସେହି ମନ୍ତ୍ରର ହିଁ ହୋଇଯାଏ । ସିଏ ବନ୍ଧୁପରି ହାତ ଧରି ଅଗ୍ରସର କରାଇନିଏ । ଭିତରର ବାଟଟା ଯେ ବାହାରକୁ ପଡ଼ିଛି ଏବଂ ବାହାରର ବାଟଟା ଯେ ଗୋଟାସୁଦ୍ଧା ଭିତରକୁ ପଡ଼ିଛି, ଏହି ଉପଲବ୍‌ଧିଟି ସେତିକିବେଳେ ହୋଇଯାଏ ।

 

କୌଣସି ମନ୍ତ୍ର କେବେ ରଚିତ ହୋଇଥିଲା, କେବେ ଅଥବା କେଉଁ ଦେଶରେ ରଚିତ ହୋଇଥିଲା, ମନ୍ତ୍ର ଭିତରେ ପ୍ରବେଶ କରି ତା'ର ହୋଇଗଲା ପରେ ସେ ବିଷୟରେ ଆଉ କିଛିହେଲେ ମନେ ରହେନାହିଁ । ଏହିସବୁ ମନ୍ତ୍ର ମୋ' ନିଜ ଦେଶରେ ରଚିତ ହୋଇଛି ବୋଲି ଭାବିବାର ଯାବତୀୟ ଧୃଷ୍ଟତା କୁଆଡ଼େ ପଳାଇଯାଏ । ଉପର ପାହାଚକୁ ଉଠିଲାବେଳେ ତଳ ପାହାଚଟିଏ ଯେମିତି ଛାଡ଼ି ହୋଇଯାଏ, ଇଏ ପ୍ରାୟ ସେମିତି ଗୋଟିଏ କଥା । କାହାରି ହୋଇଯିବାର ଯାବତୀୟ କ୍ଷେତ୍ରରେ ଏହିପରି ହୁଏ । ତଥାପି ଯେଉଁମାନେ ଏହି ମନ୍ତ୍ରମାନଙ୍କୁ ଆମ ନିଜର ବୋଲି ଭାବନ୍ତି, ନିଜ ସଂସ୍କୃତିର ବା ଭାଷାର ସମ୍ପତ୍ତି ବୋଲି ଭାବନ୍ତି, ସେମାନେ ହୁଏତ କେବେହେଲେ କାହାରି ହୋଇ ପାରନ୍ତିନାହିଁ । ସେମାନଙ୍କ ପକ୍ଷରେ କୌଣସି ମନ୍ତ୍ରର ହୋଇପାରିବା ଆହୁରି ଅଧିକ ଦୁରୂହ ହୋଇ ରହିଥାଏ ।

 

୮ । ୭ । ୮୪

 

ସାହେବ ମିଲୈ ସବୁରୀ ମେ–ଆଜି ସକାଳୁ କବୀରଙ୍କର ଏକ ଭଜନରେ ଏହି ଧାଡ଼ିଟିକୁ ପଢ଼ିବାର ସୁଯୋଗ ମିଳିଲା । ସବୁରି ଅର୍ଥାତ୍ ଅପେକ୍ଷା କରିବା । ଅପେକ୍ଷା କରିବାର ଅନେକ ପ୍ରକାର ରହିଛି । ଅନେକ ସ୍ତର ମଧ୍ୟ ରହିଛି । କର୍ମବାଦୀ ମଧ୍ୟ ଏକ ପ୍ରକାରର ଅପେକ୍ଷା ଭିତରେ ମୁହମାଡ଼ି ପଡ଼ିଥାଏ । ଏକ ଚଳମାନ ଅପେକ୍ଷା ମଧ୍ୟ ରହିଛି, ଯେଉଁଥିରେ କି ପୂର୍ଣ୍ଣ ବିଶ୍ଵାସର ସହିତ ଚାଲିବାକୁ ହୋଇଥାଏ, ଚାଲିବା ଏବଂ ଅପେକ୍ଷା କରିବା ଯୁଗପତ୍ ଭାବରେ ଲାଗି ରହିଥାଏ । ପ୍ରତ୍ୟେକ ମୁହୂର୍ତ୍ତରେ ନିକଟବର୍ତ୍ତୀ ହେବାକୁ ପଡ଼ୁଥାଏ ଏବଂ ପୂର୍ଣ୍ଣ ବିଶ୍ଵାସର ସହିତ ଅପେକ୍ଷା କରିବାକୁ ବି ହୁଏ । ସେହି କ୍ଷେତ୍ରରେ ଯାବତୀୟ ଅସ୍ଥିରତାକୁ ଅବିଶ୍ଵାସ ବୋଲି କୁହାଯାଏ-

 

ଚାଲିଲେ ବିଶ୍ଵାସ ବଢ଼େ । ବିଶ୍ଵାସ ବଢ଼ିଲେ ଅପେକ୍ଷା କରିବାର କଳାଟିକୁ ସର୍ବୋତ୍ତମ ଭାବରେ ଆୟତ୍ତ କରିହୁଏ । ବିଶ୍ଵାସ ହିଁ ସକଳ ଅପେକ୍ଷାକୁ ସଚଳ କରି ରଖିଥାଏ । ଯେଉଁମାନେ ଅପେକ୍ଷା କରି ନପାରନ୍ତି, ଅନେକ ସମୟରେ ତାହା ସେମାନଙ୍କ ଭିତରେ ରହିଥିବା, ଅତ୍ୟନ୍ତ ଗୁପ୍ତ ଏବଂ ମତ୍ତ ଭାବରେ ରହିଥିବା ନିଷ୍କ୍ରିୟତାକୁ ହିଁ ସୂଚାଇ ଦେଇଥାଏ । ଅସଲ ଅପେକ୍ଷା କରିବା ହେଉଛି, ମୁଁ ଯାହାପାଇଁ ବାଟ ଚାଲୁଛି, ତାହାର ଆସ୍ଥାନକୁ ଆପଣା ଭିତରେ ଠାବ କରି ପାରିବା । ଏହି ଠାବ କରି ପାରିବା ହେଉଛି ବିଶ୍ଵାସ ଅନ୍ୟ ନାମ । ବିଶ୍ଵାସକୁ ଅନେକ ମଣିଷ ଏକ ଉପଲବ୍‌ଧି ଭାବରେ ନୁହେଁ, ଏକ ଟେକ୍‌ନିକ୍ ରୂପେ ବ୍ୟବହାର କରନ୍ତି । ଅମୁକ ପ୍ରକାରେ ବିଶ୍ଵାସ କଲେ ଅମୁକ ଫଳ ମିଳିବ ବୋଲି ସେମାନେ ପ୍ରାୟ ଏକ କର୍ତ୍ତବ୍ୟ ରୂପେ ବିଶ୍ଵାସ କରିବାକୁ ପ୍ରବୃତ୍ତ ହୋଇଥାନ୍ତି । ମୁଁ ଏପରି ଲୋକଙ୍କ ଦଳରେ ମିଶିବାକୁ କେବେହେଲେ ମନ କରିନାହିଁ । ମୁଁ ଭିତରେ ଠାବ କରି ବାଟ ଚାଲିଛି । ବାଟରେ ଭେଟୁଥିବା ପ୍ରତ୍ୟେକ ମଣିଷଙ୍କୁ ମୁଁ ସେମାନଙ୍କ ଭିତରେ ରହିଥିବା ସେହି ଅସଲ ଆସ୍ଥାନଟିରେ ଠାବ କରିବାକୁ ଚେଷ୍ଟା କରିଥାଏ । ସେଇଥିରୁ ସେମାନଙ୍କୁ ଜାଣେ ।

 

୨୫ । ୭ । ୮୪

 

ଓଡ଼ିଶୀ ନୃତ୍ୟ ଆଗ ନୁହେଁ; ସବାଆଗ ନୃତ୍ୟ, ତା’ ପରେ ଯାଇ ଓଡ଼ିଶୀ ନୃତ୍ୟ, ଆମ ନୃତ୍ୟ । କାଲି ଟେଲିଭିଜନ୍‌ରେ ଶ୍ରୀମତି ସୁତପା ଦତ୍ତଗୁପ୍ତଙ୍କର ଓଡ଼ିଶୀ ନୃତ୍ୟ ଦେଖୁଥିଲି । କେତେବେଳେ ଯେ ଓଡ଼ିଶୀ ନୃତ୍ୟକୁ ଛାଡ଼ି ନୃତ୍ୟ ଭିତରେ ଯାଇ ମଗ୍ନ ହୋଇଗଲି, ସେକଥା ନିଜେ ମଧ୍ୟ ଜାଣି ପାରିଲି ନାହିଁ । ପୁଣି, ଅଭିନୟର ପର୍ଯ୍ୟାୟରେ ଯେତେବେଳେ “ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ”ର ଅନୁସରଣ କରି ସମଗ୍ର ନୃତ୍ୟଟି ମଧ୍ୟ ବିଚିତ୍ର ଦୃଶ୍ୟମାନ ସଂଗୀତରେ ପରିପ୍ଳୁତ ହୋଇଉଠିଲା, ହୋଇ ଯାଇଥିଲି । କାହାରି ହୋଇଯିବାର ଅଧିକାର ଯେପରି ମଣିଷ ମାତ୍ରକେ ସମସ୍ତଙ୍କର ରହିଛି, ପୃଥିବୀର ଯେକୌଣସି ନୃତ୍ୟକୁ, ସେହି ନୃତ୍ୟଟିର ମୂଳ ଅର୍ଥାତ୍ ସ୍ଥାନୀୟ ଭୂମିରେ ଠିଆ ହୋଇ, ତାହାକୁ ତଥାପି ନୃତ୍ୟରେ ପରିଣତ କରିପାରିବାର ଅଧିକାର ମଧ୍ୟ ସମସ୍ତଙ୍କର ରହିଛି । ଆମ ଓଡ଼ିଶୀ ନୃତ୍ୟ ଆମକୁ ଏହିପରି ଭାବରେ ନୃତ୍ୟର ସ୍ତରକୁ ଉତ୍ତୋଳିତ କରି ନେଇଯିବ,–ଆମେ ସବୁବେଳେ ତାହାରି ଯୋଗ୍ୟ ହେବା ।

 

ଅଣଓଡ଼ିଆ ଓଡ଼ିଶୀ ଶିଖନ୍ତୁ, ଠିକ୍ ସେହିପରି ଓଡ଼ିଆମାନେ ମଧ୍ୟ ଅନ୍ୟ ନୃତ୍ୟମାନ ଶିଖନ୍ତୁ । ଏହି ଆଗ୍ରହଟି ଲାଗି ଯହୁଁ ଯହୁଁ ଅଧିକଙ୍କର ସମ୍ମତି ହେଉଥିବ, ଯାବତୀୟ ସ୍ଥାନୀୟ ସଂସ୍କାର ସତ୍ତ୍ୱେ ଯେକୌଣସି ଭୂଗୋଳକୁ ଭିତ୍ତି କରି ବିକଶିତ ହୋଇ ଆସିଥିବା ନୃତ୍ୟରେ ମଧ୍ୟ ଆମେ ନୃତ୍ୟକୁ ହିଁ ଅନୁଭବ କରିବା ଲାଗି ସମର୍ଥ ହେବା । ଏହିପରି ଭାବରେ ନୃତ୍ୟର ଅନ୍ତରଙ୍ଗତମ ସ୍ତରକୁ ଉତ୍ତୋଳିତ ହୋଇଯାଇ ପାରିବା ଏବଂ ଆହୁରି ଅଧିକ କଥା ହେଉଛି, ଆମେ ପରସ୍ପରର ମଧ୍ୟ ନିକଟବର୍ତ୍ତୀ ହୋଇଆସି ପାରିବା ।

 

୨୬ । ୭ । ୮୪

 

ଅସଲ ଗଣ୍ଠି ଭିତରେ ପଡ଼ିଛି । ତେଣୁ, ବାହାରେ ମଧ୍ୟ ଗଣ୍ଠି ପକାଇବାକୁ ମୋଟେ ଏତେଟିକିଏ କଷ୍ଟ କରିବାକୁ ପଡ଼ୁନାହିଁ । ମୁଁ ଭଲ କରି ଜାଣିଛି, ସଂସାରରେ ବ୍ୟକ୍ତିଗତ ସ୍ତରରେ ମୋ'ର ଆଦୌ କୌଣସି ଗଡ଼ ଜୟ କରିବାର ନାହିଁ । କାରଣ, ମୋ'ର ଅସଲ ଗଡ଼ରେ ଜୀବନର ଅସଲ ଚେରଗୁଡ଼ିକୁ ମୁଁ ଜୀବନ ବଞ୍ଚିବାର ସର୍ବଶ୍ରେଷ୍ଠ ପ୍ରେରଣା ରୂପେ ଅନୁଭବ କରି ଶିଖିଛି । ତାହା ହିଁ ମୋ'ର ଏକମାତ୍ର ସିଦ୍ଧି । ସେତିକି ବ୍ୟତୀତ ମୁଁ ଆଉ କୌଣସି ସିଦ୍ଧି ପାଇଁ କେବେହେଲେ ଲାଳାୟିତ ହୋଇନାହିଁ ।

 

ଭିତରେ ସେଇ ଅସଲ ଗଣ୍ଠିଟି ପଡ଼ିଥିଲେ ଓ ଅସଲ ଚେରଗୁଡ଼ିକୁ ଅନୁଭବ କରି ପାରୁଥିଲେ ଆପଣାକୁ ସ୍ଵଚ୍ଛ ଭାବରେ ଦେଇ ଦେଇହୁଏ, ଅକୃପଣ ଭାବରେ ଦେଇହୁଏ; ଶ୍ରଦ୍ଧାର ସହିତ ଦେଇହୁଏ । ଏସବୁ ଉପଦେଶର କଥା ନୁହେଁ । ଉପଦେଶ ଦେଇ କେହି କେବେ ଏସବୁ ସକାଶେ ଆଉ ଜଣକୁ ମଣ କରି ପାରିବନାହିଁ । ନିଜ ପାଖରେ ଅସଲ ସମ୍ମତିଟିକୁ ଦେଇପାରିଲେ ଯାଇ ସେକଥା ହୋଇପାରିବ । ନିଜ ପାଖରେ ସମ୍ମତି ଦେଇପାରିବା ହେଉଛି ଯାବତୀୟ ବାଟ ଚାଲିବାର ସର୍ବମୂଳ କଥା । ମୁଁ ଭିତରେ ଯାହା ପାଖରେ ସମ୍ମତି ଦେଇଛି ସେଇ ମୋତେ ମୋ' ବାଟ ଚାଲିବାରେ ସବୁଠାରୁ ଅଧିକ ନିର୍ଭର ପ୍ରଦାନ କରିଛି । ମୋ'ର ସମ୍ମତି ଏବଂ ତା'ର ନିର୍ଭର ଦାନ–ଏଇ ଦୁଇଟିଯାକ ଆଦୌ କେହି କାହାକୁ ବାଧ୍ୟ କରୁନାହାନ୍ତି ଏବଂ ତେଣୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ପରସ୍ପର ସହିତ ସଂଯୁକ୍ତ ହୋଇ ରହିଛନ୍ତି । ସେମାନେ ପରସ୍ପରର ହୋଇ ରହିଛନ୍ତି । ଭିତରେ ବାହାରେ ପରସ୍ପରର ହୋଇ ରହିଥିବାର ସେହି ଗଣ୍ଠିଟିକୁ ଅନୁଭବ କରି ପାରୁଥିବା ପର୍ଯ୍ୟନ୍ତ ଜୀବନରେ କ୍ଷୋଭ କରିବାର ଆଉ କଣ ଅଛି ?

 

୫ । ୮ । ୮୪

 

ସ୍ତ୍ରୀ କହିଲେ, ବର୍ତ୍ତମାନ କେତେ ଦିନ ମୋଟେ strain କରିବା ନାହିଁ । ପୂରା ବିଶ୍ରାମ ନେବ । ସେତେବେଳେକୁ ମୁଁ ମାଆଙ୍କର ଲେଖା ଅନୁବାଦ କରିବାକୁ ଆସୁଥିଲି । କିଞ୍ଚିତ୍ ଅସୁସ୍ଥତା ହେତୁ ମଝିରେ ଏହି କାର୍ଯ୍ୟରେ ଦୁଇଟା ଦିନ ବ୍ୟାଘାତ ଘଟିଥିଲା । ତେଣୁ, ଭିତରେ ଗୋଟାଏ ପ୍ରକାରର strain ଅନୁଭବ କରୁଥିଲି । ମୋ'ର ମୋଟେ ବିଶ୍ରାମ ଆବଶ୍ୟକ ନଥିଲା, ମଝିରେ ଏହି ଅସୁସ୍ଥତା ଆସି କୁଆଡ଼ୁ ହାବୁଡ଼ିଗଲା ଏବଂ ବିଶ୍ରାମ ନେବାକୁ ଅର୍ଥାତ୍ ପଡ଼ି ରହିବାକୁ ମଧ୍ୟ ବାଧ୍ୟ କଲା । ଅନୁବାଦ ଭିତରେ ପଶୁ ପଶୁ ସବୁ ଭୁଲିଗଲି, କ୍ଷଣକେ ଭିତରେ ବୁଡ଼ିଗଲି ଏବଂ ଉଶ୍ଵାସ ହୋଇ ବୁଲୁଥିଲି ।

 

ଆପେ ବାଛି ନେଇଥିବା କାମଟିଏ,–ତାହା ମଧ୍ୟ ଔଷଧ ପରି କାର୍ଯ୍ୟ କରେ । କ୍ଷୋଭ ଦୂର କରେ, ଗ୍ଳାନି ଦୂର କରେ, ଆଉ କ'ଣ ଗୋଟାଏ ଭିତରକୁ ବାଟ ଦେଖାଉଥିବା ତୋରଣଗୁଡ଼ିକ ପାଖରେ ଆଣି ପହଞ୍ଚାଇ ଦିଏ । ତା' ପରେ ଜୀବନରେ strain ବୋଲି କେଉଁଠି କିଛି ଅଛି ବୋଲି ମୋଟେ ମନେ ହୁଏନାହିଁ । ମାତ୍ର, ଅସଲ କଥା ହେଉଛି, ନିଜେ ବାଛିନେବାକୁ ହୁଏ । ଅର୍ଥାତ୍ ନିଜେ ବାଛିନେଇ ପାରିବାର ଯୋଗ୍ୟ ହେବାକୁ ହୁଏ । ଆହୁରି ଗଭୀରର କଥା ହେଉଛି, ମୁଁ ନିଜେ ଯେଉଁ କାମଟିକୁ ନିଜର କାମ ବୋଲି ବାଛିନେଲି, ତା ଭିତରେ ମୁଁ ନିଜେ ମୋଟେ କେନ୍ଦ୍ର ହୋଇ ରହିନାହିଁ; ମୋ'ର ଏହି ବ୍ୟକ୍ତିଗତ ପରିଧିଠାରୁ ବୃହତ୍ତର ଓ ମହତ୍ତର ଆଉ କିଛି କେନ୍ଦ୍ର ହୋଇ ରହିଛି । ଆକର୍ଷକ ହୋଇ ରହିଛି, ନିଜସ୍ଵ ବାଟଗୁଡ଼ିକୁ ଦେଖାଇ ଦେବାରେ ଲାଗିଛି । ସେହି କେନ୍ଦ୍ରଟିକୁ ଚିହ୍ନିବା,–ମୁଁ ତାହାକୁ ହିଁ ଏ ଜୀବନର ସର୍ବକ୍ଲେଶହାରୀ ଅସଲ ମିତ୍ରଲାଭ ବୋଲି ଅନୁଭବ କରିଥାଏ-

 

୨୩ । ୧୦ । ୮୪

 

ମଣିଷ ଯେଉଁଦିନ ଏହି ସଂସାରରେ ଏକଦା ଭୂମିଷ୍ଠ ହୋଇଥିଲା, ସେହି ଦିନଟି ତା'ର ଜନ୍ମଭୂମି ବୋଲି ସଂସାରର ଅନ୍ୟ ଲୋକମାନେ ତାକୁ ବିଶ୍ଵାସ କରିବା ପାଇଁ ପ୍ରବର୍ତ୍ତାଇ ଥାଆନ୍ତି । ମାତ୍ର, ସେହି ମଣିଷଟି ଯେତିକି ଯେତିକି ଅଧିକ ଅନ୍ତରଙ୍ଗ ଭାବରେ ନିଜ ଭିତରକୁ ପ୍ରବେଶ କରେ ଏବଂ ତାହାରି ବଳରେ ହିଁ ଆପଣାର ପରିଧିଗୁଡ଼ିକ ଯେତିକି ଯେତିକି ଅଧିକ ବ୍ୟାପ୍ତ ହୋଇ ଯାଉଥିବାର ଅନୁଭବ କରେ, ସେତିକି ସେତିକି ଜନ୍ମଦିନର ସଜ୍ଞାଟି ମଧ୍ୟ ତା ପାଇଁ ବଦଳି ଯାଉଥାଏ-। ଏଣିକି ସେ ଜନ୍ମଦିନଟିକୁ ପାଳନ କରେନାହିଁ,–ଆପଣା ମଧ୍ୟରେ ଆପଣାର ଜନ୍ମଟିକୁ ସେ ଅନୁଭବ କରିବାକୁ ଆରମ୍ଭ କରେ । ସକଳ ମୁହୂର୍ତ୍ତକୁ ଜନ୍ମମୁହୂର୍ତ୍ତ ବୋଲି ଅନୁଭବ କରିବାର ସୁରାଖ ପାଇଯାଏ । ତା'ପରେ ସେ ଆକାଶକୁ ପିତା ବୋଲି କହେ, ପୃଥିବୀକୁ ମାତା ବୋଲି କହେ; ସମ୍ବନ୍ଧର ବୃତ୍ତଗୁଡ଼ିକ ତାକୁ ନିତ୍ୟଜନ୍ମୋତ୍ସବର ଆଶୀର୍ବାଦ ଆଣି ଦେଇପାରନ୍ତି ।

 

ତେଣୁ, ଜନ୍ମଦିନ କେବଳ ଏକ ପ୍ରତୀକାତ୍ମକ ଗୋଟିଏ ଦିନ ନୁହେଁ, ଏହା ହେଉଛି ଜୀବନର ଦିନଗୁଡ଼ିକୁ ଧନ୍ୟ ଓ ଏକାନ୍ତ ଅନୁରାଗଶୀଳ କରି ରଖିଥିବା ଏକ ବାଞ୍ଛନାତ୍ମକ ଅନୁଭୂତି,–ଏକ ସୂତ୍ର ପ୍ରତିଷ୍ଠାର ଅନୁଭୂତି । ଜୀବନରେ ଯାବତୀୟ ସାକ୍ଷାତକାରକୁ ସତେଅବା ଗୋଟିଏ ଗୋଟିଏ କେନ୍ଦ୍ରରୂପେ ଅନୁଭବ କରି ତାହାରି ଚାରିପାଖରେ ସବୁକିଛି ବୁଲୁଥିବାର ଏକ ଅନୁଭୂତି । ଆଜି ମୁଁ ଭିତରକୁ ଏବଂ ବାହାରକୁ ଅନାଇ କେବଳ ପାଦଟିଏ ଅନୁଭବ କରିପାରୁଛି ଓ ସେହି ପାଦ ଉପରେ ମଥା ରଖି ମୋ'ର ସକଳ ମୁହୂର୍ତ୍ତ ଧନ୍ୟ ହୋଇ ରହିଥିବା ପରି ଲାଗୁଛି । ସେହି ପାଦଟି ପାଖରେ କୃତଜ୍ଞ ହୋଇ ରହିବା, ତାହା ହିଁ ମୋ’ ଜୀବନର ପରମ ସ୍ଵୀକୃତି ପତ୍ର ହୋଇ ରହିଥାଉ ।

 

୪ । ୧୧ । ୮୪

 

ଭଗବାନ କ୍ଷମା ଦିଅନ୍ତି, କିନ୍ତୁ ନୀତିବାଦୀ କ୍ଷମା ଦେଇ ପାରେନାହିଁ । ନୀତିବାଦୀ ନିଜ ଭିତରେ ହୁଏତ ଗୋଟିଏ କ’ଣ କଥାକୁ ଏପରି ଲୁଚାଇ ରଖିବାକୁ ଇଚ୍ଛା କରୁଥାଏ ଯେ, ଉପରର ଚମଡ଼ାଟିକୁ ସେଥିପାଇଁ ଭାରି ବହଳ ଓ ଭାରି ଅନମନୀୟ କରି ରଖିଥାଏ । ହୁଏତ ତା’ ନିଜ ଭିତରେ ତା’ର ସକଳ ଆକଟ ସତ୍ତ୍ୱେ ଏପରି ଏକ ଉପାଦାନ ରହିଥାଏ, ଯାହାକୁ କି ସିଏ ମୋଟେ କ୍ଷମା ଦେଇ ପାରିନଥାଏ । ହୁଏତ କ୍ଷମା ଦେବାକୁ ଇଚ୍ଛା ବି କରୁନଥାଏ । ସଂସାରଯାକ ସିଏ ଚାରିଆଡ଼େ ତାହାରି ଭୂତ ଦେଖୁଥାଏ ।

 

ନୀତିବାଦୀ ତା’ର ନୀତିକୁ ତିଆରି କରି ନଥାଏ । ଅର୍ଥାତ୍; ତା’ ଜୀବନରେ ସ୍ଵୟଂ ଏକ ଆବଶ୍ୟକତା ବୋଧ ଦ୍ଵାରା ପ୍ରେରିତ ହୋଇ ସିଏ କୌଣସି ମୂଲ୍ୟରେ ଅନ୍ଵେଷଣ କରିବାଲାଗି ଏକ ନିଷ୍ପତ୍ତି ଗ୍ରହଣ କରି ନଥାଏ ଓ ତାହାରି ଅନୁସାରେ ଆପେ ପରିଚାଳିତ ହେବାଲାଗି କୌଣସି ନୀତିକୁ ଆବିଷ୍କାର ଓ ଗ୍ରହଣ କରି ନ ଥାଏ । ସିଏ ସାରୀ ପରି ବାହାରୁ ରଟିଥିବା କେତେକ ନିୟମକୁ ଦେହରେ ଗୁଡ଼ାଇ ହୋଇ ବସିଥାଏ ଓ ଆଦୌ କୌଣସି ବ୍ୟତିକ୍ରମ କେଉଁଠି ଦେଖିଲେ ଭୂତ ଦେଖିବାରୁ ଆରମ୍ଭ କରେ । ଗୋଟିଏ କ୍ଷେତ୍ରରେ କର୍କଶ ନୀତିବାଦୀ ହୋଇ ରହିଥିବା ଜଣେ ମଣିଷ ଅନେକ ସମୟରେ ହୁଏତ ଆଉ ଗୋଟାଏ କ୍ଷେତ୍ରରେ ଭାରି ହୁଗୁଳା ଓ ଭାରି ଜଡ଼ତାଗ୍ରସ୍ତ ହୋଇ ରହିଥାଏ । ସେ ଆଉ କଣକୁ ତା’ ନିଜ ଦର୍ପଣ ଉପରେ ଦେଖେ । ଏବଂ, ଏକ ଅନ୍ତର୍ଗତ ବିଡ଼ମ୍ବନା ଦ୍ଵାରା ପ୍ରାୟ ବାଧ୍ୟ ହୋଇ ନିଜର ଅନେକ କିଛି ଦେଖିବାକୁ ସାହାସ କରି ପାରେନାହିଁ ବୋଲି ସେ ସେହିଗୁଡ଼ିକୁ ହିଁ ଅନ୍ୟମାନଙ୍କ ଭିତରେ ଖୋଜି ବୁଲୁଥାଏ । ଏବଂ, ସୁରାଖ ପାଇଲେ ଏଡେ ବଡ଼ ଗର୍ଜନ କରି ଉଠେ । ସଂସାର ପଙ୍କର ଉତ୍ସ ପାଇ ଯାଇଥିବା ପରି ଅଭିନୟ କରେ ।

 

୧୫ । ୧୨ । ୮୪

 

ଭବିଷ୍ୟତ ଏହି ବର୍ତ୍ତମାନ ମଧ୍ୟରେ ଦିଶି ଦିଶି ଯାଉଥାଏ । ଆଗାମୀ କାଲିଟିକୁ ଆଜି ମଧ୍ୟରେ ଅନୁଭବ କରି ହେଉଥାଏ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ବର୍ତ୍ତମାନଗୁଡ଼ାକୁ ଏଡ଼ି ପାରିବାଲାଗି ଭବିଷ୍ୟକଥା କହୁଥାନ୍ତି । ସେମାନେ ନିଜକୁ ଭବିଷ୍ୟବାଦୀ କହନ୍ତି,ବେଳେବେଳେ କବି ବୋଲି କହନ୍ତି । ଏହିପରି ଏଡ଼ିବା ଗୁଡ଼ାକୁ କେତେ ମଣିଷ ସ୍ଵପ୍ନ ବୋଲି ବି କହିଥାନ୍ତି । ଅସଲ ସ୍ଵପ୍ନ ଭବିଷ୍ୟଗୁଡ଼ିକୁ ଏହି ବର୍ତ୍ତମାନ ମଧ୍ୟକୁ ହିଁ ଟାଣି ନେଇଆସେ, ଏହି ଆଜିର ବାଟଟିକୁ ଚାଲିବାଲାଗି ବଳ ଓ ଅନୁରାଗ ଯୋଗାଇ ଦିଏ । ଯେଉଁମାନେ ବର୍ତ୍ତମାନଟିକୁ ଏଡ଼ି ଯିବାକୁ ଭବିଷ୍ୟତ ଭିତରେ ଚାପ ଖେଳିବାରେ ଲାଗିଥାନ୍ତି, ସେମାନେ ବର୍ତ୍ତମାନ ଭିତରୁ ହୁଡ଼ି ଯାଇଥାନ୍ତି,–ତେଣୁ ଯାବତୀୟ ଯଥାର୍ଥ ଭବିଷ୍ୟତ ମଧ୍ୟରୁ ବି ହୁଡ଼ି ରହିଥାନ୍ତି ।

 

ଅସଲ ବର୍ତ୍ତମାନଟି ଭିତରେ ଭବିଷ୍ୟତଟି ଦିଶି ଦିଶି ଯାଉଥାଏ । ସେଠାକୁ ଯିବାକୁ ହେଲେ ଏଠା ଗୁଡ଼ାକୁ ମୋଟେ ଛାଡ଼ି ଯିବାକୁ ପଡ଼େ ନାହିଁ । ବର୍ତ୍ତମାନର ବଗିଚାଟିକୁ ଅନାଇଦେବା ମାତ୍ରକେ ଭବିଷ୍ୟତର ଫୁଲଗୁଡ଼ିକ ଏକାବେଳେକେ ଫୁଟି ଉଠିଥିବା ପରି ଅନୁଭବ ହେଉଥାଏ । ବର୍ତ୍ତମାନର ଘରଟି ମଧ୍ୟକୁ ଭବିଷ୍ୟତର ପାଦ ଗୁଡ଼ିକ ପରମ ସ୍ଵୀକୃତିର ସନ୍ଦେଶ ବହନ କରି ପଡ଼ି ପଡ଼ି ଆସିଥିବା ପରି ଦିଶି ଯାଉଥାଏ । ସତେଅବା କାହାର ଆଶୀର୍ବାଦ ପାଇଥିଲା ପରି ମନେହୁଏ-। ବର୍ତ୍ତମାନ ସାର୍ଥକ ହୁଏ, ଭବିଷ୍ୟତକୁ ଗର୍ଭରେ ରଖିଥିବା ଜନନୀ ପରି ଶକ୍ତିମୟୀ ରୂପେ ଅନୁଭୂତ ହୁଏ । ତା’ପରେ, ତା’ପରେ ସବୁ ବାଟ ଗୁଡ଼ାକ ଏଠୁ ସେଠାଯାଏ ପଡ଼ି ରହିଥିବା ପରି ମନେ ହେଉଥାଏ ।

 

୧୬ । ୧୨ । ୮୪

 

“ମୁଁ” ଟା ଯେତିକି ଯେତିକି ଗଭୀରକୁ ଭେଦ କରି ପାରୁଛି, ବାହାରୁ ସେତିକି ସେତିକି ଆପଣାକୁ ଅପସରାଇ ନେଇ ଯାଉଛି । ମୁଁ ତଥାପି ତାହାକୁ ଏକ ଅପସାରଣ ଅଥବା ପ୍ରତ୍ୟାହାର ବୋଲି ଆଦୌ ଅନୁଭବ କରି ପାରୁନାହିଁ । ଏହି ତଥାକଥିତ ଅପସାରଣ ହେଉଛି ଏକ ଅତ୍ୟନ୍ତ ନିବିଡ଼ ସ୍ତରରେ ସଂପ୍ରସାରଣର ହିଁ ଗୋଟିଏ ପ୍ରକ୍ରିୟା, ଯାହାକି କେନ୍ଦ୍ରଟି ସହିତ ବାହାରର ଏହି ସବୁକିଛିକୁ ସଂଯୁକ୍ତ କରି ରଖିପାରୁଛି, ଅତ୍ୟନ୍ତ ସ୍ଵାଭାବିକ ଭାବରେ ସଂଯୁକ୍ତ କରି ରଖିପାରୁଛି । ତେଣୁ, ଭିତର ଆଉ ବାହାର ମୋଟେ ପରସ୍ପରକୁ ନିନ୍ଦିତ କରି ରଖୁନାହାନ୍ତି, ମୋଟେ ପରସ୍ପରକୁ ଭୟ କରୁ ନାହାନ୍ତି । କେହି କାହାରିକୁ ଅସ୍ଵୀକାର ବି କରୁନାହାନ୍ତି ।

 

ଯେଉଁଟି ଅତ୍ୟନ୍ତ ଗଭୀର ପ୍ରଦେଶରେ ମୋତେ ସମ୍ଭାରି ଧରିଥିବାର କେନ୍ଦ୍ର ଅଥବା ଭୂମିଟି ପରି ହୋଇ ରହିଛି, ବାହାରେ ସେଇ କେଡ଼େ ସ୍ଵାଭାବିକ ଭାବରେ ସମ୍ପ୍ରସାରିତ ହୋଇ ରହିଛି, ଅଶେଷ ସମ୍ବନ୍ଧର ସୂତାକୁ ଏକ ଆତ୍ମୀୟତାରେ ପରିଣତ କରି ମୋ’ର ଏହି ଚେତନାର ଆକାଶଟିକୁ ସମ୍ଭାରି ରଖିଛି । ତେଣୁ, ମୁଁ ଗୁମ୍ଫାଗୁଡ଼ିକୁ କୋଉଦିନୁଁ ଛାଡ଼ିଦେଇ ଆସିଲିଣି । ନିଜର ଉତ୍ସ ଖୋଜିବାକୁ ଯେ କୌଣସି ଗୁମ୍ଫା ଭିତରକୁ ଚାଲିଯିବାକୁ ହୁଏ, ମୁଁ ସେହି ପ୍ରଣାଳୀଟିକୁ କୋଉ ଦିନୁ ପାସୋରି ସାରିଲିଣି । ଆଗ କେନ୍ଦ୍ରଟିକୁ ଛୁଇଁବାକୁ ହୁଏ, ତାପରେ ଯାଇ ସମ୍ପ୍ରସାରଣର ରହସ୍ୟ ଡୋର ଗୁଡ଼ିକୁ ଲାଭ କରିହୁଏ ଅଥବା, ଆଗ ସମ୍ପ୍ରସାରିତ ହୋଇ ତା’ପରେ କ୍ରମଶଃ କେନ୍ଦ୍ରଟିକୁ ଠାବ କରିବାକୁ ହୁଏ, ମୁଁ ସେକଥା କହି ପାରିବି ନାହିଁ । ମୋ’ର ଆଖିଟି ଦୁଇଟି ଯାକରୁ ଆଦୌ ଗୋଟିଏ ନୁହେଁ । ଦୁଇଟି ଯାକ ହିଁ ମୋର ଧାରା-, ମୋ’ ଅସଲ ଧର୍ମର ଧାରା ।

 

୨୧ । ୧୨ । ୮୪

 

ଗାଆଁ ଭଳି କୌଣସି ଏକ ଗାଆଁକୁ ଆସିଲେ ମୋ’ର ଆଗାମୀ ଜନ୍ମଟିର କଥା ମନେ ପଡ଼ିଥାଏ । ଆଗାମୀ ପୃଥିବୀରେ ମଣିଷର ଜୀବନମଣ୍ଡଳ ଗୁଡ଼ିକ ଯେପରି ହେବ, ତାହାର ଚେର ଗୁଡ଼ିକୁ ମୁଁ ସତେଯେପରି ଗାଆଁରେ ଅନୁଭବ କରିଥାଏ ।

 

ସେହି ଚେର ଗୁଡ଼ିକ ଆମଲାଗି ସତେଅବା ଯୁଗ ଯୁଗ ଧରି ଅପେକ୍ଷା କରି ରହିଛି । ଆମେ ବାରବାର ଅନ୍ୟପ୍ରକାର ନାନା ବହୁଳତାର ସନ୍ଧାନରେ କେତେ କୁଆଡ଼େ ହୁଡ଼ି ହୁଡ଼ି ଚାଲି ଯାଉଛୁ, ବହିରଙ୍ଗ ପ୍ରସାରଣର ନାନା ଭୂମିକୁ ଆବିଷ୍କାର କରିବା ସଙ୍ଗେ ସଙ୍ଗେ ଆମେ ଅନ୍ତର ଭିତରେ ଆମର ଅସଲ ସମ୍ବଦ୍ଧଗତ ଭୂମି ଗୁଡ଼ିକ ସହିତ ଲାଗିଥିବା ଚେର ଗୁଡ଼ିକୁ କ୍ରମେ ଗୌଣ ବୋଲି ମଣିଛୁ । ତେଣୁ, ବାହାରର ଏହି ଯାବତୀୟ ଆୟୋଜନ ସତ୍ତ୍ୱେ ତଥାପି ଏକ ଶୂନ୍ୟତା ବା ବିଚ୍ଛିନ୍ନତା ଆମକୁ ଅଧିକରୁ ଅଧିକ ପରିମାଣରେ ଗ୍ରାସ କରି ପକାଇଛି । ବାହାରର ଯାବତୀୟ ଶୋଭା ସତ୍ତ୍ୱେ ଭିତରର ଅସଲ ଶୋଭା ଗୁଡ଼ିକ ସତେଅବା ଭାରି ଅନ୍ତରାଳ ହୋଇ ରହିଯାଇଛି । ଆଗାମୀ ପୃଥିବୀରେ ମଣିଷ ନିଜଲାଗି ଯେଉଁ ଜୀବନର ବସତିଟିକୁ ସ୍ଥାପନ କରିବ, ସେଥିରେ ବାହାରର ପ୍ରସାରଣଗୁଡ଼ିକ ଆଦୌ ପାସୋରା ହୋଇ ରହିବ ନାହିଁ, ତଥାପି ଅନ୍ତରର ନାଡ଼ ଗୁଡ଼ିକ ସେ କଦାପି ଭୁଲି ଯିବନାହିଁ । ମଣିଷ ତା’ ଭିତରୁ ବଞ୍ଚିବ, -ଭିତରୁ ନିଜର ଯାବତୀୟ ଖିଅକୁ ବାହାର ଆଡ଼କୁ ପ୍ରସାରିତ କରି ଧରି ରଖି ପାରୁଥିବ । ତଥାପି ବାହାର ଭିତରଠାରୁ ବିଚ୍ଛିନ୍ନ ହୋଇ ରହିବ ନାହିଁ । ବାହାରଟା ଭିତରର ଆବେଦନ ତଥା ଅନୁରାଗଗୁଡ଼ିକୁ ବାହାରେ ଫୁଟାଇ ଆଣିବାର ସହାୟକ ହେବ । ତଥାକଥିତ ସହରଗୁଡ଼ାକ ସେତେବେଳେ ଗାଆଁ ପରି ଦିଶିବ ।

 

୩୧ । ୧୨ । ୮୪

 

ଏହି ହୃଦୟଟା ସତେଯେପରି କେଡ଼େ obstinate, ଏତେ ଏତେ ଆଘାତ ପାଇଲେ ମଧ୍ୟ ତାହା ଭାଙ୍ଗି ଯିବାକୁ ମୋଟେ ପ୍ରସ୍ତୁତ ନୁହେଁ -ତା’ ଭିତରେ କୋଉ ଯୁଗର କେତେ ବିଶ୍ଵାସ ସଞ୍ଚିତ ହୋଇ ରହିଛି କେଜାଣି ? ଏହି ବିଶ୍ଵାସ ମଣିଷ ଉପରେ ବିଶ୍ଵାସ, ଭଲ ଉପରେ ବିଶ୍ଵାସ, ଏହି ସବୁଟି ସହିତ ଲାଗି ରହିଥିବା ଡୋର ଗୁଡ଼ିକ ଉପରେ ବିଶ୍ଵାସ । ହୃଦୟକୁ ମଣିଷର ନାନା faculty ମଧ୍ୟରୁ ଏକ ଅନ୍ୟତମ faculty ବୋଲି ଯେଉଁମାନେ କହନ୍ତି, ମୋର ଅନୁଭବ ସେମାନଙ୍କ ସହିତ ମୋଟେ ସମ୍ମତ ହୋଇ ପାରେନାହିଁ । ସେମାନେ ଗୋଟାଏ ପାଖରେ ବୁଦ୍ଧିକୁ ଦେଖନ୍ତି, ଆଉ ଗୋଟାଏ ପାଖରେ ଭାବକୁ ଦେଖନ୍ତି । ମୁଁ ଭାବେ, ସେମାନଙ୍କର ଏହିଭଳି ଭାବିବାରେ କେଉଁଠି ନା କେଉଁଠି ଏକ ଅଭାବ ଅବଶ୍ୟ ରହି ଯାଇଥାଏ । ହୃଦୟରେ ଭିତରକୁ ଓ ଆହୁରି ଭିତରକୁ ପ୍ରବେଶ କରି ପାରିଲେ ତାହା କାଳକ୍ରମେ ସତେଅବା ଆମର ସକଳ ଅସ୍ତିତ୍ଵର ଶରୀରରେ ହିଁ ପରିଣତ ହୋଇଯାଏ; ଆମକୁ ତଥାକଥିତ ଚିରାଚରିତ ଅର୍ଥରେ କେବଳ ପ୍ରେରଣା ଦିଏ ନାହିଁ, ତାହା ଆମର ଗୋଡ଼ ହୋଇ ବାଟତଳ ମଧ୍ୟ ଚାଲେ, ଜନନୀ ହୋଇ ବାଟ ଦେଖାଏ, ହାତ ଧରି ଆଗକୁ ନେଇ ଯାଉଥାଏ । ବାଟ ଗୁଡ଼ିକୁ ଆହୁରି ଅଧିକ ଅନ୍ତରଙ୍ଗ ଭାବରେ ସ୍ଵୀକାର କରିବାର ବଳରେ ପରିଣତ ହୋଇ ଯାଇଥାଏ । ତେଣୁ, କୋଉଠି କିଛି ଛିଣ୍ଡି ଯାଇଥିବା ପରି ମୋଟେ ଅନୁଭବ ହୁଏନାହିଁ ।

 

ସାଧୁ ବ୍ୟକ୍ତିମାନେ ଦୁଆରଗୁଡ଼ାକୁ ଯେତେ ବନ୍ଦ କରି ରଖିବାକୁ ଓ ତଦ୍ଦ୍ଵାରା ନିରାପଦ ହୋଇ ରହିବାକୁ ଯେତେ ପରାମର୍ଶ ଦେଉଥିଲେ ମଧ୍ୟ ତଥାପି ଦୁଆର ଗୁଡ଼ିକୁ ଖୋଲି ରଖିବାଟା ହିଁ ଅସଲି ଧର୍ମ ବୋଲି ଅନୁଭୂତ ହେଉଥାଏ । ଖାଲି ଚାହିବା ବା ଖାଲି ବ୍ୟାକୁଳ ହେବା ନୁହେଁ, ଛୁଇଁ ନପାରିବା ପର୍ଯ୍ୟନ୍ତ ମୋଟେ ଥୟ ଲାଗେନାହିଁ ।

Image

 

Unknown

୧୯୮୫

୬ । ୩ । ୮୫

 

ଆମ ପୁଅ,–ଅର୍ଥାତ୍ ଆମ ଦୁହିଁଙ୍କର ଡାଳଉପରେ ଠିଆ ହୋଇ ଯିଏ ଆହୁରି ଆଗକୁ ଦେଖି ପାରୁଛି, ଆହୁରି ଆଗକୁ ଆଘ୍ରାଣ କରିପାରୁଛି ଓ ଆହୁରି ଆଗକୁ ଛୁଇଁପାରୁଛି । ଆମର ଦୁଇଟା ସ୍ଥବିର ମନକୁ ତଥାପି ସ୍ଥବିରତାରୁ ରକ୍ଷା କରିବାରେ ଅନେକ ସାହାଯ୍ୟ କରି ପାରୁଛି, ଆମକୁ ଆହୁରି ଆଗକୁ ଦଉଡ଼ାଇ ନେଇ ପାରୁଛି ।

 

ଅନେକ ବାପାମାଆ ପୁଅଠାରୁ କ’ମ ମନ କ’ଣ ପାଇବେ ବୋଲି ଆଶା କରିଥାନ୍ତି, ଏବଂ ଆଶା ପୂରଣ ହୋଇ ନପାରିଲେ ଭାରି ଖେଦ କରନ୍ତି, ଭାଗ୍ୟ ପାଖରେ ରୁଷନ୍ତି, ଉଦାସ ହୁଅନ୍ତି, ସଂସାରରେ କେହି କାହାରି ନୁହନ୍ତି ବୋଲି କହନ୍ତି ଓ ସେହିପରି କହି ଆପଣାର କ୍ଷୁନ୍ନ ମନକୁ ସାନ୍ତ୍ଵନା ଦିଅନ୍ତି । ସେମାନେ ନିଜ ପୁଅକୁ ହୁଏତ ଈର୍ଷା ବି କରୁଥାନ୍ତି । ଭଲ ପାଇବା ରାଜସିକ ହେଲେ କିପରି ଯେ ଇର୍ଷାର ଏକ ତାମସିକ ବେଶ ଧାରଣ କରେ, ସେମାନେ ତାହାରି ନିଦର୍ଶନ ହୋଇ ରହିଥାନ୍ତି । ମୁଁ ପୁଅ ପାଖରୁ ସେପରି କୌଣସି ଆଶା ରଖିନାହିଁ । ସିଏ ଆମ ଦୁହିଙ୍କର ସାଙ୍ଗରେ ରହିଛି, ଜୀବନ ଥିବାଯାଏ ଏହିପରି ଏକ ଅନୁଭୂତି ହେଉଥାଉ ବୋଲି ଖୁସୀ ହୋଇ ଆମକୁ ଗୋଟିଏ ଘରେ ଏକାଠି କରି ରଖିଥିବା ବିଧାତା ପାଖରେ ମୁଁ ନିରନ୍ତର ତାହାହିଁ ପ୍ରାର୍ଥନା କରି ଆସିଛି । ସିଏ ପୂର୍ଣ୍ଣ ନେତ୍ର ତଥା ପୂର୍ଣ୍ଣ ହୃଦୟରେ ଜୀବନର ବାଟଟିକୁ ଚାଲିପାରୁ, ପୂର୍ଣ୍ଣ ଭାବରେ ଆପଣାକୁ ଦେଇପାରୁ ତଥା ପୂର୍ଣ୍ଣ ଭାବରେ ଗ୍ରହଣ ବି କରିପାରୁ, ନେବାର ତଥା ଦେବାର ଭୂମି ଉପରେ ଆପଣାକୁ କେବେହେଲେ ଦରିଦ୍ର ବୋଲି ନଭାବୁ, ଆଜି ତା’ ଜନ୍ମ ଦିନରେ ମୁଁ କେବଳ ଏତିକି ପ୍ରାର୍ଥନା କରିବି । ବାପା ମାଆ ହିସାବରେ ଆମେ ତାକୁ କଦାପି ଈର୍ଷା ନକରୁ, ନିଜ ବାଟଟିକୁ ଚାଲିବାର ଯାବତୀୟ ବଳ ପାଖରେ ମୁଁ କେବଳ ଏତିକି ପ୍ରାର୍ଥନା କରୁଛି ।

 

୬ । ୫ । ୮୫

 

ସଂସାରର ସବୁ ଗାଆଁକୁ ଗଲେ ଯେତେବେଳେ ନିଜ ଭିତରେ ଠିକ୍ ନିଜ ଗାଆଁରେ ଆସି ପହଞ୍ଚିଯିବା ପରି ଅନୁଭୂତ ହେବାକୁ ଆରମ୍ଭ କରେ, ସେତେବେଳେ ନିଜ ଗାଆଁଟି ପ୍ରତି ରହିଥିବା ମମତାର ଅଂଶରେ କ’ଣ ପ୍ରକୃତରେ କୌଣସି କିଛି ଊଣା ହୋଇଯିବାକୁ ବାଧ୍ୟ ହୁଏ ? କାଲି ଦିନଟାଯାକ ମୁଁ ନିଜ ଗାଆଁରେ କଟାଇଥିଲି ଓ ଅଧିକାଂଶ ସମୟରେ ନିଜ ପାଖରେ ସେହି ପ୍ରଶ୍ନଟିକୁ ପଚାରୁଥିଲି । ମୋ’ର ସଂସାରଦେଖା ସେହି ନିଜ ଗାଆଁଟିରୁ ଆରମ୍ଭ, ମୋ’ ଜୀବନରେ ସର୍ବପ୍ରଥମେ ମଞ୍ଜିଟି ସେହି ଗାଆଁଟିରେ ହିଁ ପୋତା ହୋଇଛି । ବାହାରୁ ଅନ୍ୟ ଗୋଟାଏ ଆଖି ମାଗିକରି ଯେ ମୁଁ କେବଳ ତାହାରି ସାହାଯ୍ୟରେ ବୃହତ୍ତର ସଂସାରକୁ ଦେଖୁଛି, ସେକଥା ମଧ୍ୟ ମୋଟେ ନୁହେଁ । ସଂସାର ଭିତରେ ଏ ପର୍ଯ୍ୟନ୍ତ ଯେତେ ଆମ୍ବତୋଟା ଦେଖିଛି, ତାହା ଅତ୍ୟନ୍ତ ସ୍ଵାଭାବିକ ଭାବରେ ମୋ’ ନିଜ ଗାଆଁର ପହିଲି ଆମ୍ବତୋଟା ଗୁଡ଼ିକୁ ହିଁ ସବାଆଗ ମନେ ପକାଇ ଦେଇଛି ।

 

ଇଂରାଜୀରେ ଏହି ପ୍ରବୃତ୍ତିଟିକୁ ଅନେକ ସମୟରେ nostalgia ବୋଲି କହନ୍ତି । ମାତ୍ର ମୋ ଜୀବନରେ ମୁଁ କେବେହେଲେ ଏପରି ଏକ nostalgia ଅନୁଭବ କରିନାହିଁ । ଏଠୁ ବିରକ୍ତ ହୋଇ ସେଠାକୁ ପଳାଇବା ଯେତିକି ଅସ୍ଵାଭାବିକ, ସେଠୁ ବିରକ୍ତ ହୋଇ ଏଠାକୁ ପଳାଇ ଆସିବା ମଧ୍ୟ ହୁଏତ ସେତିକି ଅସ୍ଵାଭାବିକ । ଏହି ସବୁକିଛିକୁ ଆଦୌ ଛାଡ଼ିବାକୁ ପଡ଼ିବ ନାହିଁ, ଅଥଚ ମୋ’ ଚେତନା ଓ ମୋ ଅସ୍ତିତ୍ଵର ଦେହଟି ଅଧିକରୁ ଅଧିକକୁ ଛୁଇଁ ପାରୁଥିବ, ନିଜସ୍ୱ କରି ଚିହ୍ନି ପାରୁଥିବ । ଏହାକୁ ହୁଏତ ଏକ ସଂପ୍ରସାରଣ ବୋଲି କୁହାଯାଇ ପାରିବ । ଏହି ସଂପ୍ରସାରଣ ଦ୍ଵାରା ଗାଆଁ ଆଉ ସଂସାର ଦୁହେଁ ଦୁହିଁଙ୍କୁ ଧରି ରଖିବା ଲାଗି ସମର୍ଥ ହୁଅନ୍ତି ।

 

୧୬ । ୫ । ୮୫

 

ଯାହାକୁ ମୁଁ ବନ୍ଧୁ ବୋଲି ଗ୍ରହଣ କରିଛି, ତାକୁ କଦାପି ଗିଳି ପକାଇ ନାହିଁ । ତାକୁ ଅଧିକରୁ ଅଧିକ ସମଗ୍ର ଭାବରେ ଗ୍ରହଣ କରିବା ପାଇଁ ମୁଁ ନିଜେ ଯେଉଁପରି ଭାବରେ ପ୍ରସ୍ତୁତ ରହିବା କଥା, ସେଥିରେ କଦାପି ତ୍ରୁଟି କରିନାହିଁ ।

 

ଅନେକ ବନ୍ଧୁ ଆସିଛନ୍ତି, ଚାଲି ଯାଇଛନ୍ତି । ସେମାନେ ହୁଏତ ମୋ’ ଠାରୁ କ’ଣ ଗୋଟାଏ ଆଶା କରି ମୋ’ ପାଖକୁ ଆସିଥିଲେ, ସେହି କଥାଟିକୁ ନପାଇବାରୁ ମୋତେ ଛାଡ଼ି ଚାଲିଗଲେ । ଏହିସବୁ ଘଟଣାରେ ମୁଁ ଆଘାତ ଅନେକ ପାଇଛି, ଦୁଃଖ ପାଇଛି ସତ, ମାତ୍ର ବନ୍ଧୁତା ଉପରୁ ଉପରୁ କଦାପି ବିଶ୍ଵାସ ହରାଇ ନାହିଁ କିମ୍ବା କେବେହେଲେ ନିଜକୁ ଏକୁଟିଆ ବୋଲି ଅନୁଭବ କରି ନାହିଁ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ବନ୍ଧୁମେଳ ଭିତରେ ରହିଥିବା ସମୟରେ ମଧ୍ୟ ଏକୁଟିଆ ଅନୁଭବ କରନ୍ତି । ସେମାନେ ନିଜକୁ ହୁଏତ କାହାରି ପାଖରେ ବି ଦେଇ ପାରନ୍ତି ନାହିଁ । କେବଳ ସମସ୍ତଙ୍କ ଭିତରେ ବଡ଼ ହୋଇ ଦିଶିବେ ବୋଲି ଆଗ୍ରହୀ ହୋଇ ରହିଥାନ୍ତି-। ଜୀବନରେ କିଛି ପରି କିମ୍ବା କିଛି ହୋଇ ଦିଶିବ ବୋଲି ମୁଁ କଦାପି କିଛି କରି ନାହିଁ । ମୁଁ ଯଥାର୍ଥରେ ଯାହା ହୋଇ ପାରିଛି, ତାହା ମୋ’ର ଭିତରେ ରହିଛି । ଭିତରେ ଅନ୍ତତଃ ଏପରି ଏକ ପ୍ରତ୍ୟୟ ମୋ’ର ଚିରସାଥୀ ପରି ହୋଇ ରହିଛି, ଯାହାଫଳରେ କି ମୁଁ ନିଜ ଭିତରେ ମୋ’ର ସତକୁ ସତ କେଉଁ ପରମ ବନ୍ଧୁ ସହିତ ଏକାଠି ବାଟ ଚାଲୁଥିବା ପରି ଦେଖା ଯାଉଛି । ହୁଏତ ସେଇଥି ସକାଶେ ବାହାରେ ମଧ୍ୟ ସମସ୍ତେ ମୂଳତଃ ବନ୍ଧୁ ପରି ଦିଶିଛନ୍ତି । ବିଶ୍ଵ ଆପଣାର ଘରପରି ମନେ ହୋଇଛି । ଏବଂ, ଆପଣାର ଘରଟା ଭିତରେ, ଅନ୍ୟମାନଙ୍କ ଆଖିରେ କ’ଣ ହୋଇ ଦିଶିବାକୁ ଆଉ କାହିଁକି କାହାର ମନ ହେବ ?

 

୧୮ । ୬ । ୮୫

 

ଜୀବନରେ ଯେତେବେଳେ ଯେଉଁଥିପାଇଁ ଏକ ବ୍ୟାକୁଳତା ଅନୁଭବ କରିଛି, ତାହାକୁ ମୁଁ ଅବଶ୍ୟ ପାଇଛି । ଭଲ କରି ଜାଣିଛି ଯେ, ଏହି ବ୍ୟାକୁଳତା ଏକ ଜ୍ଵର ନୁହେଁ, ଏକ ଆତ୍ମରତି ବି ନୁହେଁ । ଆପଣାକୁ ଦେଇ ପାରିବାର ବ୍ୟାକୁଳତା, କାହାର ହୋଇ ଯିବାର ବ୍ୟାକୁଳତା, କାହାଲାଗି ସତକୁ ସତ ଦୁଆର ଖୋଲି ଦେବାର ଏକ ବ୍ୟାକୁଳତା । ହଁ, ଯାହା ମୁଁ ବ୍ୟାକୁଳ ହୋଇ ଚାହିଁଛି, ମୁଁ ତାହା ଅବଶ୍ୟ ପାଇଛି । ତେବେ ଏହି ବ୍ୟାକୁଳତା ଗୁଡ଼ିକୁ ମିଛ ବୋଲି କହିବି କିପରି ? କାହିଁକି ବା ମିଛ ବୋଲି କହିବି ?

 

ଗ୍ରାସ କରିବାର, କାହାକୁ ନଖ ବଢ଼ାଇ ଆପଣାର ଛାଇ ଭିତରକୁ ଟାଣି ଆଣିବାର ଓ ତଦ୍ଦ୍ଵାରା ଆପଣାର କାମନାରୂପୀ ବପୁଟି ବୃଦ୍ଧିଲାଭ କରୁଥିବାର ଅନୁଭବ କରିବା, ତାହା ବ୍ୟାକୁଳତା ନୁହେ, ତାହା ଏକ ପ୍ରମତ୍ତତା । ଆପଣାର ଅନୁଭବରୁ କହିବି, ମୋର ବ୍ୟାକୁଳତାଗୁଡ଼ିକ ହିଁ ମୋତେ ଆପଣାର ଅନେକ ପ୍ରମତ୍ତତାର ହାତରୁ ରକ୍ଷା କରି ପାରିଛି । ମୋ’ର ବ୍ୟାକୁଳତାଗୁଡ଼ିକ ହିଁ ମୋତେ ନିଃଶଙ୍କଚିତ୍ତ କରିଛି । ଏକୁଟିଆ ହୋଇ ରହିବାର ଅନେକ ପ୍ରମାଦ ଏବଂ ପ୍ରମତ୍ତତାରୁ ରକ୍ଷା କରିଛି-। ମୋ’ ଭିତରେ ରହିଥିବା ଡୋରଗୁଡ଼ିକ ହିଁ ମୋ’ ଜୀବନର ନାନା ବ୍ୟାକୁଳତାରେ ପରିଣତ ହୋଇ ମୋ’ର ପରିତ୍ରାଣବିଧାନ କରିଛନ୍ତି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ବ୍ୟାକୁଳତା ଗୁଡ଼ିକର ବିସ୍ତାର ବୃଦ୍ଧି ପାଇଛି, ଗଭୀରତା ମଧ୍ୟ ବୃଦ୍ଧି ପାଇଛି । ଏହି ବ୍ୟାକୁଳତା ଗୂଡ଼ିକ ହିଁ ମୋ’ର ହୃଦୟ ଓ ମୋ’ର ମସ୍ତିଷ୍କକୁ ସର୍ବଦା ପରସ୍ପରର ଅନୁକୂଳ ଅର୍ଥାତ୍ ପରିପୂରକ କରି ରଖିଛି । ପରସ୍ପରଠାରୁ ଭିନେ ହୋଇଗଲେ ଏମାନେ ସାଧାରଣତଃ ଯେଉଁସବୁ ଦୌରାତ୍ମ୍ୟର କାରଣ ହୁଅନ୍ତି, ସେହିସବୁ ଦୌରାତ୍ମ୍ୟ ମୋତେ କେବେହେଲେ ଭୋଗିବାକୁ ପଡ଼ିନାହିଁ ।

 

୫ । ୮ । ୮୫

 

ତାଙ୍କ ବଗିଚାକୁ ଯାଇ ତାଙ୍କ ସହିତ ସାକ୍ଷାତ ହେଲା ଏବଂ ତାଙ୍କ ବଗିଚାର ମାଳି ହେବାର ସୌଭାଗ୍ୟ ମଧ୍ୟ ମିଳିଲା । ଏବଂ, ମାଳି ହେଉ ହେଉ ମୁଁ କେତେବେଳେ ଯେ ନିଜ ଭିତରୁ ଏକ ଫୁଲର ଆଘ୍ରାଣ ଲାଭ କଲି, ତାହା ନିଜେ ମଧ୍ୟ ଜାଣି ପାରିଲି ନାହିଁ ।

 

ଜୀବନ ତ ନାନା ପ୍ରକାରର ରହିଛି, ନାନା ସ୍ତରର ରହିଛି । ଅନେକ ମଣିଷ ଜୀବନକୁ ଏକ ବଣିଜ କହନ୍ତି, ଆହୁରି ଅନେକ ଜୀବନକୁ ଭୋଗ, କରିବା ନିମନ୍ତେ ସଂସାରକୁ ବାହାରି ଥାଆନ୍ତି । ସେମାନେ ସତେଅବା ନିଜେ ଶିକାରୀ ହୁଅନ୍ତି, ନିଜେ ଶିକାର ବି ହୁଅନ୍ତି, ଏବଂ ସଂସାର ରୂପକ ଅରଣ୍ୟରେ ମୃଗ ମାରି ବୁଲୁଥାନ୍ତି । ମୃଗ ମାରିବାକୁ ଉପଭୋଗ ବୋଲି କହନ୍ତି । ଆଉ କ’ଣ ବି ଭୋଗ କରିବେ ବୋଲି ଜନ୍ତୁଟିଏ ହୋଇ ଆପଣାର ବାଣ ଗୁଡ଼ାକ ଆଗରେ ଧରା ଦେବାରେ ଲାଗିଥାନ୍ତି । ଏମିତି ଅନେକ ମଣିଷଙ୍କୁ ମୁଁ ଏହି ସଂସାରରେ ଦେଖିଛି, ମାତ୍ର ଏମାନେ ମୋତେ କେବେହେଲେ ଆକୃଷ୍ଟ କରି ନାହାନ୍ତି । ଏମାନେ ମୋ’ର ମିତ ଏମାନେ ମୋତେ କେବେହେଲେ ଆକୃଷ୍ଟ କରିନାହାନ୍ତି । ଏମାନେ ମୋ’ର ମିତ ହୋଇ ରହିପାରିବେ ବୋଲି ମୋ’ର କେବେହେଲେ ପ୍ରତ୍ୟୟ ହୋଇ ନାହିଁ । ମୁଁ ସଂସାରର ମାଳି ଖୋଜି ବୁଲୁଛି, ଜୀବନକୁ ଓ ସଂସାରକୁ ଯିଏ ବିଚାରଟିଏ ପରି ଅନୁଭବ କରୁଥିବ, ସେହି ବଗିଚା ଭିତରେ ମାଳିଟିଏ ହୋଇ ରହିବାକୁ ଜୀବନର ପରମକାମନା ବୋଲି ଅନୁଭବ କରୁଥିବ, ସେହି ବଗିଚାଟି ଭିତରେ ସିଏ ନୀତି ସୂର୍ଯ୍ୟଦର୍ଶନ କରି ପାରୁଥିବ, ବଗିଚା ଭିତରେ ଫୁଲ ପାଇଁ ପରିଚର୍ଯ୍ୟା କରୁ କରୁ କେତେବେଳେ ଯେ ନିଜେ ଫୁଲଟିଏ ହୋଇ ଫୁଟି ଉଠୁଥିବ, ସେ ସେକଥାକୁ ଅନୁଭବ ହିଁ କର ପାରିବ ନାହିଁ । ନିଜକୁ ଫୁଲଟିଏ ପରି ଅନୁଭବ କରିବା, ତାହା ହେଉଛି ନିଜ ଭିତରେ ସମସ୍ତେ ସଂସାରକୁ ଘ୍ରାଣ କରି ପାରିବା ।

 

୧୦ । ୧୧ । ୮୫

 

ଆଜି ନିଜର ଜନ୍ମଦିନ ଆଡ଼କୁ ମୋ’ର ସବୁକିଛିକୁ ସତେଅବା ଗୋଟିଏ ଆଖିରେ ପରିଣତ କରି ଅଣାଇବା ବେଳକୁ ମୁଁ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଗୁଡ଼ିଏ ଫୁଲ ଓ ତା’ଭିତରେ ଦୁଇଟି ପାଦ ଦେଖିବାକୁ ପାଇଲି । ଏବଂ ମନେହେଲା, ଏ ଜୀବନରେ ସବୁକିଛିକୁ ମିଶାଇ ମାତ୍ର କେତେପଦ କଥାରେ ଅବଶ୍ୟ ପ୍ରକାଶ କରାଯାଇ ପାରିବ; ସତତ ଫୁଲ ପରି ଫୁଟି ଫୁଟି ଚାଲିଥିବା, ଆଗରେ ଅତି ପାଖରେ ଦେଖୁଥିବା ଦୁଇଟି ପାଦର ପ୍ରେରଣା ପାଇ ଏହିପରି ଭାବରେ ଫୁଟି ଫୁଟି ଚାଲିଥିବ । ଏହାକୁ ଏକାଧାରରେ ଉପଲବ୍‌ଧି ବୋଲି କୁହାଯିବ, ଏକ ସମର୍ପଣ ବୋଲି ମଧ୍ୟ କୁହାଯିବ । ସମର୍ପଣ ଓ ଉପଲବ୍‌ଧି,–ଇଏ ସତେଅବା ସେହି ଗୋଟିଏ ସତ୍ୟର ଏପାଖ ଆଉ ସେପାଖ ।

 

ଆଗରେ ଆହୁରି କେତେ ବାଟ ଅପେକ୍ଷା କରି ରହିଛି, ସେହି ବାଟ ମୋତେ ବନ୍ଧୁ ପରି ଆକର୍ଷଣ କରି ନେଉଛି । ଏହିବାଟ ସରିଲେ ଯାଇ ମୁଁ ଲକ୍ଷ୍ୟରେ ପହଞ୍ଚିବି, ଆଶା କରି ଆସିଥିବା ଦ୍ରବ୍ୟ ଅଥବା ସମ୍ପଦଟିକୁ ପାଇବି, ଆଉ ଏପରି ମୋଟେ ଅନୁଭବ ହେଉନାହିଁ । ଏହି ବାଟ ଚାଲିବା ହିଁ ହେଉଛି ପାଇବାର ଅନ୍ୟ ନାମ । ଆଗରେ ଆଖି ଯୋଉଯାଏ ବାଟଗୁଡ଼ିକ ପଡ଼ି ଥିବାର ଦେଖି ପାରିଛି, ସେ ଯାଏ ସେହି ପାଦ ଦୁଇଟି ପଡ଼ି ପଡ଼ି ଯାଉଥିବାର ମୁଁ ଅନୁକ୍ଷଣ ଅନୁଭବ କରି ଆସିଛି । ବାଟରେ ଚାଲି ପାରିବି ବୋଲି ଅବାଟ ଗୁଡ଼ାକ ବିଷୟରେ ସାବଧାନ ରହିବାର ନୀତିଚିନ୍ତା ମୋତେ କେବେହେଲେ ବିପର୍ଯ୍ୟସ୍ତ କରି ପକାଇ ନାହିଁ । ବରଂ ଓଲଟାଟା ହିଁ ହୋଇଛି, ବାଟ ଚାଲିବାର ଆନନ୍ଦରେ, ସେହି ପାଦ ଦୁଇଟିକୁ ଆଗେ ଆଗେ ପଡ଼ି ପଡ଼ି ଯାଉଥିବାର ଦୃଢ଼ ପ୍ରତିଶୃତି ମଧ୍ୟରେ ତଥାକଥିତ ଅବାଟ ଗୁଡ଼ାକ ସତେଅବା ବାଟରେ ପରିଣତ ହୋଇ ଯାଇଥିବା ପରି ମନେ ହୋଇଛି-

 

୨୮ । ୧୧ । ୮୫

 

ଗର୍ବୀମାନେ କଦାପି ମୋ’ର ଗର୍ବକୁ ବୁଝି ପାରିବେ ନାହିଁ । ଗର୍ବୀର ଗର୍ବ ଯଶରେ, ଗର୍ବର ଗର୍ବ ଅଧିକରୁ ଅଧିକ ଅଧିକାର କରିବାରେ, ଅଧିକରୁ ଅଧିକ ବଡ଼ ହୋଇ ଦିଶିବାରେ; ମୋ ଆଗ୍ରହର ତେଣିକି ମୋଟେ କୌଣସି ଚାଷ ନାହିଁ । ନିଜକୁ ମୁଁ ଯେତେବେଳେ ଖୁବ୍ ଖୁସୀ ହୋଇ ଅତି ନିବିଡ଼ ଭାବରେ ଭାବେ ବା ଅନୁଭବ କରେ, ସେତେବେଳେ ମୁଁ ନିଜର ଆଖିପାଇଁ ସତକୁ ସତ ଗୋଟିଏ ଫୁଲବଗିଚା ପରି ଦିଶେ । ସେହି ଫୁଲବଗିଚାକୁ ଆସିବା ମାତ୍ରକେ ସମସ୍ତେ ଖୁସୀ ହୋଇ ଯାଉଥାନ୍ତି, ଆପଣା ଭିତରର ପିଲାଟିକୁ, ନିଜକୁ ଗୋଟାସୁଦ୍ଧା ଦେଇ ଦେବାକୁ ଇଚ୍ଛା କରୁଥିବା ପ୍ରେରକଟିକୁ ଅନୁଭବ କରିବା ମାତ୍ରେ ମଣିଷ ନିଜ ଭିତରେ ଯେତିକି ସହଜ ଓ ସୁନ୍ଦର ଦେଖାଯିବ ଓ ଯେତିକି ଖୁସୀ ଲାଗିବ, ଠିକ୍ ସେତିକି ଖୁସୀ ହୋଇ ଯାଉଥାନ୍ତି । ମୋ’ର ଗର୍ବ ସେହି ଖୁସୀ ମଣିଷମାନଙ୍କୁ ନିଜର ବଗିଚାଟି ଭିତରେ ବିଚରଣ କରୁଥିବାର ଦେଖିଲେ ।

 

ଏହି ବଗିଚାଟିକୁ ସର୍ବପ୍ରଥମେ ଦେଖେ ବୋଲି ମୁଁ ତା’ ଉପରେ ରହିଥିବା ଆକାଶକୁ ମଧ୍ୟ ଦେଖିପାରେ; ଆକାଶକୁ ପରିପୂର୍ଣ୍ଣ କରି ରଖିଥିବା ଆଲୋକକୁ ମଧ୍ୟ ଦେଖିପାରେ । ମୋ’ର ସେହି ଫୁଲବଗିଚାଟିର ମାଧ୍ୟମରେ ମୁଁ ଅନ୍ୟ ସମସ୍ତଙ୍କୁ ଦେଖେ । ସେମାନଙ୍କ ଭିତରେ ଯେ ଫୁଲବଗିଚାଟିଏ ଅଛି, ସ୍ନେହଶୀଳ ମାଳିର ହୃଦୟଟିଏ ରହିଛି, ଅତି ନିକଟରେ ପାଇଲେ ମୁଁ ତାହାହିଁ ଆବିଷ୍କାର କରିବାକୁ ଧାଇଁ ଯାଇଥାଏ । ସେହି ସଖ୍ୟ ହେଉଛି ମୋ’ର ଗର୍ବ । ମୋ’ର ସଖ୍ୟଧନ ହେଉଛି ମୋ’ର ଅସଲ ଧନ ।

 

୪ । ୧୦ । ୮୫

 

ଦାରିଦ୍ର୍ୟ ପ୍ରକୃତରେ କେଉଁଠି ଅଛି ବୋଲି ମୁଁ କିପରି ବା କହିବି ? ଅଣ୍ଟି, ସରୁ ସରୁ ଅଣ୍ଟି ଭରି ଯାଉଛି । ଅଭାବ ବୋଲି ଏକ ଦୁର୍ଦ୍ଦଶାବୋଧ ଦୁଆର ପାଖରେ ଆସି ନପହଞ୍ଚୁଣୁ ଭାବର ଅଜସ୍ର ପ୍ରତୀତି ସତେଅବା ମୋ’ର ଦିଗ୍‌ବଳୟ ହୋଇ ମୋତେ କୁଣ୍ଢାଇ ଧରୁଛି ଓ ମୋ’ର ସକଳ ଦାରିଦ୍ର୍ୟରୁ ମୋତେ ମୁକ୍ତ କରି ଦେଉଛି ।

 

ଅଭାବ କୁଆଡ଼େ ଅନେକ ପ୍ରକାରର ଥାଏ । ଯେଉଁ ସାଧବମାନେ ସଂସାରଟାଯାକକୁ ଆଣି ଘରେ ପୂରାଇ ପାରିଲେ ଏବଂ ସମସ୍ତଙ୍କ ଠାରୁ ଅଧିକ ବଡ଼ ହୋଇ ଦିଶିପାରିଲେ ଯାଇ ଅଭାବ ମେଣ୍ଟିପାରିବ ବୋଲି ଭାବୁଥାଆନ୍ତି, ଅଭାବ ହୁଏତ ସେହିମାନଙ୍କୁ ଘାରି କରି ରଖିଥାଏ । ନାନା ସଂଗ୍ରହର ଉତ୍ତେଜନାରେ ସେମାନେ ଅସଲ ଡୋରଗୁଡ଼ାକୁ ଦେଖି ପାରନ୍ତି ନାହିଁ ଓ ସେଇଥି ସକାଶେ ଡୋର ଛିଣ୍ଡା ହୋଇ ରହିଥାଆନ୍ତି । ଡୋର ଛିଣ୍ଡିଥିବା ମଣିଷ ଭାବରେ କଥା କୁଆଡ଼େ ଜାଣିବ ? ଡୋର ପ୍ରକୃତରେ ଛିଣ୍ଡେ ନାହିଁ । ଅନେକ ସମୟରେ ଯେତେବେଳେ ଯାବତୀୟ ଡୋରକୁ ସତେଅବା ଏକ ପାପିଷ୍ଠ କାର୍ପଣ୍ୟର ବଶବର୍ତ୍ତୀ ହୋଇ ବିଣ୍ଡୁଳାଟିଏ କରି ନିଜର ମୁଠାରେ ଜାବୁଡ଼ି ଧରିବାକୁ ମନ ହୁଏ, ହୁଏତ ସେତିକିବେଳେ ଡୋରଛିଣ୍ଡା ହେବାର ଦୁର୍ଗତି ଭୋଗ କରିବାକୁ ପଡ଼େ । ସେହି ଦୁର୍ଗତି ମୋର କେବେ ହୋଇନାହିଁ । ଭାବରୁ ବଞ୍ଚିତ ମଣିଷମାନେ ଖୁଣ ଗୁଡ଼ାକର ଗବେଷଣା କରିବାକୁ କେଡ଼େ ଆଡ଼ମ୍ବରରେ ଆସି ମୋ’ ପାଖରେ ପହଞ୍ଚିଛନ୍ତି, ମାତ୍ର ମୋ’ର ଏହି ଅଜସ୍ର ଡୋର ଲାଗିଥିବା ଘରଟିକୁ ଦେଖି ଲାଜରା ହୋଇ ବାହୁଡ଼ି ଯାଇଛନ୍ତି । ନିଜ ଭିତରେ ଅସଲ ଘରଟିକୁ ପାଇ ନଥିବା ଦୁର୍ଗତମାନେ ସମ୍ଭବତଃ ଏହି ଗବେଷଣାକୁ ମନ କରନ୍ତି । ଭିତରେ ଘରଟିକୁ ନପାଇ ଥିଲେ ବାହାରେ ମଧ୍ୟ ଆଦୌ କୌଣସି ଘରର ଠାବ କରି ହୁଏ ନାହିଁ ।

 

୧୯୮୬

୧୪ । ୫ । ୮୬

 

କାଲି ଜଣେ ବନ୍ଧୁ ମୋତେ ସତେଅବା ସାବାସ୍ ଦେଇ କହିଲେ ଯେ, ମୁଁ ମୋ’ ନିଜ ଦେହକୁ ଅକ୍ତିଆରରେ ରଖି ପାରୁଛି ଓ ତେଣୁ ସୁସ୍ଥ ରହିପାରିଛି ।

 

ମୁଁ କୋଉଠି କୋଉ କଥାକୁ ଅକ୍ତିଆରରେ ରଖି ପାରିଛି, ସେକଥା ମୁଁ ନିଜେ ମଧ୍ୟ କେବେହେଲେ ବିଚାର କରି ପାରିନାହିଁ । ଫୁଲ ବଗିଚାରେ ପଶି କେହି କ’ଣ କେବେ ଆପଣାକୁ ଅକ୍ତିଆରରେ ରଖିପାରେ ? ଚାରିପାଖଯାକ ଚଢ଼େଇମାନେ ଗୀତ ଗାଉଥିବା ସମୟରେ କ’ଣ କେବେହେଲେ ନିଜକୁ ଅକ୍ତିଆରରେ ରଖିହୁଏ ? ଭଲ କରି ମନେ ଅଛି, ସେହି ପ୍ରଥମ କାଳରେ, ଯେତେବେଳେ ଏଘରେ ମୋଟେ ପଶି ନଥିଲି, କେତେ ବହି ପଢ଼ି କେତେଆଡ଼ୁ କେତେ ନିୟମ ସାଉଁଟି ମୁଁ ସେତେବେଳେ ନିଜକୁ ନାନାବିଧ ଅକ୍ତିଆର ଭିତରେ ରଖିବି ବୋଲି କେତେ ମିହନ୍ତ କରୁଥିଲି । ମୋ’ର ଏହି ବିକଳଗୁଡ଼ାକ ଦେଖି କୋଉ ବନ୍ଧୁର କି ଦୟା ହେଲା କେଜାଣି, ସିଏ ଏକାବେଳକେ ଆସି ମୋ’ ସାମନାଟାରେ ଉଭା ହୋଇଗଲା ଓ ମୁଁ ଚାହୁଁ ଚାହୁଁ ସତେଅବା ମୋ’ ଭିତରକୁ ପଶିଗଲା । ମୁଁ ସେଇ ଦିନଠାରୁ ତାହାରି ସେହି ସ୍ପର୍ଶଟିକୁ ବହନ କରି ବାଟ ଚାଲୁଛି, ସେହି ଦିନଠାରୁ ମୁଁ ସୁସ୍ଥ ଅଛି । ନିଜ ଭିତରେ ତ ଦୂରର କଥା, ବାହାରେ ଅନ୍ୟମାନଙ୍କ ଭିତରେ ମଧ୍ୟ ରୋଗ ଗୁଡ଼ାକୁ ଗବେଷଣା କରି ଦେଖିବାର ଆଗ୍ରହଟି ସେଇଦିନ ଠାରୁ ସଂପୂର୍ଣ୍ଣ ଭାବରେ ଚାଲିଯାଇଛି । ମୁଁ ସେହି ସ୍ପର୍ଶ ଭିତରେ ହିଁ ବଞ୍ଚିଛି । ସ୍ପର୍ଶ ଭିତରେ ନିଜକୁ ଅନୁଭବ କରିପାରୁଛି । ସ୍ପର୍ଶଟି ପାଉ ନଥିଲେ ସିନା ମୁଁ ରୋଗ ପାଇଁ ଯୋଗ୍ୟ ହୋଇ ପାରୁଥାନ୍ତି ।

 

୧୮ । ୫ । ୮୬

 

ଗହୀର ପରେ ଗହୀର, ତୋଟା ପରେ ତୋଟା ଓ ନଈ ପରେ ନଈ ପାର ହେଉ ହେଉ କେତେବେଳେ ଯେ କଟକ ଯାଇ ବାଗଲପୁର ପଡ଼େ, ଏବଂ ବାଲେଶ୍ଵର ଯାଇ ଜଳେଶ୍ଵର ପଡ଼େ, ସେକଥା ମୋଟେ ଠଉରାଇ ହୁଏ ନାହିଁ । ବିଲକୁ ବିଲ ଲାଗିଥାଏ, ତୋଟାକୁ ତୋଟା ଲାଗିଥାଏ ଓ ନଈକୁ ନଈ ଲାଗିକରି ରହିଥିବା ପରି ଅନୁଭବ ହୁଏ ନାହିଁ । ଏମିତି ଓଡ଼ିଶା ଯାଇ ବଙ୍ଗଳା ପଡ଼େ; ଭାରତବର୍ଷ ଯାଇ ବ୍ରହ୍ମଦେଶ ବି ପଡ଼େ । ଭୌଗଳିକମାନେ ଅନେକ ସମୟରେ କୌଣସି ନଈକୁ ଦୁଇ ଦେଶ ମଧ୍ୟରେ ଗୋଟିଏ ଚିହ୍ନଟକାରୀ ସୀମାରୂପେ ସୂଚାଇ ଦେଇଥାନ୍ତି । ମାତ୍ର, ମତେ ଲାଗେ, ସତେ ଯେପରି ଏହି ନଈ ଗୁଡ଼ିକ ହିଁ ସୂତ୍ର ହୋଇ ଏପାଖଟି ସହିତ ସେପାଖଟିକୁ ଯୋଡ଼ିକରି ରଖିଥାନ୍ତି । ନଈମାନେ ସେତୁପରି କାର୍ଯ୍ୟ କରନ୍ତି ।

 

ହୁଏତ ଏହି ସୂତା ନଈ ଭିତରେ ନାହିଁ, ଏହି ସୂତା ହୃଦୟ ଭିତରେ ରହିଛି । ସେହି ହୃଦୟର କ୍ଷେତ୍ରରେ ହିଁ ଆପଣା ସହିତ ଭୁବନଯାକର ସବୁକିଛି ସହିତ ସେତୁ ବନ୍ଧା ହୋଇ ରହିଛି । ତେଣୁ, ସୀମା ବୋଲି ଆଉ କୋଉଠି କିଛି ନାହିଁ । ନିଜର କୌଣସି ବୁଦ୍ଧି ଓ ବୁଦ୍ଧି ଆପଣା ଆଉ ମଝିରେ କାନ୍ଥ ହୋଇ ଛିଡ଼ା ହୋଇ ବ୍ୟବଧାନ ସୃଷ୍ଟି କରିବାଲାଗି ସାହସ କରି ପାରୁ ନାହିଁ । ଇଏ କ’ଣ ପ୍ରକୃତରେ କମ୍ ବିଜୟ ? ବିଶେଷତଃ, ଖୁସୀର ପ୍ରସାରଣ ଦ୍ଵାରା ଯେଉଁ ବିଜୟ ହାସଲ କରାଯାଏ, ଯେଉଁ ବିଜୟ ହାସଲ କରିବା ପାଇଁ ନିର୍ଦ୍ଦିଷ୍ଟ କାହାରି ଉପରେ ବିଜୟ ଲାଭ କରିବା ପାଇଁ, କାହାକୁ ଟପି ଚାଲିଯିବା ପାଇଁ ଆଦୌ କୌଣସି କ୍ଲେଶ କରିବାକୁ ପଡ଼େନାହିଁ, ସେଇଟି କ’ଣ କମ୍ ବିଜୟ ?

 

୧୭ । ୯ । ୮୬

 

ମୋ’ର ପୂର୍ବଜନ୍ମ ଗୁଡ଼ିକରେ ଖବରକାଗଜ ଗୁଡ଼ିକ ପ୍ରତି ସଂସାରରେ ଏତେ ମାୟା ଥିଲା କି ନାହିଁ ଓ ଖ୍ୟାତି ନିମନ୍ତେ କେତେ ମଣିଷ ଏଡ଼େ ବିଡ଼ମ୍ବନାତ୍ମକ ଭାବରେ ପ୍ରଲୋଭିତ ହୋଇ ରହିଥିଲେ କି ନାହିଁ, ମୁଁ ସେକଥା ଜାଣେ ନାହିଁ । ମାତ୍ର, ମୁଁ ତଥାପି ଏତିକି ଅନୁଭବ କରି ପାରୁଛି, ସେହି ଗାର ଗୁଡ଼ାକୁ ମୁଁ ସେହି ଅତୀତରେ ଆଉ କୋଉ ଜନ୍ମରେ ଛାଡ଼ି ଦେଇ ଆସିଛି । ଦିହରୁ ପୁରୁଣା ଖୋଳ ଖସିପଡ଼ିଲା ପରି ସେହି ଲୋଭଗୁଡ଼ିକ ମୋ’ର ଅନୁରାଗ ଗୁଡ଼ିକୁ ପରିଚାଳିତ କରୁଥିବା ଯାବତୀୟ ନିଘା ଉପରୁ ପ୍ରକୃତରେ ଖସି ପଡ଼ିଛି, କୋଉଠି ସେଇ ପଛରେ ରହି ଯାଇଛି ।

 

ଖବରକାଗଜର ମାୟା ଭିତରେ ପଡ଼ିଥିବା ମଣିଷମାନେ ପୃଥିବୀରେ ଏବେ ମଧ୍ୟ ଅଛନ୍ତି, ସେମାନେ ସବୁଦିନ ଲାଗି ହୁଏତ ଅଲବତ ରହିବେ । ସେମାନଙ୍କ ସହିତ ମୋ’ର ଆଦୌ କୌଣସି ବାଦ ନାହିଁ । ମୁଁ ସେମାନଙ୍କୁ ଭଲ ଭାବରେ ବୁଝି ପାରୁଛି । ଗୋଟାଏ ନିର୍ଦ୍ଦିଷ୍ଟ ଖୋଳ ପ୍ରତି ଆସକ୍ତ ହୋଇ ରହିବା ପଛରେ ପ୍ରତେକ ବ୍ୟକ୍ତିର ନିଜସ୍ୱ କାରଣମାନ ଅବଶ୍ୟ ରହିଛି । ସେମାନେ ତା’ର ଭିତରେ ଥାଆନ୍ତୁ । ସେମାନଙ୍କର ଗାର ଭିତରେ ପଶିଲେ ମୋତେ ଯେ କଦାପି ଶ୍ଵସ୍ତିକରଲାଗିବ ନାହିଁ, ମୁଁ ସେକଥା ଭଲକରି ଜାଣିଛି । ଜୀବନରେ ଅନ୍ୟ ନାନା ଅନୁରୋଧ ମଧ୍ୟ ରହିଛି, ଯେଉଁଟିପାଇଁ ନିଜ ଭିତରେ ଥାନଟିଏ କରି ପାରିଲେ ଖବରକାଗଜକୁ ମନ ହୁଏ ନାହିଁ, ଖ୍ୟାତିକୁ ମଧ୍ୟ ମୋଟେ ମନ ହୁଏ ନାହିଁ । କାହାର ଆସକ୍ତି ଗୁଡ଼ାକୁ ଦେଖି ଈର୍ଷା ଜାତ ହୁଏ ନାହିଁ ସତ, ମାତ୍ର ତଥାପି ସ୍ଵାଭିମାନଟି ହରାଇବାକୁ ବି ମନ ମୋତେ ଡାକେନାହିଁ । ମୋ’ ଖିଅ ଗୁଡ଼ିକ ମୋର ସ୍ଵନିର୍ବାଚିତ ଥାନ ଗୁଡ଼ିକରେ ଲାଗି ରହିଥାଉ । ତାହା ହିଁ ପରମ ସୌଭାଗ୍ୟ ।

 

୧୮ । ୯ । ୮୬

 

ସଂସାରରେ ଏପରି କେତେକ ମଣିଷ ଥାଆନ୍ତି, ଯେଉଁମାନେ ଆପଣାକୁ କେଉଁଠି ହେଲେ ଦେଇ ପାରିନଥାନ୍ତି, ଯେଉଁମାନେ କି ଆଦୌ କାହାରି ହେଲେ ହୋଇ ପାରି ନଥାନ୍ତି । ଅଥଚ, ସେମାନେ ସବୁ ଥାନରେ ସବାଉଚ୍ଚ ଥାନରେ ଯାଇ ବସି ରହିବାକୁ ଅଭିଳାଷ ରଖିଥାନ୍ତି । ଯିଏ ଜୀବନରେ ସତକୁ ସତ କୋଉ ଘରକୁ ହେଲେ ଆଦରି ପାରିନଥାଏ, ବୋଧହୁଏ ସେହି ମଣିଷ ହିଁ ସବୁ ଘରେ ପଶି ଶିକା ଛିଣ୍ଡାଇବା ପାଇଁ ହକହକ ହେଉଥାଏ ।

 

କାହାରି ହେବାକୁ ହେଲେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଓହ୍ଲାଇ ଆସିବାକୁ ପଡ଼େ । କୌଣସି ଥିରେ ସତକୁ ସତ ହୃଦୟ ବାନ୍ଧି ହୋଇ ପଡ଼ିଲେ ଏକାବେଳେକେ ନିକଟକୁ ନଆସି ପାରିବା ପର୍ଯ୍ୟନ୍ତ ମନ ଥୟ ହୁଏନାହିଁ । ଅସଲ ଆଗ୍ରହମାନ ହୃଦୟରୁ ହିଁ ଜନ୍ମଲାଭ କରେ । ମାତ୍ର, ଯେଉଁମାନେ ସବୁଘରେ ପଶି ସବାଉଚ୍ଚ ପିଢ଼ାଟି ଉପରେ ବସି ରହିବାକୁ ଛନଛନ ହେଉଥାନ୍ତି, ସେମାନେ ହୃଦୟଟାକୁ କୋଉତଳେ ନେଇ ପୋତି ରଖିଥାନ୍ତି । ଆମ ସମାଜରେ ଏମାନେ ଉପରେ ଯାଇ ବସିଥାନ୍ତି, ସମସ୍ତଙ୍କଠାରୁ ଅଧିକ ରୋଜଗାର କରୁଥାନ୍ତି; ତଥାପି କୋଉଠି କ’ଣ ସବୁ ଅଭାବ ରହି ଯାଇଥାଏ କେଜାଣି, ଯେଉଁଠାକୁ ଗଲେ ମଧ୍ୟ, ସବା ଉପରେ ଯାଇ ନବସିଲେ, ସେମାନଙ୍କୁ ଆଦୌ ବସିଲାପରି ଅନୁଭବ ହୁଏ ନାହିଁ । ସେମାନେ କେଉଁଠି ହେଲେ ସାଙ୍ଗରେ ବସି ପାରନ୍ତି ନାହିଁ । ହୁଏତ ତାହାହିଁ ସେମାନଙ୍କ ଭିତରେ ଅତ୍ୟନ୍ତ ଅବଚେତନ ଭାବରେ ଏକ ନିଃସଙ୍ଗତାକୁ ଜନ୍ମ ଦିଏ ଏବଂ ସେମାନେ ନାନାବିଧ ଅହଙ୍କାରିତା ଏବଂ ତୁଛା ଉଚ୍ଚ–ଆକାଙ୍‌କ୍ଷା ଦ୍ଵାରା ସେହି ନିଃସଙ୍ଗତାକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଥାନ୍ତି ।

 

୧୯ । ୯ । ୮୬

 

ଶୁଣୁଥିବ, ମାତ୍ର କାନ ଦେଉ ନଥିବ । କାନ ସେଇ ଭିତର ଆଡ଼କୁ ଦେଇଥିବ, ଭିତରୁ ଯାହାକିଛି ଶୁଣିବାର ଶୁଣୁଥିବ । ଅର୍ଥାତ୍ ଅସଲ ଜାଣିବା, ଅସଲ ଶୁଣିବା ଓ ଅସଲ ଗ୍ରହଣ ଅଥବା ଅସଲ ବର୍ଜନ ସେଇ ଭିତରୁ ହେଉଥିବ । ବାହାରଟା ଭିତରେ ଅନେକ ସମୟରେ ଭିତରଟା ସତେଅବା ମୋଟେ ଥିବାପରି ମନେ ହେଉନଥାଏ । ମାତ୍ର, ଅସଲ ଭିତରଟିଏ ବାହାର ସର୍ବଦା ରହିଥାଏ । ଏହି ବାହାରକୁ ଦେଖିବା ନିମନ୍ତେ ଆମେ ଭିତରୁ ଯେଉଁପରି ଆଖିଟିଏ ବା ଅଭିପ୍ରାୟଟିଏ ମାଗି ଆଣିଥାଉ, ବାହାରକୁ ଆମେ ନିୟମତଃ ସେହି ଆଖି ଦ୍ଵାରା ଦେଖୁ, ଠିକ୍ ସେହି ଅଭିପ୍ରାୟ ଦ୍ଵାରା ଦେଖୁ ।

 

ଅନେକ ମଣିଷ ଅଛନ୍ତି, ଯେଉଁମାନେ କେବଳ ଏହି ବାହାରଟାକୁ ବାହାରଟା ଦେଇ ଦେଖିବେ ବୋଲି ପଣ କରି ରହିଥାନ୍ତି । ସତେଅବା ଭିତରଟାକୁ ମୋଟେ ଦେଖିବେ ନାହିଁ ବୋଲି ପଣ କରିଥିବାରୁ ହିଁ ତୁଚ୍ଛା ବାହାରଟା ଭିତରେ ବାହାରକୁ ଦେଖୁଥାନ୍ତି । ନାନା କାରଣରୁ ନିଜର ଭିତର ଆଉ ବାହାର ମଧ୍ୟରେ ଗୋଟାଏ ମାମଲତକାରିଆ କାନ୍ଥ ହୋଇ ଛିଡ଼ା ହୋଇଥାନ୍ତି । କେବଳ ବାହାରଟାକୁ ଦେଖି ବାହାରଟାର ସବୁ ଦେଖି ପାରୁଛନ୍ତି ବୋଲି ସେମାନେ ଉପରକୁ କେଡ଼େ ଖୁସୀ ଦେଖା ଯାଉଥାନ୍ତି । ସେମାନେ ପ୍ରକୃତରେ ବଡ଼ ଦୁଃଖୀ । ଯିଏ ସେତୁଟିକୁ ନଚିହ୍ନେ, ସିଏ ପ୍ରକୃତରେ ଭାରି ଦୁଃଖୀ । ଯିଏ ସେତୁଟିକୁ ଦେଖି ପାରେ ନାହିଁ, ସିଏ କଦାପି ସଂପୂର୍ଣ୍ଣ ଭାବରେ ବାହାରଟାକୁ ଦେଖିପାରେ ନାହିଁ । ନିଜ ଭିତରେ କୋଉଠି କାହାର ସାମନା କରି ପାରୁ ନଥାଏ ବୋଲି ସତେଅବା ବାଆଁରେଇ ହୋଇ ବାହାରେ ହିଁ ବୁଲୁଥାଏ ।

 

୨୦ । ୯ । ୮୬

 

ସତ୍ୟକୁ ଖୋଜିବା ଲାଗି ଆଦୌ କୁଆଡ଼େ ଯିବାକୁ ପଡ଼େ ନାହିଁ । ସତ୍ୟକୁ ଖୋଜିବା ଅର୍ଥ ସତ୍ୟ ଲାଗି ମନ କରିବା, ସତ୍ୟ ଲାଗି ସମ୍ମତ ହେବା । ମୁଁ ପ୍ରକୃତରେ ସତ୍ୟର ପକ୍ଷରେ ରହିବି ବୋଲି ମନ କରିବା ମାତ୍ରକେ ସତ୍ୟ ଜଳଜଳ ହୋଇ ଦେଖାଯାଏ । ତେଣୁ, ସତ୍ୟକୁ ପାଇବାଟା ତାହାକୁ ଠିକ୍ ଆବିଷ୍କାର କରିବାପରି ହିଁ ଲାଗେ । ମନେହୁଏ, ସତ୍ୟ ଯେପରି ମୋ’ରି ଭିତରେ ସତକୁ ସତ କୋଉଠି ରହିଥିଲା, ମୁଁ ଢାଙ୍କୁଣୀଟିକୁ ଖୋଲି ନଥିଲି ବୋଲି ମୋତେ ଦୃଶ୍ୟ ହୋଇ ପାରୁନଥିଲା । ମୁଁ ସମ୍ମତ ହେବା ମାତ୍ରକେ ସେହି ଢାଙ୍କୁଣୀଟି ଖୋଲିଗଲା । ଏବଂ, ମୁଁ ଯେଉଁଠାରେ ଥିଲି, ସେହିଠାରେ ହିଁ ସତ୍ୟକୁ ଆବିଷ୍କାର କଲି ଓ ମୋ’ର ସଙ୍ଗୀରୂପେ ଆବିଷ୍କାର କଲି ଓ ମୋ’ର ଆଖିରୂପେ ଆବିଷ୍କାର କରି ପାରିଲି । ସତ୍ୟ ହୁଏତ କେଉଁଠି ମୋ’ର ନାନା ସମ୍ବନ୍ଧ ଭିତରେ ରହିଥିଲା ଓ ମୁଁ ସମ୍ମତ ବା ପ୍ରସ୍ତୁତ ହେବା ମାତ୍ରକେ ତାହା ସତେଅବା ମୋତେ ଜଳ ଜଳ ହୋଇ ଦିଶିଯିବାକୁ ଲାଗିଲା । ସତେଅବା ମୁଁ ଦୁଆର ଖୋଲି ଦେଲି, ଦୁଆର ଖୋଲି ଦେବାଟା ହିଁ ପାହାଚେ ଉପରକୁ ଅର୍ଥାତ୍ ପାଖକୁ ଉଠିଗଲା ପରି ମନେହେଲା ଏବଂ ମୁଁ ସତ୍ୟକୁ ଭେଟିଲି ।

 

ସତ୍ୟଗୁଡ଼ାକୁ ବହିଭିତରେ ଖୋଜୁଥିବା ପର୍ଯ୍ୟନ୍ତ ତାହା ସତେଅବା ବହୁଦୂର ହୋଇ ରହିଥାଏ । ତାକୁ ମନ କଲେ ସତେଅବା ବହୁ କସରତ କରି ତା’ପାଖକୁ ଯାଇ ପାରିଲେ ଯାଇ ଯାଇହେବ ବୋଲି ମନେ ହେଉଥାଏ । କସରତ କରିବାକୁ ଭଲ ବି ଲାଗୁଥାଏ । ସେହି କସରତକୁ ପୁଣି ଅନେକ ସମୟରେ ସାଧନା ବୋଲି କୁହାଯାଏ ।

 

୨୧ । ୯ । ୮୬

 

ସମ୍ମତି ଦେବା ଦିନୁଁ ସବୁ ସହଜ ହୋଇ ଯାଇଛି । ଆଗରୁ ଶାସ୍ତ୍ର ପଢ଼ୁଥିଲି, କେତେ ପାଖକୁ ଆସିଲି, ଅଥବା ଏକାବେଳେକେ ପାଖ ହୋଇ ପାରିବା ନିମନ୍ତେ ମୋ’ର ଆଉ କେତେ ବାଟ ବାକୀ ରହିଲା, ଅନ୍ୟମାନଙ୍କର ଅଧିକ ସଂକୀର୍ତ୍ତିତ ବାଟଗୁଡ଼ିକର ଅନୁସରଣ କଲେ ହୁଏତ ମୁଁ ଅଧିକ ତ୍ୱରାନ୍ୱିତ ଭାବରେ ମୋ’ ଥଳିଟିରେ ସତକୁସତ ପହଞ୍ଚି ପାରିବି କି ନାହିଁ, ସେତେବେଳେ ଏଗୁଡ଼ାକୁ ନେଇ କେତେ ଭାବୁଥିଲି । ବାଟମାନଙ୍କ ବିଷୟରେ କେତେ କଥା କହିବାକୁ ଓ ଶୁଣିବାକୁ ଭାରି ମନ ହେଉଥିଲା । ପସନ୍ଦ ଅପସନ୍ଦ ବି କିଛି କମ୍ ଆଦୌ ନଥିଲା ।

 

ବର୍ତ୍ତମାନ ଭାବୁଛି ଏହି ଯାବତୀୟ ସକ୍ରିୟତା ସତ୍ତ୍ୱେ ଅସଲ ସମ୍ମତିଟିର ଘରେ ସମ୍ଭବତଃ ତଥାପି କିଛି ବାକୀ ରହି ଯାଇଥିଲା । ବାକୀ ରହି ଯାଇଥିଲା ବୋଲି ମୁଁ କଥାରେ, ମତ ଦେବାରେ ଓ ସେହିପରି ଆହୁରି ନାନା ଭାବରେ ତାହାର ଭରଣା କରିବାକୁ ଖୁବ୍ ଚେଷ୍ଟା କରୁଥିଲି । ନିଜ ପାଖରେ ଓ ଅନ୍ୟମାନଙ୍କ ପାଖରେ ଖଣ୍ଡିଆ ହୋଇ ଦିଶିବାକୁ ଭାରି ଡରୁଥିଲି । ଏହି ସବୁକିଛିର ସମାଧାନ ଖାଲି ସମ୍ମତ ହେବାରେ ହିଁ ରହିଥିଲା । ଆଗର ସଦର ମଫସଲ ସବୁକଥା ବୁଝି ମୁଁ ତା’ପରେ ଯାଇ ଯେ ସମ୍ମତି ଦେଲି, ସେକଥା ଆଦୌ ନୁହେଁ । ହଁ, ପ୍ରକୃତରେ କାହିଁକି ସମ୍ମତି ଦେଲି-? ସେ ପାଖରୁ ବି ଆଦୌ କୌଣସି ବାଧ୍ୟ ବାଧକତା ନଥିଲା, କୌଣସି ଅଧୀରତା ନଥିଲା । ସମ୍ମତି ଦେବାର ବେଳଟି ଆସିଗଲା, ତେଣୁ ମୁଁ ସମ୍ମତି ଦେଲି । ଏତିକି ବ୍ୟତୀତ ମୋ’ ପାଖରେ ତାହାର ଆଉ ଆଦୌ କୌଣସି ବ୍ୟାଖ୍ୟା ନାହିଁ । ବ୍ୟାଖ୍ୟା ଗୁଡ଼ାକ ମଧ୍ୟ ସେହି ପୁରୁଣା ରୀତି ଗୁଡ଼ାକର କଥା-। ମୁଁ ଏ ପାଖରେ ସମ୍ମତି ଦେବା ଦିନଠାରୁ ସେ ପାଖର ରୀତିକୁ ହୁଡ଼ିଦେଇ ଚାଲି ଆସିଛି ।

 

୨୨ । ୯ । ୮୬

 

ପ୍ରଶଂସା କରୁଥିବା ମଣିଷର ପ୍ରଶଂସା ଶୁଣୁଥିବା ସମୟରେ, ସେହି ମଣିଷଟି ପ୍ରକୃତରେ ତୁମର ପ୍ରଶଂସା କରୁଛି ଅଥବା ପ୍ରଶଂସା କରିବା ନାମରେ କପଟ କରୁଛି, ତାହା ଭାରି ସହଜରେ ଧରା ପଡ଼ି ଯାଇଥାଏ । କୋଉଠି ନା କୋଉଠି କୃତ୍ରିମତାର ଏକ ଢଙ୍ଗ ରହିଥାଏ, ଯାହାଦ୍ୱାରା କି କପଟଠାରୁ ଅସଲ ଓ ଅସଲଠାରୁ କପଟ ସ୍ପଷ୍ଟ ଭାବରେ ବାରିହୋଇ ପଡ଼େ । ମାତ୍ର; ଅନେକ ସମୟରେ ନିଜର ପ୍ରଶଂସା ଶୁଣୁଥିବା ଏପରି ଲୋକ ମଧ୍ୟ ଥାଆନ୍ତି, ଯେଉଁମାନେ କି ପ୍ରଶଂସାକାରୀର ପ୍ରଶଂସାକୁ ତୁଚ୍ଛା କପଟ ବୋଲି ସଫା ଜାଣି ପାରୁଥିଲେ ମଧ୍ୟ ତାହାକୁ ତଥାପି ଶୁଣିବାଲାଗି ସତେଅବା ଭାରି ଭଲ ପାଉଥାନ୍ତି । ତେଣୁ, କେଡ଼େ ଖୁସୀ ହୋଇ ସେହି କପଟଗୁଡ଼ାକୁ ଶୁଣିବାରେ ଲାଗିଥାନ୍ତି ଏବଂ ତାହାକୁ ସତକୁ ସତ ପ୍ରଶଂସା ବୋଲି ବିଶ୍ଵାସ ମଧ୍ୟ କରିବାକୁ ନିଜ ଭିତରେ ନିଜକୁ ଫୁସଲାଇବାରେ ଲାଗିଥାନ୍ତି । ଏହିପରି ଏକ ପୁଲକବୋଧ କେତେକ ମଣିଷଙ୍କୁ ଭାରି ଉଶ୍ଵାସ ଲାଗେ ଓ ତେଣୁ ସେମାନେ ସେହି ଫାନ୍ଦ ଭିତରେ ପଡ଼ି ରହିଥାନ୍ତି ।

 

ଅନେକ ମଣିଷ ନିଜ ଭିତରେ ପ୍ରଶଂସା ଶୁଣିବାଲାଗି ଲଳାୟିତ ହୋଇ ରହିଥାନ୍ତି, ତଥାପି ଉପରେ ଏକ ପ୍ରକାରର ନୀତିବାଦୀ ଉପେକ୍ଷାର ପ୍ରଦର୍ଶନ କରି ପ୍ରଶଂସାଠାରୁ ଦୂରରେ ରହିବାର ପଣ ମଧ୍ୟ କରୁଥାନ୍ତି । ଏମାନେ ମଧ୍ୟ କମ୍ ଜାଲରେ ପଡ଼ି ନଥାନ୍ତି । ସେହି ଜାଲଟିକୁ ସ୍ଵୟଂ ବୁଣିକରି ରଖିଥାନ୍ତି ବୋଲି ହୁଏତ ଜାଲଟିକୁ ଜାଲ ବୋଲି ଅନୁଭବ କରି ପାରୁ ନଥାନ୍ତି । ଏହିପରି ଭାବରେ ଜାଲରେ ପଡ଼ିଥିବା ମଣିଷ ଆମ ସଂସାରରେ ସମ୍ଭବତଃ ସର୍ବାଧିକ ସଂଖ୍ୟାରେ ରହିଛନ୍ତି । ସେଥିଲାଗି ଏହି ସଂସାରର କାରବାର ଗୁଡ଼ାକ ନାନା ଜାଲ ଭିତରେ ଛନ୍ଦି ହୋଇ ରହିଥିଲେ ମଧ୍ୟ ବାହାରକୁ ଆଦୌ କେଉଁଠାରେ କୌଣସି ଜାଲ ଥିବାପରି ଅନେକ ସମୟରେ ମନେ ମଧ୍ୟ ହୁଏ ନାହିଁ । ଜାଲ ଭିତରେ ପଡ଼ିଥିବା ମଣିଷମାନେ ମଧ୍ୟ ବେଶ୍ ପୁଲକିତ ହୋଇ ରହିଥାନ୍ତି ।

 

୨୩ । ୯ । ୮୬

 

ମନ ପଛକୁ ଟାଣେ କି ଆଗକୁ ଟାଣେ, ସେକଥା ମୁଁ ନିର୍ଦ୍ଦିଷ୍ଟ କରି କହି ପାରିବି ନାହିଁ । ମାତ୍ର ଭାରି ଟାଣେ । ଏକାବେଳେକେ ସମସ୍ତଙ୍କ ସହିତ ଅର୍ଥାତ୍ ସବୁଟି ସହିତ ଖିଅ ଲାଗି ରହିଥିବାର ଅନୁଭବ ହେଉଥିବା ସମୟରେ ସବୁଠାରୁ ଅଧିକ ଟାଣେ । ଅର୍ଥାତ୍, ମୁଁ ଯେତିକି ଅଧିକ ଏକାଗ୍ର ଭାବରେ ନିଜକୁ ନିଜେ ଛୁଇଁକରି ରହିଥାଏ, ଏହି ଟାଣି ହେବାଟା ସେତିକି ଅଧିକ ତଥା ପ୍ରତ୍ୟକ୍ଷ ଭାବରେ ଅନୁଭୂତ ହୁଏ ।

 

ଭିତରେ ଅହଂଗୁଡ଼ାକର ମାୟା ତୁଟିଗଲେ ଏକାଗ୍ରତା ଆସେ । ଏକାଗ୍ରତା ଆସିଲେ ହିଁ ଅସଲ ଖିଅଗୁଡ଼ିକୁ ଭିତରେ ଅନୁଭବ କରି ହୁଏ । ଏବଂ, ଭିତରର ଅନୁଭବକୁ ସତକୁ ସତ ଅଙ୍ଗେ ନିଭାଇବାକୁ ଆରମ୍ଭ କରିବା ମାତ୍ରକେ ବାହାର ସହିତ ମଧ୍ୟ ଏକ ନିବିଡ଼ତା ତଥା ଆତ୍ମୀୟତାର ଅନୁଭବ ମଧ୍ୟ ଉପଲବ୍‌ଧି ହୋଇଥାଏ । ଏବଂ ତା’ପରେ ଟାଣିହେବା ବ୍ୟତୀତ ଆଉ କୌଣସି ଗତି ରହେନାହିଁ । ଖସି ପଳାଇବାର ଯାବତୀୟ ଫିସାଦ ସେତିକିବେଳେ ଯାଇ ଦୂର ହୋଇଯାଏ । ଅନେକ ମଣିଷ ଟାଣି ହେବାଟାକୁ ସତେଅବା ଏକ ପ୍ରଲୋଭନ ପରି ଭାବନ୍ତି ଓ ତେଣୁ ନିଜ ଭିତରେ ଅର୍ଥାତ୍ ଗାଡ଼ଟି ଭିତରେ ଅତ୍ୟନ୍ତ ନିବୁଜ ଭାବରେ ବାନ୍ଧି ହୋଇ ରହିଥାନ୍ତି । ଅତିରଞ୍ଜିତ କରି ଆମ ଗାଡ଼ସ୍ଥ ବିଜ୍ଞମାନଙ୍କର ପରିଭାଷାରେ ତାହାକୁ ହିଁ ସଂଯମ ବୋଲି କୁହାଯାଏ । ସେହି ସଂଯମର ପ୍ରଚାର କଲାବେଳେ ଅନେକ ତଥାକଥିତ ଉତ୍ସାହୀ ମଣିଷ ସଂସାରରେ କେତେ ଅସଂଯତ ଅତିଶୟୋକ୍ତିର ଆଶ୍ରୟ ବି ଗ୍ରହଣ କରନ୍ତି । ମୋ’ର ବାଟଟା ଏକାବେଳେକେ ଅଲଗା । ଏକାଗ୍ର ହେବା ମାତ୍ରକେ ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଗାଡ଼ ଭିତରୁ ବାହାରି ଆସିପାରେ । ସେତେବେଳେ ଖାଲି ଯୁକ୍ତ ହୋଇ ରହିଗଲା ପରି ଅନୁଭବ କରେ । ନାନା ଖିଅ ଓ ନାନା ଆତ୍ମୀୟତାରେ ଜୀବନ କ୍ଷେତ୍ରରେ ବିଚରଣ କରିବା ଲାଗି ସେତିକିବେଳେ ସାହସ ଆସେ । ସେହି ସାହସକୁ ହୁଏତ ଏକ ଅନ୍ୟ ବ୍ୟଞ୍ଜନାରେ ବିଚାର କରି ପ୍ରୀତି ବୋଲି କୁହାଯାଏ ।

 

୨୪ । ୯ । ୮୬

 

ସତକୁ ସତ ଏକାଗ୍ର ହୋଇ ପାରିଲେ ଏକାବେଳେକେ ଅନେକ ଜାଗାରେ ବାନ୍ଧି ହୋଇ ଯାଉଥିବା ପରି ଅନୁଭବ ହୁଏ । ଏବଂ, ଏକାବେଳେକେ ଅନେକ ଜାଗାରେ ବାନ୍ଧି ହୋଇ ଯିବାରୁ ସତକୁ ସତ ଏକ ମୁକ୍ତି ମଧ୍ୟ ମିଳେ । ସେ ମୁକ୍ତି ବୈରାଗ୍ୟ ସାଧନାର ମୁକ୍ତି ନୁହେଁ,–ତାହା ଏକାତ୍ମତାର ମୁକ୍ତି, ଅନୁରାଗକୁ ହିଁ ଜୀବନର ସର୍ବମୂଳ ସୂତ୍ରରେ ପରିଣତ କରିଥିବାର ମୁକ୍ତି ।

 

ବାହାରଟା ମୋଟେ ବିଚଳିତ କରେ ନାହିଁ, ସଂସାରଟାକୁ ସତକୁ ସତ ବନ୍ଧୁର ଅନୁରାଗ ଦେଇ ଦେଖିଲେ ସଂସାର ମୋଟେ ବିଚଳିତ କରେନାହିଁ । ଅସାର ଅନୁରାଗର ବନ୍ଧନଟିକୁ କୌଣସି ପ୍ରକାର ମାୟାବାଦୀ ଧୃଷ୍ଟତା ଆଦୌ ବିଚଳିତ କରି ପାରେନାହିଁ । ମୁଁ ଯେଉଁଦିନ ଠାରୁ ଜୀବନରେ ଏହି ସତ୍ୟଟିକୁ ଅଙ୍ଗେ ନିଭାଇ ପାରିଲି, ସେହି ଦିନଠାରୁ ମୋ’ ଜୀବନରେ ବିମୋଚନ ଓ ବନ୍ଧନ ମଧ୍ୟରେ ରହିଥିବା ଅନେକ ବିରୋଧ କୁଆଡ଼େ ଅନ୍ତର୍ହିତ ହୋଇଗଲା, ଅର୍ଥାତ୍ ଅତ୍ୟନ୍ତ ଭାବାତ୍ମକ ଭାବରେ ସମାହିତ ହୋଇ ଯାଇଥିଲା । ସେହି ସମାଧାନ ମୋତେ ଏକ ସାହସ ମଧ୍ୟ ଆଣି ଦେଇଥିଲା । ସେହି ସାହସ ଏପରି ଏକ ଦୃଢ଼ ପ୍ରତ୍ୟୟର କାରଣ ବି ହେଲା, ଯାହାକି ବାହାରର ବାଟକୁ ସତକୁ ସତ ଭିତରେ ହିଁ ଦେଖାଇ ଦେବାକୁ ସମର୍ଥ ହୋଇଥାଏ । ହଁ, ବାହାର ଗୁଡ଼ାକୁ ଭିତରେ ଦେଖିବା, ମାୟାଗୁଡ଼ାକୁ ସତକୁ ସତ ସୂତ୍ରରୂପେ ଅନୁଭବ କରିବା, ସେହି ଉପଲବ୍‌ଧିଟି ଆମ ଆଖି ଉପରୁ ପ୍ରକୃତରେ କେତେ କେତେ ସଂସ୍କାରର କଳୁଷକୁ କୁଆଡ଼େ ଧୋଇ ଦେଇ ଯାଇଥାଏ । ତାହା ସତେଅବା ଏକାବେଳେକେ ନିକଟବର୍ତ୍ତୀ କରି ଆଣେ, ନିକଟବର୍ତ୍ତୀ ହୋଇ ରହିବାର ଏକ ସହଜ ପ୍ରତିଷ୍ଠା ଆଣିଦିଏ ଓ ନିକଟବର୍ତ୍ତୀ ହୋଇ ରହିଥିବା ପର୍ଯ୍ୟନ୍ତ ଆଦୌ କୌଣସି ଭୟ ନଥାଏ ।

 

୩୦ । ୯ । ୮୬

 

କାଲି ରାତିଯାକ ଦଣ୍ଡେ ହେଲେ ନିଦ ହେଲାନାହିଁ । ମୁଁ ପୂର୍ଣ୍ଣ ଭାବରେ ସଚେତନ ଥିଲି, ମାତ୍ର ଗୋଟାସୁଦ୍ଧା ଥିର ମଧ୍ୟ ରହିଥିଲି । ନିଦ ନହେଲେ ମଣିଷମାନେ ସାଧାରଣତଃ ଯେମିତି ବ୍ୟସ୍ତ ବିରକ୍ତ ହୋଇ ଏପଟ ସେପଟ ହେଉଥାନ୍ତି, ମୁଁ ସେପରି ମୋଟେ ହେଉ ନଥିଲି । ସକାଳେ ସତେଜ ହୋଇ ବିଛଣା ଛାଡ଼ିଲି ।

 

ସତକୁ ସତ ନିଦରେ ଶୋଇଥିଲେ ମନ ଓ ଲୟ ଯେଉଁ ଘରେ ଯାଇ ରହିଥାନ୍ତେ; ଏହିଭଳି ଚେଇଁ କରି ମଧ୍ୟ ମୁଁ ସେହିଭଳି ହୋଇ ରହିଥିଲି । ଭାବନା ଥିଲା, ଲୟ ମଧ୍ୟ ରହିଥିଲା । ଭାବନା ଭାସି ବୁଲୁଥିଲା, ଲୟ ତଥାପି ଲୟ ସ୍ଥାନକୁ ସ୍ପର୍ଶ କରି ରହିଥିଲା । ସବୁଠାରୁ ମଜାର କଥା ହେଉଛି, ଆଦୌ ଆଶ୍ଚର୍ଯ୍ୟ ଲାଗୁନଥିଲା, ଅର୍ଥାତ୍ ଅସ୍ଵାଭାବିକ ଭାବରେ କିଛି ଘଟୁଛି ବୋଲି ମୋଟେ ଅନୁଭବ ହେଉ ନଥିଲା । ଏମିତି କେତେବେଳେ ଯେ ରାତି ପାହିଲା, ସେକଥା ମୋଟେ ଜାଣି ହେଲାନାହିଁ । ରାତିର ଦେହଟା ଦିନର ଅଳିନ୍ଦ ଭିତରକୁ ପଶି ଆସିବାକୁ ଏତେ ଟିକିଏ ଆରାଜୀ ଥିଲାପରି ଜଣା ପଡ଼ିଲା ନାହିଁ । କ୍ଳାନ୍ତି ଆଦୌ ନଥିଲା । ଅର୍ଥାତ୍, ରାତିରେ ଯଥେଷ୍ଟ ନିଦ ହୋଇଥିଲେ ଯେମିତି ସ୍ପୂର୍ତ୍ତି ଲାଗୁଥାନ୍ତା, ଠିକ୍ ସେହିପରି ସ୍ପୂର୍ତ୍ତି ଲାଗୁଥିଲା । ବିଶ୍ରାମ ଯାହା ହେବାର କଥା, ସେତିକି ପ୍ରକୃତରେ ମିଳି ଯାଇଥିବା ପରି ମନେ ହେଉଥିଲା । ରାତିଯାକ ଏହିପରି ଚେଇଁବା ଆଉ ଶୋଇବା ଏକା ଥରକେ ଅନୁଭବକୁ ଆସିବା, ଇଏ ବି ଏକ ଚମତ୍କାର ଘଟଣା । ଅବଶ୍ୟ ଏକଥା ସତ୍ୟ ଯେ, ପ୍ରତ୍ୟେକ ଦିନ ରାତିରେ ଏପରି ଅନୁଭବ କଦାପି ହେବନାହିଁ । ପ୍ରତ୍ୟେକ ଦିନ ହେବା ମଧ୍ୟ ଉଚିତ ନୁହେଁ । fixation ସର୍ବଦା ଏକ ଅସ୍ଵାସ୍ଥ୍ୟକର ରୀତି । ନୈତିକତାର କ୍ଷେତ୍ରରେ ଯେମିତି, ଦେହର କ୍ଷେତ୍ରରେ ମଧ୍ୟ ଠିକ୍ ସେମିତି ।

 

୨ । ୧୦ । ୮୬

 

କୁଳର ଅଯୋଗ୍ୟମାନେ ସଭାମାନଙ୍କରେ ଆମେ କୁଳକୁ ବୁଡ଼ାଇ ସାରିଲୁଣି ବୋଲି କହିଲେ ଯେତିକି ଅସ୍ଵାଭାବିକ ଶୁଭନ୍ତା ଓ ଦେଖାଯାଆନ୍ତା, ଗାନ୍ଧୀର ପ୍ରେରଣା ଭିତରେ ଏକଦା ବଢ଼ିଥିବା ସତ୍ତ୍ୱେ ତଥାପି ଗାନ୍ଧୀଠାରୁ ସତର କୋଶ ପଛରେ ପଡ଼ିରହି ଆମେ ଗାନ୍ଧୀକୁ କେତେ ପଛରେ ଛାଡ଼ି ଆସିଲୁଣି ବୋଲି ସଭାମାନଙ୍କରେ କହୁଥିବା ମଣିଷମାନେ ପ୍ରକୃତରେ ଠିକ୍ ସେହିପରି ଅବର୍ଜିଆ ଦେଖାଯିବା ଉଚିତ ।

 

ଯୋଉମାନେ ଗାନ୍ଧୀଙ୍କୁ ପଛରେ ପକାଇ ଆସିଛନ୍ତି ବୋଲି କହୁଛନ୍ତି, ସେମାନେ ଜାଣିଶୁଣି ଗାନ୍ଧୀଙ୍କୁ ଛାଡ଼ି ପଛରେ ରହି ଯାଇଛନ୍ତି । ସବାଆଗ ପ୍ରଧାନତଃ ନିଜକୁ ହିଁ ଦେଖିଛନ୍ତି ବୋଲି ସେମାନେ ପଛରେ ରହିଯିବାକୁ ହିଁ ନିରାପଦ ମଣିଛନ୍ତି । ଗାନ୍ଧୀ ଆଗେ ଆଗେ ଚାଲିଛି । ସିଏ ଦେଇଥିବା ସମାଧାନଗୁଡ଼ିକ ଯେତିକି ଅଧିକ ପରିମାଣରେ ଆମ ସମୟର ଅର୍ଗଳି ଗୁଡ଼ାକ ମଧ୍ୟରୁ ବାହାରି ପାରିବାକୁ ହେଲେ ଆମ ଆଗରେ ପଡ଼ିଥିବା ସର୍ବୋକୃଷ୍ଟ ପଥ ବୋଲି ପ୍ରମାଣିତ ହେବାରେ ଲାଗିଛନ୍ତି, ଏମାନେ ସେତିକି ସେତିକି ପଛରେ ରହି ଯାଉଛନ୍ତି । ଆହୁରି ଆଗକୁ ଯାଇ ଯୁଗଟା ଅନ୍ୟମାନଙ୍କ ପାଇଁ ଭୁଷୁଡ଼ି; ପଡ଼ୁ ପଛକେ, ଏମାନେ ସମୟ ଥାଉ ଥାଉ ଯୁଗଟାକୁ ଆଗ ଭୁଞ୍ଜି ପକାଇବାକୁ ଇଚ୍ଛା କରୁଛନ୍ତି । ଆକାଶ କହିଲେ କେବଳ ନିଜ ନଡ଼ିଆଗଛ ଗୁଡ଼ିକୁ ଦେଖୁଥିବା ମଣିଷ କଦାପି କୌଣସି ପ୍ରେରଣା ଯୋଗ୍ୟ ହୋଇ ପାରେନାହିଁ । ସିଏ ଆଦୌ କୌଣସି ପଥଲାଗି ସମ୍ମତ ହୋଇ ପାରେନାହିଁ । ସିଏ ତୁଚ୍ଛା ଭାବପ୍ରବଣ ହୋଇ ତୁଚ୍ଛା ଭୋଗ କରିବାକୁ ମନ କରୁଥାଏ ଓ ଯୋଉଠି ଥିଲା ସେଇଠି ଅଟକି ରହି ଯାଇଥାଏ ।

 

୫ । ୧୦ । ୮୬

 

ଅଭିମାନୀମାନେ ଯେତେବେଳେ ସ୍ଵାଭିମାନର କଥା କହନ୍ତି, ସେତେବେଳେ ସେମାନେ ତଦ୍ଦ୍ଵାରା ସୃଷ୍ଟି କରୁଥିବା ପରିବେଶଟିରେ ବେଶ୍ ଏକ ଉତ୍ତେଜନାର ଅନୁଭବ ହେଉଥାଏ ସତ, ମାତ୍ର ସେହି ପରିବେଶଟି ମଧ୍ୟରୁ ତଥାପି ଏବଂ ଦୁର୍ଗନ୍ଧ ବାହାରିବାରେ ଲାଗିଥିବା ପରି ମନେ ହେଉଥାଏ-। ସେହି ଦୁର୍ଗନ୍ଧଟା ସ୍ଵାଭିମାନର ଯାବତୀୟ ପ୍ରଦର୍ଶନକୁ ତୁଚ୍ଛା ଏକ ମିଛ ମାନରେ ପରିଣତ କରିଦିଏ-

 

ନିଜର ଭୂଇଁଟି ସହିତ ସତକୁ ସତ ଏକ ନାଡ଼ ଲାଗିଥିଲେ ଯାଇ ଅସଲ ସ୍ଵାଭିମାନଟିକୁ ଅନୁଭବ କରିହୁଏ । ମାତ୍ର, ଅନ୍ୟ ପକ୍ଷରେ, ସ୍ଵାଭିମାନ ପ୍ରକାଶ କରିବାର ଆଳରେ ସତେଅବା ମାରଣା ବଳଦ ପରି ହେବାରେ ଲାଗିଥିଲେ ପ୍ରକୃତରେ ଆଦୌ କେଉଁଠାରେ ହେଲେ କୌଣସି ନାଡ଼ ଲାଗି ନଥିଲା ପରି ତୁଚ୍ଛା ପ୍ରମାଣିତ ହୋଇଯାଏ । ଏହି ଭୂଇଁ ମଧ୍ୟ କେତେ ସ୍ତରର । ବାହାରେ ଯେଉଁ ଭୂଇଁଟି ଦେଖା ଯାଉଥାଏ, ଯାହାକୁ ଆମେ ନିଜର ଖାସ୍ ଡିହ, ରାଜ୍ୟ ଅଥବା ଦେଶ ବୋଲି କହୁଥାଉ, ସେଇଟି କ’ଣ ଅସଲ ଭୂଇଁ ? ଅନେକ ସମୟରେ ଜୀବନରେ ଅସଲ ଭୂଇଁଟିକୁ ପାଇ ନଥିଲେ ମଣିଷ ସେହି ଅନ୍ୟ ବାହ୍ୟ ଭୂଇଁ ଗୁଡ଼ିକୁ ନେଇ କେତେ ଫୁଲେଇ ହୁଏ, କେତେ ବାଡ଼ ବସାଏ, କେତେ ହିଂସ୍ରତା ଭିଆଉଥାଏ । ଅସଲ ଭୂଇଁଟି ସହିତ ସୂତ୍ର ଲାଗିଥିଲେ ଅନ୍ୟ ଯାବତୀୟ ଭୂଇଁ ସାର୍ଥକ ହୁଏ, ସତକୁ ସତ ସୁନ୍ଦର ଦିଶେ, ପ୍ରେରଣା ଦିଏ ଓ ପ୍ରେରିତ କରେ । ଅସଲ ଭୂଇଁଟିର ଉତ୍ତରାଧିକାର ମିଳି ପାରିଥିଲେ ଯାଇ ମଣିଷ ସବୁ ମଣିଷଙ୍କ ସହିତ ଲାଗିଥିବା ତା’ର ଅସଲ ଡୋରଟିକୁ ଠାବ କରି ପାରିଥାଏ । ତେଣୁ, ଭୂଇଁ ଭୂଇଁ ଭିତରେ ସିଏ ଆଉ ଆଦୌ କୌଣସି ଗାର ପକାଇ ରଖିବାକୁ ମୋଟେ ମନ କରେନାହିଁ ।

 

୧୩ । ୧୦ । ୮୬

 

ଯିଏ ଅସଲ ଥାନଟି ସହିତ ବନ୍ଧା ହୋଇ ରହିଥାଏ, ସିଏ ଆଦୌ କୌଣସି ଥାନରେ ବାନ୍ଧିହୋଇ ରହିଯାଏ ନାହିଁ । ଅସଲ ଥାନଟିରେ ଧରା ଦେଇ ପାରିଲେ ଆଉ କେଉଁଠି ଲାଖି ହୋଇ ରହିଯିବାର ଦୁର୍ଭାଗ୍ୟଟାକୁ ମୋଟେ ଭୋଗିବାକୁ ପଡ଼େ ନାହିଁ । ହଁ, ଏକଥା ମଧ୍ୟ ସତ ଯେ, ଅସଲ ଥାନରେ ସତକୁ ସତ ଧରା ଦେଇ ପାରିଥିଲେ, ଆଦୌ କୌଣସି ଥାନରୁ ଖସି ପଳାଇ ଆସିବାକୁ ମୋଟେ ମନ ହୁଏନାହିଁ । ମୁଁ ଆଗେ ଏହି କଥାଟିକୁ ବଡ଼ ବିଚିତ୍ର ବୋଲି ମଣୁଥିଲି । ଏବେ ସତ ବୋଲି ଅଙ୍ଗେ ନିଭାଉଛି ।

 

ଆଉ କେଉଁଠି ହେଲେ ଆପଣାର ଖିଅ ଛିଣ୍ଡାଇ ରଖିବାକୁ ଇଚ୍ଛା ହେଉନାହିଁ । କେଉଁଠାରୁ ବି ଆପଣାକୁ ଲୁଚାଇ ରଖିବାକୁ ମନ ହେଉନାହିଁ । ଏହି ସମସ୍ତଙ୍କ ସହିତ ଖିଅଗୁଡ଼ାକୁ କ’ଣ ମୁଇଁ ଲଗାଇଛି ? ଯେତେ ଦିନ ଯାଏ ମୁଇଁ ଲଗାଇଛି ବୋଲି ଅନୁଭବ ହେଉଥିଲା, ସେତେଦିନ ଯାଏ ଖିଅଟାଏ ଛିଣ୍ଡାଇ ବାହାରି ଆସିବାରେ ବି ମୁଁ ସତେଅବା କେତେ ନା କେତେ ବାହାଦୁରୀ ଅନୁଭବ କରୁଥିଲି । ସେତେବେଳେ ମୋହ ଥିଲା । ମୋ’ର ଓ ମୋ’ର ନୁହେଁ ବୋଲି ଏକ ଭେଦକାରୀ ବିବେକ ମଧ୍ୟ ରହିଥିଲା । ଆପଣାର ପ୍ରକୃତ ଅନୁଭବ ଗୁଡ଼ାକ ଅପେକ୍ଷା ଶାସ୍ତ୍ରର କଥାଗୁଡ଼ାକ ସତେଅବା ଅଧିକ ସତ ବୋଲି ମନେ ହେଉଥିଲା । ପଛକୁ ଅନାଇ ମୁଁ ସେଗୁଡ଼ାକୁ ଜଳ ଜଳ କରି ଖୁବ୍ ଦେଖିପାରୁଛି । ମୋ’ର ସବୁ ମୋହ ବର୍ତ୍ତମାନ ତୁଟିଯାଇଛି ବୋଲି ମଧ୍ୟ ମୁଁ କଦାପି କହିପାରିବି ନାହିଁ । ମୋହ ଅଛି, ତଥାପି, ଏ ମୋହ ସେ ମୋହ କଦାପି ନୁହେଁ । ଅନୁରାଗ ଜୀବନର ଏକ ସ୍ଵାଭାବିକ ଧର୍ମରେ ପରିଣତ ହେଲେ, ଅର୍ଥାତ୍ ଏହି ସବୁକିଛି କେବଳ ଆପଣାର ମନେ ହେଲେ ତାହା ମଧ୍ୟ ଯେକୌଣସି ମୋହ ପରି ଅବଶ୍ୟ ଅନୁଭୂତ ହେବ । ମାତ୍ର, ସେ ଏକାବେଳେକେ ଅନ୍ୟ ପ୍ରକାରର ମୋହ ।

 

୧୫ । ୧୦ । ୮୬

 

ପରିଚୟ ହେଉ ହେଉ ମୁଁ ବନ୍ଧୁ ବାନ୍ଧି ପକାଏ । ସତ କହିବାକୁ ଗଲେ ମୁଁ ବନ୍ଧୁ ବାନ୍ଧି ପକାଏ ନୁହେଁ, ସତେଯେପରି ବନ୍ଧୁ ବାନ୍ଧି ହୋଇଯାଏ । ସୋପାନକୁ ସୋପାନ ନିକଟବର୍ତ୍ତୀ ହୋଇ ଯାଉଥିବା ପରି ଅନୁଭବ ହେଉଥାଏ । ଭିତରକୁ ସିଧା ବାଟ ପଡ଼ିଥିବା ପରି ମନେହୁଏ । ମୁଁ ସେହି ବାଟ ଧରି ସିଧା ଭିତରକୁ ଚାଲିଯାଏ । ଅଥବା, ପରିଚୟ ହେଉ ହେଉ ପରିଚିତ ବ୍ୟକ୍ତିଟି ଲାଗି ମୋ’ର ଦୁଆରଟି ଭାରି ନିଃସଙ୍କୋଚ ଭାବରେ ଖୋଲିଯାଏ ଓ ସିଏ ସତେଅବା ଭାରି ନିଃଶଙ୍କ ଭାବରେ ଏକାବେଳେକେ ମୋ’ର ଅତି ପାଖରେ ଆସି ପହଞ୍ଚିଯାଏ । ଦୂରତାଗୁଡ଼ାକୁ ତଥାପି ରଖିବା ଆଦୌ ଆବଶ୍ୟକ ହୁଏ ନାହିଁ ।

 

ପାଠ ପଢ଼ାଉଥିବା ସମୟରେ ମଧ୍ୟ ବନ୍ଧୁ ବାନ୍ଧି ହୋଇଯାଏ । ମୋ’ ଭିତରେ ଯାହାକିଛି ସର୍ବୋତ୍ତମ ରହିଛି ପାଠ ପଢ଼ାଉ ପଢ଼ାଉ ମୁଁ କେତେବେଳେ ଯେ ତାହାକୁ ଅଜାଡ଼ି ଦେବା ସକାଶେ ପ୍ରସ୍ତୁତ ହୋଇଯାଏ, ସେକଥା ମୁଁ ନିଜେ ମଧ୍ୟ ଠଉରାଇ ପାରେନାହିଁ । ମୁଁ ଯେଉଁମାନଙ୍କୁ ପାଠ ପଢ଼ାଉଛି, ସେମାନଙ୍କ ମଧ୍ୟରୁ ଯଦି କାହାରି ଭିତରେ କେଉଁଠି କୌଣସି କବାଟ କିଳାହୋଇ ରହିଥିବା ପରି ଓ ତେଣୁ ଗ୍ରହଣ କରିବାରେ ବାଧା ପରି କାର୍ଯ୍ୟ କରୁଥିବା ପରି ମନେହୁଏ, ତେବେ ସେହି କ୍ଷେତ୍ରରେ ମୁଁ କବାଟଗୁଡ଼ିକୁ ଅବଶ୍ୟ ଖୋଲି ଦେଇ ପାରିବି ବୋଲି ନିଜ ଭିତରେ ଅନୁଭବ କରିବାକୁ ଲାଗେ । ସେହି ବିଶ୍ଵାସ ଶ୍ରଦ୍ଧାରେ ପରିଣତ ହୁଏ । ଶ୍ରଦ୍ଧା ଅଗ୍ରସର କରାଇନିଏ ଅତି ଚିହ୍ନା ଘରପରି ମୁଁ ଘର ଭିତରକୁ ପଶିଯାଏ । ଅନିଚ୍ଛୁକକୁ ଇଚ୍ଛୁକ କରାଏ । ବନ୍ଧୁ ବାନ୍ଧି ହୋଇଯାଏ । ଦେବା ଓ ଗ୍ରହଣ କରିବାର ସକଳ ଭ୍ରମ ଦୂର ହୋଇଯାଏ । ଦୁହେଁ ଏକାଠି ବାଟ ଚାଲୁଥିବା ପରି ଲାଗୁଥାଏ ।

 

୧୮ । ୧୦ । ୮୬

 

ନିଜ ଦୁଃଖ ବେଳେ ଯାହା ହୁଏ, ଅନ୍ୟ କାହାରି ଦୁଃଖ ଦେଖିଲେ ମଧ୍ୟ ମୋ’ର ପ୍ରାୟ ଅବିକଳ ସେହିପରି ଅନୁଭବ ହୋଇଥାଏ । ବାହାରେ ଦୁଃଖ ଦେଖିଲେ ମୁଁ ନିଜ ଭିତରେ ଏକାବେଳେକେ ଶାନ୍ତ ହୋଇଆସେ । ଶାନ୍ତ କହିଲେ ଏଠାରେ ଉଦାସୀନ ହୋଇଯିବାକୁ ଆଦୌ ବୁଝାଉନାହିଁ । ଉପେକ୍ଷାକୁ ତ ମୋଟେ ବୁଝାଉ ନାହିଁ । ସଂପୂର୍ଣ୍ଣ ଭାବରେ ନିଜକୁ ଉପେକ୍ଷା ଭାବରୁ ମୁକ୍ତ କରି ପାରିଲେ ଯେଉଁ ଶ୍ରଦ୍ଧାର ଉଦୟ ହୁଏ ଏବଂ ଯେଉଁ ଶ୍ରଦ୍ଧାରେ ଏତେ ଟିକିଏ ହେଲେ ବି ଉତ୍ତେଜନା ଅଥବା ଭାବପ୍ରବଣତା ନଥାଏ, ମୁଁ ଏଠାରେ ଠିକ୍ ସେହିପରି ଏକ ସହୃଦୟତା ପୂର୍ଣ୍ଣ ସ୍ଥିତିର କଥା କହୁଛି ।

 

ସେହିପରି ଗୋଟିଏ ସ୍ଥିତିକୁ ଆସିଲେ ଭିତରେ କୋଉଠି କ’ଣଟିଏ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଖୋଲିଯାଏ । ତା’ପରେ ମୋ’ର ଚେତନା ଦୁଃଖୀ ଆଉ ଜଣଙ୍କର ଚେତନା ମଧ୍ୟରେ ପ୍ରବେଶ କରିବାକୁ ଆରମ୍ଭ କରେ । ଆହୁରି ନିର୍ଦ୍ଦିଷ୍ଟ ଭାବରେ କହିଲେ, ସେତେବେଳେ ମୋ’ ଚେତନା କେବଳ ମୋ’ରି ଚେତନା ହୋଇ ମୋଟେ ରହେନାହିଁ । ମୁଁ ସେହି ଆରଜଣଟି ଭିତରେ କେଡ଼େ ସହଜ ଓ ଭୟମୁକ୍ତ ହୋଇ ପଶିଯାଏ ଓ ତା’ର ସମସ୍ତ ଦୁଃଖ ଆଡ଼କୁ ନିଜ ପିଠିଟିକୁ ଦେଖାଇଦିଏ । ଭୟମୁକ୍ତ ହେଲେ ଦୁଃଖ ଆଉ ଅସହ୍ୟ ଲାଗେ ନାହିଁ, ତାହା ଆଉ କୌଣସି ଆଘାତ ଦେଇ ପାରେନାହିଁ । ସତେ ଯେପରି ଦୁଃଖକୁ ସହି ପାରିଲେ ଦୁଃଖର ଆଣ୍ଟ ଭାଙ୍ଗିଯାଏ । ମୁଁ ସେହି ରୀତିରେ ଆଉ ଜଣଙ୍କ ଭିତରେ ପ୍ରବେଶ କରେ ଓ ତା’ ଭିତରେ ଦୁଃଖର ଆଣ୍ଟକୁ ଭାଙ୍ଗିଦିଏ । ସେହି ଆରଜଣକୁ ମଧ୍ୟ ମୋ’ ଭିତରେ ପ୍ରବେଶ କରିବାକୁ ବାଟ ଛାଡ଼ିଦିଏ । ସିଏ ସାଥୀ ପାଏ । ଏବଂ, ସହିବାବେଳେ ଜଣେ ସାଥୀ ପାଇଲେ ସହିବାଟା ଯେ କେଡ଼େ ସହନୀୟ ହୋଇଯାଏ, ସେକଥା ଅଙ୍ଗେ ନିଭାଇଥିବା ପ୍ରତ୍ୟେକ ସୁହୃତ୍‍ ଅବଶ୍ୟ ଜାଣିଥିବେ ।

 

୨୦ । ୧୦ । ୮୬

 

ତୁମେ ଯେତିକି ଉପରକୁ ଉଠି ପାରୁଥିବ; ଠିକ୍ ସେତିକି ଅଧିକ ପରିମାଣରେ you can afford to come down, ଏହି ତଳକୁ ଆସି ପାରିବା ମୋଟେ ବାଧ୍ୟ ହୋଇ ନୁହେଁ, ଏହା ସଂପୂର୍ଣ୍ଣ ଅବଲୀଳା କ୍ରମେ, ଇଚ୍ଛା କଲା ମାତ୍ରକେ ହିଁ ତୁମେ ତଳକୁ ଆସି ପାରୁଥିବ ।

 

ଖିଅଟି ଯାଇ ଉପରେ ଲାଗିଥିବ, ଅସଲ ନିର୍ଭରର କେନ୍ଦ୍ରଟି ଠିକଣା ଥାନରେ ରହିଥିବ; ତେବେ ପ୍ରକୃତରେ ଇଚ୍ଛା ଅନୁସାରେ ତଳକୁ ଆସିହେବ, ସେଥିଲାଗି ଆପଣା ଭିତରେ ଆଦୌ କୌଣସି ସ୍ଖଳନ ଘଟାଇବାକୁ ପଡ଼ିବ ନାହିଁ । ହ, ସେତେବେଳେ ତୁମେ ଅତିକ୍ରମ କରି ଆସିଥିବା ଏବଂ ଆହୁରି ଅତିକ୍ରମ କରିବାକୁ ରହିଥିବା ପାହାଚଗୁଡ଼ିକ ମୋଟେ ତଳ ଉପର ହୋଇ ଦେଖା ଯିବନାହିଁ । ସେଗୁଡ଼ିକ ସତକୁ ସତ ଗୋଟିଏ ଅବିଚ୍ଛିନ୍ନ ଖିଅ ପରି ଦେଖାଯିବ, ଏଠୁ ସେଠା ପର୍ଯ୍ୟନ୍ତ ସବୁକିଛି ଏକାଠି ଲାଗିକରି ରହିଥିବା ପରି ହିଁ ଦେଖାଯିବ । ତେଣୁ, ଯେଉଁ ପାହାଚଗୁଡ଼ିକୁ ମୁଁ ଅତିକ୍ରମ କରି ଚାଲି ଆସିଛି, ସେଗୁଡ଼ିକୁ ଅନାଇ ଆଉ ମୋଟେ ଡର ଲାଗିବନାହିଁ । ଅସଲ ଆଖିରେ ଅନାଇଦେବା ମାତ୍ରକେ ସେଗୁଡ଼ିକ ମଧ୍ୟ ବର୍ତ୍ତମାନର ସୋପାନଗୁଡ଼ିକ ସହିତ ଗୋଟିଏ ସମଗ୍ରତା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇ ରହିଥିବା ପରି ଲାଗିବ । ଏହିପରି ଭାବରେ ଅସଲ ଖିଅଟିକୁ ଅନୁଭବ କରି ପାରିବା, ଏହିପରି ଭାବରେ ଅବଲୀଳା କ୍ରମେ ତଳକୁ ଚାଲିଆସି ପାରୁଥିବା, ଏହାକୁ ହିଁ ମାୟା ଉପରେ ବିଜୟ ହାସଲ କରିବା ବୋଲି କୁହାଯାଇ ପାରିବ । ନିଜର ଅଳ୍ପତାଗୁଡ଼ାକ ଉପରେ ବିଜୟ, ମାୟାରୁ ମୁକୁଳି ଆସିବାଲାଗି ତାହା ହିଁ ନିଶ୍ଚିତତମ ବାଟ ।

 

୨୧ । ୧୦ । ୮୬

 

କିଏ କହୁଛି, ତାଙ୍କର ଅଧିଷ୍ଠାନ ମସ୍ତକଦେଶରେ । ଆଉ କିଏ କହୁଛି, ହୃଦୟ ଉପରେ ହିଁ ସିଏ ହୃଦୟେଶ୍ଵର ରୂପେ ବିରାଜିତ ଅଛନ୍ତି । ଭଳି ଭଳି ଅନୁଭବ ଅନୁସାରେ ଭଳି ଭଳି ଶାସ୍ତ୍ର ଲେଖାଯାଇଛି । ଶାସ୍ତ୍ରକୁ ଗଣ୍ଠିକରି ସମ୍ପ୍ରଦାୟ ଗୁଡ଼ିକ କ୍ରମେ ଜନ୍ମଲାଭ କରିଛନ୍ତି । ଯୋଉମାନଙ୍କର ସମ୍ପ୍ରଦାୟକୁ ଇଚ୍ଛା ଥାଏ, ସେହିମାନେ ହିଁ ହୃଦୟ ଓ ମସ୍ତିଷ୍କର ବିତର୍କ ମଧ୍ୟରେ ପଶିବାକୁ ଯାଆନ୍ତି । ସେମାନେ ହୃଦୟରେ ଠାବ କଲେ ମସ୍ତିଷ୍କକୁ ପାସୋରି ଯାଆନ୍ତି ଓ ଅନ୍ୟ ପକ୍ଷରେ ମସ୍ତିଷ୍କରେ ଠାବ କଲେ ହୃଦୟଟାକୁ ପାସୋରି ପକାନ୍ତି । ସହସ୍ର–ଦଳ କମଳ ସେମାନଙ୍କ ଲାଗି ସତକୁ ସତ ସେହି ମସ୍ତକଦେଶରେ ଫୁଟିଥାଏ ।

 

ହୃଦୟ ଅଥବା ମସ୍ତିଷ୍କ କୌଣସିଟିକୁ ନେଇ ମୁଁ ଏକ ଗାତରେ ପରିଣତ କରି ରଖିବାଲାଗି କେବେହେଲେ ଇଚ୍ଛା କରିନାହିଁ । ନିଜେ କମଳଟିଏ ହୋଇ ଫୁଟିବାକୁ ଇଚ୍ଛା କରିଥିଲେ ଅସଲ ଦ୍ଵାରଟିକୁ ଖୋଲିଦେବା ମାତ୍ରକେ ଜଣେ ବ୍ୟକ୍ତି ତାଙ୍କର କମଳ ସ୍ପର୍ଶଟିକୁ ହୃଦୟରେ ଅନୁଭବ କରି ପାରିବ । ସିଏ ହୃଦୟରେ ଅନୁଭବ କରି ପାରିବ । ସିଏ ହୃଦୟ ପାଇଁ ମସ୍ତିଷ୍କକୁ କଦାପି ଛାଡ଼ି ଯିବନାହିଁ କିମ୍ବା ମସ୍ତିଷ୍କ ପାଇଁ ହୃଦୟକୁ ଛାଡ଼ି ଯିବନାହିଁ । ସାକ୍ଷାତଲାଭ କରିବାର ଅର୍ଥ ହେଉଛି ମନକୁ ମନ ତାହାରି ସହିତ ଯାଇ ଛନ୍ଦି ହୋଇଯିବା । ଛନ୍ଦି ହୋଇ ରହିବାର ଅସଲ ବାସନାଟି ପ୍ରକୃତରେ ଉନ୍ମେଷିତ ହୋଇ ଆସିଲେ ହୃଦୟ ଓ ମସ୍ତିଷ୍କ କେହି ମୋଟେ ଅଣ୍ଟିବେ ନାହିଁ । ବା, ହୃଦୟ ଓ ମସ୍ତିସ୍କ ତଥାକଥିତ ଯାବତୀୟ ବୈରକୁ ପାସୋରି ସେଇଟି ସହିତ କୁଆଡ଼େ ଛନ୍ଦି ହୋଇଯିବେ । ମୁକ୍ତିଲାଭ କରିବେ । ଶାସ୍ତ୍ର ହାରିଯିବ, ବାସନା ହିଁ ଜୟଲାଭ କରିବ ।

 

୨୨ । ୧୦ । ୮୬

 

ଟିକିଏ ଟିକିଏ ଲୋଭରେ ନିଜର ଇଜ୍ଜତ୍ ହରାଇବାକୁ କୁଣ୍ଠାବୋଧ କରୁନଥିବା ମଣିଷ ସାହିତ୍ୟକୁ ଆସିଲେ ସାହିତ୍ୟର ଇଜ୍ଜତ୍ ଯିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେହିଭଳି ଗୋଟିଏ ମଣିଷ ଯଦି ଶିକ୍ଷା ଭିତରେ ଥାଏ, ତେବେ ସିଏ ଶିକ୍ଷା ଘରେ ସତକୁ ସତ ନାନାବିଧ ଅବଗମନର କାରଣ ହୋଇଥାଏ ।

 

ଚାରିଆଡ଼କୁ ଅନାଇଲେ ମନେହୁଏ, ଯେପରିକି ଅଧିକରୁ ଅଧିକ ପରିମାଣରେ ନିଜର ଇଜ୍ଜତକୁ ସବାଆଗରେ ରଖିନଥିବା ଲୋକମାନେ ଶିକ୍ଷାର ବ୍ୟବସ୍ଥା ଘରଟି ଭିତରେ ପଶି ତାହାକୁ ଆପଣାର କାବୁ କରିନେଲେଣି । ଶିକ୍ଷା ଭିତରେ ପଶି ଆମେ ନିଜେ ସିନା ଅଧିକ ଶିକ୍ଷିତ ଓ ପରିମାର୍ଜିତ ହେଉଥାନ୍ତେ, ମାତ୍ର ଏବେ ଏହି ଶିକ୍ଷା ବ୍ୟବସ୍ଥାକୁ ନିଜର ଅଳ୍ପତା ଓ କ୍ଷୁଦ୍ରତା ଗୁଡ଼ାକ ଦ୍ଵାରା ଅତ୍ୟନ୍ତ ଅଳ୍ପ ଏବଂ କ୍ଷୁଦ୍ର କରି ସାରିଲୁଣି । ଇଜ୍ଜତ୍ କହିଲେ ଏହି ଖଣ୍ଡିତ ବିବେକର ଯୁଗରେ କେତେ ମଣିଷଙ୍କ ପାଇଁ ଅବଶ୍ୟ କେତେ କଥାକୁ ବୁଝାଇବ । ମାତ୍ର, ମଣିଷ ହିସାବରେ ମଧ୍ୟ ଆମ ପ୍ରତ୍ୟେକଙ୍କର ଏକ ମୂଳଭୂତ ଏବଂ ସର୍ବନିମ୍ନ ଇଜ୍ଜତ ରହିଛି, ଯାହା ବିଷୟରେ ସଚେତନ ଥିଲେ ଯାଇ ଆମକୁ ସଙ୍ଗତ ଭାବରେ ମଣିଷଟିଏ ବୋଲି କୁହାଯାଇ ପାରିବ । କୌଣସି ସମାଜରେ ଅଧିକ ମଣିଷ ସେହି ବିଷୟରେ ସଚେତନ ରହିଥିଲେ ସେହି ସମାଜ ଇଜ୍ଜତରେ ଚଳୁଛି ବୋଲି ମଧ୍ୟ କୁହାଯାଇ ପାରିବ । ଏହିପରି ସଚେତନ ଜଣେ ମଣିଷ ସମାଜରେ ଏପରି ଭାବରେ ଚଳିବ, ଯାହାଦ୍ଵାରା କି ସିଏ ଅନ୍ୟଜଣେ ମଣିଷର ମଧ୍ୟ ସେହି ସର୍ବନିମ୍ନ ଇଜ୍ଜତର ହାନି ଘଟିବାଭଳି ଆଦୌ କିଛିହେଲେ କରୁ ନଥିବ ଓ କାହାକୁ ହିଁ ନିଜର ସର୍ବନିମ୍ନ କର୍ତ୍ତବ୍ୟ ବୋଲି ମଣୁଥିବ ।

 

୨୩ । ୧୦ । ୮୬

 

ମୁଁ ବାଡ଼ ନହେଲେ ଚଳିଯିବ, ମୂର୍ତ୍ତିଗୁଡ଼ାକ ନହେଲେ ମଧ୍ୟ ଚଳିଯିବି, ମାତ୍ର ଡୋରଗୁଡ଼ାକ ନହେଲେ ମୋଟେ ଚଳି ପାରିବିନାହିଁ । ଏହି ଗୁଳାଗୁଡ଼ିକ ନହେଲେ ମଧ୍ୟ ମୁଁ ଚମତ୍କାର ଚଳିଯାଇ ପାରିବି, ମାତ୍ର ବାଟ ନହେଲେ ମୋଟେ ଚଳି ପାରିବିନାହିଁ ।

 

ଯେତିକି ଖୋଜିଛି ମୁଁ ତାହାଠାରୁ ଅଧିକ ପାଇଛି । ଯେତିକି ଯୋଗ୍ୟ ହୋଇ ପାରିଛି, ବିଧାତାଙ୍କ ପାଖରେ ତା’ଠାରୁ ଅନେକ ଗୁଣ ଅଧିକ ପରିମାଣରେ ଗୃହୀତ ହୋଇଛି । ଏହି ଘରଟି ସକାଶେ ଯେତେ ନଦେଇ ପାରିଛି, ଏହି ଘର ମୋତେ ତା’ଠାରୁ ଅନେକ ଗୁଣ ଅଧିକ ଆଣି ଯୋଗାଇ ଦେଇଛି । ଦରିଦ୍ର ପରି ଆଚରଣ କରିଛି, ବାରବାର କେଉଁ ଅନୁରାଗୀ ମୋତେ ତା’ର ଅନନ୍ତ ଅନୁରାଗରେ ଧନୀ କରି ରଖିଛି । ନାନାବିଧ ଅହଂକାର ଦ୍ଵାରା ବିତାଡ଼ିତ ହୋଇ ମୁଁ ଯେତେଯେତେ ଥର ଏହି ସୂତ୍ରଗୁଡ଼ିକୁ ଛଡ଼ାଇ ସତେଅବା କୋଉ ଗାତରେ ଅଥବା କୋଉ ମଞ୍ଚା ଉପରେ ଏକୁଟିଆ ଚକ୍ରବର୍ତ୍ତୀ ହୋଇ ବସିବ ବୋଲି ମନ କରିଛି, ସେତିକି ସେତିକି ଏହି ସୂତ୍ରଗୁଡ଼ିକ ହିଁ ମୋତେ ସବୁଠାରୁ ଅଧିକ ଆତ୍ମପ୍ରତ୍ୟୟ ଆଣି ଦେଇଛନ୍ତି । ଏହି ସୂତ୍ରଗୁଡ଼ିକ ନଥିଲେ ମୁଁ ହୁଏତ ଆଦୌ କେଉଁଠାରେ ହେଲେ ନଥାନ୍ତି, ଜୀବନରେ ସେହି ବିଶ୍ଵାସଟି ହିଁ ବଢ଼ି ବଢ଼ି ଯାଇଛି ସେହି ସୂତ୍ର ବାହାରେ ଲାଗିଛି, ଭିତରେ ଲାଗିଛି । ବାହାରେ ଲାଗିଛି ବୋଲି ଭିତରେ ଲାଗିଥିବା ପରି ପ୍ରତ୍ୟୟ ହେଉଛି ଅଥବା ଭିତରେ ଲାଗିଛି ବୋଲି ମୋତେ ବାହାରେ ଲାଗି ଥିବାର ଅନନ୍ତ ପ୍ରତ୍ୟୟର ଅଧିକାରୀ କରି ରଖିଛି, ମୁଁ ସେକଥା ଅଙ୍କ ଛିଣ୍ଡାଇ ମୋଟେ କହିଦେଇ ପାରିବିନାହିଁ । ଏହି ଅଙ୍କ ଆଦୌ ଛିଣ୍ଡାଇବାର ନୁହେଁ । ଯଦି ଛିଣ୍ଡି ଯାଉଥାନ୍ତା, ତେବେ ଅଡ଼ୁଆ ଗୁଡ଼ାକ ମୋତେ କାବୁ କରି ରଖିଥାନ୍ତେ । ଅଙ୍କ ଛିଡ଼ି ନାହିଁ, ତେଣୁ ବାହାର ଭିତର ସବୁ ପୂରିକରି ରହିଛି ।

 

୨୪ । ୧୦ । ୮୬

 

ସଂଯୁକ୍ତ ରାଷ୍ଟ୍ରସଂଘର ଇତିହାସ ଚାଳିଶି ବର୍ଷର ଇତିହାସ । ସେହି ରାଷ୍ଟ୍ର ସଙ୍ଘକୁ ରାଷ୍ଟ୍ରମାନେ ଗଢ଼ିଥିଲେ । ଆହୁରି ଅଧିକ ନିର୍ଭୁଲ ଭାବରେ କହିଲେ, ରାଷ୍ଟ୍ରର ସରକାରମାନେ ଗଢ଼ିଥିଲେ । ରାଜନୀତିକ ମତବାଦ ଯାହାର ଯାହା ହୋଇଥାଉ ପଛକେ, ଏହି ପୃଥିବୀରେ ଯେ ସମସ୍ତଙ୍କୁ ବଞ୍ଚି ରହିବାକୁ ହେବ, ସ୍ଵପ୍ନ ଦେଖିବାକୁ ହେବ ଏବଂ ଆଗକୁ ଆଗକୁ ଯିବାକୁ ହେବ, ଏହିପରି ଏକ ମୂଳଭୂତ ଆସ୍ଥାକୁ ଭର୍ତ୍ତି କରି ସେତେବେଳେ ରାଷ୍ଟ୍ର ସଂଘ ଗଠିତ ହୋଇଥିଲା । ସେହି ରାଷ୍ଟ୍ରମାନେ ଏବେ ମଧ୍ୟ ଅଛନ୍ତି । ସେମାନେ ପରସ୍ପରକୁ ଆଗ ତୁଳନାରେ ଅଧିକ ଭୟ କରୁଛନ୍ତି । ପରସ୍ପରକୁ ଭୟ କରି ନିଜନିଜର ଅସ୍ତ୍ରବଳ ବଢ଼ାଇବାରେ ଲାଗିଛନ୍ତି । ସେହି ଭୟକୁ ଭିତ୍ତିକରି ପୃଥିବୀରେ ରାଜନୀତିର ନାନାବିଧ ନିର୍ଦ୍ଧାରଣ ହେଉଛି । କୂଟନୀତି ଗୁଡ଼ାକୁ ହିଁ ହୁଏତ ସବୁଠାରୁ ବିଜ୍ଞ ନୀତି ବୋଲି କୁହାଗଲାଣି । ଏହିସବୁ କାରଣରୁ ସଂଯୁକ୍ତ ରାଷ୍ଟ୍ର ସଂଘର ମୂଳ ବଳଟି କ୍ରମେ କମି କମି ଯାଉଥିବା ପରି ମନେ ହେଉଛି ।

 

ମାତ୍ର, ଅନ୍ୟ ପକ୍ଷରେ, ସଂଯୁକ୍ତ ରାଷ୍ଟ୍ରସଙ୍ଘ ଦ୍ଵାରା ଆମ ସମସ୍ତଙ୍କର ଏକ ବଡ଼ ଉପକାର ମଧ୍ୟ ହୋଇଛି । ଆଜି ପୃଥିବୀର ଅଧିକରୁ ଅଧିକ ମଣିଷ ବିଶ୍ଵାସ କରୁଛନ୍ତି ଯେ ଶାନ୍ତି ରାଷ୍ଟ୍ରର ସ୍ତରରେ ନାହିଁ, ରାଷ୍ଟ୍ର ରାଷ୍ଟ୍ରର ସମ୍ବନ୍ଧରେ ବୁଝାମଣାର ସ୍ତରରେ ହିଁ ଶାନ୍ତି ରହିଛି । ବିଶ୍ଵର ଗୋଟିଏ ବଡ଼ ରାଷ୍ଟ୍ର ଆଗେ ଯେଡ଼େ ସହଜରେ ଆଉ ଗୋଟିଏ କ୍ଷୁଦ୍ର ରାଷ୍ଟ୍ରକୁ ଗିଳିଦେଇ ପାରୁଥିଲା, ଏବେ ଆଉ ସେପରି ହୋଇ ପାରୁନାହିଁ । ରାଷ୍ଟ୍ର ଓ ରାଷ୍ଟ୍ରୀୟ ଅସ୍ତ୍ରାଗାରଗୁଡ଼ିକ ସତ୍ତ୍ୱେ ମଣିଷ ମଣିଷ ଭିତରେ ଅଧିକ ସଚେତନ ଭାବରେ ଯେ ଏକ ବୁଝାମଣା ବଢ଼ିଛି, ଆମ ପୃଥିବୀ ବିଷୟରେ ତାହାହିଁ ସବୁଠାରୁ ଅଧିକ ଆଶାର କଥା ।

 

୨୫ । ୧୦ । ୮୬

 

ତରତର, କିନ୍ତୁ ଭାରି ଥିର । ତରତର ବାହାରେ ଏବଂ ଥିର ଭିତରେ । ତରତର ଗତିଶୀଳତାକୁ ବୁଝାଏ, ତରତର ଖୁସୀକୁ ବୁଝାଏ । ଏବଂ ଥିର ହୋଇ ରହିଥିବା ବିଶ୍ଵାସକୁ ବୁଝାଏ । କେତେ ଦୃଢ଼ ବିଶ୍ଵାସ ସମ୍ଭବ ହେଲେ ଯେ ମଣିଷ ଯେକୌଣସି ପରିସ୍ଥିତିରେ ମଧ୍ୟ ଟଳି ଯିବାକୁ ମନ କରେନାହିଁ, ସେକଥା ଅଙ୍ଗେ ନିଭାଇଥିବା ମଣିଷ ହିଁ ଜାଣିଥାଏ । ସ୍ପର୍ଶ କରି ରହିଥିଲେ ଯାଇ ପ୍ରତ୍ୟକ୍ଷ ପ୍ରତ୍ୟୟ ମଧ୍ୟ ରହିଥାଏ, ସେହି ବିଶ୍ଵାସ କେବେହେଲେ ଟଳେ ନାହିଁ । ସ୍ପର୍ଶ କରି ରହିଥିଲେ ଜ୍ଞାନ, କର୍ମ ଏବଂ ତଥାକଥିତ ଭକ୍ତି ମଧ୍ୟ ପଛରେ ରହିଥାନ୍ତି । କେବଳ ଖୁସୀ ହିଁ ରହିଥାଏ, ତାହାହିଁ ସବା ଆଗରେ ରହି ଜ୍ଞାନ, ଭକ୍ତି, କର୍ମ ଇତ୍ୟାଦିଙ୍କୁ ପରିଚାଳିତ କରିବାରେ ଲାଗିଥାଏ । ସେହି ଖୁସୀ ଠିକ୍ ଆଜିର ଏହି ପ୍ରଭାତର ଖୁସୀପରି ତରତର କିନ୍ତୁ ଥର, ଢଳଢ଼ଳ ମାତ୍ର ଅଟଳ । ଏହା ଅନେକ ବିଶ୍ଵାସର ପରିଣାମ ।

 

ବାହାରେ ଗତିଶୀଳ, ଭିତରେ ଥିର; ମୁଁ ଏହାକୁ କ’ଣ ସହଜ ଅବିଶ୍ଵାସ ବୋଲି କହି ପାରିବି କି ? ବିଶ୍ଵାସ ଯେତିକି ସର୍ବାଙ୍ଗ ହୋଇ ଜୀବନଟା ଯାକକୁ ଜାରି ହୋଇ ରହିଥାଏ, ଜୀବନର ଯାବତୀୟ ରୀତି ସତକୁ ସତ ସେତିକି ସହଜ ହୋଇଯାଏ । ଗତିଶୀଳତା ସହଜ ହୁଏ ଥିର ହୋଇ ରହିବା ମଧ୍ୟ ସହଜ ହୋଇଯାଏ । ଯୁଗପତ୍ ଭାବରେ ଥିର ଏବଂ ଗତିଶୀଳ ହୋଇ ରହିବାରେ ସେହି ଗୌରବମୟ ଅବସ୍ଥାଟି ଠିକ୍ ସେତିକିବେଳେ ମୋ’ ଆୟତନଟିର ଚାରି ପାଖରେ ମୋତେ ବେଷ୍ଟନ କରି ରହିଥାଏ । ସହଜରେ ବାହାରି ଯାଇ ହୁଏ, ସହଜରେ ପ୍ରବେଶ କରି ହୁଏ । ଉପରେ ଏହି ଆକାଶ ଓ ପାଦତଳେ ଏହି ପୃଥିବୀ, ଭାରି ସହଜରେ ଏହି ଦୁଇଟି ଯାକକୁ ହିଁ ଏକାବେଳେକେ ଛୁଇଁ ହୁଏ, ଦୁଇଟି ମଧ୍ୟରେ ଏକାବେଳେକେ ଜୀବନକୁ ବଞ୍ଚି ହୁଏ ।

 

୨୬ । ୧୦ । ୮୬

 

ଆଜି “ଗାନ୍ଧୀ” ଚଳଚିତ୍ର ଦେଖି ଭାବୁଥିଲି, ଯେଉଁ ଦେଶରେ ଏକଦା ଏତେ ମଣିଷଙ୍କ ଭିତରେ ଏତେ ସାହସ ରହିଥିଲା, ଏଇ ଚାଳିଶିଟା ବର୍ଷର ସ୍ଵାଧୀନତାକୁ ଉପଭୋଗ କରିବାର ନାନା ପ୍ରକ୍ରିୟାରେ ସେହି ସାହସ ଏଭଳି ଭାବରେ ମାଡ଼ ଖାଇଗଲା କିପରି ?

 

ଆମ ନେତୃତ୍ଵ, ଆମର ଜୀବନଦୃଷ୍ଟି ଏବଂ ଆମର ସମ୍ବନ୍ଧଜଗତ ମଧ୍ୟରେ କୋଉ ଚାଣ୍ଡାଳ କେତେବେଳେ ଆସି ପଶିଗଲା କେଜାଣି, ଆମେ ଗୋଟାଏ ସମୂହର ସବୁଯାକ ସଂକଳ୍ପଶକ୍ତିକୁ ଏପରି ନିଲଠା ଭାବରେ ସବା ପଛରେ ନେଇ ରଖିଦେଲୁ ? ଦିନେ ଏଠି ମାଟିକୁ ସ୍ପର୍ଶ କଲେ ଚେରଗୁଡ଼ିକ କେଡ଼େ ଗଭୀର ଭାବରେ ଅନୁଭୂତ ହୋଇ ପାରୁଥିଲା, ମୁହଁକୁ ମୁହଁ ପରସ୍ପରକୁ ଅନାଇଦେବା ମାତ୍ରକେ ଜଣେ ଆଉ ଜଣକୁ କେଡ଼େ ସ୍ପଷ୍ଟ ଭାବରେ ଚିହ୍ନି ପାରୁଥିଲେ, ଆମର ଶ୍ରଦ୍ଧା ଓ ବିଶ୍ଵାସମାନ ମାଟିକୁ ନେଇ ଆକାଶ ସହିତ ସ୍ପର୍ଶ କରାଇ ପାରୁଥିଲେ; ଚାଳିଶି ବର୍ଷର ଶାସନାଡ଼ମ୍ବର ଫଳରେ ସେସବୁ କୁଆଡ଼େ କାହିଁକି ଅନ୍ତରାଳ ହୋଇ ରହିଲା ? ଭୀରୁମାନଙ୍କୁ ଆମ ଭିତରେ ପଶିବା ନିମନ୍ତେ ଆମ ଘରେ କିଏ ବାଟ ଛାଡ଼ିଦେଲା, ଯେଉଁମାନେ କି ଏହି ମାଟିକୁ ଅସ୍ଵୀକାର କଲେ, ଉପରେ ଗୋଟାଏ ଆକାଶ ରହିଛି ବୋଲି ଭୁରୁଡ଼ାଇ ଦେବାରେ ଲାଗିଲେ, କେବଳ ନିଜ ଭିତରେ ଗାତ ଗୁଡ଼ାକୁ ହିଁ ଅଧିକରୁ ଅଧିକ ପେଟୁଆ କରି ତିଆରି କଲେ ଓ ତାହାକୁ ହିଁ ରାଜନୀତି ବୋଲି କହିଲେ ? ଏହା ଗାତଗୁଡ଼ାକ ମଧ୍ୟରୁ ପୁନର୍ବାର ଆମର ଦୃଷ୍ଟିକୁ ଆମର ମାଟି ଏବଂ ଆମର ଆକାଶ ଆଡ଼କୁ ଏକ ନୂତନ ଯଥାର୍ଥ ମୋଡ଼ ଦେଇ ନେଇ ଯିବାପାଇଁ ନୂତନ ଏକ ନେତୃତ୍ଵ ଲାଗି ଭାରତବର୍ଷ ଅପେକ୍ଷା କରି ରହିଛି, ସମଗ୍ର ପୃଥିବୀ ଅପେକ୍ଷା କରି ରହିଛି, ହୁଏତ ଭୀରୁ ମାନଙ୍କ ଭିତରେ ରହିଥିବା ଅସଲ ମଣିଷଟି ମଧ୍ୟ ଅପେକ୍ଷା କରି ରହିଛି ।

 

୨୭ । ୧୦ । ୮୬

 

ସଂସାରରେ ମୁଁ ଯେତେଜଣଙ୍କର ସମ୍ପର୍କରେ ଆସିଲି ସେମାନଙ୍କ ଭିତରୁ କାହାକୁ ଜଣକୁ ମଧ୍ୟ ଖରାପ ବୋଲି କହି ହେଲାନାହିଁ । ମୁଁ ନିଜେ ଖରାପ ବୋଲି ଅର୍ଥାତ୍ ନିଜ ଭିତରେ ବହୁତ କିଛି ଖରାପ ରହିଛି ବୋଲି ଯେ କାହାକୁ ଖରାପ ବୋଲି କହି ହେଲାନାହିଁ, ସେକଥା ମୋଟେ ନୁହେଁ । ନିଜେ ଏହି ଖରାପକୁ ହଜମ କରି ନଥିଲେ ଅର୍ଥାତ୍ ଖରାପର ପେଟ ଭିତରୁ ବାହାରି ଆସି ନଥିଲେ ଏପରି ଆଦୌ କହି ହୋଇନଥାନ୍ତା ।

 

ଯିଏ ସ୍ଵୟଂ ଖରାପ ଗୁଡ଼ାକୁ ଅତିକ୍ରମ କରି ଆସି ପାରିଥିବ; ଅନ୍ୟ ସମସ୍ତଙ୍କ ମଧ୍ୟରେ ଖରାପକୁ ଅତିକ୍ରମ କରିବାର ସାମର୍ଥ୍ୟ ଅବଶ୍ୟ ରହିଛି ବୋଲି ସିଏ ପ୍ରାୟ ବିଶ୍ଵାସ କରି ପାରିବ । ଏବଂ, ତା’ ପରେ ସିଏ କାହିଁକି କାହାକୁ ଖରାପ ବୋଲି କହିବ ? ଯେଉଁଠି ନିଜ ଭିତରେ ତଥାକଥିତ ଖରାପଟି ପ୍ରକୃତରେ ରାଜା ହୋଇ ବସିଥାଏ ଅଥବା ବିଚରା ମଣିଷଟିକୁ ଭାରି କାବୁ କରି ମାଡ଼ି ବସିଯାଏ,–ଯେଉଁଠି ଖରାପଗୁଡ଼ାକ ପେଟଭିତରେ ମୋଟେ ହଜମ ହୋଇପାରି ନଥାଏ, ଅତ୍ୟନ୍ତ ଶଙ୍କାକୁଳ ମଣିଷ ପ୍ରାୟ ସେହିଠାରେ ହିଁ ଅନ୍ୟ ଭିତରେ ଖରାପଗୁଡ଼ାକୁ ସବାଆଗ ଦେଖେ-। ନିଜର ଦର୍ପଣ ଉପରେ ଅନ୍ୟକୁ ଦେଖି ସିଏ ତାକୁ ମଧ୍ୟ ଖରାପ ବୋଲି କହେ । ଅନ୍ତତଃ ସାମୟିକ ଭାବରେ କିଞ୍ଚିତ୍ ଶୁଦ୍ଧତାର ବାସନା ପାଇବାପରି ଅନୁଭବ କରେ । ଯିଏ ନିଜ ଭିତରୁ ଅସଲ ସୁଗନ୍ଧଟିକୁ ବାରିନେଇ ପାରିଥାଏ, ସିଏ ଅନ୍ୟ ଭିତରେ ମଧ୍ୟ ସବାଆଗ ସୁଗନ୍ଧଟିକୁ ହିଁ ଚିହ୍ନେ-। ତେଣୁ ଯଥାର୍ଥରେ ସଙ୍ଗୀ ହୋଇପାରେ । ଯଥାର୍ଥରେ ସାହାଯ୍ୟ ବି କରିପାରେ ।

 

୨୮ । ୧୦ । ୮୬

 

କାଲି ଅନେକ ମାସ ପରେ ମୁଁ ବଗିଚା ଭିତରକୁ ପଶିଲି । ପ୍ରକୃତରେ ଅରମା ଭିତରେ ପଶିଲି । କାହାରି ହାତ ନ ବାଜି ଥିବାରୁ ବଗିଚା ଏହି କେତୋଟି ମାସ ଭିତରେ ଅରମାରେ ପରିଣତ ହୋଇ ଯାଇଥିଲା । ବନ୍ଧୁକୁ ଲୋଡ଼ିବାକୁ ହୁଏ, ଲୋଡ଼ିଲେ ଯାଇ ବନ୍ଧୁ ମିଳେ । ସେହିପରି ବଗିଚାଟିକୁ ମଧ୍ୟ ଲୋଡ଼ିବାକୁ ହୋଇଥାଏ ।

 

ଏହି “ବଗିଚା” ନାମକ ସାନ୍ନିଧ୍ୟଟି ମୋ’ ଜୀବନରେ ନାନାଭାବେ ନାନା ଉତ୍ତୋଳନ ଘଟିବାରେ ସାହାଯ୍ୟ କରିଛି । ବାହାରର ବଗିଚା ମୋ’ ଭିତରେ ମଧ୍ୟ ଆପଣାର ବଗିଚାଟିକୁ ଲୋଡ଼ିବା ଲାଗି କେତେ ସହଜ ଭାବରେ ମଙ୍ଗାଇ ନେଇଛି । ଏବଂ, ଭିତରର ବଗିଚାଟି ମଧ୍ୟ ସଂସାରକୁ ଅନାବନା କୌଣସି ଜଙ୍ଗଲ ପରି ନୁହେଁ, ମାତ୍ର ବଗିଚାଟିଏ ପରି ଅନୁଭବ କରିବାକୁ ମଧ୍ୟ ପ୍ରେରଣା ଦେଇଛି । ଯେଉଁମାନେ ଏହି ସଂସାରଟାକୁ ସତେଅବା ଏକ ଜଙ୍ଗଲ ପରି ଅନୁଭବ କରନ୍ତି, ସେମାନେ ପ୍ରାୟ ସେହି ଦୃଷ୍ଟିକୋଣଟିର ବଶବର୍ତ୍ତୀ ହୋଇ ଜଙ୍ଗଲଟି ଭିତରେ ଆପଣାକୁ ଏକମାତ୍ର ଅଧିକାରପ୍ରାପ୍ତ ଶିକାରୀ ପରି ଅନୁଭବ ବି କରନ୍ତି । ଏବଂ, ଜୀବନ ବଞ୍ଚିବା କହିଲେ ଏହି ଶିକାର କରିବାକୁ ହିଁ ବୁଝନ୍ତି । ନିଜକୁ ଏକମାତ୍ର ବାଘ ଓ ଅନ୍ୟମାନଙ୍କୁ ହରିଣ ପରି ଦେଖନ୍ତି । ମୁଁ କେବେହେଲେ ଶିକାରୀ ହେବାକୁ ମନ କରିନାହିଁ । ବଗିଚା ଭିତରେ କେହି କଦାପି ଶିକାର କରିବାକୁ ମନ କରେନାହିଁ । ବଗିଚାକୁ ଯଥାର୍ଥ ଭାବରେ ଅନାଇ ପାରିଲେ ନିଜ ଭିତରେ ଗୋଟିଏ ମାଳିକୁ ଆବିଷ୍କାର କରିହୁଏ । ନିଜ ଭିତରେ ଓ ବାହାରେ ଆପଣାକୁ ତଥା ସଂସାରକୁ ମୁଁ ମୂଳତଃ ଏକ ମାଳିର ଆଖିରେ ଅନୁଭବ କରିବାକୁ ଚେଷ୍ଟା କରିଛି । ତେଣୁ ରକ୍ଷା ପାଇ ଯାଇଛି । ଅନେକ ତଥାକଥିତ ନିଃସଙ୍ଗତାରୁ ରକ୍ଷା ପାଇଛି ।

 

୨୯ । ୧୦ । ୮୬

 

ଅଶାନ୍ତିକୁ ଶାନ୍ତିରେ ପରିଣତ କରିବାର ଉପାୟ କୁଆଡ଼େ ମଣିଷର ନିଜ ଭିତରେ ଅଛି ବୋଲି ମହା ପୁରୁଷମାନେ ଚିରକାଳ କହି ଆସିଛନ୍ତି । ପୃଥିବୀରେ ମଣିଷ ସତକୁ ସତ ଶାନ୍ତି ଇଚ୍ଛା କରୁଛି । ତେବେ ପୃଥିବୀଯାକ ବର୍ତ୍ତମାନ ଏତେ ଅଶାନ୍ତି କାହିଁକି ? ବାହାରର ଘଟଣା, ମୋ’ ଚାରିପାଖରେ ମୋତେ ପ୍ରାୟ ଅସ୍ଵୀକାର କରି ଯାହାସବୁ ଘଟୁଛି; ତାହା ମୋତେ ଏତେ ଅଶାନ୍ତ କରି ପକାଉଛି କାହିଁକି ? ମୁଁ ଏହି ଅଶାନ୍ତିଗୁଡ଼ାକ ସତ୍ତ୍ୱେ ନିଜକୁ ତଥାପି ଶାନ୍ତ କରି ରଖିବି, ଅଶାନ୍ତି ପାଖରୁ ଆପଣାକୁ ଆଉ କେଉଁଠି କିଳି କରି ରଖିବି, ଏବଂ ତାହାକୁ ମୁଁ ମୋ’ର ଅସଲ soul life ବୋଲି କହିବି, ଏହାହିଁ କ’ଣ ଏକମାତ୍ର ଉପାୟ ? ଏହି ବିଶେଷ ପ୍ରକାରର ଅବଜ୍ଞା କ’ଣ ସଂସାରକୁ ଜିତିବାର ଏକମାତ୍ର ବାଟ ? ସୁଖ ଭିତରେ ତାହା ତଥାକଥିତ ଆତ୍ମସୁଖ ହୋଇଥାଉ ପଛକେ ନିବୁଜ ହୋଇ ରହିଥିବା କ’ଣ ସଂସାରଯାକର ଦୁଃଖରୁ ପରିତ୍ରାଣ ପାଇବାର ଏକମାତ୍ର ପନ୍ଥା ।

 

ମହାପୁରୁଷମାନେ ଯାହା କହିଥାନ୍ତୁ ପଛକେ, ମୋ’ର ମନ ଏଥିରେ କେବେହେଲେ ମାନିନାହିଁ । ସଂସାର ପାଖରୁ ବେଳେବେଳେ ନିବୁଜ ହୋଇ ଗଭୀରରୁ ଆହୁରି ଗଭୀରକୁ ଯାଇଛି ଏବଂ ସେଠାରେ ସଂସାରଟା ଯାକକୁ ଏକତ୍ର ସମାହିତ ହୋଇ ରହିଥିବାର ଦେଖିବାକୁ ପାଇଛି । ତା’ପରେ ମୋର ନିଜ ଭିତରେ ହିଁ ସକଳ ଦ୍ଵନ୍ଦ୍ଵର ସମାଧାନ ହୋଇ ଯାଇଛି । ମହାପୁରୁଷମାନଙ୍କର ହିତବାଣୀ ତେଣିକି ଆଉ ମୋଟେ ମନକୁ ପାଇନାହିଁ । ମୋ’ ନିଜ ଭିତରେ ଅଧିକ ପ୍ରତ୍ୟୟ ଆସିଛି-। ସଂସାରଯାକର ଅଶାନ୍ତି ମୋ’ ଲାଗି ଏକ ଆହ୍ଵାନ ପରି ହୋଇ ରହିଛି । ସେହି ଆହ୍ୱାନର ସମ୍ମୁଖୀନ ହୋଇ ମୁଁ ଜୀବନର ଭିତରେ ଓ ବାହାରେ ବହୁ ରହସ୍ୟର ଉଦ୍‌ଘାଟନ କରିବାକୁ ସମର୍ଥ ହୋଇଛି ।

 

୩୦ । ୧୦ । ୮୬

 

ଭିତରେ ମୋ’ର ଅନେକ ଅଶାନ୍ତି; ଅହି ଅଶାନ୍ତ ସଂସାର ମୋତେ ଶାନ୍ତି ଦେଇ ପାରିଲା ନାହିଁ ବୋଲି ନୁହେଁ, ଏହି ଅଶାନ୍ତି ସଂସାରର ଯାବତୀୟ ଅଶାନ୍ତତା ସତ୍ତ୍ୱେ ମୁଁ ତଥାପି ନିଜ ପାଇଁ ଶାନ୍ତ କଣଟିଏ ଖୋଜିନେଇ ତାହାରି ଭିତରେ ଶାନ୍ତ ହୋଇ ରହି ଯାଇ ପାରିଲିନାହିଁ ବୋଲି ମଧ୍ୟ ନୁହେଁ, ଅଶାନ୍ତି ଏଇଥି ସକାଶେ ଯେ ମୁଁ ଆହୁରି ଅଧିକ ପରିମାଣରେ ଏହି ସଂସାରର କାମରେ ଲାଗି ପାରିଲିନାହିଁ । ଯୋଉ ମଣିଷକୁ ଦେଖିଲେ ମୋତେ ଏତେ ଖୁସି ଲାଗେ, ଯାହାର ନିକଟବର୍ତ୍ତୀ ହେବା ମାତ୍ରକେ ମୁଁ ଅନ୍ନଠାରୁ ଆରମ୍ଭ କରି ଆନନ୍ଦ ପର୍ଯ୍ୟନ୍ତ ସଂଲଗ୍ନ ହୋଇ ରହିଥିବାର ପ୍ରତ୍ୟେକ ସ୍ତରରେ ମୋତେ ଆତ୍ମୀୟତା ଅନୁଭବ କରିଥାଏ, ମୁଁ ତାହାରି ଲାଗି ଆହୁରି ଅଧିକ ତିଆରି ହୋଇ ପାରିଥାନ୍ତି, ତାହାରି ହୋଇ ଆହୁରି ଅଧିକ କ୍ଷେତ୍ରରେ ଯାଇ ମୁଁ ଠିଆ ହୋଇ ପାରିଥାନ୍ତି ।

 

ମାୟାବାଦୀମାନେ ସଂସାରରେ ପ୍ରାୟ ସ୍ଵଭାବପ୍ରେରିତ ଭାବରେ ଏତେ କୋଳାହଳ କରିଥାନ୍ତି ଯେ, ସେମାନଙ୍କୁ ଦେଖିଲେ ମନେ ହୋଇଥାଏ, ସେମାନେ ଯେପରି ସତକୁ ସତ ମୋଟେ ମାୟାରେ ବି ନାହାନ୍ତି, ମାୟାର ଦ୍ଵାହି ଦେଇ ପ୍ରକୃତରେ ଘୃଣା ଭିତରେ ହିଁ ରହିଛନ୍ତି । ସେହି ଘୃଣା ସେମାନଙ୍କୁ ଅତ୍ୟନ୍ତ ଶୋଚନୀୟ ଭାବରେ ଅନେକ ସଙ୍ଗରୁ ବଞ୍ଚିତ କରି ରଖିଛି । ଭିତରେ ଅନେକ ସଙ୍ଗରୁ ଏବଂ ବାହାରେ ମଧ୍ୟ ଅନେକ ସଙ୍ଗରୁ । ତେଣୁ, ଏତେ ସାଙ୍ଗ ଭିତରେ ରହି ମଧ୍ୟ ସେମାନେ ତଥାପି ସକଳ ସଙ୍ଗରୁ ବଞ୍ଚିତ ହୋଇ ରହିଛନ୍ତି । ବିଚ୍ୟୁତି ହୋଇ ରହିଥିବାର ଦୁଃଖକୁ ଏକ ତାତ୍ଵିକ ଆକୃତି ଯୋଡ଼ି ସେମାନେ ତାହାକୁ ମାୟାବାଦ ବୋଲି କହୁଛନ୍ତି । ଭାରି କୋଳାହଳ କରୁଛନ୍ତି । ସଂସାରରେ ଅନେକ ଅଶାନ୍ତିର କାରଣ ହେଉଛନ୍ତି ।

 

୩୧ । ୧୦ । ୮୬

 

ସାଇଁ ଦେତା ନ ଥକୈ, ଲେତା ଥକୈ ନ ଦାସ, ଆଜି ଏ ବର୍ଷର ଜନ୍ମ ଦିନରେ ମୋ’ ଭିତରେ ବାରମ୍ବାର ଏହି ବାଣୀଟି ଘଷିହୋଇ ଯିବାରେ ଲାଗିଛି । ଜୀବନରେ ଏ ପର୍ଯ୍ୟନ୍ତ ମୁଁ ଯେତିକି ବାଟ ଆସିଛି, ସେହି ବାଟର ସର୍ବୋତ୍ତମ ଉପଲବ୍‌ଧି ରୂପେ ମୁଁ ଏହି ବାକ୍ୟଟିକୁ ହିଁ ସ୍ମରଣରେ ରଖିଥିବି । ମୁଁ ଭଲକରି ଜାଣେ, ଭିତରେ ଓ ବାହାରେ ନିଜ ଜୀବନର ଅନେକ କିଛି ଖୋଲିଲେ ଯାଇ ଏଡେବଡ଼ କଥାଟିଏ ଉପଲବ୍‌ଧି ହୋଇଥାଏ, ଓ ଜୀବନକୁ ସତକୁ ସତ ଏକ ଅନବସନ୍ନତା ରୂପେ ଅନୁଭବ ହୋଇଥାଏ । ଏହି ଅନବସନ୍ନତା ଅସଲ ପ୍ରୀତିରୁ ଜନ୍ମଲାଭ କରିଥାଏ । ବିଶ୍ଵାସରୁ ପ୍ରୀତି ଜନ୍ମେ । ବିଶ୍ଵାସ ବଢ଼ିବଢ଼ି ଯାଉଥିବା ସଙ୍ଗେସଙ୍ଗେ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ଅନୁଭବ ହୁଏ । ଏବଂ, ଏମିତି ଏକ ମୁହୂର୍ତ୍ତ ଆସେ, ଯେତେବେଳେ କି ଆଦୌ ଖିଅ କଟି ଯାଉଥିବା ପରି ମନେ ହୁଏ ନାହିଁ । ସେତେବେଳେ ଆପଣା ଆନନ୍ଦରେ ପଘାରୁ ଫିଟି ଯାଇ ହୁଏ ଓ ପୁନର୍ବାର ପଘାରେ ବାନ୍ଧି ହୋଇଯିବା ମଧ୍ୟ ସମ୍ଭବ ହୋଇଯାଏ । ସିଏ ଏକ ଅନ୍ତରଙ୍ଗ ନିର୍ଭୟତାର ସୋପାନ । ସେଠି ଆସି ପହଞ୍ଚିଲେ ଆଖି ପାଆନ୍ତାରେ ଦେଖି ହୁଏ । କେଉଁଠି ଗୋଟିଏ ପକ୍ଷ ବି ଥକି ଯାଉନାହିଁ, ଦେବାରେ ଅନ୍ତ ନାହିଁ କି ନେବାରେ ଅନ୍ତ ନାହିଁ, ସେତେବେଳେ ଏହା ହିଁ ଏକମାତ୍ର ସତ୍ୟ ବୋଲି ଲାଗେ ।

 

ଜନ୍ମଦିନର ପ୍ରଣାମ ହେଉଛି ମୋ’ର ସବୁଦିନର ପ୍ରଣାମ । ସେହି ପ୍ରଣାମ ସତେ ବାଟ ଚାଲିବାର ପ୍ରଣାମ, ଦୂରତା ଗୁଡ଼ିକୁ ନିକଟତାରେ ପରିଣତ କରିବାର ପ୍ରଣାମ । ତାହାହିଁ ମୋ’ର ପ୍ରଣାମ । ମୋ’ର ଯାବତୀୟ ସମ୍ବନ୍ଧ ଓ ଅନୁରାଗ ମଧ୍ୟଦେଇ ମୁଁ ନିଜର ଯେଉଁ ଜୀବନଟିକୁ ବଞ୍ଚି ଆସୁଛି, ଏହି ପ୍ରଣାମଟି ଦ୍ଵାରା ହିଁ ତାହା ଆପଣାକୁ ତାଙ୍କରି ସହିତ ଖିଅ ଲଗାଇ ରଖିଛି । ସେହି ଖିଅର ହିଁ ଜୟ ହେଉ ।

 

୧ । ୧୧ । ୮୬

 

ବରଷ ସରି ଆସିଲା, ମୋ’ର ଖାତା ମଧ୍ୟ ପ୍ରାୟ ସରି ଆସିଲା । ଏଇ ଖାତା ଆରମ୍ଭ କଲାବେଳେ ମୁଁ ନିଜର ଅନୁରାଗ କ୍ଷେତ୍ରରେ ଯେଉଁଠି ଥିଲି, ବର୍ତ୍ତମାନ କ’ଣ ଠିକ୍ ସେହିଠାରେ ହିଁ ରହିଛି ? ଯଦି ତାହାହିଁ ହୋଇଥାଏ, ତେବେ ବିଗତ କେତୋଟି ବର୍ଷ ମଧ୍ୟରେ ମୁଁ ଯାହାସବୁ ଲେଖିଛି, ତା’ର ପ୍ରକୃତରେ ବିଶେଷ କୌଣସି ମୂଲ୍ୟ ନାହିଁ । ଅନୁରାଗ ମୂଳତଃ ସଂପ୍ରସାରଣର କାରଣ ହୁଏ । ମୁଁ ବିଗତ କେତେବର୍ଷ ମଧ୍ୟରେ କେତେ ଆଗକୁ ଯାଇଛି, ସେକଥା ଆଦୌ ହିସାବ କରି କହି ପାରିବି ନାହିଁ । କିନ୍ତୁ ସମ୍ପ୍ରସାରିତ ଅବଶ୍ୟ ହୋଇଛି । ଆପଣା ଗଭୀରକୁ ଯିବାଲାଗି ଭିତରେ କିଏ ବାଟ କଢ଼ାଇ ନେଉଥିଲେ ବାହାରେ ତାହାହିଁ ସମ୍ପ୍ରସାରିତ ହେବାରେ ବହୁତ ସାହାଯ୍ୟ କରିଥାଏ । ଭିତରେ ଯାହାର ଭେଟ ହୁଏ, ବାହାରେ ତାହାକୁ ହିଁ ଆବିଷ୍କାର କରାଯାଏ । ଏହି ଦୁଇଟିଯାକ ଘଟଣା ମୋ’ ଜୀବନରେ ଘଟୁନଥିଲେ ହୁଏତ ଏହି ଖାତାରେ ମଧ୍ୟ ମୁଁ କିଛି ଲେଖି ପାରି ନଥାନ୍ତି ।

 

ବାଟ ଚାଲି ଲାଭ ହୁଏ କି ନାହିଁ, ମୁଁ ସେକଥା କହି ପାରିବି ନାହିଁ । ବାଟ ଚାଲିବା ଦ୍ଵାରା ପୁଞ୍ଜି ବଢ଼େ କି ନାହିଁ, ମୋତେ ସେକଥାଟି ମଧ୍ୟ ମୋଟେ ଜଣା ନାହିଁ । ମାତ୍ର, ମୁଁ ଅତ୍ୟନ୍ତ ନିଶ୍ଚିତ ଭାବରେ ଗୋଟିଏ କଥା ଅବଶ୍ୟ ଜାଣିଛି ଯେ ବାଟ ଚାଲିଲେ ଭେଟ ମିଳିଯାଏ । ଯିଏ ଆପଣା ଭିତରେ ଅତ୍ୟନ୍ତ ପାର୍ଶ୍ଵବର୍ତ୍ତୀ ହୋଇ ରହିଥିଲା, ଅଥଚ ମୁଁ ଯାହାକୁ ଅନୁଭବ କରି ପାରୁନଥିଲି, ବାଟ ଚାଲିଲେ ତାହାରି ଭେଟ ମିଳିଯାଏ; ଭିତରେ ଭେଟ ହେଉ ହେଉ ବାହାରେ ଭେଟ ହୋଇଯାଏ ଏବଂ, ବାହାରେ ଭେଟୁ ଭେଟୁ ଭିତରେ ମଧ୍ୟ ଭେଟ ମିଳିଯାଏ । ସେହି ଭେଟ ଗୁଡ଼ିକ ମୋ’ର ଭିତରେ ତଥା ବାହାରେ ସମ୍ବନ୍ଧର ସଜ୍ଞାଗୁଡ଼ିକୁ ନିୟତ ପ୍ରସାରିତ କରିଦେବାରେ ଲାଗିଥାଏ ।

 

୨ । ୧୧ । ୮୬

 

ସତ୍ୟାନାଶ, ସତ୍ୟାନାଶ, ସତ୍ୟାନାଶ,- ଯେଉଁମାନେ ସବୁଠାରେ ସବୁ କିଛି ସତ୍ୟାନାଶ ହୋଇଗଲା ବୋଲି ଏଡେବଡ଼ ପାଟିରେ ପ୍ରାୟ ଦାଣ୍ଡ ମଝିଟାରେ ଛିଡ଼ାହୋଇ କହିବାରେ ଲାଗିଛନ୍ତି, ମୁଁ ଅନେକ ସମୟରେ ଭାବେ ଯେ ସେମାନଙ୍କ ଭିତରେ କେଉଁଠି କଅଣ ପ୍ରକୃତରେ ସତ୍ୟାନାଶ ହୋଇ ସାରିଲାଣି ।

 

ସେମାନଙ୍କ ଭିତରେ କୋଉଠି କ’ଣଟିଏ ଏକାବେଳେକେ ଅମଙ୍ଗ ହୋଇ ରହିଗଲାଣି । ମଣିଷ ନିଜେ ବଦଳି ପାରିବା ନିମନ୍ତେ ନିଜ ଭିତରେ ନିଜ ପାଖରେ ଯେତିକି ମଙ୍ଗ ରହିଥିବା ଉଚିତ, ଯେତେବେଳେ ସେତକ ଆଉ ସମ୍ଭବ ହୁଏ ନାହିଁ, ସେତେବେଳେ ତା’ ହାତରୁ ପ୍ରକୃତରେ ଦଉଡ଼ିଟି ଛାଡ଼ି ହୋଇଯାଏ । ଏବଂ, ସେତେବେଳେ ପୃଥିବୀଟାକୁ ଅନାଇ ମଧ୍ୟ ସିଏ ସବୁଠାରେ ସବୁ ଦଉଡ଼ି ସତେଅବା ଛାଡ଼ିହୋଇ ଯାଇଥିବା ପରି ଦେଖିବାରେ ଲାଗିଥାଏ । ନିଜକୁ ସିଏ ସତେଅବା କ’ଣ ବୋଲି ଭାବୁଥାଏ କି କ’ଣ କେଜାଣି, ପୃଥିବୀରେ ଆଉ କଦାପି କିଛି ସମ୍ଭବ ହୋଇ ପାରିବନାହିଁ ବୋଲି ସିଏ ଘୋଷି ହେବାରେ ଲାଗିଥାଏ । ତା’ ନିଜ ଉପରେ ତା’ର କୌଣସି ବଳ ନଥାଏ, ତେଣୁ ପୃଥିବୀ ଉପରେ ଆଉ କୋଉଠି କୌଣସି ରହିଛି ବୋଲି ସେ ମୋଟେ ବିଶ୍ଵାସ କରୁନଥାଏ । ପୃଥିବୀ ଉପରେ ଯେତେବେଳେ ଆଉ କାହାରି ବଳ ନାହିଁ, ଏହିପରି ଏକ ଯୁକ୍ତିରେ ନିଜଉପରେ ନିଜର ବଳ ଥିବା ବିଷୟରେ ସେ ଦାୟିତ୍ଵହୀନ ହୁଏ । ଦାୟିତ୍ଵ ସବାଆଗ ନିଜ ସ୍ତରରେ । ନିଜଉପରେ ନିଜର ବଳ ରହିଥିବା ପର୍ଯ୍ୟନ୍ତ ଓ ସେହି ବଳ ଆମକୁ ସବାଆଗ ନିଜ ଭିତରୁ ମିଳୁଥିବା ପର୍ଯ୍ୟନ୍ତ, ପୃଥିବୀ ଉପରେ ଯେ ପ୍ରକୃତରେ ଜଣକର ବଳ ରହିଛି, ନିଜ ଭିତରେ ସେହିପରି ଏକ ଦୃଢ଼ ବିଶ୍ଵାସ ରହିଥାଏ । ସେହି ବିଶ୍ୱାସ ମଣିଷକୁ ବଦଳାଇ ଦିଏ । ବିଶ୍ୱକୁ ବଦଳାଇ ଦେବାରେ ତାହା ନିମିତ୍ତ ପରି କାର୍ଯ୍ୟ କରିଥାଏ ।

 

୩ । ୧୧ । ୮୩

 

ବର୍ଷା ହେଉଛି ଏହି ରହସ୍ୟଗର୍ଭ ପୃଥିବୀର ପ୍ରତୀକ । ମୋ’ ଭିତରେ ରହସ୍ୟ ରହିଛି, ମୋ’ ଚାରିପାଖରେ ରହସ୍ୟ ରହିଛି; ମୋ’ ସହିତ ନାନାଭଳି ସମ୍ବନ୍ଧ ସ୍ଥାପନ କରି ମୋତେ ଯେଉଁମାନେ ଏହିପରି ଭାବରେ ଅନେକଯୁକ୍ତ କରି ରଖିଛନ୍ତି, ସେମାନଙ୍କ ଭିତରେ ମଧ୍ୟ ରହସ୍ୟ ଭରି ରହିଛି । ଯଦି ରହସ୍ୟ ବୋଲି କିଛି କେଉଁଠି ନଥାନ୍ତା, ତେବେ ପୃଥିବୀରେ ଏତେବେଶୀ ଆକର୍ଷଣ ବି ନଥାନ୍ତା । ଜ୍ଞାତ ଭିତରେ ମଧ୍ୟ ଅଜ୍ଞାତକୁ ପ୍ରଚ୍ଛନ୍ନ କରି ରଖି ଏହି ପୃଥିବୀ ପ୍ରକୃତରେ ଅନୁରାଗୀ ମଣିଷଲାଗି ସମ୍ପଦମୟ ହୋଇ ରହିଛି । ବେଳେବେଳେ ମୁଁ ଭାବେ, ଯଦି ପୃଥିବୀରେ ରହସ୍ୟ ବୋଲି ମୋଟେ କିଛି ନଥାନ୍ତା; ତେବେ ଏହି ଅନୁରାଗଗୁଡ଼ାକ ମଧ୍ୟ କିପରି ସମ୍ଭବ ହେଉଥାନ୍ତା ? ଅନୁରାଗ,–ଅର୍ଥାତ୍ ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାର ଏକ ସ୍ଵେଚ୍ଛାପ୍ରବୃତ୍ତ ଇଚ୍ଛା-। ତେଣୁ, ରହସ୍ୟ ହିଁ ଆକର୍ଷଣ କରେ, ରହସ୍ୟ ହିଁ ନିକଟବର୍ତ୍ତୀ କରାଏ । ଅଧିକରୁ ଅଧିକ ନିକଟବର୍ତ୍ତୀ କରାଇବାରେ ଲାଗିଥାଏ ।

 

ବର୍ଷା ହେଉଥିବା ଆକାଶ ଆଡ଼କୁ ଅନାଇଲେ ମୋତେ ଯେପରି କେଉଁ ରହସ୍ୟଗର୍ଭର ପରିଚୟ ମିଳିଯାଏ । ମୋ’ ଭିତରକୁ ଅନେକ ରହସ୍ୟ ପ୍ରତିଭାତ ହୋଇଆସେ । ସେହି ରହସ୍ୟ ଚିରକାଳ ଲାଗି ସେହିପରି ରହସ୍ୟ ହୋଇ ରହିଥାଉ । ମୁଁ ଜୀବନର ସବୁ ରହସ୍ୟକୁ ଭେଦ କରି ପାରିଲି ଓ ଆଉ ମୋ’ଲାଗି ରହସ୍ୟ ବୋଲି ମୋଟେ କିଛି ନାହିଁ, ଏପରି କହିବାର ଧୃଷ୍ଟତା ମୋ’ର କେବେହେଲେ ନହେଉ ! ଯେତେବେଳେ ଯାଏ ରହସ୍ୟ ହିଁ ସ୍ଵୀକୃତ ହୋଇ ରହିଥାଏ, ରହସ୍ୟ ହିଁ ରହସ୍ୟକୁ ଆକର୍ଷଣ କରିବାରେ ଲାଗିଥାଏ, ହୁଏତ କେବଳ ସେତିକିବେଳ ଯାଏ ଭଲ ପାଇବା ବୋଲି ଏକ ଅନୁଭବ ସମ୍ଭବ ହୋଇଥାଏ ।

 

୪ । ୧୧ । ୮୬

 

ଆଳସ୍ୟ ଏକ ଦୃଷ୍ଟିକୋଣ । ଅଳସୁଆ ବୟସ୍କମାନେ ଅଳସୁଆ ବୟସ୍କମାନଙ୍କୁ ସେମାନଙ୍କର ଆଳସ୍ୟ ବିଷୟରେ ହିତବାଣୀ ଶୁଣାଉଥିବା ସମୟରେ ଆଳସ୍ୟକୁ ସତେଅବା ଏକ ଦୁର୍ଗୁଣ ବୋଲି ଯେପରି ଭାବରେ ସୂଚାଇ ଦେବାକୁ ଇଚ୍ଛା କରୁଥାନ୍ତି, ଆଳସ୍ୟ ସମ୍ଭବତଃ ମୋଟେ ସେପରି ନୁହେଁ । ବହିମାନଙ୍କର ମଧ୍ୟ ଆଳସ୍ୟକୁ ଯେପରି ବର୍ଣ୍ଣନା କରି କୁହାଯାଇଥାଏ, ସେଥିରୁ ଆଳସ୍ୟର ଅସଲ ପରିଚୟଟି ଆଦୌ ମିଳି ପାରେନାହିଁ ।

 

ଆଳସ୍ୟ ଏକ ଦୃଷ୍ଟିକୋଣ । ସଂସାରରେ ମୋ’ପାଇଁ ସବୁକିଛି ହୋଇ ଯାଉଥିବ, ମୁଁ ନିଜେ କିଛି କରିବିନାହିଁ କି ଆଉ କାହାରିପାଇଁ ମଧ୍ୟ କରିବିନାହିଁ;–ଏହିପରି ଏକ ଦୃଷ୍ଟିକୋଣ ମଣିଷର ଅବଚେତନ ମନ ଓ ଅବଚେତନ ଦେହକୁ ମଧ୍ୟ ଗ୍ରାସ କରି ରହିଥାଏ । ଆଳସ୍ୟ ହେଉଛି ଗେହ୍ଲା ମଣିଷମାନଙ୍କର ଦୃଷ୍ଟିକୋଣ । ଗେହ୍ଲା ମଣିଷମାନେ କାହାରିପାଇଁ ବଞ୍ଚି ପାରନ୍ତିନାହିଁ । କାହାରି ପାଇଁ ବଞ୍ଚିଲେ ଯେ ଜୀବନରେ ଅନେକ ଜଡ଼ତାକୁ ଅତିକ୍ରମ କରିବା ଭାରି ସହଜ ହୋଇଯାଏ, ସେମାନଙ୍କର ମୋଟେ ସେହି ଅନୁଭବ ହୋଇ ନଥାଏ । ଆପଣାର ତାତ୍କାଳିକ ବୃତ୍ତଗୁଡ଼ିକ ଠାରୁ ବୃହତ୍ତର କୌଣସି ସମ୍ପଦ ବା କୌଣସି ପରିପୂର୍ଣ୍ଣତା ଲାଗି ସତକୁ ସତ ନିଜର ଭିତରୁ ନିଜକୁ ପ୍ରସ୍ତୁତ କରି ଆଣିପାରିଲେ ଦେହ ଓ ମନ ସମେତ ଜୀବନର ଅନ୍ୟ ଯାବତୀୟ ସୋପାନ ଯେ ସତକୁ ସତ ସମର୍ପିତ ହୋଇ ରହିଥିବା ପରି ଲାଗେ, ଜୀବନରେ କେବେ ନା କେବା ତାହାକୁ ଅଙ୍ଗେ ନିଭାଇବାକୁ ପଡ଼େ । ସମର୍ପିତ ମଣିଷ ପାଖରୁ ଆଳସ୍ୟ ବଳେ ବଳେ ଛାଡ଼ି ପଳାଏ-। ତାକୁ ଆଉ ନିଜର ଆଳସ୍ୟରୂପୀ ଦୁର୍ଗୁଣଟି ସହିତ ମୋଟେ ଯୁଝିବାକୁ ପଡ଼େନାହିଁ । ତା’ ଭିତରେ ଯେଉଁ ବୃହତ୍ତର ନିୟତ ବିଦ୍ୟମାନ ରହିଥାନ୍ତି, ସେଇ ହୁଏତ ଯୁଦ୍ଧଟିକୁ ଲଢ଼ି ଯୁଦ୍ଧରେ ଜିତି ସାରିଥାନ୍ତି-

 

୫ । ୧୧ । ୮୬

 

ବିରକ୍ତି ଭିତରେ ମଧ୍ୟ ସତକୁ ସତ ଅନୁରକ୍ତିଟିଏ ରହିଛି । ଯିଏ ସଂସାରପ୍ରତି ବିମୁଖ ହୋଇ ସଂସାର ଛାଡ଼ି ଚାଲିଯାଇଛି, ତା’ର ମଧ୍ୟ ସଂସାର ପ୍ରତି ଏକ ଆକର୍ଷଣ ରହିଛି । ମୋହ ନାହିଁ, ଏକ ଆକର୍ଷଣ ରହିଛି । ସିଏ ଆଉ କ’ଣ ଚାହୁଛି, ଆଉ ଅନ୍ୟପରି ଏକ ସଂସାରର କାମନା ରହିଛି-। ଦୂରରେ ରହି କାମନା କରୁଛି । ଏହି ସଂସାର ଭିତରେ ରହି ସଂସାରକୁ ବଦଳାଇବା ଓ ଅନ୍ୟପ୍ରକାର କରି ଗଢ଼ିବା,–ଏଥିପାଇଁ ଅବଶ୍ୟ ଜୀବନ ବିଷୟରେ ଅଧିକ ପ୍ରଗାଢ଼ ଅନୁରକ୍ତି ରହିଥିବା ଦରକାର । ଏହି ଅନୁରକ୍ତିଟିକୁ ଦୂଷିତ କରି ଦେବାଲାଗି ମଧ୍ୟ ଗୋଟିଏ ପ୍ରକାରର ମୋହ ରହିଛି । କ୍ଷମତାର ମୋହ, କେବଳ ମୋ’ରି ଦ୍ଵାରା ବା ମୋ’ ମାର୍କାଟି ଦ୍ଵାରା ହିଁ ସନାର ବଦଳିବ ବୋଲି ଜିଦ୍ ଧରି ବାହାରିଥିବା ଅହଂକାର ଓ ମୋହ,–ଏହି ସଂସାରର ନିୟତିକୁ କେବଳ ମୁଁ ଅଥବା ଆମେ ନିର୍ଦ୍ଦିଷ୍ଟ କରି ଦେଇଥିବା ସୀମାଭିତରେ ଆବଦ୍ଧ କରି ରଖି ତାହାକୁ ହିଁ ସଂପୂର୍ଣ୍ଣ ନିୟତି ବୋଲି ବିଶ୍ଵାସ କରିବାରେ ମୋହ । ଇତିହାସରେ ଏହିସବୁ ମୋହର ବହୁ ଉଦାହରଣ ରହିଛି ।

 

ଯିଏ ସଂସାରଠାରୁ ଦୂରରେ ଛିଡ଼ା ହୋଇ ସଂସାର ବଦଳିଯାଉ ବୋଲି କାମନା କରୁଛି, ସଂସାରପ୍ରତି ତା’ର ମଧ୍ୟ ଅନୁରକ୍ତି ରହିଛି । ସିଏ ମୋହକୁ ଡରୁଛି, ସଂସାର ଭିତରକୁ ଆସିବା ଲାଗି ଡରୁଛି । ତା’ ଆପଣା ଭିତରେ ଏମିତି କିଛି ରହିଛି ବୋଲି ସିଏ ଭାରି ସଚେତନ ଭାବରେ ଆଶଙ୍କା କରୁଛି, ଯାହାକି ତାକୁ ବାନ୍ଧି ପକାଇବ, ଗିଳି ପକାଇବ ଓ ଅଣନିଃଶ୍ଵାସୀ କରିଦେବ । ହୁଏତ ସେଇଥିଲାଗି ସିଏ ଯଥାସମ୍ଭବ ଦୂରତା ରଖୁଛି । ଦୂରତା ରଖିବାକୁ ହିଁ ମୋହମୁକ୍ତି ବୋଲି ବିଶ୍ଵାସ କରୁଛି । ଏବଂ, ତେଣୁ ହୁଏତ ଅନୁରକ୍ତିଟିକୁ ଉଢ଼ୁଆଳରେ ରଖିବାକୁ ଇଚ୍ଛା କରୁଛି । ମାତ୍ର, ଉଢ଼ୁଆଳରେ ଥିଲେ ମଧ୍ୟ ଅନୁରକ୍ତି ତଥାପି ରହିଛି ।

 

୬ । ୧୧ । ୮୬

 

କୌଣସି କାରଣରୁ କେହି ମୋ’ ପାଖରୁ ବିରକ୍ତ ହୋଇ ଦୂରକୁ ପଳାଇ ଯିବାକୁ ମନ କଲେ ମୁଁ ତା’ ଭିତରେ ତଥାପି କୋଉ ତଳେ ଯାଇ ରହିଥିବା ଅନୁରକ୍ତିଟି ପାଖରେ ବଡ଼ ଅନୁନୟ ସହିତ ପ୍ରାର୍ଥନା କରୁଥିବା ପରି ଅନୁଭବ କରେ । ହୁଏତ ତା’ଠାରୁ ଟିକିଏ ଦୂର ଠିଆ ହୁଏ ଏବଂ ଆପଣା ଭିତରେ ଥିବା ଅନୁରକ୍ତିଟି ପିଣ୍ଡଟି ଉପରେ ଠିଆ ହୋଇ ତା’ ଭିତରର ଅନୁରକ୍ତିଟିକୁ ଡାକିବାଲାଗି ଚେଷ୍ଟା କରେ । ସାଙ୍ଗକୁ ଡାକୁଥିବା ପରି ଲାଗେ ।

 

ସେହି ସାଙ୍ଗ–ସାଙ୍ଗ ସମ୍ପର୍କକୁ ନିଜ ଜୀବନର ସବାବଡ଼ ଅବଲମ୍ବନରେ ପରିଣତ କରି ପାରିଥିଲେ ଜୀବନରେ ଅନ୍ୟମାନଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇ ରହିବାର ବହୁ ଦୁର୍ଗତିରୁ ପ୍ରକୃତିରେ ଭାରି ରକ୍ଷା ମିଳେ । ଯାବତୀୟ ପ୍ରକାରର ମିଛ ଅଭିମାନ ସେତେବେଳେ ମୋଟେ ବାଧା ହୋଇ ଛିଡ଼ା ହୋଇ ପାରନ୍ତିନାହିଁ । ନିଜ ଭିତରର ଅତ୍ୟନ୍ତ କୋମଳ ଓ ଅତ୍ୟନ୍ତ ସମ୍ମତଟି ସତେଅବା ଅନ୍ୟଜଣକ ଭିତରେ ରହିଥିବା ଅତ୍ୟନ୍ତ କୋମଳ ଓ ଅତ୍ୟନ୍ତ ସହିତଟି ସହତ କଥାବାର୍ତ୍ତା କରୁଥିବା ପରି ଅନୁଭବ ହେଉଥାଏ । ଅତ୍ୟନ୍ତ କୋମଳ ଓ ଅତ୍ୟନ୍ତ ସମ୍ମତର କୌଣସି କୌଣସି ବୟସ ନାହିଁ, କୌଣସି ମିଛ ଆତ୍ମ–ସଚେତନତା ବା ଅହଙ୍କାରିତା ମଧ୍ୟ ନାହିଁ । ତେଣୁ, ନିଜେ ଉପରେ ଠିଆ ହୋଇ ସତେଅବା ତଳେ ଥିବା ଆଉ କାହାରିକୁ ଧିକ୍‌କାରରୁ ଥିବାର ସମସ୍ତ ଅଭଦ୍ରତା ଲାଗି ଆଉ କୌଣସି ପ୍ରଶ୍ରୟ ମିଳେନାହିଁ । ସମସ୍ୟାଗୁଡ଼ାକର ସମାଧାନ ହୁଏ, ଦୂରତାଗୁଡ଼ାକ ଭେଦିହୋଇ ଗଲାପରି ଲାଗେ । ତା’ପରେ ବିରକ୍ତିମାନେ ଅନୁରକ୍ତିର ନିର୍ଭର ଭିତରେ ସତେଅବା ଥାନ ପାଇଯାଆନ୍ତି । ସତେଅବା ରୂପାନ୍ତରିତ ହୋଇଯାନ୍ତି । ବିଗିଡ଼ାଗୁଡ଼ାକ ସଂପୂର୍ଣ୍ଣ ଭାବରେ ସଜଡ଼ା ହୋଇଯାଏ ।

 

୭ । ୧୧ । ୮୪

 

ଋଷିଆର ବିପ୍ଳବ ଜଗତରେ ଯେଉଁସବୁ ମୂଲ୍ୟର ସାକାର ପ୍ରତିଷ୍ଠା କରିବାକୁ ଇଚ୍ଛା କରିଥିଲା, ସେହି ପ୍ରତିଷ୍ଠା କରିବାରେ ରୁଷିଆର ନେତୃତ୍ଵ କେତେଦୂର ସଫଳ ହେଲା ବା ନହେଲା, ସେକଥା ବିଶାରଦମାନେ ଏଆଲୋଚନା କରିବେ । ଋଷିଆର ବିପ୍ଳବକୁ ମୁଁ ପ୍ରକୃତରେ ସମ୍ମାନ ଓ ଶ୍ରଦ୍ଧାର ସହିତ ଦେଖିଥାଏ,–କାରଣ ସେହି ବିପ୍ଳବ ପୃଥିବୀରେ ଅନେକ ମଣିଷଙ୍କର ନିଦ ଭାଙ୍ଗିଦେଇ ଗଲା । ନିଦ ଭାଙ୍ଗିଦେଇ ପାରିବା ସେହି ପ୍ରକ୍ରିୟାଟି ଏବେ ମଧ୍ୟ ସରିନାହିଁ । ସେହି ପ୍ରକ୍ରିୟାଟି ସତେଅବା ଏକ ବିବର୍ତ୍ତନ–ପ୍ରକ୍ରିୟାରେ ପରିଣତ ହୋଇଗଲାଣି ଓ ତାହା ଆମ ପୃଥିବୀର ସବୁ ଦେଶରେ ବି ଅନୁଭୂତ ହେଉଛି ।

 

ବର୍ତ୍ତମାନ ସାମ୍ୟବାଦ ଓ ଗଣତନ୍ତ୍ରକୁ ପ୍ରଧାନତଃ ଦୁଇଟା ରାଜନୀତି ଶବ୍ଦରେ ପରିଣତ କରି ପୃଥିବୀକୁ ଯଥାସମ୍ଭବ ଦୁଇଭାଗରେ ବିଭକ୍ତ କରି ରଖିବାର କୂଟନୈତିକ ଯେତେ ଯାହା ପ୍ରଚେଷ୍ଟା ଚାଲିଥାଉ ଏବଂ ଅସ୍ତ୍ରଶସ୍ତ୍ରର ସରଗରମରେ ସେହି ପ୍ରଚେଷ୍ଟାକୁ ଯେଡେ ଅନମନୀୟ ଭାବରେ ଜାରି ରଖିବାର ଆଦର୍ଶବାଦୀ ଅର୍ଥାତ କ୍ଷମତାସୀନ ଫିସାଦମାନ ହେଉଥାଉ ପଛକେ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଏହି ପୃଥିବୀରେ ଗଣତନ୍ତ୍ର ତଥା ସାମ୍ୟବାଦ ଦୁଇଟିଯାକ ଫଳକୁ ଏକ ବାସ୍ତବ ସମ୍ଭାବନାରୂପେ କ୍ରମେ ଅଧିକରୁ ଅଧିକ ସମ୍ଭବ କରି ଆଣିବାରେ ରୁଷିଆର ବିପ୍ଳବ ଅନେକ ସାହାଯ୍ୟ କରି ଆସିଛି । ମଣିଷକୁ ମଣିଷର ସମ୍ମାନରେ ସଚେତନ କରିବାରେ ତାହା ବହୁ ପ୍ରେରଣା ଦେଇଛି । ସାମ୍ୟବାଦ ଏବଂ ଗଣତନ୍ତ୍ର ଯେ କେବଳ ରାଜନୀତିକ ଦୁଇଟା ବାଦ ବା ଦୁଇଟା ତନ୍ତ୍ରଠାରୁ ବସ୍ତୁତଃ ଅନେକ ଅଧିକ, ଆଧୁନିକ ସଚେତନ ମଣିଷକୁ ସେହି ସତ୍ୟଟିର ପରିଚୟ ଆଣି ଦେବାରେ ଆହୁରି ବହୁ ଘଟଣା ସହିତ ଋଷିଆର ବିପ୍ଳବର ମଧ୍ୟ ଏକ ଅତ୍ୟନ୍ତ ମୂଲ୍ୟବାନ୍ ଅବଦାନ ରହିଛି ।

 

୮ । ୧୧ । ୮୬

 

ଇତି ମଧ୍ୟରେ ଏହି ଡାଏରୀ ଗୁଡ଼ିକରେ ଗୋଟିଏ ନାମକରଣ ହୋଇ ସାରିଲାଣି । “ରୋହିତର ଡାଏରୀ” ତିନିଖଣ୍ଡ ବାହାରି ବି ସାରିଲାଣି । ଆହୁରି ଅନେକ ଖଣ୍ଡ ଲାଗି ମୋ’ ଡାଏରୀର ପୃଷ୍ଠାଗୁଡ଼ିକ ଅପେକ୍ଷା କରି ରହିଛନ୍ତି । ସୋପାନ ଉଠିବାକୁ ଓ ପରିଧି ଗୁଡ଼ିକର ସଂପ୍ରସାରଣ କରିବାକୁ ହିଁ ଜୀବନର ସର୍ବପ୍ରଥମ ଅଭିଳାଷ ବୋଲି ଗ୍ରହଣ କରିଥିବା ମୋ’ପରି ଜଣେ ମଣିଷର ଗଭୀର ହୃତ୍‌ସ୍ଥଳରେ ତାହାର କେଉଁଭଳି ପ୍ରତିକ୍ରିୟା ହେଉଛି କେଜାଣି ? ମୋ’ ବାହାରଟା କ’ଣ ପ୍ରକୃତରେ ତାହାର କିଛି ସଂକେତ ପାଉଛି ?

 

ଡାଏରୀଲେଖା ଆରମ୍ଭ କରିବା ପରେ ଦୀର୍ଘ ଅନେକ ବର୍ଷ ପର୍ଯ୍ୟନ୍ତ ମୁଁ ଥରେ ହେଲେ ନିଜ ଭିତରେ କୌଣସି ପ୍ରକାରେ ଚିନ୍ତା କରିନଥିଲି ଯେ, ଏଗୁଡ଼ିକ ଦିନେ ବହି ଆକାରରେ ଛାପା ହେବ । ସେପରି ଏକ ଅନ୍ଦାଜ ରହିଥିଲେ ମୁଁ ସେଗୁଡ଼ିକୁ ହୁଏତ ଟିକିଏ ସଜାଇ କରି ଲେଖିଥାନ୍ତି, ତେଣୁ ଅଲଗା ପ୍ରକାରେ ଲେଖିଥାନ୍ତି । ହୁଏତ ଅନେକ ମିଛକଥାକୁ ମୋ’ର ଅସଲ ବ୍ୟାକୁଳତା ବୋଲି ଦେଖାଇବାକୁ ଚେଷ୍ଟା କରିଥାନ୍ତି । ତେବେ ତାକୁ ଆଉ ରୋହିତର ଅନ୍ତର୍ଯାତ୍ରା ବୋଲି କୁହାଯାଇ ନଥାନ୍ତେ । ତାହାର ସାହିତ୍ୟମୂଲ୍ୟକୁ ନେଇ ବାବୁମାନେ କେତେ ତାରିଫ୍ କରିଥାନ୍ତେ, ମାତ୍ର ଭିତରର ଆକୁଳତାଗୁଡ଼ାକ ହୁଏତ ଚାପା ପଡ଼ି ରହି ଯାଇଥାନ୍ତା । ଲୋକେ ଯାହାକୁ ସଚରାଚର ରମ୍ୟରଚନା ବୋଲି କହନ୍ତି, ଡାଏରୀଗୁଡ଼ାକ ପ୍ରଧାନତଃ ସେହିପରି କିଛି ହୋଇଥାନ୍ତା । ମୁଁ ଏବେ ମଧ୍ୟ ଡାଏରୀ ଲେଖୁଛି । ମାତ୍ର, ମୋ’ର ଯାହା କହିବାର ବା ଲେଖିବାର କଥା, ତାହାକୁ ଏକ ବିଶେଷ ମନୋରମତା ସହିତ ସଜାଇ ଲେଖିବାର ସେହି ଆଦ୍ୟ ଉତ୍ସାହକୁ ମୁଁ କୋଉଦିନୁଁ ଅତିକ୍ରମ କରି ଆସିଲିଣି । ଭିତର ଓ ବାହାର ମଧ୍ୟରେ ଯେତେବେଳେ କୌଣସି ପ୍ରଭେଦ ନରହେ, ସେତେବେଳେ ମୋଟେ ସଜାଇକରି କିଛି ଲେଖିବାଲାଗି କୌଣସି ଇଚ୍ଛା ହୁଏନାହିଁ ।

 

୯ । ୧୧ । ୮୬

 

ଆମେସବୁ ଯାହା କରିବୁ ବୋଲି କଳ୍ପନା କରିଥାଉ, ନାନା କାରଣରୁ ତାହା କରିପାରୁ ନାହିଁ । ତେଣୁ କାଳକ୍ରମେ, ସତେଅବା ନିଜକୁ ବୋଧ ଦେବା ସକାଶେ ଆମେ ଯାହାକିଛି କରୁଥାଉ, ସତକୁ ସତ ତାହାହିଁ କରିବାକୁ ଚାହିଁଥିଲୁ ବୋଲି କଳ୍ପନା କରିବାକୁ ଆରମ୍ଭ କରୁ । ସମ୍ଭବତଃ ସେହି କାରଣରୁ ହିଁ ଆମର ତଥାକଥିତ ବାସ୍ତବଗୁଡ଼ାକ ବାସ୍ତବର ଥାନରେ ରହିଥାଆନ୍ତି ଓ ତଥାକଥିତ ଆଦର୍ଶଗୁଡ଼ାକ ମଧ୍ୟ ଆଦେଶରେ ରହିଥାନ୍ତି,–ବାସ୍ତବଗୁଡ଼ାକର ଅନେକ ଊର୍ଦ୍ଧ୍ଵରେ ରହିଥାନ୍ତି ।

 

ପୁରୁଣାକୁ ବଦଳାଇ ଦେବା ନିମନ୍ତେ ନୂଆକୁ ଆଣିବାକୁ ହୁଏ, ନୂଆକୁ ସତକୁ ସତ ଇଚ୍ଛା କରିବାକୁ ହୁଏ,–ନୂଆ ହେବାକୁ ହୁଏ । ଆମେ ନୂଆ ହେବାକୁ ଭୟ କରୁଥାଉ, ଆମ ଗୋଡ଼ତଳୁ ସତେଅବା ସବୁଯାକ ମାଟି ଭୁଷୁଡ଼ି ପଡ଼ିବ ବୋଲି ଆଶଙ୍କା କରୁଥାଉ । ସେଥିଲାଗି ସେହି ପୁରୁଣାଟା ଭିତରେ ହିଁ ରହିଥାଉ, ନୂଆ ଆସୁଛି ବୋଲି ମିଛ ପ୍ରତ୍ୟାଶା ଓ ମିଛ ସାନ୍ତ୍ଵନା ଭିତରେ ହିଁ ରହିଥାଉ, ନୂଆ ଆସୁଛି ବୋଲି ମିଛ ପ୍ରତ୍ୟାଶା ଓ ମିଛ ସାନ୍ତ୍ଵନା ଭିତରେ ଗୁଡ଼ାଇ ହୋଇ ରହିଥାଉ । ନୂଆକୁ ଫଟୋଟାଏ କରି ବା ମନ୍ତ୍ରଟିଏ କରି କେତେପ୍ରକାର rituals ବାହାର କରୁ ଓ ସେଇଥିରେ ମଜ୍ଜି ରହିଥାଉ । ଆମ ପିତ୍ତଭିତରେ ପୁରୁଣା ହିଁ ଘର କରି ରହିଥାଏ । ପୃଥିବୀରେ କ’ଣ ସବୁଦିନ ଏହି ତାମସାର ପୁନରାବୃତ୍ତି ହେବାରେ ଲାଗିଥିବ ? ଆମେ ନୂଆ ଭେକ ପିନ୍ଧି ନୂଆକୁ ଧୋକା ଦେବାରେ ଲାଗିଥିବା ଏବଂ କହୁଥିବା ଯେ, କେଉଁ ମହାପୁରୁଷଙ୍କର କୃପାରୁ ଠିକଣା ସମୟରେ ସବୁକିଛି ଠିକ୍ ହୋଇଯିବ ? ଠିକ୍ ହେଉ ହେଉ ଆମର ପୃଥିବୀ ବର୍ତ୍ତମାନର ଦୁର୍ଗତିଯାଏ ଆସିଲାଣି, ତଥାପି ଅସମ୍ମତ ଅନୁଗାମୀମାନଙ୍କର ଭିଡ଼ ଲାଗି ରହିଥିବ ।

 

୧୦ । ୧୧ । ୮୬

 

ପ୍ରାୟ ସାଢ଼େ ତିନିବର୍ଷ ପରେ ମୁଁ ଆଜି ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମ ଯାଉଛି । ସଂସାରରୁ କିଛି ନେଇ ମୁଁ ଆଶ୍ରମକୁ କିଛି ନେଇ ସଂସାରକୁ ଫେରିଆସେ । ଅର୍ଥାତ୍ ସଂସାରରେ ଥିବାବେଳେ ମୁଁ ଆଶ୍ରମକୁ ବହନ କରି ଧରିଥାଏ ଓ ଆଶ୍ରମରେ ଥିବାବେଳେ ସଂସାର ମଧ୍ୟ ମୋ’ ସାଙ୍ଗରେ ରହିଥାଏ । ଆଶ୍ରମକୁ, ଯେକୌଣସି ଆଶ୍ରମକୁ ଏକ ଶୁଦ୍ଧ ସ୍ଥାନ ବୋଲି କହିବି ବୋଲି ମୋତେ ଯେ ସଂସାରଟାକୁ ଅଶୁଦ୍ଧ ବୋଲି କହିବାକୁ ହେବ, ନିଜ ଜୀବନରେ ମୁଁ ସେପରି କୌଣସି ଆବଶ୍ୟକତା ଅନୁଭବ କରିନାହିଁ । ତେଣୁ, ଆଶ୍ରମରେ ଥିବାବେଳେ ମୁଁ ସଂସାରୀ ବୋଲି କୌଣସି ହୀନମନ୍ୟତା ଦେଖାଇନାହିଁ ଅଥବା ସଂସାରରେ ଥିବାବେଳେ ଏଠୁ ଶୀଘ୍ର କିପରି କୌଣସି ଆଶ୍ରମକୁ ପଳାଇଯିବି ଓ ତାହାରିଦ୍ଵାରା ତରିଯିବି, ନିଜ ଭିତରେ ମୁଁ ସେପରି କୌଣସି ପଳାୟନବାଦୀ ପୀଡ଼ନ ମଧ୍ୟ ଅନୁଭବ କରିନାହିଁ ।

 

କେବଳ ସଂସାର ବାନ୍ଧି ରଖେନାହିଁ, ଆଶ୍ରମ ମଧ୍ୟ ବେଶ୍ ବାନ୍ଧି ରଖିବାର କାରଣ ହୋଇପାରେ । ପୃଥିବୀରେ ଅନେକ ଆଶ୍ରମବାସୀଙ୍କୁ ଦେଖିଲେ ତାହାର ପ୍ରମାଣ ମିଳିଯାଏ । ଅନେକ ଆଦର୍ଶବାଦୀ ଯେମିତି ଆଦର୍ଶ ଭିତରେ ବାନ୍ଧିହୋଇ ରହିଥାନ୍ତି । ସେମାନଙ୍କର ବାଟ ଚାଲିବା ପ୍ରାୟ ବନ୍ଦ ହୋଇ ଯାଇଥାଏ, ସେମାନଙ୍କର ଗୋଟାଳି ଚାରିପାଖରେ ଗୋଲ ହୋଇ ଗାରଟିଏ ପଡ଼ି ସାରିଥାଏ । ବରଂ ସଂସାରଟା କମ୍ ବାନ୍ଧେ,–କାରଣ ଏହା ଅପୂର୍ଣ୍ଣ ବୋଲି ଭାରି ଶୀଘ୍ର ଧରା ପଡ଼ିଯାଏ । ତେଣୁ ଅଧିକକୁ ମନ ହୁଏ । ତଳେ ଗଡ଼ିଆଟି ଭିତରେ ଗୋଡ଼ଟା ଲାଖି ଯାଇଥିବା ପରି ଲାଗୁଥିଲେ ମଧ୍ୟ ତଥାପି ଆକାଶକୁ ଚାହିଁ ଦେଖିବାର ଓ ତା’ର ଜନକତ୍ଵକୁ ସ୍ଵୀକାର କରିବାର ଅନେକ ଅବକାଶ ରହିଥାଏ ।

 

୧୪ । ୧୧ । ୮୬

 

ଆଶ୍ରମ ଭିତରେ ଘରଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖା ଯାଉଥାଏ, ତେଣୁ ଆଶ୍ରମ ଠିକ୍ ଘରପରି ଲାଗେ । ଭଗବାନଙ୍କର ଭବିଷ୍ୟତ ଭିତରକୁ ଯଥାର୍ଥ ଅନୁରାଗ ସହିତ ଅନାଇ ପାରିଲେ ଯେପରି ନିଜର ଭବିଷ୍ୟତ ସହିତ ମନୁଷ୍ୟର ଅର୍ଥାତ୍ ବିଶ୍ଵର ଭବିଷ୍ୟତଟି ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖାଯାଏ, ଏହା ପ୍ରାୟ ସେହିପରି ଏକ କଥା । ଏମିତି ଦେଖିପାରିଲେ ଆଉ କୌଣସି ଦ୍ଵନ୍ଦ ରହେନାହିଁ, ଧାର୍ମିକତାରୁ କବଳରୁ ଅନେକ ରକ୍ଷା ମିଳେ ।

 

ମାୟାବାଦୀର ଆଖିରେ ଅନାଇଲେ ଆଶ୍ରମ ଘରଠାରୁ ଅଲଗା ହୋଇ ଦେଖାଯାଏ, ମାୟାବାଦୀର ବିରକ୍ତ ବିବେକସୂତ୍ର ପକାଇ ବିଚାର କରୁଥିବା ସମୟରେ ଭବିଷ୍ୟତ ଠାରୁ ବର୍ତ୍ତମାନଟା ବି ଭାରି ଅଲଗା ହୋଇ ଦେଖାଯାଏ । ବର୍ତ୍ତମାନ ବିଷୟରେ ନିଜର ଅସମର୍ଥତାଗୁଡ଼ାକ ଯେତିକି ଉତ୍କଟ ଭାବରେ ବିଚାରଶକ୍ତିକୁ କାମୁଡ଼ି କରି ରହିଥାନ୍ତି, ଭବିଷ୍ୟତଟା ମଧ୍ୟ ସତେଅବା ସେତିକି ଅକଳ ବୋଲି ମନେ ହେଉଥାଏ । ଯେଉଁ ବନ୍ଧୁମାନେ ଏଠାରେ ଆଶ୍ରମରେ ରହିଛନ୍ତି, ସେମାନଙ୍କ ମଧ୍ୟରୁ ହୁଏତ କେତେଜଣ ସଂସାରକୁ ଛାଡ଼ି, ଏହି ଆଶ୍ରମକୁ ଆଦରିଛନ୍ତି; ମୁଁ ସେମାନଙ୍କୁ ତଥାପି ମାୟାବାଦୀର ଆଖିରେ ଦେଖିନାହିଁ,–ମୁଁ ସେମାନଙ୍କ ଭିତରେ ଅବାଧରେ ପ୍ରବେଶ କରି ପାରିଛି, ସେମାନଙ୍କୁ ମଧ୍ୟ ସହଜ ଆଦରରେ ସତୀର୍ଥବତ୍ ନିଜର ନିବିଡ଼ ଘରଟିଯାଏ ଡାକି ଆଣି ପାରିଛି । ମୋଟେ ଜାତି ବାରି ପାରିନାହିଁ, ତେଣୁ ଦୂରତାମାନଙ୍କୁ ଅତିକ୍ରମି ଯାଇଛି । ମଣିଷ ନିଜେ ହିଁ ଭେଦ ସୃଷ୍ଟି କରେ, ନିଜେ ହିଁ ଦୂରତାମାନଙ୍କୁ ସୃଷ୍ଟି କରିଥାଏ । ତେବେ, ଇଚ୍ଛା କରିବା ମାତ୍ରକେ ସିଏ ସେଗୁଡ଼ିକୁ ସଂପୂର୍ଣ୍ଣ ସଙ୍କୋଚମୁକ୍ତ ଭାବରେ ଅତିକ୍ରମ କରିଯାଇ ପାରିବନାହିଁ କାହିଁକି ?

 

୧୫ । ୧୧ । ୮୬

 

A time of sickness is virtually a time of waiting,–ତେଣୁ ଅପେକ୍ଷା କରି ରହିବାକୁ ପଡ଼େ । ଶ୍ରଦ୍ଧାର ସହିତ ଅପେକ୍ଷା କରିବାକୁ ପଡ଼େ । ନିଜର ନିମିତ୍ତତ୍ଵ ଉପରେ ଅଜସ୍ର ବିଶ୍ଵାସ ରହିଥିଲେ ଯାଇ ଏହି ଶ୍ରଦ୍ଧା ସମ୍ଭବ ହୁଏ ।

 

ଯେଉଁମାନେ ଇଚ୍ଛା କରି ପୀଡ଼ିତ ହୁଅନ୍ତି, କ’ଣ କୋଉଟିରୁ ରକ୍ଷା ପାଇଯିବେ ବୋଲି ପୀଡ଼ିତ ହେବାକୁ ଖୋଜୁଥାନ୍ତି, ଏଠାରେ ସେମାନଙ୍କର କଥା ମୋଟେ କୁହା ଯାଉନାହିଁ । ଜୀବନ କହିଲେ ଯିଏ କାମରେ ଲାଗିବାକୁ ହିଁ ବୁଝେ, ତାଙ୍କରି କାମରେ ହିଁ ଲାଗିବାକୁ ବୁଝେ, ହୁଏତ ସିଏ ମଧ୍ୟ ପୀଡ଼ିତ ହୁଏ । ପରବର୍ତ୍ତୀ ପାହାଚଟିକୁ ଉଠିଯିବା ସମୟରେ ବା ପରବର୍ତ୍ତୀ ଦରଜାଟି ଖୋଲିବାକୁ ରହିଥିବା ସମୟରେ ଅନେକ କ୍ଷେତ୍ରରେ କେତେ ଦଣ୍ଡ ବା କେତେ ଦିନ ଏହିପରି ପୀଡ଼ିତ ହୋଇ ରହିବାର ଅବସରଟିଏ ଆସି ପହଞ୍ଚିଯାଏ । ସେତେବେଳେ ଅପେକ୍ଷା କରି ରହିବାକୁ ପଡ଼େ । ଗର୍ଜନ ତର୍ଜନ କଲେ, ପ୍ରତିବାଦ ବା ଅଭିଯୋଗ କଲେ ମୋଟେ କାମ ଚଳେନାହିଁ-। ଅତ୍ୟନ୍ତ ଶାନ୍ତ ଭାବରେ ଅପେକ୍ଷା କରିବାକୁ ପଡ଼େ । ଏହି ପୀଡ଼ା ଯେ ଦିନେ ବଳେ ବଳେ ଅପସାରିତ ହୋଇଯିବ, ସେହି ମୂଳଭୂତ ବିଶ୍ୱାସଟି ସହିତ ପୀଡ଼ିତ ହେବାର ସେହି ପରୀକ୍ଷାଟିକୁ ଆଦରି ନେବାକୁ ପଡ଼େ । ଭାଗ୍ୟରେ ଥିଲେ ସେହି ପରୀକ୍ଷାଟିକୁ ଆଦରି ନେବାକୁ ପଡ଼େ । ଭାଗ୍ୟରେ ଥିଲେ ସେହି, ପରୀକ୍ଷା ଏକ ସଙ୍କେତରେ ପରିଣତ ବି ହୁଏ । ପରବର୍ତ୍ତୀ ପାହାଚଟି ଠିକ୍ କେଉଁଠି, କେଉଁ ସୂତାଟିକୁ ଧରି ତୁମକୁ କେଉଁ ନୂତନ ଥାନଟି ପାଖକୁ ଯିବାକୁ ପଡ଼ିବ, ସେହି କଥାଟିର ସଂକେତ । ଏତେ ଟିକିଏ ବି ଚହଲିଗଲେ ସେହି ସଂକେତଟିକୁ ବୁଝି ପାରିବା ମଧ୍ୟ ଭୁଲ୍ ହୋଇ ଯାଇପାରେ । ତେଣୁ, ଅତ୍ୟନ୍ତ ଖେଦମୁକ୍ତ ଓ ସମ୍ମତ ଭାବରେ ଅପେକ୍ଷା କରି ରହିବାକୁ ପଡ଼େ । ଅପେକ୍ଷା କରିପାରିଲେ ତେଣିକି ସବୁ ଭାରି ସହଜ ହୋଇଯାଏ ।

 

୧୬ । ୧୧ । ୮୬

 

ଏ ଦେହର ସହିବା ଶକ୍ତି ଯେତିକି, ସହଯୋଗ କରିବାର ଶକ୍ତି ମଧ୍ୟ ସେତିକି । ଏହି କଥାଟିକୁ ତୁମ ଦେହ କଦାପି ମନକୁ ମନ ତୁମ ଆଗରେ କହିବାକୁ ଆସେନାହିଁ, ଫୁଲେଇ ହୋଇ ହୁଏତ ସିଏ ଆଦୌ କିଛିହେଲେ କହେନାହିଁ । ତେଣୁ, ଦେହର ନିକଟବର୍ତ୍ତୀ ହେବାକୁ ହୁଏ;–ତାକୁ ମଣ କରି ସାଧ୍ୟ କରି ନିଜର ମନାସ ବା ପାଞ୍ଚ ଅନୁସାରେ କୌଣସି କାର୍ଯ୍ୟ ଲାଗି ତାକୁ ଅଡ଼ାଇ ନେବାର ଆଦୌ କୌଣସି ଧୃଷ୍ଟତା ସହିତ ତା’ର ନିକଟବର୍ତ୍ତୀ ହେଲେ ଜୀବନରେ ନିୟମ ଓ ନୈତିକତାର ପଘାଗୁଡ଼ାକ କ୍ରମଶଃ ମୋଟା ଓ ଆହୁରି ମୋଟା ହେବାରେ ଲାଗିଥାଏ ସତ, ମାତ୍ର ତଥାପି ନିକଟବର୍ତ୍ତୀ ହେବା ସମ୍ଭବ ହୁଏନାହିଁ । ସେହିସବୁ କ୍ଷେତ୍ରରେ ଦେହର ଗୋଡ଼ରେ ଏକାବେଳେକେ ଆଠଟା ଢିଙ୍କିଆ ପଡ଼ିଥାଏ ସତ, ମାତ୍ର ଦେହ ତଥାପି ସାଙ୍ଗରେ ନଥାଏ,–ଦେହ ସହିତ ଯୁଝି ଯୁଝି ନୟାନ୍ତ ହେବା ହିଁ ସାର ହୁଏ ।

 

ତେଣୁ, ସଂପୂର୍ଣ୍ଣ ଅନ୍ୟଏକ ବାଟରେ ଦେହର ସମୀପବର୍ତ୍ତୀ ହେବାକୁ ହୁଏ । ସେହି ବାଟଟି ଶ୍ରଦ୍ଧାଦ୍ୱାରା ମିଳେ । ଦେହକୁ ନିଜର ସହଯୋଗୀ କରି ଦେଖିପାରିଲେ ଯାଇ ଦେହକୁ ସହଯୋଗୀ ରୂପେ ପାଇହୁଏ । ସେତେବେଳେ ଜୀବନର ଯାବତୀୟ ଉଦ୍ୟମରେ ଦେହକୁ କେବେହେଲେ ବାଦ୍ ଦିଆଯାଇନଥାଏ । ଦେହ ସମଗ୍ର ମାନଚିତ୍ରଟିର ଅନ୍ତର୍ଭୁକ୍ତ ହୋଇ ରହିଥାଏ । ତାହାକୁ ସର୍ବନିମ୍ନ ସୋପାନଟି ବୋଲି ଭାବି ତା’ପ୍ରତି କରୁଣା ଦେଖାଇଲେ ମଧ୍ୟ ଅସଲ ଧାରାଟି ବ୍ୟାହତ ହୋଇଯାଏ । ଅନେକ ସ୍ୱାସ୍ଥ୍ୟକାମୀ ମଣିଷ ରୋଗକୁ ଡରିବାପରେ ଦେହକୁ ଡେଇଁ ପଳାଇ ଯିବାକୁ ମନ କରୁଥିବା ଅନେକ ମଣିଷ ଦେହକୁ ବି ଭାରି ଡରୁଥାନ୍ତି । ଏମାନେ ମୋଟେ ନିକଟବର୍ତ୍ତୀ ହୋଇ ପାରନ୍ତିନାହିଁ ।

 

୧୭ । ୧୧ । ୮୬

 

ନିଜପାଇଁ ମୋ’ର କିଛିହେଲେ ମାଗିବାର ନଥାଏ । କାରଣ, ମୁଁ ଲୋଡ଼ି ପାରିଲେ ତାଙ୍କର ଦୟା ମୋ’ ଲାଗି ସତକୁ ସତ କୌଣସି ଦ୍ରବ୍ୟକୁ ଯେ ଅନୁପଲବ୍‌ଧ କରି ରଖିପାରିବ, ମୁଁ ସେକଥାଟିରେ ମୋଟେ ବିଶ୍ୱାସ କରେନାହିଁ । ଯେତେ ଦିନଯାଏ ନାନା ପ୍ରଦର୍ଶନ ଭିତରେ ନିଜକୁ ଅତ୍ୟନ୍ତ ଆର୍ତ୍ତ ଓ ବ୍ୟସ୍ତକରି ରଖିଥିଲି, ସେତେଦିନ ଯାଏ ମୁଁ ହୁଏତ ଖୁବ୍ ମାଗୁଥିଲି;–ମାତ୍ର ସେହି ସୋପାନଟିକୁ ମୁଁ କେଉଁଦିନୁଁ ଅତିକ୍ରମ କରି ଆସି ସାରିଲିଣି । ମୋ’ର ମାଗିବାର କିଛି ନାହିଁ ।

 

ଏବଂ, କେବଳ ଦେବା ହିଁ ରହିଛି । ଠିଆହୋଇ ପାରିବାକୁ ଭୂମିଟିଏ ପାଇଯିବା ପରେ ଆପଣାକୁ ଯେ ପ୍ରକୃତରେ କେଡ଼େ ସଙ୍କୋଚମୁକ୍ତ ଭାବରେ ଦେଇହୁଏ, ସେକଥା ମୁଁ ଜୀବନରେ ପ୍ରତ୍ୟହ ଅଙ୍ଗେ ନିଭାଇବାରେ ଲାଗିଛି । ସଂସାର ନୂଆ ହେବ,–ଦୂରତାମାନେ ନଥିବେ, ଗ୍ଳାନିର ଅବକାଶ ନଥିବ, ପ୍ରତ୍ୟେକେ ପ୍ରତ୍ୟେକକୁ ବନ୍ଧୁପରି ଆଗେଇ ନେଉଥିବେ,–ଚେତନା, ଚେତନା ମଧ୍ୟରେ କୌଣସି ବାଡ଼ ନଥିବ, କୌଣସି ଉଚ୍ଚ ଖାଲ ନଥିବ,–ସେହିପରି ଏକ ଭବିଷ୍ୟଲାଗି ଏହି ଜନ୍ମ ପ୍ରୟାଶର ଯାବତୀୟ ଲୀଳା ଲାଗି ରହିଛି । ସେହି ଭବିଷ୍ୟଲାଗି ଜୀବନ ବଞ୍ଚିବା ନିମନ୍ତେ ନିଜକୁ ସମ୍ମତ କରାଇ ଆଣିବା ସଙ୍ଗେ ସଙ୍ଗେ ବର୍ତ୍ତମାନଟା ମଧ୍ୟ ସତେଅବା ଆଉଏକ ବ୍ୟାପକତରତା ମଧ୍ୟକୁ ରୂପାନ୍ତରିତ ହୋଇଯାଉଛି । ଏହି ଜୀବନରେ ମୁଁ ସେହିଗୁଡ଼ିକୁ ହିଁ ମୋ’ର ସବୁଠାରୁ ବଡ଼ କେତୋଟି ଅନୁଭୂତି ରୂପେ ଗ୍ରହଣ କରିଛି । ଜୀବନ ଧନ୍ୟ ହୋଇଛି,–ଯାବତୀୟ ମରଣ ମଧ୍ୟ ସେହି ଜୀବନର ଅନ୍ତର୍ଗତ ହୋଇ ରହିଛି,–ସତେଅବା ସେହି ଗୋଟିଏ ଜନନୀର କରୁଣା ବିଗଳିତ କଳ୍ପନା ମଧ୍ୟରେ ଏହି ସବୁକିଛି ଅନ୍ତର୍ଗତ ହୋଇରହିଛି । ଏଇ ଦିନଟି ପରି ମୋ’ର ସବୁ ଦିନଗୁଡ଼ିକୁ ମଧ୍ୟ ଧନ୍ୟ କରି ରଖିଛି ।

 

୧୮ । ୧୧ । ୮୬

 

ଯେଉଁଠି ଭିତରୁ ଛାଡ଼ି ଛାଡ଼ି ଯିବାର ଅଧିକ ଆଶଙ୍କା ରହିଥାଏ ଏବଂ ସେହି ଆଶଙ୍କାଟିକୁ ଅତିକ୍ରମ କରିଯାଇ ପାରିବାଲାଗି ନିଜ ଭିତରେ ଯଥେଷ୍ଟ ବଳ ଅର୍ଥାତ୍ ବିଶ୍ଵାସ ନଥାଏ, ହୁଏତ ସେଇଠି ଯାବତୀୟ ବହୁଳଚର୍ଯ୍ୟାକୁ ନାନାବିଧ ପୂଣ୍ୟମୟତାର ମୁଖା ପିନ୍ଧାଇ ଜୀବନ ଉପରେ ଜାରି କରି ରଖିବାର ସେହି ଗ୍ଳାନିକର ଉଦ୍ୟମଟିକୁ କରାଯିବାରେ ଲାଗିଥାଏ ।

 

ଭିତରେ ସେଇ ବସିଛି, ସେଇ ବଳ ଦେଉଛି, ସେଇ ବାଟ କଢ଼ାଇ ନେଉଛି,–ନିଜ ଅନୁଭବ ଭିତରେ ଏହି ବିଶ୍ଵାସଟି ପକ୍‌କା ହୋଇ ସାରିବାପରେ ଆଉ ବାହାରେ ଏହି ଯାବତୀୟ ଉପାସନା ଲାଗି କାହିଁକି ପ୍ରକୃତରେ ଏତେ ମନ ହେବ ? ତଥାପି ସଂସାରଯାକ ଚାରିଆଡ଼େ ଯେ ଉପାସନାଗୁଡ଼ାକ ସମ୍ବଳ କରି ଏତେ କୋଳାହଳ ଲାଗି ରହିଛି, ତାହାର କାରଣ ପୁଣି କ’ଣ ହୋଇପାରେ ? ବାଟ ଚାଲିବାକୁ ସତକୁ ସତ ଇଚ୍ଛା କରିବା ମାତ୍ରକେ ହିଁ ଭିତରେ ରହିଥିବା ପରମବଳର ସଖ୍ୟ ମିଳିଯାଏ । ତେବେ ବାଧା ଆଉ କୋଉଁଠି ରହିଥାଏ ? ହୁଏତ, ମୋ’ ଭିତରେ କେଉଁଠି ଏକ ଅନିଚ୍ଛୁକ ତଥାପି ରହିଥାଏ, ଯିଏକି ବାଟ ଚାଲିବାର ଭଳି ଭଳି ଆନୁଷଙ୍ଗିକକୁ କେଡ଼େ ଚାତୁରୀ ସହିତ ଦେଖାଇ ହେବାରେ ଲାଗିଥାଏ, କିନ୍ତୁ ବାଟ ଚାଲିବାଲାଗି ପ୍ରକୃତରେ ନିଷ୍ପତ୍ତି ଗ୍ରହଣ କରିନଥାଏ । ସେହି ଅନିଚ୍ଛୁକ ହିଁ ଉପାସନାକୁ ଲୋଡେ, ତାହାକୁ ଅଧିକରୁ ଅଧିକ, ମନଲୋଭୀ କରି ରଖିବାର ସକଳ ଚେଷ୍ଟା କରୁଥାଏ,–ଏବଂ ତାହାକୁ ହିଁ ସତେଅବା କେଡ଼େ ବଡ଼ ବୋଲି କହିବାର ପ୍ରବୀଣତା ବି ଅର୍ଜନ କରି ନେଇଥାଏ । ଯିଏ ବାଟ ଚାଲିବାକୁ ସତକୁ ସତ ମଣ କରୁଛି, ଯିଏ ବଦଳିବାକୁ ଇଚ୍ଛା କରୁଛି, ତାଙ୍କରି ଯୋଜନାରେ ନିମିତ୍ତ ହେବାକୁ ଚାହୁଁଛି, ତାକୁ ଏସବୁ କୋଳାହଳରୁ ଦୂରରେ ରହିବାକୁ ପଡ଼ିବ, କୌଣସି କୋଳାହଳ ନକରି ଦୂରରେ ରହିବାକୁ ପଡ଼ିବ ।

 

୧୯ । ୧୧ । ୮୬

 

ଆଶ୍ରୟ ସବୁଠାରେ, ଚାଲିବାର ବାଟ ମଧ୍ୟ ସବୁଠାରେ । ତେଣୁ ମୁଁ ଯାହାପାଖରେ ଯାଇ ଆଶ୍ରୟ ଲୋଡ଼େ, ଠିକ୍ ତାହାରି ପାଖରେ ହିଁ ବାଟ ଚାଲିବାର ପ୍ରେରଣା ପାଇବି ବୋଲି ପ୍ରାର୍ଥନା କରୁଥାଏ । ମୋ’ ହେତୁ ହେବାର ଆରମ୍ଭରୁ ହିଁ ମୋ’ ଜୀବନରେ ଏହି କଥାଟି ହୋଇଆସିଛି । ତେଣୁ ମୋ’ ଜୀବନରେ ଆରାଧ୍ୟ ଠାକୁରମାନେ ମଧ୍ୟ ସତେଅବା ଭାରି ଅନ୍ୟପ୍ରକାରର ହୋଇ ରହି ଆସିଛନ୍ତି ।

 

ଏହି ବାଟ ସତକୁ ସତ ତାହାରି ବାଟ । ସତକୁ ସତ ସେହି ଆଶ୍ରୟଦାତାଙ୍କର ବାଟ । ତାଙ୍କରି ବାଟ, ତେଣୁ ମୋ’ର ବାଟ । ଅଲଗା କୋଉଠି ଗୋଟାସୁଦ୍ଧା କେବଳ ନିଜର ବାଟଟିକୁ ଚାଲି ମୁଁ ତାଙ୍କରି ପାଖକୁ ଅର୍ଥାତ୍ ତାଙ୍କରି ଶରଣମଧ୍ୟକୁ ଆସିଛି ବୋଲି ମୁଁ ଜୀବନରେ କଦାପି ଅନୁଭବ କରିନାହିଁ । ଆଶ୍ରୟ ବୋଲି ଅଲଗା କିଛି ଲୋଡ଼ି କରି ବାଟ ଚାଲିବା, ଏ କଥାଟି ମୋ’ ଜୀବନରେ ହୁଏତ ଆଦୌ ସମ୍ଭବ ହୋଇନାହିଁ । ଆଶ୍ରୟ କହିଲେ ମୁଁ ସର୍ବଦା ଯେଉଁ ସୁରକ୍ଷାଟିକୁ ବୁଝିଥାଏ, ମୋ’ର ସକଳ ବାଟ ଚାଲିବାରେ ମୁଁ ସେହି ସୁରକ୍ଷା ନିରନ୍ତର ଲାଭ କରିଆସିଛି । ସେହି ସୁରକ୍ଷାର କେବେ କୌଣସି ସର୍ତ୍ତ ରହିଛି ବୋଲି ମୋଟେ ଅନୁଭବ କରିନାହିଁ । ବାଟ ଚାଲିଲେ ଯାଇ ସୁରକ୍ଷା ମିଳିବ, ନଚେତ ଅରକ୍ଷିତ ଭାବେ ଜୀବନ ଭିତରେ ସିଝିବାକୁ ପଡ଼ିବ, ଏପରି କୌଣସି ଭୟ ମୋତେ କେବେହେଲେ ଗ୍ରାସ କରିନାହିଁ । ସମ୍ଭବତଃ ସେହି କାରଣରୁ ଜୀବନ ଭାରି ହାଲୁକା ହୋଇ ପାରିଛି । ବାଟ ଚାଲିବାଟା କଦାପି କଷଣ ବୋଲି ମନେ ହୋଇନାହିଁ । ଅଥବା, କୌଣସି ପ୍ରକାର ଆର୍ତ୍ତଭାବନାର ବଶବର୍ତ୍ତୀ ହୋଇ ମୁଁ କେଉଁଠିହେଲେ ଆଶ୍ରୟ ଲୋଡ଼ି ଯାଇନାହିଁ । ଏହି ଜୀବନ ସର୍ବଦା ତାଙ୍କରି ପଥ ଉପରେ ରହିଛି, ତାଙ୍କର ଆଶ୍ରୟ ମଧ୍ୟରେ ରହିଛି । ତେଣୁ କେବେହେଲେ ଖିଅ ଛାଡ଼ି ଯାଇନାହିଁ ।

 

୨୧ । ୧୧ । ୮୬

 

ସମ୍ବନ୍ଧ ନିକାଞ୍ଚନରେ, ପୁଣି ମଣିଷମେଳରେ । ମଣିଷମେଳରେ ମଣିଷ ସହିତ ସମ୍ବନ୍ଧ, ପୁଣି ନିକାଞ୍ଚନରେ କେବଳ ନିକାଞ୍ଚନରେ ହିଁ ଧରା ଦେଇ ପାରୁଥିବା ଆଉ କାହାସହିତ ସମ୍ବନ୍ଧ,–ଏଭଳି ଆଦୌ ନୁହେଁ । ଗୁଣୀ ପରମପୁରୁଷମାନେ ପୁଣି ଗୋଟିଏ ସମ୍ବନ୍ଧକୁ ମାୟା ବୋଲି କହିଛନ୍ତି, ଏବଂ ଆଉଗୋଟିଏ ସମ୍ବନ୍ଧକୁ ମୁକ୍ତିର ଉପାୟ ବୋଲି କହିଛନ୍ତି । ସେହି ପରମପୁରୁଷମାନେ ଭାରି ବାଗରେ ଜୀବନ, ସମ୍ବନ୍ଧ ଓ ପରିଚୟଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରି ରଖିଛନ୍ତି । ଆମକୁ ଆମର ଅସଲ ଘରଗୁଡ଼ିକର ବିଚରଣରେ ସତେଅବା ଦୁଇଫାଳ କରି ରଖିବେ ବୋଲି ପାଞ୍ଚ କରିଛନ୍ତି ।

 

ନିକାଞ୍ଚନରେ ମଧ୍ୟ ଏହି ଯାବତୀୟ ମେଳର ସମ୍ବନ୍ଧଗୁଡ଼ିକ ପ୍ରତିଷ୍ଠିତ ହୋଇ ରହିଛି । ସେଇଥିଲାଗି ସମ୍ବନ୍ଧଗୁଡ଼ିକୁ ପ୍ରକୃତରେ ଏଡ଼େ ନିବିଡ଼ ଲାଗୁଛି, ସେହି ସମ୍ବନ୍ଧଗୁଡ଼ିକୁ ନେଇ ବଞ୍ଚିହେଉଛି ଏବଂ ଏହିପରି ସମ୍ବନ୍ଧଗୁଡ଼ିକ ଭିତରେ ବନ୍ଧାହୋଇ ପାହାଚକୁ ଉଠିଲା ପରି ଅନୁଭବ ହୋଇ ପାରୁଛି । ନିକାଞ୍ଚନରେ ଯିଏ, ମୋ’ର ଯାବତୀୟ ମେଳରେ ମଧ୍ୟ ସେଇ । ମେଳରୁ ପଳାଇ ଯିବାର ମତଲବ ରଖି ମଣିଷ ଅଲଗା ହୋଇ ସୂତ୍ରାରେ ସୂତାକୁ ଯୋଡ଼ି ଏକାଠି ବସିବ ବୋଲି ଯେଉଁଠାକୁ ଯାଏ, ତାହାକୁ ମୁଁ କେବେହେଲେ ନିକାଞ୍ଚନ ବୋଲି ମଣିନାହିଁ । ନିକାଞ୍ଚନକୁ ମେଳ ସହତ ଯୋଡ଼ିପାରିଲେ ଯେଉଁ ଅନ୍ୟ ସାମର୍ଥ୍ୟଟି ନିଜ ଜୀବନର ଏକ ସହଜ ସାମର୍ଥ୍ୟରେ ପରିଣତ ହୋଇଥାଏ, ମୁଁ ତାହାରି ଉପରେ ଭରସା ରଖି ଜୀବନର ଯାବତୀୟ ସାନବଡ଼ ବାଟକୁ ଚାଲି ଆସିଛି । ତେଣୁ, କେବେହେଲେ ନିକାଞ୍ଚନକୁ ପଳାଇ ଯିବାପାଇଁ ବିକଳ ହୋଇନାହିଁ କିମ୍ବା ମେଳ ଭିତରେ ଥାଇ ନିକାଞ୍ଚନକୁ ଝୁରିବାଲାଗି ମନ କରିନାହିଁ । ତେଣୁ, ନିକାଞ୍ଚନ ଓ ମେଳ ଦୁଇଟିଯାକକୁ ମୁଁ ପାଇ ପାରିଛି ।

 

୪ । ୧୨ । ୮୬

 

ରାଗିଥିବା ମଣିଷ ବି କୋମଳ ହୁଏ,–ତାହାର ସେହି ରାଗ ଭିତରେ କେଉଠି କ’ଣ ନିହିତ ହୋଇ ରହିଥାଏ କି କ’ଣ କେଜାଣି,–ସେଇଟି କ୍ରମେ ପରିପକ୍ଵ ହୋଇଆସେ, ପରିପକ୍ଵ ହୋଇ ଅଧିକ ବୁଝିବାକୁ ସମର୍ଥ ହୋଇ ସତକୁ ସତ କୋମଳ ହୁଏ । କୋମଳ ହୋଇ ପାଖକୁ ଆସେ । ଆହୁରି ପାଖକୁ ଆସେ । ଧରା ପଡ଼େ । ଧରା ପଡ଼ି ମୁକ୍ତି ପାଏ । ଅଭିମାନୀ ମଣିଷର କ୍ଷେତ୍ରରେ ବି ସେଇଆ ହୁଏ । ଅଭିମାନୀ ବି ମାନ ଭଙ୍ଗେ – ମାନ ଭାଙ୍ଗିଗଲେ, ଭିତରେ ଯେଉଁ ବନ୍ଧୁଟି ହିଁ ଅଭିମାନର ମୁଖ ପିନ୍ଧି ବସିଥିଲା, ସେଇଟି ସତେ ଅବା ମନକୁ ମନ ଧରା ଦିଏ । ଜୀବନରେ ଏମିତି ଅନୁଭବ କେତେ ହୋଇଛି । କେବଳ ଅପେକ୍ଷା କରି ପାରିଲେ ହିଁ ତାହା ସମ୍ଭବ ହୋଇଯାଏ ।

 

ବିଶ୍ଵାସର ସହିତ ଅପେକ୍ଷା କରିବାକୁ ହୁଏ । ବନ୍ଧୁଟି ପରି ଅପେକ୍ଷା କରିବାକୁ ହୁଏ । କଠିନର ସମ୍ମୁଖରେ ମଧ୍ୟ କୋମଳ ହେବାକୁ ହୁଏ । କୋମଳତାକୁ ଏକ ଟେକ୍‌ନିକ୍ ପରି ପ୍ରୟୋଗ କରୁଥିବା ପର୍ଯ୍ୟନ୍ତ ବି ଆଦୌ କାମ ଚଳେନାହିଁ । ସ୍ଵଭାବତଃ କୋମଳ ହେବାକୁ ହୁଏ । ବାହାରକୁ ଦେଖିବାଲାଗି ବାରବାର ହାରିଯିବାକୁ ହୁଏ; ବହିଷ୍କୃତ ହୋଇଥିଲେ ମଧ୍ୟ ତଥାପି ବାହାରେ ଅପେକ୍ଷା କରିବାକୁ ହୁଏ । ତା’ପରେ ହଜିଲା ମଣିଷ ପୁଣି ପାଖକୁ ଆସେ । ସତେଅବା ବିଶ୍ଵାସର ସିନ୍ଦୂରା ଫାଟେ, ମାନଗୁଡ଼ାକ, ଶିଙ୍ଗଗୁଡ଼ାକ ଲାଜରା ହୋଇଯାଆନ୍ତି, ଏକାନ୍ତ ଅନାବଶ୍ୟକ ବୋଲି ଅନୁଭୂତ ହୋଇଥାନ୍ତି । ହାରି ହାରି ଏମିତି ବିଜୟ ଲାଭ କରିବା, ବିଶ୍ଵାସର ସହିତ ଅପେକ୍ଷା କରି ହଜିଲା ସଂପଦକୁ ପୁନର୍ବାର ନିଜର କରି ପାଇବା,–ଏସବୁ ଘଟଣା ଜୀବନକୁ ପ୍ରକୃତରେ ଭାରି ଉଜ୍ଜ୍ଵଳ କରି ରଖିଛି ।

 

୫ । ୧୨ । ୮୬

 

ଆମେ ସମସ୍ତେ ପରସ୍ପର ସଦୃଶ,–ବାହାର ଓ ଭିତରର ଅନେକ କିଛି ସେହି ଗୋଟିଏ ଉପାଦାନରେ ଗଢ଼ା ହୋଇଛି । ତଥାପି, ସେହି ସାଦୃଶ୍ୟ ଆମର ଅସଲ ପରିଚୟ ନୁହେଁ । ଆମ ଭିତରେ ରହିଥିବା ଆମର ଅନନ୍ୟତା ହେଉଛି ଆମ ପ୍ରତ୍ୟକଙ୍କର ଅସଲ ପରିଚୟ ।

 

ଆମ ପ୍ରତ୍ୟେକଙ୍କର ଅସଲ ସ୍ଵଭାବଟି ଅନନ୍ୟ,–ପରମ ବିଧାତାଙ୍କର ବୈଚିତ୍ର୍ୟଲୀଳାର ଆମେ ପ୍ରତ୍ୟେକେ ଗୋଟିଏ ଗୋଟିଏ ନମୁନା । ସିଏ ଯେ ଅନନ୍ତ ଲୀଳା କରିପାରନ୍ତି ଏବଂ ଅନନ୍ତ ଭାବରେ ଅନନ୍ୟ ହୋଇପାରନ୍ତି, ଆମେ ପ୍ରତ୍ୟେକେ ତାଙ୍କର ସେହି ସତ୍ୟଟିର ଗୋଟିଏ ଗୋଟିଏ ଐଶ୍ଵର୍ଯ୍ୟମୟ ଅଭିବ୍ୟକ୍ତି, ତାଙ୍କର ଅନନ୍ତ ସମ୍ଭାବନାର ଜଣେ ଜଣେ ଅନନ୍ୟ ବାହକ ଓ ପ୍ରତୀକ । ତେଣୁ, ଆମର ଅସଲ ଚିହ୍ନିବା ହେଉଛି ପରସ୍ପର ମଧ୍ୟରେ ରହିଥିବା ସେହି ଅନନ୍ୟତାକୁ ଚିହ୍ନିବା, ତାହାକୁ ହିଁ ସ୍ଵୀକାର କରିବା, ତାହାରି ସହିତ ଆତ୍ମୀୟତା ଲାଭ କରିବା । ନିଜର ଅନନ୍ୟତାକୁ ପ୍ରକୃତରେ ଅନୁଭବ କରିବାର ଅର୍ଥ ହେଉଛି, ଅନ୍ୟ ସମସ୍ତଙ୍କୁ ମଧ୍ୟ ଅନନ୍ୟ ବୋଲି ଅନୁଭବ କରିବା, ସେହି ଅନନ୍ୟତା ସହିତ ଆତ୍ମୀୟତା ଅର୍ଜନ କରିବା, ଏବଂ ସେଇଥିରୁ ଆନନ୍ଦ ପାଇବା । ଯେଉଁ ମଣିଷମାନେ ପରସ୍ପର ଭିତରେ କେବଳ ସାଦୃଶ୍ୟଗୁଡ଼ାକର ସନ୍ଧାନରେ ବାହାରି ଥାଆନ୍ତି, ସେମାନେ ସତେଅବା ସଂସାରଟାକୁ ଗ୍ରାସ କରିବାକୁ ବାହାରି ଥାଆନ୍ତି । ପ୍ରତ୍ୟେକ ମଣିଷ ଭିତରେ ରହିଥିବା ଅନନ୍ୟତାକୁ ସମ୍ମାନ ଦେଇପାରିଲେ ଓ ସ୍ଵୀକାର କରିପାରିଲେ ଯାଇ ଆମର ଅସଲ ଆତ୍ମୀୟତା ସମ୍ଭବ ହେବ । ସେତେବେଳେ ଏହି ସଂସାର ସଂପୂର୍ଣ୍ଣ ଅନ୍ୟ ପ୍ରକାରର ହେବ, ବହୁ ପୁଷ୍ପରେ ଭରା ବଗିଚାଟିଏ ପରି ଦିଶିବ ।

 

୧୦ । ୧୨ । ୮୬

 

ବିଶ୍ଵ-ଅଧିକାର ଦିବସ ବା ମାନବିକ ଅଧିକାର ଦିବସ,–ଇଏ ମଧ୍ୟ ଅପେକ୍ଷାକୃତ ଅଧିକ ଆଗକୁ ଆଖି ରହିଥିବା ମଣିଷମାନଙ୍କର ନାନା ଭବିଷ୍ୟ ସ୍ୱପ୍ନଗୁଡ଼ିକ ମଧ୍ୟରୁ ଗୋଟିଏ । ପୃଥିବୀର ଅଧିକାଂଶ ମଣିଷ ପ୍ରାୟ ଆପେ ଆଦରି ନେଇଥିବା ଏକ ଭାଗ୍ୟର ଅଧୀନ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ ଆମର ଏହି ପୃଥିବୀରେ ସଚେତନ ଭାବରେ ଆପଣାର ଯଥାର୍ଥ ଅଧିକାରଗୁଡ଼ିକୁ କିପରି ବଞ୍ଚି ପାରିବା ? ସେଇଥିଲାଗି ଏବେ କେବଳ ସେଗୁଡ଼ିକ ବିଷୟରେ କୁହା ହିଁ ଯାଉଛି । ଏକ ଅନ୍ୟପ୍ରକାରର ଭବିଷ୍ୟବିଶ୍ଵାସ ଉପରେ ଭରସା ରଖି କେତେକ ମଣିଷ ଏକ ଅନ୍ୟପ୍ରକାରର ପୃଥିବୀର କଳ୍ପନା କରି ତାହା କରୁଛନ୍ତି । ଆଖି ବୁଜି ଜୀବନର ଦଉଡ଼ିରେ ଟଣା ହେବାରେ ଲାଗିଥିବା ମଣିଷମାନେ କ୍ରମେ ଅଧିକରୁ ଅଧିକ ସଂଖ୍ୟାରେ ସେହି କଥାଗୁଡ଼ିକୁ ଶୁଣୁଛନ୍ତି । ବିଶ୍ଵାସର ସଂକ୍ରମଣ ଘଟୁଛି ।

 

ଆମେ ମଣିଷମାନେ ଅପର ସମସ୍ତଙ୍କୁ ଯଥାସମ୍ଭବ ଅଧିକରୁ ଅଧକ ପରିମାଣରେ ବଞ୍ଚିତ କରି କେବଳ ଆପେ ସବୁକିଛି ଭୋଗ କରିବାର ମତଲବ ଧର୍ମ ଗୁଡ଼ାକ ଦ୍ଵାରା ପରିଚାଳିତ ହେଉଥିବା ପର୍ଯ୍ୟନ୍ତ ଏହି ପୃଥିବୀର ପୁରୁଣା ବର୍ବରତାଗୁଡ଼ାକ ବନ୍ଦ ହୋଇ ପାରିବ କିପରି ? ଅସଲ ଭାବସ୍ଥାନରେ ମଣିଷ ଆଉ ସମସ୍ତଙ୍କ ସହିତ ଯୁକ୍ତ ହୋଇ ରହିବାକୁ ଯଥାର୍ଥ ଉଦୟ ବୋଲି ଗ୍ରହଣ କରିନେଇ ପାରିଲେ ଯାଇ ଏହି ବର୍ବରତାର ଅବସାନ ଘଟିବ । ସେଥିପାଇଁ ଏକ ନୂତନ ସ୍ତରର ନେତୃତ୍ଵ ମଧ୍ୟ ଦରକାର । ଆମ ରାଷ୍ଟ୍ରୀୟ ନେତୃତ୍ଵଗୁଡ଼ାକ କଦାପି ସେହି ଅନ୍ୟ ନେତୃତ୍ଵଟିର ଭାଜନ ହୋଇ ପାରିବନାହିଁ । ରାଷ୍ଟ୍ରମାନେ ନିଜର ଯଥାର୍ଥ କର୍ତ୍ତୃତ୍ଵସୀମା ଗୁଡ଼ିକୁ ଜାଣିଲେ ଯାଇ ମଣିଷମାନଙ୍କୁ ସେହି ଯଥାର୍ଥ ନେତୃତ୍ଵ ଲାଗି ବାସନା କରିବାର ଏକ ପ୍ରଶସ୍ତ ଅବସର ଉପଲବ୍‌ଧ ହୋଇପାରିବ ।

 

୨୧ । ୧୨ । ୮୬

 

ଯେଉଁମାନେ ତାଙ୍କର କାମ କରନ୍ତି, ସେମାନଙ୍କର ଦାୟିତ୍ଵ ସେଇ ନିଅନ୍ତି । ସେଇ ସେମାନଙ୍କୁ ଦୁଃଖରୁ ପାର କରାଇ ନିଅନ୍ତି, ସୋପାନକୁ ସୋପାନ ଉଠାଇ ନେଇଯାଆନ୍ତି । ପ୍ରକୃତରେ ତାଙ୍କର କାମ ବୋଲି କିଛି ନଥାଏ । ତାଙ୍କର ସାମର୍ଥ୍ୟରେ ଯେଉଁଠି କ’ଣ ଅଭାବ ରହିଛି ଯେ, ସିଏ ନିଜ କାମ ସକାଶେ ଅନ୍ୟ କାହା ଉପରେ ନିର୍ଭର କରିବେ ! ତେଣୁ, ଅହଂମୁକ୍ତ ଭାବରେ ସଂସାରରେ ଯୋଉ ମଣିଷ ଯାହାକିଛି କରେ, ତାହା ହେଉଛି ତାଙ୍କର କାମ ।

 

ଅହଂମୁକ୍ତ ହୋଇ କାମ କରି ନପାରିଲେ, ଖାସ୍ ନିଜର ବୋଲି ଅନୁଭବ କରୁଥିବାର ଓ ନିଜକୁ ସତେଅବା ଗୁଡ଼ାଏ କାନ୍ଥଭିତରେ ଆବଦ୍ଧ କରି ରଖିଥିବାର ଗୁଡ଼ାଏ ମିଛ ସଚେତନତା ହିଁ ଆମକୁ କେତେ ନା କେତେ ଦୁଃଖଭିତରେ, ଦେହକଷ୍ଟ ଓ ସଂତାପ ଭିତରେ ପକାଇ କରି ରଖିଥାଏ-। ଅହଂମୁକ୍ତ ହେଲେ ମଣିଷ ସତକୁ ସତ ରୋଗମୁକ୍ତ ବି ହୋଇଯାଏ । ଗଣ୍ଠି ଫିଟିଲେ ବାଟ ବି ଫିଟିଯାଏ । ନିଜକୁ ବିଚ୍ଛିନ୍ନ କରି ରଖି ମଣିଷ ଯେତିକି ଯେତିକି ନିଜକୁ ନିଜର ଦଉଡ଼ି ଗୁଡ଼ାକରେ ବାନ୍ଧି ରଖିବାକୁ ଚେଷ୍ଟା କରୁଥାଏ, ସିଏ ସେତିକି ସେତିକି ନାନା ପ୍ରମାଦ ଭିତରେ ଘାଣ୍ଟି ହେଉଥାଏ-। ମୋ’ର ମୋ’ର ବୋଲି କହି କେଡ଼େ ସାନଟିଏ ହୋଇ ରହିଥାଏ । ଏହି ଆକାଶ, ଏହି ଆଲୁଅ ପାଖରୁ ସେ ଯେଉଁ ସହଯୋଗ ନିରନ୍ତର ପାଉଥାନ୍ତା, ସିଏ ନିଜକୁ ସେଥିରୁ ଭାରି ଉତ୍ତପ୍ତ ଭାବରେ ବଞ୍ଚିତ କରି ରଖିଥାଏ । ବେଳ ଆସେ, ଯେତେବେଳେ କି ଏହି ଗଣ୍ଠିଗୁଡ଼ାକ ଉପରୁ ମାୟା ଛାଡ଼ିଯାଏ । ମଣିଷ ନିଜଭିତରୁ ବାହାରି ଆସେ, ଅହଂମୁକ୍ତ ହୁଏ, ସ୍ନେହଯୁକ୍ତ ହୁଏ, ରୋଗମୁକ୍ତ ହୁଏ-। ତା’ପରେ ତା’ର ସବୁ ଦାୟିତ୍ଵ ସେଇ ନିଅନ୍ତି; ଯିଏ ଏତେବେଳ ଯାଏ ଅପେକ୍ଷା କରି ବସିଥିଲେ, ସେଇ ତା’ର ଦାୟିତ୍ଵ ନିଅନ୍ତି ।

 

୨୪ । ୧୨ । ୮୬

 

ଦେହ ଅସୁସ୍ଥ ହେବାର ଯେପରି ବହୁତ କାରଣ ରହିଛି, ଦେହକୁ ପୁନର୍ବାର ସୁସ୍ଥତାର ଅବସ୍ଥାକୁ ଫେରାଇ ଆଣିବାର ମଧ୍ୟ ସେହିପରି ବହୁତ କାରଣ ରହିଛି । କୌଣସି ଏକ ରୋଗର ଜୀବାଣୁ ଦେହରେ ପଶିଗଲେ ଯେପରି କେବଳ ସେହି କାରଣରୁ ହିଁ ଦେହକୁ ସେହି ରୋଗ ମାଡ଼ି ବସେନାହିଁ, ଠିକ୍ ସେହିପରି ସେହି ଜୀବାଣୁମାନଙ୍କର ଅନୁପସ୍ଥିତିରେ ହିଁ ଦେହ କଦାପି ସେହି ରୋଗରୁ ମୁକ୍ତ ମଧ୍ୟ ହୋଇ ଯାଏନାହିଁ ।

 

ଅନେକ ସମୟରେ ପ୍ରାର୍ଥନା କଲେ ମଧ୍ୟ ମଣିଷ ରୋଗମୁକ୍ତ ହୋଇପାରେ; କେବଳ ବିଶ୍ଵାସର ସହିତ ଅପେକ୍ଷା କରି ରହିଲେ ମଧ୍ୟ ରୋଗମୁକ୍ତି ସମ୍ଭବ ହୁଏ । ରୋଗପ୍ରୀତି ଭୀତିର ଆଦୌ କୌଣସି ମନୋଭାବ ନରଖି ତାହାକୁ ଏକ ସାମୟିକ ଆଗନ୍ତୁକ ରୂପେ ସ୍ଵୀକାର କରିନେଇ ତାହାପ୍ରତି ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଅବଲମ୍ବନ କରିପାରିଲେ ମଧ୍ୟ ରୋଗର ଦାଉରୁ ରକ୍ଷା ମିଳେ । ରୋଗ ହୁଏତ ଦେହରେ ଥାଏ, ତଥାପି ତାହାଦ୍ୱାରା ଆଦୌ ଉତ୍ପୀଡ଼ିତ ହେବାକୁ ପଡ଼େନାହିଁ । କିନ୍ତୁ, ଏହି ସବୁକିଛିର ମୂଳରେ ଗୋଟିଏ ଅସଲ କଥା ନିହିତ ହୋଇ ରହିଥିବା ଉଚିତ । ସେଇଟି ହେଉଛି; ମୋ’ରି ଦିହଟା ବିଧାତାଙ୍କର ଏକମାତ୍ର ଗେହ୍ଲା ସମ୍ପଦ ନୁହେଁ ଯେ ସିଏ ତାକୁ ଯେକୌଣସି ପରିସ୍ଥିତିରେ ମଧ୍ୟ ଅବଶ୍ୟ ରକ୍ଷା କରିବେ । ନିଜକୁ ମଣିଷ ଯେତିକି ଯେତିକି ଏହି “ଏକମାତ୍ର”ର ମନ୍ଦନ୍ୟାୟ ଭିତରକୁ ଉତ୍ତେଜିତ କରି ନେଇଆସେ ଓ କେବଳ ତାହାରି ବ୍ୟତୀତ ଆଉ କିଛିକୁ ବି ଦେଖିବାକୁ ଇଚ୍ଛା କରେନାହିଁ, ତଦ୍ଦ୍ଵାରା ସିଏ ସେତିକି ସେତିକି ନିଜକୁ ନାନା ଅସୁସ୍ଥତା ଭିତରେ ମଜ୍ଜାଇ ରଖିଥାଏ । କେବଳ ଦେହଗତ ଅସୁସ୍ଥତା ନୁହେଁ, ଆହୁରି ଅନେକ ପ୍ରକାରର ଅସୁସ୍ଥତା ।

Image

 

Unknown

୧୯୮୭

୮ । ୨ । ୮୭

 

ମୋ’ ପାଦତଳର ଭୂଇଁ ଠିକ୍ ରହିଛି । ମୁଣ୍ଡ ଉପରେ ସ୍ଵୀକୃତ ଆକାଶମାନେ ବି ଠିକ୍ ରହିଛନ୍ତି । ଅତିଉତ୍ସାହୀ ମଣିଷମାନେ ଉତ୍ତେଜନାର ବଶବର୍ତ୍ତୀ ହୋଇ ଭୂମି ଓ ଆକାଶ ବୋଲି ମଣି ଯେଉଁ ଖଣ୍ଡସତ୍ୟଗୁଡ଼ିକୁ ଏଡେ ଏଡେ ଅଟ୍ଟାଳିକା ପରି ଗଢ଼ି ରଖିଥିଲେ, ମୋ’ ଚାରିପାଖରେ ପ୍ରକୃତରେ ସେହିଗୁଡ଼ିକ ହିଁ ଭାଙ୍ଗି ପଡ଼ୁଛି । ଧର୍ମ ଭାଙ୍ଗି ପଡ଼ୁଛି; ବର୍ବରମାନେ ଧର୍ମକୁ ଆଳ କରି ଧର୍ମଘର ଗୁଡ଼ାକର ମର୍ଯ୍ୟାଦାକୁ ନଷ୍ଟ କରିଦେବାର ଲାଗିଛନ୍ତି । ପୁରୁଣା ବହପଗୁଡ଼ାକ ଭାଙ୍ଗି ପଡ଼ୁଛି, ପୁରୁଣା ଆଦର୍ଶବାଦର ତଥାକଥିତ ରାସ୍ତାଗୁଡ଼ାକ ଯେ ପ୍ରକୃତରେ ରାସ୍ତା ନୁହନ୍ତି, ବର୍ବରମାନେ ଆପଣାର ଯାବତୀୟ ଧ୍ଵଂସ ତଥା ସଂହାରର ଲୀଳା ଦ୍ଵାରା ତାହାହିଁ ପ୍ରମାଣ କରି ଦେଉଛନ୍ତି !

 

କିଏ କିଏ କହୁଛନ୍ତି, ଏହି ସଂହାରରୁ ରକ୍ଷା ପାଇବାର ଆଉ କୌଣସି ଉପାୟ ନାହିଁ । ପାଦତଳେ ଭୂମିଟିଏ ରହିଥିବା ପର୍ଯ୍ୟନ୍ତ ଉପାୟ ଅବଶ୍ୟ ରହିଛି । ଉପରେ ଏହି ଶ୍ରଦ୍ଧାବାନ୍‍ ଆକାଶମାନେ ପ୍ରେରଣା ଯୋଗାଇ ଦେଉଥିବା ପର୍ଯ୍ୟନ୍ତ ଉପାୟ ରହିଛି । ବାହାରର ଭୟ ଭିତରକୁ ଗ୍ରାସ ନକରିଥିବା ପର୍ଯ୍ୟନ୍ତ ଉପାୟ ଅଛି । ବାହାରେ ବର୍ବରମାନଙ୍କର ଏହି ପ୍ରଚଣ୍ଡତା ଦେଖି ଓ ସେମାନଙ୍କର ତାତ୍କାଳିକ ସଫଳତାଗୁଡ଼ିକ ଦ୍ଵାରା ଅବାକ୍ ହୋଇଯାଇ ସେଇମାନେ ହିଁ ଏଣିକି ଏହି ସଂସାରର କର୍ତ୍ତା ଓ ବେବର୍ତ୍ତା ହୋଇ ରହିବେ ବୋଲି ସେହି ଦୁଷ୍ଟ ବିଶ୍ଵାସଟିକୁ ନିଜ ଭିତରେ ଏତେ ଟିକିଏ ମଧ୍ୟ ଥାନ ଛାଡ଼ି ଦେଇନଥିବା ପର୍ଯ୍ୟନ୍ତ ଅବଶ୍ୟ ଉପାୟ ରହିଛି । ମୁଁ ସେହି ବିଶ୍ଵାସରେ ବଞ୍ଚି ରହିବି ଅପେକ୍ଷା କରି ରହିବି । କୌଣସି ପରବର୍ତ୍ତୀ ପର୍ଯ୍ୟାୟରେ ଯୁଗସତ୍ୟ ଏକ ବିକଳ୍ପର ପ୍ରତିଷ୍ଠା ନିମନ୍ତେ ତଦନୁରୂପ ନିମିତ୍ତମାନଙ୍କୁ ଖୋଜି ବାହାରିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରି ରହିବି । ନିଜ ଭିତରେ ସତତ ବାଟ ଚାଲୁଥିବି, ବାହାରେ ବର୍ବରମାନଙ୍କ ପାଖରେ, ସଫଳମାନଙ୍କ ପାଖରେ କଦାପି ମୁଣ୍ଡ ନୂଆଁଇବି ନାହିଁ । ତେବେ ଏହି ଅପେକ୍ଷା କରି ରହିବା କଦାପି ନିଷ୍ଫଳ ହୋଇ ଯିବନାହିଁ-

 

୧୦ । ୨ । ୮୭

 

ଏ ଯୁଗର ବସ୍ତୁବାଦୀ ଲାଳସାଗୁଡ଼ାକ ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ସାହିତ୍ୟ ଲାଗି ସମାଜର ଯଥାର୍ଥ ପରିବେଶଟି କ୍ରମେ ନଷ୍ଟ ହୋଇ ଯାଉଛି ବୋଲି ଯେଉଁ ସାହିତ୍ୟିକମାନେ ଅନେକ ସମୟରେ ଭାରି ଖେଦ କରି କହନ୍ତି, ସେମାନେ ସେପରି କହିବାଦ୍ୱାରା ବସ୍ତୁବାଦୀ ଲାଳସାଗୁଡ଼ାକ ପାଖରେ ସାହିତ୍ୟର ପରାଜୟକୁ ସତେଅବା ସ୍ଵୀକାର କରିନିଅନ୍ତି ।

 

ସାହିତ୍ୟ ଲାଗି ଅନୁକୂଳ ପରିବେଶଟିଏ ସୃଷ୍ଟି ହୋଇ ରହିଥିବ, ତେବେଯାଇ ସାହିତ୍ୟ ଯଥାର୍ଥ ଭାବରେ କୁସୁମିତ ଏବଂ ପଲ୍ଲବିତ ହୋଇପାରିବ,–ସାହିତ୍ୟ କରୁଥିବା ଗେହ୍ଲାମାନେ ହିଁ ସେହିପରି କହିବାକୁ ମନ କରୁଥାନ୍ତି । ଶକ୍ତିଶାଳୀ ସାହିତ୍ୟ ଗେହ୍ଲାମାନଙ୍କର ମନୋରଞ୍ଜନ କରିବାକୁ ସୃଷ୍ଟ ହୁଏନାହିଁ । ଶକ୍ତିଶାଳୀ ସାହିତ୍ୟ ମନୁଷ୍ୟର ଉଦୟର ଅନୁକୂଳ ହେବାଭଳି, ଆହୁରି ଅଧିକ ଯଥାର୍ଥ ଭାବରେ କହିଲେ, ସବୁ ମଣିଷଙ୍କର ଉଦୟର ଅନୁକୂଳ ହେବାଭଳି ଏକ ପରିବେଶର ସୃଷ୍ଟି କରିବାଲାଗି ଆପଣାକୁ ଉଦ୍ଦିଷ୍ଟ କରି ରଖିଥାଏ । ଶକ୍ତିଶାଳୀ ସାହିତ୍ୟ ଯାବତୀୟ ଅସୁସ୍ଥ ପରିବେଶ ସହିତ ସଂଗ୍ରାମ କରେ, ଯାବତୀୟ ଦାମ୍ଭିକତା ଆଗରେ କଦାପି ନତମସ୍ତକ ହୁଏନାହିଁ । ଯଦି ବସ୍ତୁବାଦ ବା ଆଉକୌଣସି ବାଦ ମନୁଷ୍ୟର ଅସଲ ଉନ୍ମୋଚନ ଗୁଡ଼ିକର ବିରୁଦ୍ଧରେ ଗଲା, ତେବେ ଅସଲ ସାହିତ୍ୟ ତାହା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରେ । ଅବଶ୍ୟ ଏକଥା ସତ ଯେ, ଯେଉଁ ସାହିତ୍ୟ ଅସୁସ୍ଥତାର ଦରବାରଗୁଡ଼ାକରେ ଲଟର ପଟର ହୋଇ ପଡ଼ିଥାଏ ଓ ଦରବାରୀମାନଙ୍କଠାରୁ ରତିକାମନା କରୁଥାଏ, ସେହି ସାହିତ୍ୟ କଦାପି ତାହା କରି ପାରେନାହିଁ । ପୁନଶ୍ଚ, ଯେଉଁ ସାହିତ୍ୟିକ ଭିତରେ ବସ୍ତୁବାଦୀ ଲାଳସାଗୁଡ଼ାକ ସଲସଲ ହେବାରେ ଲାଗିଥାନ୍ତି, ସେଇଟି ମଧ୍ୟ ବସ୍ତୁବାଦ ସହିତ ଯୁଝିବାଲାଗି କଦାପି ସମର୍ଥ ହୁଏନାହିଁ । ସିଏ ଖେଦ କରୁଥାଏ, ଅଭିଯୋଗ କରୁଥାଏ ଏବଂ ନିଜ ଭିତରେ ବିରକ୍ତ ହୋଇ ରହିଥାଏ ।

 

୨୩ । ୨ । ୮୭

 

ସଂସାର ସହିତ ଆହୁରି ନିବିଡ଼ ହୋଇ ରହିବାଲାଗି ନିଜ ଭିତରେ ଏକ ବ୍ୟାକୁଳତା ରହିଥିଲେ, ସଂସାର ବର୍ତ୍ତମାନ ଯେପରି ଭାବରେ ଅଛି, ସେହି ବିଷୟରେ ଏକ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଥାଏ । ତେଣୁ, ସଂସାର ବିଷୟରେ କୌଣସି କାରଣରୁ ଏକ ବିରକ୍ତି ଅଥବା ବୈରାଗ୍ୟ ଜାତ ହେଲେ ଯେ ସଂସାର ପ୍ରତି ଏକ ଅସନ୍ତୋଷ ଜାତ ହୁଏ ଏବଂ ସେହି କାରଣରୁ ସଂସାର ଛାଡ଼ି ପଳାଇବାକୁ ଇଚ୍ଛା ହୁଏ, ସେକଥା ମୋଟେ ନୁହେଁ । ମୋ’ର ଅସନ୍ତୋଷ ମୋତେ ସଂସାର ପ୍ରତି କଦାପି ବିରାଗୀ ହେବାର ପ୍ରରୋଚନା ଦେଇନାହିଁ;–ଯାବତୀୟ ଅସନ୍ତୋଷ ମୋତେ ସତେଅବା ଏହି ସଂସାରର ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାଲାଗି ହିଁ ପ୍ରେରଣା ଦେଇଛି ।

 

ମୁଁ ଏହି ଅସନ୍ତୋଷ ପାଖରେ ପ୍ରକୃତରେ ବହୁ ପରିମାଣରେ ଋଣୀ ହୋଇ ରହିଥିବି । ଜୀବନର, ଉଦ୍ୟମର ବହୁ କ୍ଷେତ୍ରରେ ଏହି ଅସନ୍ତୋଷ ହିଁ ମୋ’ ଲାଗି ନାନା ନିବିଡ଼ତର ପରିଚୟର କାରଣ ହୋଇଛି । ଜ୍ଞାନର କ୍ଷେତ୍ରରେ, କର୍ମର କ୍ଷେତ୍ରରେ, ଶ୍ରଦ୍ଧାର କ୍ଷେତ୍ରରେ ଓ ମୁଁ ସମ୍ମୁଖୀନ ହେଉଥିବା ନାନାବିଧ ସମସ୍ୟାର ସମାଧାନ କ୍ଷେତ୍ରରେ । ସେହି ଅସନ୍ତୋଷ ମୋତେ ବହୁବିଧ ପ୍ରଲୋଭନରୁ, ଆସନଟିଏ ମାଡ଼ି ମାର୍କାଟାଏ ପିନ୍ଧି ବସିଯିବାର ବହୁ ପ୍ରଲୋଭନରୁ । ସମ୍ଭବତଃ ସେହି ଅସନ୍ତୋଷ ନିମନ୍ତେ ହିଁ ମୋ’ ଜୀବନରେ ଗୁରୁର ସଂଜ୍ଞାଟି ମଧ୍ୟ ନିରନ୍ତର ଅନ୍ୟପ୍ରକାର ହୋଇ ରହିଆସିଛି । ଯେଉଁ ଗୁରୁମାନେ ଗିଳି ପକାନ୍ତି, ମାତ୍ର କେତେଟା ସୂତ୍ର ଓ ଟେକ୍‌ନିକ୍ ଭିତରେ ସାଧନାର ସେହି ଅସରନ୍ତି ବ୍ୟାକୁଳତାକୁ ଶୀତଳ କରି ରଖିବାକୁ ଇଚ୍ଛା କରୁଥାନ୍ତି, ମୋ’ର ଅସନ୍ତୋଷ ସକାଶେ ହିଁ ମୁଁ ସେମାନଙ୍କର ଗାରମାନଙ୍କୁ ଅତିକ୍ରମ କରି ଚାଲିଆସି ପାରିଛି । ଯେଉଁ ଅସନ୍ତୋଷ ଜଣେ ଜଣେ ମଣିଷଙ୍କୁ ବାବାଜୀ କରାଏ, ସେହି ଅସନ୍ତୋଷ ପ୍ରକୃତରେ କିପରି ହୋଇଥିବ କେଜାଣି ?

 

୧୭ । ୩ । ୮୭

 

ସଂସାରରେ ଗୋଟାଏ ପାଖରେ ଅନେକ ଦୁଃଖ, ଏବଂ ଆଉ ଗୋଟାଏ ପାଖରେ ଅନେକ କ୍ରୋଧ । ମଣିଷର କ୍ରୋଧଗୁଡ଼ାକ ଯଦି ଦୁଃଖଗୁଡ଼ାକ ପ୍ରତି ଉଦ୍ଦିଷ୍ଟ ହୋଇ ପାରୁଥାନ୍ତା, ତେବେ ଆମ ପୃଥିବୀର ଜୀବନ ପ୍ରକୃତରେ କେଡ଼େ ଉଜ୍ଜ୍ଵଳ ନହୁଅନ୍ତା ! ମାତ୍ର, ଅଧିକାଂଶ ମଣିଷଙ୍କର କ୍ରୋଧ ଆଜି ସତେଯେପରି ସ୍ଵାର୍ଥସିଦ୍ଧି ନିମନ୍ତେ ଉଦ୍ଦିଷ୍ଟ ହୋଇ ରହିଛି । ନାନାବିଧ ନିକୃଷ୍ଟ ଆତ୍ମକାମନାର ସିଦ୍ଧି ଲାଗି ନିୟୋଜିତ ହୋଇ ରହିଛି । ସମସ୍ତେ କହୁଛନ୍ତି, ସଂସାରରେ ମନ୍ଦଟା ହିଁ ଯେତେବେଳେ ଅଧିକାଂଶ ସମୟରେ ବିଜୟଲାଭ କରୁଛି ଅର୍ଥାତ୍, ଯେତେବେଳେ ଜୀବନରେ ଏହି ମନ୍ଦଗୁଡ଼ାକର ଉପଦ୍ରବ୍ୟର ହିଁ ଅଧିକ ପରିମାଣରେ ସମ୍ମୁଖୀନ ହେବାକୁ ପଡ଼ୁଛି, ସେତେବେଳେ ଆମେ ବି ସେହିପରି ମନ୍ଦଦ୍ଵାରା ମନ୍ଦିର ମୁକାବିଲା କରିବାନାହିଁ କାହିଁକି ? ଏହିପରି ଭାବରେ, ଏବେ ମନ୍ଦଟା ହିଁ ଅଧିକରୁ ଅଧିକ ଦୃଶ୍ୟମାନ ହେବାରରେ ଲାଗିଛି, ଅଧିକରୁ ଅଧିକ ମଣିଷଙ୍କ ଲାଗି ଆକର୍ଷକ ବି ମନେ ହେଉଛି ।

 

ସଂସାରରେ କ’ଣ ଘଟୁଛି, ତାହାରି କଷଟି ଉପରେ କ’ଣ ମୁଁ ଜୀବନର ନୀତି ଓ ଅନୀତିର ନିର୍ଦ୍ଧାରଣ କରିବି ? ମୋ’ ବିଶ୍ଵାସ ଓ ଅବିଶ୍ଵାସର ପରିମିତିମାନ କ’ଣ ତାହାରିଦ୍ଵାରା ପରିଚାଳିତ ହେବ ? ଜୀବନଟାକୁ ଏହିପରି ଭାବରେ ଅନୁକୂଳିତ କରିନେଇ ଜାଲରେ ପଡ଼ିଯିବାକୁ ପ୍ରକୃତରେ ମୋ’ ଚାରିପାଖରେ କେତେ ପ୍ରଲୋଭନ ନରହିଛି ? ତଥାପି; ମୁଁ ନିଜଭିତରେ ଯାହାକୁ ସତ୍ୟ ବୋଲି ଅନୁଭବ କରୁଛି, ମୁଁ ତାହାକୁ ଛାଡ଼ିପାରିବ କିପରି,–ନିଜ ଭିତରର ସେହି ଅସଲ ନିର୍ଦ୍ଦେଶଗୁଡ଼ିକୁ ମୁଁ ଅସ୍ଵୀକାର କରିପାରିବ କିପରି ? ସିଏ କହୁଛି, ଆତ୍ମକାମନା ବଡ଼ ନୁହେଁ, ସମସ୍ତଙ୍କୁ ଏକତ୍ର କରି ବାନ୍ଧି ରଖିଥିବା ଶ୍ରଦ୍ଧା ହେଉଛି ବଡ଼ । ମୋ’ ନିଜ ଆତ୍ମପୂରଣର କନ୍ଦିଗୁଡ଼ାକ ତୁଳନାରେ ଏହି ଆକାଶ ଅନେକ ଅଧିକ ବଡ଼ । ମୁଁ ସେହି ବିଶ୍ଵାସରେ ବଞ୍ଚିବି । ସଂସାରରେ କେହି ବିଶ୍ଵାସଟି ଅନୁସାରେ ମୋ’ର ସମ୍ବନ୍ଧଗୁଡ଼ିକ ମଧ୍ୟ ନିର୍ଦ୍ଧାରିତ ହେବାରେ ଲାଗିଥିବ ।

 

୨୯ । ୩ । ୮୭

 

ମୋ’ର ଏହି ‘ମୁଁ’ଟା ଭିତରେ ଯଦି ମୋ’ ବ୍ୟତୀତ ଆଉ କାହାରିଲାଗି ବା କୌଣସିଟି ଲାଗି ଥାନ ନଥାନ୍ତା, ତେବେ ମୁଁ ହୁଏତ ଜନ୍ମୁ ଜନ୍ମୁ ବୁଢ଼ା ହୋଇ ଯାଉଥାନ୍ତି । ଆଖି ଫିଟିବା ମାତ୍ରକେ ମଣିଷର ଝରକାଗୁଡ଼ିକ ମଧ୍ୟ ସତେଅବା ଫିଟି ଫିଟି ଯିବାକୁ ଆରମ୍ଭ କରେ । ଜୀବନ ପ୍ରସାରିତ ହୁଏ, ବହୁଯୁକ୍ତ ହେବାରେ ଲାଗିଥାଏ । ବିରହ ଓ ମିଳନ, ଦୁଃଖ ଓ ସୁଖ, ଏହି ସବୁକିଛିକୁ ଆମକୁ ବାହୁଯୁକ୍ତ ହେବାରେ ହିଁ ସାହାଯ୍ୟ କରନ୍ତି । ଡୋର ଲାଗି ଲାଗି ଯାଉଥାଏ । ଝରକାଗୁଡ଼ିକ ଫିଟି ଫିଟି ଯାଉଥାନ୍ତି ।

 

ଗୋଟିକପରେ ଗୋଟିଏ ହୋଇ ଆମ ଭିତରେ ଯେ କେତେ ଝରକା ରହିଛି, ସେହି କଥାଟିର କଳନା ଝରକା ଫିଟାଇବା ଲାଗି ଆମର ଆଗ୍ରହ ଏବଂ ସମ୍ମତି ଉପରେ ହିଁ ନିର୍ଭର କରିଥାଏ । ଆମେ ଯେଉଁଠାରେ ଝରକା ଫିଟିବାର ପ୍ରକ୍ରିୟାଟି ବନ୍ଦ ହୋଇଯାଉ ବୋଲି ଇଚ୍ଛା କରୁ, ଝରକା ଫିଟିବା ସେଇଠି ବନ୍ଦ ହୋଇଯାଏ । ମୃତ୍ୟୁ ସେହିଠାରେ ହିଁ ଆରମ୍ଭ ହୁଏ । ଡୋରଗୁଡ଼ିକ ଛିଣ୍ଡିବାକୁ ଆରମ୍ଭ କରନ୍ତି । ଡୋର ଛିଣ୍ଡିଲେ ଏକୁଟିଆ ଲାଗିବାକୁ ଆରମ୍ଭ କରେ, ମଣିଷ ନିଜକୁ ନିରାଶ୍ରୟ ମଣେ, ସଂସାରକୁ ମିଛଟାରେ ଅନିତ୍ୟ ବୋଲି କହେ, ଏଠି କେହି କାହାରି ନୁହନ୍ତି ବୋଲି ଦର୍ଶନ ବଖାଣିବାକୁ ଆରମ୍ଭ କରେ । ଏହିପରି ଅସହାୟ ହୋଇ ଅନେକ ମଣିଷ ଭଗବାନଙ୍କ ଠାରେ ଆଶ୍ରୟ ଖୋଜିବାକୁ ଯାଆନ୍ତି । ଅସହାୟ ମଣିଷ ଭଗବାନଙ୍କୁ କ’ଣ ତାଙ୍କର ପୂର୍ଣ୍ଣ ପରିଚୟ ଦେଇ ଚିହ୍ନିବାକୁ ସମର୍ଥ ହୁଏ ? ଡୋର ଲାଗିଥିଲେ ହିଁ ଭଗବାନ ପାଖେ ପାଖେ ରହିଥାନ୍ତି । ଆକାଶ ଓ ପୃଥିବୀ ଉଭୟ ଭିତରେ ଭଗବାନ ପ୍ରସନ୍ନ ହୋଇ ରହିଥାନ୍ତି । ପାଖେ ପାହେ ରହିଥାନ୍ତି । ଡୋରମାନେ ଛିଣ୍ଡି ଗଲାବେଳେ ମଣିଷ ବିଚରା ଯେଉଁ ଭଗବାନଙ୍କ ପାଖରେ ଯାଇ ଗୁଞ୍ଜିହୋଇ ରହିବାକୁ ଚାହୁଥାଏ, ସେହି ଭଗବାନ ତାକୁ ଆଉ କି ଆଶ୍ରା ଦେଇ ପାରିବେ ? ତେଣୁ, ବହୁ ସଂଶୟ ସହିତ ତାଙ୍କୁ କେବଳ ଯାବୁଡ଼ି ଧରିବାଟା ହିଁ ସାର ହୁଏ ।

 

୧୮ । ୪ । ୮୭

 

ତୁମେ ଯଦି କାହାକୁ ଭଲ ପାଇବା ବିଷୟରେ କୌଣସି କଥା କହିବାକୁ ଇଚ୍ଛା କରୁଛ, ତେବେ ତୁମ ଭିତରେ ଭଲ ପାଇବାର କୌଣସି ନା କୌଣସି କଳା ଅନ୍ତତଃ କିଞ୍ଚିତ ପରିମାଣରେ ଅବଶ୍ୟ ରହିଥିବା ଉଚିତ । ଯଦି ତୁମେ କାହାକୁ ଫୁଲଟିଏ ବିଷୟରେ କିଛି ନା କହିବାକୁ ମନ କରୁଛ, ତେବେ ତୁମ ଭିତରେ କୋଉଠି ନା କୋଉଠି ଫୁଲଟିଏ ଲାଗି ମନ କରୁଥିବା ଦରକାର ।

 

ଯଦି ତୁମେ କାହାକୁ ଭଗବାନଙ୍କ ବିଷୟରେ କିଛି କହିବାଲାଗି ଇଚ୍ଛା କରୁଛ, ତେବେ ତୁମ ଭିତରେ ସେହି ଭଗବାନଙ୍କର ଆସ୍ଥାଟିଏ ତିଆରି ହୋଇ ସାରିଥିବା ଦରକାର । ତୁମ ଭିତରେ ତୁମକୁ ଆଦୌ କେହି ଆସି କେବେହେଲେ ଛୁଇଁ ନଥିଲେ ତୁମେ କିପରି କାହାକୁ ଛୁଇଁବା ବିଷୟରେ ଆଦୌ କ’ଣ କହିପାରିବ ? ତୁମ ଭିତରେ ଦୁଆରଟିଏ ଖୋଲିଯାଇ ନଥିଲେ ତୁମେ କିପରି ଆଉ କାହାକୁ ଦୁଆର ଖୋଲିଯିବାର ବାର୍ତ୍ତା ଦେଇ ପାରିବ ? ନିଜେ ଗୋଟାସୁଦ୍ଧା କିଳି ହୋଇ ବସିଥିଲେ ତୁମେ କିପରି ଆଉ କାହାକୁ ପ୍ରକୃତରେ ଆପଣା ଭିତରକୁ ଡାକିନେଇ ପାରିବ ? ହଁ, ତୁମେ ସେପର୍ଯ୍ୟନ୍ତ ଶାସ୍ତ୍ରର କଥା କହିପାରିବ, ଅଭିନୟ କରିପାରିବ,–ହୁଏତ ଏସବୁ କରି ତଥାପି ମୋଟେ ଧରା ପଡ଼ୁନଥିବ ଭାଜନ ହେବା ବିଷୟରେ ଆଦୌ କିଛି କହି ପାରିବ ? ଭିତରେ ଶୂନ୍ୟ ହୋଇ ବସିଥିବ ମଣିଷଟିଏ କିପରି ପୂର୍ଣ୍ଣ ବଗିଚାଟିର କୌଣସି କଥା କହିପାରିବ ? ତେଣୁ, ସବାଆଗ ଭିତରୁ ହିଁ ସ୍ଵୀକୃତ ହେବାକୁ ପଡ଼ିବ,–ଭିତରେ ଭେଟିବାକୁ ହେବ,–ତେବେଯାଇ ସଂସାରର ଯାବତୀୟ ଭେଟିବା ସତକୁ ସତ ଫଳପ୍ରଦ ହୋଇ ପାରିବ । ଭିତରେ ବନ୍ଧୁଟିଏ ହୋଇପାରିଲେ ହାତ ବଢ଼ାଇବା ମାତ୍ରକେ ବନ୍ଧୁର ଦର୍ଶନ ମିଳିବ, ଆଖିଟିଏ ରହିଥିଲେ ଯାଇ ସମସ୍ତଙ୍କର ଆଖିକୁ ସତକୁ ସତ ଚିହ୍ନିବା ସମ୍ଭବ ହେବ ।

 

୪ । ୫ । ୮୭

 

ପ୍ରାୟ ଅଢ଼େଇ ହଜାର ବର୍ଷ ତଳେ ଗ୍ରୀସ୍ ଦେଶରେ ସୋଫୋକ୍ଲିସ୍ କହିଥିଲେ, One word frees us all the weight and pain of life, That word is love.

 

ଜୀବନର ନାନା ରୁଗ୍‌ଣତା ଏବଂ ବ୍ୟାଧିଜନିତ ଦୁଃଖକୁ ଦୂର କରିବାରେ ପ୍ରେମ ଯେ ଏକ ଭେଷଜ ରୂପେ କାର୍ଯ୍ୟ କରିଥାଏ, ସେଥିରେ ମୋଟେ କୌଣସି ସନ୍ଦେହ ନାହିଁ । ମାତ୍ର, କେବଳ ଏକ ଭେଷଜ ରୂପେ କଳ୍ପନା କଲେ ଆମେ ପ୍ରେମର କଦାପି ସଂପୂର୍ଣ୍ଣ କଳ୍ପନା କରି ପାରିବନାହିଁ । ଏବଂ, ପ୍ରେମକୁ ପ୍ରଧାନତଃ ଏକ ଭେଷଜ ରୂପେ ବ୍ୟବହାର କରୁଥିବା ପର୍ଯ୍ୟନ୍ତ ଆମେ କଦାପି ତାହାର ସଂପୂର୍ଣ୍ଣ ମହିମା ଓ ମର୍ଯ୍ୟାଦାର ଭାଜନ ହୋଇ ପାରିବାନାହିଁ । ଏବଂ, ତେଣୁ ସେହି ସଂପୂର୍ଣ୍ଣ ମର୍ଯ୍ୟାଦାର ବିସ୍ତାର ମଧ୍ୟକୁ ବିସ୍ତାର ମଧ୍ୟକୁ ନିଜକୁ କଦାପି ଉତ୍ତୋଳିତ କରିନେଇ ବି ପାରିବାନାହିଁ । ପ୍ରେମ ଆକର୍ଷିତ କରାଇନିଏ, ତେଣୁ ନିକଟବର୍ତ୍ତୀ କରି ଆଣୁଥାଏ । ବାହାରେ ଯାହାକିଛି ଆମକୁ ପ୍ରେମାସ୍ପଦ ବୋଲି ବୋଧ ହେଉଥାଏ; ତାହାହିଁ ଆମ ନିଜ ଭିତରେ ମଧ୍ୟ ସର୍ବୋତ୍ତମ ଧନରୂପେ ସାଇତା ହୋଇ ରହିଥିଲା ବୋଲି ସେତେବେଳେ ଯାଇ ଆବିଷ୍କାର କରିହୁଏ-। ତା’ପରେ, ପ୍ରେମକୁ ଏଇଟାରେ ଅଥବା ସେଇଟାରେ ସତେଅବା ଏକ ଭେଷଜ ହିସାବରେ ବ୍ୟବହାର କରିବାର ସକଳ ବୁଦ୍ଧି ପାସୋରି ହୋଇଯାଏ । ତା’ପରେ ସମଗ୍ର ଜୀବନଟା ହିଁ ତାହାର ଗ୍ରହଣପାତ୍ର ତଥା ନିବେଦନପାତ୍ରରେ ପରିଣତ ହେବାକୁ ରାଜୀ ହୋଇଯାଏ । ନିଜ ଭିତରେ ଯାବତୀୟ ରୋଗର ଅବବୋଧ ମଧ୍ୟ ପାସୋର ଯାଏ । ନିଜ ଭିତରେ କିଏ ଯେପରି ଅତ୍ୟନ୍ତ ସ୍ଵାଭାବିକ ଭାବରେ କେବଳ ଅଧିକରୁ ସଂପୂର୍ଣ୍ଣ ଏବଂ ନିବିଡ଼ ଭାବରେ ଦେବାକୁ ପ୍ରସ୍ତୁତ ହୋଇଯାଏ-। ଏବଂ, ଦେବାକୁ ପ୍ରସ୍ତୁତ ହୋଇ ଯାଇଥିବା ମଣିଷର ଜୀବନରେ ଦୁଃଖର ବା କୌଣସି ବୋଧ କାହିଁକି ଆସିବ ? ଏବଂ ଦୁଃଖର କୌଣସି ବୋଧନଥିବା ମଣିଷ ଭିତରେ ରୁଗ୍‌ଣତାର ବୋଧ ମଧ୍ୟ କାହିଁକି ଆସିବ ? ତେଣୁ, ଅସଲ ସମାଧାନ ସେହିଠାରେ ହିଁ ହୋଇଯାଏ-। ଭେଷଜର ଆବଶ୍ୟକତା ରହେନାହିଁ । ପ୍ରେମ ଅଧୀଶ୍ଵର ହୋଇ ରହେ ।

 

୧୮ । ୭ । ୮୭

 

ନିଜର ଜୀବନଟିକୁ ବଞ୍ଚୁ ବଞ୍ଚୁ ମୁଁ ସାହିତ୍ୟରେ ଅନୁରାଗୀ ହେଲି ଅଥବା ସାହିତ୍ୟ ଭିତରକୁ ପଶି ଜୀବନଲାଗି ଅନୁରାଗୀ ହୋଇ ଶିଖିଲି । ମୁଁ ଗାର ପକାଇ ସେକଥାଟିକୁ ମୋଟେ କହିଦେଇ ପାରିବିନାହିଁ ।

 

ଜୀବନ ବଞ୍ଚିବାର ବହୁ ସ୍ତର ରହିଛି । ଊର୍ଦ୍ଧ୍ଵକୁ ସ୍ତର ରହିଛି, ଗଭୀରକୁ ମଧ୍ୟ ସ୍ତର ରହିଛି । ମଣିଷ ଆପଣାର ଯେତିକି ଅଧିକରୁ ଅଧିକ ଗଭୀରକୁ ପ୍ରବେଶ କରି ପାରୁଥିବ, ତା’ ଅନୁରାଗର ସ୍ତରଟି ମଧ୍ୟ ସେତିକି ସେତିକି ବଦଳି ଯିବାରେ ଲାଗିଥିବ । ଅନୁରାଗ ବଢ଼ିବା ସଙ୍ଗେ ସଙ୍ଗେ ସେ ଆପଣା ଭିତରେ ସତକୁ ସତ ଅଧିକରୁ ଅଧିକ ସମ୍ପ୍ରସାରିତ ହୋଇ ଯାଉଥିବ । ସମ୍ପ୍ରସାରିତ ହୋଇଯିବାର ଅର୍ଥ ହେଉଛି ଦ୍ଵାରଗୁଡ଼ିକ ଗୋଟି ଗୋଟି ହୋଇ ଖୋଲିଯିବା । ଦୁଆରଗୁଡ଼ିକ ଖୋଲି ଯିବାର ଅର୍ଥ ହେଉଛି ଅଧିକରୁ ଅଧିକ ସହିତ ଖିଅ ଲାଗିଯିବା, ସଂସାର ସହିତ ଖିଅ ଲାଗିଯିବା, ଏହି ସଂସାରର ମଣିଷମାନଙ୍କ ସହିତ ଖିଅ ଲାଗିଯିବା,–ଅର୍ଥାତ, ଅଧିକ ଦେଖି ପାରିବା ଓ ଅଧିକ ଅନୁଭବ କରି ପାରିବା । ଅଧିକ ଅନୁଭବ ଅର୍ଥାତ୍ ଅଧିକ ସମ୍ବେଦନା । ସମ୍ବେଦନା ଅର୍ଥାତ ବ୍ୟାକୁଳତା । ବ୍ୟାକୁଳତାରୁ ସାହିତ୍ୟ । ସାହିତ୍ୟକୁ ମନ କରି ସେହି ପ୍ରେରଣାଟିର ବାଟରେ ଆଗକୁ ଆଗକୁ ଗଲେ ନିଜକୁ ଅଧିକରୁ ଅଧିକ ପୂର୍ଣ୍ଣ ଓ ନିଷ୍କପଟ ଭାବରେ ଅଭିବ୍ୟକ୍ତି କରି ପାରିବାର ସୁରାଖଗୁଡ଼ିକ ମିଳିଯାଏ । ସେହି ସୁରାଖଗୁଡ଼ିକର ମାଧ୍ୟମରେ ଆପଣାକୁ ଅଧିକରୁ ଅଧିକ ନିବିଡ଼ ଭାବରେ ଚିହ୍ନିହୁଏ – ନିଜକୁ ପରିପୂର୍ଣ୍ଣ ଅନୁରାଗ । କୋଉଟା ଆଗ, କୋଉଟା ପଛ,–କୋଉ ଖିଅଟି ଆଗ ଲାଗେ ଓ କୋଉ ଖିଅଟି ପଛେ ଲାଗେ, ସେକଥା ମୋଟେ କହି ହୁଏନାହିଁ । ହୁଏତ ସେହି ଗୋଟିଏ ବ୍ୟାକୁଳତା ଜୀବନକୁ ଛୁଏଁ ଏବଂ ତେଣେ ସାହିତ୍ୟକୁ ମଧ୍ୟ ଛୁଏଁ । ଛୁଇଁକରି ଆନନ୍ଦ ପାଏ । ସେହି ଆନନ୍ଦ ମଣିଷକୁ ଜୀବନ ଓ ସାହିତ୍ୟର ଅଧିକାର ଅଧିକ ନିକଟବର୍ତ୍ତୀ କରି ଆଣିବାରେ ଲାଗିଥାଏ ।

 

୨୧ । ୭ । ୮୭

 

ସମସ୍ତେ କହନ୍ତି, ସକାଳେ ମନ ଥିର ଥାଏ, ତେଣୁ ସବୁଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସେଇ ସକାଳେ କରିବା ଉଚିତ । ସେହିପରି ଗୋଟିଏ ବିଚାରର ବଶବର୍ତ୍ତୀ ହୋଇ ମୁଁ ମଧ୍ୟ କୋଉ କାଳରୁ ଏହି ସକାଳ ସମୟଟାକୁ ଗୋଟାସୁଦ୍ଧା ନିଜର କାର୍ଯ୍ୟଲାଗି ଅଲଗା କରି ରଖିଆସିଛି । ଅସଲ ଲେଖିବାତକ ମୁଁ ଏଇ ସକାଳେ ଲେଖେ, ଅସଲ ଖିଅଗୁଡ଼ିକ ଏହି ସକଳ ସମୟରେ ପାଇଯାଏ । ଏହାଦ୍ୱାରା ଜୀବନରେ ମୋ’ର ବହୁ ଉପକାର ହୋଇଛି ।

 

କାଲି ରାତିରୁ ଭାବି ରଖିଥିଲି, ଆଜି ସକାଳୁ ମୋ’ର ନୂଆ ଲେଖାଟିକୁ ଆରମ୍ଭ କରିବି । ବିଷୟଟିକୁ ବହୁଦିନରୁ ସ୍ଥିର କରି ସାରିଥିଲି । ଇତିମଧ୍ୟରେ ବହୁବାର ହାତ ବଢ଼ାଇ, ଅନୁରାଗର ଖିଅଗୁଡ଼ିକୁ ଲମ୍ବାଇ ସେହି ବିଷୟରେ ବିଚାର କରି ଆସିଥିଲି,–ସେହି ଲେଖାଟି ମଧ୍ୟରେ କ’ଣସବୁ ରହିବି, କେଉଁଟି ଆଗ ରହିବ ଓ କେଉଁଟି ପଛରେ ରହିବ, ସେହି ଅନୁସାରେ ସତେଅବା ସବୁକିଛି କ୍ରମଶଃ ଖଞ୍ଜି ହୋଇ ଆସୁଥିଲା । ସକାଳେ ଗାଧୁଆ ସରିବା ପର୍ଯ୍ୟନ୍ତ ବି ସେଇ ଲେଖାଟିକୁ ଲେଖିବି ବୋଲି ମୁଁ କରିଥିବା ନିଷ୍ପତ୍ତିଟି ସବା ଆଗରେ ଯାଇ ରହିଥିଲା । କିନ୍ତୁ, ଗାଧୋଇ ସାରି ଶୁଖିଲାଲୁଗା ପିନ୍ଧି ମୁଁ ଲେଖିବା ଟେବୁଲକୁ ନଆସି ତଳେ ବଗିଚାକୁ ଗଲି । ଦେଢ଼ଘଣ୍ଟା କାଳ ଘାସ ବାଛିଲି । ନୂଆ ଜାଗା,–ତେଣୁ ବଗିଚାଟିଏ ଥାପି ବାହାର କରିବାଲାଗି ବର୍ତ୍ତମାନ ବେଶ୍ କେତେଦିନ ଲାଗିବ । ଘାସ ସଫା କରି ମାଟିକୁ ମୂଲାୟମ କରି ବଗିଚାଟିଏ ପାଇଁ ତାକୁ ମଙ୍ଗାଇ ଆଣିବାକୁ ପଡ଼ିବ । ଏଇଠି ମଧ୍ୟ ଏକ ସୃଜନାତ୍ମକ କାର୍ଯ୍ୟ,–ଅର୍ଥାତ୍, ନିଜ ଭିତରେ ନିଜର ଗଭୀରତମ ବୃହତ୍ତର ଜୀବନ ସହିତ ଖିଅ ଲଗାଇ ପାରିବାର ଏକ କାର୍ଯ୍ୟ । ଯେଉଁ ବନ୍ଧୁମାନେ ଖାଲି ଲେଖିବାକୁ ବା ଛବି ଆଙ୍କିବାକୁ ସୃଜନାତ୍ମକ କାର୍ଯ୍ୟ ବୋଲି କହନ୍ତି ଓ ଏଣେ ବଗିଚାଗୁଡ଼ିକରେ ଘାସ ମାଡ଼ିଯିବା ପାଇଁ ବାଟ ଛାଡ଼ି ଦେଇଥାନ୍ତି, ସେମାନେ ନିଜେ ଏକ ବଗିଚାକୁ ଆସି ଅନୁରାଗର ସହିତ ଘାସ ବାଛିବାକୁ ନମଙ୍ଗିବା ପର୍ଯ୍ୟନ୍ତ ମୁଁ କିପରି ଏହି ଅସଲ ସତ୍ୟଟି ବିଷୟରେ ସେମାନଙ୍କର ହୃଦ୍‌ବୋଧ କରାଇ ପାରିବି ?

 

୨୫ । ୯ । ୮୭

 

ଅନେକ ମଣିଷ ତାହାକୁ ଏକ ଅନ୍ତର୍ଗତ ଭାରସାମ୍ୟ ବୋଲି କହନ୍ତି । ମୁଁ ତାହାକୁ ହିଁ ପଦପଙ୍କଜ ବୋଲି ଅନୁଭବ କରେ । ଅଥବା, ପ୍ରତ୍ୟକ୍ଷ କରେ, ସତେଅବା ଏକ ଥିର ଜଳ ସବୁକିଛିକୁ ସମତୁଲ ଓ ସନ୍ତୁଳିତ କରି ରଖିଛି । ଆଦୌ କୌଣସି ବିଶେଷଣ ଦେଇ ବର୍ଣ୍ଣନା କରିବାକୁ ହେଲେ ସେହି ଅବସ୍ଥାକୁ ଏକ ଜ୍ୟୋତିଃପ୍ରସନ୍ନ ଅବସ୍ଥା ବୋଲି କୁହାଯାଇ ପାରିବ । ଏକ ସଂପୂର୍ଣ୍ଣ ଅନୁତ୍ତେଜିତ ଅବସ୍ଥା । ଦୁହେଁ ଦୁହିଁଙ୍କୁ ବୁଝିଥିବାର ଏକ ଅବସ୍ଥା । ଏକ ବିସ୍ତୃତି ଏବଂ ଏକ ସ୍ଥିତି । ଯେଉଁଠାରେ କି ନକାରାତ୍ମକତା ବୋଲି ମୋଟେ କିଛି ନାହିଁ । ବାହାର ଏବଂ ଭିତରକୁ ଏକାଠି ଗଅଁଠାଇ ଦେଇ ଏହା କେବଳ ଏକ ‘yes’ର ସ୍ଥିତି । ଭିକ୍ଟର ଫ୍ରାଙ୍କ୍‌ଲ୍‌ଙ୍କର Doch dem Leben ja sagen କଥାଟିର ପ୍ରତ୍ୟକ୍ଷ ଅନୁଭବ ସେତିକିବେଳେ ହୋଇଯାଏ ।

 

ବାହାରେ ମୋଟେ କୋଉଠି କିଛି ଖଣ୍ଡିଆ ଦୁଶେନାହିଁ । ତେଣୁ, ତେଣେ ଭିତରପଟେ ମଧ୍ୟ କୌଣସି ଜ୍ଵର ନଥାଏ, କୌଣସି ଆର୍ତ୍ତଭାବନା ନଥାଏ । ଅନେକ ମଣିଷ ଦୂରଛଡ଼ା ହୋଇ ରହିଗଲେ ବୋଲି କେତେ ବିଳାପ କରିଛନ୍ତି । ସତେଅବା କେଉଁ ପାଷାଣହୃଦୟ ପରମାସ୍ପଦଙ୍କୁ ବିଗଳିତ କରି ଆଣିବାକୁ ଚେଷ୍ଟା କରିଛନ୍ତି । ମୋ’ ଜୀବନରେ ସେଭଳି କୌଣସି ଅନୁଭବ କେବେହେଲେ ହୋଇନାହିଁ । ପ୍ରତ୍ୟହ ମୋଟେ ସତେଅବା ଏକ ଉତ୍ସବ ମଧ୍ୟରେ ଧନ୍ୟ କରି ରଖିଥିବା ସୂର୍ଯ୍ୟୋଦୟ, ଏହି ଧୀର ଏବଂ ଅତିପରିଚିତ ବନ୍ଧୁତୁଲ୍ୟ ପବନ, ମଣିଷ ସୁହୃତ୍‍ମାନଙ୍କର ଏହି ଅଜସ୍ର ମେଳ ଏବଂ ସର୍ବୋପରି, ମୋତେ ଆଗକୁ ଆଗକୁ ବାଟ ଦେଖାଇ ନେଇଯିବା ପାଇଁ ଓ ମୋତେ ସେଥିଲାଗି ସହଜସମ୍ମତ କରି ରଖିଥିବା ସେହି ପରମବନ୍ଧୁର ବହୁପ୍ରତିଶ୍ରୁତିମୟ ହାତ,–ଏହି ସବୁକିଛି ମିଶି ମୋତେ ସତେଅବା ଜୀବନ ବଞ୍ଚିବାର ଆନନ୍ଦକବଚ ଗୁଡ଼ିକୁ ଯୋଗାଇ ଦେବାରେ ଲାଗୁଛନ୍ତି । ମୁଁ କେବେ କିଛି ମାଗିନାହିଁ, ଅଥଚ ସବୁକିଛି ପାଇଛି । ବନ୍ଧନଗୁଡ଼ାକ ଅଧିକରୁ ଅଧିକ ନିବିଡ଼ ହେବାରେ ଲାଗିଛି ।

 

୨୯ । ୧୦ । ୮୭

 

ସଚେତନ ଭାବରେ ଯେତେବେଳେ ମୁଁ ତାଙ୍କ ପାଖରୁ ଆଦୌ କିଛି ମାଗିବାକୁ ମନ କରିଛି, ସେତେବେଳେ କେବଳ ଦୁଇଟି କଥା ହିଁ ମାଗିଛି । ଦୁଇଟି ବ୍ୟତୀତ ଆଉ ତୃତୀୟ କିଛି ମାଗିଛି ବୋଲି ମୋ’ର ମୋଟେ ମନେ ହେଉନାହିଁ ।

 

ମୁଁ ମାଗିଛି, ଆପଣାର ଏକାନ୍ତ ବ୍ୟକ୍ତିଜୀବନର ସଂସାର ବୋଲି ମୁଁ ଯେଉଁ ଦୁଇଜଣଙ୍କୁ ସବାଆଗ ଦେଖିବାକୁ ପାଏ, ମୁଁ ସାଂସାରିକ ଭାଷାରେ ଯେଉଁମାନଙ୍କୁ ନିଜର ସ୍ତ୍ରୀ ଓ ପୁଅ ବୋଲି କହେ, ସେମାନଙ୍କ ପାଇ ତାଙ୍କଠାରୁ ସ୍ୱାସ୍ଥ୍ୟ ମାଗିଛି, ଶୁଭ ମାଗିଛି, ସୁଖ ମାଗିଛି । ସେମାନେ ଖୁସୀ ହୋଇ ରହନ୍ତୁ, ଏହି ଜଗତର ବହୁବିଧ ପ୍ରତିକୂଳତା ସତ୍ତ୍ୱେ, ସେମାନେ ଯାହାକୁ ଜୀବନର ପରିପୂର୍ଣ୍ଣତା ବୋଲି ବୁଝୁଛନ୍ତି, ସେହି ପରିପୂର୍ଣ୍ଣତା ପଥରେ ସେମାନେ ସତତ ଅଗ୍ରସର ହୋଇ ପାରୁଥାନ୍ତୁ,–ବହୁ ବର୍ଷ ହେଲା ପ୍ରାୟ ପ୍ରତ୍ୟେକ ଦିନ ମୁଁ ତାଙ୍କ ପାଖରେ ଏହି ପ୍ରାର୍ଥନା କରିଛି । ସେମାନଙ୍କ ସମ୍ମୁଖରେ ଯଦି କୌଣସି କଷ୍ଟ ବା ବିପଦ ରହିଛି, ତେବେ ତାହା ମୋ’ ଉପରେ ଆସି ପଡ଼ୁ ଏବଂ ତାହାକୁ ମୋତେ ସହ୍ୟ କରିବାର ଅନୁମତି ମିଳିଥିବାର ଅବସର ଗୁଡ଼ିକରେ ସେମାନଙ୍କର ବିପଦଗୁଡ଼ିକୁ ମୁଁ ନିଜ ଆଡ଼କୁ ମୁହାଇ ନେଇଛି । ଆଘାତଗୁଡ଼ିକୁ ମୁଁ ନିଜେ ସହ୍ୟ କରିଛି; ଅର୍ଥାତ୍ ହଜମ କରି ନେଇଛି । କେତେ ବିଶ୍ଵାସର ସହିତ ସେଗୁଡ଼ିକୁ ହଜମ କରି ନେଇଛି । ଏହି ହଜମ କରିବାର ବଳଟିକୁ ସେସବୁ ସମୟରେ ମୁଁ ପ୍ରକୃତରେ ତାଙ୍କରିଠାରୁ ପାଇଛି । ଏବଂ, ମୋ’ର ଦ୍ଵିତୀୟ କଥାଟି ମୁଁ କ’ଣ ମାଗିଛି ? “ହେ ପ୍ରଭୁ, ହେ ବନ୍ଧୁ, ଅଧିକରୁ ଅଧିକ ଅନ୍ତରଙ୍ଗ ଏବଂ ସମର୍ପିତ ଭାବରେ ତୁମେ ମୋତେ ଅଧିକରୁ ଅଧିକ ଯୋଗ୍ୟ କରିନିଅ” ବୋଲି ମୁଁ ତାଙ୍କ ପାଖରେ ପ୍ରାର୍ଥନା କରିଛି । ଅନ୍ୟ ଯାବତୀୟ ପ୍ରାର୍ଥନା ସେହି ଗୋଟିଏ ପ୍ରାର୍ଥନା ମଧ୍ୟରେ ସମାହିତ ହୋଇ ରହିଥିବା ପରି ମୁଁ ସର୍ବଦା ଅନୁଭବ କରି ଆସିଛି । ଆପଣାକୁ ବହୁ ଭାଗ୍ୟବାନ ବୋଲି ଅନୁଭବ କରି ଆସିଛି ।

Image

 

୧୯୮୮

୨୭ । ୨ । ୮୮

 

କେତେ ଜାଗାରେ କେତେ ଅପ୍ରୀତିକର କଥା କହିଲି, ଲେଖିଲାବେଳେ କେତେ ଅପ୍ରୀତିକର କଥା ଲେଖିଲି । କିନ୍ତୁ, ଯୋଉଆଡ଼େ ଗଲି, କେବଳ ବନ୍ଧୁମାନଙ୍କୁ ହିଁ ଭେଟିଲି । କେଡ଼େ ପ୍ରୀତିର ସହିତ କେତେ ମଣିଷ ମୋତେ ଅତ୍ୟନ୍ତ ଆପଣାର କରି ସେମାନଙ୍କର ନିବିଡ଼ ଅତିପାଖରୁ ସଙ୍ଖୋଳି ନେଇଗଲେ । ସମସ୍ତଙ୍କର ଅତି ପାଖରେ କେତେ ନା କେତେ ସ୍ଥାନ ପାଇପାରିଲି, ସଂସାରଯାକ ସମସ୍ତଙ୍କର ବନ୍ଧୁ ହୋଇ ରହିଲି ।

 

ଉପରେ ଆମେସବୁ କେଡ଼େ ଅନ୍ୟ ପ୍ରକାରର । କେତେ ମୁଖ୍ୟ, କେତେ କପଟ ଏବଂ କେତେ ନା କେତେ କୃତ୍ରିମତା । ସଂସାର କହିଲେ ଅନେକ ମଣିଷ ସତେଅବା ଏହି ହଇରାଣଗୁଡ଼ାକୁ ହିଁ ବୁଝନ୍ତି । ସେଥିଲାଗି ଆପଣାର ଅସଲ ଘରଟିକୁ ଖୋଲି ମୋଟେ ଦେଖାଇ ପାରନ୍ତିନାହିଁ । ଯାହା ସେମାନେ ପ୍ରକୃତରେ ନୁହନ୍ତି, ସତେଅବା ସେଇଟାକୁ ହିଁ ପରସ୍ପର ପାଖରେ ପ୍ରଦର୍ଶନ କରିବାରେ ଲାଗିଥାନ୍ତି । ଅସଲଟାକୁ ଖୋଲି ଦେଖାଇବାକୁ ଭାରି ଡରନ୍ତି । ନିଜର ଅସଲଟାକୁ ନିଜେ ବି ଭାରି ଡରୁଥାନ୍ତି କି କ’ଣ ? ସେଇଟାକୁ କୋଉ ତଳେ ଯାଇ ଘୋଡ଼ାଇ ରଖିଥାନ୍ତି । ଯଦି ମୁଁ ସମସ୍ତଙ୍କ ସହିତ ଏହି ମଉଜିଆ ହାଟଟାରେ ମୁଖା ପିନ୍ଧିଥାନ୍ତି, ତେବେ ହୁଏତ ସମ୍ମାନ ପାଉଥାଆନ୍ତି,–ମାତ୍ର ପ୍ରୀତି କଦାୟ ପାଉନଥାନ୍ତି । ମୋ’ର ଭାଗ୍ୟ, ମୁଁ ନିଜ ଭିତରେ ଥିବା ଅସଲ ସାଙ୍ଗଟିକୁ ଚିହ୍ନିଛି । ସେଇଥିଲାଗି ସିଧା ସମସ୍ତଙ୍କ ଭିତରେ ରହିଥିବା ସେହି ଅସଲ ମଣିଷଟି ପାଖକୁ ହିଁ ଦଉଡ଼ିଯାଉ ପାରୁଛି । ସେହି ଅସଲ ଜାଗାଟିରେ କେବଳ ପ୍ରୀତି ହିଁ ରହିଛି । ଆମ ସମସ୍ତଙ୍କର ଯେ ସତକୁ ସତ ଗୋଟିଏ ଧର୍ମ, ସେଠାରେ ପହଞ୍ଚି ପାରିଲେ ସେହି କଥାଟି ସବାଆଗ ଧରା ପଡ଼ିଯାଉଛି । ସେଥିଲାଗି ମୁଁ ପ୍ରୀତି ଦେଇ ପ୍ରୀତି ପାଇପାରୁଛି । ପ୍ରୀତିର ଥାନଯାଏ ପହଞ୍ଚି ପରିବାଲାଗି ମୋତେ ଯାବତୀୟ ଅପ୍ରୀତିକର କଥା କହି ଓ ଅପ୍ରୀତିକର କଥା ଲେଖି ବାଟର ଏହି ଗଣ୍ଠିଗୁଡ଼ାକୁ କାଟିଦେବାକୁ ପଡ଼ୁଛି । ଅନ୍ୟ ଲେଖାମାନେ ହୁଏତ ଗଣ୍ଠିରେ ହିଁ ରହି ଯାଉଛନ୍ତି । ନିଜ ଭିତରେ ଗଣ୍ଠି ଫିଟାଇ ନାହାନ୍ତି, ତେଣୁ ଅନ୍ୟମାନଙ୍କ ଭିତରେ ବି ଗଣ୍ଠି ଗୁଡ଼ାକର ସେପାଖକୁ ମୋଟେ କିଛିହେଲେ ଦେଖି ପାରୁନାହାନ୍ତି । ପରସ୍ପରକୁ କିଳିହୋଇ ରହିବାରେ ସେମାନେ ଭାରି ସାହାଯ୍ୟ କରୁଛନ୍ତି ।

 

୮ । ୩ । ୮୮

 

ଅରଣ୍ୟ କହିଲେ ମୁଁ ସବୁଜକୁ ବୁଝେ । ସବୁଜ କହିଲେ ଶକ୍ତିକୁ ବୁଝେ । ଶକ୍ତି ହିଁ ଜୀବନର ଅସଲ ସନ୍ତକରୂପେ ଏହି ବାହାରର ଯାବତୀୟ ତୀର୍ଥରେ ଆପଣାକୁ ଯେଉଁ ସମଗ୍ର ପ୍ରସନ୍ନତାରୂପେ ଅଭିବ୍ୟକ୍ତି କରିଥାଏ, ଅରଣ୍ୟର ସାମାନାସାମନି ହୋଇ ରହିଥିବା ସମୟରେ ମୁଁ ସେହି ପ୍ରସନ୍ନତାକୁ ଅଙ୍ଗେ ଅଙ୍ଗେ ଅନୁଭବ କରିଥାଏ । ଦେହାଙ୍ଗ ସହିତ ଚେତନାଙ୍ଗ ଗୁଡ଼ିକ ଗୋଟିଏ ସ୍ଵାଭାବିକତା ମଧ୍ୟରେ ମିଳାଇ ଯାଇ ପାରିଥିଲେ ଯାଇ ସେହି ଅନୁଭବ ସମ୍ଭବ ହୁଏ ।

 

କାଲି ରାୟଗଡ଼ାରୁ କାଶୀପୁର ଆସିବା ସମୟରେ ଅରଣ୍ୟର ଅନ୍ତରଙ୍ଗତା ଭିତରେ ପହଁରି ପହଁରି ଯାଉଥିବା ବେଳେ ମୁଁ ସେହିପରି ଅନୁଭବ କରୁଥିଲି । ଏହି ଅନ୍ତରଙ୍ଗତା ମଧ୍ୟରେ ହିଁ ଅସଲ ଶକ୍ତି ନିହିତ ହୋଇ ରହିଛି । ବାହାର ସହିତ ଭିତରର ଏହି ଅନ୍ତରଙ୍ଗତା,–ମୋତେ ଚିରଦିନ ତାହାହିଁ ଅନେକ ଦାରିଦ୍ର୍ୟର କବଳରୁ ମୁକ୍ତ ରଖି ଆସିଛି । ଭିତରେ ଶକ୍ତି ସରି ଆସୁଥିବାର ଅନୁଭବ ହେବା ମାତ୍ରକେ ମୁଁ ଏହି ବାହାରୁ ଶକ୍ତି ପାଇଛି । ବାହାରେ ସଙ୍ଗ ପାଇଛି, ତେଣୁ ଭିତରେ ମଧ୍ୟ ସଙ୍ଗୀ ପାଇଯାଇଛି; ଭିତରେ ସଙ୍ଗ ପାଇଛି, ତେଣୁ ବାହାରେ ମଧ୍ୟ ସଙ୍ଗୀ ପାଇଛି । ଅନେକ ମଣିଷ କେଜାଣି କାହିଁକି ନିଃସଙ୍ଗ ହୋଇ ରହିବାକୁ ଅଧିକ ମନ କରନ୍ତି କି କ’ଣ, ସେମାନେ ଭିତର ଅରଣ୍ୟକୁ ପଳାଇ ଯାଆନ୍ତି ଓ ଭିତର ଅରଣ୍ୟରୁ ବାହାର ଅରଣ୍ୟକୁ ପଳାଇ ଯାଆନ୍ତି । ଅନେକ ସମୟରେ ସେହିମାନେ ହିଁ ପ୍ରକୃତିକୁ ଏକ ସାନ୍ତ୍ଵନାଦାୟକ ଓ ଆନନ୍ଦବର୍ଦ୍ଧକ ଏକ ସାମୟିକ ଔଷଧ ପରି ବ୍ୟବହାର କରନ୍ତି । ସେହି ତଥାକଥିତ ସୁନ୍ଦର ପ୍ରକୃତି ପାଖରୁ ସଂସାର ପାଖକୁ ଫେରିବା ବେଳକୁ ସେମାନେ “ଫେରିବାକୁ ହେବ ସତେ ?” ବୋଲି ସୁକୁମାର ଆର୍ତ୍ତନାଦମାନ କରିବାରେ ଲାଗନ୍ତି । ଏମାନଙ୍କର ଅସଲ ଘରଟି କେଉଁଠାରେ ଥାଏ କେଜାଣି ? ଅସଲ ନାଡ଼ଟି କେଉଁଠି ଲାଗିଥାଏ କେଜାଣି ?

 

୭ । ୧୧ । ୮୮

 

ଦେଶର ଅର୍ଥାତ୍ ପୃଥିବୀର ଦଶା ଦେଖି ଶ୍ରୀଯୁକ୍ତ ଗୋପବନ୍ଧୁ ଦାଶ ଅନଶନ କରି ଜୀବନ ତେଜିଦେବାକୁ ତାଙ୍କର ମନ ହେଉଛି ବୋଲି ସ୍ଵକବିତାରେ ଲେଖିଥିଲେ । ଭାରତ ବର୍ଷରେ ବ୍ରିଟିଶମାନଙ୍କ ହାତରୁ ଭାରତୀୟମାନଙ୍କ ହାତକୁ କ୍ଷମତାର ହସ୍ତାନ୍ତର ହେବା ପରେ ଦେଶରେ ଯେଉଁ ବର୍ବରତାପୂର୍ଣ୍ଣ ରାଜନୀତି ଚାଲିଲା ଓ ତଦ୍ଦ୍ଵାରା ପ୍ରାୟ ସକଳ କ୍ଷେତ୍ରରେ ଯେଉଁ ବିକ୍ଷୁବ୍‌ଧ ଅବସ୍ଥାମାନ ଉପୁଜିଲା, ମହାତ୍ମା ଗାନ୍ଧୀ ସେଗୁଡ଼ିକୁ ଦେଖି ତାଙ୍କର ଆଉ ଏହି ପୃଥିବୀରେ ଗୋଟିଏ ଦିନ ମଧ୍ୟ ରହିବାକୁ ଇଚ୍ଛା ହେଉନାହିଁ ବୋଲି କ୍ଷୋଭ କରି କହୁଥିଲେ । ଆଗରୁ ତ ସେ ନିଜଲାଗି ଶହେ କୋଡ଼ିଏ ବର୍ଷର ଆୟୁ କାମନା କରିଥିଲେ ।

 

ଆଜି ମୋଟେ ପଞ୍ଚଷଠି ବର୍ଷ ପୂରିଯାଉଛି । ଆପଣା ଭିତରେ ଜୀବନର ଗତିକକ୍ଷ ଗୁଡ଼ିକର ନିର୍ଣ୍ଣୟ କରି ଦେଉଥିବା ବନ୍ଧୁଟି ଆଡ଼କୁ ଅନାଇ କହିବାକୁ ମନ ହେଉଛି; ସିଏ ଯେତେଦିନ ଯାଏ ରାଜୀ ଅଛି, ମୁଁ ମଧ୍ୟ ସେତିକି ଦିନଯାଏ ରାଜୀ ଅଛି । ପନ୍ଦର ବା ପଚିଶି ବର୍ଷ ବୟସରେ ଠିକ୍ ଯେମିତି ରାଜୀ ଥିଲି, ଆଜି ମଧ୍ୟ ସେହିପରି ରାଜୀ ଅଛି । ବାଧ୍ୟ ହୋଇ ନୁହେଁ, ତା’ ହାତରେ ମୋ’ ଦଉଡ଼ିଟା ରହିଛି ବୋଲି ଆଦୌ ନୁହେଁ, ମୁଁ ଖୁସୀ ହୋଇ ରାଜୀ ଅଛି । ତା’ ସଂସାର ମୋତେ ଏବେ ମଧ୍ୟ ଭାରି ଭଲ ଲାଗୁଛି । ତା’ ରହସ୍ୟଗୁଡ଼ିକ ଏବେ ମଧ୍ୟ ମୋତେ ସବୁଠାରୁ ଅଧିକ ଲୋଭ ଦେଖାଇ ଟାଣିବାରେ ଲାଗିଛି । ମୁଁ ମୃତ୍ୟୁ ଆଡ଼କୁ ଯାଉଛି ବା ଆଉ ଅନ୍ୟ କୁଆଡ଼େ ଯାଉଛି, ମୁଁ ସେକଥା ଏପର୍ଯ୍ୟନ୍ତ ଦଣ୍ଡେହେଲେ ଚିନ୍ତା କରିନାହିଁ । ମୁଁ କେବଳ ତା’ର ସଙ୍ଗେ ସଙ୍ଗେ ଯାଉଛି । ନିଜ ଭିତରେ ତାକୁ ଅଧିକରୁ ଅଧିକ ନିବିଡ଼ ଏବଂ ସମର୍ପିତ ଭାବରେ ଚିହ୍ନୁଛି । ତା’ ଭିତରେ ନିଜକୁ ମଧ୍ୟ ଚିହ୍ନୁଛି । ତେଣୁ, ନିଜର ପ୍ରେମରେ ପଡ଼ିଯାଇଛି ।

 

୨୫ । ୧୧ । ୮୮

 

ମଣିଷ କ’ଣ ଭାଙ୍ଗିବାଲାଗି ଗଢ଼େ ? ଭଗବାନ କ’ଣ କେବଳ ଭାଙ୍ଗିବାଲାଗି ଗଢ଼ନ୍ତି ? ଏହି ସଂସାରକୁ ଗଢ଼ିବା ଲାଗି ସିଏ ପ୍ରତି ମୁହୂର୍ତ୍ତରେ ତାହାକୁ ଭାଙ୍ଗିବାରେ ଲାଗିଛନ୍ତି ବୋଲି ମଣିଷମାନଙ୍କର ଶାସ୍ତ୍ରରେ ଲେଖା ହୋଇଛି । ଏହି କଥାଟିକୁ ଅଲଗା ଭାବରେ କହିବାକୁ ମନ କଲେ ସବୁ କଥା ସତେଅବା କେଡ଼େ ଅଲଗା ଅଲଗା ମନେ ହେଉଛି । ଜୀବନ ପ୍ରତି, ଭଗବାନଙ୍କ ପ୍ରତି ଓ ଏପରିକି ନିଜପ୍ରତି ମଧ୍ୟ ଦୃଷ୍ଟି ବଦଳି ଯାଉଛି ।

 

ଭଙ୍ଗା ହେବାଲାଗି ଏହି ସଂସାରରେ ମୋଟେ କିଛି ଗଢ଼ା ହେଉନାହିଁ । ଗଢ଼ାହେବା ଲାଗି ଭଙ୍ଗା ହେଉଛି । ସଂସାରକୁ ନୂଆ କରି ଗଢ଼ିବା ଲାଗି ଭଗବାନ ତାହାକୁ ବାରବାର ଭାଙ୍ଗିବାରେ ଲାଗିଛନ୍ତି । ତେଣୁ, ଗଢ଼ାହେବାରେ ପ୍ରକ୍ରିୟାଟି ଲାଗି ରହିଛି । ଗଢ଼ା ହେବାର ପ୍ରକ୍ରିୟାଟି ହିଁ ଭଙ୍ଗା ହେବାର ଆର ପ୍ରକ୍ରିୟାଟିକୁ ମୀମାଂସା କରିବାରେ ଲାଗିଛି । ଗଢ଼ା ହେବାଲାଗି ଭଙ୍ଗାଯିବା, ନୂଆ ହେବାପାଇଁ ଆପଣାର ପୁରୁଣାଗୁଡ଼ାକ ଅତିକ୍ରମ କରିଯିବା, ଏହାର ଆଉଗୋଟିଏ ନାମ ହେଉଛି ବିବର୍ତ୍ତନ । ବିବର୍ତ୍ତନର ଅସଲ ପିଣ୍ଡଟି ମୋଟେ କେବେହେଲେ ଏକାବେଳେକେ ଭାଙ୍ଗି ଯାଉନାହିଁ, ଅସଲ ଆଖିଟି ମୋଟେ କେବେହେଲେ ବୁଜି ହୋଇ ଯାଉନାହିଁ, ଅସଲ ଆଖିଟି ମୋଟେ କେବେହେଲେ ବୁଜି ହୋଇ ଯାଉନାହିଁ ଓ ଅସଲ ହୃଦୟଟି କେବେହେଲେ ନିଃଶେଷିତ ହୋଇ ଯାଉନାହିଁ । ପ୍ରଚ୍ଛନ୍ନ ହୋଇ ରହିଥିବା ସମ୍ଭବନାମାନ ପ୍ରକଟ ହେବାରେ ଲାଗିଛି । ଯାହା ପ୍ରଚ୍ଛନ୍ନ ହୋଇ ରହିଛି, ତାହାରି ଭିତରେ ଯାବତୀୟ ଗଢ଼ାହେବାର ସ୍ଵପ୍ନଟି ସମ୍ପଦରୂପେ ଅନ୍ତର୍ନିହିତ ରହିଛି । ସେହି ସମ୍ପଦର ସଚେତନ ଉତ୍ତରାଧିକାରଟିକୁ ଲାଭ ନକରି ପାରିଥିବା ମଣିଷ କେଡ଼େ ଭାଗ୍ୟହୀନ ଯେ ସିଏ ସର୍ବଦା ଭଙ୍ଗା ହେବାଟାକୁ ହିଁ ପ୍ରଧାନ କରି ଦେଖୁଛି ? ହୁଏତ ସେହି କାରଣରୁ ସେ ଭାଙ୍ଗିବାର ଅଧିକ ଫିକର କରୁଛି । ଭାଙ୍ଗିବାରୁ ବେଳେ ବେଳେ ଅଧିକ ଆନନ୍ଦ ବି ପାଉଛି । ପ୍ରଧାନତଃ ଭଙ୍ଗା ହେବାକୁ ହିଁ ଏହି ସଂସାର ଗଢ଼ାହୋଇଛି ବୋଲି ସିଏ କେତେ ତତ୍ତ୍ଵଙ୍କର ପଣି ବାହାର କରି କହିବାରେ ଲାଗିଛି ।

Image

 

୧୯୮୯

୧୪ । ୧ । ୮୯

 

ବାଟରେ ଘାଟରେ ତାଙ୍କୁ ଦେଖିଥିବା ମଣିଷ ସତେଅବା ତାଙ୍କର ସେଇ ଗୋଟିଏ ରୂପ ବୋଲି କେଡ଼େ ସ୍ଵାଭାବିକ ଭାବରେ ଗ୍ରହଣ କରି ନେଇଥାଏ । ଆପଣାର ଆର୍ତ୍ତ ଆବଶ୍ୟକତା ଗୁଡ଼ାକୁ ଏଡେବଡ଼ ବୋଲି କହି ତାଙ୍କୁ ଆର୍ତ୍ତ ଭାବରେ ଡାକି ପାଇଥିବା ମଣିଷ ମଧ୍ୟ ସତେଅବା ତାଙ୍କର ସେହି ଗୋଟିଏ ରୂପକୁ ମନେ କରେ, ଥାପନା କରିବାକୁ ଯାଇ ତାଙ୍କର ସେହି ଗୋଟିଏ ମୂର୍ତ୍ତିକୁ ଥାପି ରଖେ ଏବଂ ସିଏ କେବଳ ସେହି ମୂର୍ତ୍ତି ଭିତରେ ରହିଛନ୍ତି ବୋଲି ଭାରି ଉତ୍ସାହରେ ଏଡ଼େ ପାଟି କରି କହୁଥାଏ । ଆମ ପୃଥିବୀରେ ସଂପ୍ରଦାୟଗୁଡ଼ାକୁ ସେହି ମଣିଷ ଭାରି ସୁହାଏ । ଅଥବା, ଅନ୍ୟ ଭାବରେ କହିଲେ, ସମ୍ଭବତଃ ଏହି କାଟର ମଣିଷମାନଙ୍କର ଚାହିଦାକୁ ମେଣ୍ଟାଇବା ନିମନ୍ତେ ସଂସାରରେ ସମ୍ପ୍ରଦାୟଗୁଡ଼ାକ ଗଢ଼ା ହେବାର ଏକ ଆବଶ୍ୟକତା ଜନ୍ମଲାଭ କରିଥାଏ ।

 

ତାଙ୍କୁ ଅନ୍ତର ଭିତରେ ପାଇଥିବା ମଣିଷ, କୌଣସି ଆର୍ତ୍ତ ଅବସ୍ଥାରୁ ଉଦ୍ଧାର ପାଇବାକୁ ତାଙ୍କୁ ଖୋଜି ନୁହେଁ, ଶ୍ରଦ୍ଧାରେ ବାଟ ଚାଲୁ ଚାଲୁ ଯାବତୀୟ ବାହାରର ଗଭୀରକୁ ପଶିବାକୁ ମନ କରି ତାଙ୍କୁ ନିଜ ଭିତରେ ପ୍ରତ୍ୟକ୍ଷ ଅନୁଭବ କରିଥିବା ମଣିଷ ଆଦୌ ସେପରି ସଂକୀର୍ଣ୍ଣ ହୁଏନାହିଁ । ସିଏ ତାଙ୍କୁ ସବୁଠାରେ ଦେଖେ, ସମସ୍ତଙ୍କ ଭିତରେ ଦେଖେ, ଯାବତୀୟ ବାଟରେ ସିଏ ତାଙ୍କୁ ସତେଅବା ଭାରି ସ୍ଵାଭାବିକ ଭାବରେ ଚିହ୍ନି ନେଇପାରେ । ତେଣୁ, ସିଏ ବାଟ ନେଇ କଳହ କରେନାହିଁ । ଭିତରେ ପାଇଥାଏ ବୋଲି ବାହାରରେ ମଧ୍ୟ ଅତି ସହଜରେ ପାଏ । ମୂର୍ତ୍ତି ମଧ୍ୟରେ ପାଏ, ମୂର୍ତ୍ତିର ବାହାରେ ମଧ୍ୟ ପାଏ । ଏହି ସଂସାର ତାକୁ କେଡ଼େ ଖୁସୀ ଲାଗେ । ଭଗବାନଙ୍କୁ ସିଏ ଖାଲି ନିଜର କରି ରଖିବାକୁ ମୋଟେ ଇଚ୍ଛା କରେ ନାହିଁ । ସିଏ ଭଗବାନଙ୍କର ହୋଇଯାଏ । ତାଙ୍କ ପାଖରେ ନିଜେ ଧରା ଦିଏ । ତାହାକୁ ହିଁ ପରମ ମୁକ୍ତି ବୋଲି ଜାଣିଥାଏ ।

 

୧୯ । ୨ । ୮୮

 

ଆଲ୍ଲା କ୍ଷମା ଦେଇ ପାରନ୍ତି, ଅଥଚ ଆଲ୍ଲାଙ୍କର ତୀର୍ଥଚରବୃନ୍ଦ କ୍ଷମା ଦେଇ ପାରନ୍ତିନାହିଁ-? ଆଲ୍ଲାଙ୍କୁ ପୃଥିବୀରେ ସମସ୍ତଙ୍କଠାରୁ ବଡ଼ ବୋଲି ପ୍ରତିଷ୍ଠିତ କରିବାର ଉଦ୍ଦଣ୍ଡତାରେ ସେମାନେ ପୃଥିବୀରେ ଆପଣାକୁ ତାଙ୍କର ଠିକାଦାର ବୋଲି କହି ଏଡ଼େ ଉପଦ୍ରବୀ ହୋଇ ଉଠନ୍ତି କାହିଁକି ? ଆପଣାର ଜୀବନ ଭିତରକୁ ଆଲ୍ଲାଙ୍କୁ ଆବାହନ କରି ଆଣି ପାରିବାର ସାମର୍ଥ୍ୟ ଯେତିକି ହେଉଥାଏ, ଆଲ୍ଲାଙ୍କ ନାମରେ ଆଲ୍ଲାଙ୍କୁ ମାରୁଥିବା ଏହି ରାଢ଼ମାନଙ୍କ ପ୍ରତି ସେତିକି ଘୃଣା ଜାତ ହୁଏ-

 

ମୁଁ Satanic Verses ବହିଟିକୁ ପଢ଼ିନାହିଁ । କିନ୍ତୁ, ଗୋଟାଏ ବହିରେ ଆଲ୍ଲାଙ୍କର ଅପମାନ ହୋଇଗଲା, ଏବଂ ସେହି ବହିର ଲେଖକକୁ ଶୀଘ୍ର ଏହି ପୃଥିବୀରୁ ଉଡ଼ାଇଦେବା ଉଚିତ ବୋଲି ଯେଉଁମାନେ ଭାବୁଛନ୍ତି ଓ ତାଙ୍କର ହତ୍ୟାକାରୀ ଭାବରେ ଆଗଭର ହୋଇ ଆସିବାକୁ ଯେଉଁମାନେ ଅର୍ଥାତ୍ ଲୋଭ ଦେଖାଇ ବଜାରରେ ଲୋକଙ୍କୁ ଆକୃଷ୍ଟ କରି ବାହାରିଛନ୍ତି, ସେମାନେ ସତକୁ ସତ ଆଲ୍ଲାଙ୍କୁ କେତେ ଅଳପ ଜାଣିଛନ୍ତି ! ଯିଏ ଆଲ୍ଲାଙ୍କୁ ପ୍ରକୃତରେ ଜାଣେ, ସିଏ କଦାପି କ୍ଷମତାର ମଣିଷ ହୁଏନାହିଁ । କ୍ଷମତାର ମଣିଷମାନେ ଯେଉଁଦିନ ଠାରୁ ଆଲ୍ଲାଙ୍କ ଘରର ଚାବିନେନ୍ଥାଟାକୁ ସ୍ଵୟଂ ଆତ୍ମସାତ୍ କଲେଣି, ସେହିଦିନ ଠାରୁ ପୃଥିବୀ ସତେଅବା ଆଲ୍ଲାଙ୍କୁ ଛାଡ଼ି ଛାଡ଼ି ଯିବାରେ ଲାଗିଛି । ଆଲ୍ଲାଙ୍କୁ ତାଙ୍କର ବିଶ୍ଵମୟ ସକଳ ଚେରଠାରୁ ଛିଣ୍ଡାଇ ଆଣି ତାଙ୍କୁ ଗୋଟାଏ ନିର୍ଦ୍ଦିଷ୍ଟ ଧର୍ମସଦନ ଭିତରେ ଅମୁହାଁ ଓ ଅସହାୟ କରି ରଖିବାର ଫିସାଦ ସେହି ଦିନଠାରୁ ଆରମ୍ଭ ହେଲାଣି । ଯଦି ମଣିଷ ମନ୍ଦିରରେ ଭୁଲି ନଥାନ୍ତା, ଧର୍ମବାଟକୁ ଛାଡ଼ି ଧର୍ମର ଅଫିମ ଖାଇବାକୁ ମନ କରିନଥାନ୍ତା, ତେବେ ସିଏ କଦାପି ଆଲ୍ଲାମାନଙ୍କୁ ନେଇ ରାଢ଼ ରାଷ୍ଟ୍ରକର୍ତ୍ତାମାନଙ୍କ ହାତରେ ନେଇ ସମର୍ପି ଦେଇନଥାନ୍ତା ।

 

୨୪ । ୨ । ୮୯

 

ଲେଖାଟାଏ ଲେଖିଦେଲେ କାମ ସରି ଯାଏନାହିଁ, କାମ ଆରମ୍ଭ ହୁଏ । ଚିନ୍ତାର ଗହନ ଭିତରେ ବାଟଟିଏ ଦିଶିଯାଏ, କୋଉଠି ଅନ୍ଧାର ଭିତରେ ତରାଟିଏ ଦିଶିଯାଏ,–ଲେଖକ କଲମ ଧରି ଲେଖିବସେ । ଅର୍ଥାତ୍, ଜୀବନକୁ ନୂତନରୂପେ ଆବିଷ୍କାର କରେ । ସେହି ଆବିଷ୍କାରଟି ଅନୁସାରେ ତା’ର ସତେଅବା ଏକ ନୂତନ ଯାତ୍ରା ଆରମ୍ଭ ହୁଏ । ଆପଣା ଭିତରେ ବସିଥିବା ବନ୍ଧୁଟି ସହିତ ତଥା ବାହାରେ ବୃହତ୍ତର ପୃଥିବୀରୁ ଆହ୍ଵାନ ଦେଉଥିବା ସତେଅବା ଆଉ କୌଣସି ଅନ୍ତରଙ୍ଗ ଦୋସର ସହିତ ଖିଅ ଲାଗିଯାଏ, ସମ୍ବନ୍ଧ ବାନ୍ଧି ହୋଇଯାଏ । ତେଣୁ, ନୂତନ ଅଙ୍ଗୀକାର ଜୀବନ ଆରମ୍ଭ ହୁଏ ।

 

ଲେଖକମାନେ ପ୍ଳଟ୍‌ଟିଏ ପାଆନ୍ତି, ଛନ୍ଦିଟିଏ ଶୁଣନ୍ତି, ନିଜ ଭିତରର କୋଉଠି ଆଘାତଟିଏ ହେଉଥିବାର ବାରି ପାରନ୍ତି,–ସେମାନେ କାହାଣୀଟିଏ ଲେଖନ୍ତି କିମ୍ବା କବିତାଟିଏ ଫାନ୍ଦି ପକାନ୍ତି । ତାପରେ କାମ ସରିଗଲା ବୋଲି ଭାବନ୍ତି । ଯୋଉଠି ଥିଲେ ସେଇଠାକୁ ଫେରି ଆସନ୍ତି । ପେଡ଼ୀଟି ଭିତରୁ ବାହାରି ସତେଅବା କୋଉ ବାହାରକୁ ଯାଇଥାନ୍ତି । ପୁଣି ସେହି ପେଡ଼ୀ ଭିତରକୁ ଫେରି ଆସନ୍ତି । ନିଜ ସାହିତ୍ୟକୁ ସେମାନେ ଏହି ବାହାରି ଯିବାର ଏକ ଅବସର ବୋଲି ଭାବୁଥାଆନ୍ତି । ଯୋଉମାନେ ସାହିତ୍ୟକୁ ଅଧିକରୁ ଅଧିକ ସମୟ ପାଇଁ ଆବୋରି ନେଇଥାନ୍ତି, ସେମାନେ ସତେଅବା ଜୀବନରୁ ଅଧିକରୁ ଅଧିକ ସମୟ ଫାଙ୍କି ଦେଇ ବୁଲୁଥାନ୍ତି । ଉଶ୍ଵାସ ହୋଇ ବୁଲୁଥାନ୍ତି । ମୁଁ ପାରେନାହିଁ । ଲେଖାଟିଏ ଲେଖିଲେ ସତେଅବା ମୋ’ପାଇଁ ନୂଆ ସ୍ପର୍ଶଟିଏ ମିଳିଯାଏ, ନୂଆ ବାଟାଟିଏ ଖୋଲିଯାଏ । ସେହି ସ୍ପର୍ଶକୁ ଧାରଣ କରି ସେହି ବାଟକୁ ଅନୁସରଣ କରି ସତେଅବା ଏକ ନୂଆ ଚାଲିବା ଆରମ୍ଭ ହୋଇଯାଏ । ଏମିତି ଭାବରେ ମୋ’ ଲେଖାଗୁଡ଼ିକ ମୋ’ର ବନ୍ଧୁ ହୋଇ ରହିଥାନ୍ତି, ମୋ’ ଜୀବନରେ ମାର୍ଗଦର୍ଶକ ମାନଚିତ୍ର ପରି ହୋଇ ରହିଥାନ୍ତି । ମୁଁ ମୋ’ ଲେଖିବାର ମାଧ୍ୟମରେ ହୋଇ ଚାଲିଥାଏ, ଆପଣାକୁ ନୂତନ ଭାବରେ ନିୟୋଜିତ କରିବାରେ ଲାଗିଥାଏ ।

 

୩ । ୩ । ୮୯

 

ଯେତେ ଯେତେ ସନ୍ତକକୁ ଗ୍ରହଣ କରିଥିବାରୁ ମୁଁ ନିଜକୁ ତାଙ୍କର ଉପାସକ ବୋଲି ଜାଣିପାରୁଛି, ସେହି ସନ୍ତକଗୁଡ଼ିକୁ ଛାଡ଼ିଦେଲେ ମଧ୍ୟ ମୁଁ ଅବଶ୍ୟ ତାଙ୍କର ଉପାସକ ହୋଇ ରହି ପାରିବ । ଯେତେ ଯେତେ ସନ୍ତକର କଳ୍ପନା ମଧ୍ୟଦେଇ ତାଙ୍କୁ ମୁଁ ଉପାସ୍ୟ ବୋଲି ଜାଣି ଶିଖିଛି, ସେହିସବୁ ସନ୍ତକ ଦେଖା ଯାଉନଥିଲେ ମଧ୍ୟ ମୁଁ ତାଙ୍କୁ ଉପାସ୍ୟ ବୋଲି ଅବଶ୍ୟ ଚିହ୍ନି ନେଇ ପାରିବି-

 

କାରଣ, ତାଙ୍କୁ ଭିତରେ ଚିହ୍ନିପାରୁଛି ବୋଲି ବାହାରେ ମଧ୍ୟ ମୁଁ ତାଙ୍କର ଠାବ ପାଇ ପାରୁଛି ଏବଂ ବାହାରେ ଏହି ସକଳ ଠାବରେ ଅନାଇଦେଲା ମାତ୍ରକେ ମୁଁ ତାଙ୍କୁ ଦେଖି ପାରୁଛି । ଏବଂ, ତାଙ୍କୁ ଏହି ଯାବତୀୟ ବାହାରଟାକୁ ପୂର୍ଣ୍ଣକରି ରହିଥିବାର ସତକୁ ସତ ଅନୁଭବ କରିପାରୁଛି ବୋଲି ମୁଁ ତାଙ୍କୁ ଭିତରେ ମଧ୍ୟ ଜଳଜଳ ଭାବରେ ଦେଖି ପାରୁଛି । ମୁଁ ତାଙ୍କୁ ଭିତର ଓ ବାହାର ଉଭୟଠାରେ ଦେଖି ପାରୁଛି ବୋଲି ଆଦୌ କୌଣସି ଯୁକ୍ତିର ଅପେକ୍ଷା ନରଖି ତାଙ୍କୁ ଦେଖି ପାରୁଛି-। ତାଙ୍କୁ ମୁଁ ବାହାରେ ଚିହ୍ନି ପାରୁଛି ବୋଲି ବାହାରେ ମଧ୍ୟ ଚିହ୍ନି ପାରୁଛି । ତାଙ୍କୁ ଚିହ୍ନିବା ଲାଗି ଭିତରେ ଅଥବା ବାହାରେ ମୁଁ ଆଦୌ କୌଣସି ସନ୍ତକର ଅପେକ୍ଷା ରଖିନାହିଁ ବୋଲି ଏହି ଯାବତୀୟ ସନ୍ତକ ମଧ୍ୟ ମୋତେ କେଡ଼େ ଉଜ୍ଜ୍ଵଳ ଓ କେଡ଼େ ସୁନ୍ଦର ଦିଶୁଛନ୍ତି,–ସତେଅବା ତାଙ୍କଯାଏ ପଡ଼ିଥିବା ଓ ତାଙ୍କୁ ଏକାବେଳେକେ ଏଠା ସହିତ ଯୋଡ଼ିକରି ରଖିଥିବା ବାଟ ଭଳି ଦିଶି ଯାଉଛନ୍ତି । ସନ୍ତକଗୁଡ଼ାକୁ ବର୍ଜନ କଲେ ଯେ ସନ୍ତକମାନଙ୍କର ଜଞ୍ଜାଳରୁ ମୁକ୍ତି ମିଳେ, ସେକଥା ଆଦୌ ନୁହେଁ । ଏବଂ ସମ୍ଭବତଃ, ଭିତରେ ଓ ବାହାରେ ତାଙ୍କୁ ଛୁଇଁ କରି ରହି ପାରୁଥିଲେ ଯାଇ ତାହା ସମ୍ଭବ ହୁଏ । ଛୁଇଁ କରି ରହି ପାରିଥିଲେ ଯାଇ ସନ୍ତକମାନେ ସତକୁ ସତ ଆକର୍ଷକ ଲାଗନ୍ତି-। ବାନ୍ଧି ପକାନ୍ତିନାହିଁ, ଆଦୌ କୌଣସି ପ୍ରକାରେ ଉତ୍ତେଜିତ କରି ରଖନ୍ତିନାହିଁ । ଏବଂ, ଅନୁରାଗ ବଢ଼ିବାରେ ଲାଗିଥାଏ, ଘର ଓ ବାହାରର ଦ୍ଵନ୍ଦ୍ଵ ତୁଟି ଯାଉଥାଏ । ନିଜକୁ ସତେଅବା ତାଙ୍କରି ଏକ ସ୍ଵୀକୃତିପ୍ରାପ୍ତ ଆସ୍ଥାନ ସଦୃଶ ମନେ ହୁଏ ।

 

୧୧ । ୩ । ୮୯

 

ମୁଁ ରାତିଯାକ ସ୍ଵପ୍ନ ଦେଖୁଥାଏ । କୁଆଡ଼ୁ କେତେ କ’ଣ ଅଜାଡ଼ି ହୋଇ ପଡ଼େ । ଅଥବା, ମୁଁ ସତେଅବା ଗୋଟାସୁଦ୍ଧା ଏମିତି ଭାବରେ ଆପଣାକୁ ମୁକୁଳା କରି ଧରିଥାଏ ଯେ, ମୋ’ ଭିତରକୁ ସବୁକିଛି ତଥା ସମସ୍ତେ କେବଳ ଆନନ୍ଦର ରୂପ ଧାରଣ କରି ଅଜାଡ଼ି ହୋଇ ପଡ଼ୁଥାନ୍ତି । ଏହିପରି ଖୁସୀରେ ରାତିସରା କଟିଯାଏ । ସକାଳୁ ସ୍ଵପ୍ନଗୁଡ଼ାକ ଏତେ ଟିକିଏ ହେଲେ ମନେ ନଥାଏ; ମାତ୍ର, ଖୁସୀ ଅବ୍ୟାହତ ରହିଥାଏ । ସତେଅବା ଜନନୀ ପରି ସେହି ଖୁସୀ ମୋତେ ଉତ୍ତୋଳିତ କରି ଧରିଥାଏ । ଦିନଟିର ମନ୍ଦିର ଭିତରେ ଲାଗି ହୋଇ ପାରିବି ବୋଲି ମୁଁ ପୂର୍ଣ୍ଣସମ୍ମତା ଓ ପୂର୍ଣ୍ଣସମର୍ପିତା କୁମାରୀକନ୍ୟାଟି ପରି ସଂସାରର ଦାଢ଼ରେ ଠିଆ ହୋଇ ରହିଥାଏ । ସଜ ହୋଇ ଆସିଥାଏ । ରାତିଯାକ ଏହିପରି ଭାବରେ ସ୍ଵପ୍ନର ଶରଧାବେଶଟି ମଧ୍ୟରେ ମୋତେ କିଏ ସଜ କରିବାରେ ଲାଗିଥାଏ କେଜାଣି ?

 

ଦିନଟି ଭଲ କଟିଲେ ରାତିଟି ମଧ୍ୟ ଭଲ କଟେ ଅଥବା ରାତିଟି ଭଲ କଟିଲେ ଦିନଟି ଭଲ କଟେ, ସେବିଷୟରେ ମୁଁ ମୋଟେ କିଛି କହି ପାରିବିନାହିଁ । ଏହି ବିଷୟରେ ପଣ୍ଡିତ ମାନଙ୍କର କେତେ କେତେ ତତ୍ତ୍ଵ ରହିଛି । ଜାଗ୍ରତ ଅବସ୍ଥା ସୁସ୍ଥ ଥିଲେ ସ୍ଵପ୍ନାବସ୍ତା ବା ନିଦ୍ରାବସ୍ଥା ମଧ୍ୟ ଭଲରେ କଟେ ଅଥବା ନିଦ୍ରାବସ୍ଥାଟି ସୁସ୍ଥ ରହିଲେ ଜାଗ୍ରତ ଅବସ୍ଥା ମଧ୍ୟ ଭଲରେ କଟେ; ତାହାରି ତତ୍ତ୍ଵଗହନ ମଧ୍ୟରେ ପ୍ରବେଶ କରିବା ଲାଗି ମୁଁ କେବେହେଲେ ଖୁବ୍‌ବେଶୀ ମନ କରିନାହିଁ । ଏହି ବିଷୟରେ ମୁଁ ହୁଏତ ଜୀବନରୁ କେବଳ ଗୋଟିଏ କଥା ଶିଖିଛି । ସେହି କଥାଟି ହେଉଛି ଯେ, ଜୀବନରେ ହେଟି ହୋଇ ଆସୁଥିବା ସଙ୍ଗେ ସଙ୍ଗେ ମୋ’ର ଦିନ ଓ ମୋ’ ରାତି ମଧ୍ୟରେ ରହିଥିବା ବିବାଦଗୁଡ଼ିକ ଭାରି କମି କମି ଆସିଛି । ମୋ’ ଦିନଗୁଡ଼ିକ ମୋ’ର ରାତିଗୁଡ଼ିକୁ ଅଧିକରୁ ଅଧିକ ବୁଝିଛନ୍ତି । ରାତିଗୁଡ଼ିକ ମଧ୍ୟ ଦିନଗୁଡ଼ିକୁ ଅଧିକ ବୁଝିଛନ୍ତି । ଦିନ ଓ ରାତି କ୍ରମେ ଏକ ଆରେକର ବନ୍ଧୁ ହୋଇ ଆସିଛନ୍ତି, ଗୋଟିଏ ଆରଟିର ପରିପୂରକ ହୋଇ ରହି ହିଁ ସବୁଠାରୁ ଅଧିକ ଆନନ୍ଦ ପାଇଛନ୍ତି । ଏହିପରି ଭାବାରେ ମୋ’ ଆନନ୍ଦର ସୂତ୍ରଗୁଡ଼ିକ ଦିନକୁ ତଥା ରାତିକୁ ନଡ଼ରିବାକୁ ଶିଖିଛନ୍ତି, ଦିନ ଓ ରାତି ପରସ୍ପରକୁ ନିଜର କରି ନେଇଛନ୍ତି ।

 

୧୪ । ୩ । ୮୯

 

ମୋ’ ସନ୍ତକଗୁରାକ ତଳୁ ଯିଏ ମୋତେ ଚିହ୍ନିନେଇ ପାରିବ, ସେଇ ହେଉଛି ମୋ’ର ପ୍ରକୃତ ବନ୍ଧୁ । ଏହି ଜଗତରେ ବହୁ ବନ୍ଧୁତା ଭିତରେ ମୁଁ ସତେଅବା ସେହି ବନ୍ଧୁଟିର ଅନ୍ଵେଷଣ କରି ବୁଲୁଛି । ବନ୍ଧୁତା ଭଲ ଲାଗେ, କାରଣ ବନ୍ଧୁତାର କ୍ଷେତ୍ରରେ ହିଁ ଏହି ସନ୍ତକଗୁଡ଼ିକୁ ଖୋଲିଦେଇ ଏକାବେଳେକେ ମୁକୁଳା ଭାବରେ ଆପଣାର ପରିଚୟ ଦେବାର ଏକ ପ୍ରଶସ୍ତ ଅବସର ମିଳିଥାଏ । ଏହି ବନ୍ଧୁତା ମଣିଷର ମଣିଷ ପାଖରେ, ମଣିଷର ପ୍ରକୃତି ପାଖରେ, ମଣିଷର ସାହିତ୍ୟ ପାଖରେ, ମଣିଷର ସଙ୍ଗୀତ ପାଖରେ । ଏପରିକି, ମଣିଷର ତା’ ନିଜ ପାଖରେ ମଧ୍ୟ ନିଜକୁ ମୁକୁଳା ଭାବେ ଦେଖିପାରିବା, ନିଜକୁ ନିଜଠାରେ ସଂପୂର୍ଣ୍ଣ ରୂପେ ସ୍ୱୀକାର କରିନେଇ ପାରିବା,–ଏହି କଥାଟି ମଧ୍ୟ କେତେ ଅଳପ ମଣିଷଙ୍କର ଭାଗ୍ୟରେ ଜୁଟିଥାଏ ।

 

ଭଲ ପାଇବାର ଅର୍ଥ ହେଉଛି ଆପଣାକୁ ଏହିପରି ଭବାରେ ମୁକୁଳା କରି ଦେଖାଇଦେଇ ପାରିବ ।, ଏକାବେଳେକେ ଘର ଭିତରକୁ ଡାକିନେଇ ପାରିବା, ଗୁଣ ଅବିଗୁଣ ନବାରିବା । ଅନେକ ମଣିଷ ଖାସ୍ ଏହି କ୍ଷେତ୍ରରେ ହିଁ ବହୁ କାରଣରୁ, ଅଧିକାଂଶତଃ ଅନ୍ତର୍ଗତ କାରଣରୁ, ଏପରି ଅସମର୍ଥ ହୋଇ ବୁଲୁଥିଲେ ଯେ, ହାଟ ଭିତରେ କେତେ ମଣିଷଙ୍କ ସହିତ ଦିହ ଘଷାଘଷି ହୋଇ ବୁଲୁଥିଲେ ମଧ୍ୟ ତଥାପି ନିଃସଙ୍ଗ ହୋଇ ରହିଥାନ୍ତି । ହାଟ ଭିତରେ ଆପଣାକୁ ଭଳି କି ଭଳି କରି ଦେଖାଇବାରେ ଲାଗିଥାନ୍ତି; ତଥାପି ସବାଆଗ ନିଜର ଯେଉଁଟିକୁ ଦେଖାଇଦେଇ ପାରିଲେ ମଣିଷର ଅସଲ ପରିତ୍ରାଣ ଘଟୁଥାନ୍ତା, ସେଇଟି ନାନାବିଧ ଚକ୍ରାନ୍ତରେ କୁଆଡ଼େ ପୋତିହୋଇ ରହିଥାଏ । ନିଃସଙ୍ଗତା ସେହି କାରଣରୁ ହିଁ ଜୀବନ ବଞ୍ଚିବାର ଏକ ଅପରିହାର୍ଯ୍ୟ ଉପଚାର ହୋଇ ରହିଥାଏ । ମୁଁ ସେହି ଉପଚାରଗୁଡ଼ିକୁ କୋଉଦିନୁଁ ପଛରେ ପକାଇ ବାହାରି ଆସିଛି । ତେଣୁ, କେବଳ ମଣିଷକୁ ନୁହେଁ, ସାହିତ୍ୟ ଓ ସଙ୍ଗୀତକୁ ପ୍ରକୃତିକୁ ମଧ୍ୟ ବନ୍ଧୁ କରି ପାରିଛି-। ସର୍ବୋପରି, ନିଜକୁ ବନ୍ଧୁରୂପେ ପାଇପାରିଛି ।

 

୧୫ । ୩ । ୮୯

 

ଦେଉଳ ଭିତରେ ଭାରି ଭିଡ଼, ପ୍ରମତ୍ତମାନଙ୍କର ଭାରି କୋଳାହଳ । ଭକ୍ତମାନଙ୍କର କୋଳାହଳ ନୁହେଁ, ଆର୍ତ୍ତମାନଙ୍କର କୋଳାହଳ ଭିତରେ ନୁହେଁ, ଆର୍ତ୍ତମାନଙ୍କର କୋଳାହଳ ଭିତରେ ଭକ୍ତିର ଭାଗ ଯେ ଆଦୌ ଖୁବ୍ ବେଶୀ ନଥାଏ, ସମ୍ଭବତଃ ସେତିକି କହିଦେବା ପାଇଁ ଶାସ୍ତ୍ରରେ ଆର୍ତ୍ତ ଭକ୍ତି ବୋଲି ଭକ୍ତିର ଗୋଟିଏ ପ୍ରକାରକୁ ଦର୍ଶାଇ ଦିଆଯାଇଛି । ପ୍ରଥମ ଅବସ୍ଥାରେ ଭକ୍ତି ହୁଏତ ଏକ ଆର୍ତ୍ତ ସ୍ତରରେ ରହିପାରେ । ଆର୍ତ୍ତର ସ୍ତରରୁ ତାହା ଯେତେ ଶୀଘ୍ର ଆହୁରି ଆଗକୁ ଅତିକ୍ରମ କରି ଯାଇପାରେ, ଭକ୍ତି ପାଇଁ ତାହା ସେତେ ମଙ୍ଗଳର ହୋଇଥାଏ । ଭକ୍ତପାଇଁ ତ ଅବଶ୍ୟ ମଙ୍ଗଳର ହୁଏ । ହିନ୍ଦୁ ଧର୍ମର ଲୋକାଚାରକ୍ଷେତ୍ରରେ ଏତେ ଏତେ ମଣିଷ କିପରି ତଥାପି ସେହି ଆର୍ତ୍ତ ସ୍ତରରେ ହିଁ ପ୍ରଲୁବ୍‌ଧ ହୋଇ ରହିଛନ୍ତି, ତାହା ମୋତେ ଅନେକ ସମୟରେ ବିସ୍ମିତ କରିଦିଏ । ଖୁବ୍ ସମ୍ଭବ ଏପରି ହେବାର କେତେକ ଆର୍ଥିକ ଓ ସାମାଜିକ କାରଣ ରହିଛି ।

 

ଭକ୍ତମାନେ କେଡ଼େ ପାଟିରେ ପୁରୋହିତମାନଙ୍କର ମାଧ୍ୟମରେ ଠାକୁରଙ୍କ ପାଖରେ ଦୁଃଖ ଜଣାଉଥିଲେ । ସେମାନେ ଗୋଟାସୁଦ୍ଧା କେବଳ ନିଜର ଦୁଃଖ ହିଁ ଜଣାଉଥିଲେ । ଅର୍ଥାତ୍, ନିଜ ସୁଖର ମନାସ କରୁଥିଲେ । ସଂସାର ଗୋଟାକଯାକ ପଛକେ ବୁଡ଼ିଯାଉ, ତଥାପି ସେମାନଙ୍କର ସୁଖ ବହୁଗୁଣିତ ଏବଂ ବହୁସ୍ଫୀତ ହୋଇ ରହିଥାଉ ବୋଲି ଭୋଗରାଗ ଓ ଅନ୍ୟାନ୍ୟ ସଂଭାର ନେଇ ସେମାନେ ଠାକୁରଙ୍କୁ କହିବାକୁ ଆସିଥିଲେ । ସଂସାରରେ ସମସ୍ତେ ସୁଖୀ ହୁଅନ୍ତୁ ବୋଲି ମୋଟେ କହିବାକୁ ଆସିନଥିଲେ । ସଂସାରରେ ସମସ୍ତେ ସୁଖୀ ହେଲେ ଯେ ବ୍ୟକ୍ତି ମଧ୍ୟ ସତକୁ ସତ ସୁଖୀ ହୋଇ ରହି ପାରିବ ଏବଂ ଭଗବାନଙ୍କୁ ମଧ୍ୟ ସେତେବେଳେ ଯାଇ ସବୁଠାରୁ ଅଧିକ ଭଲ ଲାଗିବ, ସେମାନେ ସେକଥାଟିକୁ ହୁଏତ କଳ୍ପନା ହିଁ କରି ପାରୁନଥିବେ । ଭଗବାନଙ୍କ ଘରେ ମୋଟେ ଅଳପ ମଣିଷଙ୍କ ନିମନ୍ତେ ସୁଖର ବରାଦ ହୋଇ ପାରିବାର ସମ୍ବନ୍ଧ ପ୍ରକୃତରେ ରହିଛି ସେମାନେ ବିଶ୍ଵାସ କରୁଥିଲେ କି କ’ଣ କେଜାଣି, ସେହି କାରଣରୁ ସେମାନେ କେବଳ ନିଜପାଇଁ ସୁଖ ମାଗିବାକୁ ସେଠାକୁ ଆସିଥିଲେ ।

 

୧୬ । ୩ । ୮୯

 

ଭଗବାନଙ୍କ ପାଖରେ ଆପଣାର ଦୁଃଖ ଜଣାଉ ଜଣାଉ ତାଙ୍କର ପରମବଳଦାୟୀ ଓ ତେଣୁ ପରମସୁଖଦାୟୀ ସଙ୍ଗଟିକୁ ଆମେ ପ୍ରକୃତରେ କେଡ଼େ ଶୋଚନୀୟ ଭାବରେ ହରାଇ ନବସିଲୁ ! ମଣିଷ ଯଦି ସତକୁ ସତ ଏକ ବୁଦ୍ଧିମାନ୍ ପ୍ରାଣୀ ହୋଇଥାନ୍ତା, ତେବେ ସିଏ କଦାପି ଏପରି କରିନଥାନ୍ତା । ବା, ସମ୍ଭବତଃ ଏପରି ମଧ୍ୟ ହୋଇପାରେ ଯେ, ଅନ୍ୟ ବହୁଭଳି ଫିସାଦକୁ ବୁଦ୍ଧି ବୋଲି ଭ୍ରମ କରି ସେ ଆପଣାର ଅସଲ ବୁଦ୍ଧିଟିର ଠାବ ପାଇ ପାରିଲାନାହିଁ । ଠାକୁରଙ୍କ ନାମରେ ମନ୍ଦିର ଗଢ଼ିଲା, ନିଜ ଦୁଃଖଗୁଡ଼ାକର ବୈଦ୍ୟ ହିସାବରେ ତାଙ୍କୁ ଚିହ୍ନିଲା । ତାଙ୍କୁ ଜୀବନରେ ପ୍ରତିଫଳିତ କରାଇ ପାରିଲାନାହିଁ । ଯେତେବେଳେ ନିଜର ଆର୍ତ୍ତଗୁଡ଼ାକୁ ଜଣାଇବା ହିଁ ଜୀବନର ଅସଲ ଧର୍ମ ଧନ୍ଦା ହୋଇ ରହିଥାଏ, ସେତେବେଳେ ମଣିଷ ସତେଅବା ଅତି ରଞ୍ଜନକୁ ହିଁ ସବୁଠାରୁ ଅଧିକ ପରିମାଣରେ ଭଲ ପାଉଥାଏ । ଏହି ଅତିରଞ୍ଜନକୁ ସିଏ ଅନେକ ସମୟରେ ଅଧିକ ଭକ୍ତିର ନିଦର୍ଶନ ବୋଲି ମାନି ନେଇଥାଏ । ନିଜ ଭିତରେ ମଧ୍ୟ ସେ ଅତ୍ୟନ୍ତ ପ୍ରଦର୍ଶନ ପରାୟଣ ହୋଇ ରାହିଯାଏ । ବାହାରର ପ୍ରଦର୍ଶନ ମଧ୍ୟରେ ବାଟ ଭୁଲିଯାଏ ।

 

ଆପଣାର ଦୁଃଖକୁ ଅତିରଞ୍ଜନର ବହ୍ଵଳଙ୍କାର ମଣ୍ଡାଇ ବଖାଣୁ ବଖାଣୁ ମନୁଷ୍ୟ ଅନ୍ୟମାନଙ୍କର ଦୁଃଖକୁ ଠଉରାଇ ପାରିବାର ସର୍ବନିମ୍ନ ଶାଳୀନତାଟିକୁ ମଧ୍ୟ ପାସୋରି ପକାଏ । ଭାରି ନିର୍ଦ୍ଦୟ ହୁଏ, ଉପେକ୍ଷାଭାବକୁ ଏକ ସାତ୍ତ୍ଵିକ ଆଚରଣ ବୋଲି କହେ । ଉପେକ୍ଷା ନକଟିଲେ ସିଏ ଭଗବାନଙ୍କୁ ଭଲ ପାଇ ପାରିବ କିପରି ? ସମ୍ଭବତଃ ସେଇ କାରଣରୁ ହିଁ ଆପଣାର ଦୁଃଖକୁ ଗଦା ଓ ଶୂଳ କରି ଧରିଥିବା ମଣିଷ ଭଲପାଇବାର ସେହି ଅନ୍ୟ ପରିମଳଟି ମଧ୍ୟକୁ ମୋଟେ ପ୍ରବେଶ କରି ପାରେନାହିଁ । ଏହି ଘରଟି ଭିତରେ ଥାଇ ମଧ୍ୟ ଏଠୁ ବଞ୍ଚିତ ହୋଇ ରହିଥାଏ । ଭିଡ଼ ଭିତରର ହୋ’ ହୋ’ ମଧ୍ୟରେ ଠାକୁରଙ୍କୁ ଦୁଃଖ ଜଣାଇବା ସମୟରେ ମଧ୍ୟ ସିଏ ପ୍ରକୃତରେ ଭାରି ଏକୁଟିଆ ହୋଇ ରହିଥାଏ । କେଡ଼େ ଫୁଲି ରହିଥିବା ପରି ଦେଖା ଯାଉଥାଏ ସତ, ମାତ୍ର ତଥାପି ଏକୁଟିଆ ହୋଇ ରହିଥାଏ ।

 

୨୪ । ୩ । ୮୯

 

ମୁଁ କ୍ଷମତା ଲୋଡ଼ିନାହିଁ । କ୍ଷମତା ପଛରେ ଧାଇଁବା ତ ଆହୁରି ଅଧିକ ଦୂରର କଥା । କ୍ଷମତାକୁ ନଲୋଡ଼ିଲେ ଯେ ଜଣେ ମଣିଷର ଜୀବନ ଶକ୍ତିରେ ଭରପୂର ହୋଇ ରହିପାରେ, ମୁଁ ତାହା ଅଙ୍ଗେ ନିଭାଇ ଆସିଛି ।

 

ଭିତରେ ଅସଲ ଶକ୍ତିଟି ସହିତ ଡୋର ଲାଗିଥିଲେ କ୍ଷମତାକୁ ମନ କରିବା ସକାଶେ ମଣିଷର ଆଦୌ କୌଣସି ଉତ୍ସାହ କଦାପି ହେବନାହିଁ । ସେହି ଶକ୍ତି ମଣିଷର ଭିତରେ ଏକ ଉଜ୍ଜ୍ଵଳତା ଆଣିଦିଏ, ଏକ ବିଶ୍ଵାସ ଆଣିଦିଏ, ଯାହାଦ୍ଵାରା କି ମଣିଷର କ୍ଷମତା ଲାଗି ଆଉ କୌଣସି ମୋହ ହୁଏନାହିଁ । ଭିତରେ ଅତ୍ୟନ୍ତ ଅଶକ୍ତ ହୋଇ ରହିଥିବା ମଣିଷ ହିଁ ବାହାରେ କ୍ଷମତାରେ ବଜର ବଜର ଲଗାଇ ରହିଥାଏ । ନିଜ ଭିତରେ ପ୍ରଧାନତଃ ଏକ ଅସମର୍ଥତା ଅର୍ଥାତ୍ ଏକ ଖଣ୍ଡିଆ ରହିଥାଏ ବୋଲି ସିଏ ବାହାରେ ଏହି ଯାବତୀୟ କ୍ଷେତ୍ରକୁ ବଡ଼ ଦୂଷିତ କରି ରଖିଥାଏ । ନିଜେ ଭାରି ଅବର୍ଜିଆ ହୋଇ ରହିଥାଏ । ଯେଉଁ ଡୋରଟି ଲାଗି ରହିଥିଲେ ଶକ୍ତି ମିଳେ, ହାତରେ ଖିଅଟି ଧରି ହୋଇଯାଏ, ନିଜ ଜୀବନରେ ବହୁ କାରଣରୁ ତାହାକୁ ନିଷିଦ୍ଧ କରି ରଖିଥିଲେ ମଣିଷ କ୍ଷମତା ଭିତରେ ଅତ୍ୟନ୍ତ ଦୟନୀୟ ଏବଂ ହାସ୍ୟାସ୍ପଦ ଭାବରେ ଉଗ୍ର ହୋଇ ରହିଥାଏ । କ୍ଷମତାର ମଣିଷମାନେ ଏବେ ପୃଥିବୀରେ ପ୍ରାୟ ସବୁ ସଦନକୁ ମାଡ଼ି ବସିଛନ୍ତି, ତାହାହିଁ ହେଉଛି ପୃଥିବୀର ସବୁଠାରୁ ବଡ଼ ଦୁର୍ଭାଗ୍ୟ । କ୍ଷମତାକାମୀ ମଣିଷମାନେ ସେମାନେ ଜଗତରେ ଭାରି ନିଃସଙ୍ଗ ହୋଇ ପଡ଼ିଲେ ବୋଲି ମିଛ ମୁଖଗୋଳ ଲଗାଇବାରେ ଲାଗିଛନ୍ତି, ତାହାହିଁ ଏ ପୃଥିବୀରେ ସମ୍ଭବତଃ ସବୁଠାରୁ ବଡ଼ ହାସ୍ୟାସ୍ପଦ ଘଟଣା । ତେଣୁ, ଯାହାର ସତକୁ ସତ ଡୋର ଲାଗିଛି, ବର୍ତ୍ତମାନ ସେହିମାନଙ୍କର ହିଁ ସବୁଠାରୁ ବଡ଼ ଦାୟିତ୍ଵ । ସତାଲାଗି, ଶ୍ରଦ୍ଧାମୟ ଜୀବନଲାଗି ସେମାନଙ୍କର ଯେ ସତକୁ ସତ ସର୍ବପ୍ରଧାନ ଆଗ୍ରହଟି ରହିଛି, ଏବେ ସେମାନଙ୍କୁ ତାହାରି ପରୀକ୍ଷା ଦେବାକୁ ହେବ । ଅତ୍ୟନ୍ତ ପ୍ରତ୍ୟକ୍ଷ ଓ ଅତ୍ୟନ୍ତ ସକ୍ରିୟ ଭାବରେ ଦେବାକୁ ହେବ ।

 

୨୫ । ୩ । ୮୯

 

ସେମାନେ କହୁଛନ୍ତି, ମୁଁ କୁଆଡ଼େ କେତେ କ’ଣ ଛାଡ଼ି ଛାଡ଼ି ଆସିଛି । ସାଧୁ ଭାଷାରେ କହିଲେ କେତେ କ’ଣ ତ୍ୟାଗ କରି ଆସିଛି । ମୁଁ ଯେ କେତେ କ’ଣ ପାଇ ଆସିଛି, ସେମାନେ ସେକଥାଟିକୁ କେତେ କମ୍ ଜାଣିଛନ୍ତି ! ସେକଥା ମୁଁ ନିଜେ ଜାଣିଛି । ଛାଡ଼ି ଛାଡ଼ି ଆସିପାରିଛି ବୋଲି ଯେ ଏତେ ସବୁ ପାଇପାରିଛି, ସେକଥା ମୋଟେ ନୁହେଁ । ପାଇବାର ସେହି ସହଜ ସମ୍ପଦବାନ ହେବାର ବୋଧ ଓ ଅନୁରାଗରେ କେତେ କ’ଣ ଛାଡ଼ି ହୋଇ ଯାଇଛି । ଛାଡ଼ିଛି ବୋଲି ମୁଁ ଜାଣି ବି ପାରିନାହିଁ ।

 

ଭଲ ପାଉ ପାଉ ଘୃଣା ଛାଡ଼ି ହୋଇ ଯାଇଛି । ଯେଉଁମାନେ ଆଗ ଘୃଣାଗୁଡ଼ାକୁ ଛାଡ଼ିପାରିଲେ ତେବେ ଯାଇ ଭଲ ପାଇ ହେବ ବୋଲି ତତ୍ତ୍ଵକଥାମାନ କହନ୍ତି, ସେମାନଙ୍କର ସୂତ୍ର ଭିତରକୁ ପଶିବାଲାଗି ମୋ’ର କେବେହେଲେ ମନ ହୋଇନାହିଁ । ମୋ’ ନିଜ ସୂତ୍ରରେ ବାଟ ଚାଲି ମୁଁ ଖାଲି ପାଇ ପାଇ ଯାଇଛି । ଆଦୌ କିଛିହେଲେ ଛାଡ଼ିନାହିଁ । ମୋ’ର ଛାଡ଼ିବାଗୁଡ଼ାକ ମୋ’ ପାଇବାର ଅତ୍ୟନ୍ତ ସ୍ଵାଭାବିକ ଭାବରେ ଏକ ଅନନ୍ୟ ଅଙ୍ଗ ଓ ପରିଣାମ ହୋଇ ରହିଛନ୍ତି । ମୁଁ ଅନବରତ କେବଳ ପାଇଆସିଛି ବୋଲି ମୋ’ ଜୀବନରେ ମୋ’ର ଯାବତୀୟ ତଥାକଥିତ ଛାଡ଼ିବା ଏତେ ସହଜ ହୋଇପାରିଛି । ଆଗ ଛାଡ଼ିପାରିଲେ ତା’ପରେ ଯାଇ ପାଇବାର ଯୋଗ୍ୟ ହେବା ସମ୍ଭବ ହେବ ବୋଲି ସାଧୁବଚନ କହୁଥିବା ବରିଷ୍ଠମାନଙ୍କୁ ମୁଁ ଭିତରେ କେଡ଼େ ନିଃସ୍ଵ ଓ କେତେ ଅଳ୍ପ ହୋଇ ରହିଥିବାର ଦେଖିଛି । ଭିତରେ ନିଃସ୍ଵ, ତେଣୁ ବାହାରେ ବୈରାଗୀ; ଭିତରେ ଅଳ୍ପ, ତେଣୁ ବାହାରେ ଭାରି ଉଗ୍ର, ଭାରି ରାଢ଼ । ପାଇଲେ ଖାଲି ଅଣ୍ଟି ପୂରେନାହିଁ, ହୃଦୟଟା ମଧ୍ୟ କେଡ଼େ ସହଜରେ ନଇଁଆସେ । ଯୋଉମାନେ ପାଇବାର କାମନାରେ ଛାଡ଼ିବା ବିଷୟରେ ହିଁ ସବୁଠାରୁ ଅଧିକ ଉପଦ୍ରବ କରି ଆସିଛନ୍ତି, ସେମାନେ ସତେଅବା ଅଭିଶାପ ପାଇଥିବା ପରି ବହୁ ଦୂରରେ ଯାଇ ରହିଛନ୍ତି ବହୁ କର୍କଶ ହୋଇ ରହିଛନ୍ତି ।

 

୨୬ । ୩ । ୮୯

 

ଜିଜୀବିଷେତ୍ ଶତାଂ ସମାଃ–ମୋ’ର ମଧ୍ୟ ଶହେ ବର୍ଷ ବଞ୍ଚିବାର ଯୋଜନା ଅଛି, ଶହେ ବର୍ଷ ବଞ୍ଚିବା ଭଳି ଯୋଜନାଟି ରହିଛି । ମୁଁ ସତକୁ ସତ ଶହେ ବର୍ଷ ବଞ୍ଚିବି କି ନାହିଁ କେଜାଣି, କିନ୍ତୁ ମୁଁ ସତେ ଯେପରି ପ୍ରକୃତରେ ଶହେ ବର୍ଷ ବଞ୍ଚିବି, ସେଇ ଆଖିରେ ଓ ସେଇ ଅନ୍ଦାଜରେ ମୁଁ ଏବେ ମଧ୍ୟ ମୋ’ର l ପ୍ରତିଦିନ ପ୍ରତି ସମ୍ବନ୍ଧ ଓ ପ୍ରତି ସଂକଳ୍ପଗୁଡ଼ିକ ଚେଷ୍ଟା କରୁଛି । ସେହି ଚେଷ୍ଟା କରିବାରୁ ହିଁ ଜୀବନରେ ସବୁଠାରୁ ଅଧିକ ଆନନ୍ଦ ପାଉଛି । ଏବଂ, ସେହି କାରଣରୁ ହିଁ ଏହି ଜୀବନ ଶ୍ରଦ୍ଧା ଓ କୃତଜ୍ଞତା ବ୍ୟତୀତ ଆଉ କିଛି ହୋଇଥିବ ବୋଲି ମୋ’ର ମୋଟେ ମନେ ହେଉନାହିଁ ।

 

ଗୋଟିଏ ବିନ୍ଦୁ ମଧ୍ୟରେ ସମସ୍ତ ଆକାଶ ପ୍ରତିଫଳିତ ହୋଇ ଉଠିଲା ପରି ମୋ’ ଜୀବନର ପ୍ରତ୍ୟକଟି କ୍ଷଣରେ ମୋ’ ଜୀବନର ସମସ୍ତ ଆବେଦନଟି ସତେ ଯେପରି ଉଠିବାରେ ଲାଗିଛି । ଏହି ବାଟଗୁଡ଼ିକୁ ମୁଁ ନିଜେ ପାଉଛି, ଏହି ଶବ୍ଦଗୁଡ଼ିକୁ ମୁଁ ଆପେ ତିଆରି କରିଛି ଏବଂ ଏହି ସମ୍ବନ୍ଧଗୁଡ଼ିକୁ ମୁଁ ନିଜେ ଯୋଡ଼ିଛି । ତେଣୁ କ୍ଷଣଗୁଡ଼ାକ ସତକୁ ସତ ଅତିକ୍ରାନ୍ତ ହୋଇଗଲା ବୋଲି କେବେହେଲେ ଅନୁଭବ କରିନାହିଁ । ମୋ’ର କ୍ଷଣଗୁଡ଼ିକ ଆହୁରି ଅନେକ କ୍ଷଣର ଜନନୀ ହୋଇ ମୋ’ ପାତ୍ରଗୁଡ଼ିକୁ ପରିପୂର୍ଣ୍ଣ କରିବାରେ ଲାଗିଛନ୍ତି । ମୋ’ ଜୀବନରେ ଯାହାସବୁ ଆସୁଛି, ସେଗୁଡ଼ିକ ମୁଁ ଯେପରି ଆଗରୁ ମଧ୍ୟ ଜାଣିଛି ! ତେଣୁ ଏକାବେଳକେ କୌଣସି ଅଚିହ୍ନାକୁ ହାବୁଡ଼ିଗଲା ପରି ଆଦୌ ମନେ ହେଉନାହିଁ । ସବୁ ଅଚିହ୍ନା ବାଟରେ ଚିହ୍ନା ବନ୍ଧୁଟିଏ ବାଟ ଚଲାଇ ନେଉଛି, ମୋ’ର ସବୁ ବାଟ ସତେଅବା ମୋତେ ଏକ ଅକ୍ଷୟ ଘରର ନିକଟବର୍ତ୍ତୀ କରିନେଉଛି । ତେଣୁ, ଏ ଜୀବନ କଦାପି ସରିବ ନାହିଁ, ଆଦୌ କୌଣସି ଅନ୍ଧକାର ଭିତରେ ଲୀନ ହୋଇ ଯିବନାହିଁ । ଏତେ ସାଙ୍ଗ ପାଉଥିବା ମଣିଷଟାକୁ କଦାପି ନିଃସଙ୍ଗତା ନାମକ ଏକ ମିଛ ତତ୍ତ୍ଵ ଭଣ୍ଡାଇ ନେବାର ସାହସ କରିବନାହିଁ ।

 

୩୧ । ୩ । ୮୯

 

ମୁଁ ନିଜେ ତିଆରି ହୋଇଗଲେ ସବୁ ସମ୍ଭବ ବୋଲି ମନେ ହେଉଛି । ମୁଁ ନିଜର ସମ୍ମତିଟିକୁ ଜଣାଇ ପାରିଲେ ସବୁକିଛି କେଡ଼େ ସହଜ ହୋଇଯାଉଛି । ମୁଁ ନିଜେ ଯେତିକି ତିଆରି ହୋଇ ପାରୁଛି, ମୋତେ ସେତିକି ସତ୍ୟ ବୋଲି ଲାଗୁଛି । ଆଉ ଆଗକୁ ମୋଟେ ବିଶ୍ଵାସ ପାଉନାହିଁ-। ତେଣୁ, ମୁଇଁ କ’ଣ ମୋ’ ସତ୍ୟର ଦୈର୍ଘ୍ୟ ଏବଂ ପ୍ରସ୍ଥର ନିର୍ଦ୍ଧାରଣ କରୁଛି ? ମୁଇଁ କ’ଣ ମୋ’ ସତ୍ୟର ଦୈର୍ଘ୍ୟ ଏବଂ ପ୍ରସ୍ଥ ହୋଇ ରହିଛି ?

 

ମୋ’ର ପ୍ରସ୍ତୁତ ହେବାରେ, ମୋ’ର ସମ୍ମତି ଜଣାଇବାରେ ହିଁ ମୋ’ ସତ୍ୟର ପ୍ରସାରଣ ଅଥବା ସଙ୍କୁଚନ ହେବା ସଦାନିର୍ଭରଶୀଳ ହୋଇ ରହିଛି । ଏବଂ ଯଦି ମୁଁ ସମ୍ମତ ନ ହୋଇ ପାରିଛି, ତେବେ ସତ୍ୟଗୁଡ଼ିକ ପବିତ୍ର ପୁସ୍ତକରେ ରହିଛି, ମହାପୁରୁଷମାନଙ୍କର ମହତ୍‍ବାଣୀ ହୋଇ ରହିଛି ସିନା, ମାତ୍ର ମୋ’ ଠାରୁ ବହୁଦୂର ହୋଇ ରହିଛି, ହୁଏତ ମୋ’ର ସତେଅବା ଏକ ମିଛ ଆଶ୍ରୟ ହୋଇ ରହିଛି । ଏବଂ, ଯେଉଁ ସତ୍ୟଗୁଡ଼ିକ ମୋ’ର ସମ୍ମତି ପାଇ ପାରୁନାହିଁ, ମଧୁର ଶବ୍ଦମାଳା ଲଗାଇ ମୁଁ ହୁଏତ ତାହାକୁ ହିଁ ଆଦର୍ଶ ବୋଲି କହୁଛି । ଦୂରରେ ଛିଡ଼ା ହୋଇ ମୁଁ ସେଇଟିଠାରୁ କେତେ ମିଛପ୍ରେରଣା ପାଉଛି ଏବଂ ତାକୁ ଫାଙ୍କି ଦେଇ ଯାଉଛି । ସେହି ସତ୍ୟକୁ ମୁଁ କଦାପି ମୋ’ ଜୀବନର ବନ୍ଧୁ କରି ପାରୁନାହିଁ । କାରଣ, ସେହି ସତ୍ୟଠାରୁ ଦୂରରେ ରହିବାଲାଗି ମୋତେ ପ୍ରୋତ୍ସାହନ ଦେଉଥିବା ଭୟ ମୋ’ ଭିତରେ ମୋତେ କେଡ଼େ ମୁଗ୍‌ଧ ଭାବରେ କାମୁଡ଼ି ଧରିଛି, ମୋ’ର ଅନେକ ବିମୋଚନର ଦ୍ଵାରକୁ କିଳି ରଖିଛି । ଏହିପରି ଅର୍ଥରେ ବିଚାର କରି ଦେଖିଲେ, ମୋ’ର ସମ୍ମତିକୁ ହିଁ ମୋ’ ଯାବତୀୟ ବାଟର ଜନନୀ ବୋଲି କୁହାଯାଇ ପାରିବ । ନିଜ ଭିତରେ ଯେତିକିକୁ ମୁଁ ସମ୍ମତ କରାଇ ପାରୁଛି, ଜୀବନରେ କେବଳ ସେତିକିକୁ ହିଁ ମୁଁ ବନ୍ଧୁ ବୋଲି ପାଇପାରୁଛି, ତେଣୁ, ଏହି ସମ୍ମତିର ଆୟତନଟିକୁ ବଢ଼ାଇବାକୁ ପଡ଼ିବ, ଏବଂ, ନିଜକୁ ଗୋଟାସୁଦ୍ଧା ନିଜର ବନ୍ଧୁ କରିନେଇ ପାରିଲେ ସିନା ମୁଁ ତାକୁ ସତକୁ ସତ ସମ୍ମତି ବି କରି ପାରିବି ! ତାକୁ ଶାସନ କରିବାର, ସାବାଡ଼ କରି ରଖିବାର ମତଲବ ରଖିଥିଲେ ମୁଁ କିପରି ତା’ର ସମ୍ମତି ପାଇ ପାରିବି ?

 

୨ । ୪ । ୮୯

 

ଏକ ସମଗ୍ର ଖୁସୀ, ସାନ୍ନିଧ୍ୟରେ ରହିଥିବାର ଏକ ସତତ ଅନୁଭୂତି,— ତାହାହିଁ ଉପଲବ୍‌ଧି । ଏହାହିଁ ଆତ୍ମ ଉପଲବ୍‌ଧି । ତୁମେ ଇଚ୍ଛା କଲେ ତାହାକୁ ଭଗବତ୍‌ ଉପଲବ୍‌ଧି ବୋଲି ମଧ୍ୟ କହିପାରିବ । ଖୁସୀରେ, ସନ୍ନିଧିରେ ବଞ୍ଚିବା ଯେତିକି ସ୍ଵାଭାବିକ ହେଉଥିବ, ସେତିକି ସେତିକି ନିଜ ଭିତରେ କିଏ ସତେଅବା ନିଜର ଆହୁରି ଭିତରକୁ ବାଟ ଛାଡ଼ି ଦେଉଥିବ । ଯେଉଁଠାରେ ପହଞ୍ଚିଲେ ନିଜ ଭିତରେ ସବୁଟିକୁ ପାଇହୁଏ ଓ ଏହି ସବୁଟି ଲାଗି ନିଜକୁ ଦେଇହୁଏ, ସେଇଠାକୁ । ତା’ପରେ ଜୀବନରେ ଆଉ ତତ୍ତ୍ଵ ବୋଲି କିଛି ରହେନାହିଁ । ଯାବତୀୟ ତତ୍ତ୍ଵ ଅନୁଭୂତିରେ ପରିଣତ ହୋଇଯାଏ, ଜୀବନରେ ପରିଣତ ହୋଇଯାଏ । ଭଗବାନ୍ ସାଙ୍ଗରେ ବାଟ ଚାଲୁଥିବା ପରି ଅନୁଭୂତ ହୁଅନ୍ତି ।

 

ନିଜ ଭିତରକୁ ଗଲେ ମଣିଷ ମୋଟେ ଏକୁଟିଆ ହୁଏନାହିଁ । ନିଜର କେତେଟା ଅଛିଣ୍ଡା ଏବଂ ଅରାଜି ଗଉଁ ନେଇ ଯେଉଁମାନେ ମଣିଷପଲ ଭିତରେ ଷଣ୍ଢ ପରି ଯାଇ ପଶିଥାନ୍ତି, ସେହିମାନେ ହିଁ ଏକୁଟିଆ ହୁଅନ୍ତି । ହାତରେ ଗୋଡ଼ରେ କେତେ ନା କେତେ ଘୁଙ୍ଗୁର ବନ୍ଧା ହୋଇଥିଲେ ମଧ୍ୟ ସେମାନେ କେଡ଼େ ଏକୁଟିଆ ହୋଇ ରହିଥାନ୍ତି । ସଂସାରରେ କେତେ କ’ଣ ହୁରି ପକାନ୍ତି, ତଥାପି ନିଜର ଅସଲ ବ୍ୟାକୁଳତାଗୁଡ଼ିକୁ ନିଜେ ମୋଟେ ବୁଝି ପାରନ୍ତିନାହିଁ । ଏକ ବିଶ୍ଵମୟ ସାନ୍ନିଧ୍ୟ ମଧ୍ୟରେ ରହିଥିଲେ ମଧ୍ୟ ତଥାପି ବିଶ୍ଵର ହୋଇ ପାରନ୍ତିନାହିଁ । ସେମାନେ ବାହାରେ ଖୁସୀ ଖୋଜୁଥାନ୍ତି । ବାହାରେ ସ୍ଵୀକୃତି ଖୋଜୁଥାନ୍ତି । ସଂପ୍ରଦାୟମାନ ରଚନା କରି ସବା ଉପରେ ବସିଲେ ଯାଇ ସମସ୍ତଙ୍କୁ ଦିଶିପାରିବେ ବୋଲି ଆଣ୍ଟ ବାନ୍ଧିଥାଆନ୍ତି । ସେମାନଙ୍କର ସକଳ ତପସ୍ୟା ଆପଣାକୁ ସିଦ୍ଧ କରିବାରେ ହିଁ ଖରଚ ହେଉଥାଏ । ତଥାପି ସେମାନେ ଭାରି ଅସିଦ୍ଧ ହୋଇ ରହିଯାଆନ୍ତି । ଦୂରରୁ ଥାଇ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରୁଥାନ୍ତି । କୌଣସି ସମ୍ପର୍କ ଯୋଡ଼ି ପାରନ୍ତି ନାହିଁ । ତତ୍ତ୍ଵ ଅନୁସାରେ ଜୀବନଟିଏ ଛନ୍ଦିବେ ବୋଲି ମନ କରିଥାନ୍ତି । ସେମାନେ ନିଜ ଜାଲରେ ନିଜେ ଛନ୍ଦିହୋଇ ରହିଥାନ୍ତି । ଜୀବନଟିଏ ବଞ୍ଚି ପାରନ୍ତିନାହିଁ ।

 

୫ । ୪ । ୮୯

 

ସଂସ୍କାରରୁ ସଂସ୍କୃତି । ଉପରିଭାଗଟା ଦ୍ଵାରା ଅଭ୍ୟସ୍ତ ହୋଇ ଆସୁ ଆସୁ ବ୍ୟକ୍ତି ଯେତେବେଳେ ସତେଅବା ଆପଣାର ସର୍ବୋତ୍ତମ ବାସନାଟି ଦ୍ଵାରା ପରିଚାଳିତ ହୋଇ ଅଧିକ ଗଭୀରକୁ ଯାଏ, ସେତେବେଳେ ସିଏ ସଂସ୍କୃତିକୁ ସ୍ପର୍ଶ କରେ ଓ ସଂସ୍କୃତିର ଭାଜନ ହୁଏ ।

 

ଅଧିକାଂଶ ସମୟରେ ଅନେକ ମଣିଷ ସେହି ସର୍ବପ୍ରାଥମିକ ଅଭ୍ୟସ୍ତ ସଂସ୍କାରଗୁଡ଼ାକରୁ ଅଧିକକୁ ମନ ବଳାନ୍ତି ନାହିଁ, ନାନା ମୂଳଭୂତ ଅନିଚ୍ଛାର କାରଣରୁ ସେମାନେ ସେହି ସଂସ୍କାରଗୁଡ଼ିକୁ ହିଁ ଏକ ସାମୂହିକ ମଣ୍ଡଳ ଭିତରକୁ ଆଣି ତାହାକୁ କେଡ଼େ ମଞ୍ଜୁଳ କରି ଦେଖାନ୍ତି ଏବଂ ତାହାକୁ ଜାତୀୟ ସଂସ୍କୃତି ବୋଲି କହିବାକୁ ଇଚ୍ଛା କରନ୍ତି । ବହୁବିଧ ଭାବପ୍ରବଣତାକୁ ତା’ ଭିତରେ ଫେଣାଇ କରି ରଖାଯାଇଥାଏ । ଯଦି ମଣିଷ ନିଜ ଭିତରେ ତଥାପି ଅସଲ ବାସନାଗୁଡ଼ିକୁ ଜୀବିତ କରି ରଖିଥାଏ, ତେବେ ସେ ତଥାକଥିତ ସେହି ଜାତୀୟ ସଂସ୍କୃତିର ଆବରଣଗୁଡ଼ିକୁ ଭାଙ୍ଗି ଏକ ଯଥାର୍ଥ ସଂସ୍କୃତିର ମଧ୍ୟକୁ ବି ପ୍ରବେଶ କରିପାରେ । ସେ ଯଥାର୍ଥ ଗୃହପ୍ରବେଶ ତାକୁ ଆପଣାର ଜାତୀୟ ସଂସ୍କୃତିଟିକୁ ମଧ୍ୟ ଅଧିକ ଅନୁରାଗ ସହିତ ଚିହ୍ନିବା ଲାଗି ବହୁ ଅବକାଶ ଆଣି ଯୋଗାଇ ଦେଇଥାଏ-। ଭୂଗୋଳମାନେ ଭାଙ୍ଗିଯାଆନ୍ତି, ଜୀବନରେ ଯଥାର୍ଥରେ ଏକ ଉତ୍ତୋଳନ ଘଟେ । ଏବଂ, ସେହି ଉତ୍ତୋଳନକ୍ରମରେ ଉପରକୁ ଉପରକୁ ଗତି କରି ପାରିଲେ ଆମେ ଭଗବତସଂସ୍କୃତିର ସଦନଟି ମଧ୍ୟରେ ଯାଇ ପହଞ୍ଚିଯାଉ । ଭଗବତ୍ ସଂସ୍କୃତିର ଗାରଟି ବା ପ୍ରସାରଟି ଭିତରକୁ ମନ କଲେ ଭୂଗୋଳ ବୋଲି ମୋଟେ କିଛି ରହେନାହିଁ । ଯେଉଁମାନେ ଭଗବତ୍ ସଂସ୍କୃତି ବିଷୟରେ କହୁ କହୁ ସତେଅବା ପଛମୁହାଁ ହୋଇ ଆମକୁ ଜାତୀୟ ସଂସ୍କୃତିର ଗୁହାଭିତରେ ଆଣି ପୂରାଇ ଦିଅନ୍ତି ଅଥବା ଜାତୀୟ ସଂସ୍କୃତିର ଗାରବାଡ଼ ଦେଇ ଭଗବତ୍ ସଂସ୍କୃତିକୁ ବ୍ୟାଖ୍ୟା କରିବାକୁ ମନ କରୁଥାନ୍ତି, ସେମାନେ ବହୁ ଅପସଂସ୍କୃତିର କାରଣ ହୁଅନ୍ତି । ସେମାନେ ଧର୍ମକୁ ମଧ୍ୟ ବହୁ ସ୍ଥାନୀୟତା ଏବଂ ଦେଶୀୟତା ମଧ୍ୟରେ ବାନ୍ଧି ରଖିଥାନ୍ତି । ଏହି ପୃଥିବୀରେ ସେମାନେ ଏକ ନିତାନ୍ତ ଅଣସଂସ୍କୃତିର ସୁଆଙ୍ଗକୁ ଜୀଆଇ ରଖିଥାନ୍ତି ।

 

୨୧ । ୪ । ୮୯

 

ଅନେକ ମଣିଷ ମୃତ୍ୟୁ କଥା ଚିନ୍ତା କଲେ । ମୃତ୍ୟୁର ଚିନ୍ତା ଦ୍ଵାରା ସେମାନେ କେତେ କାତର ହେଲେ । ତେଣୁ ଜୀବନଠାରୁ ଭାରି ଛାଡ଼ି ଛାଡ଼ି ହୋଇ ରହିଗଲେ । ଏହି ଛାଡ଼ି, ଛାଡ଼ି ହୋଇ ରହିବାକୁ ସେମାନେ ନିଃସଙ୍ଗତା ବୋଲି କହିଲେ । ନିଃସଙ୍ଗତାକୁ ସତେଅବା କୌଣସି ଭିତ୍ତିସତ୍ୟ ପରି ଗ୍ରହଣ କରିନେଇ ସେହି ଅନୁସାରେ ଜୀବନର ବ୍ୟାଖ୍ୟା କଲେ ।

 

ସେମାନେ ଏହିକି କହି ପାରିଲେନାହିଁ ଯେ, ମୋତେ ସେଇ ଏଠି ଜନ୍ମ ଦେଇଛନ୍ତି; ସିଏ ମୋତେ ଯୁଆଡେ ନେବେ, ମୁଁ ସିଆଡ଼େ ଯିବି, ଏହିପରି ସବୁଠାରେ ମଧ୍ୟ ତାଙ୍କରି କାମ କରିବି । ଅନେକ ମଣିଷ ଦୁଃଖ ପାଇଲେ ବୋଲି ଅଭିଯୋଗ କଲେ । ଦୁଃଖରେ କାତର ହେଲେ । ସେମାନେ ଏପରି କହି ପାରିଲେନାହିଁ ଯେ, ଏହି ଜୀବନ ତାଙ୍କରିଠାରେ ସମର୍ପିତ ହୋଇ ରହିଛି, ତେଣୁ ଆମେ ତାଙ୍କରି କାର୍ଯ୍ୟ ହିଁ କରିବା । ତାଙ୍କର କାର୍ଯ୍ୟ କରିବା ହେଉଛି ସୁଖ । ତଥାକଥିତ ସକଳ ଦୁଃଖ ସତ୍ତ୍ୱେ ତାହାହିଁ ପରମ ସୁଖ, ଅସଲ ସୁଖ । ଅସଲ ସୁଖର ଏତେ ସମ୍ଭାବନା ଥାଉ ଥାଉ, ଜୀବନରେ ଏତେ ଏତେ ସଙ୍ଗ ଥାଉ ଥାଉ, ଚାହିଲା ମାତ୍ରକେ ପରମ ସଙ୍ଗଟି ମଧ୍ୟ ପାଖରେ ଆସି ପହଞ୍ଚି ଯିବାର ଭରସାଟି ସର୍ବଦା ମହଜୁଦ ରହିଥିଲେ ମଧ୍ୟ, ଏତେ ଏତେ ମଣିଷ ଯେ ନିଃସଙ୍ଗ ହେଲେ, ପ୍ରଧାନତଃ କ୍ଷତି ଏବଂ କ୍ଷତିଗୁଡ଼ାକ ବିଷୟରେ ହିଁ ସଚେତନ ହୋଇ ରହିଗଲେ, ସେଥିପାଇଁ ଆମେ ଆଉ କାହାକୁ ଦୋଷ ଦେଇପାରିବା ? ମାତ୍ର, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଏହି କାଟର ମଣିଷମାନେ ହିଁ ସଂସାରର ଦୁଃଖ ବଢ଼ାଇଲେ । ହୁଏତ ଏହିମାନେ ହିଁ କ୍ରୂର ହେଲେ । ଉପେକ୍ଷାଗୁଡ଼ାକୁ ଆପଣା ଅନ୍ତରବେଭାରର ସର୍ବଶ୍ରେଷ୍ଠ ଅଳଙ୍କାର ରୂପେ ପରିଧାନ କଲେ । ସୁଖ ଏଇଠି ଥାଇ ତଥାପି ବହୁଦୂରପ୍ରାୟ ହୋଇ ରହିଲା । ବନ୍ଧୁମାନେ ଥାଉ ଥାଉ ମଣିଷ ଏକୁଟିଆ ଏଠି ତୁଚ୍ଛା ଜଙ୍ଗଲଗୁଡ଼ାକ ଭିତରେ ବୁଲି ମଲା । ନିଜର ସମସ୍ତ ଅହଂକୁ ଓ କାରିଗରିକୁ ଦେଇ ସେ ଏଠି ପ୍ରଧାନତଃ ଜଙ୍ଗଲଗୁଡ଼ାକୁ ହିଁ ଫଳାଇ ଫୁଲାଇ ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କଲା ।

 

୧ । ୫ । ୮୯

 

ଶିକ୍ଷା ହେଉଛି ମୂଳତଃ ଦାୟିତ୍ଵର ଶିକ୍ଷା । ଅଧିକ ଶିକ୍ଷା, ଅଧିକ ଦାୟିତ୍ଵ । ଅଧିକ ଶିକ୍ଷିତ ଜଣେ ମଣିଷ, ଅର୍ଥାତ୍ ଆପଣାର ଦାୟିତ୍ଵ ବିଷୟରେ ଅଧିକ ସଚେତନ । ତେଣୁ, ଅଧିକ ନମ୍ର । ସମ୍ଭବତଃ ଏହିପରି କୌଣସି କାରଣରୁ ଶିକ୍ଷା ଭିତରେ ହିଁ ଜୀବନର ଧର୍ମ ଓ ଅସଲ ଐଶ୍ଵର୍ଯ୍ୟକୁ ଠାବ କରି ପାରିଥିବା ବ୍ୟକ୍ତିମାନେ ଶିକ୍ଷାକୁ ବିନୟ ବୋଲି କହିଥିଲେ । ସେହି ବିନୟ ଜୀବନ ଭିତରୁ କୁଆଡ଼େ ମରିଉଡ଼ି ଗଲାଣି । ଜ୍ଞାନକୁ ବା ଶିକ୍ଷାକୁ ଉତ୍ସାହୀ ଅନ୍ୟମାନେ Power ବୋଲି କହିବାକୁ ମନ କରିବା ଦିନଠାରୁ ବିନୟ କେତେ ପଛକୁ ରହିଗଲାଣି । ଶିକ୍ଷିତ ମଣିଷମାନେ ବି ପ୍ରଧାନତଃ ଆପଣାର ଶକ୍ତିର ପ୍ରଦର୍ଶନ କରିବାକୁ ମଧ୍ୟ ଆପଣା ଶିକ୍ଷିତପଣିଆର ସର୍ବପ୍ରଧାନ ସନ୍ତକ ବୋଲି ଗ୍ରହଣ କରିନେଲେଣି । ଜ୍ଞାନର ଶକ୍ତି, ବିଜ୍ଞାନର ଶକ୍ତି, ଧର୍ମପଣିଆର ଶକ୍ତି, ରାଷ୍ଟ୍ରପଣିଆର ଶକ୍ତି,–ଆହୁରି ତଳକୁ ଗଲେ ଅସ୍ତ୍ରଶକ୍ତି, ଅର୍ଥଶକ୍ତି,–ଏହି ସବୁଯାକ ମିଶି ପୃଥିବୀକୁ ବହୁ ଅପଶକ୍ତି ଓ ତଜ୍ଜନିତ ଅଣଆୟତ୍ତତାର ଜଞ୍ଜାଳ ଭିତରେ ପକାଇ ଘାଣ୍ଟିବାକୁ ଆରମ୍ଭ କଲେଣି । ବିନୟ ଏକ ବହିରୁ ଘୋଷି ମନେ ରଖାଯାଇଥିବା ଶବ୍ଦରେ ପରିଣତ ହୋଇ ରହିଲାଣି ।

 

ଏବେ ଯେତେ ବଡ଼ ଶିକ୍ଷିତ, ସେତେ ବେଶୀ ଢମ । ସେତେ ବେଶୀ ଦାୟିତ୍ଵହୀନତା । ଏକ ଅସୁସ୍ଥ ସମାଜରେ ହିଁ ଶିକ୍ଷାପ୍ରାପ୍ତ ବ୍ୟକ୍ତିମାନେ ଆପଣାକୁ ସବାଉପରେ ଥିବାର ଅନୁଭବ କରନ୍ତି ଓ ବହୁ ଅବଜ୍ଞାର ଗନ୍ତାଘର ହୋଇ ରହିଥାନ୍ତି । ଅସଲ ଶିକ୍ଷିତ ଆପଣାକୁ ସବାତଳେ ଦେଖେ, ସମସ୍ତଙ୍କର ସେବାକାରୀ ହିସାବରେ ଦେଖେ । ଏକଦା ସନ୍ଥମାନେ ପ୍ରାୟ ଏହିପରି ଏକ ଅର୍ଥରେ ହିଁ ଶୂଦ୍ର ଶବ୍ଦଟିର ବ୍ୟବହାର କରୁଥିଲେ । ତେଣୁ, ଅଧିକ ଦାୟିତ୍ଵଶୀଳତା, ଅଧିକ ସେବାର ଅଧିକାର । ଯୋଉମାନେ ପାଠକୁ ବିକି ମହକୁମା ମାନଙ୍କରେ ବାବୁ ହୁଅନ୍ତି ଓ ବାବୁ ହୋଇ ବସିଲେ ଯାଇ ଆପଣାକୁ କ୍ଷମତାସମ୍ପନ୍ନ ବୋଲି ଅନୁଭବ କରନ୍ତି, ସେମାନେ ଶୂଦ୍ର ହୋଇ ସଂସାରରେ ବିଚରଣ କରିବାର ଏବଂ ସଂସାରକୁ ସମ୍ଭାଳି ରଖିବାର ମର୍ମଟିକୁ କୁଆଡ଼ୁ ବୁଝିବେ ? ଯାବତୀୟ ନୂତନ ଶିକ୍ଷା ବିନୟର ଶିକ୍ଷା ହେଉ, ଦାୟିତ୍ଵଶୀଳତାର ଶିକ୍ଷା ହେଉ, ଆପଣା ସବୁଯାକ ଫଳକୁ ସବୁରିଲାଗି ସମର୍ପି ରଖିବାର ବୃକ୍ଷଟି ପରି ହେବାରେ ହିଁ ତାହା ଆପଣାର ଅସଲ ମହିମାଗୁଡ଼ିକୁ ଅନୁଭବ କରୁ,–ସେହି ଅନୁଭୂତିରେ ଧନ୍ୟ ଓ ପୂର୍ଣ୍ଣ ହୋଇ ରହୁ ।

 

୧୬ । ୫ । ୮୯

 

ଜୀବନକୁ ଖୋଜୁ ଖୋଜୁ, ଜଗତ ଭିତରେ ନିଜକୁ ଓ ନିଜ ଭିତରେ ଜଗତକୁ ଠାବ କରୁ କରୁ ଅର୍ଥାତ୍ ଭଗବାନଙ୍କର ସନ୍ଧାନ କରିବାକୁ ବାହାରି ଯେଉଁମାନେ ଅଧା ବାଟରେ ଗୋଟାଏ ସମ୍ପ୍ରଦାୟ ଭିତରେ ଆସି ପଶି ଯାଇଥାଆନ୍ତି, ଶ୍ରୀ ଅରବିନ୍ଦ ବ୍ୟବହାର କରିଥିବା ପରିଭାଷାରେ ମୁଁ ସେମାନଙ୍କୁ typal men ବୋଲି କହିବି । ସମାଜର ବିଭିନ୍ନ ପ୍ରକାରର ବିଶ୍ଳେଷଣ କରିବାକୁ ଯାଇ ସେ typal society କଥାଟିକୁ ବ୍ୟବହାର କରିଛନ୍ତି । ଯୋଉ ସମାଜ ସୂତ୍ରଗୁଡ଼ାକୁ ବେଦ ପରି ମାନେ, ତାହା ହେଉଛି typal ସମାଜ । ସେହିପରି, ଯୋଉ ବ୍ୟକ୍ତି ଆପଣକୁ କୌଣସି ଏକ ସମ୍ପ୍ରଦାୟ ଓ ତା’ର ସୂତ୍ରଗୁଡ଼ିକୁ ପରମ ଗତି ବୋଲି ମାନି ନେଇଥାଏ ଓ ତାହାରି ଭିତରେ ଯାଇ ପଶିଥାଏ, ସେହି ବ୍ୟକ୍ତିକୁ ସମ୍ଭବତଃ କୌଣସି ଭୁଲ୍ ନ କରି typal ବ୍ୟକ୍ତି ବୋଲି କହିହେବ ।

 

ପଇଁଚାଳିଶି ବର୍ଷରୁ ଅଧିକ ବର୍ଷ ତଳେ ମୁଁ ଗୋଟିଏ ଘଟଣାର କୃପାରୁ ଏହି typal ହେବାର ପ୍ରମାଦରୁ ମୁକ୍ତ ହୋଇ ଯାଇଥିଲି । ଘଟଣାଟି ଅତ୍ୟନ୍ତ ସାନ,–ମାତ୍ର ସାରା ଜୀବନଟା ଲାଗି ତାହା ଯେପରି ମୋତେ ଗୁହାମୁକ୍ତିର ସନ୍ତକ ଆଣି ଧରାଇଦେଲା । ମୁଁ ଆଉ କୌଣସି ଛାଞ୍ଚରେ ଅଟକି ଯିବାକୁ ଆଦୌ ମନ କରିନାହିଁ । ସତ୍ୟକୁ ଛାଞ୍ଚ ଭିତରେ କାବୁ କରି ରଖିବା ଓ ତାହାରି ଅଭିଶାପରେ ସ୍ଵୟଂ କାବୁ ରହିବାର ମହତୀ ବିନଷ୍ଟିରୁ ରକ୍ଷା ପାଇଗଲି । ସଂସାର ସତେ କେଡ଼େ ଭଲ ଲାଗିଲା, ନିଜ ଭିତରେ ସତେଅବା ସାଙ୍ଗଟିଏ ରହିଥିବା ପରି ମନେ ହେଲା । ସେଇ ସାଙ୍ଗ ମୋତେ ସଂସାର ଦେଖିବାର ଆଖିଟିକୁ ଯୋଗାଇଦେଲା । କୌଣସି ଛାଞ୍ଚ ମୋତେ ଗର୍ହିତ ଲାଗିଲାନାହିଁ । ମୁଁ ଅବାଧରେ ସବୁଠି ବସି ପାରିଲି । ସକଳ ଛାଞ୍ଚ ସତ୍ତ୍ୱେ ମଣିଷଟାକୁ ଅଧିକ କରି ଦେଖି ଶିଖିଲି । ମୁକ୍ତି ପାଇଗଲି, ସେହି କାରଣରୁ ହିଁ ମାସର ଷୋଳ ତାରିଖ ଗୁଡ଼ିକ, ବିଶେଷ କରି ମେ’ ମାସର ଷୋଳ ତାରିଖଟି ମୋ’ ଲାଗି ଏତେ ମହତ୍ତ୍ଵପୂର୍ଣ୍ଣ ହୋଇ ରହିଲା ।

 

୧୮ । ୫ । ୮୯

 

ସରକାରମାନେ ହିଁ ଯେକୌଣସି ଦେଶରେ ସାଧାରଣ ମଣିଷମାନଙ୍କର ଜାତୀୟତାବୋଧରୁ ଫାଇଦା ଉଠାଇଛନ୍ତି, ସରକାରମାନେ ହିଁ ଜାତୀୟତାବୋଧକୁ ଜାତୀୟତାବାଦର ଉତ୍ତେଜିତ ସ୍ତରକୁ ଖସାଇ ଆଣିଛନ୍ତି । କାରଣ, ସରକାରମାନେ ଅଧିକାଂଶ ସ୍ଥଳରେ ଜାତି ବା ଦେଶ ବୋଲି କୁହାଯାଉଥିବା ସବୁ ମଣିଷଙ୍କର ପ୍ରତିନିଧିତ୍ଵ କରିନାହାନ୍ତି; ସେମାନେ କୌଣସି ନା କୌଣସି ନ୍ୟସ୍ତ ସ୍ଵାର୍ଥର ପ୍ରତିନିଧିତ୍ଵ କରିଛନ୍ତି ଏବଂ ସେହି ନ୍ୟସ୍ତସ୍ଵାର୍ଥ ଗୁଡ଼ିକୁ ସ୍ଫୀତ ଏବଂ ଆହୁରି ଅଧିକ ସ୍ଫୀତ କରିବା ଲାଗି ସାଧାରଣ ମଣିଷଙ୍କର ସ୍ଵଜାତି ପ୍ରୀତିର ଯାବତୀୟ ଫାଇଦା ଉଠାଇଛନ୍ତି ।

 

ସରକାରମାନେ ସାଧାରଣତଃ ମଣିଷମାନଙ୍କୁ ନାନାବିଧ କୌଶଳ ଦ୍ଵାରା ଭଣ୍ଡାଇ ଆପଣାର ସ୍ଵାର୍ଥସିଦ୍ଧି ଲାଗି କାମରେ ଲଗାଇଛନ୍ତି । ମଣିଷମାନେ ଆମ ଦେଶ, ଆମ ଜାତି ବୋଲି କହୁ କହୁ ଏକ ଅଶୋଭନୀୟ ସମୀକରଣ ଦ୍ଵାରା ଆମ ସରକାର ବୋଲି କହିବାକୁ ଯେ, ଆରମ୍ଭ କରିଛନ୍ତି, ସେକଥା ସେମାନେ ନିଜେ ମଧ୍ୟ ଜାଣି ପାରିନାହାନ୍ତି । ଅଧିକାଂଶ ଦେଶର ପ୍ରଚାର ବିଭାଗ, ଶିକ୍ଷାବ୍ୟବସ୍ଥା, କଲ୍ୟାଣମୂଳକ ବହୁ କାର୍ଯ୍ୟକ୍ରମକୁ ଏପରି ଭାବରେ ବ୍ୟବହାର କରାଯାଇଛି, ଯାହାଦ୍ୱାରା କି ଜାତୀୟତାବାଦଟା ହିଁ ଅଧିକ ମୁହଁ ପାଇଛି, ମଣିଷର ସର୍ବମୂଳ ପରିଚୟଟି ଉପରେ ଚଢ଼ାଉ କରି ତାକୁ ଗିଳି ପକାଇଛି । ଜାତୀୟତାବାଦ ଏବଂ ଜାତିତ୍ଵବୋଧର ପରିଧିଟି ଯେ କ୍ରମଶଃ ମନୁଷ୍ୟର ମାନବତ୍ଵ ବୋଧର ବୃହତ୍ତର ପରିଧି ଆଡ଼କୁ ଉତ୍ତୋଳିତ କରିନେବ ଏବଂ ନହେଲେ ସେଥିରେ ଯେ ବହୁ ଦୂଷିତତା ଏବଂ କ୍ରୂରତା ଆସି ପଶିଯିବ, ଆମ ପୃଥିବୀର ପ୍ରାୟ କୌଣସି ସରକାର ଲୋକମାନଙ୍କୁ ସେକଥା କହିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ରାଜନୀତି ଯେ ଜୀବନନୀତିର ବୃହତ୍ତର ବୃତ୍ତଟି ମଧ୍ୟକୁ ସଂପ୍ରସାରିତ ହୋଇଯିବ, କ୍ଷମତାସୀନ ବଳୁଆ ମାନଙ୍କର ଚକ୍ରାନ୍ତରେ ସେହି ସମ୍ଭାବନାଟି ପ୍ରାୟ ଏକ ଅବାସ୍ତବ କଥାରେ ପରିଣତ ହୋଇ ରହିଛି । ଏଇଟା କ’ଣ ଆମର ସଭ୍ୟତା ଆଗକୁ ଯାଉଥିବାର ଲକ୍ଷଣ ?

 

୫ । ୬ । ୮୯

 

ଲେଖୁ ଲେଖୁ ହିଁ ମୁଁ ମୋ’ ଲେଖିବାର ପୁରସ୍କାର ପାଇ ଯାଉଥିଲି । ତେଣୁ, ପୁରସ୍କାର ପାଇବାରେ ଆଉ କ’ଣ ବାକୀ ଥିଲା ଯେ, ଆଜି ଏହି ପୁରସ୍କାର ପାଇବାକୁ ମୁଁ ଜୀବନର ଗୋଟାଏ ବିଶେଷ ଘଟଣା ବୋଲି ଗ୍ରହଣ କରିବି ?

 

ମୋ’ର ଯାବତୀୟ ଲେଖା ମୋ’ ଲାଗି କ’ଣ ସବୁ ଆଣି ଦେଉଥିଲା, ତାହା ମୋ’ ଡାଏରୀ କହିପାରିବ । ରୋହିତ ପୁରସ୍କାର ପାଇଁ ଚାଲେନାହିଁ, ଚାଲିବାକୁ ହିଁ ସେ ଜୀବନର ସର୍ବଶ୍ରେଷ୍ଠ ପୁରସ୍କାର ବୋଲି ଗ୍ରହଣ କରୁଥାଏ ଏବଂ ସେଇ ଖୁସୀରେ ବାଟ ଚାଲୁଥାଏ । ଯେତିକି ଚାଲୁଥାଏ, ସେତିକି ଅଧିକ ନିକଟବର୍ତ୍ତୀ ହେଉଥାଏ । ନିଜ ଗଭୀର ତଳରେ ସେ ଯାହାର ନିକଟବର୍ତ୍ତୀ ହେଉଥାଏ । ବାହାରେ ସକଳ ସମ୍ବନ୍ଧର ଆକାଶକୁ ଭରାଇ ଦେଇ ସେ ତାହାର ନିକଟବର୍ତ୍ତୀ ହେଉଥାଏ । ବର୍ତ୍ତମାନକୁ ଅଧିକ ସଂପୂର୍ଣ୍ଣ କରି ଦେଖି ସେ ଭବିଷ୍ୟର ନିକଟବର୍ତ୍ତୀ ହେଉଥାଏ । ଆପଣାର ଯାବତୀୟ ଅର୍ଜନର ମାଧ୍ୟମରେ ସିଏ ସମର୍ପଣର ନିକଟବର୍ତ୍ତୀ ହେଉଥାଏ । ତେଣୁ, ରୋହିତ କଦାପି ଏହି ପୁରସ୍କାର ପାଖରେ ଅଟକି ଯିବନାହିଁ । ପୁରସ୍କାର ନପାଇଥିବା ସମୟରେ ସିଏ ଯେଉଁପରି ବାଟ ଚାଲୁଥିଲା, ଯେଉଁପରି ଡୋର ଲଗାଇ ବାହାରିଥିଲା, ଏହି ପୁରସ୍କାରଟିକୁ ପାଇବା ପରେ ମଧ୍ୟ ସିଏ ସେହିପରି ବାଟ ଚାଲିବ, ସେହିପରି ଡୋର ଲଗାଇବାରେ ଲାଗିଥିବ । ପୁରସ୍କାର ତାକୁ କଦାପି ଏକ ବୋଝ ପରି ଲାଗିବନାହିଁ । ପୁରସ୍କାର ତାକୁ କଦାପି କୁଜା କରି ପକାଇବ ନାହିଁ । ତେନ ତ୍ୟକ୍ତେନ ଭୁଞ୍ଜୀଥା । ଭିତରେ ମୋ’ ଲେଖକ ଜୀବନର ଅସଲ ‘ମୁଁ’ ଟି ଯେଉଁଠାରେ ଏକାବେଳେକେ ଲାଗିକରି ବସିଛି, ସେଠାରେ ବୈରାଗ୍ୟନାହିଁ, ଅହେତୁକ ଅତ୍ୟୁଲ୍ଲାସ ମଧ୍ୟ ନାହିଁ । ଏକ ପ୍ରସନ୍ନତା ଅବଶ୍ୟ ରହିଛି । ସେହି ପ୍ରସନ୍ନତା ସହିତ ହିଁ ମୁଁ ଏହି ପୁରସ୍କାରକୁ ଗ୍ରହଣ କରିବି । ଉତ୍ସାହିତ ହେବି, ଆଗକୁ ବାହାରିଯିବି ।

 

୨୩ । ୮ । ୮୯

 

ପୁଅ ସାନ ଥିଲାବେଳେ ପଥର ସଂଗ୍ରହ କରୁଥିଲା । ତାକୁ ନେଇ ଆମେ ଭାରତବର୍ଷର ଯେତେ ଯେତେ ସ୍ଥାନକୁ ବୁଲି ଯାଉଥିଲୁ, ସିଏ ତା’ର ପସନ୍ଦ ଅନୁସାରେ ସାନ ସାନ ପଥର ଗୋଟାଇ ଆଣୁଥିଲା ଓ କେତେ ଯତ୍ନର ସହିତ ଘରେ ସାଇତି ରଖୁଥିଲା । ସେହି ଅନୁସାରେ ଆମେ ଘରେ ଉତ୍ତରରୁ ହିମାଳୟର ପଥର ରହିଛି, କନ୍ୟାକୁମାରୀର ସମୁଦ୍ରବେଳାରୁ ସଂଗୃହୀତ ପଥର ମଧ୍ୟ ରହିଛି । ମୁଁ ସେଗୁଡ଼ିକୁ ଏଠାରେ ଆମ ବଗିଚାରେ ଗଦାଟିଏ କରି ରଖିଥିଲି । ଏହି ମାସରେ ସେଥିରେ ଫିନଲାଣ୍ଡର ଆଉ ଛଅଖଣ୍ଡ ଆସି ମିଶିଲା । ଏଗୁଡ଼ିକୁ ମୁଁ ସଂଗ୍ରହ କରି ଆଣିଛି-। ପୁଅଠାରୁ ବାପ ଶିଖିବନାହିଁ ତ ଆଉ କାହାଠାରୁ ଶିଖିବ ? ବାପ ପୁଅଠାରୁ ଶିଖିବାଲାଗି ମନ ରଖିଥିଲେ ସିନା ପୁଅ ବଡ଼ ହୋଇ ଯାଉଥିଲେ ମଧ୍ୟ ଶିଖିବାର ମନୋଭାବଟିକୁ ବଞ୍ଚାଇ ରଖିଥିବ-!

 

ଏଥରର ପଥର ଏକାବେଳେକେ ଉତ୍ତର ଫିନ୍‌ଲାଣ୍ଡରୁ, ତୁନ୍ଦ୍ରା ଅଞ୍ଚଳରୁ । ପ୍ରାୟ ରୁଷିଆ ସୀମାନ୍ତରେ ଅବସ୍ଥିତ ଗୋଟିଏ ପାହାଡ଼ୀ ନଦୀର ଶଯ୍ୟାରୁ । ହଁ, ଗୋଟିଏ ରୁକାତୁନ୍ତୁରିର ଶିଖରରୁ । କେଡ଼େ ଯତ୍ନରେ ମୁଁ ଏଗୁଡ଼ିକୁ ପିଠିରେ ବୋହିକରି ଘରକୁ ନେଇଆସିଛି । ସଂଗ୍ରହ କରିବା ପଛରେ ଏକ ମମତା ଅବଶ୍ୟ ଥାଏ, ମାତ୍ର ସେହି ମମତାର ଏକ ଚକ୍ଷୁପ୍ରସାରଣକାରିଣୀ ଶକ୍ତି ମଧ୍ୟ ରହିଥାଏ-। ଏହି ପୃଥିବୀରେ ଯେ ମୋଟେ କୌଣସି ପାଚେରୀ ନାହିଁ, ମୋ’ ବଗିଚାର ପାଚେରୀଟି ପାଖରେ ବସି ସେହି ପଥରଗୁଡ଼ିକ ଉପରେ ଦୃଷ୍ଟିପାତ କରୁ କରୁ ମୁଁ ସେହି ସତ୍ୟଟିକୁ ଅନୁଭବ କରିଥାଏ-। ପ୍ରକୃତରେ ପାଚେରୀଗୁଡ଼ାକ କୋଉଠି ନଥାଏ । ପଚିଶବର୍ଷ ପରେ ଫିନ୍‌ଲାଣ୍ଡ ଯାଇ ସେଠା ଚିହ୍ନା ମଣିଷଙ୍କ ଭିତରେ ମୁଁ ମୋ’ର ସେହି ପୁରୁଣା ଘରଟିକୁ ଦେଖି ଆସିଲି । ଏକ ପାଚେରୀ ବସାଇବାକୁ ନିଜେ ମନ କଲେ ହିଁ ପାଚେରୀଗୁଡ଼ାକ ବସିବାକୁ ଆରମ୍ଭ କରେ । ତାକୁ ନେଇ ବହୁ ମଣିଷ ଗମ୍ଭୀର ତତ୍ତ୍ଵମାନ ବାହାର କରନ୍ତି, ଜାତୀୟବାଦର ସୁଦୃଶ୍ୟ ଜାଲମାନ ବୁଣନ୍ତି ଓ ସେହି ଜାଲରେ ଗୁରାଇ ତୁରାଇ ହୋଇ ବସି ଖଳ ମଧ୍ୟ ହୁଅନ୍ତି ।

 

୨୫ । ୮ । ୮୯

 

ମୋତେ ସିଏ ତା’ ଆଖିରେ ପୃଥିବୀର ଏତେ ଏତେ କଥା କାହିଁକି ଦେଖାଉଛି କେଜାଣି-? ଏତେ ସ୍ଥାନ ଓ ଏତେ ମଣିଷଙ୍କ ସହିତ କାହିଁକି ପରିଚିତ କରାଉଛି କେଜାଣି ? ଯେତିକି ଦେଖୁଛି, ମୋ’ ଖୁସୀ ସେତିକି ବଢ଼ୁଛି; ଏବଂ, ଖୁସୀ ବଢ଼ୁଥିବା ସଙ୍ଗେ ସଙ୍ଗେ ଏହି ଆଖି ଦୁଇଟା ମଧ୍ୟ ବଦଳି ଯାଉଛନ୍ତି । ନିଜ ଭିତରୁ କେତେ ନୂଆ ନୂଆ ଆଖି ମୋ’ ବାହାରର ଏଇ ଦୁଇଟା ଆଖି ସହିତ ମିତ ବସି ବାହାରି ଆସୁଛନ୍ତି । ଭିତର ଓ ବାହାର ଭିତରେ କେଡ଼େ ସୁନିଶ୍ଚିତ ଏବଂ ନିର୍ଭରଯୋଗ୍ୟ ଭାବରେ ଡୋରଟିଏ ଲାଗି ରହିଛି । ମଣିଷ ମଣିଷ ଭିତରେ ଲାଗି ରହିଛି, ସ୍ଥାନ ସ୍ଥାନ ଭିତରେ ଡୋର ଲାଗି ରହିଛି, ଭାଗ୍ୟ ଭାଗ୍ୟ ଭିତରେ ମଧ୍ୟ ଡୋର ଲାଗିରହିଛି-

 

ତା’ର ସ୍ପର୍ଶ ପାଇଥିବା ଅନେକ ମଣିଷ କ୍ରମେ ଆପଣାକୁ କିଳି ପକାଇଛନ୍ତି, ଏହି ସବୁଟି ଭିତରୁ ନିଜକୁ ଦୂରଛଡ଼ା କରି ନେଇଛନ୍ତି । ସେମାନେ ସତେଅବା ତାଙ୍କୁ ଗୋଟାସୁଦ୍ଧା ନିଜେ ଭୋଗ କରିବେ ବୋଲି ଗୁମ୍ଫା ଭିତରକୁ ଚାଲି ଯାଇଛନ୍ତି । ତାଙ୍କ ଆଡ଼କୁ ମୁଖ କରି ଜାଣିବା ସହିତ ସଂସାରପ୍ରତି ବିମୁଖ ହେବାର ଯେ ଆଦୌ କୌଣସି କାରଣ ନାହିଁ, ମୁଁ ସେହି ସତ୍ୟଟିକୁ ତାଙ୍କରି ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ହିଁ ହୃଦୟସ୍ଥ କରି ରଖିଛି । ଏହି ସଂସାରରେ ତାଙ୍କର ଆହୁରି କେତେ କେତେ କାମ ବାକୀ ରହିଛି । ତେଣୁ, ଛୁଟୀ ନେବାର ପ୍ରଶ୍ନ ନାହିଁ; ତେଣୁ, ବନ୍ଧୁ ବାନ୍ଧି ଧନୀ ହେବାର ମଧ୍ୟ ଅନ୍ତ ନାହିଁ । ଫିନଲାଣ୍ଡ୍ ଦେଶ ଭାରତବର୍ଷ ଠାରୁ କେତେ ଦୂର, ଏହି ଭାରତବର୍ଷଟା ମଧ୍ୟ ଭାରତବର୍ଷରେ ବାସ କରୁଥିବା ବହୁ ମଣିଷଙ୍କ ପାଇଁ କେତେ ଦୂର । ତଥାପି, ଏ ଆଖି ସେଠାକୁ ଯାଇ ମୋଟେ ଘର ବାରିଲାନାହିଁ, ମୋଟେ କୌଣସି ସଙ୍କୋଚବଶତଃ କୌଣସି କାର୍ପଣ୍ୟ ଦେଖାଇଲା ନାହିଁ । ଆଖିଟା ଭିତରେ ତାଙ୍କରି ଆଖିର ପୁଲକ ଓ ଆଶୀର୍ବାଦ ରହିଥିଲେ ସମ୍ଭବତଃ ଠିକ୍ ଏହିପରି ହୁଏ । କାଳର ଆବଶ୍ୟକତାମାନେ ବସାଇଥିବା ବାଡ଼ଗୁଡ଼ାକ ହଟି ପଳାଇ ଯାଆନ୍ତି । ବନ୍ଧୁ ବାନ୍ଧି ପାରିଲେ କାଳ ହଟି ପଳାଏ । ନିଜ ଭିତରେ ଏବଂ ଏହି ବୃହତ୍ ପୃଥିବୀରେ ଏକାବେଳେକେ ଏହିପରି ବନ୍ଧୁ ବାନ୍ଧିପାରିଲେ ଯାଇ ତାହା ସମ୍ଭବ ହୁଏ ।

 

୩ । ୯ । ୮୯

 

ସିଏ ଏହି ପୃଥିବୀଠାରୁ ଅନେକ ବଡ଼, ସିଏ ପୃଥିବୀର ଆହୁରି ସେ ପାଖକୁ ମଧ୍ୟ ବିସ୍ତୃତ ହୋଇ ରହିଛନ୍ତି । ଏହି କଥାଟିର ଲାଙ୍ଗୁଡ଼ଗୁଡ଼ିକ ଧରିବାକୁ ଯାଇ ଅନେକ ସମୟରେ ଅନେକ ମଣିଷ କେଡ଼େ ସହଜରେ ଅଥଚ କେଡ଼େ ବାଗରେ ଏହି ପୃଥିବୀ ଭିତରୁ ବାହାରି ବାହାରକୁ ଚାଲିନଯାନ୍ତି ! ଆମ ଇନ୍ଦ୍ରିୟ ଗୁଡ଼ିକ ଯେତିକି ଯାଏ ଦଉଡ଼ି ପକାଇ ପାରୁଛନ୍ତି, ସିଏ ତାହାର ଆହୁରି ସେପାଖକୁ ମଧ୍ୟ ରହିଛନ୍ତି—ତତ୍ତ୍ଵର ଜଙ୍ଗଲ ଭିତରେ ଏତିକି କଥାକୁ ସାଉଁଟୁ ସାଉଁଟୁ ସେମାନେ କେଡ଼େ କେଡ଼େ ବାଗରେ ଏହି ଇନ୍ଦ୍ରିୟଗ୍ରାମକୁ କାଟି ସେପାଖକୁ ପଳାଇନଯାନ୍ତି ! ସମ୍ଭବତଃ, କୌଣସି କାରଣରୁ ପୃଥିବୀଟା ସେମାନଙ୍କୁ ଏପରି ଅଣନିଃଶ୍ଵାସୀ କରି ବାନ୍ଧି ପକାଇଥାନ୍ତି ଯେ, ହୃଦୟ ଭିତରକୁ ହୁଏତ ମୋତେ କୌଣସି ବାଟ ଦେଖା ଯାଉନଥାଏ । ସେମାନେ ଏଗୁଡ଼ାକରୁ ମୁକ୍ତି ପାଇ ଏକାବେଳେକେ ସନ୍ନ୍ୟାସୀ ହୋଇ ପଡ଼ନ୍ତି । ଏହି ସତ୍ୟକୁ କାଟି ଚାଲିଯାଇ ପାରିଲେ ଯାଇ ସେହି ସତ୍ୟ ମିଳିବ ବୋଲି ସତେ ଯେପରି ସତକୁ ସତ ଜାଣିଥିବା ପରି କହିବାରେ ଲାଗିଥାନ୍ତି ।

 

ଏହି ପୃଥିବୀ ମୋତେ ଅଳପ ନୁହେଁ । ଏହି ଇନ୍ଦ୍ରିୟମାନେ ମୋତେ ଅଳପ ନୁହନ୍ତି । ପୃଥିବୀ ହେଉଛି ସେହି ଭୂମି, ଯାହାକି ତାଙ୍କର ପାଦଗୁଡ଼ିକୁ ଧାରଣ କରି ରହିଛି । ଏହି ଇନ୍ଦ୍ରିୟଗୁଡ଼ିକ କେଡ଼େ ସହଜରେ ତାଙ୍କର ଯନ୍ତ୍ର ହୋଇପାରୁଛନ୍ତି । ଯେଉଁ ମଣିଷ ଖଣ୍ଡିଆ କରି ଦେଖୁଛି, ଅଳପ ହୋଇ ବଞ୍ଚୁଛି, ତାହାରି ଆଖିରେ ହିଁ ପୃଥିବୀ ଅଳପ ବୋଲି ଦିଶୁଛି । ଆମେ ଯେଉଁମାନେ ଇନ୍ଦ୍ରିୟଗୁଡ଼ାକର ଦଉଡ଼ିରେ ବାନ୍ଧିହୋଇ ରହିଛୁ, ସେହିମାନେ ହିଁ ଇନ୍ଦ୍ରିୟଦ୍ଵାରା କଲବଲ ହେଉଛୁ । ଇନ୍ଦ୍ରିୟମାନେ ଆମେ ଇଚ୍ଛା କଲେ ଗୋଟିଏ ଗୋଟିଏ ଗବାକ୍ଷର କାର୍ଯ୍ୟ ମଧ୍ୟ କରିପାରନ୍ତେ, ଏବଂ ଆମକୁ ଆମପାଇଁ ନିର୍ଦ୍ଦେଶିତ ହୋଇ ରହିଥିବା କେତେ କେତେ ଆକାଶର ବାରତା ଆଣି ଦେଇପାରନ୍ତେ । ଆମକୁ ଏହି ଅଳପ ଭିତରୁ କାଟି ନିଜ ଭିତରେ ତଥା ନିଜ ବାହାରେ କେତେ କେତେ ଅଧିକ ମଧ୍ୟକୁ ପରିଚାଳିତ କରି ନେଇଯାଆନ୍ତେ । ଏଇଠାରେ ହିଁ ଆମକୁ ଭୂମି ସହିତ ଯୋଡ଼ି କରି ରଖିଥାଆନ୍ତେ, ନିରନ୍ତର ରଖିଥାଆନ୍ତେ ।

 

୭ । ୯ । ୮୯

 

ମୋତେ କେହି ବଡ଼ ବୋଲି ମାନୁ ମୋ’ର କ୍ଷମତାକୁ ଦେଖି ମୋ’ କଥାରେ ବାଧ୍ୟ ହୋଇ ରହୁ, ଏକଥା ମୋତେ କେବେହେଲେ ଭଲ ଲାଗେ–ନାହିଁ । ଏକଥାରୁ ମୁଁ କେବେହେଲେ କୌଣସି ମଜା ପାଏନାହିଁ ବୋଲି ସିଆଡ଼କୁ ମୋ’ର କେବେ ମନ ମଧ୍ୟ ହୁଏନାହିଁ । ଏକାଠି ଆଲୋଚନାରେ ବସିଥିବା ସମୟରେ ସମସ୍ତେ ମୋ’ର ମତ ସହିତ ଠକ୍‌ଠାକ୍ ଏକମତ ହୋଇଯାଆନ୍ତୁ, ସେକଥା ମଧ୍ୟ ମୋତେ ମୋଟେ ଭଲ ଲାଗେନାହିଁ । ମୁଁ କିଛି କହିଲା ବେଳେ ମୋ, ସାଙ୍ଗମାନେ ମୋ’ ସହିତ ରାଜି ହୋଇଗଲେ ବୋଲି ଚୁପଚାପ ବସିଗଲେ ମୋତେ ନିଜକୁ ସେମାନଙ୍କ ପାଖରେ ଭାରି ଅଲୋଡ଼ା ପରି ବୋଧ ହୁଏ । ମୁଁ ନିଜକୁ ଭାରି ଦରିଦ୍ର ପରି ଅନୁଭବ କରେ ।

 

ସମସ୍ତେ ଭାବିବେ, କାରଣ ସମସ୍ତେ ବାଟ ଚାଲୁଥିବେ । ପ୍ରତ୍ୟକଙ୍କର ଗୋଟିଏ ଅନୁଭବଲବ୍‌ଧ ଦୃଷ୍ଟିକୋଣ ରହିଥିବ । ଆବଶ୍ୟକ ପଡ଼ିଲେ ମତମାନେ ଆପଣା ଆପଣା ଭିତରେ ଟିକିଏ ଲଢ଼ାଲଢ଼ି ବି ହୋଇ ଯାଉଥିବେ । ଏବଂ, ସେହି ଲଢ଼ାଲଢ଼ି ଭିତରେ ହିଁ ସମସ୍ତଙ୍କର ଖିଅକୁ ଏକାଠି କରି ଧରିଥିବା କୌଣସି ବିନ୍ଦୁରେ ସତ୍ୟ, ଅସଲ ସତ୍ୟଟି ଦଶିଯାଉଥିବ । ଆମେ ପରସ୍ପରକୁ ଅଧିକରୁ ଅଧିକ ଖୋଜିବା ନିମନ୍ତେ ପ୍ରବର୍ତ୍ତାଇ ପାରୁଥିବୁ । ସତ୍ୟ ମୋ’ ପାଖରେ ନଥିବ ବା ଆଉ କାହା ଜଣଙ୍କ ପାଖରେ ନଥିବ । ସତ୍ୟ ଆମ ସମ୍ମୁଖରେ ରହିଥିବ ଓ ବହୁ ବିଚିତ୍ର ଭାବରେ ଆମ ସମସ୍ତଙ୍କୁ ପ୍ରବୁଦ୍ଧ କରିବାରେ ଲାଗିଥିବ । ବାଟ ଖୋଜି ବାର ଓ ବାଟ ଚଳିବାର ପ୍ରକୃତ ଆନନ୍ଦ ସେଇଠି । ଆଉ ସବୁଗୁଡ଼ାକ ହେଉଛି ଅହଂକାର । ନପାଇଥିଲେ ମଧ୍ୟ ପାଇଛ ବୋଲି ଭାଣ କରିବାର ଅହଂକାର । ସମସ୍ତଙ୍କୁ ପଛରେ ପକାଇ ଆଗେ ଆଗେ ଚାଲିଯାଉଥିବାର ଓ ସମସ୍ତଙ୍କର ଆଗରେ ଯାଉଛି ବୋଲି ଦେଖାଇ ହେଉଥିବାର ଅହଂକାର । ଏହି ଅହଂକାରକୁ ମୁଁ କେବେହେଲେ ମନ କରିନାହିଁ । ମୋ, ଜୀବନର ଅସଲ ଗୌରବବୋଧ ଗୁଡ଼ିକ ଏକାବେଳେକେ ଭିନ୍ନ ଶ୍ରେଣୀର । ସେଠି ମୋ ଆୟତନଟି ଭିତରେ ସମସ୍ତଙ୍କ ଲାଗି ଥାନ ରହିଥାଏ । ସମସ୍ତଙ୍କୁ ସାଙ୍ଗରେ ନେଇ ହିଁ ମୁଁ ଯଥାର୍ଥରେ ଐଶ୍ଵର୍ଯ୍ୟଶାଳୀ ହୁଏ ।

 

୨୦ । ୯ । ୮୯

 

ପୃଥିବୀର ଭିନ୍ନ ଭିନ୍ନ ଧର୍ମର ସ୍ଵୀକୃତ ପବିତ୍ର ଶାସ୍ତ୍ରଗୁଡ଼ିକ ମୁଁ ପାଠ କରିଛି । ଭିନ୍ନ ଭିନ୍ନ ଯୁଗର ଓ ଭୂଖଣ୍ଡର ଧର୍ମପ୍ରଚାରକ ମାନଙ୍କର ବାଣୀ ସହିତ ନିଜକୁ ପରିଚିତ କରାଇଛି । ଏକ ଅନ୍ତର୍ଗତ ସମ୍ମାନ ସହିତ ମୁଁ ଏସବୁ କରିଛି । ମାତ୍ର, ଆପଣାର ଯେଉଁସବୁ ବିଭାବରେ ସେମାନେ ନିଜର ସୀମା ଓ କାନ୍ଥଗୁଡ଼ିକ ଅତିକ୍ରମ କରି ଯାଇଛନ୍ତି, ସମ୍ଭବତଃ ସେଥିରୁ ମୁଁ ସବାଆଗ ସେହିଗୁଡ଼ିକ ହିଁ ନିଜ ଜୀବନ ଭିତରକୁ ସ୍ଵୀକାର କରି ଆଣିଛି । ଏବଂ, ତାହାହିଁ ମୋତେ ଯାବତୀୟ ଧର୍ମ ତଥା ପ୍ରେରଣା ସହିତ ଅନ୍ତରଙ୍ଗ ଭାବରେ ଯୁକ୍ତ କରି ରଖିଛି । କୋଉ ଧର୍ମ ମୋ’ର ନିଜର ଓ କୋଉ ଧର୍ମ ଆଉ କାହାର, ଏହି ବିଷୟରେ ଯାବତୀୟ ଅନର୍ଥକାରୀ ସଚେତନତାକୁ ମୁଁ ପ୍ରଧାନତଃ ତାହାରିଦ୍ଵାରା ହିଁ ଅତିକ୍ରମ କରି ଆସିଛି । ଅନନ୍ତ ଧନରେ ଧନୀ ହୋଇଛି । ବାହାରୁ ଭିତରକୁ ପ୍ରବେଶ କରିଛି । ଭିତରୁ ବାହାରକୁ ପ୍ରସାରିତ ହୋଇ ଆସିଛି । ଏକ ଅପ୍ରତିହତ ଅନୁଚାରାକୁ ହିଁ ନିଜ ଘରର ସର୍ବସାର କରି ରଖିଛି । ମୋ’ର ଧର୍ମଦୃଷ୍ଟି ଜୀବନଦୃଷ୍ଟିରେ ପରିଣତ ହୋଇଯାଇଛି । ଧର୍ମ ଓ ଜୀବନ ମଧ୍ୟରେ ରହିଥିବା ଯାବତୀୟ ବାଡ଼ର ଅବଶ୍ୟକତା ଭୁଲି ହୋଇ ଯାଇଛି ।

 

ହିନ୍ଦୁ ଘରେ ଜନ୍ମ ହୋଇଥିଲି, ସଂସାରଘରେ ଆପଣାକୁ ପୂର୍ଣ୍ଣତର ଭାବରେ ଚିହ୍ନିଲି । ପୂର୍ଣ୍ଣରୁ ପୂର୍ଣ୍ଣତର ହେବାର ଶୈଳୀଟିକୁ ନିଜର ଶୈଳୀରେ ପରିଣତ କରିପାରିଲି । ତଥାପି, ହିନ୍ଦୁତ୍ଵକୁ ବିସର୍ଜନ କରିବାର କୌଣସି ଅବିବେକର ଜାଲି ଭିତରେ ମୋତେ ମୋତେ ପଡ଼ିବାକୁ ହେଲାନାହିଁ । ଭିତରେ ମୂଳଦୁଆଟି ସର୍ବୋତ୍ତମ ଅର୍ଥରେ ହିନ୍ଦୁ ହୋଇ ରହିଲା । ଆକାଶଟା ମଧ୍ୟ ଅହିନ୍ଦୁ ହୋଇଗଲା ବୋଲି ମୁଁ କଦାପି କହି ପାରିବି ନାହିଁ । ଆକାଶ ମଧ୍ୟ ସର୍ବୋତ୍ତମ ଅର୍ଥରେ ହିନ୍ଦୁ ହୋଇ ରହିଲା । ମାତ୍ର, ଘରଟିର ଗବାକ୍ଷଗୁଡ଼ିକ ଅବାଧ ଭାବରେ ଖୋଲା ହୋଇ ରହିଲା । ତାହା ମୋ’ର ହିନ୍ଦୁତ୍ଵକୁ ମଧ୍ୟ ବଳ ଆଣିଦେଲା । ବ୍ୟାପ୍ତି ଆଣିଦେଲା । ନମନୀୟତା ଆଣିଦେଲା । ମୋ’ର ଅନୁରାଗକୁ ବିଶ୍ଵମୁଖ କରି ରଖିଲା । ମୋ’ ହିନ୍ଦୁତ୍ଵର ପାତ୍ରଟିକୁ ମୁଁ ସବୁ ଥଳରେ ମୋ’ର ସର୍ବୋତ୍ତମ ଅନୁରାଗକୁ ପରଶି ଦେଇ ପାରିଲି ।

 

୮ । ୧୦ । ୮୯

 

ମୁଁ ଆଗେ କେତେଭଳି ଫଟୋ ଉଠାଇ ପାରୁଥିଲି । ଏବେ ବି ଉଠାଇ ପାରିବି । ମାତ୍ର, ଜଣେ ମଣିଷ ସହିତ ଏକାଠି ହେଲାବେଳେ ମୁଁ ସତେଅବା ତା’ର ଫଟୋ ଉଠାଇବାକୁ ଆସିଥିବା ପରି ମୋଟେ ଅନୁଭବ କରି ପାରେନାହିଁ । କୌଣସି ମଣିଷକୁ ଦୂରରୁ ଥାଇ ଦେଖିବା,–ମୋ’ ଦ୍ଵାରା ଏକଥା ହୋଇ ପରେନାହିଁ । ମଣିଷକୁ ଦେଖିଲେ ମୁଁ ଲାଗି ଲାଗି ଆସୁଥାଏ । ଏକାବେଳେକେ ପାଖକୁ ଚାଲିଆସେ । ସେମାନେ ସତେଅବା ମୋତେ ଛୁଇଁ ଦେଉଥିଲା ପରି ମନେ ହେଉଥାଏ । ନିଜ ଦେଶଠାରୁ ବହୁଦୂରରେ ଅବସ୍ଥିତ ଆଉ କୌଣସି ଦେଶରେ ମଧ୍ୟ ସତେଅବା ସେହିପରି ମନେହୁଏ । ଏବଂ, କୌଣସି ତଥାକଥିତ ଅନ୍ୟ ସଂସ୍କୃତର ସଂସ୍ପର୍ଶରେ ଆସୁଥିବା ବେଳେ ମଧ୍ୟ ସେହିଭଳି ମନେହୁଏ । ଏପରିକି, କୌଣସି ଦେଶ ବିଷୟରେ ଅଥବା ସଂସ୍କୃତ ବିଷୟରେ ବହିରୁ କିଛି ପଢ଼ୁଥିବା ସମୟରେ ମଧ୍ୟ ମନେହୁଏ । ଇତିହାସ ପଢ଼ୁଥିବା ବେଳେ ମୁଁ ଆଦୌ ପଛକୁ ଫେରି ଯାଏନାହିଁ ସତ, ତଥାପି ସେହି ଅତୀତଟିକୁ ସତେଅବା ଛୁଇଁ ଆସୁଥିବା ପରି ମନେ ହେଉଥାଏ । ଏହିଭଳି ଭାବରେ ମୁଁ ସତକୁ ସତ କେତେ ପ୍ରକାରେ ଧନୀ ହେବାରେ ଲାଗିଥାଏ । କାଳର ସ୍ପର୍ଶ କରି ହୃଦୟର ସ୍ପର୍ଶରେ ମୁଁ ପବିତ୍ର ହୋଇଯାଏ । ଏଥର ଫିନ୍‌ଲାଣ୍ଡରେ ମଧ୍ୟ ନିରନ୍ତର ତାହାହିଁ ହେଉଥିଲା ।

 

ଜାଲରେ ପଡ଼ି ଯିବନାହିଁ, ତଥାପି ସ୍ପର୍ଶ କରି ପଡ଼ୁଥିବା, ହୃଦୟଟିକୁ ସ୍ପର୍ଶ କରି ପାରୁଥିବ,–ତାହାହିଁ ନୀତି । ମୋ’ ନିଜ ଦେଶରେ ଯାହା ଅଛି, ଏଠି ସମସ୍ତେ ଯାହାକୁ ସଂସ୍କୃତ ଦେଖୁଥିବା ପର୍ଯ୍ୟନ୍ତ ମୁଁ ଆଦୌ କୌଣସି ସ୍ପର୍ଶର ଯୋଗ୍ୟ ହୋଇ ପାରିବ ନାହିଁ । ଇଏ ହେଉଛି ଏକାବେଳକେ ଏକା ଅନ୍ୟ ପ୍ରକାରର ମାପକାଠି । ଗ୍ରହଣଦ୍ଵାରଟି ସଂପୂର୍ଣ୍ଣ ଭାବରେ ଖୋଲାଥିବ, ଅଥଚ ଅନୁକରଣ କରିବା ଲାଗି ଆଦୌ କୌଣସି ବ୍ୟଗ୍ରତା ନଥିବା,–ସେହିପରି ହିଁ ହୋଇପାରୁଥିବା ଉଚିତ । ତେବେ ଯାଇ ନିଜକୁ ଯଥାର୍ଥ ଭାବରେ ଧନୀ କରିବା ସମ୍ଭବହେବ ଏବଂ ତାହାରି ମାଧ୍ୟମରେ ନିଜର ସଂସ୍କୃତିକୁ ମଧ୍ୟ ଧନୀ କରି ଦେଉଥିବାର ପ୍ରକ୍ରିୟାଟି ଲାଗି ରହିଥିବ ।

 

୨୬ । ୧୦ । ୮୯

 

ଭିତରଟା ବାହାରକୁ ଦେଖାଯିବ, ବାହାରଟା ଭିତରକୁ ଅଧିକ ସଖ୍ୟ ଏବଂ ଅଧିକ ଏକାତ୍ମତା ଲାଗି ପ୍ରେରିତ କରିବାରେ ଲାଗିଥିବ,–ଏହାହିଁ ସ୍ୱାସ୍ଥ୍ୟ, ହୁଏତ ଏହାହିଁ ଅଧ୍ୟାତ୍ମିକତା ଯେଉଁଦିନଠାରୁ ଧର୍ମକୁ ଆଧ୍ୟାତ୍ମିକତା ସହିତ ଏକାଠି ବାନ୍ଧି ଦିଆଗଲାଣି ଅଥବା ଅଧ୍ୟାତ୍ମିକତା ଆଣି ଧର୍ମ ସହିତ ଖାପ ଖୁଆଇ ଦିଆଗଲାଣି, ସେହିଦିନ ଠାରୁ ପୃଥିବୀରେ କପଟ ଗୁଡ଼ାକ ବଢ଼ିବାରେ ଲାଗିଛନ୍ତି । କପଟ ବଢ଼ିଲେ କପଟପୂଜା ମଧ୍ୟ ପ୍ରାୟ ସର୍ବେସର୍ବା ହୋଇ, ଜୀବନର ଅସଲ ଆସ୍ପୃହାଗୁଡ଼ିକୁ ପରାହତ କରି ରଖିଥାଏ । ଏତେ ଧର୍ମ ଏତେ ଧର୍ମପୋଥି ଓ ଏତେ ଧାର୍ମିକ ବଳୀୟାରମାନଙ୍କ ସତ୍ତ୍ୱେ ପୃଥିବୀରେ ସମ୍ଭବତଃ ଏତେ ଏତେ କପଟାଚାର ଲାଗିରହିଛି ଏବଂ ଆପଣାକୁ ଲୁଚାଇ ରଖି ମଣିଷମାନେ କେଡ଼େ ଆଡ଼ମ୍ବରରେ ମୁଖାଗୁଡ଼ାକୁ ଦେଖାଇ ହେଉଛନ୍ତି !

 

ବାହାରେ ମୁଖା ପିନ୍ଧିବା ଓ ଭିତରେ ଆପଣା ଭିତରର ଶିଶୁଟିକୁ ବହୁ ତାଡ଼ନା ଓ ଉପେକ୍ଷା ସହିତ ଦବାଇ ରଖିବା, ତଥା କଥିତ ସବୁ ଧର୍ମର ପଛରେ ଯଦି ଏହାହିଁ ଆମ ଜୀବନ ଧର୍ମରେ ପରିଣତ ହୋଇ ରହିଥାଏ, ତେବେ ଆମ ଦ୍ଵାରା କୋଉଠି ଆଉ କେଉଁ ସଂଗଠନ ସମ୍ଭବ ହୋଇ ପାରିବ ? ଯେଉଁ ସଂଗଠନ ମଣିଷର ଅସଲ ବଳଗୁଡ଼ିକୁ ଉନ୍ନୋଚିତ କରି ଆଣିବ, ସେହିଉ ସଂଗଠନ ଅଭିନେତାମାନଙ୍କ ଦ୍ଵାରା କୁଆଡ଼ୁ ସମ୍ଭବ ହେବ ? ଅଭିନେତାମାନେ ସଚରାଚର ସବୁ ସଂଗଠନର ଥାନଗୁଡ଼ାକୁ ମାଡ଼ି ବସିବାକୁ ଆଗ୍ରହ ଦେଖାନ୍ତି । ମାତ୍ର, ବାହାରୁ ମୁଖ୍ୟମାନଙ୍କୁ ଫୋଫାଡ଼ି ଦେଇ ଯିଏ ନିଜ ଭିତରକୁ ବାଟଟିଏ କାଢ଼ିପାରିଛି, ଯିଏ ନିଜ ଭିତରେ ଜନନୀର ସନ୍ଧାନ ପାଇଛି ଓ ସେହି ଜନନୀର ସ୍ନେହବୋଲ ଗୁଡ଼ିକୁ ମାନି ବାହାରେ ଜୀବନ ବଞ୍ଚୁଛି, ବାହାରେ କୌଣସି ସଂଗଠନ ବା ଅନୁଷ୍ଠାନ ମଧ୍ୟରେ ରହି ନଥିଲେ ମଧ୍ୟ ସଂସାରରେ ସେଇ ସତେଅବା ଏକ ଅନୁଷ୍ଠାନ ପରି ହୋଇ ରହିଥାଏ । ତାହାରିଦ୍ଵାରା ହିଁ ସଂସାରର ତାପ ଯାଏ, ଭଗବାନଙ୍କ ଆଡ଼କୁ ବାଟ ଫିଟିଯାଏ, ଅବିଶ୍ଵାସ ଭିତରୁ ବିଶ୍ଵାସ ଆଡ଼କୁ ବାଟ ଫିଟିଯାଏ ।

 

୨୭ । ୧୦ । ୮୯

 

ଏବେ ନିୟମିତ ଅର୍ଥାତ୍ ଦୈନିକ ଡାଏରୀ ଲେଖି ପାରୁନାହିଁ । ବିଗତ ତିନିବର୍ଷରେ ଏହି ଖାତାରେ ହୁଏତ ମୋଟେ ତିରିଶିଟା ଦିନର ଡାଏରୀ ଲେଖା ହୋଇଛି । କେତେବର୍ଷ ପୂର୍ବେ ସବୁଦିନେ ଡାଏରୀ ନଲେଖିଲେ ନିଜକୁ କେମିତି ମାଡ଼ି ମାଡ଼ି ପଡ଼ୁଥିଲା । ଏବେ ମୋଟେ ସେପରି ଲାଗୁନାହିଁ । ଡାଏରୀ ଲେଖିବା ଏବେ ମଧ୍ୟ ମୋ’ର କର୍ତ୍ତବ୍ୟ ହୋଇ ରହିଛି । କିନ୍ତୁ ପୂର୍ବେ ଏହି କର୍ତ୍ତବ୍ୟରେ ଖିଲାପ ଘଟିଲେ ଯେପରି ଆଶ୍ଵସ୍ତ ଲାଗୁଥିଲା, ଏବେ କେତେବର୍ଷ ହେଲା କାହିଁକି ମୋଟେ ସେପରି ଲାଗୁନାହିଁ । କର୍ତ୍ତବ୍ୟର କଡ଼ା ଶାସନରୁ ବାହାରି ଆସି ତଥାପି ଯେ କର୍ତ୍ତବ୍ୟ କରି ହୁଏ, ଶାସନ ଭିତରୁ ବାହାରି ଆସି ଯେ ତଥାପି ଶାସନ ଭିତରେ ରହିହୁଏ, ସେକଥାଟିକୁ ହୃଦୟଙ୍ଗମ କରିବାର ସ୍ତରକୁ ଆସିବା ପାଇଁ ଆଗ ପ୍ରକୃତରେ ଅନେକ କର୍ତ୍ତବ୍ୟ ପାଳନ କରିବାକୁ ହୁଏ ଏବଂ ଅନେକ ଶାସନ ମାନିବାକୁ ହୋଇଥାଏ ।

 

ଆଗେ ଭାବିଥିଲୁ, ଜଗତ ମୋ’ର ଲେଖାରୁ ମୋତେ ବିଚାର କରୁ । ଏବେ କହିବି, ନାଇଁ, ଜଗତ ମୋତେ ଦେଖିକରି ହିଁ ମୋତେ ବିଚାର କରୁ । ମୋ ଲେଖାର ବାଡ଼ଗୁଡାକ ଜରିଆରେ ସମସ୍ତେ ମୋତେ ଦେଖନ୍ତୁ, ଏକଦା ମୁଁ ଏଥିଲାଗି କେଡ଼େ ଆଗ୍ରହର ସହିତ ନିଜକୁ ତତ୍ପର କରି ରଖୁଥିଲି । ଏଣିକି ଆଉ ଏସବୁ ମାଧ୍ୟମର ହୁଏତ ଆଉ କୌଣସି ଆବଶ୍ୟକତା ରହିବୁନାହିଁ । ଏଣିକି ମୋତେ ସିଧା ଦେଖି ମୋତେ ଅଲବତ ଦେଖି ହେବ । ମୋ’ ଲେଖା ଗୁଡ଼ିକରୁ ମୋତେ ଛୁଇଁବାଲାଗି ଚେଷ୍ଟା କରିବା ଅପେକ୍ଷା ମୋତେ ସିଧା ଛୁଇଁ ଛୁଇଁହେଲା ବୋଲି ଜାଣିବ,–ସିଏ ଜୀବନରେ ଆଉ ଏକ ପାବଚ୍ଛ, ଆଉ ଏକ ଆନନ୍ଦ । ଆଉ ବାଡ଼ ଫାଡ଼ କିଛି ନାହିଁ;–ସମସ୍ତେ ଚାହିଁବା ମାତ୍ରକେ ସିଧା ମୋ’ ଘର ଭିତରକୁ ପଶି ଆସି ପାରିବେ । ତାହାହିଁ ସର୍ବପ୍ରଧାନ ଶୈଳୀ । ସିଏ ସ୍ଵୟଂ ପଶି ଆସିବାକୁ ସିଧା ବାଟ ପାଇଯିବା ମାତ୍ରକେ ତାଙ୍କ ଜଗତଟାର ପଶି ଆସିବାଲାଗି ଆଉ କୌଣସି ବାରଣ ରହେନାହିଁ । ତେଣୁ, ମୁଁ ଏଣିକି ଯୋଉଦିନ ଖୁସୀ, ସେଦିନ ଲେଖିବି ।

 

୨୮ । ୧୦ । ୮୯

 

ବଡ଼ ହେଲେ କେହି ନିଜର ଜନ୍ମଦିନକୁ ପାଳନ କରନ୍ତିନାହିଁ । ଜନ୍ମଦିନକୁ ନେଇ ପିଲାଦିନେ ପରିବାରରେ କେତେ କ’ଣ ବିଶେଷ ବିଧିର ଅନୁସରଣ ହୁଏ । ଏବେ ମଧ୍ୟ ମନେ ଅଛି-। ନୂଆ ଲୁଗା ପିନ୍ଧି ଠାକୁରସ୍ଥାନକୁ ଯିବା, ସେଠାରୁ ପାଦୁକ ପାଇ ଗଳାରେ ଠାକୁରଙ୍କଠାରୁ ମାଳାଟିଏ ଗଳାଇ ଘରକୁ ଫେରିବା, ପିଠାଥାଳୀ ପାଖରେ ପୀଢ଼ା ଉପରେ ବସି ବନ୍ଦାପନା ହେବା, ରାତିରେ ସତ୍ୟନାରାୟଣ ପୂଜା,–ଏହିପରି କେତେକଥା, ସବୁଯାକ ମନେଅଛି । ନିଜ ଭିତରେ ପିଲାଟି ବଞ୍ଚି ରହିଥିବା ପର୍ଯ୍ୟନ୍ତ ଏସବୁ କଥା ଅବଶ୍ୟ ମନେ ରହିବ । ବଡ଼ ହୋଇ ଆମେ କୋଉକାଳୁ ଘର ଛାଡ଼ିଲୁଣି, ଘର ଓ ପରିବାର ପ୍ରଭୃତି ଭାବାତ୍ମକ ଶବ୍ଦଗୁଡ଼ିକ କାଳକ୍ରମେ କେତେ କୁଆଡ଼କୁ ସଂପ୍ରସାରିତ ହୋଇଗଲେଣି, ତଥାପି ଏହି ଜନ୍ମଦିନଟି ଆସିବାର ବହୁ ମାସ ପୂର୍ବରୁ ମୁଁ ପାଞ୍ଜିରୁ ଦେଖି ଏହି ଦିନଟିକୁ ଠିକ୍ କରି ରଖିଥାଏ । ସେପରି କରିବାକୁ କେଡ଼େ ଖୁସୀ ଲାଗେ-। ସେହିଦିନଟି ସତକୁ ସତ ଆସି ପହଞ୍ଚିଲେ ଆହୁରି ଖୁସୀଲାଗେ ।

 

ସେତେବେଳେ ଯାହା ସମଗ୍ର ପରିବାରର ଅନୁଷ୍ଠାନ ହୋଇ ରହିଥିଲା, ଏବେ ତାହା ବ୍ୟକ୍ତିଗତ ଜୀବନର ହିଁ ଏକ ଅନୁଷ୍ଠାନ ହୋଇ ରହିଛି । ଏକାବେଳେକେ କୋଳାହଳହୀନ ଗୋଟିଏ ଅନୁଷ୍ଠାନ ହୋଇ ରହିଛି । କୋଳାହଳହୀନା, ଅଥଚ ଅନୁରାଗମୟ ତେଣୁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ଦିନଟିଯାକ ଆପଣାର କେତେ ପାଖରେ ରହିଥିବା ପରି ମନେ ହେବ । ଭିତରେ ରହିଥିବା କେଉଁ ଜନନୀ କେଡ଼େ ସ୍ୱୀକୃତିର ସନ୍ତକରୂପେ କେଡ଼େ ସ୍ନେହରେ ମୁଣ୍ଡ ଉପରେ ହାତ ବୁଲାଇ ଆଣୁଥିବ ! କେତେ ଉଶ୍ଵାସ ଲାଗୁଥିବ । ବୟସର ଭାରିଗୁଡ଼ାକ କୁଆଡ଼େ ଭୁଲି ହୋଇ ରହିଥିବେ । ସଂସାରଟା ଯାକ ଗୋଟାସୁଦ୍ଧା ନିଜର ବୋଲି ମନେ ହେଉଥିବ । କୃତଜ୍ଞତା ହିଁ ଜୀବନର ଏକମାତ୍ର ଧର୍ମ ହୋଇ ରହିଥିବ । ଏବଂ, ସେହି କୃତଜ୍ଞତାବୋଧ ହିଁ ଅସଲ ସମର୍ପଣକୁ ଜନ୍ମ ଦେବ । ସମର୍ପଣ ହିଁ ଜୀବନକୁ ଧନ୍ୟ କରି ରଖିଥିବ ।

 

୩୦ । ୧୦ । ୮୯

 

ତାକୁ ଭିତରେ ଏକାବେଳେ ନିଜର ବୋଲି ଅନୁଭବ କରିବା ମାତ୍ରକେ ସିଏ ସତତ ଉଦ୍ୟମରୂପେ ପ୍ରତ୍ୟକ୍ଷ ହୁଅନ୍ତି । ଏବଂ, ଅଧିକାଂଶ କ୍ଷେତ୍ରରେ, ତାଙ୍କୁ ଯେଉଁମାନେ ବାହାରେ ଥାପି ରଖିଥାନ୍ତି, ସେମାନେ ତାଙ୍କୁ ସତତ ଏକ ଆଶ୍ରୟରୂପେ ଅନୁଭବ କରୁଥାନ୍ତି । ସେମାନେ ତାଙ୍କୁ ପରମ ଆଶ୍ରୟ ଅଥବା ମହଦାଶ୍ରୟ ବୋଲି କହନ୍ତି । ତାଙ୍କ ପାଖରୁ ଆଶ୍ରୟ ମାଗନ୍ତି । ଏଠି ଏହି ସବୁକିଛିରୁ ପଳାଇ ଯାଇ ତାଙ୍କ ପାଖରେ ଆଶ୍ରୟ ଭିକ୍ଷା କରିବାରେ ଲାଗିଥାନ୍ତି ।

 

ସିଏ ଭିତରେ ବସିଥିବା ପର୍ଯ୍ୟନ୍ତ ଜୀବନରେ ମୋଟେ କ୍ଳାନ୍ତ ଲାଗେନାହିଁ । ସତତ ଉଦ୍ୟମ, ସତତ ଉଦ୍ୟମରୁ ସତତ ଆନନ୍ଦ,–ଏହିପରି ଅନୁଭବ ହେବାରେ ଲାଗିଥାଏ । ଉଦ୍ୟମ ସରେନାହିଁ, ତେଣୁ, ଶକ୍ତି ମଧ୍ୟ ସରେ ନାହିଁ । ଆଗରେ କେତେ କେତେ ବାଟ ପଡ଼ିଥାଏ, କେତେ କେତେ ଆହ୍ଵାନ ଅପେକ୍ଷା କରି ରହିଥାଏ । ତେଣୁ, ତାଙ୍କ ପାଖରେ ଶରଣ ମାଗିବାକୁ ମୋଟେ ମନେ ପଡ଼େନାହିଁ । ତେଣୁ, ସମର୍ପଣ ହିଁ ସର୍ବପ୍ରଥମ ଓ ସର୍ବଶେଷ ଶରଣଯାଚନା ଓ ଆଶ୍ରୟପ୍ରାପ୍ତି ହୋଇ ରହିଥାଏ । ତାଙ୍କୁ ସତେଅବା ଖଣ୍ଡିଆ କରି ବାହାରେ ଥାପି ରଖିଥିବା ପର୍ଯ୍ୟନ୍ତ ଜୀବନରେ ହୁଏତ ଆଦୌ କୌଣସି ଯଥାର୍ଥ ସମର୍ପଣ ସମ୍ଭବ ହୁଏ ନାହିଁ । ଅଥବା, ଯାବତୀୟ ତଥାକଥିତ ସମର୍ପଣ ହୋଇ ରହିଥାଏ । ସେହି ଚେତନା ଦୂରଛଡ଼ା ହୋଇ ରହିଥାଏ, ନିକଟବର୍ତ୍ତୀ ହେବାଲାଗି ଭୟ କରୁଥାଏ; ତାଙ୍କୁ ଛୁଇଁକରି, ଭିତରେ ସିଂହାସନରେ ବସାଇ ରହିବା ବିଷୟରେ ତା’ର ଅନେକ ସଂଶୟ ରହିଥାଏ । ଏହିପରି ସଂଶୟୀ ଭକ୍ତି ମୋ’ର ରୀତି ନୁହେଁ । କେତେକ ଭକ୍ତିତତ୍ତ୍ଵରେ ଦୂରତାକୁ ହିଁ ଅସଲ ପ୍ରବନ୍ଧକ ବା ନିରୂପକ ବୋଲି ଘୋଷଣା କରାଯାଇଛି । ସେଇଟା ମୋ’ର ବାଟ ନୁହେ । ତେଣୁ, ମୁଁ ତାଙ୍କ ଠାରୁ ଆଶ୍ରୟ ମାଗିବିନାହିଁ । ତାଙ୍କ ପାଖରେ ମୁଁ ଯେତେବେଳେ ବଳେ ବଳେ ଧରା ଦେଇଛି, ସେତେବେଳେ ପୁଣି ଫୁଲେଈ ହୋଇ ଆଉ କି ଆଶ୍ରୟ କାହିଁକି ମାଗିବାକୁ ଯିବି ? ସିଏ ବାଟ ଚାଲୁଛନ୍ତି । ମୋ’ ନିଜ ଭିତରେ ଓ ସମୁଦାୟ ବିଶ୍ଵରେ ବାଟ ଚାଲୁଛନ୍ତି; ମୁଁ ବି ସଙ୍ଗେ ସଙ୍ଗେ ଥିବି, ନିରତ ବାଟ ଚାଲୁଥିବି ।

 

୧୩ । ୧୨ । ୮୯

 

ଏବେ ମୋ’ ଡାଏରୀ ଛାପା ହେଲାଣି । ଏକଦା ମୁଁ ଯେଉଁସବୁ କଥାକୁ କେବଳ ଆପଣା ପାଖରେ ବସି ଲେଖିଥିଲି, ଏବେ ସେସବୁ ବହି ଆକାରରେ ସମସ୍ତଙ୍କ ପାଖକୁ ଆସିଲାଣି । ମୁଁ ନିଜେ ମଧ୍ୟ ସେହି ବହିଗୁଡ଼ିକୁ ଦେଖି କେତେ ଖୁସି ହୋଇ ଯାଉଛି । ମୋ’ରି ଭିତରେ ରହି ମୋତେ ଗଢ଼ି ଆଣିଥିବା ମୋ’ ସାଙ୍ଗମାନଙ୍କୁ ତାହାରି ଭିତରୁ ଦେଖିବାକୁ ପାଉଛି । ମୁଁ କେଡ଼େ ଖୁସୀ ହୋଇ କହୁଛି, ଏପର୍ଯ୍ୟନ୍ତ ଯେତେ ଲେଖାହୋଇ ରହିଛି, ସବୁ ଛପା ହେଲେ ଆହୁରି ଦଶଖଣ୍ଡ ସରିକି ହୋଇଯିବ ।

 

ସେଗୁଡ଼ିକୁ ଯେତେବେଳେ ଲେଖୁଥିଲି, ଏଗୁଡ଼ିକ କେବେ ବହି ହୋଇ ବାହାରିବ ବୋଲି ମୋ’ ମନରେ ଆଦୌ କୌଣସି କଳ୍ପନା ନଥିଲା । ସେପରି କୌଣସି ସଚେତନା ସହିତ ମୁଁ କେବେହେଲେ ଡାଏରୀ ଲେଖିନାହିଁ । ଏବେ ଏସବୁ ଛାପା ହୋଇ ବାହାରିବା ପରେ ମଧ୍ୟ ଲେଖିବାବେଳେ ମୋତେ କୌଣସି ସଚେତନତା ଗ୍ରାସ କରି ପକାଉଛି । ସଜାଇ କରି ଲେଖିବା, ବୁଲାଇ କରି ବା ବୁଲାଇ ଦେଇ ଲେଖିବା, ଏପରି ଆଦୌ କୌଣସି ଦୁର୍ବୁଦ୍ଧି ହୋଇନାହିଁ । ନିଜର ଭିତର ଓ ବାହାର ଭିତରେ ସେ ଆଦୌ କୌଣସି ବ୍ୟବଧାନ ରହିଛି; ସେହି ବୋଧ ମୋ’ ଜୀବନରେ କ୍ରମଶଃ ହ୍ରାସ ହୋଇ ଆସୁଛି । ବାହାରଟା ଆଉ ମୋଟେ ଭିତରଟାକୁ ଚାପି ରଖିବାକୁ ଇଚ୍ଛା କରୁନାହିଁ କିମ୍ବା ଭିତରଟା ମଧ୍ୟ ବାହାରଟା ଉପରେ ଆଉ ମୋଟେ ପୋଲିସ ହେବାକୁ ଭାବୁନାହିଁ । ଭିତର ଓ ବାହାର ମଧ୍ୟରେ ଏହି ଅନାବିଳତା,–ଏହାହିଁ କ’ଣ ସ୍ଵାଭାବିକ ଜୀବନ ? ଏହି ସ୍ଵାଭାବିକତାର କୌଣସି ସର୍ବଜନସମର୍ଥିତ ସଂଜ୍ଞା ଆଦୌ ଅଛି କି ନାହିଁ, ମୁଁ ସେ କଥା ଜାଣିନାହିଁ । ମାତ୍ର ଏଇଟା ଯେ ମୋ’ର ସ୍ଵଭାବ, ମୋ’ ନିଜ ପାଖରେ ସେହି କଥାଟି କ୍ରମଶଃ ଅଧିକରୁ ଅଧିକ ସ୍ପଷ୍ଟ ହୋଇଛି । ନିଜ ପାଖରେ ନିଜେ ଧରା ଦେବା, ପୋଷା ମାନିଯିବା, ନିଜକୁ ସାଙ୍ଗରେ ନେଇ ନିର୍ଭୟ ଭାବରେ ସମଗ୍ର ବାହାରେ ବୁଲି ପାରୁଥିବା,–ଏଥିରେ ପ୍ରକୃତରେ ସବୁଯାକ ବିମୋଚନକାରୀ ଶକ୍ତି ନିହିତ ହୋଇ ରହିଛି ।

 

୧୫ । ୧୨ । ୮୯

 

ଲେଖିବାବେଳେ ସତେଅବା ମୁଁ ଦୁହାଁ ହେଉଥିବା ପରି ଅନୁଭବ କରେ । ଏହି ଦୃଷ୍ଟିରୁ ଲେଖିବା ହେଉଛି ଏକ ସହଯୋଗ କରିବା,–ଜୀବନ ସହିତ ସହଯୋଗ କରିବା, ଆଲୋକ ସହିତ ସହଯୋଗ କରିବା, ନିଜ ଭିତରେ ରହିଥିବା କେଉଁ ସର୍ବୋତ୍ତମଟି ସହିତ ସହଯୋଗ କରିବା । ଗୋଟାସୁଦ୍ଧା ସେହି ସର୍ବୋତ୍ତମଟି ସହିତ ସହଯୋଗ କରି ପାରୁନଥିଲେ ସତେ ଯେପରି ଆଦୌ କିଛି ଲେଖି ହୁଏନାହିଁ । ଏହି ପୂର୍ଣ୍ଣ ସହଯୋଗ ସମ୍ଭବ ହେଲେ ନିଜକୁ ସତକୁ ସତ ଦୁହାଁ ହେଉଥିବା ଗୋଟିଏ ଗାଈ ପରି ଲାଗେ । କେହି ଲମ୍ପଟ ଯେ ଆସି ମୋ’ଠାରୁ ମୋ’ର ଅସଲ ସମଗ୍ରୀଟିକୁ ଅପହରଣ କରି ନେଉଛି, ସେପରି ମୋଟେ ଲାଗେନାହିଁ । ମନକୁ ମନ ଦୁହାଁ ହୋଇ ପ୍ରକୃତରେ କେଡ଼େ ଉଶ୍ଵାସ ଲାଗେ । କୌଣସି ଦୁହାଁଳୀ ଗାଈକୁ ଯେମିତି ଉଶ୍ଵାସ ଲାଗୁଥିବ, ଏକାବେଳେକେ ସେମିତି । ସୃଜନଶୀଳତା ଏହା ବ୍ୟତୀତ ଆଉ କ’ଣ ହୋଇପାରେ, ମୁଁ ସେକଥା ଜାଣେନାହିଁ । ସୃଜନଶୀଳତା ଆପଣାକୁ କେବଳ ଦେବାକୁ ହିଁ ପ୍ରସ୍ତୁତ କରି ରଖିଥାଏ । କୋଉଠି ତାକୁ କିଏ ଲୁଟି ନେଉଥିବା ପରି ଆଦୌ ଅନୁଭବ ହୁଏନାହିଁ ।

 

ଜୀବନର ଯାବତୀୟ ସଂଗ୍ରହକୁ ଏମିତି ବିତରଣ କରିପାର ଉଶ୍ଵାସ ଅନୁଭବ କରି ପାରୁଥିବା, ତାହାହିଁ ଧନାଢ଼୍ୟତା । ସାହିତ୍ୟିକ ସତକୁ ସତ ଏହାଠାରୁ ବଳି ଆଉକିଛି ଅନ୍ୟ ଲାଭକୁ ଆଶା କରିଥାଏ କି ? ଅବସ୍ଥାଚକ୍ରରେ ବାଧ୍ୟ ହୋଇ ଅଥବା ଦାନ୍ତ ହୋଇ ସେ ବେଳେବେଳେ ହୁଏତ ଆଉ କିଛି ଚାହିଁବସେ; ସଭାସମିତିରେ ସେହିଗୁଡ଼ାକ ବିଷୟରେ ହିଁ ଖୁବ୍ କହି ଦେଉଥାଏ । ମାତ୍ର, ଯେଉଁଠି ସିଏ ଅଭିସାରିକାଟିଏ ହୋଇ ସଜ ହୋଇଥାଏ, ସେଠି ଆଉ କୌଣସି କଥା ତା’ର ମନେ ନଥାଏ । ଏହି ମନେ ରହିବା ହିଁ ତା’ ସୃଜନଶୀଳତାର ଅସଲ ପ୍ରମାଣ ହୋଇ ରହିଥାଏ । ତାକୁ ତା’ ନିଜ ପାଖରେ ଠିକଣାରୂପେ ଚିହ୍ନାଇ ଦେବାରେ ଲାଗିଥାଏ । ସବୁ ସାହିତ୍ୟିକ ସେମାନଙ୍କ ଜୀବନରେ ନିବିଡ଼ ଅସଲ କ୍ଷେତ୍ରରେ ଠିକ୍ ଏହିପରି ନିଶ୍ଚୟ ଅନୁଭବ କରୁଥିବେ ।

Image

 

୧୯୯୦

୧୦ । ୨ । ୮୯

 

ଆଗେ କେତେ ନିଷ୍ଠାରେ ଏହି ଖାତା ପାଖରେ ନିତି ଆସି ବସୁଥିଲି, ଏଠି ପୃଷ୍ଠାଟିଏ ଅର୍ଥାତ୍ ନିର୍ଦ୍ଧାରିତ ଥାନଟିଏ ଲେଖି ପୂରଣ କରି ଦେଉଥିଲି । ଏବେ ସମୟ ମିଳୁନାହିଁ, ସେକଥା ମୋଟେ ନୁହେଁ । ରୋହିତର ବାଟ ଚାଲିବାପାଇଁ ସମୟ ମିଳିବନାହିଁ, ଏକଥା ପୁଣି କିପରି ସମ୍ଭବ ନୁହେଁ ? ବାଟଚଲା ଚାଲିଛି । ତଥାପି ଠାବ ହୋଇଯାଇଛି । ସତତ ଏଇ ଭିତରେ ଆଲୁଅଟି ଭିତରେ ରହିଥିଲା ପରି ଲାଗୁଛି । ଆଲୋକ ସତକୁ ସତ କ୍ରୋଡ଼ ଭଲି ଅନୁଭବ ହେଉଛି ।

 

ତେଣୁ, ବ୍ୟାକୁଳତାରେ ଏକ ସ୍ତର–ପରିବର୍ତ୍ତନ ଘଟିଛି । ଭିତରକୁ ଅନାଇଦେଲେ ଗୋଡ଼ ଦୁଇଟି ଦିଶିଯାଉଛି । ପାଖକୁ ଆହୁରି ପାଖକୁ ଯିବାଲାଗି କେବେହେଲେ ସଚେତନ ଭାବରେ, ଉତ୍କଣ୍ଠିତ ହୋଇ ଆଦୌ କୌଣସି ଉଦ୍ୟମ କରିବାକୁ ପଡ଼ୁନାହିଁ ।

 

ଏବେ ମଧ୍ୟ ଖୋଜୁଛି । ତଥାପି ପାଇ ନଥିବାର କୌଣସି ବୋଧ ନାହିଁ । ବେଳ ସରିଯିବ, ମୁଁ ପହଞ୍ଚି ପାରିବିନାହିଁ,–ଏଭଳି ଆଦୌ କୌଣସି ଚଞ୍ଚଳତା ନାହିଁ । ମୁଁ ପହଞ୍ଚି ସାରିଲିଣି, ତଥାପି ପହଞ୍ଚିବାରେ ଲାଗିଛି । ଜୀବନଟା ସତେଯେପରି ତାଙ୍କର ସାନ୍ନିଧ୍ୟର ଏକ ଅବିଚ୍ଛିନ୍ନତା ଭିତରେ ରହିଛି । କିଛି ସରିଗଲା ପରି ଲାଗୁନାହିଁ । କିଛି ସରୁନାହିଁ । ଏକ ପୁଲକମୟ ସମ୍ମତି ହିଁ ଜୀବନର ସର୍ବମୂଳ ସନ୍ତକରେ ପରିଣତ ହୋଇଯାଇଛି । ଫୁଲଟି ସ୍ଵୀକୃତ ହୋଇ ସାରିବା ପରେ କେବଳ କୃତଜ୍ଞତା ଜଣାଇବା ବ୍ୟତୀତ ତା’ର ଆଉ କି ଧର୍ମ ରହିଛି ? ବାହାରଯାକ ବିଞ୍ଚିହୋଇ ରହିଥିଲେ ମଧ୍ୟ ଅସଲ ଝିଅଟିକୁ ଓ ଅସଲ ବ୍ୟାପ୍ତିଟିକୁ ନିଜର ଭିତରେ ଅନୁଭବ କରି ପାରୁଥିବା,–ଇଏ ଏକ ଅପୂର୍ବ ପଥଚାରଣା । ଆଉ କିଛି ପାଇବାର ନାହିଁ । ଆଗ ପାଇଲେ ତା’ପରେ ଯାଇ ମୁଁ ଦେଇପାରିବି ବୋଲି ଆଦୌ କୌଣସି ଅଝଟ ନାହିଁ । ଦେଇଦେବା ବ୍ୟତୀତ ସତକୁ ସତ ପାଇବାର ଆଉ କୌଣସି ଅନ୍ୟ ପଥ ନାହିଁ । ସେହି ପଥ ମୋତେ ଚିରଞ୍ଜିବୀ କରି ରଖିଥାଉ ।

 

୬ । ୩ । ୯୦

 

ଚାଳିଶି ବର୍ଷ ତଳେ ଠିକ୍ ଯୋଉ ଆଖିରେ ଶାନ୍ତିନିକେତନକୁ ଦେଖୁଥିଲି ଓ ଅନୁଭବ କରୁଥିଲି, ମୁଁ ସେଇ ଆଖିରେ ଶାନ୍ତିନିକେତନକୁ ଦେଖିବା ଏବଂ ଓ ଅନୁଭବ କଲାବେଳକୁ ଏବେ ମଧ୍ୟ ଶାନ୍ତିନିକେତନ ପୁରୁଣା ହୋଇ ଯାଇଥିବା ପରି ମୋଟେ ଲାଗୁନାହିଁ । ଆଖିର ମଧ୍ୟ ଗୋଟିଏ ହୃଦୟ ରହିଛି । ହୃଦୟ ଭିତରେ ମଧ୍ୟ ଏକ ସ୍ମୃତିର ଭଣ୍ଡାର ରହିଛି, ଏବଂ, ଯେକୌଣସି ସ୍ଥାନ ବା ଅସ୍ଥାନର ମଧ୍ୟ ଏକ ହୃଦୟ ଅବଶ୍ୟ ରହିଛି । ତେଣୁ, ଖିଅ ଲଗାଇଦେବା ମାତ୍ରକେ ପୁଣି ଯାବତୀୟ ସ୍ପର୍ଶ ଏବଂ ଯାବତୀୟ ଅନୁଭବ ଏକ ବ୍ୟଞ୍ଜନାମୟ ବର୍ତ୍ତମାନରେ ପରିଣତ ହୋଇଯାଉଛି ।

 

ସେକାଳର ଗଛମାନେ ଏକାଳକୁ କେଡ଼େ ବଡ଼ ହୋଇ ଗଲେଣି । ତଥାପି କଥା କହି ପାରୁଛନ୍ତି । ହଁ, ଏ କୋଠାଗୁଡ଼ାକ ଭିତରେ ଏଠି ଆକାଶଟା ଭାରି ସାନ ହୋଇ ଦିଶୁଛି । ଯିଏ ଯେତେବେଳେ ହେଲେ ମଧ୍ୟ ଶାନ୍ତିନିକେତନକୁ ଆସିଥିବ, ସିଏ ଏହି ଆକାଶ ସହିତ ସିନା ଆତ୍ମୀୟତା ଅର୍ଜନ କରିବାକୁ ଆସିଥିବ । ତେବେ, କୋଉ ବୁଦ୍ଧିରେ ପଡ଼ି କିଏ ଉଚ୍ଚ ଉଚ୍ଚ କୋଠାଗୁଡ଼ାକୁ ତିଆରି କରିବାଲାଗି ମନ କଲା କେଜାଣି ? ନିଜେ ଉଚ୍ଚ ହୋଇ ଦିଶିବା ଲାଗି ମଣିଷ ବା କେତେକ ମଣିଷ କୋଠାଗୁଡ଼ାକୁ ଉଚ୍ଚ କରି ତିଆରି କରିବାପାଇଁ ମନ କରନ୍ତି କି ? ଭିତରେ କୋଉଠି କ’ଣ ସାନ ହୋଇ ଦିଶିଲେ ସମ୍ଭବତଃ ମଣିଷ ତା’ ବାହାରେ ଏହି ବହୁବିଧ କଂକ୍ରିଟ୍ ଓ କୋଠାଗୁଡ଼ାକର ମାଧ୍ୟମରେ ଟିକିଏ ଉଚ୍ଚ ହୋଇ ଦିଶିବ ବୋଲି ଅଭିଳାଷ ପୋଷଣ କରିଥାଏ । ଶାନ୍ତିନିକେତନର ହୃଦୟ ଆଜି ମଧ୍ୟ ମଣିଷମାନଙ୍କର ହୃଦୟ ଲାଗି ଅପେକ୍ଷା କରି ରହିଛି । ଆପଣାର ହୃଦୟକୁ ହିଁ ସବା ଆଗରେ ରଖି ବାଟ ଚାଲିବାକୁ ମଣିଷ ଲାଗି ଶାନ୍ତିନିକେତନର ଭଣ୍ଡାରରେ ଏବେ ମଧ୍ୟ କେତେ ସ୍ନେହ କେଡ଼େ ଦୀପ୍ତ ହୋଇ ରହିଛି । ଏଠି ସମସ୍ତେ କହୁଛନ୍ତି, କାଳ ବଦଳିବାରୁ ଶାନ୍ତିନିକେତନ ବଦଳିଗଲା । ମୁଁ ସେମାନଙ୍କୁ ପଚାରିବି, ଶାନ୍ତିନିକେତନ କାଳକୁ ବଦଳାଇ ପାରିଲେନାହିଁ କାହିଁକି ? ଶାନ୍ତିନିକେତନର କର୍ତ୍ତାମାନେ କାଳକୁ ଅନ୍ତତଃ ରୋକି ପାରିଲେନାହିଁ କାହିଁକି ?

 

୨୪ । ୩ । ୯୦

 

ଘରୁ ଅନୁକୂଳ କରି ଗଲାବେଳେ ସତେଅବା ଗୃହପ୍ରବେଶ କରୁଥିବା ପରି ମନେ ହୋଇଥାଏ । ପ୍ରବାସ କରି ଯିବାକୁ ରୀତିର ସେହି ଗେଲବସର ଯୁଗଟିରେ ଲୋକେ, ବିଶେଷତଃ କବିମାନେ ଏକ ପ୍ରମାଦ ବୋଲି ଗଣୁଥିଲେ । ପ୍ରବାସରେ ଅର୍ଥାତ୍ ପ୍ରମାଦରେ ସାହା ହେବାକୁ ଭକ୍ତମାନେ ଦେବୀଙ୍କୁ ବିଶେଷ ଭାବରେ ପ୍ରାର୍ଥନା କରୁଥିଲେ । ଏବେ ମଧ୍ୟ କେତେ ଲୋକ ସେହିପରି ଅବଶ୍ୟ କରୁଥିବେ । ଏ ଗୃହ ଆଉ ସେ ଗୃହ ଭିତରେ ମୁଁ କୌଣସି ପାର୍ଥକ୍ୟ ଦେଖି ପାରେନାହିଁ । ସେଥିପାଇଁ ମୋତେ ଡର ବି ଲାଗେନାହିଁ । ମଝିରେ ଗାରଟାଏ ଟାଣିଲେ ସିନା ମଣିଷକୁ ଡର ମାଡ଼ିବ !

 

ଆଗ ପ୍ରବାସ ନା ଆଗ ଘର କେଜାଣି ? ଯିଏ ଘରେ ଅଛନ୍ତି ଏବଂ ପ୍ରବାସରେ ଅଛନ୍ତି, ସିଏ ମୋ’ର ଅନ୍ତର ଭିତରେ ପୂରି ରହିଛନ୍ତି । ସିଏ ମୋ’ର ପାଖେ ପାଖେ ଅଛନ୍ତି, ସାଥୀହୋଇ ବାଟ ଚାଲୁଛନ୍ତି । ତାଙ୍କୁ ମୁଁ ପ୍ରବାସୀ ବୋଲି କହିବି ନା ଗୃହୀ ବୋଲି କହିବି ? ତେଣୁ, ତଥାକଥିତ ପ୍ରବାସରେ ଥିଲାବେଳେ ମଧ୍ୟ ମୋତେ ଗୃହରେ ଥିବାପରି ମନେହୁଏ । ଗୋଟିଏ ଗୋଟିଏ ଜାଗାରେ ପହଞ୍ଚିଲାବେଳକୁ ମୁଁ ଏକାବେଳେକେ ନୂଆ ଲୋକମାନଙ୍କୁ ଯାଇ ଭେଟେ । ତଥାପି ସେମାନଙ୍କୁ ନିଜର କରିନେବାକୁ ବା ସେମାନଙ୍କ ଘରେ ନିଜର ହୋଇଯିବାକୁ ମୋତେ ଆଦୌ ବେଶୀ ସମୟ ଲାଗେନାହିଁ । ସେମାନଙ୍କ ସଙ୍ଗରେ ମଧ୍ୟ ଥାଆନ୍ତି । ତେଣୁ, ତାଙ୍କରି ମାଧ୍ୟମରେ ଚାହୁଁ ଚାହୁଁ ସମସ୍ତଙ୍କ ସହିତ ଚିହ୍ନା ହୋଇଯାଏ । ଆଜି ସଞ୍ଜକୁ ମୁଁ ସେହି ନୂତନ ଜାଗାଟିରେ ପହଞ୍ଚିଲେ ମଧ୍ୟ ତାହାହିଁ ଘଟିବ । ମୋଟେ କିଛି ବାରଣ ରହିବନାହିଁ । ତାଙ୍କରି କାମରେ ମଣିଷ ଯୁଆଡ଼େ ଯିବ, ସିଏ କେବଳ ତାଙ୍କୁ ହିଁ ଭେଟିବ, ସମଗ୍ର ପୃଥିବୀଟାକୁ ସେ ସତେଅବା ହାତରେ ଡଉଁରିଆ କରି ପିନ୍ଧିଥିବ । ପୃଥିବୀକୁ ସାଙ୍ଗରେ ଧରି ସେ ପୃଥିବୀରେ ବିଚରଣ କରୁଥିବ । ମୋ’ ଭିତରେ ଥିବା ସେହି ଭାଗ୍ୟବାନ୍ ଉଦ୍ଦେଶ୍ୟରେ ଆଜି ମୁଁ ପ୍ରଣାମ ଜଣାଉଛି ।

 

୧୦ । ୪ । ୯୦

 

ଦେଖିଲା ମାତ୍ରକେ ସମସ୍ତେ ସବାଆଗ ପଚାରୁଛନ୍ତି, ଦେହ ଭଲ ଅଛି ତ ? ଅବଶ୍ୟ କେବଳ ବୟସ୍କମାନେ ହିଁ ଏପରି ପଚାରୁଛନ୍ତି । ଏ ଦେହ ଯେ କାହିଁକି ଭଲ ଅଛି, ସେକଥା କେବଳ ସେହି ଦେହ ଜାଣିଛି । ଯେଉଁ ନିଷ୍ପତ୍ତିଟି କରିନେଇ ପାରିଲେ ଯାବତୀୟ ପ୍ରକାରର ରୁଗ୍‌ଣତା ଆପେ ଆପେ ଛାଡ଼ି ପଳାଏ, ଦେହ ଖୁବ୍‍ସମ୍ଭବ ସେହିଭଳି ଏକ ନିଷ୍ପତ୍ତି କରିନେଇଛି । ସିଏ କେବେ ଅମର ହୋଇ ରହିବାର ଆସ୍ପର୍ଦ୍ଧା କରିନାହିଁ, କେବଳ ସତତ କାମରେ ଲାଗିବାର ଆସ୍ପର୍ଦ୍ଧା ରଖିଆସିଛି ।

 

ହଁ, ଏହି କାମରେ ଲାଗିବାଟା ହିଁ ଅସଲ ରହସ୍ୟ । କିଏ କାମରେ ଲଗାଉଛି, ଆଗ ତାହାର ହିସାବ ନମାଗି କେବଳ ପୂର୍ଣ୍ଣ ସମ୍ମତି ଓ ପୂର୍ଣ୍ଣ ପ୍ରସନ୍ନତା ସହିତ କାମରେ ଲାଗିବା, ଜୀବନକୁ ଗୋଟାସୁଦ୍ଧା ପାଇବାକୁ ଅର୍ଥାତ୍ ଗୋଟାସୁଦ୍ଧା ଅନୁଭବ କରି ପାରିବା ଲାଗି ତାହାହିଁ ସକଳ ରହସ୍ୟ ଲାଗି ଯନ୍ତ୍ର ହୋଇ ରହି ପାରିବାର ଉପାୟ । ମୁଁ ଯାହାର କାମରେ ଲାଗୁଛି, ତାଙ୍କ ପାଖରେ ମୁଁ କେବେହେଲେ ଏକ ନୀରୋଗ ଦେହର ଯାଚନା କରିନାହିଁ । ତାଙ୍କରି କାମରେ ଲାଗି ପାରିବି ବୋଲି ଅତ୍ୟନ୍ତ ସହଜ ଭାବରେ ଭିତରେ କିଏ ନିଷ୍ପତ୍ତି କରିନେଇଛି, ସମ୍ଭବତଃ ତାହାହିଁ ହେଉଛି ସବୁକିଛି କଥା । ସେଇ ଭିତରେ ହିଁ ମୋ’ ସହିତ ହୁଏତ ସେଇ କେଉଁଠାରେ ସତତ ଅବସ୍ଥିତ ଅଛନ୍ତି, ମୋତେ ସେଠି ଜନନୀ ପରି ଆଶ୍ରୟ ଓ ଅଭୟ ଦେଇ ରଖିଛନ୍ତି, ଯାହାଫଳରେ କି ମୋ’ ଭିତରକୁ ରୋଗ ପଶି ପାରୁନାହିଁ । ଅସଲ ନିଷ୍ଟତ୍ତିଟିକୁ କରି ନପାରିଥିବା,–ତାହାହିଁ କ’ଣ ସକଳ ରୋଗର କାରଣ କି ? ଆଗ, ସବାଆଗ ସେହି ନିଷ୍ପତ୍ତିଟି କରିବା ପୂର୍ବରୁ ଆମେ ତାଙ୍କ ପାଖରୁ ଆଶ୍ରୟ ଓ ଅଭୟ ମାଗିବାକୁ ମନ କରିଥାଉ, ତାହାହିଁ ଆମକୁ ତାଙ୍କଠାରୁ ସର୍ବଦା ସୂତ୍ରଛିଣ୍ଡା କରି ରଖିଥାଏ କି ? ଏହି ସୂତ୍ରଛିଣ୍ଡା ହୋଇ ରହିବାର ଦାଉଟାକୁ ସମ୍ଭବତଃ ସବାଆଗ ଦେହଟାକୁ ହିଁ ସହିବାକୁ ହୋଇଥାଏ । ପ୍ରାୟ ସବୁଯାକ ମାଡ଼ ତାହାରି ଉପରେ ପଡ଼େ । ଜୀବନରେ, ଭିତରେ ଏବଂ ବାହାରେ ଏକ ମୂଳଭୂତ ଅନିଚ୍ଛା ରହିଥିବା ପର୍ଯ୍ୟନ୍ତ ଦେହ ବିଚରା ଭାରି ଅରକ୍ଷିତ ହୋଇ ରହିଥାଏ । ଅସଲ ଇଚ୍ଛାଟି ପ୍ରସରି ପାରିଲେ ସତେଅବା ବହୁକାଳରୁ ଅପେକ୍ଷା କରି ରହିଥିବା ପରି ଦେହ ମଧ୍ୟ ସଙ୍ଗେ ସଙ୍ଗେ ମୁକୁଳିତ ହୋଇଉଠେ, ତାଙ୍କରି ଆଦେଶ ମାନିବାକୁ ଯୋଡ଼ିହସ୍ତ ଓ ପ୍ରଫୁଲ୍ଲ ହୋଇ ଆସି ଛିଡ଼ା ହୋଇଯାଏ । ସେହି ଦେହର ଜୟ ହେଉ ।

 

୧୫ । ୭ । ୯୦

 

ବାହାରେ କେହି ରୁକ୍ଷତା ପ୍ରକାଶ କଲେ ତାହା ଅହଂଟାକୁ ହିଁ ବାଧେ, ଆତ୍ମାକୁ ଆଦୌ ବାଧେନାହିଁ । ତା’ର ସବୁଠାରୁ ବଡ଼ କାରଣ ସମ୍ଭବତଃ ହେଉଛି ଯେ, ଅହଂ ଆଉଜଣେ ମଣିଷର କେବଳ ଉପରଟାକୁ ହିଁ ଦେଖେ, ଆଉଜଣେ ମଣିଷ କେବଳ ଗୋଟାଏ ଅହଂ ହୋଇଥିବ ବୋଲି ସଂସ୍କାରତଃ ଗ୍ରହଣ କରି ନେଇଥାଏ । ଆତ୍ମା ଉପରଟାକୁ ଭେଦି ଗଭୀରକୁ ଯାଏ, ଅସବ ଗହଳଟାକୁ ଦେଖିପାରେ, ଏବଂ ସେଠାରେ ସତେଅବା ଜଣେ ସମଧର୍ମୀ, ସହଚାରୀ ବ୍ୟତୀତ ସିଏ ହୁଏତ ଆଉ କିଛିହେଲେ ଦେଖି ପାରେନାହିଁ । ତା’ଠାରୁ ଆଘାତ ପାଇବାର କୌଣସି ଅବକାଶ ହିଁ ନଥାଏ ।

 

ଆତ୍ମା ଫୁଲ ପରି କୋମଳ । ଫୁଲପରି ଖୋଲା, ଫୁଲପରି ଆପଣାକୁ ଦେଇଦେବା ପାଇଁ ପ୍ରସ୍ତୁତ । ବାହାରେ ମଣିଷମାନଙ୍କର ସମ୍ପର୍କରେ ଆସିଲାବେଳେ ଯାହା ସତକୁ ସତ ଖାଲି ଉପରଟାରେ ମୋଟେ ମଙ୍ଗି ଯାଏନାହିଁ । ଦ୍ଵାରୋଦ୍‌ଘାଟନ କରି ଏକାବେଳେକେ ଭିତରେ ଯାଇ ପହଞ୍ଚିବାକୁ ମନ କରେ । ଯେଉଁଠି ଦ୍ଵାର ବା ଦ୍ଵାରଗୁଡ଼ିକ ବନ୍ଦ ହୋଇ ରହିଥାଏ, ସେଠାରେ ସେ ଆଘାତ କରେ, ସତେଅବା ଅତ୍ୟନ୍ତ ବ୍ୟାକୁଳତା ସହିତ ଆଘାତ କରେ । ଅନ୍ୟଜଣର ଅହଂକୁ ତାହା ନିଶ୍ଚୟ ଆଘାତ ବୋଲି ମନେ ହେଉଥିବ । ସଂସ୍କାରବାଦୀ ଓ ସମ୍ମାନସଚେତନ ଖୋଳଟାକୁ ତାହା ଅତ୍ୟନ୍ତ ନିର୍ମମ ଓ ରୂକ୍ଷ ବୋଲି ମନେ ହେଉଥିବ । ତାମସାକୁ ସତ୍ୟ ମଧ୍ୟ ସେହିପରି ରୂକ୍ଷ ବୋଲି ମନେ ହୁଏ ନାହିଁ କି ? ଆପଣାକୁ ଘୋଡ଼ାଇ ରଖିବାଲାଗି ହିଁ ସତତ ସବୁଯାକ ସାଧନା କରୁଥିବା କାହା ଉପରୁ ଆବରଣଟାକୁ, କାଢ଼ି ଲୁଗାଟାକୁ ପକାଇବାର ଉଦ୍ୟମ କଲେ ହିଁ ତେଣୁ ପ୍ରତିରୋଧ ଆରମ୍ଭ ହୋଇଯାଏ । ଏବଂ, ପ୍ରତିରୋଧ କରୁଥିବା ବ୍ୟକ୍ତିକୁ, ଆପଣା ଭିତରେ ଆପଣାକୁ କିଳି ରଖିବାଲାଗି ପ୍ରାଣପଣ ଚେଷ୍ଟା କରୁଥିବା ମଣିଷକୁ ଏସବୁ ଯାବତୀୟ ବ୍ୟାପାର ଅତ୍ୟନ୍ତ ରୂକ୍ଷତା ଓ ନିର୍ମମତା ପରି ଅନୁଭବ ହେବା ବଡ଼ ସ୍ଵାଭାବିକ । ତେଣୁ, ତାକୁ ଆଦୌ ମାନିବା ଉଚିତ ନୁହେଁ । ସକଳ ପ୍ରତିରୋଧର ତଳେ ବନ୍ଧୁଟିଏ ଥାଏ । ଆତ୍ମାଟି ଥାଏ । ସିଏ ସାଙ୍ଗ ଚାହୁଁଥାଏ, ସିଏ ଦ୍ଵାରୋଦ୍‌ଘାଟନ ଚାହୁଁଥାଏ । ତାହାରି ପାଖରେ ଯାଇ ପହଞ୍ଚି ପାରିବା ଉଚିତ ।

 

୧୬ । ୭ । ୯୦

 

କୋଉଠି କାହାଘରୁ ଚକୁଳି ପିଠା ଖାଇବାକୁ ପାଇଲେ ପିଠା ପରଷି ଦେଉଥିବା ହାତକୁ ଅନାଇ ମୁଁ ବୋଉ ହାତର ଅନୁଭୂତି ପାଇଯାଏ । ବୋଉ ସହିତ ଚକୁଳି ପିଠାର ସତେଅବା ଏକ ଘନିଷ୍ଠା association ମୋ’ ଜୀବନରେ ରହି ଆସିଛି । ଏବଂ, ବୋଉ ସହିତ, ମୋ’ ସମଗ୍ର ପିଲାଦିନଟିର ଏବଂ ସେହି ପିଲାଦିନଟିକୁ ଏତେ ଏତେ ଜୀବନ୍ତ ପ୍ରତୀକାତ୍ମକ ଅନୁଭାବରେ ପୂର୍ଣ୍ଣକରି ରଖିଥିବା ମୋ’ ଗାଆଁଟିର ମଧ୍ୟ ଏକ ଘନିଷ୍ଟ association ରହିଆସିଛି ।

 

ଜୀବନରେ ଆଗକୁ ଆଗକୁ ଯାଇ ମୁଁ ଯେତେ ଯେଉଁଠି ଯାହାକିଛି ସ୍ପର୍ଶ ପାଇଛି, ସେଠାରେ ସତେଅବା ମୋ’ ଗାଆଁର ସେହି ସର୍ବପ୍ରଥମ ସ୍ପର୍ଶର ଦପଣ ଉପରେ ମୁଁ ସେହି ସବୁଗୁଡ଼ିକୁ ଅନୁଭବ କରିଛି । ଏବଂ, ସେହି କାରଣରୁ ହିଁ ଜଗତରେ ସବୁ ସ୍ପର୍ଶ ଓ ତଜ୍ଜନିତ ସବୁ ପରିଚୟ ମୋତେ ଏତେ ଭଲ ଲାଗିଛି, ଭେଦବାରିପାରିବା ପୂର୍ବରୁ ମୁଁ ଫାନ୍ଦରେ ପଡ଼ିଯାଇଛି, ନିବିଡ଼ ଭାବରେ ବାନ୍ଧିହୋଇ ଯାଇଛି । ଦୂରତାଗୁଡ଼କୁ, ପାର୍ଥକ୍ୟଗୁଡ଼ାକୁ ନିରୂପଣ କରି ପୃଥିଥିରେ କୌଣସି ଏକ ସଂସ୍କୃତିକୁ ଚିହ୍ନିବା,–ସେହି ପାଣ୍ଡିତ୍ୟ ଦନ୍ତୁରିତ ଦାରିଦ୍ର୍ୟ ମୋ’ ପରିଚୟ ଜୀବନରେ କେବେ ଭୋଗିବାକୁ ପଡ଼ିନାହିଁ । ଅନେକ ମଣିଷ ସହରକୁ ଆସି ଗାଆଁକୁ ଝୁରନ୍ତି, ଦୂରକୁ ଗଲେ ନିକଟକୁ ଝୁରିବାରେ ଲାଗିଥାନ୍ତି । ମୁଁ ଏପରି କେବେ ଝୁରେନାହିଁ; କାରଣ, ସହର ଭିତରେ ମୁଁ ଗାଆଁକୁ ସାଙ୍ଗରେ ନେଇ ପଶେ, ନିକଟଟିକୁ ସାଙ୍ଗରେ ନେଇ ଦୂର ଭିତରେ ପଶେ; ମୋ’ ପରିଚିତଗୁଡ଼ିକୁ ନେଇ ଅପରିଚିତ ଭିତରେ ପଶେ, ସମ୍ଭବତଃ ସେଇଥିଲାଗି ଏକାବେଳେକେ ହୃଦୟଯାଏ ଚାଲି ଯାଇପାରେ । ଗୋଟାସୁଦ୍ଧା ନିଜର ହୋଇଯାଏ, ତେଣୁ ନିଜର କରିନେବା ନିମନ୍ତେ ମୋତେ ଆଉ କୌଣସି ସ୍ଵତନ୍ତ୍ର ଶ୍ରମସାଧନା କରିବାକୁ ପଡ଼େନାହିଁ । ଅପରିଚିତର ସବାଗଭୀରରେ ସେହି ଅତିପ୍ରିୟ ପରିଚିତଟି ରହିଛି, ଯାହାକୁ ମୁ ଅନୁକ୍ଷଣ ଏତେ ନିବିଡ଼ ଭାବରେ ନିଜ ଭିତରେ ଅନୁଭବ କରି ପାରୁଛି, ଯାହାକୁ ମୁଁ ବହନ କରି ରହିଛି । ତେଣୁ, ଡର ମାଡ଼ିବା ପୂର୍ବରୁ ହିଁ ମୁଁ ବାନ୍ଧିହୋଇ ଯାଇଥାଏ । ଏବଂ, ବାନ୍ଧିହୋଇ ଯିବାପରେ ଆଉ ଭୟ କରିବାର କୌଣସି ଅବକାଶ ହିଁ ନଥାଏ ।

 

୧୭ । ୭ । ୯୦

 

ଭଗବାନଙ୍କ ପାଖରେ ପ୍ରମାଣ ଜାଣଉଥିବା ସମୟରେ ମୁଁ କେବେହେଲେ ତାଙ୍କୁ ମୋ’ର ଦୁଃଖ ଜଣାଏନାହିଁ, କେବଳ ନିଜକୁ ନେଇ ତାଙ୍କ ପାଖରେ ଆଣି ଥୋଇଦିଏ । ଆଶ୍ରମରେ ସବୁଥର ଯାହା କରିଛି, ଏଥର ମଧ୍ୟ ତାହାହିଁ କରୁଛି ।

 

ତଥାପି, ଏଥର ମୁଣ୍ଡ ନୂଆଁଇଦେବା ମାତ୍ରକେ ତାଙ୍କର ଚରଣଯୁଗଳକୁ ସ୍ପର୍ଶ କରିବା ମାତ୍ରକେ, ଭିତରୁ ଗୋଟିଏ ଯାଚନା ମଧ୍ୟ ମୋ’ ଭିତରୁ ଅତ୍ୟନ୍ତ ବ୍ୟାକୁଳ ଭାବରେ ବାହାରି ଆସୁଛି ଓ ମୋ’ ପାଟିକୁ କହିହୋଇ ଯାଉଛି । ମୁଁ ଆମର ସ୍କୁଲଗୁଡ଼ିକ ଲାଗି ପ୍ରାର୍ଥନା କରୁଛି । ଗୋଟି ଗୋଟି କରି ସବୁ ସ୍କୁଲକୁ ଆଣି ସେଇଠି ଥୋଇ ଦେଉଛି । ଏଗୁଡ଼ିକର କଥା ତୁମେ ବୁଝ ବୋଲି ପାଟିରୁ ଅଲିଅଳ ଭାଷାଟିଏ ବି ବାହାରି ଆସୁଛି । ସତେଅବା ମୁଁ ତାଙ୍କୁ ଅନୁନୟ କରି ଏହି ସ୍କୁଲଗୁଡ଼ିକୁ ହାତ ଧରି ନେଇ ଯାଉଛି । ସିଏ ବି ସତକୁ ସତ ମୋ’ ସହିତ ଯାଉଛନ୍ତି । କୋଉଠି କୋଉ ସ୍କୁଲରେ ସବୁ ଅଛି ଏବଂ ସେହି ସବୁ ଥିବାର ଦମ୍ଭରେ କିଏ ସତେଅବା ସବୁ ହୋଇଗଲା ବୋଲି ଦମ୍ଭ କରୁଛି ଓ ତେଣୁ ନିଜର ଆଉ ଗୋଟେ କିଛିହେଲେ ହେବାକୁ ନାହିଁ ବୋଲି ଆଣ୍ଟ କରି ରହିଛି; ତାଙ୍କୁ ମୁଁ ଡାକି କରି ତା’ପାଖକୁ ନେଇଯାଉଛି ଓ ତା ମୁଣ୍ଡରେ ହାତ ମରାଇ ଆଣୁଛି । ଆଉ କେଉଁଠି ମଣିଷ ଅଛନ୍ତି, ଅର୍ଥାତ୍ ହୃଦୟ ମହଜୁଦ ରହିଛି, ଅଥଚ ସର୍ବନିମ୍ନ ସମ୍ବଳ ମଧ୍ୟ ନାହିଁ । ମୁ ସେଠାକୁ ମଧ୍ୟ ତାଙ୍କୁ ବାଆଁରେଇ ମାଗୁଣି କରି ନେଇଯାଉଛି । ବିଶ୍ଵାସ ହେଉଛି, ଏଥର ସେଠାରେ ମଧ୍ୟ ଖାଲି ସେର ଏବଂ ଖାଲି ମାଣଗୁଡ଼ିକ ନିଶ୍ଚୟ ସମ୍ବଳରେ ଭରି ଉଠିବ ଓ ସେଥିରୁ ମଧ୍ୟ ଆଗକୁ ଯିବାକୁ କେତେ ବଳ ମିଳିବ । ତାଙ୍କୁ ଏଭଳି ମାଗିବା ଦ୍ଵାରା ମୁଁ କିଛି ଅପରାଧ କରୁଛି କି ? ଏହି ଶିକ୍ଷାକେନ୍ଦ୍ର ଗୁଡ଼ିକୁ ମୁଁ ନିଜ ଜାଲରେ ବାନ୍ଧି ପକାଇ ସେଗୁଡ଼ିକୁ ସତେଅବା ଏକାକୀ ବୋହିନେବାରେ ଘମଣ୍ଡୀପଣ ଦେଖାଉଛି କି ? ଏକଥା କେବଳ ସେଇ ଜାଣନ୍ତି । ମାତ୍ର, ଯଦି ମୁଁ ଘମଣ୍ଡୀପଣ କରୁଥାନ୍ତି, ତେବେ ମୁଁ ଯାଚନା କଲା ମାତ୍ରକେ ସେ କଦାପି ସେହିସବୁ ସ୍କୁଲକୁ ଯାଉ ନଥାନ୍ତେ । ସେହି ସ୍କୁଲଗୁଡ଼ିକ ମୂଳତଃ ତାଙ୍କରି । ସେଇଥିଲାଗି ସେ ଡାକିଲା ମାତ୍ରକେ ଗୋଡ଼ି କାଢ଼ି ବାହାରି ଯାଉଛନ୍ତି । ସେଗୁଡ଼ିକ ସେହିପରି ତାଙ୍କରି ହୋଇ ରହିଥାଉ । ଏବଂ, ନିଜର ଭାବି ସିଏ ସେଗୁଡ଼ିକର ଯାବତୀୟ କ୍ଷତକୁ ବାରବାର ପୂରଣ କରି ଦେଉଥାନ୍ତୁ ।

 

୧୮ । ୭ । ୯୦

 

ଅନ୍ତତଃ ମୋ’ ନିଜ ଜୀବନରେ ମୁଁ ଇତିହାସର ପୁନରାବୃତ୍ତି ହେବାକୁ ଦେବିନାହିଁ । ଯିଏ ବାଟ ଚାଲିବ, ସିଏ ପୁନରାବୃତ୍ତିର ଅପଧର୍ମ ଭିତରେ କଦାପି ଲୋସଡ଼ି ପଡ଼ିବାକୁ ମନ କରିବନାହିଁ । ଗୋଟିଏ ପାହାଚ ଉପରେ ଗୋଡ଼ ଦେଇ ସେ ଆଉଗୋଟିଏ ପାହାଚକୁ ସତତ ଉଠି ଚାଲି ଯାଉଥିବ । ଏହି ବାଟ ଚାଲିବାଟା ହିଁ ସତ୍ୟ । ଗୋଟାଏ ପୁଡ଼ିଆ ବା ପୁଟୁଳାକୁ କାମୁଡ଼ି ପଡ଼ିରହିବା କଦାପି ସତ୍ୟ ନୁହେଁ । ପୁଟୁଳାବାଦୀମାନେ ସତତ ଧୋକାରେ ପଡ଼ିଛନ୍ତି, ଦେଉଳ ତୋଳି ଆଡ଼ମ୍ବର କରୁ କରୁ ସେମାନେ ବେଢ଼ା ଭିତରେ ବନ୍ଦୀ ହୋଇ ରହିଛନ୍ତି । ବେଢ଼ା ଭିତରେ ବୁଢ଼ା ହୋଇ ରହିଛନ୍ତି ।

 

ଭାରତବର୍ଷରେ ଧର୍ମ ଓ ରାଜନୀତିର କ୍ଷେତ୍ରରେ ଏହି ପୁଟୁଳାବାଦର ପ୍ରକୋପ ମୋ’ ଚାରିପାଖରେ ଭାରି ପ୍ରବଳ ହୋଇ ଉଠୁଛି । ଏମାନେ ସମ୍ଭବତଃ କୌଣସି ବାଟ ଚାଲିବେ ନାହିଁ ବୋଲି କ୍ରମେ ସଂକଳ୍ପ କରି ବସି ସାରିଲେଣି । ଏମାନେ ପରିବର୍ତ୍ତନକୁ ଡରୁଛନ୍ତି, ଭଗବାନଙ୍କ ଠାରୁ ନିଜର ଖଟୁଲିଟି ଉପରେ ହିଁ ଅଧିକ ଅନୁରାଗ ରଖିବାର ପାଲରେ ପଡ଼ି ଯାଇଛନ୍ତି । ପଣ୍ଡାମାନେ କେଡ଼େ ପାଟି କରି ଯାତ୍ରୀମାନଙ୍କୁ ଅଟକି ଯିବାର ପ୍ରବର୍ତ୍ତନାମାନ ଦେବାରେ ଲାଗିଛନ୍ତି । ମଠ ଗୁଡ଼ାକ ଏମାନଙ୍କୁ ସତେଅବା ଭାରି ମାୟାରେ ପକାଇ ଦେଇଛନ୍ତି । ବିଚରା ଏହି ଗଡ଼ିଆ ଭିତରେ ବୁଡ଼ି ମରିବା ବ୍ୟତୀତ ଏମାନଙ୍କର ଆଉ ଅନ୍ୟ କୌଣସି ଗତି ନାହିଁ । କୋଠା ପରେ କୋଠା ଗଢ଼ା ହୋଇ ଚାଲିଛି, ଏହି ଗୁଡ଼ାକ ଭିତରେ ଶାନ୍ତିରେ ରହିବେ ବୋଲି ସେମାନେ କେତେ ମସୁଧା କଲେଣି । ଭଗବାନ ଏମାନଙ୍କୁ ଶାନ୍ତି ଦିଅନ୍ତୁ । ମାତ୍ର, ଆହୁରି ଆଗକୁ ଗୋଡ଼ ପକାଇବା ଲାଗି ପୃଥିବୀଯାକର ତରୁଣ ଦଳ ଯେ ତିଆରି ହେଲେଣି, ସେହି ବାରତା ଏମାନଙ୍କୁ ପ୍ରକୃତରେ କିଏ ଆଣିଦେବ ? ଏଣିକି ତରୁଣ ତରୁଣ ଭିତରେ dialogue ସୁରୁହେବ । ସେହି dialogue ହିଁ ଆଗକୁ ବାଟ କାଢ଼ିବ । ଧର୍ମ ପୁଟୁଳାଗୁଡ଼ାକୁ ପଛରେ ରଖି ଆଧ୍ୟାତ୍ମିକତା ଆଗକୁ ବାହାରିଯିବ । ଅହଂକାମୀମାନେ, ଅଳପମାନେ, ଭୟାଳୁମାନେ ପଛରେ ରହିଯିବେ ।

 

୧୯ । ୭ । ୯୦

 

ଜୀବନରେ ସତକୁ ସତ ଫୁଟି ଉଠିଥିବା ମଣିଷ ଆଉ କାହାଉପରେ କଦାପି କର୍ତ୍ତୃତ୍ଵ ଦେଖାଇବାକୁ ମନ କରେନାହିଁ । ଯିଏ ସତକୁ ସତ ଫୁଟି ଉଠିଥାଏ, ହୁଏତ କେବଳ ସେଇ ଆଉ ସମସ୍ତଙ୍କୁ ମଧ୍ୟ ଫୁଟି ଉଠିବାକୁ ଦିଏ । ସେହି ହିସାବରେ ହୁଏତ ଗୁରୁ ମଧ୍ୟ ଦୁଇ ପ୍ରକାରର ଥାଆନ୍ତି । ଥୋକେ କର୍ତ୍ତୃତ୍ଵ ବିସ୍ତାର କରନ୍ତି ଏବଂ ଆଉ ଥୋକେ ଫୁଟି ଉଠିବାକୁ ଦିଅନ୍ତି । ଯିଏ ନିଜେ ଫୁଟି ଉଠିଥାଏ, ସିଏ କଦାପି କର୍ତ୍ତୃତ୍ଵର ବଳରେ, ବୟସର ବଳରେ ଏବଂ ଅଧିକ ଜ୍ଞାନ କିମ୍ବା ଅଭିଜ୍ଞତାର ଅଧିକାରରେ ଆଉ କାହାରି ଫୁଟି ଉଠିବାକୁ ଦିଅନ୍ତି । ଯିଏ ନିଜେ ଫୁଟି ଉଠିଥାଏ, ସିଏ କଦାପି କର୍ତ୍ତୃତ୍ୱର ବଳରେ, ବୟସର ବଳରେ ଏବଂ ଅଧିକ ଜ୍ଞାନ କିମ୍ୱା ଅଭିଜ୍ଞତାର ଅଧିକାରରେ ଆଉ କାହାରି ଫୁଟି ଉଠିବାର ଅଧିକାରଟିକୁ ଅପହରଣ କରି ନେବାଲାଗି ଇଚ୍ଛା କରେନାହିଁ । ଅନ୍ୟର ଫୁଟି ଉଠିବାରେ ହିଁ ସିଏ ସବୁଠାରୁ ଅଧିକ ଆନନ୍ଦ ପାଏ । ତେଣୁ, ନିଜର ଶିଷ୍ୟମାନଙ୍କ ସହିତ ତା’ର ଏକାବେଳେକେ ଏକ ଭିନ୍ନ ପ୍ରକାରର ସମ୍ବନ୍ଧ ଥାଏ । ସିଏ ସଂସାରରେ ସଂପୃକ୍ତ ସମସ୍ତଙ୍କ ଲାଗି ଅନୁରାଗୀ ସାଥୀ ହୋଇ ରହିଥାଏ; ସିଏ ଉତ୍ସାହ ଦିଏ, ବଳଦିଏ, ଏବଂ ସୁରକ୍ଷା ମଧ୍ୟ ଦେଇଥାଏ । ପ୍ରତ୍ୟେକ ବ୍ୟକ୍ତିକୁ ପ୍ରତ୍ୟେକର ନିଜସ୍ଵ ବାଟରେ ଚାଲିବାକୁ ଛାଡ଼ିଦେଇ ମଧ୍ୟ ସିଏ ସୁରକ୍ଷା ଦେଇଥାଏ । ତା’ର ସୁରକ୍ଷା ଦେବାରେ, ବାଟ ବଢ଼ାଇବାରେ ଆଦୌ କୌଣସି ସର୍ତ୍ତ ନ ଥାଏ ।

 

ଅନେକ ମଣିଷ ଆପଣାର ଗୋଟାଏ ପାଖକୁ ଭାରି ପାରଙ୍ଗମତା ସହିତ ଦବାଇ ରଖି ଅଥବା ଅନ୍ତରାଳକୁ ରଖିଦେଇ ଅନ୍ୟ ପାଖରେ ଆପଣାକୁ ସମୃଦ୍ଧ କରାଇ ଆଣିଥାନ୍ତି । ଇଏ ହେଉଛି ଆଉ ଏକ ପ୍ରକାରର ଉପଲବ୍‌ଧି । ଏଭଳିମାନେ ବି ଗୁରୁ ହୁଅନ୍ତି । ସଂସାରର ଅଧିକସଂଖ୍ୟକ ଗୁରୁ ହିଁ ହୁଏତ ଏହି କିସମର ଥାଆନ୍ତି । ସେମାନେ କୁମ୍ଭାର ମାଟି ଖୋଜି ବୁଲିଲା ଭଳି ଶିଷ୍ୟ ଖୋଜି ବୁଲନ୍ତି । ବୟସ ହୋଇଗଲେ ଅନ୍ତରାଳରେ ରହିଥିବା ସେମାନଙ୍କର ଆରପାଖଟା ମଧ୍ୟ ଏକ ଅସ୍ଵାଭାବିକ ପ୍ରଶ୍ରୟ ପାଇ ପଦାକୁ ବାହାରେ । ଅନ୍ୟମାନଙ୍କୁ ଶିଷ୍ୟଜ୍ଞାନରେ ସନ୍ତାପିତ କରି ଓ କ୍ଷୁନ୍ନ କରି ରଖି ସିଏ ନିଜେ ଏକଦା ସନ୍ତାପିତ ହୋଇଥିବାର କ୍ଷୁତିପୂରଣ କରେ । ଏହି ଗୁରୁମାନେ କେବଳ ଅଧୀନମାନଙ୍କ ପ୍ରତି ଅନୁରାଗୀ ହୁଅନ୍ତି । ଏମାନେ ଫୁଲଗୁଡ଼ିକୁ ଫୁଟାଇ ପାରନ୍ତିନାହିଁ । ଏବଂ, ଅସଲ ସନ୍ତାପଗୁଡ଼ିକୁ ମୋଟେ ହରଣ କରି ପାରନ୍ତିନାହିଁ ।

 

୨୦ । ୭ । ୯୦

 

ମୋ’ ବିଶ୍ଵାସକୁ ଯଦି ମୁଁ ମୋ’ ଚାରିପାଖରେ ମୋତେ ପରାଭୂତ କରି ରଖିବାକୁ ଚକ୍ରାନ୍ତ କରୁଥିବା ଅବିଶ୍ଵାସଟି ସହିତ ତରାଜୁରେ ପକାଇ ଓଜନ କରୁଥିବି, ତେବେ ଏ ବିଶ୍ଵାସ ଦିନେ ନା ଦିନେ ସ୍ଵୟଂ ପରାଭୂତ ହୋଇଯିବ । ମୋ’ ଅନ୍ତରାଗକୁ ଯଦି ମୁଁ ଏହି ସଂସାରଭର୍ତ୍ତି ବିରାଗ ସହିତ ମାପି କରି ଦେଖିବାକୁ ମନ କରୁଥିବି, ତେବେ ମୋ’ ଅନୁରାଗ ମୋତେ ଆଦୌ ବେଶୀ ଦୂର ନେଇଯାଇ ପାରିବନାହିଁ । ନାଇଁ, ନାଇଁ, ସେପରି ମୋଟେ ହେବନାହିଁ । ମୋ’ ବିଶ୍ଵାସ ଆପଣା ବଳରେ ସତକୁ ସତ ଠିଆ ହୋଇ ପାରୁଥିବ, ମୋ’ର ଅନୁରାଗ ଆପଣାର ଅଧିକାରରେ ସତକୁ ସତ ମୁକୁଳିତ ହୋଇ ଉଠି ପାରୁଥିବ । ତେବେଯାଇ ହେବ ।

 

ଆମେ କୁଆଡ଼େ ସମସ୍ତେ ବିଶ୍ଵାସରେ ରହିବାକୁ ଇଚ୍ଛା କରୁଥାଉ, ମାତ୍ର ସଂସାରଯାକ ଭରି ରହିଥିବା ଅବିଶ୍ଵାସଗୁଡ଼ିକ ହେତୁ ଆମର ସେହି ବିଶ୍ଵାସ ମୋଟେ ବିକଶିତ ହୋଇ ପାରେନାହିଁ-। ସେଥିଲାଗି ଅବିଶ୍ଵାସ ବିରୋଧରେ କୁତ୍ସାଗାନ କରି କରି ଆମର ବଳ ସରିଯାଏ । ଆମେ କୁଆଡ଼େ ସମସ୍ତେ କେତେ ଅନୁରାଗରେ ବଞ୍ଚିବାଲାଗି ଇଚ୍ଛା କରୁଥାଉ; ମାତ୍ର ସଂସାରଯାକ ତୁଚ୍ଛା ବିରାଗଗୁଡ଼ାକୁ ଦେଖି ଆମର ହାଲୁକ ଶୁଖିଯାଏ । ଏବଂ, ଆପଣାର ଅନୁରାଗଟିକୁ ଲୁଚାଇ ରଖି ଆମେ ସାବଧାନତାର ସହିତ ଘୋର ବିରାଗମୟ ଏହି ଜଗତରେ ଆପଣାକୁ ତିଷ୍ଠାଇ ରଖିବାକୁ ଚେଷ୍ଟା କରୁ ଓ ତାହାକୁ ଜୀବନ ସଂଗ୍ରାମ ବୋଲି କହୁ । ମୁଁ ସେହି ପ୍ରଲୋଭନ ଭିତରେ ପଡ଼ିବିନାହିଁ-। ମୋ’ ବିଶ୍ଵାସ ଖାଲି ମୋ’ର ବୁଦ୍ଧି ବା ଗଣିତଖାତା ଭିତରେ ଆବଦ୍ଧ ହୋଇ ରହି ନ ଥିବ, ତାହା ମୋ’ର ଦେହ ଭିତରକୁ ମଧ୍ୟ ଚରିକରି ରହିଥିବ । ବର୍ତ୍ତମାନ ଯେମିତି ଚରି କରି ରହିଛି, ଠିକ୍ ସେମିତି ରହିଥିବ । ମୋ’ର ଅନୁରାଗ ମୋତେ ଗତି ଦେଇ ରଖିଥିବା ଏହି ପବନ ପରି ମୋତେ ଘେରି ରହିଥିବ, ମୋ’ର ଯାବତୀୟ ବଣିଜରେ ଏକମାତ୍ର ମୁଦ୍ରା ହୋଇ ରହିଥିବ । ତେବେଯାଇ ମୁଁ ଥଳ ପାଇ ପାରୁଥିବି । ତେବେଯାଇ ଆପଣାର ବିଶ୍ଵାସ ଓ ଆପଣାର ଅନୁରାଗକୁ ବଞ୍ଚିବା ଲାଗି ନିଜ ଭିତରୁ ବଳପାଇ ପାରୁଥିବି । ନିଜକୁ ପ୍ରସାରିତ କରି ଧରି ମୁଁ ସଂପୃକ୍ତ ସମସ୍ତଙ୍କୁ ସ୍ପର୍ଶ କରି ପାରୁଥିବି ।

 

୨୧ । ୭ । ୯୦

 

ମଣିଷ ସଂସାର ଛାଡ଼ି ଆଶ୍ରମକୁ ଆସେନାହିଁ । ଅହଂଟାକୁ ଛାଡ଼ିଦେବା ମାତ୍ରକେ, ସିଏ ଯେଉଁଠାରେ ଥାଉ ପଛକେ, ସେହିଠାରେ ହିଁ ତା’ର ଆଶ୍ରମ ପ୍ରବେଶ ହୋଇଯାଏ । ସଂସାର ଭିତରେ ରହିଲେ ହିଁ ଆମକୁ ଅହଂର ଗ୍ରାସ ଭିତରେ ପଡ଼ି ରହିବାକୁ ହେବ,–ଏଭଳି ଏକ ଭ୍ରମରେ ପଡ଼ି ଯାଇଥାଉ ବୋଲି ଆମେ ସଂସାର ବାହାରେ କୌଣସି ଆଶ୍ରମର କଳ୍ପନା କରିଥାଉ । ତଥାକଥିତ ଏକ ଆଶ୍ରମକୁ ଆସିଯାଇ ପାରିଲେ ଆମେ ଅହଂରୁ ମୁକ୍ତ ହୋଇଗଲୁ ବୋଲି କେଡ଼େ ବାଉଳା ହୋଇ କଳ୍ପନା କରିବାରେ ଲାଗିଯାଉ । ସେଥିଲାଗି ଅଲଗା ହୋଇ ଦିଶିବାକୁ କେଡ଼େ ସାନ୍ତ୍ଵନା ପାଉ । ସଂସାର ଭେକୀ ଅନ୍ୟମାନଙ୍କ ଆଡ଼କୁ ଅନାଇ ସତେଅବା କେତେ କରୁଣା କରିବାରେ ଲାଗିଥାଉ । ଅନ୍ତତଃ, ଆମର ଆଶ୍ରମଭେକୀ ଜୀବନଟା ଅଲଗା ହୋଇ, ଉଚ୍ଚ ହୋଇ ଦିଶିବ ବୋଲି ସଂସାରଟା ମଧ୍ୟ ସଂସାରଭେକୀ ହୋଇ ଚିରକାର ରହିଥାଉ ବୋଲି ସତେଅବା ଭଗବାନଙ୍କ ପାଖରେ ମନାସ କରିବାରେ ଲାଗିଥାଉ ।

 

ଆଶ୍ରମବାସ ସଂସାରରେ ହେବା ଉଚିତ, ପରମ ଅନୁରାଗର ସହିତ ହେବା ଉଚିତ । ମଣିଷ ଭିତରକୁ ଅନାଇଦେବା ମାତ୍ରକେ ଯେତେବେଳେ ଆଖି ଆଗରେ ଏକ ଚିରନ୍ତନ ତାଦାତ୍ମ୍ୟକୁ ଭୂମି କରି ଲୀଳା କରୁଥିବା ଭଗବାନ ଦୃଷ୍ଟିଗୋଚର ହେବାକୁ ଲାଗନ୍ତି, ସେତେବେଳେ ଯାଇ ଆଶ୍ରମବାସ ଯଥାର୍ଥ ହୁଏ । ସେତେବେଳେ ମଣିଷ ସମେତ ଏହି ସବୁକିଛି ସହିତ ସତକୁ ସତ ଗୋଟିଏ ସେତୁର ସଂଯୋଜନ ହିଁ ସର୍ବପ୍ରଧାନ ସତ୍ୟରୂପେ ଅନୁଭୂତ ହୋଇଥାଏ । ସଂସାରକୁ ନିବିଡ଼ ଭାବରେ ଅନ୍ତରଙ୍ଗ ଭାବରେ ଲାଗିକରି ରହିଥିବା ବେଳେ ଯାଇ ଅସଲ ଅଭେଦ ସମ୍ଭବ ହୁଏ-। ଯେଉଁମାନେ ଡୋର କାଟି ଆଶ୍ରମବାସ କରିବାକୁ ଉତ୍ସାହ ଦେଖାନ୍ତି, ସେମାନେ ଆର୍ତ୍ତ ହୁଅନ୍ତି; ଆର୍ତ୍ତ ହେବାରୁ ଉଗ୍ର ହୁଅନ୍ତି ଏବଂ ଉଗ୍ର ହେବା ହେତୁ ହିଁ ସଂପ୍ରଦାୟାଦିର ଭିଆଣ କରି ଏକ ଆଧ୍ୟାତ୍ମିକ ସୀମା ଭୂଗୋଳର ଭିଆଣ କରିବାରେ ଲାଗିଥାନ୍ତି ।

 

୧ । ୮ । ୯୦

 

ସବୁଯାକ ଦୋଷକୁ ନେଇ ଅନ୍ୟ କାହା ଉପରେ, ସମାଜ ଉପରେ ଓ ଏପରିକି କାଳ ଉପରେ ଢାଳିଦେବାର ଯେଉଁ ପ୍ରବୃତ୍ତି ଆମ ସଂସାରରେ ରହିଛି, ତାହାର ମୂଳ କାରଣ କ’ଣ ହୋଇପାରେ ? ମଣିଷ ଯେତେବେଳ ପର୍ଯ୍ୟନ୍ତ ସଂସାରଠାରୁ ନିଜକୁ ଅଲଗା ବୋଲି ବିଚାରୁଥାଏ, ସେତେବେଳେ ପର୍ଯ୍ୟନ୍ତ ଅନ୍ୟ କାହା ଉପରେ ଦୋଷଯାକ ଢାଳି ଦେଲେ ସିଏ ସମ୍ଭବତଃ ଭାରି ହାଲୁକା ଅନୁଭବ କରେ । ପୃଥିବୀଯାକର ଦୋଷ ମୋତେ ସ୍ପର୍ଶ କରିନାହିଁ ବୋଲି ଭାବିବାର ଏକ ଦମ୍ଭ ମଧ୍ୟ ସମ୍ଭବତଃ ଏଇଥିରୁ ଜାତହୁଏ ।

 

ସଂସାର ଛାଡ଼ି ଚାଲିଆସିଲେ ସଂସାରର ମାୟା ମୋତେ କଦାପି ଘାରି ରଖିବନାହିଁ,–ଏହି ପ୍ରଚାରଟି ପଛରେ ମଧ୍ୟ ହୁଏତ ସେହି ଭ୍ରମଟି ମଧ୍ୟ ରହିଛି । ସତକୁ ସତ କ’ଣ ମୁଁ ସଂସାର ଛାଡ଼ି ପଳାଇ ଯାଇ ପାରିବି ? ମାୟାବାଦୀ ମାୟାର ବନ୍ଧନରୁ ବାହାରି ତା’ର ତଥାକଥିତ ମୁକ୍ତିର ବନ୍ଧନରେ ବାନ୍ଧିହୋଇ ରହିଥାଏ ତେଣେ ସଂସାରଯାକର ପଙ୍କରେ ତା’ର ଆଦୌ କୌଣସି ଭାଗ ନାହିଁ ବୋଲି ଢମ କରିବାରେ ଲାଗିଥାଏ । ମାୟାରୁ ଛାଡ଼ି ପଳାଇଗଲେ ଯେ ମାୟା ତଥାପି ତୁଟେନାହିଁ, ସିଏ ଅହରହ ସେହି ଅନୁଭବଟିକୁ ଅଙ୍ଗେ ନିଭାଉଥାଏ ଓ ସତେଅବା ଭାରି ଉତ୍ପୀଡ଼ିତ ହୋଇ ରହିଥାଏ । ମୁଁ ଯେତେ ମନା କରୁଥିଲେ ବା ଭୁରୁଡ଼ାଉଥିଲେ ମଧ୍ୟ ଡୋରଗୁଡ଼ିକ ତଥାପି ଲାଗିଛି । ବାହାରୁ ଦେଖିବାକୁ ଭୁଲଗୁଡ଼ିକୁ ଆଉକେହି କରୁଥିଲେ ମଧ୍ୟ ମୋ’ର ସେଥିରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ ଭାଗ ରହିଛି । ତେଣୁ, ପୃଥିବୀର ଗୌରବ ଯେମିତି ମୋର ମଧ୍ୟ ଗୌରବ, ପୃଥିବୀର ଅଗୌରବ ମଧ୍ୟ ସେହିଭଳି ମୋ’ର ଅଗୌରବ । ଏକାତ୍ମିକତାର ସମଗ୍ର ପରିଧିଟିକୁ ଗ୍ରହଣ କରି ପାରିଲେ ଏଠୁ ଭୁରୁଡ଼ାଇ ଯେତେ ମିଛଭଲ ଓ ମିଛଶୁଦ୍ଧ ହୋଇ ରହିଲେ ମଧ୍ୟ ମୁଁ କଦାପି ଏହି ଡୋରଗୁଡ଼ିକୁ କାଟି ପାରିବିନାହିଁ । ଭଲର ସଂକ୍ରମଣ ଶକ୍ତିରେ ବିଶ୍ଵାସ କରୁଥିବା ପର୍ଯ୍ୟନ୍ତ ମୋତେ ଏଇଠି ସଂଯୁକ୍ତ ହୋଇ ରହିବାକୁ ପଡ଼ିବ, ସଂଯୁକ୍ତ ହୋଇ ଭଲର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ସଂଯୁକ୍ତ ଭାବରେ ହିଁ ଯାବତୀୟ ଶ୍ରେୟଃରେ ଭାଗ ନେବାକୁ ପଡ଼ିବ ।

 

୭ । ୮ । ୯୦

 

ଗୋଟିଏ ଗୋଲାପ ରହିଛି, ଯାହାର ନାମ Superstar,–ମୁଁ ସର୍ବପ୍ରଥମେ ସେହି କିସମର ଗୋଲାପଗଛଟିଏ ମୋ’ର ଜଣେ ସତୀର୍ଥ ବନ୍ଧୁ ଅଧ୍ୟାପକ ପ୍ରେମଦତ୍ତଙ୍କ ବଗିଚାରେ ଦେଖିଥିଲି । Superstar ଫୁଲଟିର ରଙ୍ଗ ଓ ଆବେଶ ମୋତେ କାହିଁକି ଅତ୍ୟନ୍ତ ମୁଗ୍‌ଧ କରି ଦେଇଥିଲା । ସେଇଦିନୁ ସେହିଭଳି ଗଛଟିକୁ ମୁଁ କେତେ ଝୁରି ହୋଇଛି । କାହାର ବଗିଚାରେ ଜାତିଆ ଗୋଲାପଗଛ ଦେଖିଲେ ତାଙ୍କର ସୁପରଷ୍ଟାର୍ ଅଛି କି ନାହିଁ ବୋଲି କେତେ ସରାଗରେ ପଚାରିଛି । ଓଡ଼ିଶାରେ ଆଉଜଣେ ବନ୍ଧୁଙ୍କର କୃପାରୁ ଗତବର୍ଷ ମୁଁ ନିଜ ବଗିଚାରେ ସେଇଥିରୁ ଗଛଟିଏ ଆଣି ଲଗାଇଛି । ଫୁଲ ମଧ୍ୟ ଫୁଟି ସାରିଲାଣି । କାଲି ସେହି ଗଛଟିର ମୂଳରୁ ମାଟି ବଦଳାଇ ନୂଆ ମାଟି ଭରି ଦେଉଥିବା ସମୟରେ ଅଧ୍ୟାପକ ବନ୍ଧୁ ପ୍ରେମଦତ୍ତଙ୍କ କଥା ଭାରି ମନେ ପଡ଼ି ଯାଉଥିଲା । ତାଙ୍କ ସହିତ ଗତ ତେଇଶି ବର୍ଷ ହେଲା ଆଉ ଦେଖା ହୋଇନାହିଁ ।

 

ପ୍ରେମଦତ୍ତ ପାହାଡ଼ୀ, ଅର୍ଥାତ୍ ହିମାଳୟ ଅଞ୍ଚଳର ମଣିଷ । ମୂଳତଃ ଜଣେ ପ୍ରେମୀ ମଣିଷ । ତେଣୁ ଅଧିକାଂଶ ସମୟରେ ନୀରବ । ସବୁକଥାକୁ ବୁଝନ୍ତି, ମାତ୍ର ଭାରି ଅଳ୍ପ କଥା କହନ୍ତି-। ସେ ବିଦ୍ୟାପ୍ରେମୀ, ବନ୍ଧୁପ୍ରେମୀ ଓ ପ୍ରକୃତିପ୍ରେମୀ ! କେବେହେଲେ କାହାରି ଛିଦ୍ରରେ ନଥାନ୍ତି । ଫୁରସତ ସମୟକୁ କଦାପି ବାଜେ ବକିବାରେ ବା ବାଜେ ଶୁଣିବାରେ ନଷ୍ଟ କରନ୍ତିନାହିଁ । ସେ ଇଞ୍ଜିନିଅରିଙ୍ଗ୍ ପାଠ ପଢ଼ାନ୍ତି, ମାତ୍ର ଜୀବନରେ ଯାବତୀୟ କଥାକୁ ଏକ ସମଗ୍ର ଦୃଷ୍ଟି ଦେଇ ଅନୁଭବ କରନ୍ତି । ହଁ, କମ୍ ଦେଖନ୍ତି, ଅନୁଭବ କରନ୍ତି ଅନେକ ବେଶୀ । ସେଇଥିପାଇଁ ବୋଧହୁଏ କମ୍ କଥା କହନ୍ତି । ଏହିପରି ମଣିଷ ହିଁ ଅନ୍ତରଙ୍ଗ ହୋଇପାରନ୍ତି । ଏହିପରି ମଣିଷଙ୍କ ଉପରେ ହିଁ ସତକୁ ସତ ଆସ୍ଥା ରଖାଯାଇପାରେ । ଜୀବନରେ ପ୍ରେମଦତ୍ତ ହୁଏତ କେବେ କାହାରି ଅନିଷ୍ଟ କରି ନଥିବେ, ଏବଂ କେବେ କାହାରି ତୋଡ଼ା ବା ହାକିମୀ ପାଖରେ ମୁଣ୍ଡ ବି ନୁଆଁଇ ନଥିବେ ।

 

୩୦ । ୮ । ୯୦

 

ଅନ୍ୟ ଜଣେ ମଣିଷ ପାଖରେ କୌଣସି ନିମ୍ନସ୍ତରର ବ୍ୟବହାର ଦେଖି ବେଳେ ବେଳେ ଆମେ ସତେଅବା କେଡ଼େ ଆଶ୍ଚର୍ଯ୍ୟ ହୋଇଯାଉ ! ସାନ ସାନ ଲୋଭ, ସାନ ସାନ ସ୍ଵାର୍ଥ, ସାନ ସାନ ଜୁଗୁପ୍‌ସା ଓ ସାନ ସାନ କାମନାଗତ ବ୍ୟଗ୍ରତା ଦେଖି ବଡ଼ ବଡ଼ ଲୋଭ, ବଡ଼ ବଡ଼ ସ୍ଵାର୍ଥ, ବଡ଼ ବଡ଼ ଜୁଗୁପ୍‌ସା ଏବଂ ବଡ଼ ବଡ଼ କାମନାଗତ ପ୍ରଚଣ୍ଡତାର ଏହି ପୃଥିବୀରେ ଯେତେବେଳେ ମଣିଷମାନେ ସତେ କିଛି ନଜାଣିଥିଲା ପରି ବିସ୍ମିତ ହୁଅନ୍ତି, ସେତେବେଳେ ମୁଁ ସେମାନଙ୍କୁ କହେ, ଉତ୍ତେଜିତ ହୁଅନାହିଁ, ବ୍ୟସ୍ତ ହୋଇ ପଡ଼ନାହିଁ, ଆନନ୍ଦିତ ବି ହୁଅନାହିଁ; ମାତ୍ର ବୁଝ । ‘Enjoy it’ ବୋଲି କହିବାକୁ ମଧ୍ୟ ଇଚ୍ଛା ହୋଇଯାଏ । ମୋ’ର ଅନୁମାନ ଆମେ ନିଜେ ନିଜର ସାନ ଲୋଭ, ସାନ ସ୍ଵାର୍ଥ ଓ ସାନ ଆଉ ସବୁକିଛି ଇତ୍ୟାଦିକୁ ଯେଡ଼େ ପ୍ରେମର ସହିତ ନିଜ ଭିତରେ କୁଣ୍ଢାଇ ଧରିଥାଉ, ଅନ୍ୟଠାରେ ସେହିସବୁର ନଜିର ଦେଖିବାକୁ ପାଇଲେ ହୁଏତ ସେତିକି ଅଧିକ ପରିମାଣରେ ବିସ୍ମିତ ହେଉ ।

 

Enjoy itର ଅର୍ଥ ‘ହସ’ ନୁହେଁ, ଉପହାସ ତ ଆଦୌ ନୁହେ । ସବୁ ମଣିଷଟି ଭିତରେ ଯେଉଁ ‘ଅସଲ’ ପିଣ୍ଡଟି ରହିଛି, ତାକୁ ସତେଅବା କାନିତଳେ ଘୋଡ଼ାଇ ପକାଇ ମଣିଷ ଯେ କେଡ଼େ ଅବାଧ ଓ ନିର୍ଦ୍ଦୋଷ ସହମତି ସହିତ ସ୍ଵାର୍ଥ, ଲୋଭ ଓ ମୋହ ଆଡ଼କୁ ନିଜ ଦେହରେ ଗୁଡ଼ାଇ ଗୁଡ଼ାଇ ବାନ୍ଧିହୋଇ ଯାଉଥାଏ, ତାକୁ ଦେଖି ହସିଦେବା କଥା ଏଠାରେ କୁହାଯାଇଛି । କାନିତଳେ ମୁଁ ଘୋଡ଼ାଇ ରଖିଥିବା ମୋ’ ସାଙ୍ଗଟି ସବୁ ଦେଖୁଛି, ସିଏ ମଧ୍ୟ ହୁଏତ ଖାଲି ହସିଦେଉଛି । ତେଣୁ; ଏହି କ୍ଷେତ୍ରରେ ନିଜେ ହସିଦେଇ ପାରିଲେ ଅନେକ ସମୟରେ ତାହାହିଁ ମୁକ୍ତିର ବାଟ ପରି କାମ ଦେଇଥାଏ । ଅନ୍ୟର କ୍ଷେତ୍ରରେ ମଧ୍ୟ ହସିଦେବାର ଅର୍ଥ ହେଉଛି, ତାର ଯାବତୀୟ ସାମୟିକ ସ୍ଖଳନ ଓ ବିସ୍ମରଣ ସତ୍ତ୍ୱେ ତା ଭିତରେ ରହିଥିବା ତା’ର ଅସଲ ସମ୍ପତ୍‌ଟିକୁ ସ୍ଵୀକୃତି ଦେବା, ସେହି ସମ୍ପତ୍‌ଟିର ପରିପ୍ରେକ୍ଷୀରେ ତାକୁ ଦେଖିବା, ତେଣୁ, ତାକୁ ପ୍ରତ୍ୟାଖ୍ୟାନ ନକରିବା ।

 

୨୭ । ୧୦ । ୯୦

 

ଜଣ ଜଣ ହୋଇ ପୃଥିବୀରେ କେତେଜଣ ମଣିଷ ବଦଳିଲେ ପୃଥିବୀ ଆପେ ଆପେ କଦାପି ବଦଳି ଯିବନାହିଁ । ଭଲ ମଣିଷ, ନିଜ ଜୀବନରେ ଏକ ଅନ୍ୟ ଉଚ୍ଚତା ଏବଂ ସଜ୍ଜନତାରେ ପହଞ୍ଚି ପାରିଥିବା କେତେଜଣ ମଣିଷ ସବୁ ଯୁଗରେ ଥିଲେ, ଆମର ଏଯୁଗରେ ମଧ୍ୟ ଅଛନ୍ତି । ମାତ୍ର, ସେମାନେ systemକୁ ବଦଳାଇ ପାରିନାହାନ୍ତି, ଆଜି ମଧ୍ୟ ବଦଳାଇ ପାରିବେନାହିଁ । ତଥାକଥିତ ନୈତିକତାର ଅସଲ ପରାଜୟ ଏଇଠି ।

 

ଏପରି କେତେକ ମଣିଷଙ୍କର ଆବଶ୍ୟକତା ସବୁ ଯୁଗରେ ରହିଛି, ଯେଉଁମାନେ କି ନିଜେ ବଦଳିବାକୁ ରାଜୀ ହୋଇଥିବେ, ଯେଉଁମାନେ ଆପଣା ଭିତରେ ବାଟ ଛାଡ଼ି ଦେଇଥିବେ,–ଏବଂ ତା’ପରେ systemଟାକୁ ବଦଳାଇବା ସକାଶେ ଏହି ପୃଥିବୀକୁ ତଥାପି ଫେରି ଆସି ପାରିଥିବେ, ଗଣ୍ଠିଗୁଡ଼ାକ ଭିତରେ ରହି ମଧ୍ୟ ତଥାପି ଗଣ୍ଠିଗୁଡ଼ାକୁ କାଟି ପାରୁଥିବେ । ଅସଲ ଡୋରଗୁଡ଼ିକୁ ଲଗାଇ ପାରିଲେ ଗଣ୍ଠିଗୁଡ଼ାକ ପ୍ରାୟ ଆପେ ଆପେ କାଟି ହୋଇଯାଏ,–ଏହି ସତ୍ୟଟି ଉପରେ ସେମାନଙ୍କର ଅଳ୍ପ ବିଶ୍ଵାସ ରହିଥିବ । ତଥାପି, ସେମାନେ ଏତିକିରେ ରହିଗଲେ ବି ଆଦୌ ଚଳିବନାହିଁ । ସେମାନେ ପରସ୍ପରକୁ ଖୋଜୁଥିବେ ଓ ପରସ୍ପର ସହିତ ଏକାଠି ହୋଇ ପାରୁଥିବେ । ଆଗାମୀ କାଲିର ଗୋଷ୍ଠୀଟିକୁ ଆଜି ଗଢ଼ିବେ; ଅର୍ଥାତ୍, ଆଗାମୀ କାଲିର ନକ୍‌ସାରେ ଆଜି ଜୀବନଟିଏ ବଞ୍ଚିବାଲାଗି ପରସ୍ପରକୁ ଯେ ଖାଲି ପ୍ରେରଣା ଦେଉଥିବେ ସେତିକି ନୁହେଁ, ସେମାନେ ପରସ୍ପରକୁ ସାହାଯ୍ୟ ମଧ୍ୟ କରୁଥିବେ । ନିଜ ଜୀବନରେ ସେମାନେ ସେହି ଆଗାମୀ ଗୋଷ୍ଠୀଟିକୁ ବଞ୍ଚୁଥିବେ । ଏଥିଲାଗି ଅନେକ ସାହସ ଦରକାର । କେବଳ ତଥାକଥିତ ସଜ୍ଜନତା ଦ୍ଵାରା ସେହି ସାହସ କଦାପି ସମ୍ଭବ ହୁଏନାହିଁ । ଏହି ସାହସ ଏକ ଗୋଷ୍ଠୀରେ ରୂପାୟିତ ହେଲେ ତାହାହିଁ systemକୁ ବଦଳାଇବାର ଅସଲ ବାଟଟିକୁ ଦେଖାଇଦିଏ । ସେହି ସାହସରେ ଅନ୍ୟ ନାମ ହେଉଛି ବିଶ୍ଵାସ; ତାହାକୁ ଭବିଷ୍ୟବିଶ୍ଵାସ ବୋଲି କୁହା ଯାଇପାରେ । ମାତ୍ର, ସବାଆଗ ତାହାକୁ ଏକ ଈଶ୍ଵରୀୟ ବିଶ୍ଵାସରେ ପରିଣତ ହେବାର ଆସ୍ପୃହା ରଖିବାକୁ ହୋଇଥାଏ ।

 

୨୮ । ୧୦ । ୯୦

 

ପାଞ୍ଚଦିନ ତଳେ Sonnerbergରେ କେତେ ଘଣ୍ଟା କଟାଇ ଆସିଲି । ମୋତେ ନିଜର ଆଉ ଏକ ଘରକୁ ଫେରି ଆସିବାଭଳି ଲାଗିଲା । କିନ୍ତୁ ପରେ ସେଠାରେ ଆଗରୁ ରହିଥିବା ବନ୍ଧୁମାନଙ୍କ ମୁହଁରୁ ଏକ ଖେଦବାଣୀ ଶୁଣିଲି ଯେ, ସେହି ଆଗର Sonnerberg ବର୍ତ୍ତମାନ ଆଉ ନାହିଁ । ତାହା ଅନ୍ୟପ୍ରକାର ହୋଇ ଗଲାଣି । ପ୍ରାୟ ପଚିଶି ବର୍ଷର ବ୍ୟବଧାନ ହେତୁ ପରିବର୍ତ୍ତନ ତ ଅବଶ୍ୟ ହେବ । ମାତ୍ର ତା’ ବୋଲି ଏକ ସ୍ଖଳନ କାହିଁକି ଘଟିବ,–ମୁଁ ହଠାତ୍ ସେହି କଥାଟିକୁ ବୁଝିପାରିଲିନାହିଁ ।

 

Sonnerberg କେବଳ ଏକ ବିଚାର ନୁହେଁ, Sonnerberg ଏକ ସଂସାର । ବିଚାର ଅନୁସାରେ ଏକ ସଂସାର, ଅର୍ଥାତ୍ ଏକ ଜୀବନ । ବାହାରର, ସଂସ୍କାରଗତ କ୍ଷେତ୍ରର ବହୁ ପାର୍ଥକ୍ୟ ସତ୍ତ୍ୱେ ପରସ୍ପର ଭିତରେ ରହିଥିବା ଏକ ସଖ୍ୟସୂତ୍ର ଅର୍ଥାତ୍ ଶ୍ରଦ୍ଧାସୂତ୍ରର ଆବିଷ୍କାର କରିବା ଓ ସେହି ସୂତ୍ରକୁ ଆପଣା ଜୀବନପ୍ରେରଣାର ସର୍ବମୂଳ ସୂତ୍ରରୂପେ ଗ୍ରହଣ କରି ଆନନ୍ଦିତ ହେବା ଏବଂ ସେହି ଆନନ୍ଦଦ୍ଵାରା ହିଁ ସାନ ଓ ବଡ଼ ଯାବତୀୟ ସମ୍ବନ୍ଧକ୍ଷେତ୍ରରେ ପ୍ରେରିତ ହୋଇ ରହିବା,–ଏହା କେବଳ ଏକ ବିଚାର ନୁହେ, ଏକ ବହିର ବିଚାର ତ ମୋଟେ ନୁହେଁ । ଏହା ହେଉଛି ଏକ ଉପଲବ୍‌ଧିଜନିତ ବିଚାର, ଅନୁରୂପ ସୂତ୍ରଟିଏ ଆବିଷ୍କାର କରି ଅନୁରୂପ ଜୀବନଟିଏ ବଞ୍ଚିବାଲାଗି ଏକ ସତତ ଆହ୍ଵାନ । କୌଣସି କାରଣରୁ Sonnerberg ସେହି ଆଦ୍ୟ ତଳଟିକୁ ସ୍ପର୍ଶ କରି ପାରିଲାନାହିଁ, ତେଣୁ ପ୍ରଧାନତଃ ଏକ ଅଫିମ ଓ ଏକ କାର୍ଯ୍ୟକ୍ରମ ହୋଇ ରହିଗଲା । ଏଠାରେ ସେହି କାର୍ଯ୍ୟକ୍ରମ ଚଳାଇବା ଲାଗି ରୁଣ୍ଡ ହୋଇଥିବା ବ୍ୟକ୍ତିମାନେ ପ୍ରଧାନତଃ ଚାକିରିଆ ହୋଇ ରହିଗଲେ । ସେମାନେ ଏକ communityରେ ପରିଣତ ହୋଇ ପାରିଲେନାହିଁ । କୋଠାମାନେ ବଢ଼ିଲେ, ଘୋଡ଼ା ଓ ଗାଡ଼ୀମାନେ କେଡ଼େ ଅଧିକ ଦକ୍ଷତା ଲାଭ କରେ, ମାତ୍ର ବିଚାରଟିକୁ ସଚଳ କରି ରଖିବାଲାଗି ଏକ ଅନୁରୂପ ଜୀବନୋଦ୍ୟମ ସମ୍ଭବ ହୋଇ ପାରିଲାନାହିଁ ।

 

୨୯ । ୧୦ । ୯୦

 

ମଣିଷ ମଣିଷ, ଜାତି ଜାତି ଓ ଦେଶ ଦେଶ ମଧ୍ୟରେ ଡୋରଟିଏ ବାନ୍ଧିବାର ଉଦ୍ଦେଶ୍ୟ ରଖି ଯେଉଁଠି ଆନୁଷ୍ଠାନିକ ଭାବରେ ବାହ୍ୟ ପରିବେଶଟିଏ ସୃଷ୍ଟି କରି ରଖିବାର ଉଦ୍ୟମ କରାଯାଇଥାଏ, ସେଠି ପରିମଳଗୁଡ଼ିକ ମଧ୍ୟ ଆନ୍ତର୍ଜାତିକ ହେବା ଦରକାର । ଆଖିଗୁଡ଼ିକ ଆନ୍ତର୍ଜାତିକ ହେବା ଦରକାର ! ଏପରିକି, ବାହାରୁ ମଣିଷକୁ ଚିହ୍ନିବାର ସଂସ୍କାରଗୁଡ଼ିକ ମଧ୍ୟ ଆନ୍ତର୍ଜାତିକ ହେବା ଦରକାର । Sonnerberg ସମ୍ଭବତଃ ସେହି ସଂସ୍କାରଟିକୁ ଜାଣି ପାରିଲାନାହିଁ କିମ୍ବା ଶିଖି ପାରିଲାନାହିଁ । ସେଠାରେ ଯେତେ ମଣିଷ ଅନୁଷ୍ଠାନଟିର ପରିଚାଳନାକ୍ଷେତ୍ରରେ ରହିଛନ୍ତି, ସେମାନେ କେବଳ ଜର୍ମାନ୍ ଭାଷା ଜାଣିଛନ୍ତି, ସେମାନେ ସମସ୍ତେ ଜର୍ମାନୀର ମଣିଷ,–ପ୍ରାୟ ଐକାନ୍ତିକ ଭାବରେ ଜର୍ମାନ୍ । ବଡ଼ ବା ପ୍ରଶସ୍ତ ଆଦର୍ଶଟିଏ ମୁଣ୍ଡରେ ମୁଣ୍ଡାଇଥିଲେ ମଧ୍ୟ ସେମାନେ ନିଜର ସଂସ୍କାର ଓ ଆଚାରଗୁଡ଼ିକୁ ଅନୁରୂପ ପ୍ରକାରେ ପାଗ କରି ରଖି ପାରିନାହାନ୍ତି । ସେତେବେଳେ, ପ୍ରାୟ ପଚିଶି ବର୍ଷ ତଳେ ମଧ୍ୟ ମୁଁ ସେମାନଙ୍କୁ କେତେଥର ସେହି କଥାଟିକୁ ସୂଚାଇ ଦେଇଥିବି । ସେତେବେଳେ Sonnerbergର ସର୍ବୋଚ୍ଚ କାର୍ଯ୍ୟକର୍ତ୍ତାଙ୍କର ମଧ୍ୟ କୌଣସି ଦ୍ଵିତୀୟ ଭାଷା ମଧ୍ୟକୁ ସାବଲୀଳ ପ୍ରବେଶ ନଥିଲା । ଏହି ଅନୁଷ୍ଠାନଟି ଗଢ଼ାହେବାର ଦୀର୍ଘ ଚାଳିଶିବର୍ଷ ପରେ ଏଠାରେ ପୃଥିବୀର ବିଭିନ୍ନ ଦେଶରୁ ଓ କୋଣରୁ ମଣିଷମାନେ ରହିଥାନ୍ତେ, ଏଠାରେ ଏକାବେଳେକେ ବହୁ ହୃଦୟର ପରିଚୟ ମିଳି ପାରୁଥାନ୍ତା, ତେବେଯାଇ ହୁଅନ୍ତା ।

 

ଶାନ୍ତିନିକେତନ ଯେପରି କ୍ରମେ ବଙ୍ଗାଳିଆ ହୋଇଗଲା, ବଙ୍ଗୀୟ ସଂସ୍କାରର ଏକ ସୁକୁମାର ଗଡ଼ିଆରେ ପରିଣତ ହୋଇଗଲା ଓ ତେଣୁ ଅନ୍ତଃତଳରେ ଆପଣାର ଅନେକ ଗବାକ୍ଷ ଓ ଅନେକ ଆବେଦନକୁ ହରାଇ ବସିଲା, Sonnerberg ସତେଅବା ଠିକ୍ ସେହିପରି ହୋଇଗଲା କି ? ସେଦିନ ସେଠି ମଣିଷମାନଙ୍କ ଅନାଇ ଦେଖୁଥିବା ବେଳେ ମୁଁ ବାରବାର ସେହି କଥାଟିକୁ ସ୍ମରଣ କରୁଥିଲି ।

 

୩୦ । ୧୦ । ୯୦

 

ରଜାମାନଙ୍କର ଦୟାରୁ ଯେଉଁଦିନ ଠାରୁ ଠାକୁରମାନେ ମନ୍ଦିର ଭିତରକୁ ପଶିଲେ, ସମ୍ଭବତଃ ସେହି ଦିନଠାରୁ ମଣିଷ ତା’ ଭିତରେ ରହିଥିବା ଠାକୁରମାନଙ୍କୁ କ୍ରମଶଃ ଭୁଲିଯିବାରେ ଲାଗିଲା । ଉପାସନାର ଯେ ଏକ ହୃଦୟ ରହିଛି, ନିଜର ବରିନେବାରେ ଯେ ଏକ ହୃଦୟ ରହିଛି, ମଣିଷମାନେ ସେକଥା କ୍ରମେ ପାସୋରି ପକାଇବାକୁ ଅଧିକ ପ୍ରେରଣା ପାଇଲେ । ହୃଦୟ ଭିତରୁ ନାଡ଼ ଛିଡ଼ିଯିବା ସଙ୍ଗେ ସଙ୍ଗେ ବାହାରର ମନ୍ଦିରଗୁଡ଼ାକୁ ହିଁ ଠାକୁରଙ୍କର ଯଥାର୍ଥ ସ୍ଥାନ ବୋଲି ଦେଖାଇବାର ଅହଙ୍କାର ମଣିଷ ଭିତରେ ବୃଦ୍ଧି ପାଇଲା । ନିଜେ ପୂଜା କରୁଥିବା ମନ୍ଦିରଟି ଅନ୍ୟମାନେ ପୂଜା କରୁଥିବା ମନ୍ଦିର ବା ପୂଜାସ୍ଥାନମାନଙ୍କଠାରୁ ସତେଅବା ସାତ ହାତ ଅଧିକ ଉଚ୍ଚ ହୋଇ ଦେଖାଗଲା । କଳାକାରିତା ଓ କାରିଗରିର ଚକଚକ ପରସ୍ତଗୁଡ଼ାକ ମଣିଷ ଭିତରେ ଭାରି ସଉକରେ ବାସ କରୁଥିବା ତାମସିକତା ଗୁଡ଼ାକୁ ମଧ୍ୟ କେଡ଼େ ଚକଚକ କରି ଦେଖାଇବାର ଦମ୍ଭ ଧରି ବାହାରିଲା । ଭଗବାନ ବି ସତେଅବା ଭାଗ ଭାଗ ହୋଇଗଲେ । ଅହଙ୍କାରୀମାନଙ୍କର ଦାଉରେ ଅସଲ ଡୋରଗୁଡ଼ିକ ପ୍ରକୃତରେ କେଉଁଠି ଲାଗି ରହିଛି ବୋଲି ଅନୁଭବ କରିବା ମଧ୍ୟ ସମ୍ଭବ ହେଲାନାହିଁ ।

 

ସେକାଳର ରଜାମାନେ କାଳର ଦାଉରେ ପଡ଼ି ବିଦା ହୋଇଗଲେ ସିନା, ସାମନ୍ତବାଦୀ ରାଜନୀତି ଧର୍ମକୁ ଗିଳି ପକାଉଥିବା ସଙ୍ଗେ ସଙ୍ଗେ ନେତାମାନେ ମଧ୍ୟ ସତେଅବା ଜଣେ ଜଣେ ରଜାପରି ଦିଶିଲେ । ସଂସାର ବୈରାଗୀ ସନ୍ନ୍ୟାସୀମାନେ ବି ରାଜନୀତିରେ ପଶି ଭଗବାନଙ୍କର ଟେକ ରଖିବାକୁ ଭାରି ଆଗ୍ରହୀ ହେଲେ । ମଣିଷର ଯଥାର୍ଥ ଆସ୍ପୃହା ଗୁଡ଼ିକର ଆକାଶରେ କଳାକନା ବୁଲାଇ ଦେଲେ । ସେମାନେ ଧର୍ମଭୂମି ଗୁଡ଼ିକୁ କନ୍ଦଳଭୂମିରେ ପରିଣତ କଲେ । ଉତ୍ସାହଗୁଡ଼ିକୁ ଅହଙ୍କାରରେ ପରିଣତ ହୋଇଯିବାରେ ସହାୟକ ହେଲେ । ଭରତବର୍ଷକୁ ଆଉ କେତେ ଦିନ ଏହି କୋଗନଗୁଡ଼ାକୁ ସହିବାକୁ ହେବ କେଜାଣି ?

 

୩୧ । ୧୦ । ୯୦

 

ଜାତୀୟତାବାଦର ଯୁଗରେ ଆମେ କେଡ଼େ ଖୁସୀ ହୋଇ ଧର୍ମକୁ ଆଣି ଆମ ଜାତୀୟ ସ୍ଵାଧୀନତା ସଂଗ୍ରାମ ସହିତ ଗଅଣ୍ଠାଇ ଦେଇଥିଲୁ । ସେହି ସଂଗ୍ରାମର ବୀରମାନଙ୍କୁ ବେଳେ ବେଳେ ଅବତାର ବୋଲି ମଧ୍ୟ କହୁଥିଲୁ । ଦେଶକୁ ମାଆ ବୋଲି ପୂଜା କରୁଥିଲୁ । ‘ବନ୍ଦେ ମାତରମ୍’ ବୋଲି ଉଚ୍ଚାରଣ କଲା ମାତ୍ରକେ ଆମ ଆଗରେ ସତେଅବା ଏକ ଦେବୀପ୍ରତିମା ଆସି ଉଭା ହୋଇ ଯାଉଥିଲେ । ଦେଶ କହିଲେ ଯେ ଜଣେ ଦେବୀଙ୍କୁ ମୋଟେ ବୁଝାଏନାହିଁ, ସ୍ଵାଧୀନ ଭାରତର ନିର୍ମାଣକାରୀ ବହୁ ଉଦ୍ୟମର ମାଧ୍ୟମରେ ଆମେ ସେହି ଅନ୍ୟ ସତ୍ୟଟିକୁ ମଧ୍ୟ ଗ୍ରହଣ କରି ପାରିଥାନ୍ତୁ ଓ ଏକଦା ଆମର ଭାରି ପ୍ରୟୋଜନରେ ଆସିଥିବା ଭ୍ରମଟିରୁ ମୁକ୍ତ ହୋଇ ପାରିଥାନ୍ତୁ । ମାତ୍ର, ଆମ ସମସ୍ତଙ୍କର ଦୁର୍ଭାଗ୍ୟ ଯେ, ସ୍ଵାଧୀନତା ପରେ ଏହି ଦେଶରେ ସବୁ ମଣିଷଙ୍କ ନିମନ୍ତେ ଏକ ନିମ୍ନତମ ଉଦୟଭୂମି ସମ୍ଭବ କରିବାଲାଗି ଆମେ ଯେତେ ଚେଷ୍ଟା ନକଲୁ, ନିଜର ତଥାକଥିତ ଧର୍ମ ଓ ଧାର୍ମିକତାଗୁଡ଼ାକୁ ତା’ଠାରୁ ଅନେକ ଅଧିକ ଆଡ଼ମ୍ବର ଓ ଅନେକ ସମୟରେ କାମୁକତା ସହିତ ପ୍ରଦର୍ଶିତ କରାଇବାକୁ ଉତ୍ସାହିତ ହେଲୁ । ଆମ ଇସ୍କୁଲରେ ପଢ଼ା ହେଉଥିବା ପାଠଗୁଡ଼ାକ ମଧ୍ୟ ଆମକୁ ତ୍ରମେ ଅଧିକରୁ ଅଧିକ ସ୍ଵାର୍ଥୀକାମୀ କରାଇଲା, ପରସ୍ପର ପ୍ରତି ଅଧିକ ଈର୍ଷାପରାୟଣ ହେବାରେ ସାହାଯ୍ୟ କଲା, ପ୍ରତ୍ୟେକ ମଣିଷ ସତେ ଯେପରି ଆପଣାର ଠାକୁରମାନଙ୍କୁ ନେଇ ଏ ଦେଶରେ ନିଜର ଅଲଗା ଅଲଗା ଘର କରି ରହିବାକୁ ଅଧିକ ସରାଗ ଦେଖାଇଲେ ।

 

ଭଗବାନ ମନ୍ଦିରରେ ନାହାନ୍ତି ବା ମସ୍‌ଜିଦ୍‌ରେ ନାହାନ୍ତି ବୋଲି ସନ୍ଥମାନେ ଆମକୁ କେଡ଼େ ଦୃଢ଼ ଭାବରେ କହି ଯାଇଛନ୍ତି । ତଥାପି; ଆମ ରାଜନୀତିର ସବୁଠାରୁ ବଡ଼ କଜିଆଗୁଡ଼ାକ ଯେ ଏହି ମନ୍ଦିର ଓ ମସ୍‌ଜିଦ୍‌ମାନଙ୍କୁ ନେଇ ହେଉଛି, ଆମ ସାମୂହିକ ଭାବନାର ସ୍ଵପ୍ନଗୁଡ଼ିକ ସେହି ସ୍ଥାନଗୁଡ଼ିକରୁ ଯେ ସବୁଠାରୁ ଅଧିକ ଉତ୍ତାପ ଲାଭ କରୁଛି, ତାହା ହିଁ ଭରତବର୍ଷରେ ଆଖିଥିବା ଯେକୌଣସି ମଣିଷକୁ ଭାରି ବିଡ଼ମ୍ବନାରେ ନେଇ ପକାଇଦେବ । ଏ ବିଡ଼ମ୍ବନା ଭିତରୁ ଆମର ନେତୃତ୍ଵଗୁଡ଼ିକ ଆଉ କେବେ ଯାଇ ବାଟ ଖୋଜିବାକୁ ଆଗଭର ହେବେ ?

 

୧ । ୧୧ । ୯୦

 

Eisenach,–ମାର୍ଟିନ୍ ଲୁଥର ଏହିଠାରେ ପବିତ୍ର ବାଇବେଲ୍ ଗ୍ରନ୍ଥକୁ ଜର୍ମାନ୍ ଭାଷାରେ ଅନୁବାଦ କରିଥିଲେ । କାଲି ଉପରଓଳି Wartburg ଦୁର୍ଗ ଭିତରେ ଅତୀତର ସେହି ସ୍ମରଣୀୟ କୋଠରୀଟିକୁ ଦେଖି ଆସିଲି । ଲୁଥର ଏହି ସହରରେ କେତେ ବର୍ଷ ସ୍କୁଲକୁ ମଧ୍ୟ ଯାଇଥିଲେ । ମାତ୍ର ଅଳ୍ପ କେତେ ଘଣ୍ଟା ଏହି ସହରରେ ରହୁଥିଲେ ମଧ୍ୟ ମୋ’ ଭିତରର ଅନେକ ଚେତନା ସତେଅବା ସେହି ବିଶାଳ ପୁରୁଷ ଓ ତାଙ୍କଦ୍ଵାରା ପ୍ରଣୋଦିତ ହୋଇଥିବା ସ୍ଵତନ୍ତ୍ର ପରମ୍ପରାଟି ଦ୍ଵାରା ଭାରି ଜଡ଼ିତ ହୋଇ ରହିଛି । ବିଶେଷ କରି, ଭାରତ ବର୍ଷରେ କେତେକ ହିନ୍ଦୁ ସଂସାରୀ ଓ ସନ୍ୟାସୀ ସେଠି ମନ୍ଦିରଟାଏ ଗଢ଼ିବେ ବୋଲି ଯେପରି ଉତ୍ତେଜିତ ଭାବରେ ଜିଦ୍ ଧରିବାରୁ ବିଚରା ଦେଶଟା ଉପରେ କେତେ କ’ଣ ଭିଆଇବାରେ ଲାଗିଛନ୍ତି, ତାହାରି ପୃଷ୍ଠଭୂମି ଉପରେ ମାର୍ଟିନ୍ ଲୁଥରଙ୍କର ସ୍ମୃତି ସହିତ ଜଡ଼ିତ ଏହି ସ୍ଥାନଟିରେ ବିଚରଣ କରୁ କରୁ ମନ ଭିତରେ କେତେ କ’ଣ ଭାବନା ଓ ଅନୁଭବ ଉକୁଟି ଉଠିବାରେ ଲାଗିଛି ।

 

ଗତ ପ୍ରାୟ ଚାଳିଶି ବର୍ଷ ହେଲା ଏହି ସହରଟି ପୂର୍ବ ଜର୍ମାନୀରେ ରହିଥିଲା । ଏବେ ପୂର୍ବ ଜର୍ମାନୀ ସେ ଖୁଣ୍ଟ ଛାଡ଼ି ଏ ଖୁଣ୍ଟରେ ବନ୍ଧା ହୋଇଛି, ପ୍ରାୟ ଗୋଟାଏ ବରଷ ଭିତରେ ସେହି କାରଣରୁ ଏଠି କେତେଭଳି ପରିବର୍ତ୍ତନ ହେବାରେ ଲାଗିଛି । ଆଉ ମାସକ ପରେ ଏଠାରେ ଗୋଟାଏ ଅନ୍ୟ ଯୁଗ ଅନ୍ତହୋଇ ଯିବାପରେ ଏକ ସାଧାରଣ ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ପଶ୍ଚିମ ଜର୍ମାନୀର ଛାଞ୍ଚରେ ଏହି ଅନ୍ୟ ଜର୍ମାନୀଟିକୁ ଗଢ଼ିବା ପାଇଁ ଦେଶର ନୂଆ ଅଭିଭାବକମାନେ ଆଧୁନିକ ସକଳ ବୁଦ୍ଧି ନେଇ ଲାଗି ପଡ଼ିଲେଣି । ସେମାନେ ଏ ପାଖଟାର ଗୋଡ଼ରୁ ଅତୀତର ସବୁଯାକ ଶିଙ୍କୁଳି କାଟି ଫିଙ୍ଗି ଦେବେ ବୋଲି ଆପଣାର ପରିଚିତ ଯନ୍ତ୍ରପାତିଗୁଡ଼ିକୁ ନେଇ ପହଞ୍ଚି ଗଲେଣି । Wartburg ସ୍ମାରକଟିକୁ ଦେଖିବାଲାଗି ଆସୁଥିବା ଦର୍ଶକମାନଙ୍କ ନିମନ୍ତେ ମଧ୍ୟ ସେହି ଅନୁସାରେ ସବୁକିଛିକୁ ଅଧିକ ଆରମଦାୟକ କରି ପାରିବାଲାଗି ନୂଆ କର୍ତ୍ତାମାନଙ୍କ ତରଫରୁ ଚେଷ୍ଟା ଆରମ୍ଭ ହୋଇ ଗଲାଣି ।

 

୩ । ୧୧ । ୯୦

 

କାଲି ସକାଳେ Weimar ରୁ Buchenwald ହୋଇ ଆମେ ବର୍ଲିନ୍ ଆସିଲୁ । ପ୍ରାୟ ପଇଁଚାଳିଶି ବର୍ଷ ତଳେ ସେଠାରେ ଶାସକର ମତ୍ତ ମୂର୍ତ୍ତି ଧାରଣ କରି ଥୋକେ ମଣିଷ ଅସହାୟ ଓ ନିର୍ଦ୍ଦୋଷ ମଣିଷମାନଙ୍କୁ ଯେପରି ଭାବରେ ମାରିଥିଲେ ଓ କଷଣ ଦେଇଥିଲେ, ସେହି ବିଷୟରେ କର୍ତ୍ତାମାନେ ଗୋଟିଏ ଫିଲ୍‍ମ ମଧ୍ୟ ଦେଖାଇଥିଲେ । ୧୯୪୪ ମସିହାରେ ଯେଉଁ ବନ୍ଦୀମାନେ ତଥାପି ବଞ୍ଚି ରହିଥିଲେ, ସେମାନେ ସେଠାରୁ ମୁକ୍ତି ପାଇବା ସମୟରେ ଶପଥ ନେଇଥିଲେ ଯେ, ପୃଥିବୀରେ ସେମାନେ ଏଭଳି ଘଟଣାମାନ କଦାପି ଆଉଥରେ ଘଟିବାକୁ ଦେବେନାହିଁ । ସେମାନେ କ’ଣ ଜଣେ ବ୍ୟକ୍ତି ହିସାବରେ ସେହି ଶପଥ ଗ୍ରହଣ କରିଥିଲେ ? ସେହି ବ୍ୟକ୍ତିମାନେ ତ ସଂସାରରୁ ଅଧିକାଂଶ ବିଦାୟ ନେଇ ଚାଲିଗଲେଣି । ଯୋଉମାନେ ବଞ୍ଚିଛନ୍ତି, ସେମାନେ ବର୍ତ୍ତମାନ ଆଦୌ ଖୁବ୍‌ବେଶୀ ସକ୍ରିୟ ନଥିବେ । ସେମାନେ ସମଗ୍ର ମନୁଷ୍ୟଜାତି ତରଫରୁ ଶପଥ ନେଇଥିଲେ, ସମଗ୍ର ପୃଥିବୀକୁ ଦୃଷ୍ଟିସମକ୍ଷରେ ରଖି ହିଁ ସେମାନେ ଶପଥ ଗ୍ରହଣ କରିଥିଲେ । Buchenwald ର ସମାନ୍ତର କେଉଁଠି ବର୍ତ୍ତମାନ ପୃଥିବୀରେ ଅଛି ବୋଲି କୁହାଯାଇ ପାରିବନାହିଁ ସତ, ମାତ୍ର ସେହିସବୁ ଯାବତୀୟ ଅବ୍ୟାପାର ଓ ଅସୁନ୍ଦରତାର ଜନନୀ ଘୃଣା ତ ତଥାପି ଏବେ ମଧ୍ୟ ଏହି ସଂସାରରେ ରହିଛି । ହୁଏତ ଅଧିକ କୌଶଳର ସହିତ ନାନାବିଧି ଛଦ୍ନବେଶ ଧାରଣ କରି ତାହା ପୃଥିବୀର ସାମାଜିକ ଜୀବନରେ ରହିଛି । ମଣିଷକୁ ତା’ କର୍ମର ଦାସ ବୋଲି ଦେଖୁଥିବା, ମଣିଷକୁ ଗୋଡ଼ିପଥର ପରି ବ୍ୟବହାର କରିବାକୁ ସତେଅବା ଅନୁମତି ପ୍ରଦାନ କରୁଥିବା ପବିତ୍ର ଗ୍ରନ୍ଥ ଓ ପବିତ୍ର ଧର୍ମବାଦମାନେ ମଧ୍ୟ ରହିଛନ୍ତି ।

 

ଗାନ୍ଧୀ ସତ୍ୟାଗ୍ରହର କଥା କହିଥିଲେ । ପୃଥିବୀକୁ ଏକତ୍ର ବାନ୍ଧି ରଖିବାକୁ ହେଲେ ଓ ସତକୁ ସତ ଏକ ସଭ୍ୟ ସମୂହରୂପେ ଅଗ୍ରଗତି କରିବାକୁ ହେଲେ ପୃଥିବୀର ପ୍ରତ୍ୟେକ ଦେଶ ଓ ପ୍ରତ୍ୟେକ ରାଜନୀତିକ ଜଳବାୟୁରେ ଦଳେ ଦଳେ ସତ୍ୟାଗ୍ରହୀ ଦରକାର । ଏବଂ ସେମାନେ ସବୁ ବାଦ, ସବୁ ଧର୍ମ ଓ ସକଳପ୍ରକାର ରାଷ୍ଟ୍ରୀୟତାର ଉପରେ ରହିଥିବା ଦରକାର । ଏକ ଉଚ୍ଚତର ଚେତନାର ଡୋରରେ ପରସ୍ପର ସହିତ ଏବଂ ମାନବଜୀବନର ଅନ୍ତର ସହିତ ଦୃଢ଼ ଭାବରେ ବାନ୍ଧିହୋଇ ରହିଥିବା ଦରକାର ।

 

୪ । ୧୧ । ୯୦

 

ନିର୍ମମ କର୍ତ୍ତୃତ୍ତ୍ଵରେ ବିଶ୍ଵାସ କରୁଥିବା ରାଜନୀତି ରାଜନୀତିର ଯେତେ କ୍ଷତି କରେନାହିଁ, ସାମୂହିକ ଜୀବନର ମାନବିକ କ୍ଷେତ୍ରଟିରେ ସମ୍ଭବତଃ ତାହାଠାରୁ ଅଧିକ କ୍ଷତି କରିଥାଏ । କାଲି ପୂର୍ବ ବର୍ଲିନ୍‌ରେ ନୂତନ–ପରିଚିତ ବନ୍ଧୁଦମ୍ପତିଙ୍କର ଘରେ କେତେ ଘଣ୍ଟା କଟାଇ ଓ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ମୁଁ ସବୁଠାରୁ ଅଧିକ ପରିମାଣରେ ସେହି କଥାଟିକୁ ହିଁ ଅନୁଭବ କରିଥିଲି-

 

କେବଳ କର୍ତ୍ତୃତ୍ତ୍ଵରେ ବିଶ୍ଵାସ ରହିଥିବା ଓ ସାମରିକ ବଳଦ୍ଵାରା ସେହି କର୍ତ୍ତୃତ୍ତ୍ଵକୁ ଜାରି କରି ରଖିଥିବା ଶାସନ ମଣିଷକୁ ନେଇ ସବୁକିଛି କରିପାରିବ ବୋଲି ଭାରି ଆଣ୍ଟ ରଖିଥାଏ । ମଣିଷକୁ ଘୁଷୁରି ହୋଇ ରହିବାକୁ ବାଧ୍ୟ କରେ । ତାହା ଫଳରେ, ସେହିଭଳି ଏକ ଅନିଷ୍ଟକାରୀ ବିଧାନ ଓ ପରମ୍ପରା ଭିତରେ ତଥାପି ତିଷ୍ଠି ରହିବାକୁ ଓ ସମ୍ଭବ ହେଲେ ସଫଳତା ଲାଭ କରିବାକୁ ସାଧାରଣ ମଣିଷମାନେ ପରସ୍ପରକୁ ମଧ୍ୟ ଘୁଷୁରି ପରି ଦେଖିବାକୁ ଆରମ୍ଭ କରନ୍ତି । ସେତେବେଳେ ଯେକୌଣସି ଆଦର୍ଶବାଦ ପ୍ରାୟ ଏକ Bureacracyରେ ପରିଣତ ହୋଇଯାଏ ଓ ସମସ୍ତେ ଏକାଧାରାରେ ତା’ ପାଖରେ ବୋଲ ମାନୁଥିବା ଗୋଟିଏ ଗଧ ପରି ହୋଇ ଆଉ କାହା ପାଖରେ ଜବରଦସ୍ତି ବୋଲ ମନାଉଥିବା ଯମ ପରି ହୋଇ ରହନ୍ତି । ଏବଂ, ଯିଏ ତଥାପି ମଣିଷଟିଏ ହୋଇ ରହିବାକୁ ଇଚ୍ଛା କରୁଥାଏ, ମଣିଷଟିଏ ହେବାପାଇଁ ଚେଷ୍ଟା କରୁଥାଏ, ସେଇ ସବୁଠାରୁ ଅଧିକ କଷ୍ଟ ଭୋଗ କରେ । ସିଏ ବିଚରା ମୋଟେ ଖାପ ଖାଇ ପାରେନାହିଁ । ହୁଏତ ପ୍ରତିରୋଧ କରିବାପାଇଁ ରାସ୍ତାଟିଏ ପାଏନାହିଁ, କାହାସହିତ ଏକାଠି ମିଶି ପ୍ରତିରୋଧ କରିବ ବୋଲି ସାଙ୍ଗଟିଏ ପାଏନାହିଁ । ତେଣୁ, ନିଜ ଭିତରେ ପ୍ରତିରୋଧ କରିବାକୁ ଇଚ୍ଛା କରୁଥିବା ସତ୍ୟାଗ୍ରହୀଟିକୁ ଦବାଇ ରଖି ସିଏ ବାହାରେ ଏକ ଘୃଣ୍ୟ system ସହିତ ନିଜକୁ ଖାପ ଖୁଆଇ ନେବାକୁ ମର୍ମନ୍ତୁଦ ଚେଷ୍ଟା କରିବାରେ ଲାଗିଥାଏ । ସମସ୍ତେ ନିରାପତ୍ତା ଦୃଷ୍ଟିରୁ ନିଜକୁ ଲୁଚାଇ ରଖିଥାନ୍ତି, ସମସ୍ତେ ମୁଖା ପିନ୍ଧି ଉପରେ ସୁନା ପୁଅ ହୋଇଥାନ୍ତି ବୋଲି ମାନୁଥାନ୍ତି । ତେଣୁ, ଆପଣାର ଅସଲ ପରିଚୟଟିକୁ ନେଇ କାହାପାଖରେ ମୁଖାଟିକୁ ଖୋଲି ଘଡ଼ିଏ ଉଶ୍ଵାସ ହେବାକୁ ମଧ୍ୟ ବିପଜ୍ଜନକମନେ ହେଉଥାଏ । ଭିତରର ମଣିଷଟା ଶୁଖି ଶୁଖି ଯାଉଥାଏ । ଯେକୌଣସି ପ୍ରକାରେ ତିଷ୍ଠି ରହିବାକୁ ହାସ୍ୟାସ୍ପଦ ଅସତ୍ୟଗୁଡ଼ାକୁ ହିଁ ସତ୍ୟ ମାନି ନେଉଥିବାର ପ୍ରଦର୍ଶନ ହେବାରେ ଲାଗିଥାଏ ।

 

୬ । ୧୧ । ୯୦

 

ଠିକ୍ ସଇଁତିରିଶି ବର୍ଷ ପରେ ଆଜି ପୁନର୍ବାର ମୋ’ର ଇସ୍ରାଏଲ୍ ଯିବାର ଯୋଗ ପଡ଼ିଲା-। ଆକୃତିରେ କେଡ଼େ ସାନ, ମାତ୍ର ମୋ’ର ହୃଦୟ ଭିତରେ ସେହି ଦେଶଟି ପାଇଁ ସତେ ଯେପରି କେତେ ନା କେତେ ସ୍ଥାନ ପଡ଼ିରହିଛି । ସେତେବେଳେ ଇସ୍ରାଏଲ୍‌ରେ ମୁଁ ଯେଉଁମାନଙ୍କ ଚିହ୍ନିଥିଲି, ଇତିମଧ୍ୟରେ ସେମାନେ ପୃଥିବୀରୁ ବିଦାୟ ନେଇ ଚାଲି ଗଲେଣି । ଏଥର ସେହିମାନଙ୍କର ସ୍ମୃତିକୁ ପୁଞ୍ଜି କରି ମୁଁ କେତେ କେତେ ନୂଆ ମଣିଷଙ୍କ ଘରକୁ ଯିବି, ସେହିମାନଙ୍କର ଆଖିରେ ଭୂମିଟିକୁ ଦେଖିବି,–ନିଜଲାଗି ପୁନର୍ବାର କେତେ ପୁଞ୍ଜି ସଂଗ୍ରହ କରି ଆଣିବି । ନିଜ ଜୀବନରେ ମୁଁ ସର୍ବଦା ଏହାକୁ ହିଁ ମୋ’ର ଏକ ମହାଭାଗ୍ୟ ବୋଲି ଅନୁଭବ କରି ଆସିଛି । ଏହି ଉପାର୍ଜନର ପ୍ରକୃତରେ ଆଦୌ କୌଣସି ମୂଲ କରାଯାଇ ପାରିବନାହିଁ ।

 

ଇସ୍ରାଏଲ୍ ହେଉଛି ଉଦ୍ୟମର ଦେଶ, ସତତ ବିଶ୍ଵାସ ଓ ସତତ ସଂଗ୍ରାମର ଦେଶ । ସତତ ବିଶ୍ଵାସ ସହିତ ସତତ ସଂଗ୍ରାମର ସମ୍ଭବତଃ ଏକ ଅନ୍ତର୍ଗତ ସମ୍ବନ୍ଧ ମଧ୍ୟ ରହିଛି । ମୁଁ ଯାହା ବିଶ୍ଵାସ କରେ, ଯଦି ମୁଁ ତାହାକୁ ହିଁ ମୂଳ କରି ଜୀବନଟିଏ ବଞ୍ଚିବାଲାଗି ଇଚ୍ଛା କରୁଥାଏ, ତେବେ ମୋତେ ସଂଗ୍ରାମ କରିବାକୁ ହିଁ ପଡ଼ିବ । ପୁନଶ୍ଚ, ସେହି ମୂଳଭୂତ ବିଶ୍ଵାସଟି ଅନୁସାରେ ଯଦି ମୋତେ ସାମୂହିକ ଜୀବନଟିଏ ବଞ୍ଚିବାର ବି ପ୍ରେରଣା ମିଳୁଥାଏ, ତେବେ ତ ସଂଗ୍ରାମକୁ ହିଁ ବଞ୍ଚିବାର ମୂଳ ସନ୍ତକ ବୋଲି ଗ୍ରହଣ କରିନେବାକୁ ପଡ଼ିବ । ନିଜ ସହିତ ସଂଗ୍ରାମ, ନିଜ ଭିତରେ ତଥାପି ସଙ୍କୁଚିତ ହୋଇ ରହିଥିବା ‘ମୁଁ’ ଟି ସହିତ ସଂଗ୍ରାମ ଓ ନିଜ ଭିତରେ ଯଥାସମ୍ଭବ ଅଧିକ ପ୍ରସାରିତ ହୋଇ ପାରିବାଲାଗି ଶ୍ରଦ୍ଧା ରଖିଥିବା ଆର ‘ମୁଁ’ ଟିକୁ ସାଙ୍ଗରେ ଧରି ବାହାରେ ବାଟ ଚାଲିବାର ସଂଗ୍ରାମ । ଏହି ଦୁଇଟିଯାକ ସଂଗ୍ରାମ ପ୍ରକୃତରେ ଗୋଟିଏ ସଂଗ୍ରାମ । ଗୋଟିଏ ସଂଗ୍ରାମର ଦୁଇଟି ଭିନ୍ନ ଭିନ୍ନ ରୂପ । ମୁଁ ନିଜ ହୃଦୟ ଭିତରେ ଯେତେଥର ଇସ୍ରାଏଲ୍‌କୁ ଦେଖିବାକୁ ପାଇଛି, ସବୁଥର ଏହି ଦୁଇଟିଯାକ ସଂଗ୍ରାମକୁ ମୂଳତଃ ଗୋଟିଏ ବୋଲି ଅନୁଭବ କରିବାର ପ୍ରେରଣା ପାଇଛି । ସେଥିରୁ ନିଜ ଭିତରେ ଅନେକ ସମାଧାନ ମଧ୍ୟ ମିଳିଛି । ବହିରେ ପଢ଼ିଥିବା ଅନେକ ବୃହତ୍ ସଂଶୟକୁ ପାର ହୋଇପାରିବାର ସୂତ୍ର ମିଳି ଯାଇଛି । ଆଜି ସେହି ଇସ୍ରାଏଲ୍‌କୁ ପୁନର୍ବାର ଯାତ୍ରା କରୁଥିବାର ମୁହୂର୍ତ୍ତରେ ମୁଁ ସେହି ଦେଶର ଉଦ୍ଦେଶ୍ୟରେ ନିଜର ପ୍ରମାଣ ଜଣାଉଛି ।

 

Image

 

 

 

ଜନ୍ମ

:

ଅକ୍ଟୋବର ୩, ୧୯୨୩

 

 

ବାଗଲପୁର, ଜି. କଟକ

ଶିକ୍ଷା

:

ବିଶ୍ଵଭାରତୀ, ଶାନ୍ତିନିକେତନ

 

 

କୋପେନ୍‌ହେଗେନ୍ ବିଶ୍ଵବିଦ୍ୟାଳୟ, ଡେନ୍‌ମାର୍କ

ଅଧ୍ୟାପକ

:

ଆଗ୍ରା, ପଶ୍ଚିମ ଜର୍ମାନୀ,

 

 

ଫିନ୍‌ଲାଣ୍ଡ, ଇସ୍ରାଏଲ୍

ବର୍ତ୍ତମାନ ଶ୍ରୀ ଅରବିନ୍ଦଙ୍କର ଶିକ୍ଷା ଦର୍ଶନ ଉପରେ

ଆଧାରିତ ଓଡ଼ିଶାରେ ଶିକ୍ଷା ପ୍ରୟୋଗର

କ୍ଷେତ୍ରରେ କାର୍ଯ୍ୟରତ ।

Image